Unknown

 

 

 

 

 

 

 

 

 

 

ମଧୁସୂଦନ ଦାସ

ସୁରେନ୍ଦ୍ର ମହାନ୍ତି

ଅନୁବାଦକ

କ୍ଷୀରୋଦ ଚନ୍ଦ୍ର ମହାନ୍ତି

 

(୧)

ଉପୋଦ୍‍ଘାତ

 

1803 ମସିହାରେ ଇଷ୍ଟ୍ଇଣ୍ଡିଆ କମ୍ପାନୀର ଓଡ଼ିଶା ଅଧିକାରକୁ ଓଡ଼ିଶାବାସୀ ଯୁଗଯୁଗବ୍ୟାପୀ ନିପୀଡ଼ନର ପରିସମାପ୍ତି ବୋଲି ପ୍ରଥମେ ଗ୍ରହଣ କରିନେଇଥିଲେ । ବସ୍ତୁତଃ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରୁ ଉତ୍କଳ ସାମ୍ରାଜ୍ୟର ଗୌରବ-ରବି ଅସ୍ତମିତ ହୋଇ ସାରିଥିଲା । ପର୍ଯ୍ୟାୟକ୍ରମେ ଆଫ୍‍ଗାନ୍, ମୋଗଲ ଓ ମରହଟ୍ଟାମାନଙ୍କ ଶାସନ ସଙ୍ଗକୁ ଦେଶାଭ୍ୟନ୍ତରର ଅନ୍ତର୍ଦ୍ୱନ୍ଦ୍ୱ ଓ ଭ୍ରାତୃବିବାଦର ବିଷ-ବାଷ୍ପରେ ରୁଦ୍ଧଶ୍ୱାସ ଓଡ଼ିଶାବାସୀଙ୍କ ସହ୍ୟଶକ୍ତି ସେତେବେଳକୁ ଚରମସୀମାରେ ପହଞ୍ଚି ସାରିଥିଲା । ଏହା ହେଉଛି ପଲାସୀ ଯୁଦ୍ଧରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗଳା ଅଧିକାର କରିବାର ଠିକ୍ 46 ବର୍ଷ ପରର ଘଟଣା । ବ୍ରିଟିଶ୍ ପାର୍ଲାମେଣ୍ଟର ସିଲେକ୍ଟ କମିଟି ଆଗରେ ପଲାସୀ ଯୁଦ୍ଧ-ବିଜୟୀ ଲର୍ଡ଼ କ୍ଲାଇବ୍ ନିଜେ ଯାହା ପ୍ରକାଶ କରିଥିଲେ ତାହା ହେଉଛି–‘‘ସ୍ଥାନୀୟ ଯେଉଁ ଲକ୍ଷ ଲକ୍ଷ ଅଧିବାସୀ ଦେଖଣାହାରୀ ସାଜି ମୁର୍ସିଦାବାଦଠାରେ ଆସି ରୁଣ୍ଡ ହୋଇଥିଲେ, ସେମାନେ ଯଦି ଖଣ୍ଡେ ଖଣ୍ଡେ କଣି ଓ ଗୋଟାଏ ଗୋଟାଏ ଟେକା ଧରି ପ୍ରତିରୋଧ କରିବାକୁ ଆଗେଇ ଆସିଥାନ୍ତେ, ତେବେ ଅକ୍ଳେଶରେ ସେମାନେ ୟୁରୋପୀୟମାନଙ୍କୁ ସେ ଦିନ ପୂରାପୂରି ସେଇଠି ନିପାତ କରିଦେଇ ପାରିଥାନ୍ତେ ।’’ କିନ୍ତୁ ପ୍ରତିରୋଧ କରିବା ତ ଦୂରର କଥା, ଇଂରେଜମାନଙ୍କ ବିରୁଦ୍ଧରେ ସେମାନେ ଆଙ୍ଗୁଠିଟିଏ ବି ଟେକିବାକୁ ମନ ବଳେଇ ନ ଥିଲେ । ଫଳତଃ ପଲାସୀ ରଣକ୍ଷେତ୍ରରେ ସେଦିନ କେବଳ ବଙ୍ଗଦେଶ ନୁହେଁ, ତା’ ସାଙ୍ଗକୁ ସାରା ଭାରତର ଭାଗ୍ୟ ମଧ୍ୟ ସେହିଠାରେ ମୀମାସିଂତ ହୋଇଥିଲା । ଇଂରେଜମାନଙ୍କର ଓଡ଼ିଶା ଅଧିକାର ଥିଲା ପଲାସୀ ଯୁଦ୍ଧର ଏକ ପୁନରାଭିନୟ ମାତ୍ର । ମରହଟ୍ଟାମାନେ କଟକର ଯେଉଁ ବାରବାଟୀ ଦୁର୍ଗକୁ ଶାସନର ମୂଳପୀଠ କରି ସାରା ଓଡ଼ିଶା ମୂଲକରେ ରାଜୁତି ଚଳାଇଥିଲେ, ସେହି ବାରବାଟୀ ଦୁର୍ଗକୁ ମଧ୍ୟ ବିନା ପ୍ରତିରୋଧରେ ଇଂରେଜମାନେ ଅଧିକାର କରି ନେଇଗଲେ । ତାହା ପରଠାରୁ କଲିକତାର ଫୋର୍ଟ ଉଇଲିୟମ୍ ହେଲା ଓଡ଼ିଶା ଶାସନର କେନ୍ଦ୍ରସ୍ଥଳୀ ଓ ସେହିଠାରୁ ଓଡ଼ିଶା ରାଜସ୍ୱ ଆଦାୟବ୍ୟବସ୍ଥା ନିୟନ୍ତ୍ରିତ ଓ ପରିଚାଳିତ ହେବାରେ ଲାଗିଲା । ଶତାବ୍ଦୀ ପରେ ଶତାବ୍ଦୀବ୍ୟାପୀ ମୋଗଲ ଓ ମରହଟ୍ଟାମାନଙ୍କ ଲୁଣ୍ଠନ ଓ ଶୋଷଣରେ ଅତିଷ୍ଠ ଯେଉଁ ଓଡ଼ିଶାବାସୀ ଇଷ୍ଟଇଣ୍ଡିଆ କମ୍ପାନୀର ସେନାବାହିନୀକୁ ସେଦିନ ତ୍ରାଣକର୍ତ୍ତା ଜ୍ଞାନରେ ସ୍ୱାଗତ ଜଣାଇଥିଲେ, ସେମାନଙ୍କର ମୋହଭଙ୍ଗ ଘଟିବାକୁ କିନ୍ତୁ ଅଧିକ ବିଳମ୍ୱ ଲାଗି ନ ଥିଲା ।

 

ଓଡ଼ିଶାରେ କମ୍ପାନୀ ଶାସନ ଚାଲିବାର ବର୍ଷ କେଇଟା ଭିତରେ ଓଡ଼ିଶାବାସୀଙ୍କ ଜୀବନାକାଶରେ ଉଠିଲା ବହୁ ଦୁର୍ଯ୍ୟୋଗର ଝଡ଼ଝଞ୍ଜା । ଓଡ଼ିଶାରେ ପରମ୍ପରାକ୍ରମେ ଚଳିଆସୁଥିବା କଉଡ଼ି ମୁଦ୍ରାକୁ 1812 ମସିହାରେ କମ୍ପାନୀ ଶାସନ ଅଚଳ ବୋଲି ଘୋଷଣା କରିଦେଲା । ତେଣିକି କଉଡ଼ି ମାଧ୍ୟମରେ ଆଉ ରାଜସ୍ୱ ପଇଠ କରାଯାଇ ପାରିବ ନାହିଁ ବୋଲି ଆଇନବଳରେ ନିଷିଦ୍ଧ କରିଦିଆଗଲା । ତା’ ପରଠାରୁ ପ୍ରତି ଏକବର୍ଷ, ଦୁଇବର୍ଷ ଓ ତିନିବର୍ଷ ଅନ୍ତରରେ ଓଡ଼ିଶାରେ ଚାଲିଲା ଜମିଜମା ସେଟଲମେଣ୍ଟ । ତା ଫଳରେ ଓଡ଼ିଶାର ବିଶିଷ୍ଟ ଓ ଅଭିଜାତ ପରିବାରଗୁଡ଼ିକର ଜମିବାଡ଼ି ସବୁ କମ୍ପାନୀ ଶାସନର ସୁଯୋଗ ଉଣ୍ଡି ବାହାରୁ ଆସିଥିବା ବଙ୍ଗାଳୀ ‘‘ଲାଣ୍ଡ୍ ସ୍ପେକୁଲେଟର’’ ମାନଙ୍କର କୁକ୍ଷିଗତ ହେବାରେ ଲାଗିଲା ।

 

ଜଣେ ବିଶିଷ୍ଟ ବ୍ରିଟିଶ ଲେଖକଙ୍କ ବିବରଣୀ ଅନୁଯାୟୀ ଓଡ଼ିଶାରେ ବ୍ରିଟିଶ ଶାସନର ପ୍ରଥମ ଚଉଦ ବର୍ଷ ମଧ୍ୟରେ ଓଡ଼ିଶାର ଦୁଇ-ତୃତୀୟାଂଶ ଜମିଦାରୀ ଏହିପରି ଭାବରେ ଓଡ଼ିଶା ବାହାରର ଲୋକଙ୍କ ହାତକୁ ଚାଲିଯାଇଥିଲା । ବସ୍ତୁତଃ ଓଡ଼ିଶାର ସମସ୍ତ ଗୌରବର ଯଥାର୍ଥ ମେରୁଦଣ୍ଡ ସ୍ୱରୂପ ଯେଉଁ ପାଇକକୁଳ ମୁଖ୍ୟତଃ ଜମିବାଡ଼ି ଉପରେ ନିର୍ଭର କରି ଚଳିଆସୁଥିଲେ, ସେମାନଙ୍କ ସ୍ଥିତି ଏହି ନୂତନ ସେଟଲମେଣ୍ଟ ଫଳରେ ଅତି ଶୋଚନୀୟ ହୋଇପଡ଼ିଲା । କଟକ ଡିଷ୍ଟ୍ରିକ୍ଟ ଗେଜେଟିଅର୍ ଏ ସମ୍ୱନ୍ଧରେ ଲେଖିଥିଲେ—‘‘ଅନାଦି ଅତୀତରୁ ପରମ୍ପରାକ୍ରମେ ଭୋଗଦଖଲ କରିଆସୁଥିବା ଜମିବାଡ଼ି ହରାଇବା ଫଳରେ ପାଇକମାନେ ମର୍ମାନ୍ତକଭାବରେ ଶୋଷିତ ଓ ନିର୍ଯ୍ୟାତିତ ହେବାରେ ଲାଗିଲେ । ତା ସାଙ୍ଗକୁ ସର୍ବରାକାର ଆଉ ତଳିଆ କର୍ମଚାରୀମାନଙ୍କ ହାତକୁ ବ୍ରିଟିଶ ସରକାର ଖଜଣା ଆଦାୟର ଦାୟିତ୍ୱ ହସ୍ତାନ୍ତର କରିଦେବାରୁ ପାଇକମାନେ ସମାଜରେ ପୂର୍ବର ସମସ୍ତ ପ୍ରଭୁତ୍ୱ ଓ ପ୍ରତିପତ୍ତି ହରାଇ ବସିଲେ । ବ୍ରିଟିଶ ଚକ୍ରାନ୍ତ ଫଳରେ ପାଇକକୁଳ ଏହିପରି ଭାବରେ ନିଶ୍ଚିହ୍ନ ହୋଇଯିବା ପରେ ସମାଜରେ ଯେଉଁ ଆଶୁ ବିପର୍ଯ୍ୟୟର ଉଦ୍ଭବ ହେଲା, ତାହାକୁ ଲକ୍ଷ୍ୟ କରି ତତ୍କାଳୀନ ଓଡ଼ିଶାର ଜଣେ କମିଶନର 1818 ମସିହା ମେ ମାସ 13 ତାରିଖରେ ଫୋର୍ଟ ଇଉଲିୟମ୍‍ର ଶାସନମୁଖ୍ୟଙ୍କୁ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ କରିଥିଲେ—‘‘ଏଠାରେ ଅଧିକାଂଶ ଅଧିବାସୀଙ୍କର ଧାରଣା, ମରହଟ୍ଟାମାନଙ୍କ ଅମଳରେ ଶାସନସଂସ୍ଥାର କୌଣସି ବିଧିବଦ୍ଧ ରୂପରେଖ ନ ଥିଲେ ମଧ୍ୟ ସେମାନଙ୍କ ଶାସନ ବ୍ରିଟିଶ ସରକାରଙ୍କର ତଥାକଥିତ ଉନ୍ନତ, ପରିମାର୍ଜିତ ଓ ସଦୟ ଶାସନ ଅପେକ୍ଷା ଓଡ଼ିଶାର ଜନସମାଜ ପକ୍ଷରେ ବରଂ ଅଧିକ ସ୍ଫୃହଣୀୟ ଓ ଉପଯୋଗୀ ଥିଲା ।’’

 

କିନ୍ତୁ ଦୀର୍ଘକାଳ ଧରି ଏହି ଅସହ୍ୟ ପରିସ୍ଥିତିକୁ ବରଦାସ୍ତ କରିବା ଲାଗି ଓଡ଼ିଆଜାତି ଆଉ ପ୍ରସ୍ତୁତ ନ ଥିଲା । 1817 ମସିହା ମାର୍ଚ୍ଚ ମାସରେ ଓଡ଼ିଶାର ନିର୍ଯାତିତ ପାଇକକୁଳ କମ୍ପାନୀ ଶାସନ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଶାସକବର୍ଗଙ୍କ ପକ୍ଷରେ ଗୋଟାଏ ଗୁରୁତର ସଙ୍କଟ ସୃଷ୍ଟି କରିଦେଲେ । ସେହି ବର୍ଷର ମଧ୍ୟଭାଗରେ ପାଇକମାନେ ପୁରୀ ସହରକୁ ଦଖଲ କରିନେଲେ-। ସେଠାର ଗୋରା କଲେକ୍ଟର ପାଇମାନଙ୍କର ସମ୍ମୁଖୀନ ହୋଇ ନ ପାରି ସରକାରୀ ଫଉଜଙ୍କ ସହିତ ସହର ଛାଡ଼ି ପଳେଇଯିବାକୁ ବାଧ୍ୟ ହେଲେ । ଜାତୀୟ ସ୍ତରରେ ନ ହେଲେ ମଧ୍ୟ ଏହି ପାଇକ ବିଦ୍ରୋହ ହେଉଛି ବ୍ରିଟିଶ ସରକାର ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏବଂ ଏଥିରେ ଯେଉଁମାନେ ପ୍ରତ୍ୟକ୍ଷ ଭାଗ ନେଇଥିଲେ, ସେମାନେ ସମସ୍ତେ ହେଉଛନ୍ତି ଓଡ଼ିଶାର ଅହଂଦୃପ୍ତ ଅଥଚ ସରଳ ଓଡ଼ିଆ କୃଷକର ପାଇକସେନା । କମ୍ପାନୀ ଶାସନର ଉନ୍ନତ ସାମରିକ ଶକ୍ତିବଳରେ ଏହି ବିଦ୍ରୋହକୁ ପରେ ଦବାଇ ଦିଆଯାଇଥିଲା ସତ; କିନ୍ତୁ ଏହି ବିପ୍ଳବୀଗୋଷ୍ଠୀର ମୁଖ୍ୟ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର 1825 ମସିହାରେ ଇଂରେଜମାନଙ୍କ ପାଖରେ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଏହି ବିଦ୍ରୋହାଗ୍ନି ମଝିରେ ମଝିରେ ପୁଣି ମୁଣ୍ଡ ଟେକି ଉଠୁଥିଲା । ବକ୍ସିଙ୍କ ଅବସାନ ପରଠାରୁ ବିଦ୍ରୋହର ଧୂମକୁଣ୍ଡଳୀ ସାରା ଓଡ଼ିଶାର ପୁରପଲ୍ଲୀକୁ ଆଚ୍ଛାଦିତ କରିପକାଇଲା ଏବଂ ଅବଶେଷରେ 1857 ମସିହାରେ ସିପାହି ବିଦ୍ରୋହର ଆଗ୍ନେୟ ସଂଗ୍ରାମ ଭିତରକୁ ସମ୍ୱଲପୁରର ସୁରେନ୍ଦ୍ର ସାଏଙ୍କ ଅଧିନାୟକତ୍ୱରେ ସମଗ୍ର ଓଡ଼ିଶା ଲମ୍ପ ପ୍ରଦାନ କରିଥିଲା ।

 

ସ୍ୱାଧୀନତା ପାଇଁ ଓଡ଼ିଶାର ଏହି ପ୍ରୟାସ ହେତୁ ଓଡ଼ିଆମାନଙ୍କୁ କିନ୍ତୁ ବହୁ ଦୁର୍ମୂଲ୍ୟ ଦେବାକୁ ପଡ଼ିଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ବ୍ରିଟିଶ ଶାସନକୁ ମୁଣ୍ଡପାତି ଗ୍ରହଣ କରି ନେଇଥିବାବେଳେ, କମ୍ପାନୀ ସରକାରକୁ ବିରୋଧ କରିବାର ଦୁଃସାହସ ପାଇଁ ଓଡ଼ିଆମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥିଲା । ଭାଷାଗତ ଦୃଷ୍ଟିରୁ ବିଖଣ୍ଡିତ, ଆର୍ଥିକ ଦିଗରୁ ଲୟପ୍ରାପ୍ତ ଓ ସାଂସ୍କୃତିକ ଦିଗରୁ ମ୍ରିୟମାଣ ଓଡ଼ିଶାକୁ ପରିଣାମରେ ବଙ୍ଗଳା ପ୍ରେସିଡେନ୍ସୀର ଏକ ଉପନିବେଶରୂପେ ରହିବାକୁ ପଡ଼ିଲା ।

 

ଓଡ଼ିଶା ବାହାରର ଯେଉଁ ମଧ୍ୟସ୍ୱତ୍ୱାଧିକାରୀମାନେ କମ୍ପାନୀ ଶାସନ କାଳରେ କିରାନି ଅଥବା ସେହିପରି କୌଣସି କ୍ଷୁଦ୍ର-ପଦାଧିକାରୀ ହୋଇ ରହିଥିଲେ, ସେମାନେ ଓଡ଼ିଆମାନଙ୍କୁ ସବୁମତେ ଶୋଷଣ କରିବାରେ ଲାଗିଲେ । କମ୍ପାନୀ ଶାସନ ମଧ୍ୟ ସେମାନଙ୍କୁ ଏ ଦିଗରେ ଯଥେଷ୍ଟ ମଦତ୍ ଯୋଗାଉଥିଲା । ଓଡ଼ିଶାର ଅଧିବାସୀମାନଙ୍କୁ ଆଧୁନିକ ଶିକ୍ଷାଦାନରୁ ବଞ୍ଚିତ କରି ସେମାନଙ୍କୁ ସମସ୍ତ ପ୍ରକାର ବିକାଶପଥରୁ ଦୂରେଇ ରଖିବା ଏବଂ ସମାଜର ନିମ୍ନତମ କର୍ମ ସୋପାନରୁ ସେମାନଙ୍କୁ ଊର୍ଦ୍ଧ୍ୱକୁ ଉଠେଇ ନ ଦେବା ଦିଗରେ କମ୍ପାନୀ ଶାସନ ସବୁବେଳେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା । 1857 ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବାବେଳକୁ ଉଚ୍ଚଶିକ୍ଷା ପାଇଁ ସେଠାରେ ଅନେକଗୁଡ଼ିଏ ସ୍ୱୟଂ-ସମ୍ପୂର୍ଣ୍ଣ ସ୍କୁଲ କଲେଜ ଗଢ଼ା ସରିଥିଲା; ମାତ୍ର ସେ ପର୍ଯ୍ୟନ୍ତ ଇଂରାଜୀ ଶିକ୍ଷାପାଇଁ ସାରା ଓଡ଼ିଶାରେ ଦୁଇ ତିନୋଟିରୁ ଅଧିକ ସ୍କୁଲ ମଧ୍ୟ ନ ଥିଲା । ଓଡ଼ିଶା ଡିଭିଜନର ଇଂରେଜ କମିସନର ଜି. ଏଫ୍. କକ୍‍ବର୍ଣ୍ଣ ବଙ୍ଗଳା ସରକାରଙ୍କୁ ଲେଖିଥିବା ଏକ ରିପୋର୍ଟରୁ ଏ ବିଷୟର ସତ୍ୟତା ପ୍ରତିପାଦିତ ହୁଏ । ସେ ଲେଖିଥିଲେ—‘‘ବଙ୍ଗଳାର ସବୁ ଡିଭିଜନର ଶିକ୍ଷାବିଭାଗରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଅଛି; ମାତ୍ର ଏଥିରୁ ଏଯାଏ ବାଦ୍ ପଡ଼ିଛି ଏକମାତ୍ର ଓଡ଼ିଶା ଡିଭିଜନ ।’’ ଓଡ଼ିଶାର ପାରମ୍ପରିକ ଚାଟଶାଳୀ ପାଠ ଶେଷ କରି ମଧ୍ୟଯୁଗୀୟ କାବ୍ୟକବିତା ଓ ପୁରାଣ ଆଦି ପଢ଼ାଶୁଣା କରିବାରେ ପାରଦର୍ଶିତା ଲାଭ କରିପାରିଲେ ଓଡ଼ିଶାର ସାମାଜିକ ଚଳଣିରେ ଓଡ଼ିଆଏ ଶିକ୍ଷିତ ବୋଲି ଗଣ୍ୟ ହେଉଥିଲେ ମଧ୍ୟ ସେପରି ଶିକ୍ଷା କମ୍ପାନୀ ଶାସନର ନିମ୍ନତମ ଚାକିରି ପାଇବା ପାଇଁ ମଧ୍ୟ ଯଥେଷ୍ଟ ବୋଲି ବିବେଚିତ ହେଉନଥିଲା । ସରକାରଙ୍କୁ ପଠାଇଥିବା ଗୋଟିଏ ରିପୋର୍ଟରେ କଟକର ତତ୍କାଳୀନ କଲେକ୍ଟର ଏହି ବିଷୟ ବର୍ଣ୍ଣନା କରି ଲେଖିଥିଲେ—

 

‘‘ମାସକୁ ମାସ ଦଶଟଙ୍କା ଦରମା ପାଉଥିବା ଓଡ଼ିଆଙ୍କ ସଂଖ୍ୟା ଏଠାରେ ବହୁତ କମ୍ । ଚାକିରି-ବାକିରି ଦେବାରେ ମୁଁ ଅବଶ୍ୟ ସବୁବେଳେ ଓଡ଼ିଆମାନଙ୍କୁ ଅଗ୍ରାଧିକାର ଦେଇଥାଏ; କିନ୍ତୁ ଗୋଟାଏ ମାମୁଲି ମୋହରିର ହେବା ପାଇଁ ଉପଯୁକ୍ତ ଯୋଗ୍ୟତାସମ୍ପନ୍ନ ଜଣେ ହେଲେ ଓଡ଼ିଆ ଲୋକକୁ ମୁଁ ଏଯାଏ ଏଠାରେ ଦେଖିବାକୁ ପାଇନାହିଁ ।’’

 

ଓଡ଼ିଶା ବାହାରର ଯେଉଁ ଲୋକମାନଙ୍କ ଉପରେ କମ୍ପାନୀ ଶାସନର ଶୁଭଦୃଷ୍ଟି ପଡ଼ିଥିଲା, କାଳକ୍ରମେ ସେମାନେ ଶାସନରେ ପ୍ରାଧାନ୍ୟ ଓ ଆଧିପତ୍ୟ ଆହରଣ କରିବାଫଳରେ ଓଡ଼ିଆମାନଙ୍କର ସାଂସ୍କୃତିକ ଓ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଲା । ଓଡ଼ିଆମାନଙ୍କର ଆଶା, ଆକାଂକ୍ଷା ଓ ଆବଶ୍ୟକତା ବିଷୟରେ ଅବଗତ ନ ହୋଇ, ଫୋର୍ଟ ଉଇଲିୟମ୍‍ର ବ୍ରିଟିଶ୍ ଶାସକଗଣ ଅଣଓଡ଼ିଆ ଏହି ଭାଗ୍ୟାନ୍ୱେଷୀ ଦଳଦ୍ୱାରା ପରିଚାଳିତ ହେଉଥିଲେ । ତେଣୁ ଯେଉଁ ଓଡ଼ିଆଏ ଦିନେ ସର୍ବଭାରତୀୟ ସାଂସ୍କୃତିକ ଓ ରାଜନୈତିକ ସ୍ତରରେ ସର୍ବାଗ୍ରଗଣ୍ୟରୂପେ ସମ୍ମାନିତ ହେଉଥିଲେ, ଊନବିଂଶ ଶତାବ୍ଦୀର ଆଦ୍ୟଭାଗରେ ସେମାନେ ବିଲୟ ଓ ହୀନମନ୍ୟତାର ଅତଳଗର୍ଭରେ ବିଲୀନ ହୋଇଗଲେ ।

 

ବିଗତ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ରାଜନୈତିକ ଅବସାନର ସୂତ୍ରପାତ ହେବା ପୂର୍ବରୁ ଓଡ଼ିଶାର ସୀମା ଉତ୍ତରରେ ବଙ୍ଗ ଓ ଦକ୍ଷିଣରେ ତେଲେଙ୍ଗାନା ଓ କର୍ଣ୍ଣାଟକ ପ୍ରଦେଶର କେତେକାଂଶକୁ ନେଇ ପରିବ୍ୟାପ୍ତ ଥିଲା; କିନ୍ତୁ ଆଫଗାନ, ମୋଗଲ ଓ ମରହଟ୍ଟାମାନଙ୍କ ଅମଳରେ ବାହ୍ୟ ଆକ୍ରମଣ ଓ ଦେଶବାସୀଙ୍କ ମଧ୍ୟରେ ଅର୍ନ୍ତବିରୋଧ ଓ ଆତ୍ମସଂଘର୍ଷ ଫଳରେ ଓଡ଼ିଶା ତାର ସ୍ୱତନ୍ତ୍ର ସତ୍ତା ହରାଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ବିଖଣ୍ଡିତ ଓଡ଼ିଶାର ସେହି ସବୁ ଅଞ୍ଚଳ କମ୍ପାନୀ ଶାସନ ଆରମ୍ଭରେ ବଙ୍ଗଳା, ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଆଦି ଯେଉଁ ପ୍ରଦେଶଗୁଡ଼ିକ ବ୍ରିଟିଶ ଶାସନକୁ ଆଦରି ନେଇଥିଲେ, ସେମାନଙ୍କ ସହିତ ସାମିଲ ହୋଇ ଯାଇଥିଲା । ଫଳରେ ପରସ୍ପରଠାରୁ ବିଚ୍ଛିନ୍ନ ତିନୋଟି ଅଲଗା ଅଲଗା ସମ୍ୱେଦନହୀନ ଶାସନାଧୀନରେ ସଂଖ୍ୟାଲଘୁ ଭାଷାଭାଷୀ ଓ ଇତର ସଂସ୍କୃତିର ଲୋକଙ୍କ ପରି ଓଡ଼ିଆମାନଙ୍କୁ ବସବାସ କରିବାକୁ ପଡ଼ିଲା ।

 

1866 ମସିହାର ନ’ଅଙ୍କ ଦୁର୍ଭିକ୍ଷବେଳେ ଓଡ଼ିଶାର ଅଭାବ ଅସୁବିଧାଗୁଡ଼ିକ ଜଳଜଳ ହୋଇ ପଦାକୁ ଫିଟିପଡ଼ିଲା । ଏତେ ଦିନକେ ଏହି ଘଟଣାରେ ପ୍ରଥମଥର ପାଇଁ ବିବେକବର୍ଜିତ ବ୍ରିଟିଶ ଶାସକମାନଙ୍କର ଓଡ଼ିଶା ବିଷୟରେ ଚେତା ପାଇଲା । ଦୁର୍ଭିକ୍ଷ ପରେ ପରେ ଭାରତ ସରକାର ଏ ବିଷୟରେ ସ୍ୱାଧୀନଭାବରେ ଏକ ସ୍ୱତନ୍ତ୍ର ତଦନ୍ତ କରିବା ଫଳରେ ଜାଣିପାରିଲେ, ଓଡ଼ିଶାକୁ ଖଣ୍ଡ ଖଣ୍ଡ କରି ତିନୋଟି ଅଲଗା ଶାସନ ଅଧୀନରେ ରଖିବା ଫଳରେ ଓ ଏ ପ୍ରଦେଶ ପ୍ରତି ଶାସନ କର୍ତ୍ତୃପକ୍ଷ ମୂଳରୁ ଏକ ଅନୁଦାର ଓ ନିର୍ଲିପ୍ତ ନୀତି ଅନୁସରଣ କରିବା ଫଳରେ ଓଡ଼ିଶାରେ ଏପରି ଏକ ଅଭୂତପୂର୍ବ ଦୁର୍ଭିକ୍ଷ ସଙ୍ଘଟିତ ହୋଇ ଅନ୍ୟୂନ ଦଶଲକ୍ଷ ଲୋକଙ୍କର ପ୍ରାଣହାନି ଘଟାଇଲା । ଏଣୁ ଏହି ଦୁର୍ଭିକ୍ଷକୁ ଦୈବୀକୃତ ନ କହି ବରଂ ମନୁଷ୍ୟକୃତ କହିବା ଅଧିକ ଯୁକ୍ତିଯୁକ୍ତ ଥିଲା । ସେତେବେଳକାର ସେକ୍ରେଟେରୀ-ଅପ୍-ଷ୍ଟେଟ୍-ଫର୍-ଇଣ୍ଡିଆ ସାର୍ ଷ୍ଟ୍ରାଫୋର୍ଡ ନର୍ଥକୋଟ୍ 1866 ମସିହାର ଏହି କରାଳ ଦୁର୍ଭିକ୍ଷ ପ୍ରତି 1868 ମସିହାରେ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ଶାସନର ଦୋଷତ୍ରୁଟି ଏ ନିମନ୍ତେ ମୁଖ୍ୟତଃ ଦାୟୀ ବୋଲି ସେମାନଙ୍କୁ ଚେତାଇ ଦେଇଥିଲେ ଏବଂ ଏହାର ପ୍ରତିକାରକଳ୍ପେ ଓଡ଼ିଶାକୁ ବଙ୍ଗଳାରୁ ଅଲଗା କରି ସମଗ୍ର ଓଡ଼ିଶା ଭାଷାଭାଷୀ ଅଞ୍ଚଳକୁ ଏକ ପ୍ରାଦେଶିକ ଶାସନାଧୀନରେ ରଖିବାକୁ ସୁପାରିସ୍ କରିଥିଲେ; କିନ୍ତୁ ସାର୍ ନର୍ଥକୋଟ୍‍ଙ୍କର ଏହି ସୁପାରିସ୍‍ର ସୁଯୋଗକୁ ଦାବି ଓ ଆନ୍ଦୋଳନ ମାଧ୍ୟମରେ କାର୍ଯ୍ୟରେ ପରିଣତ କରିବା ପରି କୌଣସି ରାଜନୈତିକ ସଂସ୍ଥା ସେତେବେଳର ଓଡ଼ିଶାରେ ନ ଥିବାରୁ ଏହି ସୁପାରିସ୍ ଖାଲି କାଗଜରେ ହିଁ ସେହିପରି ରହିଯାଇଥିଲା ।

 

ଓଡ଼ିଶା ବାହାରର ଯେଉଁ ସୁବିଧାବାଦୀମାନେ ଓଡ଼ିଶାର ଶାସନକଳକୁ ଅକ୍ତିଆର କରି ଏଯାଏ ଓଡ଼ିଶାରୁ ସବୁ ପ୍ରକାର ସୁଖ-ସୁବିଧା ଲୁଣ୍ଠନ କରୁଥିଲେ, ସେମାନେ କିନ୍ତୁ ନର୍ଥକୋଟ୍‍ଙ୍କ ସୁପାରିସରେ ସ୍ୱାର୍ଥହାନିର ସୂଚନା ପାଇ, ଏହାକୁ ଭଣ୍ଡୁର କରିବାଲାଗି ତତ୍ପର ହୋଇଉଠିଲେ । ଓଡ଼ିଆ ଭାଷା ବଙ୍ଗଳା ଭାଷାଠାରୁ ସ୍ୱତନ୍ତ୍ର ନୁହେଁ ବୋଲି ଗୋଟାଏ ହୁଆ ଉଠାଇ ବଙ୍ଗଳା ସରକାରଙ୍କ ଶିକ୍ଷାଦପ୍ତର ଓଡ଼ିଶା ଡିଭିଜନର ସବୁ ସ୍କୁଲରୁ ଓଡ଼ିଆ ଭାଷା ଶିକ୍ଷା ଉଠାଇଦେବାକୁ ଚେଷ୍ଟା ଚଳାଇଲେ । ଗ୍ରିଅରସନ୍ ଓ ବୀମ୍ସ ଆଦି ପ୍ରସିଦ୍ଧ ଭାଷାତତ୍ତ୍ୱବିତମାନଙ୍କର ସୁଦୀର୍ଘ ଅନୁସନ୍ଧାନ ଓ ଗବେଷଣା ଫଳରେ ଓଡ଼ିଆ ଭାଷା ଅନ୍ୟାନ୍ୟ ଭାରତୀୟ ଭାଷାଠାରୁ ଅଧିକ ପୁରାତନ ଓ ପ୍ରତିଷ୍ଠିତ ବୋଲି ପ୍ରତିପାଦିତ ହୋଇଥିଲେ ସୁଦ୍ଧା, ଏପରିକି ଯେଉଁ ସମୟକୁ ଓଡ଼ିଆ ଭାଷା ଗୋଟିଏ ସ୍ଥିର ନିର୍ଦ୍ଦିଷ୍ଟ ଉନ୍ନତ ଭାଷାର ସମ୍ମାନର ଅଧିକାରୀ ହୋଇପାରିଥିଲା, ସେ ସମୟକୁ ବଙ୍ଗଳା ଭାଷାର ଚିହ୍ନବର୍ଣ୍ଣ ମଧ୍ୟ ନ ଥିଲା ବୋଲି ବୀମ୍ସ ସାହେବ ସ୍ପଷ୍ଟଭାବରେ ମତ ଦେଇଥିଲେ ସୁଦ୍ଧା, ସରକାରୀ ଆସନରେ ପ୍ରତିଷ୍ଠିତ ଓଡ଼ିଶା ବାହାରର ମତଲବବାଜ୍‍ମାନେ ଓଡ଼ିଆ ଭାଷାକୁ ସରକାରୀ କାଗଜପତ୍ର ଓ ଶିକ୍ଷାଦାନର ପାଠ୍ୟକ୍ରମରୁ ସବୁଦିନ ଲାଗି ଅନ୍ତରିତ କରିବାକୁ ଲାଗିପଡ଼ିଲେ । ଓଡ଼ିଆ ଭାଷା ଯେ ବଙ୍ଗଳା ଭାଷାର ଏକ ରୂପାନ୍ତର ମାତ୍ର; ଏହା ପ୍ରମାଣିତ କରିବା ଲାଗି ସେମାନେ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଲେ । ଓଡ଼ିଆକୁ ସ୍ୱତନ୍ତ୍ର ଭାଷାର ପର୍ଯ୍ୟାୟରୁ ଯଦି ଖସାଇ ଦିଆଯାଇପାରେ, ତେବେ ଓଡ଼ିଶାକୁ ବଙ୍ଗରୁ ଅଲଗା କରି ଆଣି ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକଶାସନାଧୀନ କରିବା ଲାଗି ସାର୍ ଷ୍ଟ୍ରାଫୋର୍ଡଙ୍କ ପରାମର୍ଶ ଯେ ସ୍ୱତଃ ସମସ୍ତ ଗୁରୁତ୍ୱ ହରାଇବ, ତାହା ହିଁ ଥିଲା ଚକ୍ରାନ୍ତକାରୀମାନଙ୍କର ମୁଖ୍ୟ ଅଭିସନ୍ଧି ।

 

ପ୍ରକୃତରେ କିନ୍ତୁ ଓଡ଼ିଆମାନେ ସେମାନଙ୍କର ଭାଷା ଓ ସାହିତ୍ୟକୁ ନେଇ ବଡ଼ ଗର୍ବ ଅନୁଭବ କରୁଥିଲେ । ପଡ଼ୋଶୀ ରାଜ୍ୟଗୁଡ଼ିକର ମଧ୍ୟଯୁଗୀୟ ସାହିତ୍ୟ ଅପେକ୍ଷା ଓଡ଼ିଆ ଭାଷାର ତତ୍କାଳୀନ ସାହିତ୍ୟ ଗୁଣବୈଶିଷ୍ଟ୍ୟରେ ଯଥାର୍ଥରେ ସମଧିକ ଶ୍ରେଷ୍ଠ ଥିଲା । କେବଳ ସେତିକି ନୁହେଁ, ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ଓଡ଼ିଆ ଭାଷାରେ ଲିଖିତ ପ୍ରାଚୀନ ସାହିତ୍ୟ ଓ ମଧ୍ୟଯୁଗୀୟ ସାହିତ୍ୟ ଭାରତର ଅନ୍ୟାନ୍ୟ ବହୁ ଆଞ୍ଚଳିକ ସାହିତ୍ୟ ଅପେକ୍ଷା ଯଥେଷ୍ଟ ସମୁନ୍ନତ ଓ ଅଗ୍ରଗାମୀ ଥିଲା । ଏପରି ଅବସ୍ଥାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଓଡ଼ିଶାରୁ ସମୂଳେ ବିଲୋପ କରିବାକୁ ମୁଷ୍ଟିମେୟ ଅଣଓଡ଼ିଆ ବ୍ୟକ୍ତିବିଶେଷ ଏ ଯେଉଁ ଉଦ୍ୟମ ଚଳାଇଗଲେ, ତାହାର ବିରୋଧ କରିବାରେ ଓଡ଼ିଶାର ସମୂହ ଜନତା ଅତୀତର ସମସ୍ତ ଜଡ଼ତା ପରିହାର କରି ଏକମନ, ଏକପ୍ରାଣରେ ମାତିଉଠିଲେ; କିନ୍ତୁ ସେତେବେଳର ଓଡ଼ିଶାରେ ଏହି ଭାଷାରକ୍ଷା ଆନ୍ଦୋଳନକୁ ଚଳେଇରଖିବା ଲାଗି ସେପରି କୌଣସି ବିଧିବଦ୍ଧ ସାଧାରଣ ଅନୁଷ୍ଠାନ ନ ଥିଲା । 1866 ମସିହାରେ ପ୍ରତିଷ୍ଠିତ ହୋଇଥିବା ତତ୍କାଳୀନ ଓଡ଼ିଶାର ଏକମାତ୍ର ସମ୍ୱାଦପତ୍ର ‘ଉତ୍କଳ ଦୀପିକା’ର ସ୍ତମ୍ଭରେ ଏହାର ପ୍ରତିଷ୍ଠାତା-ସମ୍ପାଦକ ଗୌରୀଶଙ୍କର ରାୟ (1838-1917) ଏହି ଭାଷା-ଆନ୍ଦୋଳନକୁ ଚଳାଇ ରଖିଥିଲେ । ଏହି ଭାଷା-ବିବାଦ ଏହିପରି ଭାବରେ ଊନବିଂଶ ଶତାବ୍ଦୀର ଅଷ୍ଟମ ଦଶକ ପର୍ଯ୍ୟନ୍ତ ଲାଗିରହିବା ପରେ, ଶେଷରେ ଓଡ଼ିଆ ଭାଷାର ବିଜୟ ଘଟିଲା । ଦୀର୍ଘକାଳ ଧରି ଓଡ଼ିଶାରେ ଏ ଯେଉଁ ଭାଷା-ଆନ୍ଦୋଳନ ଲାଗିରହିଲା, ତାହା ଫଳରେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକଶାସନାଧୀନ କରି ରଖିବା ଲାଗି ପୂର୍ବରୁ ଯେଉଁ ଉଦ୍ୟମ ମୁଣ୍ଡଟେକି ଉଠିଥିଲା, ତାହା ସମୟକ୍ରମେ ଅଧିକ ସକ୍ରିୟ ହୋଇଉଠିଲା ।

 

ଓଡ଼ିଶାରେ ବ୍ରିଟିଶ ଶାସନର ପ୍ରାରମ୍ଭକାଳ ଥିଲା ଓଡ଼ିଶା ପକ୍ଷରେ ମୋହଭଙ୍ଗର ଏକ ତିକ୍ତ-କରୁଣ ଯୁଗ । ନିଜସ୍ୱ କଳା, ସାହିତ୍ୟ, ସାମ୍ରାଜ୍ୟ ଓ ବୈଦେଶିକ ବାଣିଜ୍ୟ ଲାଗି ବିଶ୍ୱପ୍ରସିଦ୍ଧ ଏକ ଗର୍ବୋନ୍ନତ ରାଜ୍ୟ, ଇତିହାସର ଏହି ଘଡ଼ିସନ୍ଧି କାଳରେ ଇଂରେଜମାନଙ୍କର ସୁବିପୁଳ ଭାରତ ଉପନିବେଶ ମଧ୍ୟରେ ମଧ୍ୟ ସ୍ୱତ୍ୱାଧିକାରୀମାନଙ୍କର ଏକ ଚରାଭୂଇଁରେ ପରିଣତ ହୋଇଗଲା । ରାଜ୍ୟର ରାଜନୈତିକ ଜୀବନକୁ ଉନ୍ନତ ଓ ସୁସଂହତ କରି ରାଜ୍ୟବାସୀମାନଙ୍କର ଆଶା ଓ ଆକାଂକ୍ଷା ପୂରଣ ଲକ୍ଷ୍ୟରେ ଉଦ୍ୟମ ଓ ଆନ୍ଦୋଳନ ଆଦି କରିବା ପରି ଇଂରେଜୀପଢ଼ୁଆ ଲୋକ ସେତେବେଳର ଓଡ଼ିଆ ସମାଜରେ ମଧ୍ୟ ନ ଥିଲେ । ପୁଣି ଲୋକମାନଙ୍କର ଅଭାବ, ଅସୁବିଧା ଓ ଦାବିଗୁଡ଼ିକୁ ଜନମାନସରେ ଆନ୍ଦୋଳିତ କରି, ସେଗୁଡ଼ିକର ପୂରଣ କରିବା ଦିଗରେ ସହାୟକ ହେବାଭଳି କୌଣସି ସକ୍ରିୟ ଓ ଶକ୍ତିଶାଳୀ ପତ୍ର-ପତ୍ରିକାର ଅସ୍ତିତ୍ୱ ମଧ୍ୟ ସେକାଳର ଓଡ଼ିଶାରେ ନ ଥିଲା ।

 

ବାହାର ଲୋକଙ୍କ ଆଖିରେ ଓଡ଼ିଶା ଥିଲା ବଣ-ଜଙ୍ଗଲଘେରା, ବଢ଼ି ମରୁଡ଼ିର ନିତ୍ୟ ଲୀଳାଭୂମି ଓ ଅଜଣା ଅଶୁଣା ଗୋଟାଏ ପ୍ରାନ୍ତ, ଯାହାର କି କିଛି କିଛି ଥିଲା ଅନିର୍ଦ୍ଦିଷ୍ଟ ଆଉ ଅସ୍ପଷ୍ଟ ଇତିହାସ । ଇଂରେଜ ଶାସନ ଦୃଷ୍ଟିରେ ଓଡ଼ିଶା ଥିଲା ଇଂରେଜ ପଦାନତ ରାଜ୍ୟଗୁଡ଼ିକର ପଦପ୍ରାନ୍ତାଶ୍ରୟୀ ଆଳସ୍ୟବିଜଡ଼ିତ ଗୋଟାଏ ନିର୍ବେଦ ଜାତିର ଆବାସଭୂମି, ଯାହା ପ୍ରତି ବିଶେଷ ଦୃଷ୍ଟିଦେବାର କୌଣସି ଆବଶ୍ୟକତା ନ ଥିଲା ଏବଂ ଓଡ଼ିଶାବାସୀଙ୍କ ବିଚାରରେ ଓଡ଼ିଶା ଥିଲା ଦାରିଦ୍ର୍ୟଜର୍ଜରିତ, ଭାଗ୍ୟବିଡ଼ମ୍ୱିତ ଗୋଟାଏ ହୃତସର୍ବସ୍ୱ ରାଜ୍ୟ ।

 

ପରିସ୍ଥିତି ଓ ପରିବେଶର ଏହି ନିଷ୍ପ୍ରାଣ ପଟ୍ଟଭୂମିରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ମଧୁସୂଦନ ଦାସ 1848 ଖ୍ରୀଷ୍ଟାବ୍ଦ ଅପ୍ରେଲ ମାସ 28 ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।

Image

 

(୨)

ଆଦ୍ୟ-ଜୀବନ

(କ)

 

କଟକ ସହରର ଉତ୍ତର-ପୂର୍ବ କୋଣକୁ ପ୍ରାୟ 20 କିଲୋମିଟର ଦୂରରେ ସତ୍ୟଭାମାପୁର ଗ୍ରାମଟି ଅବସ୍ଥିତ । ପ୍ରାଚୀନ ବିବରଣୀ ଅନୁଯାୟୀ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀୟ ରାଜା ପୁରୁଷୋତ୍ତମଦେବଙ୍କ ରାଣୀ ସତ୍ୟଭାମା ଦେବୀଙ୍କଦ୍ୱାରା ଏହି ଗ୍ରାମଟି ପ୍ରତିଷ୍ଠିତ ଓ ନାମିତ ହୋଇଥିଲା । ଗ୍ରାମଟିର ଚତୁର୍ଦ୍ଦିଗରେ କାଳଜୀର୍ଣ୍ଣ ବହୁ ଦେବାଳୟ ଓ ଶିଳାଲେଖ ଅଦ୍ୟାବଧି ଦଣ୍ଡାୟମାନ ରହି ସୂର୍ଯ୍ୟବଂଶୀୟ ନରପତିମାନଙ୍କର ଦେବାଳୟ-ନିର୍ମାଣ-ପ୍ରୀତିର ସାକ୍ଷ୍ୟ ବହନ କରିଅଛି । ରାଣୀ ସତ୍ୟଭାମା ଦେବୀ ଜଗନ୍ନାଥଦେବଙ୍କ ଉଦ୍ଦେଶ୍ୟରେ ତୋଳାଇଥିବା ଦଧିବାମନ ଦେଉଳ ଏଯାଏ ମଧ୍ୟ ସେ ଗ୍ରାମରେ ଦେଖିବାକୁ ମିଳେ । ପ୍ରଭୁ ଶ୍ରୀଚୈତନ୍ୟଙ୍କର ଆତ୍ମଚରିତ-ଲେଖକ ପଥିତଯଶା କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ଲେଖାରୁ ଜଣାଯାଏ ଯେ, ଗୌଡ଼ ଦେଶରୁ ପୁରୀ ଯିବା ବାଟରେ ଚୈତନ୍ୟଦେବ ରାତିକ ପାଇଁ ଏହି ଗ୍ରାମରେ ବିଶ୍ରାମ ନେଇଥିଲେ ଏବଂ ଚୈତନ୍ୟ-ସାହିତ୍ୟର ପ୍ରସିଦ୍ଧ ଗ୍ରନ୍ଥଦ୍ୱୟ ‘ଲଳିତ ମାଧବ’ ଓ ‘ବିଦଗ୍ଧ ମାଧବ’ ଲେଖିବା ପାଇଁ ଶ୍ରୀଚୈତନ୍ୟଙ୍କ ଗହଣରେ ଆସିଥିବା କୃଷ୍ଣଦାସ ଏହି ଗ୍ରାମରେ ହିଁ ପ୍ରେରଣା ପାଇଥିଲେ ।

 

ଏହି ଗ୍ରାମର ଚୌଧୁରୀ ପରିବାର ଥିଲା ଗୋଟିଏ ଐତିହାସିକ ପରିବାର । ବର୍ତ୍ତମାନ ସେହି ବଂଶର ଯେଉଁ ବଂଶାବଳୀ ମିଳୁଅଛି, ସେଥିରୁ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାର ଶାସନକ୍ଷେତ୍ରରେ ଗୋଟାଏ ପ୍ରବଳ ଆଲୋଡ଼ନ, ବିଲୋଡ଼ନ ଓ ଅନିଶ୍ଚିତତା ଲାଗିରହିଥିବାବେଳେ, ମଣିମଲ୍ଲ ନାମକ ଜଣେ ଖଣ୍ଡାୟତ ସର୍ଦ୍ଦାର ସ୍ୱାଧୀନ ଉତ୍କଳର ଶକ୍ତିପୀଠ ଖୋର୍ଦ୍ଧାରୁ ଉଠିଆସି ସତ୍ୟଭାମାପୁର ଗ୍ରାମରେ ଗୋଟିଏ ଚଉପାଢ଼ୀ ସ୍ଥାପନ କରି ସେଠାରେ ବସବାସ କରିଥିଲେ । ସତ୍ୟଭାମାପୁରର ଏହି ପରିବାରଟି ଥିଲା ବହୁ ଭୂ-ସମ୍ପତ୍ତିର ଅଧିକାରୀ, ଗୋଟିଏ ଧନଶାଳୀ ପରିବାର । ଗ୍ରାମର ପଶ୍ଚିମ ପ୍ରାନ୍ତକୁ ଗୋଟାଏ ବିରାଟ ଚକଘେରା ହତାବାଡ଼ି ଭିତରେ ଠିଆହୋଇଥିଲା ଚୌଧୁରୀ ପରିବାରର ମଉଡ଼ମରା ସାତଶେଣିଆ ହାତିଶାଳ ପରି ଖଞ୍ଜାଘର । ଖାଲି ଏ ଘର ତ ନୁହେଁ...ଘର ଚାରିପାଖେ ଆମ୍ୱତୋଟା, ନଡ଼ିଆମାଳ, ଫୁଲବଗିଚା, ଦୀଘା ଆଉ ଆମାର ଘରର ଗହଳିରେ ଚଉଦମାଣିଆ ଚଉଧୁରୀ ଚକଟା ଭରପୂର ହୋଇ ଉଠିଥିଲା । ମାତ୍ର 1803 ମସିହାରେ ଓଡ଼ିଶା ଇଂରେଜମାନଙ୍କ ହାତକୁ ଚାଲିଯବା ପରଠାରୁ ସତ୍ୟଭାମାପୁର ଚୌଧୁରୀ ପରିବାରର ସୌଭାଗ୍ୟ-କର୍ପୂର ଦିନୁଦିନ ଉଡ଼ିଯିବାରେ ଲାଗିଲା । ବର୍ଷକୁ ବର୍ଷ ନୂଆ ଜମାବନ୍ଦି ଫଳରେ ଜମାବୃଦ୍ଧି ସାଙ୍ଗକୁ ରାଜସ୍ୱ ଠିକ୍ ସମୟରେ ପଇଠ ଦେଇ ନ ପାରିବା ଫଳରେ ଚୌଧୁରୀ ପରିବାରର ଜମିଦାରୀ ଇଲାକା ସବୁ ସୂର୍ଯ୍ୟାସ୍ତ ଆଇନ ବଳରେ କଲିକତାଠାରେ ନିଲାମରେ ଉଠିବାକୁ ଲାଗିଲା । ଓଡ଼ିଶାରୁ କଲିକତାକୁ ଯିବା ପାଇଁ ସେତେବେଳକୁ ରେଳରାସ୍ତା ବା ପଦଚଲା ବାଟ ମଧ୍ୟ ନ ଥାଏ । ତେଣୁ ଓଡ଼ିଆ ଜମିଦାରମାନଙ୍କ ଇଲାକା ସବୁ ତେଣେ ନିଲାମରେ ଉଠିବାବେଳକୁ ସେ ଖବରଟା ସୁଦ୍ଧା ଓଡ଼ିଶାରେ ଆସି ପହଞ୍ଚି ପାରୁନଥାଏ । ଏପରିଭାବରେ ଓଡ଼ିଶାର ଅନ୍ୟାନ୍ୟ ବହୁ ସମ୍ଭ୍ରାନ୍ତ ପରିବାର ପରି ସତ୍ୟଭାମାପୁରର ଚୌଧୁରୀ ପରିବାର କଲିକତାର ‘ଲାଣ୍ଡସ୍ପେକୁଲେଟର୍’ ମାନଙ୍କ ହାତରେ ନିଜର ଅଧିକାଂଶ ଜମିବାଡ଼ି ହରାଇବା ପରେ ମଧୁସୂଦନଙ୍କ ପିତା ଚଉଧୁରୀ ରଘୁନାଥ ଦାସ କଟକର ସାନ ଅଦାଲତରେ ଓକିଲାତି ଆରମ୍ଭ କରିଦେଇଥିଲେ; କିନ୍ତୁ ଏ ବିଦ୍ୟାରେ ତାଙ୍କର ଯେତିକି ଦଖଲ ଥିଲା, ସେଥିରେ କଟକରେ ଥିବା ପୂର୍ବ ମରହଟ୍ଟା ସୁବେଦାରମାନଙ୍କ କଚେରିରେ ଜିତାପଟ ମାରିନେବାଟା ସୁଗମ ହେଉଥିଲା ସିନା, ଇଂରେଜମାନଙ୍କ ଏବର କୋର୍ଟ କଚେରିକୁ କିନ୍ତୁ ସେ ବିଦ୍ୟା ନଦାରଦ ଥିଲା । ସଂସାରଯାତ୍ରାର ଅନଟନ ସତ୍ତ୍ୱେ ରଘୁନାଥଙ୍କ ମନରେ କିନ୍ତୁ ଆଭିଜାତ୍ୟ ଆଉ ଆତ୍ମ ଗୌରବର ଗୋଟାଏ ପ୍ରଚ୍ଛନ୍ନ ଭାବ ସବୁବେଳେ ଭରି ରହିଥାଏ । କାହିଁ କେତେ ପୁରୁଷ ତଳେ ସତ୍ୟଭାମାପୁର ଚଉପାଢ଼ୀର ଆଦିସ୍ଥାପୟିତା ଖଣ୍ଡାୟତ ମଣିମଲ୍ଲଙ୍କର ରକ୍ତ ଯେ ତାଙ୍କର ଧମନୀରେ ଏବେ ବି ପ୍ରବାହିତ ହେଉଅଛି, ଏହି ଧାରଣାଟା ସବୁବେଳେ ତାଙ୍କ ମନରେ ଖେଳି ବୁଲୁଥାଏ । ଓଡ଼ିଶାରେ ମୋଗଲ ଓ ମରହଟ୍ଟାମାନଙ୍କ ରାଜୁତିକାଳରେ ଏହି ଚଉପାଢ଼ୀଗୁଡ଼ିକର ସାମରିକ ଗୁରୁତ୍ୱ ଊଣାପଡ଼ିଯିବା ପରେ, ରାଜ-ସରକାର ପକ୍ଷରୁ ନିଷ୍କର ଜମି ଭୋଗକରି ସେମାନେ କେବଳ ମାତ୍ର ଭୂ-ରାଜସ୍ୱ ଆଦାୟ କରିବାର ଦାୟିତ୍ୱରେ ରହିଥିଲେ ।

ମଧୁସୂଦନ ଥିଲେ ଚଉଧୁରୀ ରଘୁନାଥ ଦାସଙ୍କର ତୃତୀୟ ସନ୍ତାନ । ତାଙ୍କ ଉପରେ ଦୁଇ ଭଉଣୀ ଜନ୍ମ ହୋଇଥିଲେ । ମଧୁସୂଦନଙ୍କ ଜନନୀ ପାର୍ବତୀ ଦେବୀ ଧର୍ମପରାୟଣା ମହିଳା ଥିଲେ । ସେ ମଧ୍ୟ ଏକ କୁଳୀନ ପରିବାରର କନ୍ୟା । ଶିଶୁ ମଧୁସୂଦନଙ୍କର ନୈତିକ ଜୀବନ ଓ ଚରିତ୍ର ଗଠନ ଉପରେ ପାର୍ବତୀ ଦେବୀଙ୍କର ଧର୍ମପୁତ ଜୀବନର ପ୍ରଭାବ ବଡ଼ ଗଭୀରଭାବରେ ପଡ଼ିଥିଲା । ପିଲାଟି ଦିନରୁ ମଧୁସୂଦନ ମା’ଙ୍କଠାରୁ ଶିଖିଥିଲେ, ‘‘ଆଲୋ ସଖି, ଆପଣା ମହତ ଆପେ ରଖି ।’’ ମଧୁସୂଦନ ଆଜୀବନ ଏହି କଥାଟି ମନେରଖିଥିଲେ ଏବଂ ଜୀବନର ନାନା ଜଟିଳ ସନ୍ଧି-କ୍ଷଣରେ ଯେଉଁଠାରେ ନିଜର ନୀତି ବା ସମ୍ମାନ ଉପରେ ବାଧା ଆସିବା ପରି ପରିସ୍ଥିତିର ଉଦ୍ଭବ ହେଉଥିଲା, ସେତେବେଳେ ମା’ଙ୍କଠାରୁ ପିଲାବେଳେ ଶିଖିଥିବା ସେହି ନୀତିବାକ୍ୟଟି ମନେପକାଇ ସେ ନିଜର ପଥ ନିର୍ଦ୍ଧାରଣ କରୁଥିଲେ । ମଧୁସୂଦନଙ୍କ ତଳେ ରଘୁନାଥଙ୍କର ଆଉ ଗୋଟିଏ ପୁତ୍ର-ସନ୍ତାନ ଜାତ ହୋଇଥିଲା । ତାଙ୍କ ନାମ ଗୋପାଳବଲ୍ଲଭ । ଉତ୍ତର-ଜୀବନରେ ଏହି ଗୋପାଳବଲ୍ଲଭ ଦାସ ଓଡ଼ିଶାର ଜଣେ ବିଶିଷ୍ଟ ଔପନ୍ୟାସିକ ଭାବରେ ସୁନାମ ଅର୍ଜନ କରିଥିଲେ ।

ପୂର୍ବରୁ ସାଂସାରିକ ବିଭବ ବର୍ତ୍ତମାନକୁ ଯଥେଷ୍ଟ ମ୍ଳାନ ପଡ଼ିଆସିଥିଲେ ମଧ୍ୟ ଏହି ଐତିହାସିକ ପରିବାରଟି ପ୍ରତି ଜନସାଧାରଣଙ୍କର ଶ୍ରଦ୍ଧା ଓ ସମ୍ମାନ ତଥାପି ଊଣା ପଡ଼ି ନଥିଲା । ସତ୍ୟଭାମାପୁର ଗ୍ରାମ ଚାରିପଟେ ଥିବା ଦେଉଳ ଆଉ ମଠବାଡ଼ିର ଗାତ୍ରରେ ଧର୍ମୀୟ ଅନୁଷ୍ଠାନ ଓ ସାଧାରଣ ହିତାର୍ଥେ ଏହି ପରିବାରଟିର ଦାନ-ଦାକ୍ଷିଣ୍ୟର ନାନା ବିବରଣ ତଥାପି ଖୋଦିତ ହୋଇ ରହିଥିଲା । ପରିବାର ଓ ପରିବେଶର ଏହି ସାମ୍ଭ୍ରାନ୍ତ୍ୟମୟ ଐତିହ୍ୟ ମଧ୍ୟରେ ମଧୁସୂଦନଙ୍କ ଶୈଶବ ଅତିବାହିତ ହୋଇଥିଲା ।

ଶୈଶବର ଶିକ୍ଷା ଓ ଗ୍ରାମ୍ୟ ପାଠଶାଳା ବିଷୟରେ ମଧୁସୂଦନ ତାଙ୍କର ଅସମ୍ପୂର୍ଣ୍ଣ ଆତ୍ମଚରିତରେ ଲେଖିଛନ୍ତି—

‘‘ଓଡ଼ିଆ ଲେଖାପଡ଼ା ଶିଖେଇପାରିବା ଭଳି ଜଣେ ଅବଧାନଙ୍କ ଉପରେ ମୋର ପ୍ରାଥମିକ ଶିକ୍ଷାଭାର ଦିଆଯାଇଥିଲା...ଯେଉଁ ଚାଟଶାଳୀ ଘରେ ଆମେ ପଢ଼ୁ ସେ ଘରଟିର କାନ୍ଥ ଆଉ ଚଟାଣ ମାଟିରେ ତିଆରି ହୋଇଥିଲା । ସେହି ମାଟି ଚଟାଣ, ଆଉ ଖଣ୍ଡେ ଖଡ଼ି ହେଲେ ଚାଟଶାଳୀରେ ଲେଖାପଢ଼ା କାମ ଚଳିଯାଉଥିଲା । ଅବଧାନେ ଚଟାଣ ଉପରେ ମାଟିଖଡ଼ିରେ ଅକ୍ଷର ଲେଖିଦିଅନ୍ତି । ଚାଟମାନେ ବଡ଼ ପାଟିରେ ଡାକି ଡାକି ସେହି ଅକ୍ଷର ଉପରେ ଖଡ଼ି ମଡ଼େଇ ଲେଖା ଶିଖନ୍ତି । ମାଟିକାନ୍ଥକୁ ଅବଧାନେ ଦିନପଞ୍ଜିକା ଆଉ ସ୍ମାରକଲିପି ରୂପେ ମଧ୍ୟ ବ୍ୟବହାର କରନ୍ତି । ତା’ରି ଉପରେ କେତେ ଦିନର କେତେ ହିସାବ, କେତେ ଘଟଣା ସେ ଟିପି ପକେଇଥାନ୍ତି । ସ୍ତ୍ରୀମାନେ ପୁଣି ହାତ ଆଙ୍ଗୁଳିକୁ ତୂଳୀ ପରି ଟାଣି, ରଙ୍ଗମାଟିଗୋଳା ଢାଉଆ ପାଣିରେ ସେହି ମାଟିକାନ୍ଥ ଉପରେ ମଣିଷ, ପଶୁପକ୍ଷୀ ଆଉ ଜାତିକି ଜାତି କେତେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଇଥାନ୍ତି ।

ଚାଟଶାଳୀର ମାଟିଚଟାଣ ଉପରେ ପଢ଼ୁଆ ଚାଟଙ୍କୁ ଦୁଇଗୋଡ଼ ଉପରେ ଭାରା ଦେଇ ଟେକିହୋଇ ବସିବାକୁ ପଡ଼ୁଥିଲା । ଚଟାଣ ଉପରେ ମାଟିଖଡ଼ି ନେଇ ବନା ଶିଖିବାକୁ ଜାଗା ଅକୁଳାନ ହେବ ବୋଲି ଆସନି ଉପରେ ଚେକାମାଉଲି ପକେଇ ବସିବା ଲାଗି ପିଲାମାନଙ୍କୁ ଦିଆଯାଉ ନ ଥିଲା । ଖଣ୍ଡେ ହେଁସ ଉପରେ ନଡ଼ିଆ ପତର ଚଟେଇ ପଡ଼ିଥାଏ । ତା’ରି ଉପରେ ଅବଧାନେ ବସି ପିଲାଙ୍କୁ ପାଠ ପଢ଼ାନ୍ତି । ମାଟିଖଡ଼ି ଧରି ଚଟାଣ ଉପରେ ଅକ୍ଷର ଲେଖିବା ଦୋରସ୍ତ ହୋଇଯିବା ପରେ ପିଲାମାନଙ୍କୁ ଲୁହା ଲେଖନୀ ଧରି ତାଳପତ୍ର ଉପରେ ଲେଖା ଅଭ୍ୟାସ କରିବାକୁ ପଡ଼େ.....’’

ଚୌଧୁରୀ ସୁଦର୍ଶନ ଦାସ ଥିଲେ ମଧୁସୂଦନଙ୍କର ପ୍ରପିତାମହ । ତାଙ୍କର ଚିତାନଳରେ ପ୍ରପିତାମହୀ କୃଷ୍ଣା ଦେଈଙ୍କ ସତୀ ହେବାର ମହନୀୟ ସ୍ମୃତି ଶୈଶଲବକାଳରୁ ମଧୁସୂଦନଙ୍କ ମାନସିକତାକୁ ଗଭୀରଭାବରେ ଅନୁପ୍ରାଣିତ କରିଥିଲା ।

ଇଂରେଜୀରେ ଲିଖିତ ତାଙ୍କର ଅସମାପ୍ତ ଆତ୍ମଚରିତରେ ମଧୁସୂଦନ ସେହି ପୁଣ୍ୟସ୍ମୃତି ବିଷୟରେ ଲେଖିଛନ୍ତି—‘‘ମୋର ପ୍ରପିତାମହୀ ସତୀ ହୋଇଥିଲେ । ତାଙ୍କ ସ୍ୱାମୀଙ୍କ ଚିତାନଳରେ ସେ ନିଜକୁ ଜୀବନ୍ତ ଅର୍ଘ୍ୟରୂପେ ନିବେଦିତ କରିଥିଲେ । ଏ ଘଟଣା ଅବଶ୍ୟ ମୋ ଜନ୍ମ ପୂର୍ବରୁ ଘଟିଥିଲା; କିନ୍ତୁ ଶୈଶବରେ ଏ କାହାଣୀ ପିତାମହୀଙ୍କଠାରୁ ମୁଁ ବହୁବାର ଶୁଣିଛି । ସେ ଏହାକୁ ଯେପରି ଭାଷାରେ ଓ ଭାବରେ ବର୍ଣ୍ଣନା କରୁଥିଲେ, ତାହାର ସମ୍ୱେଦନଶୀଳତା ମୋର ପ୍ରାଣକୁ ଗଭୀର ଭାବରେ ସ୍ପର୍ଶ କରୁଥିଲା । ପୁଣି ସେହି ସତୀବିସର୍ଜନର ଘଟଣା ପିତାମହୀଙ୍କ ପ୍ରାଣରେ ଯେଉଁ ସ୍ପନ୍ଦନ ସୃଷ୍ଟି କରୁଥିଲା, ତାଙ୍କରି ବର୍ଣ୍ଣନା ମଧ୍ୟରେ ତାହାର ପ୍ରତିଧ୍ୱନି ମୋର ପ୍ରାଣରେ ମଧ୍ୟ ପ୍ରତିଫଳିତ ହୋଇ ଉଠୁଥିଲା । ଏହି ବର୍ଣ୍ଣନା ଶୁଣିବାବେଳେ ମୋର କଳ୍ପନା-ନେତ୍ରରେ ସତେ ଅବା ଯେପରି ସେହି ଅଗ୍ନିଶିଖା ଉଦ୍ଭାସିତ ହୋଇ ଉଠୁଥିଲା ଓ ସତୀରକ୍ତ ମୋର ପ୍ରତ୍ୟେକ ଧମନୀରେ ପ୍ରବାହିତ ହେଉଥିବାର ଧାରଣା ମୋ ହୃଦୟରେ ଦୃଢ଼ୀଭୂତ ହୋଇ ଉଠୁଥିଲା । ମୋର ଏ ପରିଣତ ବୟସରେ ସୁଦ୍ଧା କୌଣସି ପ୍ରକାର ବ୍ୟକ୍ତିଗତ କ୍ଷତି ଅଥବା ବିପଦର ଆଶଙ୍କାରେ କର୍ତ୍ତବ୍ୟପଥରୁ ବିଚ୍ୟୁତ ହୋଇ ସତୀରକ୍ତର ସେହି ଐତିହ୍ୟକୁ କଳଙ୍କିତ ନ କରିବା ପାଇଁ ମୁଁ ଏକ ପବିତ୍ର କର୍ତ୍ତବ୍ୟରୂପେ ବିବେଚନା କରୁଥିଲି ।

ଚାଟଶାଳୀ ପାଠ ଶେଷ କରିବା ପରେ ମଧୁସୂଦନ ସତ୍ୟଭାମାପୁର ନିକଟବର୍ତ୍ତୀ ମହାସିଂପୁର ମିଡ଼ଲ ଭର୍ଣ୍ଣାକୁଲର ସ୍କୁଲରେ ପଢ଼ିଥିଲେ । ସେଠାରେ ପଢ଼ା ସରିବା ପରେ ହାଇସ୍କୁଲରେ ପଢ଼ିବା ଲାଗି ସେ କଟକ ଯାଇଥିଲେ । ସେତେବେଳକୁ କଟକରେ ଗୋଟିଏ ମାତ୍ର ହାଇସ୍କୁଲ ରହିଥାଏ । ପରେ ସେହି ସ୍କୁଲଟି ଓଡ଼ିଶା ଡିଭିଜନର ସ୍ୱନାମଧନ୍ୟ କମିଶନର୍ ଟି. ଇ. ରେଭେନ୍ସାଙ୍କ ନାମରେ ନାମିତ ହୋଇ ରେଭେନ୍ସା କଲିଜିଏଟ୍ ନାମରେ ପରିଚିତ ହୋଇଥିଲା । ଓଡ଼ିଶାରେ ଇଂରେଜୀ ଶିକ୍ଷାର ପ୍ରସାର ପାଇଁ ରେଭେନ୍ସା ସାହେବ କମିଶନର୍ ହିସାବରେ ତାଙ୍କର ସମସ୍ତ ପ୍ରଶାସନିକ କ୍ଷମତା ପ୍ରୟୋଗ କରିଥିଲେ । କଟକ ହାଇସ୍କୁଲରେ ପଢ଼ିବାକାଳରେ ମଧୁସୂଦନ ଗୋଟିଏ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ବିଷଦୃଷ୍ଟିରେ ପଢ଼ି ସ୍କୁଲରୁ ବିତାଡ଼ିତ ହେବା ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏ ବିଷୟରେ ନିଜ ଆତ୍ମଚରିତରେ ସେ ଲେଖିଛନ୍ତି—

 

‘‘ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଇଂରେଜୀରେ ଆମର ଯେଉଁ ପାଠ୍ୟକ୍ରମ ରଖାଯାଇଥିଲା, ତାକୁ ଜଣେ ଆଗନ୍ତୁକ ବଙ୍ଗାଳୀ ହେଡ଼ମାଷ୍ଟର ଆମମାନଙ୍କୁ ପଢ଼ାଉଥିଲେ । ଦିନେ କ୍ଲାସରେ ଇଂରେଜୀ ପଢ଼ାଇବାବେଳେ ସେ ଗୋଟିଏ ବାକ୍ୟକୁ ଯେପରି ଭାବରେ ବୁଝାଇଲେ, ତାହା ଭୁଲ ବୋଲି ମୋର ମନେହେଲା । ମୁଁ ହେଡ଼ମାଷ୍ଟରଙ୍କୁ ମୋ ମନର ସନ୍ଦେହ କଥା ଖୋଲାଖୋଲି କହିଦେଲି; କିନ୍ତୁ ହେଡ଼ମାଷ୍ଟର ମୋର ସନ୍ଦେହ ଦୂର କରିବେ କଣ, କ୍ଲାସର ଏତେଗୁଡ଼ା ପିଲାଙ୍କ ସାମନାରେ ତାଙ୍କ ପାଣ୍ଡିତ୍ୟ ଉପରେ ଆଞ୍ଚ ଆଣିଥିବା ଓ ଅବାଧ୍ୟତା ପ୍ରଦର୍ଶନ କରିଥିବା ଅଭିଯୋଗରେ ସ୍କୁଲରୁ ମୋର ନାମ କାଟିଦେଲେ । ହେଡ଼ମାଷ୍ଟରଙ୍କ ଆଦେଶରେ ମୁଁ ସ୍କୁଲରୁ ବିତାଡ଼ିତ ହେଲି । ଗୋଟାଏ ଓଡ଼ିଆ ପିଲାଠାରେ ଏ ପ୍ରକାର ଔଦ୍ଧତ୍ୟର ଆସ୍ଫାଳନ ବଙ୍ଗାଳୀ ହେଡ଼ମାଷ୍ଟରଙ୍କ ପକ୍ଷରେ ନିତାନ୍ତ ଅସହ୍ୟ ହୋଇପଡ଼ିଥିଲା ନିଶ୍ଚୟ । ଆକସ୍ମିକ ଏ ଦୁର୍ଯୋଗର ଭାବୀ ପରିଣାମ ମୋ ପକ୍ଷରେ କିପରି ଭୟାବହ ଓ ସୁଦୂରପ୍ରସାରୀ ହୋଇପାରେ, ତାହା ମୁଁ ବେଶ୍ ଭଲଭାବରେ ଉପଲବ୍ଧି କରିପାରିଲି । ଇଂରେଜୀ ଶିକ୍ଷା ଲାଗି ପଥ ବର୍ତ୍ତମାନ ମୋର ଆଖି ଆଗରେ ସବୁଦିନପାଇଁ ରୁଦ୍ଧ ହୋଇଗଲା । ସେତେବେଳର ସମାଜରେ ଇଂରେଜୀ ଶିକ୍ଷା ଅଭାବରେ ମୋ ଜୀବନ ଏକ ଅସରନ୍ତି ମରୁଯାତ୍ରାରେ ପରିଣତ ହୋଇଯିବାର ଆଶଙ୍କା ମୋ ଆଖି ଆଗରେ ଜଳଜଳ ହୋଇ ନାଚିଉଠିଲା । ହେଡ଼ମାଷ୍ଟରଙ୍କ ପାଖକୁ ଯାଇ କ୍ଷମା ମାଗିବା ପାଇଁ ମୋର ଓଡ଼ିଆ ସହପାଠୀମାନଙ୍କ ମଧ୍ୟରୁ ଅନେକେ ମୋତେ ପରାମର୍ଶ ଦେଲେ । ଅଶାନ୍ତି ଆଉ ଅସ୍ଥିରତା ଭିତରେ ସହପାଠୀମାନଙ୍କ ପରାମର୍ଶ ବିଷୟ ଚିନ୍ତାକରି ମୁଁ ସେ ରାତିଟା କଟେଇଲି; କିନ୍ତୁ ହେଡ଼ମାଷ୍ଟରଙ୍କ ପାଖକୁ ଯାଇ କ୍ଷମା ମାଗିବା ପରାମର୍ଶକୁ ମୋର ସ୍ୱାଧୀନ ବିବେକ ଓ ଆତ୍ମସମ୍ମାନ ଦୃଷ୍ଟିରୁ ମୁଁ ଆଦୌ ଗ୍ରହଣ କରିପାରିଲି ନାହିଁ । ସ୍କୁଲର ପ୍ରଧାନ କର୍ମକର୍ତ୍ତା ମି: ହେଲିଙ୍କୁ ସବୁକଥା ଜଣେଇବା ଲାଗି ସ୍ଥିର କରି ତହିଁ ଆରଦିନ ବଡ଼ିସକାଳୁ ଯାଇ ତାଙ୍କ ବଙ୍ଗଳାରେ ହାଜର ହୋଇଗଲି । କିଛି ସମୟ ପରେ ସାହେବ ବାହାରକୁ ଆସିଲେ । ମତେ ଦେଖି ମୋ ସାଙ୍ଗରେ ସେ ଓଡ଼ିଆରେ କଥାବାର୍ତ୍ତା ହେଲେ ଏବଂ ମୁଁ କାହିଁକି ଆସିଛି ବୋଲି ପଚାରିଲେ । ସ୍କୁଲରେ ଯାହା ଯାହା ଘଟିଥିଲା, ମୁଁ ତାଙ୍କୁ ଗୋଟି ଗୋଟି କରି ସବୁକଥା ଜଣାଇଲି ଓ ଇଂରେଜୀ ବହିର ଯେଉଁ ଅନୁଚ୍ଛେଦଟି ଲାଗି ଏତେ କଥା ଘଟିଲା, ସେ ଅନୁଚ୍ଛେଦଟି ମଧ୍ୟ ତାଙ୍କୁ ଦେଖାଇଦେଲି । ମୁଁ ତାକୁ କିପରି ଭାବରେ ବୁଝିଥିଲି ଓ ହେଡ଼ମାଷ୍ଟର ସେହି ଅନୁଚ୍ଛେଦଟିକୁ କିପରି ଭାବରେ ବୁଝାଇଥିଲେ ବୋଲି ସାହେବ ମତେ ପଚାରିଲେ । ମୁଁ ଯେପରି ଭାବରେ ତାକୁ ବୁଝିଥିଲି, ତାହା ମୋ’ଠାରୁ ଶୁଣିବା ପରେ ସାହେବ ଟିକିଏ ହସିଦେଲେ ଓ ପରଦିନ ସକାଳ ଏଗାରଟାବେଳକୁ ସ୍କୁଲରେ ହାଜର ହେବାକୁ ମତେ ନିର୍ଦ୍ଦେଶ ଦେଲେ ।

 

ତହିଁ ଆରଦିନ ନିର୍ଦ୍ଧାରିତ ସମୟର କିଛିକ୍ଷଣ ପୂର୍ବରୁ ମୁଁ ଯାଇ ସ୍କୁଲ ଫାଟକ ପାଖରେ ଅପେକ୍ଷା କରି ରହିଲି । ମି: ହେଲି ଠିକ୍ ସମୟରେ ଆସି ପହଞ୍ଚିଗଲେ । ତାଙ୍କ ବଗିରେ ବସି ସେ ମୋ ସାମନାଦେଇ ଫାଟକ ଅତିକ୍ରମ କରି ଗଲାବେଳେ ମୁଁ ତାଙ୍କୁ ପ୍ରଣାମ କଲି । ସ୍କୁଲ ଅଫିସରେ ଆମ ହେଡ଼ମାଷ୍ଟର ଆଉ ମି: ହେଲିଙ୍କ ମଧ୍ୟରେ ଯାହା ଯାହା କଥାବାର୍ତ୍ତା ହେଲା, ସେ ବିଷୟ ଜାଣିବାକୁ ମୋ ମନରେ ଭାରି କୌତୂହଳ ଜାତ ହେଉଥିଲେ ମଧ୍ୟ ସେକଥା ମୁଁ କିଛି ଜାଣିପାରିଲି ନାହିଁ । ଜାଣିବାର କୌଣସି ଉପାୟ ମଧ୍ୟ ମୋର ନ ଥିଲା । ଅଳ୍ପ ସମୟ ପରେ ମି: ହେଲି ସ୍କୁଲରୁ ଫେରିଯିବା ଉତ୍ତାରେ ହେଡ଼ମାଷ୍ଟର ମତେ ଡକେଇ ପଠେଇଲେ । ମତେ ଦେଖିବାମାତ୍ରେ ସେ କହିପକାଇଲେ ଯେ ସେ ମତେ କ୍ଷମା କରିଛନ୍ତି ଓ ସ୍କୁଲରେ ମତେ ପୁଣି ଗ୍ରହଣ କରିବାକୁ ସ୍ଥିର କରିଛନ୍ତି ।

 

ଏହିପରି ଭାବରେ ମି: ହେଲିଙ୍କ ହସ୍ତକ୍ଷେପ ଫଳରେ ମଧୁସୂଦନଙ୍କ ଛାତ୍ରଜୀବନ ନିଶ୍ଚିତ ବିପର୍ଯ୍ୟୟରୁ ରକ୍ଷା ପାଇଥିଲା ଓ ଷୋଳବର୍ଷ ବୟସରେ ଇଂରାଜୀ 1864 ମହିହାରେ ସେ କଟକ ସ୍କୁଲରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

 

(ଖ)

 

ମାଟ୍ରିକଟା ପାସ୍ କରିବା ପରେ ସରକାରୀ ଚାକିରିଟାଏ ପାଇଯିବାରେ ସେତେବେଳେ ଆଉ ଅସୁବିଧା କିଛି ନ ଥାଏ । ମଧୁସୂଦନ ବର୍ତ୍ତମାନ କଟକର ଯେକୌଣସି ସରକାରୀ ଅଫିସରେ କିରାନିଟାଏ ହୋଇଯିବାରେ ଆଉ ଅସୁବିଧା ବା କଣ ! ବୁଦ୍ଧି ଖଟେଇ, ନିଅତ ଦେଇ, ହାକିମଙ୍କ ମନ ମଜେଇ କାମଦାମ କଲେ ବର୍ଷ କେଇଟାରେ ଡେପୁଟୀ ଚାକିରିଟା ତ ହାତଚକିରେ ଥୁଆ ! ଚାକିରି ସ୍ୱର୍ଗର ଇନ୍ଦ୍ର ଆସନ ସେହି ଡେପୁଟୀ କଲେକ୍ଟର ପଦକୁ ଆଖିରେ ରଖି ଚଉଧୁରୀ ରଘୁନାଥ ଦାସ ମଧୁସୂଦନଙ୍କୁ କଟକ ହାଇସ୍କୁଲରେ ପାଠ ପଢ଼େଇଥିଲେ । ତା ସାଙ୍ଗକୁ ଚଉଧୁରୀଙ୍କ ଆର୍ଥିକ ଅବସ୍ଥା ବି ଦିନୁଦିନ ଖରାପ ହେବାରେ ଲାଗିଥିଲା । ତେଣୁ ପୁଅକୁ କଲିକତା ପଠେଇ ଉଚ୍ଚଶିକ୍ଷା ଦେବାର ଇଚ୍ଛା ମଝିରେ ମଝିରେ କେବେ ମନରେ ଉଙ୍କି ମାରୁଥିଲେ ମଧ୍ୟ ଚଉଧୁରୀ ରଘୁନାଥ ଦାସଙ୍କର ସେଥିଲାଗି ଅଣ୍ଟାରେ ବଳ ନଥିଲା, କି ଛାତିରେ ବହପ ବି ନଥିଲା । ତେଣୁ ପୁଅକୁ ଦିନେ ପାଖକୁ ଡାକି କଟକର ସରକାରୀ ଅଫିସମାନଙ୍କରେ ଖଣ୍ଡେ ଚାକିରି ଉଣ୍ଡିବା ପାଇଁ ଚଉଧୁରୀଏ ପରାମର୍ଶ ଦେଲେ ।

 

ମଧୁସୂଦନଙ୍କର କିନ୍ତୁ ମନର ଓରିମାନ ଥିଲା ପୂରାପୂରି ଭିନ୍ନ ରକମର । ଚଉଧୁରୀ ରଘୁନାଥ ଦାସେ ଏଣ୍ଟ୍ରାନ୍ସ ପାସ୍‍କରା ପୁଅକୁ ଏଣେ ଚାକିରି-ଦାଣ୍ଡିକି ମୁହାଉଁଥିବାବେଳେ, ମଧୁସୂଦନ ତେଣେ ମନେ ମନେ ଆଣ୍ଟ ଧରିଥାନ୍ତି ସର୍ବୋଚ୍ଚ ଇଂରାଜୀ ଶିକ୍ଷା ଲାଭ କରିବା; ଆମ ଦେଶରେ ସେତେବେଳେ ଯାହା ସମ୍ଭବ, ସେହି ଶିକ୍ଷା ଅର୍ଜନ କରିବାକୁ । କିନ୍ତୁ ଉଚ୍ଚଶିକ୍ଷା ପାଇଁ ସେବର ଓଡ଼ିଶାରେ ଗୋଟିଏ ହେଲେ ବି କେଉଁଠି କଲେଜ ସେତେବେଳକୁ ବସି ନ ଥାଏ । ତାଙ୍କ ପୂର୍ବରୁ ଯେଉଁ କେତେଜଣ ଓଡ଼ିଆ ଛାତ୍ର ଉଚ୍ଚଶିକ୍ଷା ପାଇବାକୁ ମନ ବଳେଇଥିଲେ, ସେମାନଙ୍କୁ ସବୁ ପାଦରେ ଚାଲି ଚାଲି ଅଥବା ଶଗଡ଼ଗାଡ଼ିରେ ବସି ହିଂସ୍ରଜନ୍ତୁ ଆଉ ଖଣ୍ଟ ଡକେଇତଙ୍କୁ ଏଡ଼ି ସୁଦୀର୍ଘ 300 ମାଇଲବ୍ୟାପୀ ଅରଣ୍ୟପଥ ଅତିକ୍ରମ କରି କଲିକତାରେ ପହଞ୍ଚିବାକୁ ପଡ଼ୁଥିଲା । ଯେଉଁ ଗୌରୀଶଙ୍କର ଦିନେ ‘ଉତ୍କଳ ଦୀପିକା’ର ସମ୍ପାଦନା କରି ଉତ୍କଳୀୟ ସାମ୍ୱାଦିକତାର ପିତୃତ୍ୱ ଗୌରବର ଅଧିକାରୀ ହୋଇପାରିଥିଲେ, ସେ ମଧ୍ୟ ତାଙ୍କର ଛାତ୍ରାବସ୍ଥାରେ ଉଚ୍ଚଶିକ୍ଷାଲାଭ ଆଶାରେ କିଛି ବର୍ଷ ପୂର୍ବେ ପାଦରେ ଚାଲି ଚାଲି ଏକୋଇଶି ଦିନେ ଯାଇ କଲିକତାରେ ପହଞ୍ଚିଥିଲେ; କିନ୍ତୁ ପୁଅକୁ ସେଠାରେ ରଖି ପାଠପଢ଼ା ଖର୍ଚ୍ଚ ତୁଲେଇବା ତାଙ୍କ ପିତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ବୋଲି ଗୌରୀଶଙ୍କରଙ୍କୁ ଶେଷରେ ନିରାଶ ହୋଇ କଲିକତାରୁ ଫେରିବାକୁ ପଡ଼ିଥିଲା । ଆଧୁନିକ ଓଡ଼ିଆ ପଦ୍ୟସାହିତ୍ୟର ଜନକ ରାଧାନାଥ ରାୟଙ୍କୁ ମଧ୍ୟ ଠିକ୍ ସେହି ଏକା ଅବସ୍ଥାରେ ପଡ଼ି କଲିକତାରୁ ବାହୁଡ଼ି ଆସିବାକୁ ହୋଇଥିଲା । ବ୍ରିଟିଶ ଶିକ୍ଷାନୀତିର କୂଟଚକ୍ରାନ୍ତ ଫଳରେ ପଡ଼ୋଶୀ ବଙ୍ଗ ପ୍ରଦେଶରୁ ସେତେବେଳକୁ ଶହ ଶହ ଗ୍ରାଜୁଏଟ୍ ପ୍ରତିବର୍ଷ ବାହାରୁଥିବା ବେଳେ ସାରା ଓଡ଼ିଶାରୁ ଜଣେ ମାତ୍ର କେହି ଓଡ଼ିଆ ସେ ଯାଏ ଗ୍ରାଜୁଏଟ ହେବାର ସୁବିଧା ପାଇପାରି ନ ଥାଏ । ଓଡ଼ିଶାକୁ କେବଳ ରାଜନୈତିକ ଆଉ ଆର୍ଥିକ ଦିଗରୁ ନୁହେଁ, ଶିକ୍ଷା ଓ ସଂସ୍କୃତି ଦିଗରୁ ମଧ୍ୟ ସବୁଦିନ ପାଇଁ ତଳିତଳାନ୍ତ କରିଦେବା ଇଂରେଜ ସରକାରର ମୂଳନୀତି ଥିଳା ବୋଲି ମଧୁସୂଦନ ବୁଝିପାରିଥିଲେ । ତେଣୁ କଣ୍ଟକଂ କଣ୍ଟକେ ଚୈବ ନୀତିରେ କେବଳ ସେହି ଇଂରେଜୀ ଶିକ୍ଷା ମାଧ୍ୟମରେ ଆଧୁନିକ ଶିକ୍ଷାଲାଭ କରିବାଦ୍ୱାରା ବ୍ରିଟିଶ କୂଟନୀତିର ଯଥାର୍ଥ ମୁକାବିଲା କରିବା ସମ୍ଭବ ବୋଲି ମଧୁସୂଦନ ସ୍ଥିର କରି ନେଇଥିଲେ ।

 

ଇଂ 1844 ମସିହା ବେଳକୁ ସବୁ ସରକାରୀ ଅଫିସରେ ଇଂରେଜୀ ବ୍ୟବହାର ଏକରକମ ବାଧ୍ୟତାମୂଳକ ହୋଇସାରିଥିଲା । ତେଣୁ ଶାସନକଳ ଉପରେ କୌଣସି ପ୍ରକାର ପ୍ରଭାବ ପକାଇବାକୁ ହେଲେ ଇଂରେଜୀ ଭାଷାରେ ଜ୍ଞାନ ଥିବା ଅତି ଜରୁରି ହୋଇ ଉଠିଥିଲା । ତା’ ଛଡ଼ା, ଓଡ଼ିଶାର ପ୍ରଥମ ଗ୍ରାଜୁଏଟ ହେବା ପାଇଁ ମଧୁସୂଦନଙ୍କ ମନରେ ମୂଳରୁ ଗୋଟାଏ ପ୍ରବଳ ଆକାଂକ୍ଷା ଥିଲା । ଉଚ୍ଚଶିକ୍ଷା ପାଇବା ଲାଗି ମଧୁସୂଦନଙ୍କଠାରୁ ଏହି ସବୁ ଯୁକ୍ତି ଶୁଣି ଚୌଧୁରୀ ରଘୁନାଥ ଦାସଙ୍କ କ୍ରୋଧର ସୀମା ରହିଲା ନାହିଁ । କଲିକତା ଯାଇ ପଢ଼ିବା ଲାଗି ଟଙ୍କା ପଇସା ପାଇବାର କୌଣସି ଉପାୟ ନ ଦେଖି ମଧୁସୂଦନଙ୍କୁ ଶେଷରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ସାମୟିକ ଭାବରେ ତୃତୀୟ ଶିକ୍ଷକଭାବରେ କାର୍ଯ୍ୟ କରିବାକୁ ପଡ଼ିଥିଲା । ମାତ୍ର ସେଠାରେ ଅଳ୍ପଦିନ କାର୍ଯ୍ୟ କରିବା ପରେ ସେ ବାଲେଶ୍ୱର ଛାଡ଼ି କଲିକତା ଚାଲିଯିବାକୁ ସ୍ଥିର କରିଥିଲେ ।

 

ସତକୁ ସତ ଦିନେ ଚାନ୍ଦବାଲି ବନ୍ଦରରୁ କଲିକତାଗାମୀ ଗୋଟାଏ ଷ୍ଟିମରରେ ବସି ଦିନକ ପରେ ମଧୁସୂଦନ ଯାଇ କଲିକତାରେ ପହଞ୍ଚିଲେ । କିନ୍ତୁ ଜବ୍ ଚାର୍ଣ୍ଣକ୍‍ଙ୍କ କଲିକତା ସହର ସେହି ପ୍ରଥମ ପରିଚୟରେ ତରୁଣ ମଧୁସୂଦନଙ୍କୁ ଗୋଟାଏ ଦୂରଧିଗମ୍ୟ ଅରଣ୍ୟ ପରି ବୋଧ ହୋଇଥିଲା । ହାତରେ ଅଳ୍ପ ଯାହା କିଛି ପଇସା ଥିଲା, ତାହା ବି ଆସି ଦିନ କେଇଟାରେ ଶେଷ ହୋଇଗଲା । କଲେଜରେ ନାମ ଲେଖାଇବା ଲାଗି ପଇସାର ଅଭାବ ! ତେଣୁ ଫ୍ରି-ଷ୍ଟୁଡେଣ୍ଟ୍ ହିସାବରେ ଯଦି କେଉଁ କଲେଜରେ ସୁବିଧା ମିଳିପାରେ, ତାରି ସନ୍ଧାନରେ ଭୋକିଲା ପେଟ ଆଉ ଅବଶ ଦେହଟାକୁ ନେଇ କଲିକତାର ଗଳିକନ୍ଦିରେ ବେଶ୍ କିଛିଦିନ ବୃଥାରେ ବୁଲାବୁଲି କରିବା ପରେ, ଶେଷରେ ଦିନେ ଆସି ମଧୁସୂଦନ ଭବାନୀପୁରର ଲଣ୍ଡନ୍ ମିସନ୍ ସୋସାଇଟି କଲେଜରେ ପହଞ୍ଚିଥିଲେ । କଲେଜ ସୁପରିଣ୍ଟେଣ୍ଡେଣ୍ଟ୍ ରେଭରେଣ୍ଡ ଜେ. ପି. ଆଷ୍ଟନ୍ ମଧୁସୂଦନଙ୍କଠାରୁ ତାଙ୍କର ଦୂରବସ୍ଥାର କାହାଣୀ ଶୁଣି ତାଙ୍କ କଲେଜରେ ତାଙ୍କୁ ଗ୍ରହଣ କରିବାକୁ ଖାଲି ଯେ ରାଜି ହୋଇଗଲେ ସେତିକି ନୁହେଁ, ପାଠପଢ଼ା ଖର୍ଚ୍ଚ ତୁଲେଇବା ପାଇଁ ମାସିକ ସାତଟଙ୍କା ହିସାବରେ ମଧୁସୂଦନଙ୍କୁ ଷ୍ଟାଇପେଣ୍ଡ ମିଳିବାର ବନ୍ଦୋବସ୍ତ ମଧ୍ୟ କରିଥିଲେ ।

 

କଲିକତାରେ ‘ୟଙ୍ଗ୍ ବେଙ୍ଗଲ’ ଗୋଷ୍ଠୀ ସେତେବେଳକୁ ଖ୍ରୀଷ୍ଟଧର୍ମ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ିଥିଲା । ଘୁଣଧରା ହିନ୍ଦୁ ସମାଜର ନାନା ବିଧିନିଷେଧ ଆଉ କ୍ରିୟା-କର୍ମର ଆବର୍ତ୍ତ ମଧ୍ୟରେ ରୁଦ୍ଧଶ୍ୱାସ ଶିକ୍ଷିତ ଯୁବ-ଚେତନାରେ ଖ୍ରୀଷ୍ଟଧର୍ମ ସେତେବେଳକୁ ପ୍ରଗତି ଓ ପରିବର୍ତ୍ତର ଏକ ଅଲଙ୍ଘନୀୟ ଆକର୍ଷଣ ସୃଷ୍ଟିକରି ସାରିଥିଲା । ମଧୁସୂଦନ ମଧ୍ୟଯୁଗର ଏହି ଦୁର୍ବାର ପ୍ରଭାବରୁ ବେଶି ଦିନ ମୁକ୍ତ ରହି ପାରି ନଥିଲେ । ଶେଷରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ସ୍ଥିର କରି, ବାଇବେଲ କ୍ଲାସରେ ଯୋଗଦେବା ପାଇଁ ସେ ରେଭରେଣ୍ଡ୍ ଆଷ୍ଟନ୍‍ଙ୍କର ଅନୁମତି ଲୋଡ଼ିଲେ । ମାତ୍ର ଧର୍ମ ପରିବର୍ତ୍ତନ ଲାଗି ପିତାଙ୍କୁ ପତ୍ର ଲେଖି ତାଙ୍କଠାରୁ ଅନୁମତି ନ ଆଣିବା ପର୍ଯ୍ୟନ୍ତ ତାଙ୍କର ବ୍ୟକ୍ତିଗତ ଅନୁରୋଧ ରକ୍ଷା କରାଯାଇ ପାରିବ ନାହିଁ ବୋଲି ରେଭରେଣ୍ଡ୍ ଆଷ୍ଟନ୍ ମଧୁସୂଦନଙ୍କୁ ଖୋଲାଖୋଲିଭାବରେ ଜଣାଇ ଦେଇଥିଲେ ।

 

ସତ୍ୟଭାମାପୁରର ଚଉଧୁରୀ ପରିବାର ଥିଲା ଗୋଟିଏ ରକ୍ଷଣଶୀଳ ହିନ୍ଦୁ ପରିବାର । ହିନ୍ଦୁମାନଙ୍କ ଦୃଷ୍ଟିରେ ଖ୍ରୀଷ୍ଟିଆନମାନେ ସେତେବେଳେ ଥିଲେ ଅସ୍ପୃଶ୍ୟ ଆଉ ଅଧମ ସମ୍ପ୍ରାଦୟର ଲୋକ । ଚଉଧୁରୀ ପରିବାରର ସଂସ୍କାର ଭିତରେ ଜନ୍ମ ହୋଇ, ସେହି ପରିବାରର କେହି ଯେ କେବେ ଖ୍ରୀଷ୍ଟିଆନ୍ ହେବାଲାଗି ଦିନେ ମନ ବଳେଇପାରେ, ଏ ଚିନ୍ତା କେହି କେବେ ସ୍ୱପ୍ନରେ ସୁଦ୍ଧା କରିନଥିଲା । ଏପରି ଅବସ୍ଥାରେ ପୁଅର ଧର୍ମ ପରିବର୍ତ୍ତନ ଅଭିଳାଷ ଜାଣିବା ମାତ୍ରେ ଚଉଧୁରୀ ରଘୁନାଥଙ୍କ ମୁଣ୍ଡରେ ସତେ ଅବା ବଜ୍ର ପଡ଼ିଲା । ପୁଅକୁ କଲିକତାରୁ ଫେରାଇ ଆଣିବା ଲାଗି ଚଉଧୁରୀ ରଘୁନାଥ ଦାସେ ସାଙ୍ଗେ ସାଙ୍ଗେ ଘରୁ ବାହାରିପଡ଼ିଲେ । କଲିକତାରେ ପହଞ୍ଚି ପୁଅକୁ ଦେଖିବା ମାତ୍ରେ ରଘୁନାଥ ଚଉଧୁରୀ ପରିଷ୍କାରଭାବରେ ଜଣାଇଦେଲେ ଯେ, ସେ ଯଦି କଲେଜରୁ ନାଁ କଟେଇ ତାଙ୍କ ସଙ୍ଗରେ ତତ୍‍କ୍ଷଣାତ୍ ଘରକୁ ନ ଚାଲନ୍ତି ଓ ଧର୍ମାନ୍ତରିତ ହେବାର ଉଦ୍ଦେଶ୍ୟ ପରିହାର ନ କରନ୍ତି, ତେବେ ସେ ତାଙ୍କୁ ତ୍ୟାଜ୍ୟପୁତ୍ର କରିଦେବେ ଏବଂ ଉତ୍ତରାଧିକାରରୁ ମଧ୍ୟ ବଞ୍ଚିତ କରିଦେବେ । ପିତାଙ୍କର ଏ ପ୍ରକାର ଭୀତି ପ୍ରଦର୍ଶନ କିନ୍ତୁ ମଧୁସୂଦନଙ୍କୁ ଭୟଭୀତ ବା ବିଚଳିତ କରିପାରି ନଥିଲା । ସେ ପୂର୍ବପରି ନିଜର ଉଦ୍ଦେଶ୍ୟରେ ଅଟଳ ରହିଥିଲେ । ପିତା ଓ ପୁତ୍ରର ଏହି ବିଚାର-ସଂଘାତ ରଘୁନାଥ ଚଉଧୁରୀଙ୍କୁ ଧୈର୍ଯ୍ୟଚ୍ୟୁତ କରିପକାଇଲା । କ୍ରୋଧ, ବିରକ୍ତି ଓ ହତାଶା ଜର୍ଜ୍ଜରିତ ଚଉଧୁରୀ ରଘୁନାଥ ଦାସେ ଶେଷକୁ ମଧୁସୂଦନଙ୍କୁ ତ୍ୟାଜ୍ୟପୁତ୍ର କରି କ୍ରୋଧ ଆଉ ଅପମାନରେ ଘରକୁ ଫେରିଲେ ।

 

ତାଙ୍କୁ ତ୍ୟାଜ୍ୟପୁତ୍ର କଲେ ବୋଲି ତାଙ୍କରି ମୁହଁ ଉପରେ ପିତା ରଘୁନାଥ ଚଉଧୁରୀ ଆଜି କହିଦେଇଗଲେ ସିନା, କିନ୍ତୁ ମଧୁସୂଦନ ଏହି ଘଟଣାର ବହୁ ପୂର୍ବରୁ ସ୍ଥିର କରିସାରିଥିଲେ ଯେ, ଗ୍ରାଜୁଏଟ୍ ନ ହେବାଯାଏ ସେ କେବେହେଲେ ଓଡ଼ିଶାକୁ ଫେରିବେ ନାହିଁ, କି ଜନ୍ମସ୍ଥାନ ସତ୍ୟଭାମାପୁରକୁ ମଧ୍ୟ ଫେରିବେ ନାହିଁ । 1870 ମସିହାରେ କଲିକତା ବିଶ୍ୱବିଦ୍ୟାଳରୁ ବି. ଏ. ପାସ୍ କରି ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ହେବାର ଅଭିଳାଷ ପୂରଣ କରିବା ପରେ, ନିଜର ପୂର୍ବ ସିଦ୍ଧାନ୍ତ ଅନୁଯାୟୀ ମଧୁସୂଦନ ନିଜ ଗ୍ରାମକୁ ଫେରିଥିଲେ; ମାତ୍ର ସେତେବେଳକୁ ସେ ଖ୍ରୀଷ୍ଟିଆନ୍ ହୋଇସାରିଥିବାରୁ ନିଜ ଗ୍ରାମକୁ ଗଲେ ସୁଦ୍ଧା, ନିଜ ଘରେ କିନ୍ତୁ ପଶିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହୋଇନଥିଲା । ପୁଅ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ୍ ହୋଇ ଯାଇଥିଲେ ମଧ୍ୟ ମଧୁସୂଦନଙ୍କ ପ୍ରତି ତାଙ୍କ ମାତା ପାର୍ବତୀ ଦେଈଙ୍କର ସ୍ନେହଶ୍ରଦ୍ଧା କିନ୍ତୁ ପୂର୍ବପରି ଅତୁଟ ରହିଥିଲା । ଏସବୁ ସତ୍ତ୍ୱେ ବିଧର୍ମୀ ପୁଅର ଛାୟାପାତରେ ଘର କଳୁଷିତ ହୋଇଯିବା ଭୟରେ ପାର୍ବତୀ ଦେବୀ ମଧୁସୂଦନଙ୍କୁ ଘର ଭିତରକୁ ଡାକିନେଇପାରି ନଥିଲେ । ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ନିଜ ପ୍ରିୟ ପୁତ୍ରକୁ ଦାଣ୍ଡପିଣ୍ଡାଟାରେ ଅଚ୍ଛବ ପତିତ ଲୋକଟା ପରି ବସେଇ, କଦଳୀ ପତ୍ରରେ ଭାତ ପରଷିବାବେଳେ, ପାର୍ବତୀ ଦେଈଙ୍କ ଛାତି ଦୁଃଖରେ କରତି ହୋଇ ପଡ଼ୁଥାଏ । ଖାଲି ସେତିକିରେ ବି ଏ ଦୁଃଖର ଶେଷ ହୋଇନଥିଲା । ଖୀରସ୍ତାନ ସ୍ପର୍ଶଦୋଷରୁ ଶୁଦ୍ଧ ହେବାଲାଗି ଘରଦ୍ୱାରକୁ ଗୋବର ପାଣିରେ ଲିପି ପାର୍ବତୀ ଦେଈଙ୍କୁ ପୁଣି ରସକୁଣ୍ଡ ପୋଖରୀରେ ବୁଡ଼ ପକେଇବାକୁ ପଡ଼ିଥିଲା । ନିଷ୍ଠୁର ବାସ୍ତବର ଏହି ଦାରୁଣ ଆଘାତ ମଧ୍ୟରେ ମଧୁସୂଦନ ମାତା ପାର୍ବତୀ ଦେଈଙ୍କଠାରୁ ବିଦାୟ ନେଇ ପୁଣି କଲିକତା ଫେରିଯାଇଥିଲେ-। ଇଂ 1873 ମସିହାରେ ସେ ଏମ୍. ଏ. ପାସ୍ କରବା ପରେ ସୌଦାମିନୀ ନାମ୍ନୀ ଏକ ବଙ୍ଗୀୟ ଖ୍ରୀଷ୍ଟୀୟାନ ପାଦ୍ରୀଙ୍କର କନ୍ୟାକୁ ବିବାହ କରିଥିଲେ ।

 

(ଗ)

 

ଓଡ଼ିଶାର ସର୍ବପ୍ରଥମ ଗ୍ରାଜୁଏଟ୍ ଓ ସର୍ବପ୍ରଥମ ଏମ୍. ଏ. ହେବା ପାଇଁ ମଧୁସୂଦନଙ୍କର ବହୁକାଳର ବାସନା ଏବେ ପୂରଣ ହୋଇଯିବା ପରେ ସର୍ବସାଧାରଣ କାର୍ଯ୍ୟରେ ଲାଗିପଡ଼ିବା ପାଇଁ ତାଙ୍କର ମନ ଚାହୁଁଥିଲେ ମଧ୍ୟ ନିଜର ବୈବାହିକ ଜୀବନ କିନ୍ତୁ ତାଙ୍କ ସାମନାରେ ଏକ ନୂତନ ଦାୟିତ୍ୱର ସୃଷ୍ଟି କରିବସିଲା । କୌଣସି ସାଧାରଣ କାର୍ଯ୍ୟରେ ନିଜକୁ ଜଡ଼ିତ କରିବା ପୂର୍ବରୁ ସେ ତେଣୁ ଜୀବିକାର୍ଜନର କୌଣସି ପନ୍ଥା ନିର୍ଦ୍ଧାରଣ କରିବାକୁ ସ୍ଥିର କରିନେଲେ । ତାଙ୍କର ଚରିତ୍ରବର୍ତ୍ତା ଓ କର୍ମନିଷ୍ଠ ବହୁପୂର୍ବରୁ ରେଭରେଣ୍ଡ୍ ଆଷ୍ଟନ୍‍ଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲା । ସମୟ ଓ ସୁବିଧା ଦେଖି ମଧୁସୂଦନଙ୍କୁ ଗୋଟିଏ ମିସନାରୀ କରିବା ପାଇଁ ସେ ପୂର୍ବରୁ ମନେ ମନେ ସ୍ଥିର କରି ସାରିଥିଲେ । ଏହି ଉଦ୍ଦେଶ୍ୟରେ କଥାବାର୍ତ୍ତା କରିବା ଲାଗି ଦିନେ ରେଭରେଣ୍ଡ୍ ଆଷ୍ଟନ୍‍ ମଧୁସୂଦନଙ୍କୁ ପାଖକୁ ଡକେଇ ପଠାଇଲେ ।

 

ଅପ୍ରତ୍ୟାଶିତ ଏ ପ୍ରସ୍ତାବଟା ଆଷ୍ଟନ୍‍ଙ୍କଠାରୁ ଶୁଣିବା ମାତ୍ରେ ମଧୁସୂଦନ ପଚାରିଲେ... ‘‘କିନ୍ତୁ କି ପ୍ରକାର ମିସନାରୀ ହେବାପାଇଁ ଆପଣ ମତେ ଆଶା କରୁଛନ୍ତି ?’’

 

ରେଭରେଣ୍ଡ ଆଷ୍ଟନ୍ ବିସ୍ମିତକଣ୍ଠରେ ଉତ୍ତର ଦେଲେ...‘‘କି ପ୍ରକାର ମିସନାରୀ କଣ ? ମିସନାରୀ ତ ଗୋଟିଏ ପ୍ରକାର ହୁଅନ୍ତି । ସେମାନଙ୍କ କର୍ତ୍ତବ୍ୟ ହେଲା, ଗୀର୍ଜା ଦାୟିତ୍ୱରେ ରହି ଧର୍ମପ୍ରଚାର କରିବା; ଅନ୍ୟମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇବା ।’’

 

ମଧୁସୂଦନ ସ୍ଥିରକଣ୍ଠରେ ଜବାବ ଦେଲେ...‘‘କିନ୍ତୁ ଦୁଇ ଶ୍ରେଣୀର ମିସନାରୀ ଅଛନ୍ତି ଫାଦର୍ ! ସେଥିରୁ ଗୋଟିଏ ଶ୍ରେଣୀର ମିସନାରୀ କୌଣସି ପ୍ରକାର ଆର୍ଥିକ ପ୍ରତ୍ୟାଶା ନ ରଖି, ଗ୍ରାମରୁ ଗ୍ରାମାନ୍ତର ପାଦରେ ବୁଲି ବୁଲି, ଶତ୍ରୁମିତ୍ର ନିର୍ବିଶେଷରେ ସମସ୍ତଙ୍କ ନିକଟରେ ପ୍ରଭୁ ଯୀଶୁଙ୍କ ବାଣୀ ପ୍ରଚାର କରିଥାନ୍ତି ଓ ନିଜର ଜୀବନଚର୍ଯ୍ୟାରେ ମଧ୍ୟ ତାହାର ଅନୁଶୀଳନ କରିଥାନ୍ତି, କିନ୍ତୁ ଆପଣଙ୍କ ପରି ଅନ୍ୟ ଏକ ଶ୍ରେଣୀର ମିସନାରୀ ମଧ୍ୟ ଅଛନ୍ତି, ଯେଉଁମାନେ ମାସକୁ ମାସ ମୋଟା ଦରମା, ମିସନ୍ ପକ୍ଷରୁ ବିନା ମୂଲ୍ୟରେ ସବୁ ପ୍ରକାର ସୁଖ-ସ୍ୱାଚ୍ଛନ୍ଦ୍ୟର ବିନିମୟରେ ଖ୍ରୀଷ୍ଟଧର୍ମ ପ୍ରଚାରର ପ୍ରହସନ କରିଥାନ୍ତି । ପ୍ରଥମୋକ୍ତ ଶ୍ରେଣୀର ମିସନାରୀ ହେବାରେ ଆପତ୍ତି ନଥିଲେ ମଧ୍ୟ, ସେଥିପାଇଁ କିନ୍ତୁ ମୋର ପରିସ୍ଥିତି ବର୍ତ୍ତମାନ ଅନୁକୂଳ ନୁହେଁ ।’’ ବ୍ୟକ୍ତିଗତ ଆକ୍ଷେପର ଅଗ୍ନିଜ୍ୱାଳାରେ ରେଭରେଣ୍ଡ ଆଷ୍ଟନ୍ ହଠାତ୍ ବିସ୍ଫୋରଣ କରି ଉଠିଲେ, ...Get out you Satan’’ ! (ଦୂର ହୁଅ ସଇତାନ !)

 

ମଧୁସୂଦନ ଅତ୍ୟନ୍ତ ବିନମ୍ରଭାବରେ ରେଭରେଣ୍ଡ ଆଷ୍ଟନ୍‍ଙ୍କୁ ବିଦାୟ ଅଭିବାଦନ ଜଣାଇ ବାହାରକୁ ଆସିବାବେଳେ କହିଲେ...‘‘ମୁଁ ଯାଉଛି ଫାଦର୍ ! କିନ୍ତୁ ମୁଁ ଏତିକି କହିଯାଉଛି ଯେ, ଏମିତି ଦିନ ନିଶ୍ଚୟ ଆସିବ, ଯେତେବେଳେ ଆପଣ ଏହି ସଇତାନ୍‍ଙ୍କୁ ପାଖକୁ ଡାକି ପୁଣି ଭିନ୍ନଭାବରେ ସମ୍ୱର୍ଦ୍ଧନା କରିବେ ।’’

 

ନିଜେ ଖ୍ରୀଷ୍ଟାନ୍ ଧର୍ମ ଗ୍ରହଣ କରିଥିଲେ ମଧ୍ୟ, ଯୀଶୁଙ୍କର ଉଦାର ମାନବିକତାକୁ ନିଜର ଜୀବନଚର୍ଯ୍ୟାରେ ପରିପାଳନ ନ କରି, ଯେଉଁମାନେ କେବଳ ବ୍ୟାବସାୟିକ ମନୋବୃତ୍ତି ନେଇ ପାଦ୍ରୀ-ଭେକ ଧାରଣ କରିଥିଲେ, ସେମାନଙ୍କୁ ମଧୁସୂଦନ ଯଥାର୍ଥରେ ଖ୍ରୀଷ୍ଟିଆନ୍ ନ କହି ‘ଚର୍ଚ୍ଚିଆନ୍’ ବୋଲି କହୁଥିଲେ ।

 

ଶ୍ରୀରାମପୁର ମିସନାରୀ କଲେଜରେ ଗୋଟିଏ ଅଧ୍ୟାପକ ଚାକିରି ସେତେବେଳେ ଖାଲି ପଡ଼ିଥିବାର ବିଜ୍ଞାପନ ଦେଖି, ମଧୁସୂଦନ ଆସି ସେ କଲେଜର ପ୍ରିନ୍ସପାଲ ରେଭରେଣ୍ଡ ଲଙ୍ଗ୍‍ଙ୍କ ସହିତ ସାକ୍ଷାତ କଲେ । ଏ ମହାଶୟ ମଧ୍ୟ ଥିଲେ ଜଣେ ମିସନାରୀ । ମଧୁସୂଦନଙ୍କ ଏମ୍. ଏ. ପାସ୍ ସାର୍ଟିଫିକେଟ୍‍ଟା ଆଦ୍ୟପ୍ରାନ୍ତ କେଇ ବାର ପରୀକ୍ଷା କରିନେବା ପରେ ପ୍ରିନ୍ସପାଲ ପଚାରିଲେ, ‘‘କୌଣସି ପରିଚୟପତ୍ର ତୁମେ ସାଙ୍ଗରେ ଆଣିଛ କି ?’’ ମଧୁସୂଦନ ବିନୀତ କଣ୍ଠରେ ଉତ୍ତର ଦେଲେ, ସେ’ ବିଜ୍ଞାପନ ପଢ଼ି ଜାଣିଥିଲେ ଯେ କଲେଜର ଜଣେ ଅଧ୍ୟାପକ ଦରକାର; କିନ୍ତୁ କୌଣସି ପରିଚୟପତ୍ରର ଆବଶ୍ୟକତା ଥିବା ଜାଣିଥିଲେ, ସେ ସେଥିରୁ ଅନ୍ତତଃ ପୂରା ଝୁଡ଼ିଟାଏ ସାଙ୍ଗରେ ଧରି ଆସିପାରିଥାନ୍ତେ । ସେ ପୁଣି ପ୍ରିନ୍ସପାଲଙ୍କୁ ଶୁଣାଇ ଦେଲେ ଯେ, ସେ ନିଜେ ହେଉଛନ୍ତି ନିଜର ଇଣ୍ଟ୍ରୋଡ଼କ୍ସନ ଲେଟର ବା ପରିଚୟପତ୍ର । ପ୍ରିନ୍ସପାଲ ଯଦି ଏଥିରେ ସନ୍ତୁଷ୍ଟ ହୋଇପାରୁ ନ ଥାନ୍ତି, ତେବେ ନିଜେ ତାଙ୍କୁ ପରୀକ୍ଷା କରି ଦେଖିପାରନ୍ତି ।

 

ତା’ପରେ ପ୍ରିନ୍ସପାଲ ରେଭରେଣ୍ଡ ଲଙ୍ଗ୍ ମଧୁସୂଦନଙ୍କୁ କଲେଜର ବିଭିନ୍ନ ଶ୍ରେଣୀକୁ ନେଇ ସେକ୍ସପିଅରିଆନ୍ ଟ୍ରାଜେଡ଼ିଠାରୁ ଆରମ୍ଭ କରି ଇଉକ୍ଲିଡ଼୍ ଜ୍ୟାମିତି ଯାଏ ବିଭିନ୍ନ ବିଷୟରେ ପଢ଼େଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରୀକ୍ଷାରେ ପ୍ରିନ୍ସପାଲ ମଧୁସୂଦନଙ୍କ ପାଣ୍ଡିତ୍ୟରେ ଏପରି ମୁଗ୍ଧ ହୋଇଯାଇଥିଲେ ଯେ, ତତ୍‍କ୍ଷଣାତ୍ ତାଙ୍କୁ ନିଯୁକ୍ତିପତ୍ର ଦେବାକୁ ସେ ସମ୍ମତ ବୋଲି ଜଣାଇଦେଲେ; କିନ୍ତୁ ପ୍ରିନ୍ସପାଲ ମହାଶୟ ମାସିକ କେତେ ପରିମାଣ ବେତନ ତାଙ୍କୁ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧୁସୂଦନ ପଚାରିବାରେ, ପ୍ରିନ୍ସପାଲ ଯାହା କହିଲେ, ସେଥିରେ ମଧୁସୂଦନଙ୍କର ମନ ମାନିଲା ନାହିଁ । ତେଣୁ ସେହି ଦରମାରେ ଅନ୍ୟତ୍ର ବରଂ ଅଧ୍ୟାପକଟିଏ ଅନୁସନ୍ଧାନ କରିବାକୁ ପ୍ରିନ୍ସପାଲଙ୍କୁ ଶୁଣେଇ ଦେଇ ମଧୁସୂଦନ ସେଠା ଛାଡ଼ି ଚାଲିଗଲେ । ମାସକୁ ଦୁଇଶହ ଟଙ୍କାର ଚାକିରିଟା ମୁହଁରେ ଗୋଇଠା ମାରି ସେ ଚାଲିଗଲେ ସିନା; କିନ୍ତୁ ପରିବାର ପୋଷଣ ପାଇଁ ଅନ୍ୟ କେଉଁଠି ଚାକିରି ଖଣ୍ଡେ ଯୋଗାଡ଼ କରିବା ସେ ସମୟରେ ତାଙ୍କର ପ୍ରଧାନ ଚିନ୍ତା ଥିଲା ।

 

ଚାକିରି ସନ୍ଧାନରେ କେତେଦିନ କଟେଇବା ପରେ ଶେଷକୁ ସେ ଗାର୍ଡ଼ନ୍‍ରିଚ୍‍ ହାଇସ୍କୁଲର ପ୍ରଧାନ ଶିକ୍ଷକରୂପେ ନିଯୁକ୍ତି ପାଇଗଲେ । ଏହି ଚାକିରି କରୁଥିବା ସମୟରେ ସେ କଲିକତା ବିଶ୍ୱବିଦ୍ୟାଳର ଆଇନ୍ କଲେଜରେ ନାମ ଲେଖାଇ ଯଥା ସମୟରେ ଆଇନ ଉପାଧି ଲାଭ କରି ଓଡ଼ିଶାର ସର୍ବପ୍ରଥମ ଆଡ଼ଭୋକେଟ୍ ହୋଇ ପାରିଥିଲେ ।

 

ଆଇନ କଲେଜରେ ପଢ଼ୁଥିବା କାଳରେ ମଧୁସୂଦନ ଆଶୁତୋଷ ମୁଖାର୍ଜୀଙ୍କର ଗୃହଶିକ୍ଷକ ଥିଲେ । ମଧୁସୂଦନଙ୍କର ସେଦିନର ଛାତ୍ର ସେହି ଆଶୁତୋଷ ଭବିଷ୍ୟତ ଜୀବନରେ ଦିନେ କଲିକତା ହାଇକୋର୍ଟର ଜଣେ ଜଜ୍ ଓ କଲିକତା ବିଶ୍ୱବିଦ୍ୟାଳର ଭାଇସ୍-ଚାନ୍ସେଲର ହେବାର ଗୌରବ ଅର୍ଜନ କରିପାରିଥିଲେ । ଗଣିତବିଦ୍ୟାରେ ପାରଦର୍ଶୀ ଥିଲେ ମଧ୍ୟ, ଆଶୁତୋଷ ଇଂରାଜୀ ସାହିତ୍ୟରେ ଦୁର୍ବଳ ଥିବାରୁ ମଧୁସୂଦନ ତାଙ୍କୁ ସେହି ବିଷୟଟି ପଢ଼ାଉଥିଲେ । ପରବର୍ତ୍ତୀକାଳରେ ଆଶୁତୋଷ ବରାବର ମଧୁସୂଦନଙ୍କୁ ନିଜର ଗୁରୁ ବୋଲି ସର୍ବସାଧାରଣରେ ସ୍ୱୀକାର କରୁଥିଲେ ଓ ସମ୍ମାନର ଚକ୍ଷୁରେ ତାଙ୍କୁ ସବୁବେଳେ ଦେଖୁଥିଲେ । ନିଜର ସମ୍ମାନନୀୟ ଗୁରୁ ସେହି ମଧୁସୂଦନଙ୍କ ପ୍ରେରଣାରେ ଆଶୁତୋଷ ରାଜନୀତିରେ ଯୋଗଦେଇଥିଲେ । ସାର୍ ଆଶୁତୋଷଙ୍କର ଆତ୍ମଚରିତ ଲେଖକ ଏ ସମ୍ପର୍କରେ ଲେଖିଛନ୍ତି—‘‘1924 ମସିହା ଜାନୁଆରୀ ମାସ 3 ତାରିଖ ଦିନ ତାଙ୍କର ଗୃହଶିକ୍ଷକ ମଧୁସୂଦନ ଦାସ ରାଜନୀତିରେ ଯୋଗଦେବାର ଏକାନ୍ତ ଆବଶ୍ୟକତା ବିଷୟରେ ଉଲ୍ଲେଖ କରି ଆଶୁତୋଷଙ୍କ ପାଖକୁ ଖଣ୍ଡେ ପତ୍ର ଲେଖିଥିଲେ ।’’

 

ଏ ବିଷୟରେ ଆଶୁତୋଷଙ୍କ ପୁତ୍ର ଶ୍ୟାମପ୍ରସାଦ ମୁଖାର୍ଜୀ ତାଙ୍କର ‘ସ୍ମୃତିକଥା’ରେ ଲେଖିଛନ୍ତି......‘‘ମୋର ପିତା ଥିଲେ ମୋ ଜୀବନର ସର୍ବମୟ ଆଦର୍ଶ । ଏପରି ଅବସ୍ଥାରେ ଶ୍ରୀଯୁକ୍ତ ମଧୁସୂଦନ ଦାସ ମୋର ପିତାଙ୍କର ଛାତ୍ରାବସ୍ଥାରେ ତାଙ୍କର ଗୃହଶିକ୍ଷକ ଥିବାର ଜାଣି ମୂଳରୁ ମୋ ମନରେ ତାଙ୍କ ପ୍ରତି ଏକ ଗଭୀର ଶ୍ରଦ୍ଧା ଓ ସମ୍ମାନର ଆସନ ସୃଷ୍ଟ ହୋଇ ସାରିଥିଲା । ଆମ ପରିବାର ସହିତ ତାଙ୍କର ଯେପରି ଗଭୀର ସମ୍ପର୍କ ରହିଥିଲା, ତାହା ମଧ୍ୟ ମୋର କର୍ଣ୍ଣଗୋଚର ହେବାରେ ଲାଗିଲା । ମୋର ପିତାଙ୍କଠାରୁ ଅନେକ ସମୟରେ ମୁଁ ତାଙ୍କର ବାଲ୍ୟଗୁରୁ ଶ୍ରୀଯୁକ୍ତ ଦାସଙ୍କ କଥା ଶୁଣିବାକୁ ପାଉଥିଲି । ତାଙ୍କ ହୃଦୟରେ ଶ୍ରୀଯୁକ୍ତ ଦାସଙ୍କ ପ୍ରତି କିପରି ଗଭୀର କୃତଜ୍ଞତା ଭରିରହିଥିଲା, ସେ କଥା ତାଙ୍କର ପ୍ରତିଟି କଥାରୁ ମୁଁ ଅନୁଭବ କରି ପାରୁଥିଲି । ମୋର ପିତାଙ୍କଠାରୁ ମୁଁ ବହୁବାର ଶୁଣିଛି ଯେ ମଧୁସୂଦନ ପିଲାଦିନେ ତାଙ୍କୁ ଯେ କେବଳ ଇଂରାଜୀ ପଢ଼ାଉଥିଲେ, ତାହା ନୁହେଁ; ଚରିତ୍ରବତ୍ତା ଓ ସ୍ୱାଧୀନତା-ପ୍ରୟାସ ପ୍ରତ୍ୟେକ ବ୍ୟକ୍ତିର ଶ୍ରେଷ୍ଠ ଆଦର୍ଶ ହେବା ଉଚିତ ବୋଲି ସେ ସବୁବେଳେ ତାଙ୍କୁ ଶିକ୍ଷା ଦେଉଥିଲେ । ଶ୍ରୀଯୁକ୍ତ ଦାସଙ୍କର ବ୍ୟକ୍ତିତ୍ୱର ଗଭୀରପ୍ରଭାବ ଗୁରୁ ଛାତ୍ର ସମ୍ପର୍କକୁ ଏପରି ମଧୁର ଓ ବିଶ୍ୱାସପୂର୍ଣ୍ଣ ବନ୍ଧନରେ ବାନ୍ଧି ରଖିପାରିଥିଲା ଯେ, ସମୟ ଓ ପରିସ୍ଥିତିର ସମସ୍ତ ପରିବର୍ତ୍ତନ ସତ୍ତ୍ୱେ, ଜୀବନର ଶେଷାବଧି ଉଭୟଙ୍କ ମଧ୍ୟରେ ଥିବା ପୂର୍ବସମ୍ପର୍କ କେବେହେଲେ ମ୍ଲାନ ବା ଶିଥିଳ ହୋଇ ନଥିଲା ।’’

 

ଆଇନ ପରୀକ୍ଷାରେ ପାସ୍ କରିବା ପରେ ମଧୁସୂଦନ ଆଲିପୁରର ତଳ କୋର୍ଟରେ ଜଣେ ଆଡ଼ଭୋକେଟ୍ ଭାବରେ ଓକିଲାତି ବ୍ୟବସାୟ ଆରମ୍ଭ କରିଦେଇ ଥିଲେ; କିନ୍ତୁ ଏହା ମଧ୍ୟରେ ତାଙ୍କର ସ୍ତ୍ରୀ ବିୟୋଗ ଘଟିଯିବାରୁ କଲିକତା ପ୍ରତି ପୂର୍ବରୁ ଥିବା ସମସ୍ତ ଆକର୍ଷଣ ବର୍ତ୍ତମାନ ତାଙ୍କ ମନରୁ କ୍ରମେ ଦୂର ହୋଇଯିବାରେ ଲାଗିଲା ।

 

ଦୀର୍ଘ 15 ବର୍ଷ ପରେ ମଧୁସୂଦନ ବର୍ତ୍ତମାନ କଟକ ଫେରିଗଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବି. ଏ., ପ୍ରଥମ ଏମ୍. ଏ. ଓ ପ୍ରଥମ ଆଡ଼ଭୋକେଟ୍ । ଓଡ଼ିଶାର ତତ୍କାଳୀନ ଅବସ୍ଥାରେ ଜଣେ ଓଡ଼ିଆ ହୋଇ ସୁଦ୍ଧା ଏହି ଅନନ୍ୟସାଧାରଣ ଗୌରବ ଅର୍ଜନ କରିପାରିଥିବା ହେତୁ, ତାଙ୍କୁ ସ୍ୱାଗତ କରିବା ନିମନ୍ତେ କଟକରେ ସେଦିନ କିନ୍ତୁ କୌଣସି ସମ୍ୱର୍ଦ୍ଧନା ସଭା ଆଦୂତ ହେବାର ପ୍ରଶ୍ନ ଉଠି ନ ଥିଲା । ଖ୍ରୀଷ୍ଟିଆନ ହୋଇଯିବା ପରଠାରୁ ଓଡ଼ିଶାରେ ସମସ୍ତେ ତାଙ୍କୁ ପ୍ରକୃତରେ ଭୁଲି ଯାଇଥିଲେ ଯେମିତି !

 

ହିନ୍ଦୁ ଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ମଧୁସୂଦନଙ୍କ ଚରିତ୍ରରେ ଧର୍ମୀୟ ସଂକୀର୍ଣ୍ଣତାର ଲେଶମାତ୍ର ସ୍ପର୍ଶ ନଥିଲା । ତତ୍କାଳୀନ କଟକର ଖ୍ରୀଷ୍ଟିଆନ୍ ସମାଜରେ ଜଣେ ମୁଖ୍ୟବ୍ୟକ୍ତି ଥିବା ସ୍ୱର୍ଗତ ଜୋନାଥନ୍ ମହାନ୍ତିଙ୍କ ବିବରଣୀରୁ ଖ୍ରୀଷ୍ଟଧର୍ମ ସମ୍ପର୍କରେ ମଧୁସୂଦନଙ୍କ ମନୋଭାବ ସହଜରେ ପରିସ୍ଫୁଟ ହେବ—

 

‘‘ନିଜର ନିତିଦିନିଆ ଅଭ୍ୟାସ ଅନୁଯାୟୀ ଦିନେ ସେ କିଲ୍ଲା ମଇଦାନରେ ସାନ୍ଧ୍ୟ ଭ୍ରମଣ କରୁଥିବାବେଳେ, ମୋ ସାଙ୍ଗରେ ତାଙ୍କର ଦେଖା ହୋଇଗଲା । ନାନାଆଡ଼ୁ ନାନା କଥାବାର୍ତ୍ତା ମଝିରେ କଟକର କେଉଁ ଚର୍ଚ୍ଚ ଅଧୀନରେ ତାଙ୍କୁ ରଖାଯାଇଛି ବୋଲି ସେ ମୋତେ ପଚାରିବାରେ ମୁଁ ସେ’ ବିଷୟ ଜାଣେନାହିଁ ବୋଲି ତାଙ୍କୁ କହିଲି । ତା’ପରେ ସେ ମତେ କଲିକତାର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିଷୟରେ ଗୋଟାଏ ଘଟଣା କହିଲେ । କଲିକତାରେ ସେ ଯେଉଁ ଗୀର୍ଜା ସହିତ ସଂପୃକ୍ତ ଥାଆନ୍ତି, ଦିନେ ସେହି ଗୀର୍ଜାର ଜଣେ ସଭ୍ୟ ଅତିମାତ୍ରାରେ ମଦ୍ୟପାନ କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇ ଗୀର୍ଜାର ମୁଖ୍ୟବ୍ୟକ୍ତିମାନଙ୍କ ବିଚାରରେ ଖ୍ରୀଷ୍ଟିଆନ୍ ସମାଜରୁ ବହିଷ୍କୃତ ହେବା ଅବକାଶରେ, ଉପସ୍ଥିତ ବିଚାରକମଣ୍ଡଳୀଙ୍କ ସମକ୍ଷରେ, ସେ ସେମାନଙ୍କ ବିଚାର ପଦ୍ଧତିର ଘୋର ସମାଲୋଚନା କରି କହିଥିଲେ ଯେ, ମଦ୍ୟପାନ ଦୋଷର ଯେଉଁ ଲୋକଟିର ସେଠାରେ ବିଚାର ଚାଲିଥିଲା, ତାହାଠାରୁ ଅଧିକ ମଦ୍ୟପାନ କରି ସମ୍ପୂର୍ଣ୍ଣ ଅଜ୍ଞାନ ହୋଇପଡ଼ିଥିବା ଅବସ୍ଥାରେ ସେ ବହୁତ ପାଦ୍ରୀଙ୍କୁ ମଧ୍ୟ ନିଜ ଆଖିରେ ଦେଖିଛନ୍ତି । ତେଣୁ ତାଙ୍କ ମତରେ ଗୀର୍ଜାର ଛାତତଳେ ବିଚାରାଳୟର ଏ ପ୍ରହସନ ନ କରି, ବ୍ୟାଧିତ ଆତ୍ମାକୁ ଏଠାରେ ଧର୍ମର ସ୍ନିଗ୍ଧ ପ୍ରଲେପ ଦାନରେ ପୁନରୁଜ୍ଜୀବିତ କରିବା ଅଧିକ ସମୀଚୀନ ହେବ । ସେଦିନର ସେହି ଘଟଣା ପରଠାରୁ ମଧୁସୂଦନ କଲିକତାର ସବୁ ଗୀର୍ଜାଠାରୁ ନିଜର ସବୁ ସମ୍ପର୍କ ତୁଟେଇ ଦେଇଥିଲେ ।’’

 

(ଘ)

 

ଯେଉଁ ମଧୁସୂଦନ ଆଇନବିଦ୍ୟାରେ ନିଜର ଅସାଧାରଣ ସଫଳତା ବଳରେ ଉତ୍ତରଜୀବନରେ ଦିନେ ‘ମଧୁବାରିଷ୍ଟର’ ରୂପେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ହୋଇପାରିଥିଲେ, ସେ କିନ୍ତୁ ପ୍ରଥମେ ଆସି କଟକରେ ଓକିଲାତି କରିବାବେଳକୁ, ଏଠାରେ ସେ ହୋଇପଡ଼ିଥିଲେ ସମ୍ପୂର୍ଣ୍ଣ ଅଜ୍ଞାତ ଆଉ ଅପରିଚିତ ଜଣେ ସାଧାରଣ ଓକିଲ । ସେତେବେଳେ କଟକରେ ଆଇନ-ବ୍ୟବସାୟ ଯେଉଁମାନଙ୍କ ଏକଚାଟିଆ ଅଧିକାରରେ ଥିଲା, ସେମାନେ ସମସ୍ତେ ଥିଲେ ଓଡ଼ିଶା ବାହାରର ଲୋକ । ନବାଗତ ଓଡ଼ିଆ ତରୁଣ ଓକିଲ ମଧୁସୂଦନଙ୍କ ବିରୁଦ୍ଧରେ ସେମାନଙ୍କର ବ୍ୟଙ୍ଗ-ବିଦ୍ରୂପ ସେତେବେଳେ ଏକ ମାମୁଲି ଘଟଣା ହୋଇ ଉଠିଥିଲା । ପୁଣି କଟକର ଆଇନଜୀବୀ ସମାଜରେ ତାଙ୍କୁ ପ୍ରବେଶ କରେଇଦେବାକୁ ମଧ୍ୟ ସେତେବେଳେ ତାଙ୍କର କେହି ନଥିଲେ । ଜଣେ କୃତବିଦ୍ୟ ଓକିଲ ହୋଇ ମଧ୍ୟ, କଟକ ବାର ଲାଇବ୍ରେରୀରେ ବସିବା ଲାଗି ସେ ଖଣ୍ଡେ ଆସନ ପାଇପାରି ନଥିଲେ । କଟକର ତତ୍କାଳୀନ ଡିଷ୍ଟ୍ରିକ୍ଟ ଜର୍ଜ ମି. କକଲାନ୍ ସାହେବଙ୍କ କାନରେ ଏ ଖବର ପଡ଼ିବା ପରେ, ତାଙ୍କରି ଖାସ୍ କାମରାରେ ମଧୁସୂଦନଙ୍କ ଲାଗି ବସିବା ଜାଗା ସେ ନିଜେ ବନ୍ଦୋବସ୍ତ କରି ଦେଇଥିଲେ । ଏସବୁ ଅସୁବିଧାରେ ପଡ଼ି ମଧ୍ୟ ମଧୁସୂଦନ ଦୁଃଖରେ ଭାଙ୍ଗି ପଡ଼ି ନ ଥିଲେ ବା ତିଳେମାତ୍ର ହତୋତ୍ସାହ ହୋଇ ନଥିଲେ; କାରଣ ଓଡ଼ିଆମାନେ ଯେ ଓଡ଼ିଶାରେ ଏହିପରି ଲାଞ୍ଛିତ ଓ ଅବହେଳିତ ହୋଇ ଯୁଗ-ଯୁଗରୁ ରହି ଆସିଛନ୍ତି, ତାହା ସେ ଭଲଭାବରେ ଜାଣିଥିଲେ । ସେଇଥି ଲାଗି ତ, କଲିକତାରେ ଓକିଲାତି କରି ବେଶ୍ ରୋଜଗାର କରୁଥିଲେ ମଧ୍ୟ, ସେ ସବୁ ଛାଡ଼ି ଓଡ଼ିଶାକୁ ଧାଇଁଆସିଥିଲେ ଓଡ଼ିଆମାନଙ୍କ ମଧ୍ୟରେ ନବଜାଗରଣ ଆଣି ସେମାନଙ୍କୁ କର୍ମପ୍ରବଣ କରି ଗଢ଼ିବାକୁ । କଟକ ଆସି ଅଜଣା ଅଶୁଣା ଗୋଟିଏ ଓକିଲ ଭାବରେ କିଛିକାଳ କଟେଇବା ପରେ, ଦିନେ ନିତାନ୍ତ ଆକସ୍ମିକଭାବରେ ତାଙ୍କର ପ୍ରଥମ ମହକିଲ ଆସି ତାଙ୍କ ପାଖରେ ଜୁଟିଥିଲା ।

 

ପୁରୀ ସହରର ଏକ ଧନିକ ମହନ୍ତ ମହାରାଜଙ୍କ ଜଣେ ଲ-ଏଜେଣ୍ଟ୍ ଗୋଟିଏ କେସ୍ ମାମଲାରେ ଦିନେ ଆସି ତାଙ୍କ ପାଖରେ ଜୁଟିଲେ । କିନ୍ତୁ ପ୍ରକୃତରେ କୋର୍ଟରେ ମହନ୍ତଙ୍କ ସପକ୍ଷରେ ଲଢ଼ିବା ଲାଗି ମଧୁସୂଦନଙ୍କ ସାହାଯ୍ୟ ଆଶାରେ ସେ ଆସି ନ ଥିଲେ । କେବଳ ଗୋଟାଏ ଓକାଲତନାମାରେ ତାଙ୍କଠାରୁ ଦସ୍ତଖତଟିଏ ନେବା ଏହି ଏଜେଣ୍ଟଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା । କଟକରେ ଓକିଲାତି କରୁଥିବା ସବୁ ଓକିଲଙ୍କଠାରୁ ଓକାଲତନାମାରେ ଏହିପରିଭାବରେ ଦସ୍ତଖତ ସଂଗ୍ରହ କରିସାରି ସେ ଏଠାକୁ ଆସିଥିଲେ ନବାଗତ ଓଡ଼ିଆ ଓକିଲ ମଧୁସୂଦନଙ୍କଠାରୁ ମଧ୍ୟ ଦସ୍ତଖତଟିଏ ନେଇ ପ୍ରତିବାଦୀ ଦୁଃସ୍ଥ ଚାଷୀଟି ପକ୍ଷରେ କଚେରିରେ ଲଢ଼ିବାକୁ ଯେପରି କୌଣସି ଗୋଟିଏ ହେଲେ ବି ଓକିଲ ନ ମିଳନ୍ତି, ତାହାର ବାଟ କରିବାକୁ । ଏହି ଦସ୍ତଖତଟି ଲାଗି ସେ ମଧ୍ୟ ପୂରା ଫିଜ୍ ଦେବାକୁ ପ୍ରସ୍ତୁତ ବୋଲି ମଧୁସୂଦନଙ୍କୁ ଜଣାଇ ଦେଇଥିଲେ-

 

ଲ-ଏଜେଣ୍ଟ୍‍ଠାରୁ ସବୁକଥା ଶୁଣି ମଧୁସୂଦନ ମହନ୍ତ ମହାରାଜଙ୍କ ଅସଦ୍ ଅଭିପ୍ରାୟ ବୁଝିପାରିଲେ ଏବଂ ଯେତେ ଅଧିକ ପାରିଶ୍ରମିକ ମିଳିଲେ ମଧ୍ୟ ସେ କେବେହେଲେ ମହନ୍ତଙ୍କ ଓକାଲତନାମାରେ ଦସ୍ତଖତ ଦେବେ ନାହିଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ ।

 

କଟକର ସବୁ ଓକିଲଙ୍କ ବିରୁଦ୍ଧରେ ଠିଆହୋଇ, ନିଃସ୍ୱ ପ୍ରତିବାଦୀଟି ସପକ୍ଷରେ ମଧୁସୂଦନ କଚେରିରେ ଲଢ଼ି ଅବଶେଷରେ ଏ ମକଦ୍ଦମାଟି ଜିଣିଲେ । ଫଳରେ ନବାଗତ ଏହି ଓଡ଼ିଆ ଓକିଲଙ୍କ ଖ୍ୟାତି ଚାହୁଁ ଚାହୁଁ ଚାରିଆଡ଼େ ଖେଳିଗଲା । ଗଦାକୁ ଗଦା ନଥି ଆସି ତା’ ପରଠାରୁ ତାଙ୍କ ପାଖରେ ଜମାହୋବକୁ ଲାଗିଲା; କିନ୍ତୁ ସାଫଲ୍ୟର ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ଏଣେ ନିଜର ବ୍ୟବସାୟ ପ୍ରତିଷ୍ଠା କରିବେ କଣ, ମଧୁସୂଦନ ବରଂ ଏହା ପରଠାରୁ ସର୍ବସାଧାରଣ ଅନୁଷ୍ଠାନ ଓ ସଭାସମିତି କରିବାରେ ଅଧିକରୁ ଅଧିକ ବ୍ୟାପୃତ ହୋଇପଡ଼ିଲେ ।

 

ମଧୁସୂଦନଙ୍କର ଏପ୍ରକାର ବିସ୍ମୟକର ଆଚରଣର ଯଥେଷ୍ଟ କାରଣ ମଧ୍ୟ ଥିଲା । ସେତେବେଳକୁ ବଙ୍ଗଳା ଦେଶର ପୁରପଲ୍ଲୀରେ ନବଜାଗରଣ ମୁଣ୍ଡଟେକି ଉଠିସାରିଥିଲା । ଭାରତର ଅନ୍ୟାନ୍ୟ ପ୍ରଦେଶଗୁଡ଼ିକ ମଧ୍ୟ ରାଜନୈତିକ କ୍ଷେତ୍ରରେ ଅଧିକ ଆତ୍ମସଚେତନ ହୋଇ ଉଠି ସାରିଥିଲେ; କିନ୍ତୁ ଓଡ଼ିଶାର ଜନ-ଜୀବନରେ ଦେଶବ୍ୟାପୀ ଏହି ନବଜାଗରଣର ସାମାନ୍ୟତମ ସ୍ପନ୍ଦନ ମଧ୍ୟ ସେଯାଏ ତଥାପି ଦେଖାଦେଇ ନଥିଲା । ଇତିହାସରେ ବହୁ ଦୁର୍ଦ୍ଦିନର ଶିକାର ହୋଇ ଓଡ଼ିଶାବାସୀମାନଙ୍କର ବୌଦ୍ଧିକ ଚିନ୍ତା ଓ କର୍ମପ୍ରବଣତା ଏପରି ନିସ୍ତେଜ ହୋଇପଡ଼ିଥିଲା ଯେ, ଜୀବନର ସମସ୍ତ ଲାଞ୍ଛନା ଓ ଦାରିଦ୍ର୍ୟକୁ ବିଡ଼ମ୍ୱିତ ଭାଗ୍ୟର ଅଭିଶାପ ବୋଲି ମାନିନେଇ ସେମାନେ ସେଯାଏ ତଥାପି ନିଷ୍କ୍ରିୟ ରହିବାକୁ ନିଜର ଏକମାତ୍ର କର୍ତ୍ତବ୍ୟ ବୋଲି ମନେକରୁଥିଲେ । ରାଜ୍ୟବାସୀଙ୍କ ମଧ୍ୟରେ ରାଜନୈତିକ ଚେତନା ଜାଗରିତ କରିବା ପରି ଇଂରେଜୀପଢ଼ୁଆ ଲୋକଙ୍କର ମଧ୍ୟ ରାଜ୍ୟରେ ଘୋର ଅଭାବ ଥିଲା । ଇଂରେଜୀ ଶିକ୍ଷାଲାଗି ସାରା ଓଡ଼ିଶାରେ ଗୋଟିଏ ହେଲେ କଲେଜ ସେତେବେଳକୁ ବସିନଥାଏ । ଓଡ଼ିଶାର ମୁଷ୍ଟିମେୟ ଯେଉଁ କେତେଜଣ ଲୋକ କିଛି କିଛି ଇଂରେଜୀ ଭାଷା ଶିକ୍ଷା କରିବାର ସୁବିଧା ପାଇଥିଲେ, ସେମାନେ ସମସ୍ତେ ଡେପୁଟି କଲେକ୍ଟର ବା ଶିକ୍ଷା ବିଭାଗରେ ସ୍କୁଲ ଇନ୍ସପେକ୍ଟରଟାଏ କେମିତି ହେବେ ସେଥିଲାଗି ଚାହିଁ ବସିଥିଲେ ।

 

ଊନବିଂଶ ଶତାବ୍ଦୀର ଷଷ୍ଠ-ସପ୍ତମ ଦଶକରେ ଓଡ଼ିଶା ଡିଭିଜନ୍‍ର ସ୍କୁଲମାନଙ୍କରୁ ଓ ଓଡ଼ିଶାର ସରକାରୀ ଅଫିସମାନଙ୍କରୁ ଓଡ଼ିଆ ଭାଷାକୁ ପୂରାପୂରି ନିର୍ବାସିତ କରିଦେବାକୁ ଯେଉଁ ଉଦ୍ୟମ ଦେଖାଦେଇଥିଲା, ତାହାର ପ୍ରତିକାର କରିବାକୁ ଓଡ଼ିଶାରେ ‘ଉତ୍କଳ ଉଲ୍ଲାସିନୀ ସଭା’ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ାଯାଇଥିଲା । କେବଳ ମାତ୍ର ଭାଷାରକ୍ଷା ଆନ୍ଦୋଳନ ଚଳେଇ ରଖିବା ଛଡ଼ା, ଏହି ଅନୁଷ୍ଠାନ ଓ ତାହାର କର୍ମକର୍ତ୍ତାମାନଙ୍କର ଅନ୍ୟ କୌଣସି ଲକ୍ଷ୍ୟ ନଥିଲା । ଏହି ସଭାର ଉଦ୍ୟମ ସାଙ୍ଗକୁ ବାଲେଶ୍ୱରର ତତ୍କାଳୀନ କଲେକ୍ଟର ଜନ୍ ବୀମ୍ସ ଓ ଓଡ଼ିଶା ଡିଭିଜନ୍‍ର କମିସନର ଟି. ଇ. ରେଭେନ୍ସାଙ୍କ ପରି ବିଦ୍ୱାନ ଶାସକମାନଙ୍କର ପ୍ରତ୍ୟକ୍ଷ ସାହାଯ୍ୟ ସମର୍ଥନ ଫଳରେ ଓଡ଼ିଆ ଭାଷା ଧ୍ୱଂସମୁହଁରୁ ରକ୍ଷାପାଇବା ପରେ, ଓଡ଼ିଶାରୁ ‘ଉତ୍କଳ ଉଲ୍ଲାସିନୀ ସଭା’ର ବିଲୟ ଘଟିଥିଲା ଓ ତା’ ସଙ୍ଗେ ସଙ୍ଗେ ଓଡ଼ିଶାବାସୀଙ୍କ ବୌଦ୍ଧିକ ଚେତନାରେ ପୂର୍ବର ନିଥର ନୀରବତା ପୁଣି ଖେଳିଯାଇଥିଲା ।

 

ଓଡ଼ିଶାର ସ୍ୱାର୍ଥ ଓ ଓଡ଼ିଶାବାସୀଙ୍କ ଦୁଃଖ-ଦୁର୍ଦ୍ଦଶା ପ୍ରତି ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ଲାଗି ଗୋଟିଏ ହେଲେ ସମ୍ୱାଦପତ୍ର ସେତେବେଳକୁ ନଥାଏ । ଗୌରୀଶଙ୍କର ରାୟ (1838-1917) କଟକ କଲେକ୍ଟରେଟରେ ସେତେବେଳକୁ ଜଣେ ସାମାନ୍ୟ କିରାଣିଭାବରେ କାମ କରୁଥାନ୍ତି । ସରକାରୀ ଚାକିରି କରୁଥିଲେ ମଧ୍ୟ ସେ ଥିଲେ ପୂରାପୂରି ଜନସ୍ୱାର୍ଥବାଦୀ । ତାଙ୍କରି ପ୍ରଚେଷ୍ଟା ଓ ତାଙ୍କରି ସମ୍ପାଦନାରେ 1866 ମସିହାରେ କଟକରୁ ‘ଉତ୍କଳ ଦୀପିକା’ ବୋଲି ଗୋଟିଏ ସାପ୍ତାହିକ ପତ୍ରିକା ଓଡ଼ିଆ ଭାଷାରେ ପ୍ରକାଶିତ ହେଲା । ଲାଲା ଜଗମୋହନ ରାୟଙ୍କ ସହଯୋଗରେ ବିଚିତ୍ରାନନ୍ଦ ଦାସ କଟକରେ ‘କଟକ ପ୍ରିଣ୍ଟିଙ୍ଗ୍ କମ୍ପାନୀ’ ନାମରେ ଯେଉଁ ଅନୁଷ୍ଠାନଟି ଗଢ଼ିଥିଲେ, ସେହିଠାରୁ ଏ ସାପ୍ତାହିକଟି ପ୍ରକାଶ ପାଉଥିଲା । ଲାଲା ଜଗମୋହନ ଥିଲେ ଓଡ଼ିଶାର ପ୍ରଥମ ନାଟ୍ୟକାର, ଆଉ ବିଚିତ୍ରାନନ୍ଦ ଥିଲେ ତତ୍କାଳୀନ ଓଡ଼ିଶା ଡିଭିଜନ୍ କମିଶନରଙ୍କ ପଲିଟିକାଲ ଆସିଷ୍ଟାଣ୍ଟ । ବିଚିତ୍ରାନନ୍ଦ ନିଜର ସରକାରୀ ଆସନର ପ୍ରଭାବ ଓ କ୍ଷମତା ପ୍ରୟୋଗ କରି ‘ଉତ୍କଳ ଦୀପିକା’କୁ ଚଳେଇ ରଖିବା ଲାଗି ଓଡ଼ିଶାର ରାଜା ଆଉ ଜମିଦାରମାନଙ୍କଠାରୁ କିଛି କିଛି ଚାନ୍ଦା ଆଦାୟ କରିବାର ଉପାୟ କରିଥିଲେ । ସେ ସମୟକୁ ଓଡ଼ିଶାରେ ଛାପାକଳ ବସି ନ ଥିବାରୁ କଟକ ପ୍ରିଣ୍ଟିଂ କମ୍ପାନୀ ଅଫିସରୁ ଲିଥୋ କରି ସାପ୍ତାହିକ ପତ୍ରିକାଟିକୁ ପ୍ରକାଶ କରାଯାଉଥିଲା । ‘ଉତ୍କଳ ଦୀପିକା’ ପ୍ରକାଶନର ମୂଳକେନ୍ଦ୍ର ହୋଇଥିବାରୁ ଅଳ୍ପକାଳ ମଧ୍ୟରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଓଡ଼ିଶାର ଏକ ପ୍ରସିଦ୍ଧ ଅନୁଷ୍ଠାନରେ ପରିଣତ ହୋଇ ଉଠିଥିଲା । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଯାହା କିଛି ଉଲ୍ଲେଖଯୋଗ୍ୟ ଘଟଣା ଘଟୁଥିଲା, ସେ ସବୁ ମୂଳତଃ ଏହି ପ୍ରିଣ୍ଟିଂ କମ୍ପାନୀ ଅଫିସରେ ହିଁ ପ୍ରଥମେ ସ୍ଥିରୀକୃତ ଓ ମୀମାଂସିତ ହେଉଥିଲା । ଗୌରୀଶଙ୍କର ଏକାଧାରରେ ଥିଲେ ଏହି ଅନୁଷ୍ଠାନର ଅନ୍ତର୍ନିହିତ ଆତ୍ମା ଓ କାର୍ଯ୍ୟକାରିଣୀ ଶକ୍ତି ।

 

‘ଉତ୍କଳ ଦୀପିକା’ ପ୍ରକାଶ ପାଇବା ପୂର୍ବରୁ ସାମୟିକ ଭାବରେ ଯେଉଁ କେତେକ ପତ୍ରପତ୍ରିକା ଓଡ଼ିଶାରେ ପ୍ରକାଶିତ ହେଉଥିଲା, ସେଗୁଡ଼ିକ ମୁଖ୍ୟତଃ ଥିଲା ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କର ପ୍ରଚାରପତ୍ର । ସେଗୁଡ଼ିକରେ ଓଡ଼ିଶାର ଜନସାଧାରଣଙ୍କ ଅଭାବ ଅସୁବିଧା ବା ରାଜନୈତିକ ବିଚାର ଆଲୋଚନା ଆଦୌ ସ୍ଥାନପାଉ ନଥିଲା । କେବଳ ମାତ୍ର ଖ୍ରୀଷ୍ଟଧର୍ମ ପ୍ରଚାର, ଆଉ ବିଭିନ୍ନ ଗୀର୍ଜାଗୁଡ଼ିର ସମାଚାର ବହନକରି ଏହିପରି ପତ୍ରିକାଗୁଡ଼ିକ ମଧ୍ୟେ ମଧ୍ୟେ କେବେ ଦେଖାଦେଉଥିଲା । ଓଡ଼ିଶାରେ ପତ୍ରପତ୍ରିକାର ଅବସ୍ଥା ଏହିପରି ଥିବା ସମୟରେ ‘ଦୀକିକା’ ତାହାର ଭାଷାସୌଷ୍ଠବ, ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧ ପ୍ରକାଶନ ଓ ନିର୍ଭୀକ ସମାଲୋଚନା ଗୁଣରୁ ଅଳ୍ପକାଳ ମଧ୍ୟରେ ଓଡ଼ିଆ ଜନମତର ଏକ ମୁଖ୍ୟ ଓ ଅପରିହାର୍ଯ୍ୟ ବାର୍ତ୍ତାବହରେ ପରିଣତ ହୋଇପାରିଥିଲା ।

 

ମଧୁସୂଦନ କଟକ ହାଇସ୍କୁଲରେ ପାଠ ପଢ଼ୁଥିବାବେଳେ ଗୌରୀଶଙ୍କର ଅଳ୍ପକାଳ ପାଇଁ ତାଙ୍କର ଗୃହଶିକ୍ଷକ ଥିଲେ; କିନ୍ତୁ ମଧୁସୂଦନ କଲିକତାରୁ କଟକ ଫେରିବା ପରେ ଏହି ଗୌରୀଶଙ୍କର ହିଁ ସୁଦୀର୍ଘ 30 ବର୍ଷକାଳ ତାଙ୍କର ଏକାନ୍ତ ସହଯୋଗୀ ଓ ସହକର୍ମୀଭାବରେ କାର୍ଯ୍ୟ କରି ଓଡ଼ିଶାର ରାଜନୈତିକ ଜୀବନ ଗଠନ ଓ ଉପାନ୍ତ ଓଡ଼ିଆ-ଭାଷାଭାଷୀ ଅଞ୍ଚଳମାନଙ୍କୁ ଏକଶାସନାଧୀନରେ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିଲେ । ମଧୁସୂଦନଙ୍କ କର୍ମପ୍ରବଣ ବିବିଧ ପ୍ରଚେଷ୍ଟା ଫଳରେ କଟକ ପ୍ରିଣ୍ଟିଂ କମ୍ପାନୀ ଓଡ଼ିଶାରେ ନବଜାଗରଣର ପ୍ରଧାନ ଶକ୍ତିପୀଠରେ ପରିଣତ ହେବାକୁ ଅଧିକ ବିଳମ୍ୱ ଲାଗି ନଥିଲା ।

 

ଏତାଦୃଶ ପ୍ରଚେଷ୍ଟା ସତ୍ତ୍ୱେ ଓଡ଼ିଶାବାସୀଙ୍କ ମଧ୍ୟରେ ନବଚେତନାର ଜାରଗରଣ ତଥାପି ନିତାନ୍ତ ବିରଳ ଥିଲା । ଇଂରେଜୀପଡ଼ୁଆ ମଧ୍ୟବିତ୍ତ ଶ୍ରେଣୀୟ ଲୋକମାନଙ୍କ ଅଭାବ ଓଡ଼ିଶାର ଏହି ଦୁର୍ଗତି ଲାଗି ମୁଖ୍ୟତଃ ଦାୟୀ ବୋଲି ପୂର୍ବରୁ କୁହାଯାଇଅଛି । ମୁଷ୍ଟିମେୟ ଯେଉଁ କେଇଜଣ ଶିକ୍ଷିତ ଲୋକ ସେ ସମୟରେ ଦେଖିବାକୁ ମିଳୁଥିଲେ, ସେମାନେ ସମସ୍ତେ କଟକ ସହରର ବାସିନ୍ଦା ଥିଲେ-। ସେ ସମୟର ପରିସ୍ଥିତିରେ ଓଡ଼ିଶାର ସମସ୍ତ ସମ୍ଭାବ୍ୟ ପ୍ରଗତି ପୂର୍ଣ୍ଣତଃ ସେହିମାନଙ୍କ ଉପରେ ନିର୍ଭର କରୁଥିଲା; କିନ୍ତୁ ଭାଷା, ଜାତି, ଧର୍ମ ଆଦି ବିଭିନ୍ନ କାରଣକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ସବୁବେଳେ ମନାନ୍ତର ଓ ମତାନ୍ତର ଲାଗିରହିଥିଲା । ଭାଷାବିବାଦର ସୂତ୍ରପାତ ହେବା ଦିନଠାରୁ ଓଡ଼ିଶାର ସ୍ଥାନୀୟ ଅଧିବାସୀ ଓ କଲିକତାରୁ ଆସିଥିବା ଆଗନ୍ତୁକମାନଙ୍କ ମଧ୍ୟରେ ସଦ୍ଭାବ ନ ଥିଲା-। ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ବିଷୋଦ୍‍ଗାର କରିବାରେ ଲାଗିପଡ଼ିଲେ । ଭାଷା, ଜାତି ଓ ଧର୍ମର ବିବାଦରେ ବିପର୍ଯ୍ୟସ୍ତ ଗୋଟାଏ ସମାଜର ଏହିପରି ଦୁର୍ଦ୍ଦିନରେ ସେମାନଙ୍କୁ ପୁଣି ଏକମନ, ଏକପ୍ରାଣ, ଏକାକାର କରି ସମବେତଭାବରେ ସମସ୍ତଙ୍କୁ ଉନ୍ନତି, ପ୍ରଗତି ଓ ନୂତନ ଆଲୋକର ସନ୍ଧାନରେ ଆଗେଇନେବାର ଅପରିହାର୍ଯ୍ୟ ଗୁରୁ ଦାୟିତ୍ୱ ସତେ ଅବା ଇତିହାସର ଇଙ୍ଗିତରେ ଆସି ଲଦିହୋଇ ପଡ଼ିଥିଲା ମଧୁସୂଦନଙ୍କ ଉପରେ ।

 

(ଙ)

 

ଇଂ 1882 ମସିହା ଭାରତର ସାମ୍ୱାଧାନିକ ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ସ୍ମରଣୀୟ ବର୍ଷ । ଭାଇସ୍‍ରାୟ ଲର୍ଡ଼ ରିପନ୍‍ଙ୍କ ଶାସନକାଳରେ ସେହି ବର୍ଷ ସ୍ୱାୟତ୍ତଶାସନ ବ୍ୟବସ୍ଥା ଘୋଷିତ ହୋଇ ଦେଶରେ ମ୍ୟୁନିସିପାଲିଟି ସଂସ୍ଥାମାନ ଗଠିତ ହେବାର ସୂତ୍ରପାତ ହୋଇଥିଲା ।

 

ସେ ସମୟକୁ ଭାରତରେ ଯେଉଁ ‘ପରିବର୍ତ୍ତନର ଯୁଗ’ ଆସି ଦେଖା ଦେଇଥିଲା, ତାହାକୁ ଲକ୍ଷ୍ୟ କରି ଲର୍ଡ଼ ରିପନ୍ ସେକ୍ରେଟେରୀ-ଅବ୍-ଷ୍ଟେଟ୍‍ଙ୍କୁ ଏକ ବାର୍ତ୍ତାରେ ଜଣାଇଥିଲେ :

 

‘‘ଶିକ୍ଷା ବିସ୍ତାର, ଦେଶରେ ଫ୍ରି-ପ୍ରେସ୍‍ର ସଂଖ୍ୟା ପ୍ରଭାବର ଅଭିବୃଦ୍ଧି, ମନୋମୁଖୀ ଶାସନ ପରିବର୍ତ୍ତେ ଆଇନାନୁମୋଦିତ ଶାସନର ପ୍ରବର୍ତ୍ତନ, ଦେଶରେ ରେଳପଥ, ଟେଲିଗ୍ରାପ ପ୍ରଭୃତିର ପ୍ରତିଷ୍ଠା, ୟୁରୋପ ସହିତ ସୁଗମ ସମ୍ପର୍କ ସ୍ଥାପନର ସୁଗମତା ଏବଂ ଦେଶରେ ୟୁରୋପୀୟ ଚିନ୍ତାଧାରାର ବହୁଳ ପ୍ରବେଶ ଭାରତୀୟମାନଙ୍କୁ ନିଶ୍ଚିତଭାବରେ ପ୍ରଭାବିତ କରିଥିବା ମୁଁ ଲକ୍ଷ୍ୟ କରି ପାରୁଛି । ଫଳରେ ଏଠାକାର ଅଧିବାସୀମାନଙ୍କ ପ୍ରାଣରେ ବର୍ତ୍ତମାନ ନୂତନ ଆଶା, ଉଦ୍ୟମ ଓ ଆକାଂକ୍ଷା ମୁଣ୍ଡଟେକି ଉଠିଲାଣି । ସାଧାରଣ ଜନମତ ଦିନୁଦିନ ପ୍ରବଳ ହେବା ସାଙ୍ଗକୁ ଲୋକେ ବର୍ତ୍ତମାନ ନିଜର ଦାବି ହାସଲ ପାଇଁ ଆନ୍ଦୋଳନ କରିବାକୁ ଶିଖିଗଲେଣି । ମୋର ମନେ ହେଉଚି, ସେମାନଙ୍କର ଏହି ଅଗ୍ରଗତି ଭବିଷ୍ୟତରେ ଆହୁରି ପ୍ରବଳ ହୋଇ ଉଠିବ ।’’

 

ଲର୍ଡ଼ ରିପନ୍ ଉକ୍ତ ବାର୍ତ୍ତାରେ ଭବିଷ୍ୟତର ଯେଉଁ ଆଲେଖ୍ୟ ଅଙ୍କନ କରିଥିଲେ, ଅଦୂର ଭବିଷ୍ୟତରେ ତାହା ନିରାଟ ସତ୍ୟରେ ପରିଣତ ହୋଇ ତାଙ୍କୁ ଏକ ଦୂରଦ୍ରଷ୍ଟା ଶାସକ ବୋଲି ଅବଶ୍ୟ ପ୍ରମାଣିତ କରିଥିଲା; କିନ୍ତୁ ସେହି ବାର୍ତ୍ତାରେ ଲର୍ଡ଼ ରିପନ୍ ଯେଉଁ ସବୁ ବିଷୟ ଉଲ୍ଲେଖ କରିଥିଲେ, ତାହାର କ୍ଷୀଣତମ ସଙ୍କେତ ମଧ୍ୟ ତତ୍କାଳୀନ ଓଡ଼ିଶାରେ ଦେଖିବାର ଅବକାଶ ନ ଥିଲା-। ସେଯାଏ ସୁଦ୍ଧା ଇଞ୍ଚେ ବି ହେଲେ ରେଳପଥ ଓଡ଼ିଶା ଡିଭିଜନରେ ପଡ଼ି ନଥାଏ, କି ଓଡ଼ିଆଏ ଗୋଟିଏ ବି ରେଳ ଇଞ୍ଜିନ ଆଖିରେ ତଥାପି ଦେଖି ନଥାନ୍ତି । ମି: ମାନେଷ୍ଟି ବୋଲି ଯେଉଁ ଡେପୁଟି କଲେକ୍ଟର ସେତେବେଳେ କଟକରେ ଚାକିରି କରୁଥାନ୍ତି, ବ୍ରିଟିଶ ଶାସନକଳରେ ଛୋଟିଆ କୁଜିବେଙ୍ଗଟିଏ ହୋଇଥିଲେ ସୁଦ୍ଧା ଓଡ଼ିଆଙ୍କ ଉପରେ ତାଙ୍କ ଶାସନଟା କିନ୍ତୁ ଥିଲା ଭାରି ଦୁର୍ଦ୍ଦର୍ଷ ଆଉ ପ୍ରଚଣ୍ଡ । ଘଡ଼ିକି ଘଡ଼ି ତାଙ୍କ ଫିରସାନ୍ ଦାଉରେ କଟକବାସୀଏ ସେତେବେଳେ ଆତଙ୍କ ଗଣୁଥାନ୍ତି । ସେଯାଏ କଲିକତା ସାଙ୍ଗରେ କଟକ ସହରର ସିଧାସଳଖ କୌଣସି ଯୋଗସୂତ୍ର ବି ନଥାଏ । ତା’ ସାଙ୍ଗକୁ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ମଧ୍ୟ ନିତାନ୍ତ ଅନିଶ୍ଚିତ ଅବସ୍ଥାରେ ରହିଥାଏ-। ରେଭେନ୍ସା କଲେଜରେ ଯେଉଁ ବି. ଏ. କ୍ଲାସ ଥିଲା, ତାହା ପ୍ରାୟ ସେତେବେଳକୁ ବନ୍ଦ ହୋଇଯିବା ଅବସ୍ଥାରେ ଆସି ପହଞ୍ଚି ସାରିଥାଏ । ଓଡ଼ିଶାର ସମାଜ ଆଉ ସଂସ୍କୃତି ଏହିପରି ‘ଘଡ଼ିଶ୍ୱାସ’ ମାରୁଥିବା ବେଳେ ଏଠାରେ ଆରମ୍ଭ ହେବାକୁ ବସିଲା ଲର୍ଡ଼ ରିପନ୍‍ଙ୍କ ସ୍ୱାୟତ୍ତଶାସନ ଯୋଜନାର ଶାସନତାନ୍ତ୍ରିକ ପ୍ରୟୋଗ !

 

ଏକେ ଗଣ-ଅନୁଷ୍ଠାନର ଅଭାବ । ଜନମତକୁ ଧ୍ୱନିତ କରିବାକୁ ସଭା-ସମିତିର ଅଭାବ-। ସ୍ୱାୟତ୍ତଶାସନ ପଦ୍ଧତି ସହିତ ଲୋକଙ୍କର ପରିଚୟର ଅଭାବ ସାଙ୍ଗକୁ ସେ ସବୁଥିରେ ଅଭିଜ୍ଞତା ଓ ଅନୁଭବର ତତୋଽଧିକ ଅଭାବ । ସାମୂହିକ ପରିବେଶରେ ଏହି ଉତ୍କଟ ସମାବେଶ ଭିତରେ ଲର୍ଡ଼ ରିପନ୍‍ଙ୍କ ପ୍ରସ୍ତାବିତ ସାମ୍ୱିଧାନିକ ଘଟସଂସ୍କାରକୁ କାର୍ଯ୍ୟକାରୀ କରିବା ଲାଗି ସାଧାରଣ ଜନତାକୁ ଆଗେଇନେବାର ଐତିହାସିକ ଦାୟିତ୍ୱ ଉତ୍କଳୀୟ ସମାଜର ଶୀର୍ଷସ୍ଥାନୀୟ ଯେଉଁ ବ୍ୟକ୍ତିମାନଙ୍କ ଉପରେ ନିର୍ଭର କରୁଥିଲା, ସେମାନେ ଏ ଦିଗରେ ଲୋକଙ୍କୁ ବାଟ କଢ଼େଇବେ କଣ, ବରଂ ପରସ୍ପର ମଧ୍ୟରେ ଉତ୍କଟ ବାଦବିବାଦ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରୁଥିଲେ । ତେଣୁ ସାମଗ୍ରିକ ପରିସ୍ଥିତିର ବିଚାରକରି, ଜନତାର ଦାବି ଓ ସ୍ୱରୂପ ପ୍ରକାଶ କରିବା ପାଇଁ ସବୁ ଭାଷା, ଦଳ, ଗୋଷ୍ଠୀ ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କର ପ୍ରତିନିଧିଙ୍କୁ ନେଇ ଏକ ରାଜନୈତିକ ଅନୁଷ୍ଠାନ ଗଢ଼ା ନ ହେବା ପର୍ଯ୍ୟନ୍ତ ଭାଇସ୍‍ରାୟ ରିପନ୍‍ଙ୍କ ସ୍ୱାୟତ୍ତଶାସନ ପ୍ରସ୍ତାବ ଓଡ଼ିଶାରେ କାର୍ଯ୍ୟକାରୀ ହେବା ଅସମ୍ଭବ ବୋଲି ବିଚାରି ମଧୁସୂଦନ ସେ ଦିଗରେ ଲାଗିପଡ଼ିଲେ ।

 

ଏଥିରେ ଗୌରୀଶଙ୍କର ଅବଶ୍ୟ ତାଙ୍କର ପ୍ରଧାନ ସହଯୋଗୀ ଥିଲେ; କିନ୍ତୁ ମଧୁସୂଦନଙ୍କ ଉଦ୍ୟମର ସଫଳତା ସମ୍ୱନ୍ଧରେ ତାଙ୍କ ମନରେ ବଡ଼ ସନ୍ଦେହ ଥିଲା । ଯାହାହେଉ ମଧୁସୂଦନଙ୍କ ଅଦମ୍ୟ ଉତ୍ସାହ ଓ ପ୍ରଚେଷ୍ଟାଫଳରେ ରାଜ୍ୟବାସୀଙ୍କ ସର୍ବବିଧ ଉନ୍ନତି ଓ ସ୍ୱାୟତ୍ତଶାସନ ପ୍ରଣାଳୀ ସହିତ ଲୋକମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଗୋଟିଏ ‘ସଭା’ ବା ଅନୁଷ୍ଠାନ ଗଠନ କରିବାପାଇଁ ଇଂ 1882 ମସିହା ଅଗଷ୍ଟ ମାସ 16 ତାରିଖ ଦିନ କଟକ ପ୍ରିଣ୍ଟିଂ କମ୍ପାନୀ କୋଠିରେ ଗୋଟିଏ ସାଧାରଣ ସଭା ଆହୂତ ହୋଇଥିଲା ।

 

ସେହି ମାସ 19 ତାରିଖ ସଂଖ୍ୟା ‘ଉତ୍କଳ ଦୀପିକା’ରେ ଏହି ସଭା ବିଷୟରେ ଯେଉଁ ଖବର ପ୍ରକାଶ ପାଇଥିଲା, ସେଥିରୁ ଜଣାଯାଏ, ଅଗଷ୍ଟ ମାସ 16 ତାରିଖ ଦିନ ପ୍ରିଣ୍ଟିଂ କମ୍ପାନୀ କୋଠାରେ ଯେଉଁ ସଭା ଅନୁଷ୍ଠିତ ହୋଇଥିଲା, ସେଥିରେ ଏତେ ବେଶି ଲୋକ ହୋଇଥିଲେ ଯେ କଟକରେ ଏହା ପୂର୍ବରୁ ଏହି ଜନସମାବେଶ କେବେ ଦେଖା ନ ଥିଲା । କଟକ ସହରର ସବୁ ବିଶିଷ୍ଟ ଲୋକ ଏହି ସଭାରେ ଉପସ୍ଥିତ ଥିଲେ । କେଇଜଣ ଇଂରେଜ ଲୋକଙ୍କ ସମେତ ବହୁସଂଖ୍ୟକ ସ୍ଥାନୀୟ ଅଧିବାସୀ ଜାଗା ଅଭାବରୁ ହଲ୍ ବାହାରେ ଠିଆହୋଇ ସଭାର ବିବରଣୀ ସବୁ ମନଦେଇ ଶୁଣୁଥିଲେ । ଏହି ସଭାରେ ଗୃହୀତ ସିଦ୍ଧାନ୍ତ ଅନୁଯାୟୀ ‘ଉତ୍କଳ ସଭା’ ବା ‘ଉତ୍କଳ ଆସୋସିଏସନ’ ନାମରେ ଗୋଟିଏ ଅନୁଷ୍ଠାନ ସେଦିନ ଗଢ଼ାଗଲା । ଏହି ‘ଉତ୍କଳ ସଭା’ ହେଉଛି ଓଡ଼ିଶାର ସର୍ବପ୍ରଥମ ବିଧିବଦ୍ଧ ରାଜନୈତିକ ଅନୁଷ୍ଠାନ । 1903 ମସିହାରେ ‘ଉତ୍କଳ ସମ୍ମିଳନୀ’ ଗଠିତ ହେବାପରେ ଏହି ସଭାର ପ୍ରାଧାନ୍ୟ ହ୍ରାସ ପାଇ ଇଂ 1905 ସାଲରେ ଏହା ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଇଥିଲା । ‘ଉତ୍କଳ ସଭା’ ଗୋଟିଏ ଶକ୍ତିଶାଳୀ ଅନୁଷ୍ଠାନ ଥିଲା । ଓଡ଼ିଶା ଡିଭିଜନ୍‍ର ଶାସନ ସଂକ୍ରାନ୍ତରେ ଯେ କୌଣସି ନୂତନ ପଦକ୍ଷେପ ନେବାପୂର୍ବରୁ ସରକାର ଏହି ସଭାର ମତାମତ ଲୋଡ଼ୁଥିଲେ । ଏହି ସଭାର ପ୍ରଥମ ସଭାପତିଙ୍କ ମୃତ୍ୟୁ ପରଠାରୁ ମଧୁସୂଦନ ଦାସ ଏହାର ସଭାପତି ପଦ ଗ୍ରହଣ କରିଥିଲେ ଏବଂ ଏହାର ଶେଷଦିନାବଧି ଏହାକୁ ପରିଚାଳିତ କରୁଥିଲେ । ଏହିପରି ଭାବରେ ମଧୁସୂଦନ ଓଡ଼ିଶାରେ କେବଳ ଯେ ରାଜନୈତିକ ଜୀବନର ସୂତ୍ରଧର ଥିଲେ ତାହା ନୁହେଁ, ସେ ଥିଲେ ମଧ୍ୟ ତାହାର ମୁଖ୍ୟ ନିର୍ମାତା ।

 

1880 ମସିହାରେ ତତ୍କାଳୀନ ଭାଇସ୍‍ରାୟ ଲର୍ଡ଼ ରିପନ୍ ଭାରତରେ ଶିକ୍ଷା ବିସ୍ତାର ଲାଗି ପ୍ରବଳ ଉଦ୍ୟମ ଚଳାଇଥିବାବେଳକୁ, କଟକ ରେଭେନ୍ସା କଲେଜର ପ୍ରିନ୍ସପାଲ ଥାଆନ୍ତି ମି: ଆଗର୍ ବୋଲି ଜଣେ ଇଂରେଜ ଲୋକ । ତା ସାଙ୍ଗକୁ ସେ ମଧ୍ୟ ଥାଆନ୍ତି ଓଡ଼ିଶା ଡିଭିଜନ୍‍ର ସ୍କୁଲସମୂହର ଜଏଣ୍ଟ୍ ଇନ୍ସପେକ୍ଟର । ଦିନେ ଦେଖିଲାବେଳକୁ ସେହି ଆଗର୍ ସାହେବ ପାଗଳଙ୍କ ପରି ଖାଲି ନାଚକୁଦ ଚଳେଇଛନ୍ତି; ଆଉ ଖାଲି ପାଟିକରି କହୁଛନ୍ତି: ‘ସେ ପାସ୍ କରିଛି’, ‘ସେ ପାସ୍ କରିଛି’ । ସାତ ପଦରେ ବି ଯେଉଁ ସାହେବର ତୁଣ୍ଡରୁ ପଦେ କଥା ବାହାରେ ନାହିଁ ସେହି ଆଗର୍ ସାହେବଙ୍କର ଆଜି ଏ ରକମ ଅବସ୍ଥା ! ଯିଏ ଦେଖିଲା ସିଏ କାବା ହେଲା । କିଏ ପାସ୍ କଲା, କ’ଣ ପାସ୍ କଲା, କେହି ସାହେବର କଥା ବୁଝିପାରିଲେ ନାହିଁ ।

 

ମି: ଆଗର୍ ବି ଏଣେ ଆନନ୍ଦର ଏମିତି ବିଭୋର ହୋଇଉଠିଥାନ୍ତି ଯେ, ଯେ ଯେତେ ପଚାରିଲେ ବି, ସେ କାହାରି ପ୍ରଶ୍ନର ଉତ୍ତର ଦେଇପାରୁନଥାନ୍ତି । ପରେ ଜଣାପଡ଼ିଲା, ରେଭେନ୍ସା କଲେଜରୁ ସେ ବର୍ଷ ଜଣେ ଛାତ୍ର ବି. ଏ. ପାସ୍ କରିଛି । ଏ ଖବର ପାଇ ପ୍ରିନ୍ସପାଲ ମି: ଆଗର୍ ସାହେବ ଆନନ୍ଦରେ ଏମିତି ମତୁଆଲା ହୋଇଉଠିଥିଲେ । ତାଙ୍କ ସହକର୍ମୀ ଅନ୍ୟାନ୍ୟ ଅଧ୍ୟାପକମାନେ ମଧ୍ୟ ଏଥିରେ କମ୍ ଖୁସି ହୋଇ ନ ଥିଲେ । ସେହି ଛାତ୍ରଟି ସେ ବର୍ଷ ବି. ଏ. ପାସ୍ କରିପାରି ନ ଥିଲେ ରେଭେନ୍ସା କଲେଜର ଆଉ ଅସ୍ତିତ୍ୱ ରହିନଥାନ୍ତା । ଏହା ପୂର୍ବରୁ ଲାଗ ଲାଗ ଦି’ବର୍ଷ ଏହି କଲେଜରୁ କେହି ବି. ଏ. ପାସ୍ କରିପାରି ନ ଥିବାରୁ ସରକାର କଲେଜ ଉପରେ ନୋଟିସ ଜାରି କରିଦେଇଥିଲେ...ଏ ବର୍ଷ ଯଦି ସେହି ପୂର୍ବ ଅବସ୍ଥା ଘଟେ, କେବେ କଲେଜରୁ ବି. ଏ. କ୍ଲାସ ପୂରାପୂରି ଉଠେଇ ଦିଆଯିବ । ସୌଭାଗ୍ୟବଶତଃ ପିଲାଟି ସେ ବର୍ଷ ବି. ଏ. ପାସ୍ କରି କଲେଜର ଇଜ୍ଜତ ବଞ୍ଚେଇଲା । ତା ସଙ୍ଗେ ସଙ୍ଗେ ଓଡ଼ିଆଏ ଉଚ୍ଚଶିକ୍ଷା ପାଇବାର ଏକମାତ୍ର ଅନୁଷ୍ଠାନକୁ ହରାଇବାର ଦୁର୍ଭାଗ୍ୟରୁ ରକ୍ଷାପାଇଗଲେ ।

 

ଏହି ଘଟଣାର ଅଳ୍ପଦିନ ପରେ ରେଭେନ୍ସା କଲେଜର ଲ’କ୍ଲାସରେ ପୁଣି ସେଇ ଅବସ୍ଥା ଉପୁଜିଲା । ଏଥର କିନ୍ତୁ କାରଣଟା ଥିଲା ଅନ୍ୟ ପ୍ରକାର । ଏହି କଲେଜରେ ଯେଉଁମାନେ ଶିକ୍ଷକତା କରୁଥିଲେ, ସେମାନଙ୍କର ନିକୃଷ୍ଟ ଶିକ୍ଷାଦାନ ପ୍ରଣାଳୀ ହେତୁ ଆଇନ କଲେଜର ପରୀକ୍ଷା ଫଳ ନିତାନ୍ତ ଖରାପ ହେଉଥିଲା । ଭାରତର ଦୂରଦୂରାନ୍ତ ଅଞ୍ଚଳସହିତ କଟକର ରେଳ ଯୋଗାଯୋଗ ନ ଥିବାରୁ, ସେ ସବୁ ସ୍ଥାନରୁ ଆଇନ ବିଦ୍ୟାରେ ପାରଦର୍ଶୀ କେହି ଲୋକ ଆସି କଟକର ଲ’କଲେଜରେ ପାର୍ଟ-ଟାଇମ୍ ଚାକିରି କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ଏଣେ ଓଡ଼ିଶାର ଛାତ୍ରମାନେ ମଧ୍ୟ କଲିକତା ଯାଇ ସେଠାରେ ଆଇନ କଲେଜରେ ଖର୍ଚ୍ଚ ତୁଲେଇ ପାରିବା ଅବସ୍ଥାରେ ନ ଥିଲେ । ତେଣୁ କଟକର ଆଇନ କଲେଜଟି ଯଦି ବନ୍ଦ ହୋଇଯାଏ, ତେବେ ଓଡ଼ିଆ ପିଲାଙ୍କ ପାଇଁ ଆଇନ ପାଠ ପଢ଼ିବା ସୁବିଧା ଆଉ ରହିବ ନାହିଁ, କି ଓଡ଼ିଆ ଓକିଲଟିଏ ଆଉ ଆଖିରେ ଦେଖିବାକୁ ମିଳିବ ନାହିଁ । ମଧୁସୂଦନଙ୍କ କାନରେ ଏ ଖବର ପଡ଼ିବାମାତ୍ରେ ସେ ଅବୈତନିକ ଭାବରେ ଲ’କଲେଜରେ ପାର୍ଟ-ଟାଇମ୍ ଅଧ୍ୟାପକ କାମ କରିବାକୁ ରାଜି ଅଛନ୍ତି ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିଲେ । ମଧୁସୂଦନଙ୍କ ପ୍ରବେଶ ଫଳରେ ଲ’କଲେଜ ବନ୍ଦ ହୋଇଯିବା ପରିସ୍ଥିତିରୁ ରକ୍ଷା ପାଇଲା । ନିଜର ଆଇନ ବ୍ୟବସାୟ ସାଙ୍ଗକୁ ଅନ୍ୟାନ୍ୟ ନାନାପ୍ରକାର ସଭାସମିତି କାମରେ ବରାବର ବ୍ୟସ୍ତ ରହିଥିଲେ ମଧ୍ୟ, ଇଂ 1887 ମସିହାରେ କଟକ ଜିଲ୍ଲାବୋର୍ଡ଼ର ଚେୟାରମ୍ୟାନ ହେବା ପର୍ଯ୍ୟନ୍ତ ମଧୁସୂଦନ ରେଭେନ୍ସା କଲେଜର ଲ’କ୍ଲାସରେ ବରାବର ଶିକ୍ଷାଦନ କରୁଥିଲେ । ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତା ଶ୍ରୀ ଜାନକୀନାଥ ବୋଷ ସେହି ସମୟରେ ଲ’କ୍ଲାସରେ ମଧୁସୂଦନଙ୍କର ଛାତ୍ର ଥିଲେ ।

Image

 

(୩)

ଜଗନ୍ନାଥ ଦେଉଳ ମାମଲା

 

ପୁରୀ ଜଗନ୍ନାଥ ମନ୍ଦିର ମାମଲା ମଧୁସୂଦନଙ୍କ ଜୀବନର ସବୁଠାରୁ ଉଲ୍ଲେଖଯୋଗ୍ୟ ଘଟଣା ଥିଲା । ସେ ସମୟରେ ଓଡ଼ିଶା ତମାମ୍ ଏହି ମକଦ୍ଦମା ନେଇ ଗୋଟାଏ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ମକଦ୍ଦମାଟି ଥିଲା ସେ ସମୟର ସବୁଠାରୁ ବଡ଼ ଜଟିଳ ମାମଲା । ଏହା ନେପଥ୍ୟରେ ଓଡ଼ିଶାର ରାଜନୈତିକ ଜୀବନରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସମ୍ଭାବନା ଲୁଚିରହିଥିଲା । ଏହି ମାମଲା ଫଳରେ ମଧୁସୂଦନ ସାରା ଓଡ଼ିଶାରେ ବିଖ୍ୟାତ ଓ ସୁପରିଚିତ ହୋଇଉଠିଥିଲେ । ଏହି ମାମଲା ବିଷୟ ବୁଝିବାକୁ ହେଲେ ପ୍ରଥମେ ଓଡ଼ିଶାର ଇତିହାସ ତଥା ଜନସାଧାରଣଙ୍କ ଜୀବନରେ ପୁରୀର ଜଗନ୍ନାଥ ଓ ତାଙ୍କ ବଡ଼ଦେଉଳର ଗୁରୁତ୍ୱ ବିଷୟ ପ୍ରଥମେ ହୃଦୟଙ୍ଗମ କରିବା ଦରକାର ।

 

ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଆଗଙ୍ଗାଗୋଦାବରୀ ବିସ୍ତୃତ ଉତ୍କଳ ସାମ୍ରାଜ୍ୟର ସାର୍ବଭୌମତାର ଏକମାତ୍ର ପ୍ରତୀକ ଥିଲେ ପୁରୀର ଜଗନ୍ନାଥ । ସାମ୍ରାଜ୍ୟର ବିଭିନ୍ନ ଅଂଶରେ ବସବାସ କରୁଥିବା ଅଗଣତି ଅଧିବାସୀଙ୍କ ମଧ୍ୟରେ ସଂହତି ଓ ସ୍ୱାଧୀନତା ପ୍ରୟାସର ସେ ଥିଲେ ମୂଳଉତ୍ସ । ସଂକ୍ଷେପରେ କହିବାକୁ ଗଲେ ଜଗନ୍ନାଥ ଥିଲେ ସାରା ଓଡ଼ିଶାର ‘‘ରାଷ୍ଟ୍ରଦେବତା’’ । ହିନ୍ଦୁଧର୍ମର ସବୁ ଗୋଷ୍ଠୀ, ଉପଗୋଷ୍ଠୀ, ସବୁ ମତବାଦର ସେ ଥିଲେ ଉପାସ୍ୟ ଦେବତା । ପର୍ବତ ଜଙ୍ଗଲ ଅଧ୍ୟୁଷିତ ବଣ୍ୟ ଲୋକଙ୍କଠାରୁ ଆରମ୍ଭକରି ସମତଳ ପ୍ରଦେଶର ଆଚାରଶୁଦ୍ଧ ବ୍ରାହ୍ମଣଯାଏ, ଦ୍ୱୈତବାଦୀଙ୍କଠାରୁ ଆରମ୍ଭ କରି ଅଦ୍ୱୈତବାଦୀ ଯାଏ, ଏପରିକି ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ଆଦି ସମସ୍ତଙ୍କ ଦୃଷ୍ଟିରେ ଜଗନ୍ନାଥ ଥିଲେ ସର୍ବଶ୍ରେଷ୍ଠ ନମସ୍ୟ ଓ ଉପାସ୍ୟ ଦେବତା । କେବଳ ଓଡ଼ିଶା ନୁହେଁ, ସାରା ଭାରତ, ଏପରିକି ନେବାଳ ଓ ସିଂହଳର ହିନ୍ଦୁ ଓ ବୌଦ୍ଧମାନଙ୍କ ଦୃଷ୍ଟିରେ ଜଗନ୍ନାଥଙ୍କ ବଡ଼ଦେଉଳ ହେତୁ ପୁରୀ ସହର ଥିଲା ଏକ ପୁଣ୍ୟମୟ ଦେବପୀଠ । ଏପରିକି ସେ ସମୟରେ ସୁଫି ମୁସଲମାନ ସାଲବେଗ ମଧ୍ୟ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଯେଉଁ ସବୁ ଜଣାଣ ରଚନା କରିଥିଲେ, ସେସବୁ ଏବେ ବି ଓଡ଼ିଶାର ପୁରପଲ୍ଲୀରେ ଅଗଣିତ ଭକ୍ତପ୍ରାଣ ହିନ୍ଦୁଙ୍କ କଣ୍ଠରେ ଆବୃତ ହେଉଅଛି । ବ୍ରିଟିଶ୍ ଐତିହାସିକ ଡବ୍ଲ୍ୟୁ, ଡବ୍ଲ୍ୟୁ, ହଣ୍ଟର୍ ଯଥାର୍ଥରେ ଲେଖିଛନ୍ତି : ‘‘ଓଡ଼ିଶାର ଦୁର୍ଦ୍ଦିନରେ ଜଗନ୍ନାଥଦେବ ଯୁଗେ ଯୁଗେ ଓଡ଼ିଶାବାସୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆହୋଇଛନ୍ତି । ଆକ୍ରମଣକାରୀର ଦାଉରେ ଓଡ଼ିଶାବାସୀମାନେ ଆତ୍ମରକ୍ଷା ପାଇଁ ବଣ-ପାହାଡ଼କୁ ପଳେଇଯିବାବେଳେ ମଧ୍ୟ ସେ ସେମାନଙ୍କ ସଙ୍ଗେ ସଙ୍ଗେ ଯାଇଛନ୍ତି । ଓଡ଼ିଶାବାସୀଙ୍କ ଉପରେ ଯେତେବେଳେ ଯାହା ଆପଦ ବିପଦ ପଡ଼ିଛି, ସେଥଧିରୁ ଜଗନ୍ନାଥଦେବ ମଧ୍ୟ ବାଦ୍ ପଡ଼ି ନାହାନ୍ତି-।’’ ଜଗନ୍ନାଥ ଓ ତାଙ୍କର ଆବାସସ୍ଥଳୀ ପୁରୀ ସହର ଏହି ଏକାନ୍ତ ଗଭୀର ପ୍ରଭାବ ହେତୁ 18ଶ ଶତାବ୍ଦୀରେ ଧର୍ମାନ୍ତର ଗ୍ରହଣ କରିଥିବା ଓଡ଼ିଶାର ଜଣେ ମୁସଲମାନ ସମ୍ରାଟ ଆକ୍ରମଣକାରୀମାନଙ୍କ ଧ୍ୱଂସକ୍ରିୟାରୁ ଜଗନ୍ନାଥ ବିଗ୍ରହ ଓ ମନ୍ଦିରର ପବିତ୍ରତା ରକ୍ଷାକରିବା ପାଇଁ ତତ୍କାଳୀନ ମରହଟ୍ଟା ଶାସନ କଟକର ନାଏବ-ନାଜୀମ୍‍ଙ୍କ ବିରୁଦ୍ଧରେ ଦୀର୍ଘକାଳ ଧରି ସଂଗ୍ରାମରେ ଲିପ୍ତ ରହିଥିଲେ (1) । ଶତାବ୍ଦୀ ପରେ ଶତାବ୍ଦୀ ବ୍ୟାପୀ କ୍ରମିକ ଅଭିବୃଦ୍ଧି ଫଳରେ ଜଗନ୍ନାଥଦେବଙ୍କର ବିପୁଳ ସମ୍ପତ୍ତି ଜମିଉଠିଥିଲା । ଜଣେ ଐତିହାସିକଙ୍କ ମତରେ ମୋଗଲଶାସକମାନେ ସେହି ସୂତ୍ରରୁ ବାର୍ଷିକ ଅନ୍ୟୂନ 100000 ପାଉଣ୍ଡ ରାଜସ୍ୱ ପାଉଥିଲେ-। ଐତିହାସକ ଡବ୍ଲ୍ୟୁ ହଣ୍ଟର (1871) ଲେଖିଛନ୍ତି : ‘‘ଜଗନ୍ନାଥଙ୍କର ବର୍ତ୍ତମାନ ଯାହା ମଠବାଡ଼ି ଓ ଜମିଜମା ଆଦି ଅଛି, ସେଥିରୁ ବାର୍ଷିକ 27,000 ପାଉଣ୍ଡ ପର୍ଯ୍ୟନ୍ତ ଆୟ ମନ୍ଦିରକୁ ମିଳୁଥିବ ବୋଲି ମୋର ମନେହେଉଛି । ତେଣୁ ଗଲା 15 ବର୍ଷର ହିସାବ ଧରିଲେ କେବଳ ଏଇଥିରୁ ଅନ୍ୟୂନ ଅର୍ଦ୍ଧନିୟୁତ ଷ୍ଟର୍ଲିଂ ବଡ଼ଦେଉଳକୁ ମିଳିଥିବା ଅସମ୍ଭବ ନୁହେଁ ।’’

 

ଏହି ଦେଉଳ ପ୍ରତିଷ୍ଠିତ ହେବା କାଳରୁ ଜଗନ୍ନାଥ ସାମ୍ରାଜ୍ୟର ସାର୍ବଭୌମ ଅଧୀଶ୍ୱର ରୂପେ ବିବେଚିତ ହେଉଥିଲେ । ତାଙ୍କରି ପ୍ରତିନିଧି ଓ ମୁଖ୍ୟ ସେବକ ହିସାବରେ କଳିଙ୍ଗର ସମ୍ରାଟ କେବଳ ଭାରପ୍ରାପ୍ତ ଶାସକ ମାତ୍ର ଥିଲେ । ମାଦଳାପାଞ୍ଜିରୁ ଜଣାଯାଏ, ଗଙ୍ଗ ରାଜବଂଶର ପ୍ରସିଦ୍ଧ ନରପତି ଅନଙ୍ଗଭୀମଦେବ ଏକ ଆଦେଶନାମାବଳରେ ଘୋଷଣା କରିଥିଲେ, ଜଗନ୍ନାଥଦେବ ଉତ୍କଳ ସାମ୍ରାଜ୍ୟର ଯଥାର୍ଥ ଅଧୀଶ୍ୱର ଥିବାରୁ ଏହି ସାମ୍ରାଜ୍ୟର ଶାସକ ରୂପେ କୌଣସି ରାଜା ସିଂହାସନାରୋହଣ କରିବା ମୁହୂର୍ତ୍ତରେ ତାଙ୍କର ଅଭିଷେକ ଉତ୍ସବ ହୋଇପାରିବ ନାହିଁ ।

 

ଓଡ଼ିଶା ଅଧିବାସୀଙ୍କ ଜୀବନ ଓ ଅବଚେତନ ଉପରେ ଜଗନ୍ନାଥଦେବଙ୍କର ଏହି ସର୍ବମୟ ପ୍ରଭାବ ଏବଂ ତାଙ୍କ ବଡ଼ଦେଉଳର ପ୍ରାଧାନ୍ୟ ଓ ପ୍ରାଚୁର୍ଯ୍ୟକୁ ଲକ୍ଷ୍ୟକରି ଓଡ଼ିଶା ଅଧିକାର କରିବାର ଅବ୍ୟବହିତ ପରେ ଇଷ୍ଟଇଣ୍ଡିଆ କମ୍ପାନୀର କର୍ତ୍ତୃପକ୍ଷଗଣ ଗଭର୍ଣ୍ଣର ଜେନେରାଲଙ୍କ ବିଶେଷ ଆଦେଶ ଅନୁଯାୟୀ, ଭାରେତ ଉପନିବେଶର ଏକ ବିରାଟ ଅଂଶରେ ବସବାସ କରୁଥିବା ଅଧିବାସୀମାନଙ୍କ ଶାନ୍ତି ଓ ସନ୍ତୋଷବିଧାନ ନିମନ୍ତେ ସେମାନଙ୍କ ଉପାସ୍ୟ ଦେବତା ଜଗନ୍ନାଥଦେବଙ୍କ ବଡ଼ଦେଉଳର ପାରମ୍ପରିକ ସେବାପୂଜା ଓ ନୀତିନିୟମରେ କମ୍ପାନୀ ଶାସନପକ୍ଷରୁ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି କରାନଯିବା ଲାଗି ଘୋଷଣା କରିଥିଲେ ।

 

ଏହି ଘୋଷଣାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଓଡ଼ିଶାବାସୀଙ୍କ ଅବଚେତନାରେ କେବଳ ନୁହେଁ, ବ୍ରିଟିଶ ଉପନିବେଶର ଏକ ବିପୁଳାଂଶରେ ବସବାସ କରୁଥିବା ଅଧିବାସୀମାନଙ୍କ ସୁଖଶାନ୍ତି ଦୃଷ୍ଟିରୁ, ଜଗନ୍ନାଥ ଦେଉଳର ପବିତ୍ରତା ଓ ସର୍ବମାନ୍ୟତା ନିତାନ୍ତ ଅପରିହାର୍ଯ୍ୟ ଥିଲା । ଓଡ଼ିଶାର ଗଜପତି ସମ୍ରାଟମାନଙ୍କର ବଂଶଧର ହିସାବରେ ଖୋର୍ଦ୍ଧା ରାଜବଂଶର ରାଜାମାନେ ଜଗନ୍ନାଥଙ୍କ ରାଜସେବକ ହୋଇଥିବାରୁ ଓଡ଼ିଶାର ଅଧିବାସୀମାନଙ୍କଦ୍ୱାରା ବିଶେଷ ଆଦୃତ ଓ ସମ୍ମାନିତ ହେଉଥିଲେ । ଓଡ଼ିଆମାନଙ୍କ ଦେଶପ୍ରେମ ଓ ଦେଶଭକ୍ତିର ସେ ଥିଲେ କେନ୍ଦ୍ରବିନ୍ଦୁ ।

 

ଖୋର୍ଦ୍ଧାର ଏହି ରାଜାଙ୍କ ପକ୍ଷରୁ କିଛି ବିପଦ ଆସିପାରେ ବୋଲି ବ୍ରିଟିଶ ସରକାରଙ୍କର ତିଳେମାତ୍ର ଆଶଙ୍କା ନ ଥିଲା; କିନ୍ତୁ ପୁରୀର ଠାକୁରରାଜା, ଖୋର୍ଦ୍ଧା ରାଜବଂଶର ମୁକୁନ୍ଦଦେବ ଅତୀତରେ ପାଇକମାନଙ୍କ ନେତୃତ୍ୱ ନେଇ ଓଡ଼ିଶାରେ କମ୍ପାନୀ ଶାସନର ମୂଳଦୁଆକୁ ଯେପରି ଭାବରେ ଦୋହଲାଇ ଦେଇଥିଲେ, ସେ କଥା ଅବଶ୍ୟ ବ୍ରିଟିଶ ଶାସକଗୋଷ୍ଠୀ ତଥାପି ଭୁଲିପାରି ନ ଥିଲେ । ସେହି ପାଇକ-ବିଦ୍ରୋହ ପରଠାରୁ ପୁରୀର ରାଜା, ବ୍ରିଟିଶ କୂଟନୀତିର ପରିଣାମରେ, ବଡ଼ଦେଉଳର ସୁପରିଣ୍ଟେଣ୍ଡେଣ୍ଟ୍ ବା ମୁଖ୍ୟ ପରିଚାଳକ ପଦରୁ ବିଚ୍ୟୁତ ହୋଇଥିଲେ ଓ ଓଡ଼ିଶାର ଆଞ୍ଚଳିକ ଶାନାଧୀନରେ ବଡ଼ଦେଉଳର ପରିଚାଳନା ନିୟନ୍ତ୍ରିତ ହେବାକୁ ଲାଗିଲା । ଏହା ଫଳରେ ଓଡ଼ିଶାର ଠାକୁର ରାଜାମାନେ ବଡ଼ଦେଉଳ ସହ ସେମାନଙ୍କର ପାରମ୍ପରିକ ସମ୍ପର୍କରୁ ବିଚ୍ୟୁତ ହେଲେ । ଦେଉଳର ଭଲମନ୍ଦ ଓ ଠାକୁରଙ୍କ ସେବାପୂଜା, ଉତ୍ସବ ଅନୁଷ୍ଠାନ ପରିଚାଳନା କରିବା ପାଇଁ ନାମକୁ ମାତ୍ର ଗୋଟିଏ ଲୋକଦେଖାଣିଆ ଟ୍ରଷ୍ଟିବୋର୍ଡ଼ ଗଠନ କରାଯାଇଥିଲା । ଏସବୁ ସତ୍ତ୍ୱେ ଜନସାଧାରଣଙ୍କ ଦୃଷ୍ଟିରେ ପୁରୀରାଜା ତଥାପି ଜଗନ୍ନାଥଙ୍କର ପ୍ରକୃତ ସେବକରୂପେ ବିବେଚିତ ହେଉଥିଲେ ।

 

କିନ୍ତୁ 1878 ମସିହାରେ ପୁରୀରାଜା ଦିବ୍ୟସିଂହ ଦେବ ଗୋଟିଏ ମିଥ୍ୟା ମର୍ଡ଼ର୍ କେସରେ ଅଭିଯୁକ୍ତ ହୋଇ ଆଣ୍ଡାମାନକୁ ଦ୍ୱୀପାନ୍ତରିତ ହୋଇଯିବା ପରେ ଜଗନ୍ନାଥ ଦେଉଳକୁ ପୂରାପୂରି ଅକ୍ତିଆର କରି ନବା ଲାଗି ବ୍ରିଟିଶ ସରକାରକୁ ମସ୍ତବଡ଼ ସୁବିଧା ମିଳିଗଲା । ଏହି ଘଟଣାର 4 ବର୍ଷ ପୂର୍ବେ ବଙ୍ଗଳାର ଲେଫ୍ଟ୍‍ନାଣ୍ଟ ଗଭର୍ଣ୍ଣର ସାର ରିଚାର୍ଡ଼ ଟେମ୍ପଲ କଟକ ଦରବାରକୁ ଆସିଥିବା ସମୟରେ ଦିବ୍ୟସିଂହ ଦେବ ତାଙ୍କୁ ଅପମାନିତ କରିଥିଲେ । ପୂର୍ବ-ପ୍ରଚଳିତ ପ୍ରଥାମତେ ସେଥର ଦିବ୍ୟସିଂହଙ୍କୁ ଠାକୁର ରାଜା ହିସାବରେ ଗଭର୍ଣ୍ଣରଙ୍କ ଦରବାରରେ ଯଥାଯୋଗ୍ୟ ସମ୍ମାନ ଦିଆଯାଇ ନ ଥିବାରୁ, ରାଜା ଦିବ୍ୟସିଂହ ଦେବ ଦରବାର ଛାଡ଼ି ଚାଲିଆସିଥିଲେ । ତାଙ୍କର ଏହି ଔଦ୍ଧତ୍ୟପୂର୍ଣ୍ଣ ଆଚରଣକୁ ବ୍ରିଟିଶ ରାଜଶକ୍ତି ପ୍ରତି ଏକ ନଗ୍ନ ଅପମାନ ବୋଲି ବିଚାରି ସାର୍ ରିଚାର୍ଡ଼ ସେହିଦିନଠାରୁ ଦିବ୍ୟସିଂହ ଦେବଙ୍କୁ କିପରି ଭାବରେ ଉପଯୁକ୍ତ ଶିକ୍ଷାଦେବେ, ତା’ରି ସୁଯୋଗ ଅନ୍ୱେଷଣ କରିବାରେ ଲାଗିଲେ । ଶେଷରେ ଦିବ୍ୟସିଂହ ଦେବଙ୍କ ବିରୁଦ୍ଧରେ ଗୋଟାଏ ନରହତ୍ୟା ମାମଲା ସୃଷ୍ଟି କରାଗଲା ଏବଂ ଏହି ମକଦ୍ଦମାର ବିଚାରରେ ଦିବ୍ୟସିଂହଙ୍କ ବିରୁଦ୍ଧରେ ନରହତ୍ୟା ଅଭିଯୋଗ ନିଃସନ୍ଦେହ ଭାବରେ ପ୍ରମାଣିତ ହୋଇ ନପାରିଥିଲେ ମଧ୍ୟ ତାଙ୍କୁ କିନ୍ତୁ ଏଥିରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

 

ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣି ପାଟମହାଦେଈ ଇଂରେଜ କର୍ମଚାରୀଗୋଷ୍ଠୀର ଚକ୍ରାନ୍ତ ଅବଗତ ହେବାମାତ୍ରେ ପୁରୋହିତ, ବ୍ରାହ୍ମଣ, ଦରବାରର ଅନ୍ୟାନ୍ୟ ପାତ୍ରମନ୍ତ୍ରୀଙ୍କ ସମେତ ପୁରୀ ସହରର ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରିଆଣି, ସେମାନଙ୍କ ଉପସ୍ଥିତିରେ ତାଙ୍କ ନାତି, ଦ୍ୱୀପାନ୍ତରିତ ଦିବ୍ୟସିଂହ ଦେବଙ୍କର 5 ବର୍ଷ ବୟସର ପୁଅକୁ ପୁରୀର ରାଜା ମୁକୁନ୍ଦଦେବ ନାମରେ ପୁରୀ ରାଜଗାଦିରେ ଅଭିଷିକ୍ତ କରାଇ, ନିଜେ ତାଙ୍କରି ପକ୍ଷରୁ ବଡ଼ଦେଉଳର ପରିଚାଳନା କରିବାକୁ ଲାଗିଲେ ।

 

କିନ୍ତୁ ଇଂରେଜ ଶାସନ କର୍ତ୍ତୃପକ୍ଷ ଏଥିରେ ସନ୍ତୁଷ୍ଟ ନ ହୋଇ ଦେଉଳ ପରିଚାଳନା ଦାୟିତ୍ୱ ରାଣୀଙ୍କ ହାତରୁ କାଢ଼ିନେଇଥିଲେ । ପୂର୍ବ ଚୁକ୍ତି ଅନୁଯାୟୀ ପୁରୀ ରାଜା ସରକାରୀ ରାଜକୋଷରୁ ବାର୍ଷିକ ଯେଉଁ ଟ 21,3331/4 ପାହୁଲା ପାଉଥିଲେ, ସେଥିରୁ ତାଙ୍କୁ ବଞ୍ଚିତ କରିଦିଆଗଲା । ପୁଣି ରାଜାଙ୍କର ଯାହା ଭୂ-ସମ୍ପତ୍ତି ଥିଲା, ସେ ସବୁର ଆୟ ମଧ୍ୟ କୋର୍ଟ ଆଦେଶବଳରେ ରାଜାଙ୍କୁ ବନ୍ଦ କରିଦିଆଗଲା ।

 

ଏହାପରେ ସୂର୍ଯ୍ୟମଣି ପାଟମହାଦେଈଙ୍କ ଆର୍ଥିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଲା । ଉଆସ ଆଉ ଦେଉଳର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବାକୁ ତାଙ୍କୁ ନାନାଆଡ଼ୁ ଋଣ କରିବାକୁ ପଡ଼ିଲା । ଜଗନ୍ନାଥଙ୍କ ସେବାପୂଜା ଓ ଅନ୍ୟାନ୍ୟ ଶାସ୍ତ୍ରୀୟ ବିଧିବିଧାନ ସମ୍ପାଦନ କରିବା ନିମନ୍ତେ ତାଙ୍କୁ ନାତିଙ୍କୁ ପୁରୀ ଠାକୁର ରାଜାଙ୍କ ଗାଦିରେ ଅଭିଷିକ୍ତ କରାଯାଇଥିବା ବିଷୟ ଫୋର୍ଟ ଉଇଲିଅମ୍‍ର ଶାସନ ମୁଖ୍ୟଙ୍କୁ ବାରମ୍ୱାର ଜଣାଇ ପୁରୀ ରାଜଗାଦିର ସମ୍ମାନ ଅକ୍ଷୂଣ୍ଣ ରଖିବାକୁ ଯେତେ ଅନୁରୋଧ କଲେ ମଧ୍ୟ ରାଜମାତା ସୂର୍ଯ୍ୟମଣି ପାଟମହାଦେଈଙ୍କ ସମସ୍ତ ଆବେଦନ ନିବେଦନ ବିଫଳ ହେଲା । (1) ଅନ୍ୟ ପକ୍ଷରେ, ବଡ଼ଦେଉଳର ପରିଚାଳନା ନିମନ୍ତେ ଜଣେ ରିସିଭର ନିଯୁକ୍ତ କରିବାକୁ ଦାବିକରି ସ୍ଥାନୀୟ ଶାସନ କର୍ତ୍ତୃପକ୍ଷ କୋର୍ଟରେ ମକଦ୍ଦମା ଦାଏର କଲେ-। ଏହି ମକଦ୍ଦମାର ବିଚାରରେ ଅଦାଲତ ସରକାରଙ୍କ ସପକ୍ଷରେ ରାୟ ଦେଇ ବଡ଼ଦେଉଳ ପରିଚାଳନା ଲାଗି ଜଣେ ରିସିଭର୍ ନିଯୁକ୍ତ କରିବାକୁ ସରକାରଙ୍କୁ କ୍ଷମତା ଦେଲେ ଏବଂ ନାବାଳକ ରାଜା ମୁକୁନ୍ଦଦେବଙ୍କ ପ୍ରତିନିଧି ସୂର୍ଯ୍ୟମଣି ପାଟମହାଦେଈଙ୍କୁ ଦେଉଳ ପରିଚାଳନାର ସମସ୍ତ ଅଧିକାରରୁ ଦୂରୀଭୂତ କଲେ । ଏହି ରାୟ ବିରୁଦ୍ଧରେ କଲିକତା ହାଇକୋର୍ଟରେ ମକଦ୍ଦମା ଲଢ଼ି ପ୍ରତିକାର ଲୋଡ଼ିବାକୁ ସୂର୍ଯ୍ୟମଣି ପାଟମହାଦେଈଙ୍କର ଆର୍ଥିକ କ୍ଷମତା ମଧ୍ୟ ଆଉ ନ ଥିଲା । ତେଣୁ ଏ ବିଷୟରେ ତାଙ୍କ ପକ୍ଷରୁ କିଛି କରିବାର ଆଉ ଉପାୟ ରହିଲା ନାହିଁ ।

 

ପୁରୀ ଠାକୁର ରାଜାଙ୍କ ପ୍ରତି ଇଂରେଜ ଶାସକଗୋଷ୍ଠୀର ଏ ପ୍ରକାର ଦୂର୍ବିନୀତ ବ୍ୟବହାର ସତ୍ତ୍ୱେ ଓଡ଼ିଶାର ଅଗଣିତ ଅଧିବାସୀଙ୍କ ହୃଦୟରେ କିନ୍ତୁ ସେହି ପରିବାର ପ୍ରତି ପୂର୍ବର ଚିରାଚରିତ ଭକ୍ତି ଓ ସମ୍ମାନ ତଥାପି ଅତୁଟ ରହିଥିଲା । ଜଗନ୍ନାଥଙ୍କ ବଡ଼ଦେଉଳର ପରିଚାଳନା ଦାୟିତ୍ୱରୁ ଗଜପତିଙ୍କ ବଂଶଧରମାନଙ୍କୁ ଉଚ୍ଛେଦ କରାଯିବା ବିରୁଦ୍ଧରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗଣବିକ୍ଷୋଭ ପ୍ରକାଶ ପାଇବାକୁ ଲାଗିଲା । 1866 ମସିହାରେ ଓଡ଼ିଶା ଡିଭିଜନର ବାର୍ଷିକ ଶାସନତାନ୍ତ୍ରିକ ରିପୋର୍ଟରେ ଏହି ବିଷୟ ନିମ୍ନମତେ ପ୍ରକାଶ ପାଇଥିଲା:

 

‘‘ପ୍ରଦେଶର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବହୁତ ବଡ଼ ବଡ଼ ସଭାସମିତି ଅନୁଷ୍ଠିତ ହୋଇ ପୁରୀ ବଡ଼ଦେଉଳ ମାମଲା ବିଷୟରେ ନାନା ଆଲୋଚନା ସମାଲୋଚନା ଏ ବର୍ଷ ହୋଇଥିବାର ଲକ୍ଷ୍ୟ କରିବାକୁ ମିଳିଲା । ଖୋଦ ପୁରୀ ସହରର ଗୋଟିଏ ମଠରେ ମଧ୍ୟ ଏହି ଉଦ୍ଦେଶ୍ୟରେ ଗୋଟିଏ ବିରାଟ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅନ୍ୟୂନ 5 ହଜାର ଲୋକ ଯୋଗଦେଇଥିଲେ । ଏହି ସଭାରେ ପୁରୀର ଜଣେ ସ୍ଥାନୀୟ ଓକିଲ ସଭାପତି ହୋଇଥିଲେ ।’’

 

ଉତ୍କଳ ସଭା ମଧ୍ୟ ପୁରୀର ଚିରାଚରିତ ଠାକୁର ରାଜାଙ୍କ ପ୍ରତି ଏହି ଅନ୍ୟାୟ ବିରୁଦ୍ଧରେ ଶତଜିହ୍ୱ ହୋଇଉଠିଥିଲା । ଏସବୁ ସତ୍ତ୍ୱେ, କାହିଁରେ ଅନ୍ୟାୟର ପ୍ରତିକାର ହେଲାନାହିଁ ।

 

ଏହିପରି ଏକ ନେରାଶ୍ୟମୟ ମୁହୂର୍ତ୍ତରେ, ଆର୍ଥିକ ସମ୍ୱଳ ନ ଥିଲେ ମଧ୍ୟ, କଲିକତା ହାଇକୋର୍ଟରେ ଏ ରାୟ ବିରୁଦ୍ଧରେ ଅପିଲ କରିବାଲାଗି ସୂର୍ଯ୍ୟମଣି ପାଟମହାଦେଈ ମଧୁସୂଦନଙ୍କର ସାହାଯ୍ୟ ଭିକ୍ଷା କରିବସିଥିଲେ । ମଧୁସୂଦନ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିଲେ ସୁଦ୍ଧା, ଓଡ଼ିଶା ଇତିହାସ ଓ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ ଜଗନ୍ନାଥଦେବଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ତଥାପି ଅକ୍ଷୂଣ୍ଣ ରହିଥିଲା । ତେଣୁ ପୁରୀ ବଡ଼ଦେଉଳ ମୂର୍ତ୍ତି-ପୂଜାର ସର୍ବଶ୍ରେଷ୍ଠ ପୀଠସ୍ଥଳୀ ହୋଇଥିଲେ ସୁଦ୍ଧା, ତାର ପୃଷ୍ଠପୋଷକ ଗଜପତି ସମ୍ରାଟଙ୍କ ପରିବାର ପ୍ରତି କରାଯାଇଥିବା ଅନ୍ୟାୟ ବିରୁଦ୍ଧରେ ପ୍ରତିକାର କରିବା ମଧୁସୂଦନଙ୍କ ବିଚାରରେ ଦୂଷଣୀୟ ବା ଅନ୍ୟାୟ ନଥିଲା । ଆନନ୍ଦରେ ମଧୁସୂଦନ ଏହି ମକଦ୍ଦମା ହାତକୁ ନେଇ କଲିକତା ହାଇକୋର୍ଟରେ ଲଢ଼ିବାଲାଗି ମି: ଟି ଉଡ଼ୁରଫ୍ ଆଦି ବିଖ୍ୟାତ ଇଂରେଜ ବାରିଷ୍ଟରମାନଙ୍କୁ ନିଯୁକ୍ତ କରିଥିଲେ । ଏହି ମକଦ୍ଦମାରେ ଜିତିବାର ତିଳେମାତ୍ର ସମ୍ଭାବନା ଥିଳା ବୋଲି କାହାରି ମନରେ ବିଶ୍ୱାସ ନଥିଲା । ସେହି କାରଣରୁ ମଧୁସୂଦନ ଏଥିରେ ଏପରି ମାତିଉଠିଥିବା କଥା ଯିଏ ଶୁଣିଲା, ସେ ତାଙ୍କୁ ଗୋଟିଏ ପାଗଳ ବୋଲି ଭାବିଲା । ଏପରିକି ଏ ମକଦ୍ଦମାରେ ଜଡ଼ିତ ଥିବା ଇଂରେଜ ବାରିଷ୍ଟରମାନଙ୍କ ମନରେ ମଧ୍ୟ ଏହାର ଫଳାଫଳ ସମ୍ୱନ୍ଧରେ ଘୋର ସନ୍ଦେହ ରହିଥିଲା । ସମସ୍ତଙ୍କର ସେହି ସନ୍ଦେହ ଓ ଅବିଶ୍ୱାସ କାରଣରୁ ହିଁ ପାଟମହାଦେଈଙ୍କର ପକ୍ଷ ସମର୍ଥନ କରିବାରେ ମଧୁସୂଦନଙ୍କ ଆଗ୍ରହ ଓ ଜିଦ୍ ବରଂ ଶତଗୁଣ ବଢ଼ିଯାଇଥିଲା ।

 

ହାଇକୋର୍ଟରେ ଏହି ଅପିଲ ମକଦ୍ଦମା ଚାଲିଥିବା ସମୟରେ ଏଥିପ୍ରତି ଶାସନ କର୍ତ୍ତୃପକ୍ଷ ଓ ଦେଶର ଶିକ୍ଷିତ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣପୂର୍ବକ ପୁରୀର ଗଜପତିବଂଶ ପ୍ରତି କରାଯାଇଥିବା ଅନ୍ୟାୟ ବିଷୟ ସମ୍ୱାଦପତ୍ରରେ ଆଲୋଚନା କରିବା ସ୍ଥିରକରି ‘‘ଉତ୍କଳ ଦୀପିକା’’ର ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭରେ ମଧୁସୂଦନ ଇଂରେଜୀରେ ଦୁଇଖଣ୍ଡ ଚିଠି ପ୍ରକାଶ କରିଥିଲେ; ମାତ୍ର ଏହି ପତ୍ର ଦୁଇଟିରେ ସେ ନିଜ ନାମ ନ ଦେଇ, ପତ୍ର ଲେଖକ ‘ଗୋଟାଏ ପାଗଳ’ ବୋଲି ନାମ ରଖିଥିଲେ । କୋର୍ଟ ଅବମାନନା ଅଭିଯୋଗରୁ ରକ୍ଷାପାଇବା ପାଇଁ ଏହି ପତ୍ର ଦୁଇଟିକୁ କପୋଳକଳ୍ପିତ ଗୋଟିଏ ସ୍ୱପ୍ନର ବିବରଣୀ ପରି ରଚନା କରାଯାଇଥିଲା । ମଧୁସୂଦନଙ୍କ ରଚନାଶୈଳୀ ବିଶେଷ ଉନ୍ନତ ଧରଣର ଥିଲା ଏବଂ ସାମ୍ୱାଦିକତା ଦୃଷ୍ଟିରୁ ତାଙ୍କର ଲେଖାଗୁଡ଼ିକ ମଧ୍ୟ ଭାଷାର ପ୍ରାଖର୍ଯ୍ୟ, ଶାଣିତ, ବିଦ୍ରୂପ ଓ କଳ୍ପନାପ୍ରବଣତା ଆଦି ଗୁଣରେ ପରିପୂର୍ଣ୍ଣ ଥିଲା । ନିମ୍ନରେ ସେହି ପ୍ରତ ଦୁଇଟିର ଅନୁବାଦ ଦିଆଯାଇଅଛି ।

 

ପ୍ରଥମ ପତ୍ର

 

ଭାରତର ବିଭିନ୍ନ ପ୍ରେସିଡ଼େନ୍ସିରୁ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ବିଭିନ୍ନ ପତ୍ରପତ୍ରିକା ଓ ଇଂରାଜୀ ସମ୍ୱାଦପତ୍ରମାନଙ୍କରେ ପୁରୀ ଜଗନ୍ନାଥ ଦେଉଳ ମାମଲା ବିଷୟରେ ଯେଉଁ ସବୁ ସମ୍ୱାଦ ପ୍ରକାଶ ପାଇଅଛି, ସେଥିରୁ ଗୁଡ଼ିଏ ମୁଁ ଏ ମଧ୍ୟରେ ପଢ଼ାପଢ଼ି କରି ସାରିଲିଣି । ସେ ସବୁକୁ ଏକାଠି କରି ତାକୁ ଖଣ୍ଡେ ପାମ୍ପଲେଟ୍ ଭାବରେ ଛପାଇଲେ ତାହା ସାଧାରଣ ପାଠକଙ୍କ ମଧ୍ୟରେ ବିଶେଷ ଆଦୃତ ହେବ ବୋଲି ମୁଁ ଭାବୁଛି । ସରକାର ବାହାଦୂର କି ମତଲବ ନେଇ ଏହି ମାମଲା ଦାଏର କରିବାକୁ ଗଲେ, ସେଇକଥା ଦିନେ ସନ୍ଧ୍ୟାବେଳେ ବସି ବସି ମୁଁ ଭାବୁଥିଲି । ମୁଁ ଦାର୍ଶନିକ ନୁହେଁ ବା ବିଭିନ୍ନ ଘଟଣାଗୁଡ଼ିକୁ କାର୍ଯ୍ୟକାରଣ ସହ ସମୟାନୁକ୍ରମେ ସଜେଇ ଲେଖିବାର ପଞ୍ଜିକାର ନୁହେଁ । ‘ଉଦ୍ଦେଶ୍ୟ’ ଓ ‘ମତଲବ’—ଏହି ଶବ୍ଦ ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ମୁଁ ନିଜେ ଏଯାଏ ଭଲଭାବରେ ଧରିପାରିନାହିଁ । ତେଣୁ ମୁଁ ଯଦି ଶବ୍ଦର ଅର୍ଥ ଠିକଣା ଭାବରେ ନ ବୁଝି ‘ମତଲବ’ ଶବ୍ଦଟା ଭୁଲ ଭାବରେ ବ୍ୟବହାର କରିଥାଏ, ତେବେ ସମ୍ପାଦକ ମହାଶୟେ ! ସେଥିପାଇଁ ଆପଣ ମତେ କ୍ଷମା କରିବେ । ବଡ଼ ବଡ଼ ସରକାରୀ ଚାକିରିଆଙ୍କଠାରୁ ଆରମ୍ଭକରି ଗାଁଗହଳିର ମଳିମୁଣ୍ଡିଆ ଚଷାପୁଅଯାଏ ଭାତରରେ ବସବାସ କରୁଥିବା ପ୍ରତ୍ୟେକ ଶ୍ରେଣୀର ଲୋକେ, ଏହି ମାମଲା ସୁରୁ କରିବା ଫଳରେ ସରକାରଙ୍କ କି ମତଲବ ଥିଲା, ସେ ବିଷୟରେ ଯେଉଁ ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲେ, ମୁଁ ନିଜେ ଗୋଟି ଗୋଟି କରି ସେଗୁଡ଼ିକୁ ପରୀକ୍ଷା କରିବା ଆରମ୍ଭ କରିଦେଲି । କିନ୍ତୁ କାହାରି ମତାମତ ମୋ ମନକୁ ଗଲାନାହିଁ । କେତେକେ କହୁଛନ୍ତି, ଠାକୁରଙ୍କ ସେବାପୂଜା ମେଳା-ମଉଛବରେ ଉନ୍ନତି କରିବା ସରକାରଙ୍କ ଅସଲ ଅଭିପ୍ରାୟ; କିନ୍ତୁ ଖ୍ରୀଷ୍ଟାନ୍ ସରକାରଙ୍କ ପରେ ଏହା ଗୋଟିଏ ସମ୍ପୂର୍ଣ୍ଣ ଅକରଣୀୟ କାର୍ଯ୍ୟ । ପୁଣି ଧର୍ମ ସଂକ୍ରାନ୍ତୀୟ ସରକାରଙ୍କ ଘୋଷିତ ନୀତିର ଏହା ପୂରାପୂରି ବିରୋଧ କରୁଅଛି । ତେଣୁ ଲୋକଙ୍କର ଏ ସଂକ୍ରାନ୍ତୀୟ ମତାମତରେ ମୋ ମନ ମାନୁନାହିଁ । ଖ୍ରୀଷ୍ଟାନ୍ ସରକାର ମାସକୁ ମାସ ଦରମା ଦେଇ ହିନ୍ଦୁ ଦେଉଳମାନଙ୍କର ପଣ୍ଡା ପଢ଼ିହାରି ନିୟୋଗ କରିବେ ବୋଲି ମୋର ମନେହେଉନାହିଁ । ତା ଛଡ଼ା ଭାରତ ଆଉ ବିଲାତରେ ଯେତେ ଯେତେ ଖ୍ରୀଷ୍ଟାନ୍ ପ୍ରଜା ଅଛନ୍ତି, ସେ ସମସ୍ତଙ୍କୁ ଆମ ଭାରତ ସରକାର ହଲପ ଦେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ, ପୁରୀର ଏ ବଡ଼ଦେଉଳ ସାଙ୍ଗରେ ସରକାର କେବେହେଲେ ଭୁଲରେ ବି ସୁଦ୍ଧା କିଛି ସମ୍ପର୍କ ରଖିବେ ନାହିଁ । ଭାରତର ମହାମାନ୍ୟ ଗଭର୍ଣ୍ଣର ଜେନେରାଲଙ୍କ ବିବୃତି, କାଉନସିଲରେ ଥିବା ମହାମାନ୍ୟ ମେମ୍ୱରମାନଙ୍କ ଭାଷଣ, କୋର୍ଟ-ଅଫ-ଡାଇରେକ୍ଟର୍‍ସଙ୍କ କାଗଜପତ୍ର, ଭାରତର ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟଗୁଡ଼ିକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜବାବ ଓ କମନ୍ସ ସଭାରେ ମହାମାନ୍ୟ ସଭ୍ୟ ଇଙ୍ଗେଲସ୍ ଓ କିନାର୍ଡ଼ଙ୍କ ବକ୍ତୃତା ଆଦିରୁ ସରକାରଙ୍କ ଏହି ମୀମାଂସାର ନଜିର ଯେ କେହି ଅକ୍ଳେଶରେ ପାଇପାରିବେ । ଏ ସବୁ ଦୃଷ୍ଟେ, ମୁଁ ଦୃଢ଼ତାର ସହିତ କହିପାରେ ଯେ, ମନ୍ଦିରର ପରିଚାଳନାରେ ଉନ୍ନତି ଘଟାଇବା ସରକାରଙ୍କ ମତଲବ ବୋଲି ଯେଉଁମାନେ ଭାବୁଚନ୍ତି, ସେ ସବୁ ପୂରାପୂରି ଭୁଲ । ତଥାପି ମୁଁ ଜାଣେ, ଖାଲି ଭାରତରେ ନୁହେଁ, ଇଂଲଣ୍ଡରେ ବି ଏମିତି ଅନେକେ ଅଛନ୍ତି, ଯେଉଁମାନେ କି ଲୋକଙ୍କର ସେହି ଭୁଲଧାରଣାଟାକୁ ନିରୋଳା ସତ ବୋଲି ଧରିନେଇଛନ୍ତି । ମୁଁ ଶୁଣୁଚି, ଏ ଖବର ଯାଇ ବିଲାତରେ ଖ୍ରୀଷ୍ଟିଆନ ଲୋକମାନଙ୍କ କାନରେ ମଧ୍ୟ ପଡ଼ିଲାଣି । ଅନ୍ୟ କାହା କଥା ଆଉ କହିବା କଣ, ଦେଉଳର ପରିଚାଳନାରେ ଉନ୍ନତି ଆଣିବା ଲାଗି ସରକାର ମକଦ୍ଦମା ଦାଏର କରିଛନ୍ତି ବୋଲି ସେମାନେ ମଧ୍ୟ ପୂରାପୂରି ବିଶ୍ୱାସ କରିବାକୁ ଆରମ୍ଭ କଲେଣି ।

 

ଆଉ କେତେକେ ବି ଏମିତି ବିଶ୍ୱାସ କରୁଛନ୍ତି କି, ବାସି ମହାପ୍ରସାଦ ଖାଇବା ଫଳରେ ରୋଗବ୍ୟାଧି ବ୍ୟାପୀ ଯେପରି ପ୍ରାଣହାନି ଘଟାଉଅଛି, ତାହା ବିରୋଧ କରିବା ମତଲବରେ ସରକାର ଏ ମକଦ୍ଦମାରେ ପଶିଛନ୍ତି । ଏ କଥାଟାରେ ବି ମୋ ମନ ମାନୁନାହିଁ; କାରଣ ଏହା କିପରି ଯେ ବନ୍ଦ କରାଯାଇପାରିବ, ତାର କିଛି ଉପାୟ ଅଛି ବୋଲି ମୁଁ ଦେଖିପାରୁନାହିଁ । ହିନ୍ଦୁମାନେ ମହାପ୍ରସାଦକୁ ସବୁଠାରୁ ପବିତ୍ର ପଦାର୍ଥ ବୋଲି ବିଚାରନ୍ତି । ତେଣୁ ଏଥିରୁ କିଛି ଫୋପାଡ଼ି ନଷ୍ଟ କରିଦେବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ପୁରୀକୁ ଯେଉଁମାନେ ତୀର୍ଥ କରିବାକୁ ଆସନ୍ତି, ସେମାନେ ସେମାନଙ୍କର ଆତ୍ମୀୟ ସ୍ୱଜନମାନଙ୍କ ପାଇଁ ଏହି ମହାପ୍ରସାଦକୁ ସାଙ୍ଗରେ ଧରି ହଜାର ହଜାର ମାଇଲ ବାଟ ଯିବା ଆସିବା କରିଥାନ୍ତି । ଶେଷରେ ଏହି ମହାପ୍ରସାଦ ଯାଇ ଘାଟିଜାଗାରେ ପହଞ୍ଚିବାବେଳକୁ ଏହା ପ୍ରାୟ ଆଉ ମନୁଷ୍ୟ ଖାଦ୍ୟୋପଯୋଗୀ ଅବସ୍ଥାରେ ନ ଥାଏ । ତେଣୁ ପୁରୀ ମନ୍ଦିରର ପରିଚାଳନାରେ ଯେତେ ଯାହା ପରିବର୍ତ୍ତନ କରାଗଲେ ମଧ୍ୟ ପଞ୍ଜାବ ଆଉ ବମ୍ୱେ ପ୍ରେସିଡ଼େନ୍ସି ଆଦି ସୁଦୂର ଅଞ୍ଚଳମାନଙ୍କର ଲୋକମାନଙ୍କୁ ଏହି ସଢ଼ାପଚା ଅଖାଦ୍ୟ ଖାଇବାରୁ କିପରି ବା ନିବର୍ତ୍ତା ଯାଇପାରିବ ସେ କଥା ମୁଁ ଭାବିପାରୁନାହିଁ ।

 

ତେଣୁ ଯେଉଁମାନେ ଏ ଅଖାଦ୍ୟ ଖାଇବେ, ସେମାନଙ୍କୁ ଦଣ୍ଡବିଧାନ କରିବାକୁ ଭାରତୀୟ ପିଙ୍ଗଳ କୋର୍ଡ଼ରେ ଏକ ନୂଆ ବ୍ୟବସ୍ଥା ଖଞ୍ଜିଲେ ଯାଇ ଏହାର ଠିକଣା ସମାଧାନ କରିହେବ । କିନ୍ତୁ ଏହା କରିବାକୁ ବିଧାୟକ ମଣ୍ଡଳୀର ସାହସ ଅଛି ତ ?

 

ଏହିପରି ନାନାଆଡ଼ୁ ନାନାକଥା ଚିନ୍ତା କରୁ କରୁ ମୋ ଆଖିକି ନିଦ ଲାଗିଗଲା । ନିଦରେ ମୁଁ ଗୋଟାଏ ସ୍ୱପ୍ନ ଦେଖିଲି । ମୁଁ ସ୍ୱପ୍ନ ଦେଖୁଥାଏ—ସାର୍ ଜର୍ଜ କାମ୍ପବେଲ ଖୋର୍ଦ୍ଧାର ସେଟଲମେଣ୍ଟ ଅଫିସରଙ୍କ ସହିତ ବଡ଼ ଜୋରସୋର କ’ଣ କଥାବାର୍ତ୍ତା ଚଳେଇଛନ୍ତି । ସେଟଲମେଣ୍ଟ ଅଫିସରଙ୍କ ନାଁଟା ଅବଶ୍ୟ ମୁଁ ଜାଣିପାରିଲି ନାହିଁ; କିନ୍ତୁ ସେମାନେ ଯେ କିଛି ଗୋଟାଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା ଚଳେଇଥାନ୍ତି, ତାହା ସେମାନଙ୍କୁ ଢଙ୍ଗଢ଼ାଙ୍ଗରୁ ବେଶ୍ ବୁଝା ପଡ଼ିଯାଉଥାଏ । ସେଟଲମେଣ୍ଟ ଅଫିସର ସାର୍ ଜର୍ଜଙ୍କୁ ବୁଝୋଉଥାନ୍ତି; ଖୋର୍ଦ୍ଧା ମାହାଲର ଗୋଟାଏ କିସମତ୍ ବିନା ସର୍ତ୍ତରେ ପୁରୀ ବଡ଼ଦେଉଳଙ୍କୁ ଦିଆହୋଇ ଯାଇଥିବାରୁ ଖୋର୍ଦ୍ଧା ମାହାଲ ଉପରେ ଆଉ ରେଭିନ୍ୟୁ ବଢ଼େଇବା ସମ୍ଭବ ନୁହେଁ; କିନ୍ତୁ ସାର୍ ଜର୍ଜଙ୍କର ସେହି ଏକା ଜିଦ୍, ଯେକୌଣସିମତେ ଖୋର୍ଦ୍ଧା ମାହାଲ ଉପରେ ରାଜସ୍ୱ ବୃଦ୍ଧି କରିବା ଦରକାର । ସେଟଲମେଣ୍ଟ ଅଫିସର ବିଚାରା ସାହେବଙ୍କ କଥା ଅନୁଯାୟୀ କାର୍ଯ୍ୟ କରିବାକୁ ପୂରାପୂରି ରାଜିଥିଲେ; କିନ୍ତୁ ତାଙ୍କ କହିବା କଥା, ଖୋର୍ଦ୍ଧା ମାହାଲର ଯେଉଁ ଅଂଶଟା ଖୋର୍ଦ୍ଧାରାଜାଙ୍କୁ ଦତ୍ତ କରି ଦିଆଯାଇଛି, ସେହି ଦତ୍ତପତ୍ରରେ ତ ସର୍ତ୍ତ ରହିଛି ଯେ ସେହି ଦାନ ସମ୍ପତ୍ତି ଉପରେ ଆଉ କେବେହେଲେ ରାଜସ୍ୱ ବୃଦ୍ଧି କରିହେବ ନାହିଁ । ତେଣୁ ପୂରା ମାହାଲଟାର ଗୋଟାଏ ଅଂଶରେ ରାଜସ୍ୱ ବୃଦ୍ଧି କରାଯାଇ ପାରୁ ନଥିବା ସ୍ଥଳେ, ଅନ୍ୟ ଅଂଶଟା ଉପରେ ରାଜସ୍ୱ ବଢ଼େଇବା ସମ୍ଭବ ହେବ କିପରି ? ଏ କଥା ଶୁଣି ସାର୍ ଜର୍ଜ ପରିଷ୍କାରଭାବରେ ବୁଝାଇଦେଲେ ଯେ, ସେଟଲମେଣ୍ଟ ଅଫିସର ଯେଉଁ ଦାନପତ୍ର କଥା ଉଠୋଉଛନ୍ତି, ସେଥିରେ ଜମାବୃଦ୍ଧି କରା ନ ଯିବା କଥା ଉଲ୍ଲେଖ ଅଛି ସିନା, କିଛି ଜମିବାଡ଼ି ବା ସମ୍ପତ୍ତି ଦିଆନିଆ ବିଷୟ ସେଥିରୁ କିଛି ବୁଝାପଡ଼ୁ ନାହିଁ । ସେଟଲମେଣ୍ଟ ଅଫିସରଙ୍କ ମନକୁ ସାର୍ ଜର୍ଜଙ୍କର ଏହି କଥାଟା ବେଶ୍ ପାଇଗଲା । ଠିକ୍ ଏହି ସମୟରେ ଗୋଟାଏ କଣ ଶବ୍ଦରେ ମୋ ନିଦ ଭାଙ୍ଗିଗଲା । ମୁଁ ନିଦରୁ ଉଠିପଡ଼ି ଦେଖିବାବେଳକୁ ସେଠି ସାର୍ ଜର୍ଜ ନାହାନ୍ତି, କି ଖୋର୍ଦ୍ଧାର ସେ ସେଟଲମେଣ୍ଟ ଅଫିସର ବି ଆଉ ନାହାନ୍ତି । ମତେ ପୁଣି ସାଙ୍ଗେ ସାଙ୍ଗେ ନିଦ ଲାଗିଗଲା; ଆଉ ଅତି ଆଶ୍ଚର୍ଯ୍ୟର କଥା ମୁଁ ଦେଖିଲି ଯେ, ପୂର୍ବର ସେ ଦୃଶ୍ୟ ବର୍ତ୍ତମାନ ପୂରାପୂରି ବଦଳିଯାଇଛି । ଏଥର ସାର୍ ଜର୍ଜ ଆଉ ଜଣେ ନୂଆ ଲୋକଙ୍କ ସହିତ କଥା ହଉଥାନ୍ତି । ପରେ ଜାଣିଲି, ଏ ନୂଆ ଲୋକଜଣକ ହଉଚନ୍ତି ଭାରତ ବିଭାଗର ସେକ୍ରେଟେରି-ଅଫ୍-ଷ୍ଟେଟ୍ । ସାର ଜର୍ଜ ମନୋମୁଖୀଭାବରେ ଖୋର୍ଦ୍ଧା ରାଜାଙ୍କ ଦାନପତ୍ରର ଅର୍ଥ-ଅର୍ଥାନ୍ତର କରିଥିବା ହେତୁ, ଏ ନୂଆ ଲୋକଜଣକ ତାଙ୍କୁ ବହୁତ କଡ଼ା କଥା ଶୁଣାଉଥିଲେ ଓ ଖୋର୍ଦ୍ଧା ସେଟଲମେଣ୍ଟ ଅଫିସରଙ୍କ ଅନ୍ୟାୟ କାର୍ଯ୍ୟର ମଧ୍ୟ ଘୋର ସମାଲୋନା କରୁଥିଲେ । ହଠାତ୍ ପୁଣି ଗୋଟାଏ ଶବ୍ଦରେ ମୋ ନିଦ ଭାଙ୍ଗିଗଲା । ଆଖିମେଲି ମୁଁ ଦେଖିଲି, ପାଖରେ ରଖାଯାଇଥିବା ଗୋଟାଏ ଡ୍ରେସିଂଟେବୁଲ ଡ୍ରୟର ଭିତରୁ ବଡ଼ ମୂଷାଟାଏ ବାହାରି ଆସିବାକୁ ଚେଷ୍ଟା କରିବା ଫଳରେ ଡ୍ରୟରଟା ଖଡ଼୍ ଖଡ଼୍ ଶବ୍ଦ କରୁଚି ।

 

କେଇ ମିନିଟ୍ ଭିତରେ ମତେ ପୁଣି ନିଦ ଲାଗିଗଲା । ଏଥର ମୁଁ ପୁଣି ଆଉ ଗୋଟିଏ ନୂଆ ଦୃଶ୍ୟ ସ୍ୱପ୍ନରେ ଦେଖିବାକୁ ପାଇଲି । ମୁଁ ଦେଖିଲି, ଗୁଡ଼ାଏ ଲୋକଙ୍କୁ ଧରି ସାର୍ ଆସଲେ ଇଡ଼େନ ଖୋର୍ଦ୍ଧା ସେଟଲମେଣ୍ଟ ବିଷୟରେ ଗଭୀର ମନ୍ତ୍ରଣା ଚଳେଇଛନ୍ତି । ଏ ସଭାରେ ଉପସ୍ଥିତ ଥିବା ବିଭିନ୍ନ ବ୍ୟକ୍ତି କିଏ କଣ କହୁଥିଲେ, ସେ ସବୁ ଜାଣିବାକୁ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ନାହିଁ, କି ସପନଦେଖା ସେ ସବୁ କଥା ମୁଁ ଆପଣମାନଙ୍କୁ ଠିକ୍ ଠିକ୍ ବତେଇ ପାରିବି ନାହିଁ । କିନ୍ତୁ ଶେଷରେ ସେ ସମସ୍ତେ ଏଇ କଥାଟି ସ୍ଥିର କଲେ ଯେ, ଖୋର୍ଦ୍ଧା ରାଜାଙ୍କ ହାତରୁ ବଡ଼ଦେଉଳର ପରିଚାଳନା ଦାୟିତ୍ୱ କାଢ଼ି ଆଣିବା ଲାଗି ଆବଶ୍ୟକୀୟ ଆଇନ୍ ଖୁବ୍ ଶୀଘ୍ର ପ୍ରଣୟନ କରିବାକୁ ହେବ । ତାହାହେଲେ, ତାଙ୍କୁ ଖୋର୍ଦ୍ଧା ମାହାଲର ଯେଉଁ ଅଂଶ ଜଗନ୍ନାଥଙ୍କ ସେବାପୂଜା ଲାଗି ଦତ୍ତପତ୍ର କରିଦିଆଯାଇଛି, ତାହା ବଳେ ବଳେ ଖାରଜ ହେଇଯିବ ଏବଂ ଖୋର୍ଦ୍ଧା ମାହାଲରେ ସାନି ଜମାବନ୍ଦି କରିବା ଲାଗି ଯେଉଁ ଅସୁବିଧା ଉପୁଜିଛି ତାହା ମଧ୍ୟ ଆଉ ରହିବ ନାହିଁ । ସପନ ଦେଖୁ ଦେଖୁ ରାତି ପାହିଆସିଲା । କୁକୁଡ଼ାଏ ରାବିବାରେ ଲାଗିଗଲେ । ମୋ ନିଦ ଭାଙ୍ଗିଗଲା । ସପନ-ରାଇଜ ପରୀଙ୍କ ତୁଣ୍ଡରୁ ଶାସନକଳର ଭିତିରି କଥା ଶୁଣିବାର ସୁବିଧା ମୁଁ ଆଉ ପାଇପାରିଲି ନାହିଁ ।

 

ଏ ସପନ କଥା ଭାବିବାବେଳକୁ ମତେ ଭାରି କାବା ଲାଗୁଥାଏ । ସେଥିରେ କିଛି ସତ୍ୟତା ଅଛି କି ନାହିଁ ସେ ବିଷୟ ଜାଣିବା ଲାଗି ମୁଁ ନାନାଆଡ଼ୁ ବୁଝାବୁଝି କରିବାରେ ଲାଗିଲି । କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ଯେ, ଖୋର୍ଦ୍ଧା ରାଜାଙ୍କୁ ବଡ଼ଦେଉଳର ସୁପରିଣ୍ଟେଣ୍ଡେଣ୍ଟ ହିସାବରେ ଖୋର୍ଦ୍ଧା ମାହାଲର ଯେଉଁ କିସମତ୍‍ଟା ଦିଆଯାଇଥିଲା, ସେଇ ଇଲାକାରେ ରାଜା ପୁଣି ସେଟଲମେଣ୍ଟ କରେଇଥିଲେ । ଯେଉଁ ପ୍ରଜାମାନଙ୍କଠାରେ ଖଜଣା ବାକି ରହିଥିଲା, ସାର୍ଟିଫିକେଟ୍ କେସ୍ କରି ରାଜା ସେମାନଙ୍କଠାରୁ ସେଇ ସବୁ ଖଜଣା ଆଦାୟ କରିଥିଲେ । ଯେଉଁ ଉଦ୍ଦେଶ୍ୟରେ ରାଜାଙ୍କୁ ସମ୍ପତ୍ତି ଦିଆଯାଇଥିଲା, ସେ ସବୁ ଭୁଲି ରାଜା ଭାବିନେଇଥିଲେ ସତେ ଅବା ଜମାବୃଦ୍ଧି କରି ପ୍ରଜାଙ୍କଠାରୁ ସେ ସବୁ ଆଦାୟ କରିବା ହଉଚି ତାଙ୍କର ଏକମାତ୍ର କର୍ତ୍ତବ୍ୟ ।

 

ପ୍ରିୟ ସମ୍ପାଦକ ମହାଶୟେ ! ମୁଁ ଯେଉଁ ସ୍ୱପ୍ନର ବିବରଣ ଉପରେ ବର୍ଣ୍ଣନା କଲି, ତାହାର ଯଥାର୍ଥ ରହସ୍ୟ ଉଦ୍‍ଘାଟନ କରିବା ପରି କୌଣସି ଲୋକକୁ ଆପଣ ଜାଣନ୍ତି କି ? କିମ୍ୱା ଆପଣ ମତେ ଏପରି କୌଣସି ସରକାରୀ କର୍ମଚାରୀଙ୍କ ସନ୍ଧାନ ଦେଇପାରିବେ କି, ଯିଏ କି ମତେ କହିପାରିବ, ଏହି ସ୍ୱପ୍ନରେ କିଛି ସତ୍ୟତା ଥିଲା, କି ଏସବୁ ପୂରାପୂରି ବାସ୍ତବତାହୀନ ତୁଚ୍ଛା ଗୋଟାଏ ସ୍ୱପ୍ନ ।

 

Unknown

ଦ୍ୱିତୀୟ ପତ୍ର

 

ମୋର ପ୍ରଥମ ପତ୍ରଟି ପ୍ରକାଶ କରିଥିବା ହେତୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଅଛି । ମୋ ପରି ଗୋଟାଏ ପାଗଳର ପ୍ରଳାପ ଆପଣଙ୍କ ପରି ଗୋଟିଏ ସମ୍ୱାଦପତ୍ରର ସମ୍ପାଦକଙ୍କ ପକ୍ଷରେ ଗ୍ରହଣୀୟ ହୋଇଥିବା ମୋ ପକ୍ଷରେ କମ୍ ଆଶ୍ୱସ୍ତିର କଥା ନୁହେଁ । ମୁଁ କିନ୍ତୁ ଭାବୁଚି ଯେ, ମୁଁ କେବେହେଲେ ଗୋଟାଏ ପାଗଳ ନୁହେଁ; ମାତ୍ର ଲୋକେ କହନ୍ତି ଯେ ମୁଁ ଗୋଟାଏ ପାଗଳ । ଥରେ ଜଣେ ଇଂରେଜ ଲୋକଙ୍କ ସହିତ ମୁଁ ପୁରୀ ବଡ଼ଦେଉଳ ମାମଲା ବିଷୟ ଆଲୋଚନା କରୁଥିଲି । ସେ ଭଦ୍ରଲୋକ ଜଣକ, ସାରା ଭାରତରେ ଜଣେ ବୁଦ୍ଧିମାନ୍ ଲୋକ ବୋଲି ସମସ୍ତେ କହନ୍ତି । ସେ ଲୋକ ବି ମତେ ଶେଷରେ ପାଗଳ ବୋଲି କହିଲେ । ଶେଷକୁ ଚିଠିପତ୍ର ଆଦାନପ୍ରଦାନ ମାଧ୍ୟମରେ ସେ ବିଷୟଟିର ଆଲୋଚନା କରିବାକୁ ମୁଁ ତାଙ୍କୁ ଜଣାଇଲି ଏବଂ କହିଲି ଯେ, ସେ ଯଦି ରାଜିଥାଆନ୍ତି ତେବେ ମୋ ପ୍ରସ୍ତାବକୁ ଗ୍ରହଣ କରିପାରନ୍ତି । ତା’ପରେ ତାଙ୍କ ମୋ ଭିତରେ ସେହି ବିଷୟ ନେଇ ବହୁତ ଚିଠିପତ୍ର ଦିଆନିଆ ହେଲା । ଶେଷକୁ ସେହି ଲୋକ ବଳେ ବଳେ ସ୍ୱୀକାର କଲେ ଯେ, ମୁଁ ହଉଚି ଗୋଟିଏ ବଡ଼ ଚାଲାଖ ଚତୁର ଲୋକ । ମୋ ଜାଣିବାରେ ମୁଁ ହେଲି ଏମିତି ଗୋଟିଏ ପାଗଳ ଲୋକ ।

 

କୌଣସି ସେକେଣ୍ଡ-ହାଣ୍ଡ କଥାକୁ ମୁଁ ଭଲପାଏ ନାହିଁ । ସେକେଣ୍ଡ-ହାଣ୍ଡ ବହିର ଫର୍ଦ୍ଦ କଡ଼ରେ ପ୍ରଥମ ପାଠକର ମତାମତ ସବୁ ପେନ୍ସିଲରେ ଲେଖାଥାଏ ବୋଲି ମୁଁ ସେ ପ୍ରକାର ସେକେଣ୍ଡ-ହାଣ୍ଡ୍ ବହି ପଢ଼ିବାକୁ ଭଲପାଏ ନାହିଁ । ସେକେଣ୍ଡ-ହାଣ୍ଡ୍ ବହିର ଫର୍ଦ୍ଦ ପରି ସେକେଣ୍ଡ-ହାଣ୍ଡ୍ ସ୍ତ୍ରୀଠାରେ ମଧ୍ୟ, ପ୍ରଥମ ସ୍ୱାମୀର ଚିନ୍ତାଧାରାର ଅବଶେଷ ରହିଯାଇଥାଏ । ଅନ୍ୟ ଲୋକର ମତାମତ ଓ ଅନୁଭୂତି ବିଷୟରେ ନିଜେ ନ ଜାଣି, କୌଣସି ତୃତୀୟପକ୍ଷ ଲୋକଠାରୁ ସେ ସବୁ ସଂଗ୍ରହ କରିବାକୁ ମୁଁ ସେକେଣ୍ଡ-ହାଣ୍ଡ୍ ମତାମତ ବୋଲି ମନେକରିଥାଏ । ଯଦି ଆପଣ ମତେ କହନ୍ତି ଯେ ବର୍ତ୍ତମାନ ଯେଉଁ ବଡ଼ଦେଉଳ ମାମଲା ଲାଗିଛି, ସେ ବିଷୟରେ ଖୁଣ୍ଟିନାଣ୍ଟି ସବୁକଥା ଶୁଣିବାକୁ ସାରା ହିନ୍ଦୁ ସମାଜର ଲୋକେ ବିଶେଷ ଆଗ୍ରହୀ ହୋଇ ଉଠିଛନ୍ତି, ତେବେ ସେକଥାଟା ମୁଁ ଆପଣଙ୍କଠାରୁ ଶୁଣି କେବେହେଲେ ବିଶ୍ୱାସ କରିପାରିବି ନାହିଁ । ସେ ବିଷୟରେ ପ୍ରକୃତ କଥା ଜାଣିବାକୁ ହେଲେ ମତେ ନିଜେ ଯାଇ ଲୋକଙ୍କ ସାଙ୍ଗରେ ମିଳାମିଶା କରିବାକୁ ହେବ । ତାହାହେଲେ ସେମାନେ ସେ ବିଷୟରେ କ’ଣ ଭାବୁଛନ୍ତି ବା ସେମାନଙ୍କର ସେ ବିଷୟରେ ମତାମତ କଣ, ତାହା ମୁଁ ନିଶ୍ଚିତଭାବରେ ଜାଣିପାରିବି । ସେକେଣ୍ଡ-ହାଣ୍ଡ ସମ୍ୱାଦକୁ ଘୃଣା କରୁଥିବାରୁ ମୁଁ ସବୁଦିନ ସକାଳେ, ସନ୍ଧ୍ୟାରେ ବୁଲିଯିବାବେଳେ, ଲୋକଙ୍କ ଘର ସାମନାରେ ବା ରାସ୍ତାରେ ଯୋଉଠି ଯେତେ ଛିଣ୍ଡା କାଗଜ ଟୁକୁରା ସବୁ ଦେଖେ, ସେ ସବୁକୁ ସଂଗ୍ରହ କରେ । ଲୋକଙ୍କ ଓ୍ୱେଷ୍ଟପେପର ବାସ୍କେଟରେ ଅଳିଆ ମଳିଆ କାଗଜଗୁଡ଼ିକୁ ମୁଁ ଆଗ୍ରହରେ କିଣିନିଏ । କାରଣ ସେଥିରେ ପଡ଼ିଥିବା ଛିଣ୍ଡାମିଣ୍ଡା ଚିଠିଗୁଡ଼ିକରୁ ସେ ସବୁକୁ ଲେଖିଥିବା ଲୋକମାନଙ୍କ ମତାମତ ଓ ଚିନ୍ତାଧାରା ବିଷୟରେ ମୁଁ ସିଧାସଳଖ ଜାଣିପାରିବାର ସୁବିଧା ପାଏ । ଏହିପରି ବିଭିନ୍ନ ବିଷୟରେ ମୁଁ ଲୋକମାନଙ୍କର ବ୍ୟକ୍ତିଗତ ଓ ସମଷ୍ଟିଗତ ମତାମତ ଜାଣିବାପରେ, ସର୍ବସାଧାରଣରେ ପ୍ରକାଶ ପାଉଥିବା ବିଭିନ୍ନ ପ୍ରସ୍ତାବ ଏବଂ ସରକାର ବା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକେ ଲେଖୁଥିବା ଚିଠିପତ୍ର ବା ସମ୍ୱାଦ ଆଦି ସହିତ ସେଗୁଡ଼ିକ ମିଳାଇ, ସେଥିରୁ ଖାଣ୍ଟି କଥାଟିକୁ ଅକ୍ଳେଶରେ ଧରିନେଇଥାଏ ।

 

ମୁଁ ଏହିପରି ଭାବରେ ଯେତେ ଯେତେ କାଗଜପତ୍ର ସଂଗ୍ରହ କରେ, ସେସବୁକୁ ଗୋଟିଏ ବାକ୍ସରେ ସାଇତି ରଖେ । ସେ ବାକ୍ସର ନାମ ମୁଁ ‘ଅଳିଆ ବାକ୍ସ’ ବୋଲି ରଖିଛି । ଛିଣ୍ଡା ଚିଠିପତ୍ର, ଏଣୁତେଣୁ ଗୋଟେଇ ଆଣିଥିବା ଛପାବହିଗୁଡ଼ିକର କେତେଟା ପୃଷ୍ଠା ବା କେଉଁ ଦଲିଲ ଦସ୍ତାବିଜ୍, କି କୌଣସି ରିପୋର୍ଟ ଆଦିର ଛିଣ୍ଡା ଟୁକୁରା ଅଂଶ ହେଲା ମୋ ‘ଅଳିଆ ବାକ୍ସ’ର ଗଚ୍ଛିତ ସମ୍ପତ୍ତି । ସେ ସବୁ ଅଳିଆ କାଗଜକୁ ଘାଣ୍ଟିଘୁଣ୍ଟି କାହା ସହିତ କାହାର ସମ୍ପର୍କ ଅଛି, ନିରୁପଣ କରିବା କିଛି କମ୍ କଥା ନୁହେଁ । ମୁଁ ତ ଭାବୁଚି, ଏ କାମଟା ହଉଚି ଠିକ୍ ଚାଇନିଜ୍ ପଜଲରେ ବିଭିନ୍ନ ଟୁକୁରା ଟୁକୁରା ଅଂଶମାନଙ୍କୁ ଏକାଠି ଯୋଡ଼ି ଗୋଟାଏ ଜ୍ୟାମିତିର ଚିତ୍ର ଅଙ୍କନ କରିବା ପରି ଗୋଟାଏ ମସ୍ତବଡ଼ ଦୁରୂହ କାମ । ପ୍ରିୟ ସମ୍ପାଦକ ମହାଶୟ ! ମୁଁ ଆପଣଙ୍କୁ ମୋ ପାଖରେ ଥିବା ସେହିପରି କେତେକ ମୂଲ୍ୟବାନ କାଜଗପତ୍ରର ବିଷୟବସ୍ତୁ ଲେଖି ଜଣାଉଅଛି । ଏହି ସବୁ ବିଷୟଗୁଡ଼ିକୁ ପଢ଼ି, ସେଗୁଡ଼ିକ ମଧ୍ୟରୁ କିଏ କାହା ସହିତ ସଂପୃକ୍ତ ହୋଇପାରେ କି ନାହିଁ, ସେ ବିଷୟ ପରୀକ୍ଷା କରି ଦେଖିବା ଦାୟିତ୍ୱ ମୁଁ ଆପଣ ଓ ଆପଣଙ୍କ ପାଠକମାନଙ୍କ ଉପରେ ଛାଡ଼ିଦେଉଛି ।

 

ନଂ 1—ଏ ଖଣ୍ଡ ହେଲା କୌଣସି ଗୋଟାଏ ବହିର ଛିଣ୍ଡା ଫର୍ଦ୍ଦରୁ ଖଣ୍ଡେ ଚିରା ଟୁକୁରା; ଖୋର୍ଦ୍ଧା ପାଖ ଗ୍ରାଣ୍ଡ ଟ୍ରଙ୍କ୍ରୋଡ଼ରୁ ଏ ଖଣ୍ଡି ମୁଁ ପାଇଥିଲି । ଏଥିରେ ଲେଖାଥିଲା—‘‘ଏ କ୍ଷେତ୍ରରେ ଏପରି ନୀତିଗ୍ରହଣ କରିବା ଦରକାର, ଯାହାଦ୍ୱାରା କି ସେହି ପରିବାରର ପୂର୍ବ ମର୍ଯ୍ୟାଦା ଓ କ୍ଷମତାର ସ୍ମୃତି ପୂରାପୂରି ତାଙ୍କ ମନରୁ, ଏପରିକି ଜିଲ୍ଲାର ସମସ୍ତ ଅଧିବାସୀଙ୍କ ମନରୁ ସବୁଦିନ ଲାଗି ପୋଛି ହୋଇଯିବ । ତାଙ୍କର ପଦଗୌରବ ଓ ପ୍ରଜାମାନଙ୍କ ଉପରେ ଥିବା ତାଙ୍କର ଅଖଣ୍ଡ ପ୍ରଭାବକୁ ସମର୍ଥନ କରିବା ପରି ସମସ୍ତପ୍ରକାର କାର୍ଯ୍ୟାନୁଷ୍ଠାନରୁ ଆମକୁ ସାବଧାନତାର ସହିତ ଦୂରେଇ ରହିବାକୁ ହେବ । ହିନ୍ଦୁ-ଜଗତର ସବୁଠାରୁ ପବିତ୍ର ଓ ପ୍ରସିଦ୍ଧ ଜଗନ୍ନାଥମନ୍ଦିରର ସୁପରିଟେଣ୍ଡେଣ୍ଟ ହିସାବରେ ସର୍ବସାଧାରଣଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ସେହି ଲୋକଟି ସହିତ ଯେପରି ଖୁବ୍ କମ୍ ଲୋକ ସମ୍ପର୍କ ରକ୍ଷାକରନ୍ତି, ସେ ଦିଗରେ ମଧ୍ୟ ଦୃଷ୍ଟି ରଖିବାକୁ ହେବ ।’’

 

ନଂ 2—ଲାଲବାଗର ଫାଟକ ପାଖରୁ ମୁଁ ଏଇ ଲେଖାଖଣ୍ଡି ପାଇଥିଲି—‘‘ସାଲତମାମି ନିର୍ଣ୍ଣୟ କରିବାରେ ଯେଉଁ ସ୍ୱତନ୍ତ୍ର ଅଧିକାର କଥା ଉଠୁଛି, ସେ ବିଷୟରେ ସରକାରୀ ନୀତି ଅନୁଯାୟୀ ସାଧାରଣ ଜମିଦାରଙ୍କ ପ୍ରତି ଯେଉଁ ନିୟମ ପ୍ରଯୁଜ୍ୟ, ଏ ରାଜାଙ୍କ ପ୍ରତି ମଧ୍ୟ ସେହି ନିୟମ ପ୍ରଯୁଜ୍ୟ । ପୂର୍ବେ ଅଳ୍ପ ପରିମାଣ ରାଜସ୍ୱ ବିନିମୟରେ ଏମାନେ ଯେପରି ଶସ୍ତା ଓ ସୁବିଧାରେ ରାଜ୍ୟ ଭୋଗ କରୁଥିଲେ, ଭବିଷ୍ୟତରେ ସେମାନେ ଯେ ସେହିପରି ଭାବରେ ସେ ରାଜ୍ୟ-ସୁଖଭୋଗ ଆଉ ଫେରିପାଇବେ, ସେ ଆଶା ସେମାନେ ପୂରାପୂରି ମନରୁ ପୋଛିଦେଲେଣି ବୋଲି ମନେହୁଏ । ପୁଣି ସେମାନଙ୍କର ଭରଣପୋଷଣ ଲାଗି ସହାନୁଭୂତିସୂଚକ ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ମଧ୍ୟ ଯଥେଷ୍ଟ ହୋଇଅଛି । ଏସବୁ ବାଦ୍ ଦେଉଳର ସୁପରିଣ୍ଟେଣ୍ଡେଣ୍ଟ ହିସାବରେ ତାଙ୍କୁ ଉପୁରି ଦି’ପଇସା ମିଳିବାର ବେଶ୍ ସୁବିଧା ବି ଅଛି । ଏସବୁ ଦୃଷ୍ଟିରୁ ସାଲତମାମି ବିଷୟରେ ତାଙ୍କର ଆପତ୍ତି ଉଠାଇବାର କିଛି ଯଥାର୍ଥ କାରଣ ଥାଇନପାରେ ।’’

 

(1) ପୁରୀ କଲେକ୍ଟରଙ୍କୁ ।

 

(2) ଓଡ଼ିଶା ଡିଭିଜନ୍ କମିଶନରଙ୍କ ସରକାରୀ ବାସଭବନ ଥିଲା ଲାଲବାଗ ।

 

ନଂ 3—ଏ ଖଣ୍ଡ ହେଲା ନଂ 5, ବଙ୍କସାଲ ଷ୍ଟ୍ରୀଟ୍, କଲିକତାରୁ ମୁଁ ଗୋଟେଇ ଆଣିଥିବା ଗୋଟାଏ ହୁଇସ୍କି ବୋତଲର ଉପର ଖୋଳ । ଏଥିରେ ଲେଖାଥିଲା—‘‘ଏ ବିଷୟରେ ମୋର ପରାମର୍ଶ ହେଉଛି, (ମୂଳଲେଖା ଏଠାରେ ଚିରିଯାଇଛି)ଙ୍କୁ ପ୍ରଥମେ ଖୋର୍ଦ୍ଧା ମାହାଲର ମାଲିକାନା ସ୍ୱତ୍ୱରୁ ଉଚ୍ଛେଦ କରି, (ମୂଳଲେଖା ଏଠାରେ ଚିରି ଯାଇଛି)ଙ୍କ ଆଦେଶ ଅନୁଯାୟୀ ସେହି ସବୁ ପ୍ରଦେଶର ଜମିଦାରମାନଙ୍କୁ ଜମିଦାରିର ସର୍ବମୋଟ ବାର୍ଷିକ ଆୟରୁ 35 ଶତାଂଶ ମାଲିକାନା ଭାତିଆ ମିଳିବାର ଯେଉଁ ବ୍ୟବସ୍ଥା ଅଛି, ତାହା ତାଙ୍କୁ ଯେପରି ଆଉ ନ ମିଳେ, ତାହାର ବନ୍ଦୋବସ୍ତ କରିବା ଦରକାର । ତା’ ବଦଳରେ ତାଙ୍କୁ (ମୂଳଲେଖା ଏଠାରେ ନାହିଁ) ଟଙ୍କା ହିସାବରେ ବ୍ୟକ୍ତିଗତ ଭତ୍ତା ଦିଆଯିବାର ବ୍ୟବସ୍ଥା କରିବା ଦରକାର ଓ ଦେଉଳକୁ ମିଳୁଥିବା ଦାନ ଦକ୍ଷିଣା ଆଦାୟ କରିବାର ଅଧିକାର ତାଙ୍କୁ ଫେରାଇଦେବା ଦରକାର । ଏ ପ୍ରକାର ପନ୍ଥା ଗ୍ରହଣକଲେ, ଯାହା ଆମର ଲକ୍ଷ୍ୟ ରହିଛି, ସେ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମୁଁ ଭାବୁଛି । ଏ ବ୍ୟବସ୍ଥାଦ୍ୱାରା ଅଧିକ ଆୟର ସମ୍ଭାବନା ଥିବାରୁ ରାଜାଙ୍କ ପକ୍ଷରୁ ମଧ୍ୟ ଆପତ୍ତି ଉଠିବାର କିଛି କାରଣ ନାହିଁ ।’’

 

ନଂ 4—ଏହା ହଉଚି ଖଣ୍ଡେ ହାତଲେଖା କାଗଜଟୁକୁରା । ମୁଁ କେଉଁଠୁ ଏ ଖଣ୍ଡି ପାଇଥିଲି, ତାହା ମୋର ସ୍ମରଣ ନାହିଁ । ଏଥିରେ ଲେଖାଥିଲା—‘‘କିନ୍ତୁ ମନେରଖିବା ଦରକାର ଯେ, ଏବେ ତାଙ୍କ କାର୍ଯ୍ୟବିଧି ସବୁ ନିତାନ୍ତ ବିଶୃଙ୍ଖଳ ହୋଇଉଠିଛି ଏବଂ ଦେଉଳକୁ ସେ ନିଜସ୍ୱ ସମ୍ପତ୍ତି ପରି ଦେଖିବାକୁ ଆରମ୍ଭ କରିଛନ୍ତି ।’’

 

ନଂ 5—ଲଣ୍ଡନର ପାର୍ଲାମେଣ୍ଟ ଷ୍ଟ୍ରୀଟ୍ ଠିକଣାରୁ ମୋ ପାଖକୁ ଆସିଥିବା ହଳେ ବୁଟ୍ ଯୋତା ଯେଉଁ କାଗଜରେ ଗୁଡ଼ା ହୋଇ ଆସିଥିଲା, ତହିଁରୁ ଏ ଲେଖା ଖଣ୍ଡି ମୁଁ ସଂଗ୍ରହ କରିଛି । ଏଥିରେ ଲେଖାଥିଲା—‘‘ଦେଉଳ ପରିଚାଳନାରେ ରାଜାଙ୍କର ଯେଉଁ ସ୍ୱାର୍ଥ ଓ ଅଧିକାର ନିହିତ ଅଛି, ତାହା କେବେହେଲେ ଏପରି ଗୋଟାଏ ନୂତନ ଆଇନର ପ୍ରବର୍ତ୍ତନ ବା ପୁରାତନ ଆଇନର ପରିବର୍ତ୍ତନଦ୍ୱାରା ଅନ୍ୟଥା ହୋଇ ନ ପାରେ ।’’

 

ନଂ 6—ଏ ଖଣ୍ଡିକ ହଉଚି, ସମ୍ଭବତଃ ଏକ ସଂଶୋଧିତ ପବିତ୍ର ବାଇବେଲ୍‍ର ଛିନ୍ନ ଅଂଶ । ଏହା ଉପରେ ଶିରୋନାମା ସ୍ଥାନରେ ଲେଖାଅଛି—‘‘କଠିନ ଶପଥ’’ । ପ୍ରଥମ ପୃଷ୍ଠାରେ ଯାହା ଲେଖାଅଛି, ସେ ସବୁକୁ ଏଠାରେ ପୂରାପୂରି ନ ଲେଖି ତା’ର ସାର କଥାଟା ମାତ୍ର ଏଠାରେ ଲେଖୁଛି—‘‘ମୁଁ ଶପଥ କରି କହିପାରେ, ଦେଉଳଭିତରେ ପଶିବା ପାଇଁ ରାଜାଙ୍କର କୌଣସି ଆଇନଗତ ଅଧିକାର ନାହିଁ । ତାଙ୍କର ସେଠାକୁ ଯିବାର କୌଣସି ଆବଶ୍ୟକତା ନାହିଁ । ତାଙ୍କୁ ଆଉ ବେଶି ଦିନ ଯଦି ସେ ପ୍ରକାର ସୁବିଧା ଦିଆଯାଏ, ତେବେ ଦେଉଳର ଗୋଡ଼ି ପଥରକୁ ମଧ୍ୟ ସେ ଟେକିନେଇ ପଳେଇବେ ବୋଲି ମୋର ଦୃଢ଼ ବିଶ୍ୱାସ ।’’

 

ଦ୍ୱିତୀୟ ପୃଷ୍ଠାର ସାରମର୍ମ ହେଲା—‘‘ମୁଁ ବେଶ୍ ଦୃଢ଼ତାର ସହିତ କହିପାରେ ଯେ, ଖୋଦ୍ ଜଗନ୍ନାଥ ଠାକୁର ତାଙ୍କ ଦେବୋତ୍ତର ସମ୍ପତ୍ତିବାଡ଼ି ସହିତ, ତାଙ୍କ ନିଜକୁ ମଧ୍ୟ, ସର୍ବମୟ ଧ୍ୱଂସମୁଖରୁ ରକ୍ଷାକରିବା ଲାଗି ମୋର ଶରଣ ଭିକ୍ଷା କରିଥିଲେ ।’’

 

ପାଣ୍ଡୁଲିପିର ତୃତୀୟ ପୃଷ୍ଠାରେ ଗୋଟିଏ ଚିତ୍ର ଅଙ୍କିତ ହୋଇଥିଲା । ମୁଁ ଚିତ୍ରଶିଳ୍ପୀ ନୁହେଁ; ତେଣୁ ଚିତ୍ରଟି ଏଠାରେ ଆଙ୍କିଦେବା ମୋର ସାଧ୍ୟାତୀତ । କିନ୍ତୁ ଶିଳ୍ପୀର ତୂଳୀ ଚିତ୍ରଟିକୁ ଯେପରି ଭାବରେ ଅଙ୍କନ କରିଛି, ଗୋଟାଏ ପାଗଳର କଲମ ଧରି ମୁଁ ସାଧ୍ୟମତେ ଏଠାରେ ତାହା ବର୍ଣ୍ଣନା କରୁଅଛି—‘‘ଜଗନ୍ନାଥଙ୍କ ସମ୍ମୁଖରେ ରାଜା ଭକ୍ତିପ୍ରଣତଚିତ୍ତରେ ପ୍ରାର୍ଥନା କରିବା ଭଙ୍ଗୀରେ ଆଣ୍ଠୁମାଡ଼ି ବସିଥିବା ଅବସ୍ଥାରେ, ପୋଲିସବାଲାଟାଏ ତାଙ୍କୁ ବାଁ ବାହୁରୁ ଜାବୁଡ଼ି ଧରିଛି; ଆଉ, ରାଜାଙ୍କୁ ମୁକୁଳେଇ ନବା ଲାଗି, ବୋଧହୁଏ ଗୁଡ଼ାଏ ପ୍ରଜା ଆସି, ପୁଲିସ୍‍ଟା ଉପରେ ଆକ୍ରମଣ ଚଳେଇଛନ୍ତି ।’’

 

ମାନନୀୟ ସମ୍ପାଦକ ମହାଶୟ ! ମୋର ବିଶ୍ୱାସ, ଏ ସବୁ ଲେଖା ଆଉ ଚିତ୍ର ପଛରେ ଅଛି ଜଣେ ମାତ୍ର ଲୋକ । ଅବଶ୍ୟ ଦୈହିକ ବିଚାରରୁ ସେହି ଲୋକଟି ଏକ ନ ହୋଇ ଏକାଧିକ ହୋଇପାରିଥାଏ; କିନ୍ତୁ ଯିଏ ବା ଯେଉଁମାନେ ଏହା କରିଛନ୍ତି, ବିଚାରଧାରା ଆଉ କର୍ମପଦ୍ଧତିର ବିଚାରରୁ ସେମାନେ ସମସ୍ତେ ଏକ ଏବଂ ଅଦ୍ୱିତୀୟ ! ମୁଁ ଏପରି ବିଚାର କରିବାର କାରଣ ସମ୍ୱନ୍ଧରେ ଆପଣ ଯଦି ମତେ ପ୍ରଶ୍ନ କରନ୍ତି, ତେବେ ମୁଁ କହିବି, ମୁଁ ପରା ଗୋଟାଏ ପୂରା ପାଗଳ-!!

 

କଲିକତା ହାଇକୋର୍ଟରେ ଏହି ମାମଲାଟି ଦୀର୍ଘଦିନ ଧରି ଚଳିବା ପରେ, ମଧୁସୂଦନଙ୍କ ଶ୍ରମ ଶେଷରେ ସାର୍ଥକ ହୋଇଥିଲା । ବଡ଼ଦେଉଳର ପରିଚାଳନା ନିମନ୍ତେ ସରକାରୀ ରିସିଭର ନିଯୁକ୍ତ ସମ୍ପର୍କରେ ତଳ କୋର୍ଟର ରାୟକୁ ପୂରାପୂରି ବାତିଲ କରିଦେଇ ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ—

 

‘‘ଦେଉଳ ପାଇଁ ଜଣେ ରିସିଭର ନିଯୁକ୍ତି କରିବାକୁ ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହାର କୌଣସି ଆବଶ୍ୟକତା ଥିବାର କାରଣ ଦର୍ଶାଯାଇ ନ ଥିବାରୁ, ତାହାକୁ ଏତଦ୍‍ଦ୍ୱାରା ଆମ୍ଭେମାନେ ବାତିଲ କରିଦେଉଅଛୁ । ...ଅସଦୁପାୟ ଅବଲମ୍ୱନ କରିବା କହିଲେ ଯଥାର୍ଥରେ ଯାହା ବୁଝାଏ, ସେହି ଅର୍ଥ ଦୃଷ୍ଟିରୁ ସେମାନେ କିଛି କରିଥିବାର ସାମାନ୍ୟତମ ଆଭାସ ମଧ୍ୟ ମୂଳ ଅଭିଯୋଗପତ୍ରରେ ନାହିଁ ।’’

 

ହାଇକୋର୍ଟଙ୍କର ଏହି ରାୟଫଳରେ ରିସିଭର୍ ନିଯୁକ୍ତି ପ୍ରଶ୍ନ ବାତିଲ ହୋଇଯିବା ପରେ ରାଜା ମୁକୁନ୍ଦଦେବ ପୁଣି ଦେଉଳର ପୂର୍ଣ୍ଣ କର୍ତ୍ତୃତ୍ୱରେ ଅବସ୍ଥାପିତ ହେଲେ । ଏହାର ଅଳ୍ପକାଳ ଉତ୍ତାରେ ଓଡ଼ିଶା ସରକାର ବାଧ୍ୟ ହୋଇ ସୂର୍ଯ୍ୟମଣି ପାଟମହାଦେଈଙ୍କ ସହିତ ସୁସମ୍ପର୍କ ସ୍ଥାପନ କଲେ । ଏହି ସବୁ ପରିବର୍ତ୍ତନ ଫଳରେ ଓଡ଼ିଶାବାସୀଙ୍କ ଉଦବେଗର କାରଣ ଦୂରୀଭୂତ ହେଲା ଓ ସେମାନେ ଶାନ୍ତିର ନିଃଶ୍ୱାସ ମାରିଲେ ।

 

ବଡ଼ଦେଉଳ ମାମଲାରେ ବିଜୟଲାଭ କରିବା ଫଳରେ ଏକ ଅନନ୍ୟସାଧାରଣ ଆଇନଜୀବୀଭାବରେ ମଧୁସୂଦନଙ୍କ ସୁଖ୍ୟାତି ଓଡ଼ିଶାର ପୁରପଲ୍ଲୀରେ ବ୍ୟାପିଗଲା ଏବଂ ଓଡ଼ିଶାର ଘରେ ଘରେ ତାଙ୍କର ଯଶ କୀର୍ତ୍ତିତ ହେବାରେ ଲାଗିଲା ।

Image

 

(୪)

ଆହ୍ୱାନ ଓ ଉତ୍ତର

 

ଦିନ ଥିଲା—ଯେତେବେଳେ ଆ-ଗଙ୍ଗାଗୋଦାବରୀ ବିସ୍ତୃତ ଉତ୍କଳ ସାମ୍ରାଜ୍ୟର କେନ୍ଦ୍ରବିନ୍ଦୁ ଓଡ଼ିଶା ଅନଗ୍ରସରତାର ଅନ୍ଧକୂପରେ ପଡ଼ିରହିବା ଓ ତାହାର ଅଧିବାସୀଗଣ ଦାରିଦ୍ର୍ୟ କବଳରେ ସଢ଼ି ପଚି ଜୀବନ ବିତେଇବା ସମ୍ପୂର୍ଣ୍ଣ ଅସମ୍ଭବ ବୋଧ ହେଉଥିଲା; ମାତ୍ର ଇତିହାସର ଆଉ ଏକ ଦୁର୍ଦ୍ଦିନରେ ଅସହାୟ ପରିସ୍ଥିତିର ସମ୍ମୁଖୀନ ହୋଇ ତାକୁ ସେହି ନୀତି ସ୍ୱୀକାର କରିବାକୁ ପଡ଼ିଥିଲା । ଇଂ 1900 ସାଲରେ ତତ୍କାଳୀନ ଭାଇସ୍‍ରାୟ ଲର୍ଡ଼ କର୍ଜନ ଭୁବନେଶ୍ୱର ପରିଦର୍ଶନରେ ଆସିଥିବା ସମୟରେ ଲିଙ୍ଗରାଜକ୍ଷେତ୍ରରେ ଥିବା ଦେବାଳୟଗୁଡ଼ିକର ଅପରୂପ ଶୋଭା ସମ୍ପଦରେ ଚମତ୍କୃତ ହୋଇ, ଗ୍ରୀକ୍ ସ୍ଥପତିମାନଙ୍କର ସ୍ୱପ୍ନାତୀତ ଏହି ଶିଳ୍ପସମ୍ଭାରଗୁଡ଼ିକୁ ଓଡ଼ିଆ ଶିଳ୍ପୀମାନେ କିପରିଭାବରେ କଠିନ ଧୂସର ପ୍ରସ୍ତରରୁ ଖୋଦିତ କରିବାରେ ସମର୍ଥ ହୋଇପାରିଥିଲେ, ସେ ବିଷୟ ମଧୁସୂଦନଙ୍କୁ ପ୍ରଶ୍ନ କରିଥିଲେ । ସେତେବେଳକୁ ବଙ୍ଗଳା ଲେଜିସଲେଟିଭ କାଉନସିଲରେ ମଧୁସୂଦନଙ୍କ ନାମ ଡାକ ପଡ଼ିଥାଏ । କର୍ଜ୍ଜନ୍‍ଙ୍କ ପ୍ରଶ୍ନର ଉତ୍ତରରେ ମଧୁସୂଦନ ତାଙ୍କର ସ୍ୱଭାବସୁଲଭ ରୀତିରେ ଜବାବ ଦେଇଥିଲେ—‘‘ଏକସମୟରେ ଓଡ଼ିଆ ଶିଳ୍ପୀର ଯେଉଁ ହସ୍ତ ନିର୍ଜୀବ ପାଷାଣଗାତ୍ରରେ ଏହି ଅମର-ସୌନ୍ଦର୍ଯ୍ୟ ଖୋଦନ କରିବାରେ ସମର୍ଥ ହୋଇପାରିଥିଲା, ଆଜି ସେହି ହସ୍ତ, ‘ବ୍ରିଟିଶରାଜ’ର ଶାସନ କାଳରେ ପାଷାଣ ଫଟାଇବାର ଦୈନ୍ୟ ଓ ଅବସାଦ ମଧ୍ୟରେ ନିଜର ଜୀବିକାର୍ଜନର ସନ୍ଧାନ କରୁଛି ।’’ ଶୋଚନୀୟ ଦାରିଦ୍ର୍ୟ ଓ ଅନଗ୍ରସରତାର କବଳରୁ ଓଡ଼ିଶାକୁ ମୁକ୍ତ କରି, ଭାରତର ଅନ୍ୟାନ୍ୟ ସମୁନ୍ନତ ରାଜ୍ୟଗୁଡ଼ିକ ସହିତ ତାହାକୁ ସମପର୍ଯ୍ୟାୟଭୁକ୍ତ କରିବା ଦିଗରେ ମଧୁସୂଦନ ମୂଳରୁ ମନୋନିବେଶ କରିଥିଲେ ।

 

କିଛିକାଳ ପୂର୍ବେ ମଧୁସୂଦନଙ୍କ ପ୍ରଚେଷ୍ଟାରେ ଯେଉଁ ‘ଉତ୍କଳ ସଭା’ ଗଠିତ ହୋଇଥିଲା, ତାହା ଉତ୍କଳର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ ହୋଇଥିଲେ ମଧ୍ୟ, ସେ ସଭା ରାଜ୍ୟର ଦାରିଦ୍ର୍ୟ ଓ ଅନଗ୍ରସରତାର ଦୂରୀକରଣ ଦିଗରେ ଲକ୍ଷ୍ୟ ନ ରଖି, ଲର୍ଡ଼ ରିପନ୍‍ଙ୍କ ସ୍ୱାୟତ୍ତଶାସନ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିବା ପାଇଁ ରାଜ୍ୟବାସୀଙ୍କୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲା । ତଥାପି ଗଲା କେଇବର୍ଷ ହେଲା ମଧୁସୂଦନ ଓଡ଼ିଶାର ବିକଟ ଦାରିଦ୍ର୍ୟ ଦୂରକରିବା ଦିଗରେ ଦୃଷ୍ଟିଦେବାକୁ ଉତ୍କଳସଭାକୁ ପ୍ରୋତ୍ସାହିତ କରିଆସୁଥିଲେ । କିନ୍ତୁ ଓଡ଼ିଶାର ଯେଉଁ ମଧ୍ୟବିତ୍ତ ବା ଉଚ୍ଚଶ୍ରେଣୀୟ ଧନିକବ୍ୟକ୍ତିମାନେ ଏହି ସଭାର ସଭ୍ୟଶ୍ରେଣୀଭୁକ୍ତ ଥିଲେ, ସେମାନେ ସହଜାତ ସ୍ୱାର୍ଥପର ମନୋବୃତ୍ତି ଓ ନିଜ ନିଜର ସୀମିତ ଦୃଷ୍ଟିଭଙ୍ଗୀ ଆଦି କାରଣରୁ ଓଡ଼ିଶାର ଏହି ମୌଳିକ ସମସ୍ୟାଗୁଡ଼ିକର ଦୂରୀକରଣ ଦିଗରେ ଆଗ୍ରହ ପ୍ରକାଶ କରୁନଥିଲେ । ତଥାପି ମଧୁସୂଦନ ଓଡ଼ିଶାର ଅର୍ଥନୈତିକ ପୁନର୍ଗଠନ କରାଇବା ଦିଗରେ ଏହି ସଭାକୁ ଉତ୍ସାହିତ କରିବାରୁ କେବେହେଲେ ନିବୃତ୍ତ ରହି ନ ଥିଲେ । ସର୍ବୋପରି, ମଧୁସୂଦନ ଭଲଭାବରେ ଜାଣିଥିଲେ ଯେ, ବିଭିନ୍ନ ଭାଷାଭାଷୀ ପଡ଼ୋଶୀ ରାଜ୍ୟମାନଙ୍କଠାରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଅଲଗା କରି, ଗୋଟିଏ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ନହେବାଯାଏ, ଏ ରାଜ୍ୟର କୌଣସି ଉନ୍ନତି ଘଟିବା କେବେହେଲେ ସମ୍ଭବ ନୁହେଁ । ଓଡ଼ିଆ-ଭାଷାଭାଷୀ ଅଞ୍ଚଳଗୁଡ଼ିକ ଅନ୍ୟ ଭାଷାଭାଷୀ ପ୍ରଦେଶ ସହିତ ସଂଯୁକ୍ତ ହୋଇ ରହିଥିବା ଫଳରେ, ସେଠାକାର ଓଡ଼ିଆଲୋକମାନଙ୍କୁ ସଂଖ୍ୟାଲଘୁ ସଂସ୍କୃତିର ଅଧିବାସୀ ପରି ଚଳିବାକୁ ପଡ଼ୁଥିଲା ଏବଂ ସେମାନଙ୍କର ସ୍ଥିତିକୁ ମଧ୍ୟ ସେହିପରି ଲଘୁଦୃଷ୍ଟିରେ ଦେଖାଯାଉଥିଲା । ସେମାନଙ୍କର ସମସ୍ତ ଅନିଚ୍ଛା ସତ୍ତ୍ୱେ, ଏ ପ୍ରକାର ହୀନମନ୍ୟତା ବାଧ୍ୟତାମୂଳକଭାବରେ ସେମାନଙ୍କ ଉପରେ ଚାପି ଦିଆଯାଇଥିଲା । ଏ ପ୍ରକାର ବ୍ୟବସ୍ଥା ଫଳରେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କରେ 1866 ମସିହାରେ ଦେଖାଦେଇଥିବା ଅଭୂତ-ପୂର୍ବ ଦୁର୍ଭିକ୍ଷ ଅନ୍ୟୂନ 10 ଲକ୍ଷ ଲୋକଙ୍କର ପ୍ରାଣନାଶ ଘଟାଇବା ଘଟଣା, ସରକାର ଦେଖି ମଧ୍ୟ ଦେଖିଲେ ନାହିଁ, କି ଓଡ଼ିଶା ବିଷୟରେ ସରକାରଙ୍କର ତଥାପି ଚେତନା ପଶିଲା ନାହିଁ । ସେଥିପାଇଁ ଓଡ଼ିଆ-ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଶାସନାଧୀନ କରିବା ଉପରେ ମଧୁସୂଦନ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଥିଲେ ଏବଂ ଏହା କରାଯାଇପାରିଲେ ଓଡ଼ିଆ ଲୋକମାନଙ୍କର ସବୁପ୍ରକାର ଅସୁବିଧା ଦୂର ହେବ ବୋଲି ସେ ଗଭୀରଭାବରେ ବିଶ୍ୱାସ ମଧ୍ୟ କରୁଥିଲେ ।

 

ଜଳସେଚନର ସନ୍ତୋଷଜନକ ବ୍ୟବସ୍ଥା ନ ଥିବା ଯୋଗୁ, ଓଡ଼ିଶା ଦୁର୍ଭିକ୍ଷର ଏକ ନିତ୍ୟ ଲୀଳାଭୂମି ହୋଇ ରହିଥିଲା । ତେଣୁ ଓଡ଼ିଶାରେ କେନାଲ ବ୍ୟବସ୍ଥାର ସମ୍ପ୍ରସାରଣ ନିମନ୍ତେ ଜନମତ ସୃଷ୍ଟିକରି ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ମଧୁସୂଦନଙ୍କ ଉଦ୍ୟମରେ 1884 ମସିହାରେ ଉତ୍କଳସଭାର ଏକ ବିଶେଷ ଅଧିବେଶନ ଆହୂତ ହୋଇଥିଲା । ଉନ୍ନତ ପ୍ରଣାଳୀରେ କୃଷି କରି ଅଧିକ ଉତ୍ପାଦନ କରିବା ଉପରେ ମଧୁସୂଦନ ଏହି ସଭାରେ ଆଲୋଚନାକାଳରେ ବିଶେଷ ଜୋର ଦେଇଥିଲେ । ସ୍ୱତନ୍ତ୍ରଭାବରେ ନିମନ୍ତ୍ରିତ ହୋଇ, ଓଡ଼ିଶା ଡିଭିଜନ୍‍ର କମିଶନର ମି: ମେଟ୍‍କାଫ ସାହେବ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ଏହି ଅବସରରେ ମଧୁସୂଦନ ତାଙ୍କୁ ଓଡ଼ିଶାର ବିଭିନ୍ନ କୃଷି ସମସ୍ୟାଗୁଡ଼ିକ ବିଷୟରେ ସବୁକଥା ଭଲଭାବରେ ହୃଦୟଙ୍ଗମ କରାଇ ଦେଇଥିଲେ ।

 

ବ୍ରିଟିଶ ଅଧୀନକୁ ଆସିବା ପୂର୍ବରୁ ଓଡ଼ିଶାର ପୁରପଲ୍ଲୀରେ ନାନାଦି ଶିଳ୍ପ ସଂସ୍ଥା ଭରିରହିଥିଲା । ସେତେବେଳକୁ ଓଡ଼ିଶାର ହାତବୁଣା ଶାଢ଼ୀ ଦେଶ-ବିଦେଶରେ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିସାରିଥିଲା । କିନ୍ତୁ ବ୍ରିଟିଶ ଶାସନର ସୂତ୍ରପାତ ହେବା ପରେ ଓଡ଼ିଶାର ସେ ସମସ୍ତ ଶିଳ୍ପକେନ୍ଦ୍ରଗୁଡ଼ିକ ବିଲୟ ଭଜିଥିଲା । ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ବ୍ରିଟିଶ ଶାସନର ପ୍ରାରମ୍ଭରେ ସେହିମାନଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ସେମାନେ ସେମାନଙ୍କ ନିଜର ସର୍ବପ୍ରଥମ କରାଖାନା ସ୍ଥାପନ କରିଥିଲେ ମଧ୍ୟ, ପରବର୍ତ୍ତୀକାଳରେ ଏଠାରେ ଶିଳ୍ପର ଅଗ୍ରଗତି ଘଟିବା ପରିବର୍ତ୍ତେ, ସାରା ଓଡ଼ିଆ ମୂଲକରୁ ସବୁପ୍ରକାର ଶିଳ୍ପକାରବାରଗୁଡ଼ିକ ପୂରାପୂରି ନିଶ୍ଚିହ୍ନ ହୋଇଯାଇଥିଲା । ଏହି ଘଟଣାକୁ ମଧୁସୂଦନ ଇତିହାସର ଏକ ଦୁର୍ବୋଧ୍ୟ ପରିହାସ ବୋଲି ସବୁବେଳେ ଅଭିହିତ କରୁଥିଲେ । ଓଡ଼ିଆ ତନ୍ତୁବାୟର ଯେଉଁ ଅଙ୍ଗୁଳି ଦିନେ ଝୀନ ପାଟପତନୀ ବୟନଶିଳ୍ପରେ ସାରା ଭାରତରେ ସର୍ବଶ୍ରେଷ୍ଠ ଆସନ ଲାଭ କରିବାରେ ସମର୍ଥ ହୋଇପାରିଥିଲା, ସେହି ଅଙ୍ଗୁଳି, ହାୟ ! ପେଟଚାଖଣ୍ଡକ ପାଇଁ ଆଜି ବନ୍ଧ୍ୟାମାଟି ଚିରି ଚେରମୂଳ ଖୋଜି ବୁଲୁଥିଲା । ଓଡ଼ିଶାର ଏ ସର୍ବଗ୍ରାସୀ ଦୁର୍ଦ୍ଦଶାରେ ବ୍ୟଥିତ ମଧୁସୂଦନଙ୍କ ଚିନ୍ତାରେ ତେଣୁ ଥିଲା ତିନୋଟି ପରିପଳ୍ପନା ମୁଖ୍ୟ ଆଉ ଅନନ୍ୟ—ସମସ୍ତ ଓଡ଼ିଆ-ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ, ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତିର ଉନ୍ନତିକରଣ ଓ ଓଡ଼ିଶାରେ ଶିଳ୍ପର ପୁନରୁତ୍ଥାନ । ତାଙ୍କ ମତରେ ଓଡ଼ିଶାବାସୀଙ୍କର ମୁକ୍ତି ଓ ପ୍ରଗତିର ପ୍ରକୃଷ୍ଟ ପନ୍ଥା ହେଉଛି, ଏହି ତିନୋଟି ପରିକଳ୍ପନାର ବାସ୍ତବ ରୂପାୟନ । ଏଥିପାଇଁ ଓଡ଼ିଆମାନଙ୍କ ପ୍ରାଣରେ ଆତ୍ମବିଶ୍ୱାସ ଓ ଆତ୍ମ-ନିର୍ଭରତାର ଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଗୌରବମୟ ଅତୀତର ଉଦବୋଧନ କରିବାରୁ ସେ କେବେହେଲେ ନିବୃତ୍ତ ହେଉ ନଥିଲେ ।

 

ସେତେବେଳ ଯାଏ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇ ନ ଥିବାରୁ ବଙ୍ଗଳା ଲେଜିସଲେଟିଭ କାଉନ୍ସିଲରେ ସେଯାଏ ଓଡ଼ିଶା ଅଧିବାସୀଙ୍କର କୌଣସି ପ୍ରତିନିଧି ସ୍ଥାନ ପାଇନଥାନ୍ତି । ଆତ୍ମୋନ୍ନତିର କ୍ଷୀଣତମ ସଙ୍କେତ ମଧ୍ୟ ଓଡ଼ିଶା ଅଧିବାସୀଙ୍କ ମଧ୍ୟରେ ଦେଖିବାକୁ ମିଳୁ ନ ଥିଲା । ସ୍ମାରକପତ୍ର ଓ ନିବେଦନପତ୍ର ଦାଖଲ କରି ଗଭର୍ଣ୍ଣରମାନଙ୍କୁ ହାରି-ଗୁହାରି ଜଣାଇବା ସେତେବେଳର ରୀତି ଥିଲା । ଉତ୍କଳସଭା ମଧ୍ୟ ଏଥିରୁ ବାଦ୍ ଯାଇ ନ ଥିଲା । ଓଡ଼ିଶାର ପ୍ରଶାସନିକ ଦୁର୍ଗତି ସେ ସମୟରେ ଓଡ଼ିଶାବାସୀଙ୍କର ସମସ୍ତ ପ୍ରକାର ଉନ୍ନତିରେ ଯେଉଁ ଅନ୍ତରାୟ ସୃଷ୍ଟି କରୁଥିଲା, ସେ ବିଷୟ ପ୍ରତି ଏପରିଭାବରେ ସେ ସମୟରେ ସରକାରର ଦୃଷ୍ଟି ଆକର୍ଷଣ କରାଯାଉଥିଲା ।

 

ବଙ୍ଗଳାର ଲେ: ଗଭର୍ଣ୍ଣର ସାର୍ ରିଚାର୍ଡ଼ ଥମ୍ପସନ୍ 1885 ମସିହା ନଭେମ୍ୱର ମାସରେ କଟକ ଦରବାରକୁ ଆସିଥିବା ସମୟରେ ମଧୁସୂଦନ ଓଡ଼ିଶାବାସୀଙ୍କ ପକ୍ଷରୁ ତାଙ୍କ ପାଖରେ ଗୋଟିଏ ଦାବୀପତ୍ର ଦାଖଲ କରିଥିଲେ । ଅନ୍ୟାନ୍ୟ ନାନାଦି ବିଷୟ ସହିତ ତହିଁରେ (1) ରେଳପଥର ସଂପ୍ରସାରଣ, (2) ଶିଳ୍ପ ସଂକ୍ରାନ୍ତ ଶିକ୍ଷା ଓ କଳକାରଖାନାର ଅଭିବୃଦ୍ଧ, (3) କୃଷିର ଉନ୍ନତି ଲାଗି ବିଧିବଦ୍ଧ ଯୋଜନା ପ୍ରଣୟନ ଓ ଭାଷାଭିତ୍ତିରେ ସମ୍ୱଲପୁର ଜିଲ୍ଲା (ସେତେବେଳେ ମଧ୍ୟପ୍ରଦେଶ ଅଧୀନରେ ଥିଲା), ଗଞ୍ଜାମ, ଜୟପୁର ଏବଂ ଭାଇଜାଗାପଟ୍ଟମ୍ ଏଜେନ୍ସିକୁ (ଏସବୁ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ରହିଥିଲା) ଓଡ଼ିଶା ଡିଭିଜନ ସହ ମିଶ୍ରଣ କରାଇବାକୁ ଦାବି କରାଯାଇଥିଲା । ଏହିପରି 10 ବର୍ଷ ପୂର୍ବରୁ ବଙ୍ଗଳାର ଲେ: ଗଭର୍ଣ୍ଣର ସାର୍ ରିଚାର୍ଡ଼ ଟେମ୍ପଲ୍ ଓଡ଼ିଶା ଆସିଥିବା ସମୟରେ, ଓଡ଼ିଶାର ଦୁଇଜଣ ବିଶିଷ୍ଟ ବ୍ୟକ୍ତି, ଶ୍ରୀ ବିଚିତ୍ରାନନ୍ଦ ଦାସ ଓ ରାଜା ଶ୍ୟାମସୁନ୍ଦର ଦେ ମଧ୍ୟ ଗୋଟିଏ ଦାବୀପତ୍ର ତାଙ୍କୁ ଦେଇଥିଲେ ଏବଂ ତହିଁରେ ସମସ୍ତ ଓଡ଼ିଆ-ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକଶାସନାଧୀନ କରାଯିବା ନିମନ୍ତେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ନିବେଦନ କରିଥିଲେ । ମାତ୍ର ଏହା ଉପରେ ଥରେ ମାତ୍ର ଆଖି ପକାଇ ଦେଇ ମହାମାନ୍ୟ ଲେ: ଗଭର୍ଣ୍ଣର ନିବେଦନ ପତ୍ରଟିକୁ ଟିକି ଟିକି କରି ଚିରି ପକାଇ ଅଳିଆ କାଗଜ ଭିତରକୁ ଫିଙ୍ଗି ଦେଇଥିଲେ । ସେହିଦିନୁ ଓଡ଼ିଶାର ଦାବୀ ପ୍ରଶ୍ନ ଆଉ କେହି ଉଠାଇ ନ ଥିଲେ । କିନ୍ତୁ 1885 ମସିହାଠାରୁ ଏହି ଦାବୀ କ୍ରମାଗତ ଭାବରେ ଚାଲିଲା ଏବଂ ମଧୁସୂଦନଙ୍କ ନେତୃତ୍ୱରେ ଏହି ଦାବୀ ଦିନୁଦିନ ପ୍ରବଳ ହେବାରେ ଲାଗିଲା ।

Image

 

(୫)

ଭାରତୀୟ ଜାତୀୟ-କଂଗ୍ରେସ

 

ଇଂ 1885 ମସିହା ଭାରତର ରାଜନୈତିକ ରଙ୍ଗମଞ୍ଚରେ ଆଣିଥିଲା ଏକ ନୂତନ ଆଲୋଡ଼ନ । କାରଣ ସେହି ବର୍ଷ ଗଠିତ ହେଲା ନିଖିଳ ଭାରତ ଜାତୀୟ-କଂଗ୍ରେସ । ସେହି ବର୍ଷ ଡିସେମ୍ୱର ମାସ ତା 25 ରିଖ ବମ୍ୱେଠାରେ ପ୍ରଥମ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେବା ପୂର୍ବରୁ ଏହାର ସଂଗଠକମାନଙ୍କ ତରଫରୁ ଏହି ଅନୁଷ୍ଠାନର ଗଠନତନ୍ତ୍ର ଓ ଆଭିମୁଖ୍ୟ ସମ୍ପର୍କରେ ଏକ ଇସ୍ତାହାର ପ୍ରକାଶ କରାଯାଇ କୁହାଯାଇଥିଲା ଯେ :

 

ବଙ୍ଗଳା, ବମ୍ୱେ ଓ ମାଡ୍ରାସ ପ୍ରେସିଡ଼େନ୍ସିର ଯେଉଁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିବର୍ଗ ଇଂରେଜୀ ଭାଷା ସହିତ ଭଲଭାବରେ ପରିଚିତ, ସେହିମାନଙ୍କୁ ନେଇ ଏହି ଅଧିବେଶନ ଅନୁଷ୍ଠିତ ହେବ ଏବଂ ପ୍ରଧାନ ଲକ୍ଷ୍ୟ ରହିବ—

 

(କ) ଜାତୀୟ ପ୍ରଗତି ଆଣିବା ଉଦ୍ଦେଶ୍ୟରେ କାମ କରୁଥିବା ବିଭିନ୍ନ ବ୍ୟକ୍ତିବର୍ଗଙ୍କ ମଧ୍ୟରେ ପରସ୍ପର ସମ୍ପର୍କ ଓ ପରିଚୟ ସ୍ଥାପନ ।

 

(ଖ) ଆଗାମୀ ବର୍ଷ ଯେଉଁ ସବୁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ, ସେ ସବୁ ବିଷୟରେ ଆଲୋଚନା କରି ସେ ବିଷୟରେ ସିଦ୍ଧାନ୍ତ ଗ୍ରହଣ ।

 

କିନ୍ତୁ ନିଖିଳ ଭାରତ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ଏଣେ ବମ୍ୱେଠାରେ ଚାଲିଥିବାବେଳକୁ, ତେଣେ ସେହି ଏକା ଆଭିମୁଖ୍ୟ ନେଇ କଲିକତାଠାରେ ଇଣ୍ଡିଆନ୍ ଆସୋସିଏସନ୍ ତରଫରୁ ନେସନାଲ୍ କନଫରେନ୍ସର ଦ୍ୱିତୀୟ ଅଧିବେଶନ ଚାଲିଥାଏ । ଯେଉଁ ସୁରେନ୍ଦ୍ରନାଥ ବାନାର୍ଜୀ ପରବର୍ତ୍ତୀକାଳରେ ନିଖିଳ ଭାରତ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ, ସେ ମଧ୍ୟ କଲିକତାରେ ହେଉଥିବା ନେସନାଲ୍ କନଫରେନ୍ସରେ ଜୋରସୋର୍‍ ଲାଗିପଡ଼ିଥିଲେ । ବଙ୍ଗ ପ୍ରଦେଶ ସହିତ ସେତେବେଳେ ଓଡ଼ିଶାର ରାଜନୈତିକ ଯୋଗସୂତ୍ର ରହିଥିବାରୁ, ଉତ୍କଳ ସଭା ତରଫରୁ ମଧୁସୂଦନ ଓ ଆଉ କେଇଜଣ ପ୍ରତିନିଧି ମଧ୍ୟ କଲିକତାରେ ଅନୁଷ୍ଠିତ ହେଉଥିବା ଏହି କନଫରେନ୍ସରେ ଯୋଗଦୋବକୁ ଯାଇଥିଲେ ।

 

ବମ୍ୱେଠାରେ ଅନୁଷ୍ଠିତ ହୋଇଯାଇଥିବା ପ୍ରଥମ କଂଗ୍ରେସ ଅଧିବେଶନର ବିଭିନ୍ନ ଆଲୋଚନା ସମ୍ପର୍କୀୟ ବିବରଣୀଗୁଡ଼ିକ କଟକରୁ ପ୍ରକାଶିତ ହେଉଥିବା ‘ଉତ୍କଳ ଦୀପିକା’ର ସ୍ତମ୍ଭରେ ବହୁଳ ଭାବରେ ପ୍ରକାଶ ପାଇଥିଲା । ବମ୍ୱେ କଂଗ୍ରେସ ଅଧିବେଶନରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ଉପରେ ବିଚାର ଆଲୋଚନା କରିବା ପାଇଁ 1886 ମସିହା ମାର୍ଚ୍ଚ ମାସ ତା 3 ରିଖ ଦିନ କଟକ ପ୍ରିଣ୍ଟିଂ କମ୍ପାନୀ ହତାରେ ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା ଏବଂ ମଧୁସୂଦନ ନିଜେ ଏଥିରେ ସଭାପତିତ୍ୱ କରିଥିଲେ ।

 

ଜାତୀୟ ରାଜନୈତିକ ଜାଗରଣ କ୍ଷେତ୍ରରେ ଏବେ ଯେଉଁ ନୂତନ ତରଙ୍ଗ ଦେଖାଦେଇଥିଲା, ଓଡ଼ିଶା ମଧ୍ୟ ତା’ର ଆଲୋଡ଼ନରୁ ବାଦ୍ ପଡ଼ି ନ ଥିଲା । କାଳବିଳମ୍ୱ ନ କରି ମଧୁସୂଦନ ଓଡ଼ିଶାର ଉତ୍କଳ ସଭାକୁ ଏହି ନୂତନ ପ୍ଳାବନ ସହିତ ସମସୂତ୍ରରେ ଗ୍ରଥିତ କରିବାରେ ଲାଗିପଡ଼ିଥିଲେ । ଏହା ପରେ ପରେ ଉତ୍କଳ ସଭାର ଗୋଟିଏ ଅଧିବେଶନରେ ବମ୍ୱେ କଂଗ୍ରେସର ପ୍ରସ୍ତାବଗୁଡ଼ିକୁ ସର୍ବସମ୍ମତ ନିଷ୍ପତ୍ତିଭାବରେ ଗ୍ରହଣ କରି ନିଆଯାଇଥିଲା । ଏହା ପରବର୍ଷ ଅର୍ଥାତ୍ 1886 ମସିହାରେ ଅନୁଷ୍ଠିତ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନଠାରୁ ଆରମ୍ଭ କରି 1908 ମସିହା ପର୍ଯ୍ୟନ୍ତ ମଧୁସୂଦନଙ୍କ ନେତୃତ୍ୱରେ ଉତ୍କଳ ସଭାର ପ୍ରତିନିଧିମାନେ ସେଥିରେ ବରାବର ଯୋଗଦେଉଥିଲେ; କିନ୍ତୁ ବିଚ୍ଛିନ୍ନ ଓଡ଼ିଆ-ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକଶାସନାଧୀନ କରି ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା କାର୍ଯ୍ୟରେ ନିଜର ସମସ୍ତ ସମୟ ଓ ଶକ୍ତି ସମର୍ପଣ କରିବାର ଅପରିହାର୍ଯ୍ୟ ଆବଶ୍ୟକତା ଦୃଷ୍ଟିରୁ, 1903 ମସିହାରେ ମଧୁସୂଦନ ଜାତୀୟ କଂଗ୍ରେସ ଅନୁଷ୍ଠାନରୁ ସାମୟିକ ଭାବରେ ନିଜକୁ ବିଚ୍ୟୁତ କରିନେବା ପରଠାରୁ, ଏଥିରେ ବ୍ୟତିକ୍ରମ ଘଟିଥିଲା । ମାତ୍ର ଏହାର ପୂର୍ବବର୍ତ୍ତୀ ସମୟାବଧି ଜାତୀୟ କଂଗ୍ରେସର ଅଗ୍ରଗତି ଓ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାରେ ମଧୁସୂଦନ ଯେପରି ସକ୍ରିୟଭାବରେ ଲାଗିପଡ଼ିଥିଲେ, ସେ ଦୃଷ୍ଟିରୁ ଭାରତୀୟ ମୁକ୍ତି ସଂଗ୍ରାମୀମାନଙ୍କର ଇତିହାସରେ ମଧୁସୂଦନ ଯେ ଏକ ବିଶିଷ୍ଟ ସ୍ତାନ ଲାଭକରିବାର ଯଥାର୍ଥ ଅଧିକାରୀ ତାହା ଅନସ୍ୱୀକାର୍ଯ୍ୟ ।

 

1887 ମସିହାରେ ଜାତୀୟ କଂଗ୍ରେସର ତୃତୀୟ ଅଧିବେଶନ ମାନ୍ଦ୍ରାଜଠାରେ ଅନୁଷ୍ଠିତ ହୋଇଥିଲା । ସେ ଯାଏ ମାନ୍ଦ୍ରାଜ ସହିତ ଓଡ଼ିଶାର ରେଳ ଯୋଗାଯୋଗ ସ୍ଥାପିତ ହୋଇ ନ ଥାଏ । ତେଣୁ ଓଡ଼ିଶାରୁ ମାନ୍ଦ୍ରାଜ ଯିବାକୁ ହେଲେ ସାତଦିନ କାଳ ସମୁଦ୍ରରେ ଯାତ୍ରା କରିବାକୁ ପଡ଼ୁଥିଲା । ତଥାପି ଦୂରତ୍ୱ ଓ ଗମନାଗମନ ପଥର ସମସ୍ତ ଅସୁବିଧା ସତ୍ତ୍ୱେ, ମଧୁସୂଦନ ଓ ଗୌରୀଶଙ୍କର (ଉତ୍କଳ ଦୀପିକାର ସମ୍ପାଦକ) ଉତ୍କଳ ସଭାର ପ୍ରତିନିଧି ହିସାବରେ ମାନ୍ଦ୍ରାଜ ଅଧିବେଶନରେ ଯଥା ସମୟରେ ଯୋଗ ଦେଇଥିଲେ ।

 

ପ୍ରାଥମିକ ଅବସ୍ଥାରେ ବର୍ଷକୁ ବର୍ଷ ମୁଷ୍ଟିମେୟ ଇଂରେଜୀପଢ଼ୁଆ ବୁଦ୍ଧିଜୀବୀଙ୍କର ଆଲୋଚନା ବୈଠକରେ ହିଁ କଂଗ୍ରେସର ପରିସର ସୀମିତ ରହିଥିଲା । କୋଉଠି କୋଉଠି ଅବା ଏମାନଙ୍କ ସହିତ ଜଣେ ଅଧେ ବ୍ୟବସାୟୀ ବା ଡାକ୍ତର ଆଦି କ୍ୱଚିତ୍ ଆଖିରେ ପଡ଼ୁଥିଲେ । ମାତ୍ର କଂଗ୍ରେସ ଅନୁଷ୍ଠାନର ବାର୍ତ୍ତା ଓ କାର୍ଯ୍ୟକ୍ରମକୁ ଏହିପରି ମୁଷ୍ଟିମେୟ ଶିକ୍ଷିତ ସମ୍ପ୍ରଦାୟ ମଧ୍ୟରେ ସୀମାବଦ୍ଧ ନ ରଖି, ଗାଁଗହଳିରେ ବାସକରୁଥିବା ସାଧାରଣ ଜନତା ମଧ୍ୟରେ ଏହାର ପ୍ରବେଶ ଘଟାଇବାକୁ ମଧୁସୂଦନ ଇଚ୍ଛା କରୁଥିଲେ । ଉତ୍କଳ ଦୀପିକାରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରୁ (1) ଜଣାଯାଏ ଯେ, ମାଡ୍ରାସ କଂଗ୍ରେସ ଅଧିବେଶନରୁ ଫେରିବା ପରେ ମଧୁସୂଦନ ଓ ଗୌରୀଶଙ୍କରଙ୍କୁ ସମ୍ୱର୍ଦ୍ଧନା ଜଣାଇବା ପାଇଁ କଟକ ପ୍ରିଣ୍ଟିଂ କମ୍ପାନୀ ହତାରେ ସର୍ବସାଧାରଣଙ୍କ ପକ୍ଷରୁ ଗୋଟିଏ ସଭା ଡକାଯାଇଥିଲା । ମୁଖ୍ୟବକ୍ତା ଭାବରେ ମଧୁସୂଦନ ଏହି ସଭାରେ ଭାଷଣ ପ୍ରସଙ୍ଗରେ ହିନ୍ଦୁ-ମୁସଲମାନ ଏକତା ଉପରେ ଅଧିକ ଜୋର ଦେଇଥିଲେ । କାରଣ, ଭାରତୀୟ ରାଜନୀତିରେ ସେତେବେଳକୁ ସାମ୍ପ୍ରଦାୟିକତାର ପ୍ରବେଶ ଘଟିସାରିଥିଲା । ଅନ୍ୟାନ୍ୟ ବିଷୟ ମଧ୍ୟରେ ‘ଭାରତୀୟ ଜାତୀୟ କଂଗ୍ରେସ’ରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେଇ ଅନୁଷ୍ଠାନକୁ ଶକ୍ତିଶାଳୀ ଓ ଅଧିକ କାର୍ଯ୍ୟକ୍ଷମ କରିବାକୁ ସଭାରେ ଉପସ୍ଥିତ ଥିବା ଜନତାକୁ ସେ ଉଦବୋଧନ ଦେଇଥିଲେ ।

 

ସାଧାରଣ ଜନତା ମଧ୍ୟରେ କଂଗ୍ରେସର ବାର୍ତ୍ତା ପ୍ରଚାରକରିବାରେ ମଧୁସୂଧନ ଅକ୍ଳାନ୍ତ ଭାବରେ ଲାଗିପଡ଼ିଥିଲେ । କଂଗ୍ରେସର ମାଡ୍ରାସ ଅଧିବେଶନରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକର ତାତ୍ପର୍ଯ୍ୟ ବିଷୟରେ ଲୋକମାନଙ୍କ ମନରେ ଧାରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ 1888 ମସିହା ଫେବୃଆରୀ ମାସ 16 ତାରିଖରେ ଗୋଟିଏ ବିରାଟ ସାଧାରଣ ସଭା କଟକ ମ୍ୟୁନିସିପାଲିଟି ମାର୍କେଟ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ଦୂରଦୂରାନ୍ତ ଗ୍ରାମାଞ୍ଚଳମାନଙ୍କରେ କଂଗ୍ରେସ ଅନୁଷ୍ଠାନକୁ ପରିଚିତ କରାଇ, ଏହାର ପରିସରକୁ ବ୍ୟାପକ କରିବାକୁ ଏହି ସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ତେଣୁ ମଧୁସୂଦନ କେନ୍ଦ୍ରାପଡ଼ା ସବ୍ଡ଼ିଭିଜନର ଗାଁଗଣ୍ଡା ବୁଲି ସର୍ବସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ଜାତୀୟ କଂଗ୍ରେସରେ ଯୋଗଦେବାକୁ ଲୋକମାନଙ୍କୁ ବୁଝାଇଥିଲେ । * ସେହି ବର୍ଷ ଅକ୍ଟୋବର ମାସ ତା 6 ରିଖରେ ଉତ୍କଳ ସଭାର ଗୋଟିଏ ଅଧିବେଶନ ବସିଥିଲା । ଉତ୍କଳ ସଭାକୁ ନିଖିଳ ଭାରତ ଜାତୀୟ କଂଗ୍ରେସର ଏକ ଶାଖା କମିଟି ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ସେହି ସଭାରେ ସର୍ବସମ୍ମତଭାବରେ ନିଷ୍ପତ୍ତି ଗ୍ରହଣ କରାଗଲା । ‘ଉତ୍କଳ ସଭା’ ଏହିପରି ଭାବରେ ନିଖିଳ ଭାରତ ଜାତୀୟ କଂଗ୍ରେସରେ ସାମିଲ ହେବାପରେ ଏହା ଓଡ଼ିଶାର ସର୍ବପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟିରେ ରୂପାନ୍ତରିତ ହେଲା ଏବଂ ମଧୁସୂଦନ ଏହାର ଆଦିପିତା ଓ ପଥପ୍ରଦର୍ଶକରୂପେ ବିବେଚିତ ହେବାକୁ ଲାଗିଲେ ।

 

* Histroy of Freedom Movement in Orissa (Edited by P. Mukherjee) Vol. II, P. 121

Image

 

(୬)

ଲବଣ-କର ବିରୁଦ୍ଧରେ ଆନ୍ଦୋଳନ

 

ସମୁଦ୍ର-ପାଣିରୁ ଲୁଣ ମାରିବା ନିଷେଧ କରି ଇଂରେଜ ସରକାର ଯେଉଁ ଲବଣ-କର ବସାଇଥିଲେ, ତାହାର ପ୍ରତିବାଦରେ ଯେଉଁ ସବୁ ଆନ୍ଦୋଳନ କ୍ରମେ ମୁଣ୍ଡଟେକି ଉଠିଥିଲା, ସେ ସବୁଥିରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ରାଜନୈତିକ ବ୍ୟକ୍ତିବୃନ୍ଦଙ୍କ ମଧ୍ୟରୁ ମଧୁସୂଦନ ଥିଲେ ଅନ୍ୟତମ । ଭାରତର ଅନ୍ୟାନ୍ୟ ଅଞ୍ଚଳର ବିଶିଷ୍ଟ ରାଜନୈତିକ ବ୍ୟକ୍ତିବୃନ୍ଦ ଅବଶ୍ୟ ଇଂରେଜ ସରକାରର ଏହି ଅନୀତି ବିରୁଦ୍ଧରେ ବରାବର ବିଷୋଦ୍‍ଗାର କରୁଥିଲେ ଏବଂ ବିଲାତର କମନ୍ସ ସଭାକୁ ସେମାନଙ୍କର ପ୍ରତିବାଦପତ୍ର ପଠାଇବାରୁ କେବେହେଲେ ନିବୃତ୍ତ ନ ଥିଲେ; କିନ୍ତୁ ସର୍ବସାଧାରଣ ସ୍ୱାର୍ଥବିରୋଧୀ ଏହି ସମସ୍ୟାକୁ ପ୍ରବଳ ଜନଆନ୍ଦୋଳନର ରୂପ ଦେଇ ଗଣ-ପ୍ରତିବାଦର ସ୍ୱରୂପ ଓ ତାତ୍ପର୍ଯ୍ୟକୁ ଗଭୀରତର କରିବାରେ ମଧୁସୂଦନ ପ୍ରଥମେ ହିଁ ପ୍ରଯତ୍ନ କରିଥିଲେ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସମୁଦ୍ରପାଣିରୁ ଲୁଣ ମାରିବା ସ୍ଥାନୀୟ ଅଧିବାସୀମାନଙ୍କର ଏକ ମୁଖ୍ୟ ଜୀବିକା ହୋଇଥିବାରୁ, ସାରା ଭାରତ ମଧ୍ୟରେ ସ୍ୱଭାବତଃ ଓଡ଼ିଶାରେ ହିଁ ଏହି ଲବଣ-କର-ବିରୋଧୀ ଆନ୍ଦୋଳନ ସର୍ବପ୍ରଥମେ ମୁଣ୍ଡଟେକି ଉଠିଥିଲା । ସେଇଥିପାଇଁ ଏହାର ପରବର୍ତ୍ତୀକାଳରେ, ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯେତେବେଳେ ଭାରତର ନାନାସ୍ଥାନରେ ଲବଣ ସତ୍ୟାଗ୍ରହ ଚେଇଁଉଠିଲା, ଓଡ଼ିଶା ପୂର୍ବ ଅଭିଜ୍ଞତା ଦୃଷ୍ଟିରୁ, ସେହି ଆନ୍ଦୋଳନରେ ଅଧିକ ସକ୍ରିୟ ଓ ସଫଳଭାବରେ ଯୋଗଦେଇ ପାରିଥିଲା ।

 

ଓଡ଼ିଶା ଇଷ୍ଟଇଣ୍ଡିଆ କମ୍ପାନୀ ଅଧୀନକୁ ଆସିବା ପୂର୍ବରୁ ଲୁଣମରା ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଗୋଟିଏ ମୁଖ୍ୟଶିଳ୍ପଭାବରେ ସ୍ଥାନ ପାଇଥିଲା । ପ୍ରଖ୍ୟାତ ଐତିହାସିକ ଆଣ୍ଡୃଜ୍ ଷ୍ଟର୍ଲିଂ ସର୍ବପ୍ରଥମେ ଓଡ଼ିଶାର ଇତିହାସ ସଙ୍କଳନ କରିଥିଲେ । ତାଙ୍କରି ବିବରଣୀ ଉପରେ ନିର୍ଭରକରି କଟକ ‘ଡିଷ୍ଟ୍ରିକ୍ଟ ଗେଜେଟିଅର୍’ରେ ମ୍ୟାଲେ ସାହେବ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶା ଉପକୂଳବର୍ତ୍ତୀ ଆସ୍ୱାସ୍ଥ୍ୟକର ଓ ଦୁର୍ଗମ ଅଞ୍ଚଳମାନଙ୍କରୁ ହିଁ ସେତେବେଳେକାର ସର୍ବଶ୍ରେଷ୍ଠ ଲୁଣ ସଂଗ୍ରହ କରାଯାଉଥିଲା ଏବଂ କେବଳ ସେହିଥିରୁ ହିଁ ଓଡ଼ିଶାର ଇଷ୍ଟଇଣ୍ଡିଆ କମ୍ପାନୀ ସରକାର ବାର୍ଷିକ 18 ଲକ୍ଷ ଟଙ୍କା ଏକଚାଟିଆ ବାଣିଜ୍ୟ ସୂତ୍ରରେ ଟିକସ ପାଉଥିଲେ ।

 

ବ୍ରିଟିଶ ଶାସନର ପ୍ରାରମ୍ଭିକ ଅବସ୍ଥାରେ ପ୍ରତି ମହଣ (82 ପାଉଣ୍ଡ) ଲୁଣର ଉତ୍ପାଦନ ମୂଲ୍ୟ ଉପରେ 5 ଶିଲିଂ ହିସାବରେ ଅଧିକ ଟିକସ ବସାଯିବା ପରେ ସେହି ଲୁଣକୁ ବିକ୍ରି ନିମନ୍ତେ ବଜାରକୁ ଛଡ଼ାଯାଉଥିଲା । ଓଡ଼ିଶା ଉପନ୍ୟାସ ସାହିତ୍ୟର ଜନକ ଫକୀରମୋହନ ସେନାପତି, ତାଙ୍କର ଆତ୍ମଚରିତରେ ଉଲ୍ଲେଖ କରିଅଛନ୍ତି ଯେ ଲୁଣ ଉତ୍ପାଦନକାରୀମାନଙ୍କଠାରୁ ସରକାର ମହଣ 5 ଅଣା (30 ପଇସା) ଦରରେ ଲୁଣ କିଣିନେଇ ଏକଚାଟିଆ ବାଣିଜ୍ୟସୂତ୍ରରେ ସେହି ଲୁଣକୁ ମହଣ ଦୁଇଟଙ୍କା ଦରରେ ଲୋକଙ୍କୁ ବିକ୍ରି କରୁଥିଲେ । ଲୁଣ ଉତ୍ପାଦନ କରୁଥିବା ଇଂରେଜ ବ୍ୟବସାୟୀ ଓ ଇଂରେଜ ଲୁଣବେପାରୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦେଶୀ ପଙ୍ଗାଲୁଣର ମୂଲ୍ୟ ଏହିପରି ଭାବରେ ବୃଦ୍ଧି କରାଯାଇଥିଲା । ଏହାଦ୍ୱାରା ଓଡ଼ିଶାର ସ୍ଥାନୀୟ ଲୁଣ ଉତ୍ପାଦନକାରୀ ଓ ଗରିବଲୋକେ ବଡ଼ ଅସୁବିଧାରେ ପଡ଼ିଥିଲେ । ଯେଉଁ ଗରିବଲୋକେ ଏ ଦୁର୍ମୂଲ୍ୟ ଦେଇ ଲୁଣ କିଣିପାରିଲେ ନାହିଁ, ସେମାନେ ସମୁଦ୍ରକୂଳର ଯେଉଁ ଜମିଗୁଡ଼ିକରେ ଲୁଣିପାଣି ମାଡ଼ିଯାଉଥିଲା, ସେହି ବିଲର ମାଟିକୁ ଲୁଣ ରୂପେ ବ୍ୟବହାର କରୁଥିଲେ ଓ ସମୁଦ୍ରଠାରୁ ଦୂରବର୍ତ୍ତୀ ସ୍ଥାନର ଗରିବ ଲୋକମାନେ ଲଟାପତ୍ର ପୋଡ଼ି ସେହି ପତ୍ର ଖାରକୁ ଲୁଣରୂପେ ବ୍ୟବହାର କରୁଥିଲେ ।

 

ଓଡ଼ିଶାଲୋକେ ଲୁଣ ମୁଠାକ ପାଇଁ ଏମିତି ହସ୍ତସନ୍ତ ହେବା ସାଙ୍ଗକୁ ଓଡ଼ିଶାରେ ସ୍ଥାନୀୟ ଲବଣ ଶିଳ୍ପର ଅଧୋଗତି ଲାଗିରହିଥିବାବେଳେ ଓଡ଼ିଶା ସରକାର ତେଣେ ସରକାରୀ ଲବଣ ବିଭାଗଟିକୁ ପୁଣି ମାଡ୍ରାସ ସରକାର ହାତରେ ଟେକିଦେଲେ । ଫଳରେ ଓଡ଼ିଶାର ଲବଣ-ଶିଳ୍ପ ଶୋଚନୀୟ ଦୁଃସ୍ଥିତିର ସମ୍ମୁଖୀନ ହୋଇପଡ଼ିଲା । ଓଡ଼ିଶାରେ ଉତ୍ପାଦନ ହେଉଥିବା ଲୁଣ ମାଡ୍ରାସୀ ଲୁଣଠାରୁ ଯଥେଷ୍ଟ ଉତ୍କୃଷ୍ଟ ହୋଇଥିଲେ ମଧ୍ୟ ମାଡ୍ରାସୀ ଲୁଣ ଶସ୍ତାରେ ମିଳୁଥିବାରୁ, ଓଡ଼ିଶାର ଲୁଣ ବଜାରରେ ସେ ଲୁଣ ସହିତ ପାରିଉଠିବା ସମ୍ଭବପର ହେଲାନାହିଁ । ସମୁଦ୍ରକୂଳିଆ ନିମ୍ନଭୂମିମାନଙ୍କରେ ଜମୁଥିବା ସମୁଦ୍ରପାଣିକୁ ସୂର୍ଯ୍ୟକିରଣରେ ଶୁଖାଇ ମାନ୍ଦ୍ରାଜରେ ଲୁଣ ସଂଗ୍ରହ କରାଯାଉଥିବାରୁ, ସେ ଲୁଣର ଉତ୍ପାଦନ ଖର୍ଚ୍ଚ ଖୁବ୍ ଶସ୍ତା ପଡ଼ୁଥିଲା । ମାଡ୍ରାସୀ ଲୁଣ ଶସ୍ତା ପଡ଼ୁଥିବାରୁ ଲୋକେ ତାକୁ ଆଗ୍ରହରେ କିଣି ନେଉଥିଲେ । ଏଥିରୁ ଅଧିକ ଟିକସ ମିଳିବାର ସମ୍ଭାବନା ଥିବା ଦୃଷ୍ଟିରୁ ସ୍ଥାନୀୟ ସରକାର ମଧ୍ୟ ଏହି ଲୁଣ ଓଡ଼ିଶା ବଜାରରେ ବିକ୍ରି ହେବାରେ ସାହାଯ୍ୟ କରୁଥିଲେ । ଅନ୍ୟ ପକ୍ଷରେ ଓଡ଼ିଶୀ ଲୁଣ ଗୁଣରେ ଯଥେଷ୍ଟ ଉତ୍କୃଷ୍ଟ ଥିବାରୁ ସେସବୁ ଓଡ଼ିଶା ବାହାରକୁ ଚୋରାରେ ଚାଲାଣ ହୋଇଯାଉଥିଲା । ଏହାଦ୍ୱାରା କମ୍ପାନୀ ସରକାରଙ୍କ ରାଜସ୍ୱରେ ମଧ୍ୟ କ୍ଷତି ଘଟୁଥିଲା । ସେଇଥିପାଇଁ ଓଡ଼ିଶା ସରକାର ଆଇନ ବଳରେ ରାଜ୍ୟ ଭିତରେ ଲୁଣ ଉତ୍ପାଦନ ପୂରାପୂରି ବନ୍ଦ କରାଇ ଦେଇ ଓଡ଼ିଶାର ସରକାରୀ ଲବଣ-ବିଭାଗର ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱ ମାଡ୍ରାସ ସରକାର ହାତରେ ପୂରାପୂରି ଛାଡ଼ିଦେଇଥିଲେ । ଫଳରେ ଓଡ଼ିଶାର ହଜାର ହଜାର ପରିବାର, ଯେଉଁମାନେ କି ପରମ୍ପରାକ୍ରମେ ଲୁଣମାରି ପେଟ ପୋଷୁଥିଲେ, ସେମାନେ ଜୀବିକା ହରାଇ ସର୍ବସ୍ୱାନ୍ତ ହୋଇପଡ଼ିଲେ । ଏହି କାରଣରୁ ଓଡ଼ିଆ ଲୋକମାନଙ୍କ ମଧ୍ୟରେ କମ୍ପାନୀ ସରକାର ବିରୁଦ୍ଧରେ ଅଶାନ୍ତି ଖେଳିଗଲା ।

 

1888 ମସିହାରେ ଆଲାହାବାଦଠାରେ ବସିଥିବା କଂଗ୍ରେସ ଅଧିବେଶନରେ କମ୍ପାନୀ ସରକାରର ଲବଣ ଟିକସ ବୃଦ୍ଧି ବିରୁଦ୍ଧରେ ଆଲୋଚନା ହୋଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବିଦେଶୀ ଅତ୍ୟାଚାର ବିରୁଦ୍ଧରେ କେବଳ କାଗଜ କଲମରେ ପ୍ରତିବାଦକୁ ସୀମାବଦ୍ଧ ନ ରଖି, ଏହା ବାହାରେ କିଛି କରିବା ଦରକାର ବୋଲି ମଧୁସୂଦନ ବିଚାରକଲେ । ତେଣୁ ଆଲାହାବାଦ କଂଗ୍ରେସ ଅଧିବେଶନ ଶେଷ ହେବା ଉତ୍ତାରେ, ଉତ୍କଳ ସଭା ତରଫରୁ କଟକ ମ୍ୟୁନିସିପାଲିଯି ମାର୍କେଟରେ ଏକ ବିରାଟ ସାଧାରଣ ସଭା ଆହୂତ ହୋଇଥିଲା । ଏହି ସଭାରେ ମଧୁସୂଦନ ଓଡ଼ିଆରେ ବକ୍ତୃତା ଦେଇ କହିଥିଲେ ଯେ, ବିଲାତରେ ଜଣେ ସାଧାରଣ ଲୋକର ବାର୍ଷିକ ଆୟ ହାରାହାରି ଟ 300 ହୋଇଥିବା ସ୍ଥଳେ ଓଡ଼ିଶାରେ ତାହା ମାତ୍ର ଟ 20 ଅଟେ । ଏପରି ଅବସ୍ଥାରେ ନିକଟ ଅତୀତରେ କମ୍ପାନୀ ସରକାର ଓଡ଼ିଶାରେ ଲୁଣକର ପୁଣି ବଢ଼ାଇଥିବାରୁ ସେ ତାହାର ପ୍ରବଳ ପ୍ରତିବାଦ କରିଥିଲେ ଏବଂ ଓଡ଼ିଶାର ଲବଣ ବିଭାଗଟିକୁ ମାନ୍ଦ୍ରାଜ ସରକାରର ନିୟନ୍ତ୍ରଣରୁ ଫେରାଇଆଣି ବଙ୍ଗଳା ସରକାର ଅଧୀନରେ ଅବସ୍ଥାପିତ କରାଇବାକୁ ସେ ଦାବୀ କରିଥିଲେ । ଏହାଦ୍ୱାରା ଓଡ଼ିଶାରେ ଲବଣ-ଶିଳ୍ପର ପୁନର୍ଜାଗରଣ କରାଯାଇପାରିବ ବୋଲି ସେ କହିଥିଲେ ।

 

ଓଡ଼ିଶାରେ ଲବଣ-ଶିଳ୍ପର ଅଧୋଗତି ବିଷୟରେ ଆଲୋଚନା କରି ଅପ୍ରେଲ 1896 ମସିହାରେ ବଙ୍ଗଳା ଲେଜିସଲେଟିଭ କାଉନସିଲରେ ମଧୁସୂଦନ ଯେଉଁ ଭାଷଣ ଦେଇଥିଲେ, ତାହାର ଉତ୍ତରରେ ଗଭର୍ଣ୍ଣମେଣ୍ଟ ମେମ୍ୱର ମି: ରିସଲେ କାଉନ୍ସିଲରେ ଜବାବ ଦେଇ କହିଥିଲେ :

 

ଓଡ଼ିଶାର ଲବଣ ବିଭାଗକୁ ମାଡ୍ରାସ ଶାସନ କର୍ତ୍ତୃତ୍ୱରୁ ଆଣି ବଙ୍ଗ ଶାସନ ଅଧୀନରେ ଅବସ୍ଥାପିତ କରିବା ପ୍ରସ୍ତାବ ବିଷୟରେ ବର୍ତ୍ତମାନ ଭାରତ ସରକାରଙ୍କ ସହ ବିଚାର ଆଲୋଚନା କରାଯାଉଅଛି । ବଙ୍ଗଳା ସମେତ ଭାରତର ଅନ୍ୟାନ୍ୟ ସମସ୍ତ ଅଞ୍ଚଳ ପାଇଁ ବର୍ତ୍ତମାନ ପ୍ରଯୁଜ୍ୟ ହେଉଥିବା ଲବଣ ଆଇନକୁ ମଧ୍ୟ ସଂଶୋଧନ କରିବା ବିଷୟ ନେଇ ଭାରତ ସରକାରଙ୍କ ସହିତ ବିଚାର ଆଲୋଚନା ଚାଲିଛି ।*

 

ଏ ସବୁ ଆନ୍ଦୋଳନ ଫଳରେ ଶେଷରେ ଓଡ଼ିଶାର ନିମକି ମାହାଲକୁ ମାନ୍ଦ୍ରାଜ ସରକାରଠାରୁ ଫେରାଇଆଣି ପୂର୍ବପରି ବଙ୍ଗଳା ଶାସନ ଅଧୀନରେ ଅବସ୍ଥାପିତ କରାଗଲା । ସେହି ସମୟଠାରୁ ମଧୁସୂଦନଙ୍କ ଅର୍ଥନୈତିକ ଓ ରାଜନୈତିକ କାର୍ଯ୍ୟସୂଚୀରେ ଏହି ଲବଣ-ଶିଳ୍ପ ଓ ତାହା ଉପରେ ଧାର୍ଯ୍ୟ କରାଯାଉଥିବା ସରକାରୀ ଟିକସର ହ୍ରାସୀକରଣ ଏକ ମୁଖ୍ୟସ୍ଥାନ ଅଧିକାର କରିଥିଲା । ଏଠାରେ ଲକ୍ଷ୍ୟ କରିବାର କଥା ଯେ, 1930 ମସିହାରେ ମହାତ୍ମା ଗାନ୍ଧୀ ଏହି ଲବଣ-ଶିଳ୍ପ ଓ ତାହା ଉପରେ ସରକାରୀ ଟିକସ ଧାର୍ଯ୍ୟ ସମସ୍ୟାକୁ ନେଇ ତାଙ୍କ ବୈପ୍ଳବିକ କାର୍ଯ୍ୟକ୍ରମ ଆରମ୍ଭ କରିବାର ଦୀର୍ଘ 47 ବର୍ଷ ପୂର୍ବରୁ ମଧୁସୂଦନ ଏହାର ପ୍ରଥମ ସୂତ୍ରପାତ କରିସାରିଥିଲେ ।

 

* Vide Supplement to the Calcutta Gazette, April, 1896

Image

 

(୭)

ମୋହଭଙ୍ଗ

 

1895 ମସିହା...ଓଡ଼ିଶା ପକ୍ଷରେ ଏ ବର୍ଷଟି ଥିଲା ମୋହଭଙ୍ଗର ମୁହୂର୍ତ୍ତ । ଓଡ଼ିଆଏ ଆଶା କରୁଥିଲେ ଯେ ସମ୍ୱଲପୁରର ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ସେହି ବର୍ଷ ଓଡ଼ିଶା ଡିଭିଜନ୍ ସହିତ ସାମିଲ ହୋଇଯିବ; ମାତ୍ର ସେହି ବର୍ଷ ଜାନୁୟାରୀ ମାସ 25 ତାରିଖରେ ମଧ୍ୟପ୍ରଦେଶର ସରକାରୀ ଗେଜେଟରେ ପ୍ରକାଶ ପାଇଥିବା ଏକ ସରକାରୀ ଘୋଷଣାରୁ ଜଣାପଡ଼ିଲା ଯେ ଆଗାମୀ 1896 ମସିହା ଆରମ୍ଭରୁ ସମ୍ୱଲପୁରର କୋର୍ଟକଚେରି ଓ ସରକାରୀ ଅଫିସମାନଙ୍କରେ ଓଡ଼ିଆ ଜାଗାରେ ହିନ୍ଦୀ ଭାଷାର ବ୍ୟବହାର ପ୍ରବର୍ତ୍ତନ କରାଯିବ । ସମ୍ୱଲପୁର ଡିଭିଜନର ଚିଫ୍ କମିଶନର ସାର ଆଣ୍ଡୃ ଫ୍ରେଜରଙ୍କ ସଭାପତିତ୍ୱରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ବୋଲି ଘୋଷଣାରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା ।

 

ଏହା ପୂର୍ବରୁ 1888 ମସିହା ଡିସେମ୍ୱର ମାସରେ ବଙ୍ଗଳା ଡିଭିଜନର ଲେ: ଗଭର୍ଣ୍ଣର ସାର୍ ଷ୍ଟୁଆର୍ଟ ବେଲି କଟକ ପରିଦର୍ଶନରେ ଆସିଥିବା ସମୟରେ ଉତ୍କଳସଭା ତରଫରୁ ମଧୁସୂଦନଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିଦଳ ତାଙ୍କ ପାଖରେ ଯେଉଁ ଦାବିପତ୍ରଟି ଉପସ୍ଥାପିତ କରିଥିଲେ, ତହିଁରେ ନିମ୍ନମତେ ଲେଖାଥିଲା :

 

ମଧ୍ୟପ୍ରଦେଶର ପଶ୍ଚିମାଞ୍ଚଳ ବର୍ତ୍ତମାନ ବମ୍ୱେ ପ୍ରେସିଡ଼େନ୍ସିକୁ ହସ୍ତାନ୍ତରିତ କରିବାକୁ ପ୍ରସ୍ତାବ କରାଯାଉଥିବାବେଳେ, ଆମ୍ଭେମାନେ ନମ୍ରତାର ସହ ଆପଣଙ୍କୁ ଏ ବିଷୟରେ ସୂଚାଇଦେବାକୁ ଚାହୁଁ ଯେ, ଓଡ଼ିଆ ଭାଷାଭାଷୀ ଲୋକମାନେ ଯେଉଁ ଯେଉଁ ଅଞ୍ଚଳରେ ବାସ କରୁଅଛନ୍ତି, ସେସବୁ ଅଞ୍ଚଳଗୁଡ଼ିକୁ ବିଚାରଶୂନ୍ୟ ଭାବରେ ବର୍ତ୍ତମାନ ବଙ୍ଗଳା, ମଧ୍ୟପ୍ରଦେଶ ଓ ବମ୍ୱେ ପ୍ରେସିଡ଼େନ୍ସି ସହିତ ସାମିଲ କରି ରଖାଯାଇଅଛି । ତେଣୁ ଏତଦ୍ଦ୍ୱାରା ଆମ୍ଭେମାନେ ବିନମ୍ର ଅନୁରୋଧ କରୁଅଛୁ କି, ଏକ ଭାଷା, ସମାଜ ଓ ସଂସ୍କୃତି ସୂତ୍ରରେ ଗ୍ରଥିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଚିହ୍ନିତ କରାଇ, ସେ ସବୁକୁ ଏକ ସ୍ୱତନ୍ତ୍ର ପ୍ରାଦେଶିକ ଶାସନାଧୀନରେ ରଖାଯିବା ଲାଗି ଶ୍ରୀ ହଜୁରରୁ ଆଦେଶ ହେଉ ।

 

ଐତିହାସିକ ବିଚାରରୁ ଭାଷା ସହିତ ସଂସ୍କୃତିକୁ ସମନ୍ୱିତ କରି ଭାରତକୁ ବିଭିନ୍ନ ଶାସନତାନ୍ତ୍ରିକ ନିୟନ୍ତ୍ରଣାଧୀନରେ ରଖିବାର ପ୍ରଚେଷ୍ଟା ଏହା ପୂର୍ବରୁ ଆଉ କେବେ ଦେଖାଦେଇ ନଥିଲା; କିନ୍ତୁ ଭାରତର ଅନ୍ୟ କୌଣସି ଭାଷା ଓ ସଂସ୍କୃତିର ଲୋକଙ୍କୁ ଓଡ଼ିଆମାନଙ୍କ ପରି ଶାସନତାନ୍ତ୍ରିକ ବିଶୃଙ୍ଖଳା ଓ ବୈଷମ୍ୟର ଶିକାର ହେବାକୁ ପଡ଼ି ନ ଥିବାରୁ, ସ୍ୱଭାବତଃ ଓଡ଼ିଶାରୁ ହିଁ ଏହି ଦାବିର ପ୍ରଥମ ସୂତ୍ରପାତ ହୋଇଥିଲା ।

 

ସମ୍ୱଲପୁରକୁ ଓଡ଼ିଶା ସହିତ ସାମିଲ କରିବାକୁ ଦାବି ହେଉଥିବା ସ୍ଥଳେ, ଇଂରେଜ ସରକାରଙ୍କର ମନୋମୁଖୀ ବିଚାର ଫଳରେ, ସମ୍ୱଲପୁରର କୋର୍ଟକଚେରିରୁ ଓଡ଼ିଆ ଭାଷାକୁ ବିଦାୟ କରି, ତା ସ୍ଥଳରେ ହିନ୍ଦୀର ପ୍ରଚଳନ କରାଯିବା କାରଣରୁ ବିଦେଶୀ ଇଂରେଜୀ ଶାସନର ନ୍ୟାୟପରାୟଣତା ଓ ନୀତିପରାୟଣତା ପ୍ରତି ସାରା ଓଡ଼ିଶାର ଲୋକଙ୍କ ମନରେ ଘୋର ସନ୍ଦେହ ଖେଳିଗଲା । ମନୋମୁଖୀ ସରକାରୀ ନୀତି ଫଳରେ ଯେଉଁ ପରିସ୍ଥିତିର ଉଦ୍ଭବ ହେଲା, ସେଥିରେ ସ୍ପଷ୍ଟ ହୋଇଗଲା ଯେ ସମ୍ୱଲପୁର ସବୁଦିନ ପାଇଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ରହିଯିବ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆ ଲୋକମାନଙ୍କୁ ଗୋଟାଏ ଶାସନ ଅଧୀନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ପରି ଚଳିବାକୁ ପଡ଼ିବ ।

 

ସମ୍ୱଲପୁରର କୋର୍ଟ-କଚେରି ଓ ସରକାରୀ ଅଫିସମାନଙ୍କରେ ଓଡ଼ିଆ ଭାଷା ଚଳୁଥିବା କାରଣରୁ, ସେ ଜିଲ୍ଲାରେ ପୁଲିସ ବିଭାଗୀୟ କର୍ମଚାରୀମାନଙ୍କର ନିଯୁକ୍ତି ଓ ବଦଳି ଆଦି ଅସମ୍ଭବ ହୋଇପଡ଼ୁଥିବା କାରଣରୁ, ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ କରିବାକୁ ପଡ଼ିଲା ବୋଲି ମଧ୍ୟପ୍ରଦେଶ ସରକାରଙ୍କର ଏ ସମ୍ପର୍କୀୟ ପ୍ରସ୍ତାବରୁ ସ୍ପଷ୍ଟ ଜଣାପଡ଼ୁଥିଲା । କୋର୍ଟ-କଚେରିରେ ଓଡ଼ିଆ ପ୍ରଚଳନ ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶର ସରକାରୀ କର୍ମକର୍ତ୍ତାମାନଙ୍କ ମସ୍ତିଷ୍କରୁ ଆଉରି ବି ଗୋଟାଏ ନୂତନ ଅସୁବିଧାର ସୃଷ୍ଟି କରାଯାଇଥିଲା । 1877 ମସିହା ଜୁଲାଇ ମାସ 21 ତାରିଖ ସଂଖ୍ୟା ମଧ୍ୟପ୍ରଦେଶ ସରକାରଙ୍କ ଗେଜେଟରେ ପ୍ରକାଶ ପାଇଥିବା କ୍ୟାପଟେନ୍ ସୁରେନ୍ ବ୍ରୂକ୍‍ଙ୍କ ଟିପ୍ପଣୀରେ କୁହାଯାଇଥିଲା ଯେ, ମହାପ୍ରସାଦ ହେଉଛି ଦୁଇଜଣ ଲୋକଙ୍କ ମଧ୍ୟରେ ଭ୍ରାତୃତ୍ୱ ବନ୍ଧନ ସ୍ଥାପନର ଏକ ନିର୍ଦ୍ଦିଷ୍ଟ ଯୋଗସୂତ୍ର । ଓଡ଼ିଶାରେ ବିଭିନ୍ନ ଜାତି, ସମ୍ପ୍ରଦାୟ ଓ ଗୋଷ୍ଠୀର ଲୋକେ ବାହ୍ୟ ଆକ୍ରମଣ ତଥା ଆତ୍ମରକ୍ଷା ସମୟରେ ଏହି ମହାପ୍ରସାଦ ମାଧ୍ୟମରେ ପରସ୍ପର ମଧ୍ୟରେ ଥିବା ଭେଦଭାବ ଭୁଲି ଏକାତ୍ମ ହୋଇପାରୁଥିବାରୁ, ଶାସନତାନ୍ତ୍ରିକ କ୍ଷେତ୍ରରେ ଉପୁଜୁଥିବା ବିଶୃଙ୍ଖଳାଗୁଡ଼ିକର ନିର୍ଦ୍ଧାରଣ ଓ ଦୂରୀକରଣରେ ଏହା ପ୍ରବଳ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ।

 

ପୁରୀର ବିଶ୍ୱ-ପ୍ରସିଦ୍ଧ ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ସମୟରେ ତାଙ୍କୁ ଯେଉଁ ନୈବେଦ୍ୟ ସମର୍ପଣ କରାଯାଏ, ତାହାକୁ ମହାପ୍ରସାଦ କୁହାଯାଏ । କେବଳ ଓଡ଼ିଶା ଭିତରେ ନୁହେଁ, ଓଡ଼ିଶା ବାହାରର ଦୂରଦୂରାନ୍ତ ସ୍ଥାନମାନଙ୍କରେ ମଧ୍ୟ ତାହାକୁ ଅତି ପବିତ୍ର ବୋଲି ମନେକରାଯାଏ । ମହାପ୍ରସାଦର ସେହି ମହନୀୟ ପବିତ୍ରତାଗୁଣ ଯୋଗୁଁ ତାହାର ଦାତା ଓ ଗ୍ରହୀତା ଉଭୟେ ଜାତି, ଧର୍ମ ସମ୍ପ୍ରଦାୟର ସମସ୍ତ ବିଭିନ୍ନତା ସତ୍ତ୍ୱେ ମୁହୂର୍ତ୍ତ ମଧ୍ୟରେ ଏକ ଅଚ୍ଛେଦ୍ୟବନ୍ଧନରେ ବାନ୍ଧିହୋଇ ଯାଆନ୍ତି । ଏହି ସୂତ୍ରରେ ଓଡ଼ିଆ ଭାଷା ସହିତ ମହାପ୍ରସାଦକୁ ସମତୁଲ କରି, ଏହାରି ଯୋଗୁଁ ଶାସନତାନ୍ତ୍ରିକ ବିଶୃଙ୍ଖଳାଗୁଡ଼ିକର ନିର୍ଦ୍ଧାରଣ ଓ ଦୂରୀକରଣ ଅସମ୍ଭବ ହେଉଛି ବୋଲି ଉଲ୍ଲେଖ କରିବା, ସାର୍ ଆଣ୍ଡୃଙ୍କର ଏତଦ୍ ସମ୍ପର୍କୀୟ ଜ୍ଞାନ ଓ ଧାରଣାର ବିକଟ ଦାରିଦ୍ର୍ୟର ପରିଚୟ ଦେଉଥିଲା । ସେ ଯାହାହେଉ, ମଧ୍ୟପ୍ରଦେଶ ସରକାରଙ୍କର ଏପ୍ରକାର ମନୋମୁଖୀ ଆଦେଶ ଫଳରେ ଓଡ଼ିଆ ଲୋକମାନଙ୍କର ବିଦେଶୀ ସରକାରଠାରେ ବିଶ୍ୱାସ ତୁଟିଗଲା ଓ ଅନ୍ୟ ପକ୍ଷରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକଶାସନାଧୀନ କରିବା ଦାବି ସ୍ୱତଃ ବେଳୁବେଳ ପ୍ରବଳ ହୋଇଉଠିଲା । ନାନାସ୍ଥାନରେ ସଭାସମିତିମାନ ଅନୁଷ୍ଠିତ ହୋଇ ସରକାରଙ୍କର ଏପ୍ରକାର ମନୋମୁଖୀ ଅନ୍ୟାୟ ଆଦେଶର ପରିବର୍ତ୍ତନ ଓ ପ୍ରତ୍ୟାହାର ଦାବି କରି ବହୁ ଯୁକ୍ତିପୂର୍ଣ୍ଣ ଓ ଭାବ-ଭାଷାଚାତୁରୀ-ମଣ୍ଡିତ ପ୍ରସ୍ତାବମାନ ନିବେଦନ ଓ ଆଦେଦନ ଆକାରରେ ସରକାର ବାହାଦୂରଙ୍କ ପାଖକୁ ବହୁଳ ସଂଖ୍ୟାରେ ପ୍ରେରିତ ହେବାକୁ ଲାଗିଲା; ମାତ୍ର ଭାରତର ତତ୍କାଳୀନ ଭାଇସ୍‍ରାୟ ଲର୍ଡ଼ ଏଲଗିନ୍ ସାହେବଙ୍କ ଏକା କଲମଗାରକେ ସେସବୁ ବାତିଲ୍ ହୋଇଯାଇଥିଲା ।

 

ଇଂ 1896 ମସିହାରେ ଓଡ଼ିଶା ଓ ଛୋଟନାଗପୁର ମ୍ୟୁନିସିପାଲ୍ ନିର୍ବାଚନମଣ୍ଡଳୀରୁ ମଧୁସୂଦନ ବଙ୍ଗଳା ଲେଜିସଲେଟିଭ୍ କାଉନ୍ସିଲକୁ ସଭ୍ୟରୂପେ ନିର୍ବାଚିତ ହୋଇ କାଉନ୍ସିଲରେ ସର୍ବପ୍ରଥମ ଓଡ଼ିଆ ନିର୍ବାଚିତ ଲୋକପ୍ରତିନିଧିର ସମ୍ମାନ ଅର୍ଜନ କରିପାରିଥିଲେ ।

 

ସେ ମଧ୍ୟ ଥିଲେ ପ୍ରଥମ ଓଡ଼ିଆ, ଯେ କି କଳାପାଣି (ସମୁଦ୍ର) ପାର ହୋଇ ସର୍ବପ୍ରଥମେ ବ୍ରିଟିଶ ସାମ୍ରାଜ୍ୟର ରାଜଧାନୀ ଲଣ୍ଡନ ସହରରେ ପଦାର୍ପଣ କରିପାରିଥିଲେ । ସେ ସମୟରେ ଭାରତୀୟ ରାଜନୈତିକ ବିଭିନ୍ନ ବ୍ୟକ୍ତିବର୍ଗ ଲଣ୍ଡନ ଯାଇ ସେଠାର ଶାସନ କର୍ତ୍ତୃପକ୍ଷ, ପ୍ରଚାର ସଂସ୍ଥା ଓ ପାର୍ଲାମେଣ୍ଟ ମେସ୍ୱରମାନଙ୍କ ସପକ୍ଷରେ ନିଜ ନିଜର ଦାବି ଉପସ୍ଥାପିତ କରି, ସେ ସବୁର ପୂରଣ ନିମନ୍ତେ ସେମାନଙ୍କର ସମର୍ଥନ ଲାଭକରିବାରେ ଯତ୍ନବାନ ହେଉଥିଲେ । ବଙ୍ଗଳା ଲେଜିସଲେଟିଭ କାଉନ୍ସିଲର ସଭ୍ୟ ହିସାବରେ ମଧୁସୂଦନ ନିଜ ଆସନ ଓ ପଦବୀର ସୁଯୋଗ ଗ୍ରହଣ କରି ଇଂଲଣ୍ଡର ରାଜନୈତିକ ନେତୃବର୍ଗ ଓ ଶାସନ କର୍ତ୍ତୃପକ୍ଷଙ୍କ ନିକଟରେ ଦଳିତ, ନିର୍ଯାତିତ ଓଡ଼ିଶାବାସୀଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟ ଉପସ୍ଥାପିତ କରି, ତା’ର ପ୍ରତିକାର ଲୋଡ଼ିବା ଅଭିପ୍ରାୟରେ 1897 ମଧ୍ୟଭାଗରେ ଲଣ୍ଡନ ଅଭିମୁଖରେ ଯାତ୍ରା କରିଥିଲେ ।

 

ସେ ସମୟରେ ସାର୍ ଉଇଲିଅମ୍ ଓ୍ୱେଡ଼ରବର୍ଣ୍ଣ ଲଣ୍ଡନରେ ‘ବ୍ରିଟିଶ କଂଗ୍ରେସ କମିଟି’ର ସର୍ବୋଚ୍ଚ କର୍ମକର୍ତ୍ତା ଥିଲେ । ଭାରତୀୟ ଜାତୀୟ କଂଗ୍ରେସର ବମ୍ୱେ ଅଧିବେଶନ (1889) ଓ ଆଲାହାବାଦ ଅଧିବେଶନ (1910) ଦ୍ୱୟରେ ସେ ସଭାପତିତ୍ୱ କରିଥିଲେ । ଲଣ୍ଡନରେ ଅବସ୍ଥାନ କରୁଥିବା ସମୟରେ ମଧୁସୂଦନ ଏହି ଓ୍ୱେଡ଼ରବର୍ଣ୍ଣ ସାହେବ ଓ ଇଣ୍ଡିଆ ହାଉସ୍ର ସାର୍ ଚାର୍ଲସ ଡିଲକିନ୍ ଓ ସାର୍ ଜର୍ଜ ହାମିଲଟନ ଆଦି ବିଶିଷ୍ଟ ବ୍ୟକ୍ତିବର୍ଗଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସମୟରେ ସେ ‘ବ୍ରିଟିଶ ଶାସନରେ ଓଡ଼ିଶା’ ଶୀର୍ଷକ ଖଣ୍ଡିଏ କ୍ଷୁଦ୍ର ପ୍ରଚାରପତ୍ର ଛପାଇ, ତାକୁ ଲଣ୍ଡନ ସହରର ବିଭିନ୍ନ ରାଜନୈତିକ ବ୍ୟକ୍ତିବୃନ୍ଦ ଓ ଶାସନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ଉପନିବେଶବାଦୀ ବ୍ରିଟିଶ ସରକାର ଓଡ଼ିଶା ପ୍ରତି ଯେଉଁ ଅସଦାଚରଣ କରୁଛନ୍ତି, ତାହାର ପ୍ରତିକାର ଲୋଡ଼ି, ମଧୁସୂଦନ ଏହି ପ୍ରଚାରପତ୍ରର ପ୍ରାରମ୍ଭରେ ଉଲ୍ଲେଖ କରିଥିଲେ : ‘‘ଇଂରେଜ ଜନତା ଓ ବ୍ରିଟିଶ ଶାସକଗଣଙ୍କ ସମକ୍ଷରେ ଏହି ବିବରଣୀ ଉପସ୍ଥାପିତ କରି ମୁଁ ନିବେଦନ କରୁଅଛି କି, ଓଡ଼ିଶାର ଅଧିବାସୀଗଣ ଇଂରେଜ ଜାତିଠାରେ ଯେଉଁ ବିଶ୍ୱାସ ଓ ଆସ୍ଥା ପୋଷଣ କରିଛନ୍ତି, ଭାରତ ଶାସନରେ ଓଡ଼ିଶା ପ୍ରଦେଶ ପ୍ରତି ଇଂରେଜ ଶାସକମାନଙ୍କର ବୈମାତୃକ ଆଚରଣ, ତାହାର ପ୍ରତିପୋଷଣ କରୁଅଛି କି ବିରୁଦ୍ଧାଚରଣ କରୁଅଛି, ତାହା ଆପଣମାନେ ନିଜେ ବିଚାର କରି ଦେଖନ୍ତୁ । ଓଡ଼ିଶା ପ୍ରତି ଯେଉଁ ଅନ୍ୟାୟ କରାଯାଇଅଛି, ଇଂରେଜ ସରକାର ଯଥାଶୀଘ୍ର ତାହାର ପ୍ରତିକାର କରିବା ଦରକାର ।’’

 

ଲଣ୍ଡନ ଅବସ୍ଥାନ କାଳରେ ମଧୁସୂଦନ ତାଙ୍କର ପୂର୍ବତନ ଶିକ୍ଷକ ରେଭରେଣ୍ଡ ଜେ. ପି. ଆଷ୍ଟନ୍‍ଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଅବଶ୍ୟ ଭୁଲି ନ ଥିଲେ । କଲିକତାରେ ମଧୁସୂଦନ ପାଠ ପଢ଼ୁଥିବା ସମୟରେ ଏହି ରେଭରେଣ୍ଡ ଆଷ୍ଟନ୍ ବହୁ ଦୁର୍ଦ୍ଦିନରେ ତାଙ୍କର ସହାୟକ ହୋଇଥିଲେ । ‘ଦୂର ସୈତାନ୍ ! ମୋ ଘରୁ ବାହାର ହୋଇ ଯାଅ’ କହି ଆଷ୍ଟନ୍ ସାହେବ ଯାହାକୁ ଦିନେ କଲିକତାରେ ତାଙ୍କ ଘରୁ ତଡ଼ିଦେଇଥିଲେ, ସେହି ମଧୁସୂଦନଙ୍କୁ ଲଣ୍ଡନଠାରେ ଆଦରରେ ସମ୍ୱର୍ଦ୍ଧନା କରି ରେଭରେଣ୍ଡ ଆଷ୍ଟନ୍ ବିଶେଷ ଆନନ୍ଦିତ ହୋଇଥିଲେ । ତାଙ୍କଠାରୁ ଏକଦା ସାହାଯ୍ୟ ପାଇଥିବା ସେହି ଛାତ୍ର ବର୍ତ୍ତମାନ ବଙ୍ଗଳା ଲେଜିସଲେଟିଭ ଆସେମ୍ଲିର ଜଣେ ମାନ୍ୟବର ସଭ୍ୟ ହୋଇପାରିଥିବାରୁ ସମ୍ୱାଦ ପାଇ ଆଷ୍ଟନ୍‍ଙ୍କର ଆନନ୍ଦର ସୀମା ରହି ନଥିଲା ।

Image

 

(୮)

ଅବିଚାରର ପରିସମାପ୍ତି

 

ଇଂରେଜୀ 1899 ମସିହାରେ ଲର୍ଡ଼ କର୍ଜ୍ଜନ ଭାରତର ଭାଇସ୍‍ରାୟ ଓ ଗଭର୍ଣ୍ଣର ଜେନେରାଲ ଆସନରେ ଅଧିଷ୍ଠିତ ହେବାପରେ, ତାଙ୍କର ସର୍ବପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶାର ମନ୍ଦିର-ମାଳିନୀ ନଗରୀ ଭୁବନେଶ୍ୱର ପରିଦର୍ଶନ । ସେତେବେଳକୁ କଟକ ଥିଲା ଓଡ଼ିଶାର ଡିଭିଜନର ପ୍ରଶାସନିକ ମୂଳକେନ୍ଦ୍ର; ମାତ୍ର ପ୍ରତ୍ନତତ୍ତ୍ୱ ଓ ଇତିହାସ ପ୍ରତି ଲର୍ଡ଼ କର୍ଜ୍ଜନଙ୍କର ଅସୀମ ଆକର୍ଷଣ ତାଙ୍କୁ କଟକ ସହର ପ୍ରତି ଆକୃଷ୍ଟ ନକରି ଉତ୍କଳୀୟ ସଂସ୍କୃତିର ଆଦିପୀଠ ଏହି ଭୁବନେଶ୍ୱରକୁ ସ୍ୱତଃ ଟାଣି ଆଣିଥିଲା । ଭୁବନେଶ୍ୱରର ଅଗଣିତ ପ୍ରାଚୀନ ମନ୍ଦିରରାଜିର ଅପୂର୍ବ ରୂପସମ୍ଭାର ଓ ସେସବୁର ଶିଳ୍ପନୈପୁଣ୍ୟ ଲର୍ଡ଼ କର୍ଜ୍ଜନଙ୍କ ପ୍ରାଣରେ ଗଭୀର ବିସ୍ମୟ ସୃଷ୍ଟି କରିଥିଲା । ଯେଉଁ ରାଜ୍ୟର ଅତୀତ ଏପରି ଗରିବାମୟ ଥିଲା, ତା’ର ଉପସ୍ଥିତ ବିକଟ ଦାରିଦ୍ର୍ୟ ଓ ଦୁର୍ଦ୍ଦଶାର ସନ୍ଦର୍ଶନରେ ଲର୍ଡ଼ କର୍ଜ୍ଜନଙ୍କ ପ୍ରାଣରେ ଭାବାନ୍ତର ସୃଷ୍ଟି ହୋଇଥିଲା । ବ୍ରିଟିଶ ଶାସନାଧୀନରେ ଓଡ଼ିଶାର ଯେ ସୁଦୂରପ୍ରସାରୀ ଅବନତି ଓ ଅପକ୍ଷୟ ଘଟିଛି, ଭୁବନେଶ୍ୱର ପରିଦର୍ଶନ ଫଳରେ ଲର୍ଡ଼ କର୍ଜ୍ଜନ ତାହା ସମ୍ୟକ୍‍ରୂପେ ଉପଲବ୍ଧି କରିପାରିଲେ । ତେଣୁ ଓଡ଼ିଶାର ଦଳିତ, ନିପୀଡ଼ିତ, ନିର୍ଯାତିତ ଜନତା ପ୍ରତି ତାଙ୍କ ହୃଦୟରେ ସ୍ୱତଃ ଗଭୀର ସମ୍ୱେଦନ ଜାଗିଉଠିଥିଲା । ଓଡ଼ିଶାର ବିଭିନ୍ନ ସମସ୍ୟା ସମେତ ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳର ଲୋକମାନଙ୍କର ଅଭାବ ଅସୁବିଧା ବିଷୟରେ ବ୍ୟକ୍ତିଗତ ଦୃଷ୍ଟିଦେବାକୁ ସେ ଏହାପରଠାରୁ ବିଶେଷ ଆଗ୍ରହୀ ହୋଇ ଉଠିଥିଲେ । ଲର୍ଡ଼ କର୍ଜ୍ଜନଙ୍କ ପୂର୍ବରୁ ଅନ୍ୟ କୌଣସି ଭାଇସ୍‍ରାୟ ଓଡ଼ିଶା ପରିଦର୍ଶନରେ ଆସି ନଥିଲେ । ସେମାନଙ୍କ ଦୃଷ୍ଟିରେ ଓଡ଼ିଶା ଥିଲା ଗୋଟାଏ ଭୌଗୋଳିକ ସ୍ଥିତି ମାତ୍ର । ସେହି ଦୃଷ୍ଟିରୁ ଇଂରେଜୀ 1900 ସାଲରେ ଲର୍ଡ଼ କର୍ଜ୍ଜନଙ୍କର ଓଡ଼ିଶା ଆଗମନ ଅନେକଙ୍କ ହୃଦୟରେ ଗୋଟାଏ ନୂତନ ଆଶାର ସଂଚାର କରିଥିଲା । ସେତେବେଳକୁ ମଧୁସୂଦନ ବଙ୍ଗଳା ଲେଜିସଲେଟିଭ୍ କାଉନସିଲକୁ ଦ୍ୱିତୀୟବାର ନିର୍ବାଚିତ ହୋଇସାରିଥାନ୍ତି । ଲର୍ଡ଼ କର୍ଜ୍ଜନ୍‍ଙ୍କର ଓଡ଼ିଶା ପରିଦର୍ଶନ ଅବସରରେ ସେ ଓଡ଼ିଶାର ଜଣେ ନିର୍ବାଚିତ ଲୋକପ୍ରତିନିଧି ହିସାବରେ ବିଖଣ୍ଡିତ ଓଡ଼ିଶାର ଦୁଃଖ-ଦୁର୍ଦ୍ଦଶା ବିଷୟରେ ତାଙ୍କୁ ସମ୍ୟକରୂପେ ଅବହିତ କରାଇବାର ସୁଯୋଗ ଛାଡ଼ି ନ ଥିଲେ । ପୁଣି ନିକଟ ଅତୀତରେ ସମ୍ୱଲପୁରର କୋର୍ଟ-କଚେରିରୁ ଯେପରିଭାବରେ ଓଡ଼ିଆଭାଷାକୁ ଦୂରକରି ସେଠାରେ ହିନ୍ଦୀର ପ୍ରଚଳନକୁ ଚପାଇ ଦିଆଯାଇଥିଲା, ସେ ବିଷୟ ମଧ୍ୟ ମଧୁସୂଦନ ଲର୍ଡ଼ କର୍ଜ୍ଜନ୍‍ଙ୍କ ଦୃଷ୍ଟିକୁ ଆଣିଥିଲେ ।

 

ଏ ସବୁ କାମରେ ମଧୁସୂଦନଙ୍କ ଶକ୍ତି ଆଉ ଧୈର୍ଯ୍ୟ ଥିଲା ଅସରନ୍ତି । ଲର୍ଡ଼ କର୍ଜ୍ଜନ୍ ଓଡ଼ିଶା ପରିଦର୍ଶନ ସାରି ଫେରିଯିବା ପରେ ମଧୁସୂଦନ ଭାଇସ୍‍ରାୟଙ୍କ ଅଫିସକୁ ଟେଲିଗ୍ରାମ ଓ ସ୍ମାରକଲିପି ସବୁ ବରାବର ପଠାଇବାରେ ଲାଗିଲେ । ତାଙ୍କର ପୂର୍ବବର୍ତ୍ତୀ ଭାଇସ୍‍ରାୟ ଲର୍ଡ଼ ଏଲଗିନ୍ ଓଡ଼ିଶା ପ୍ରତି ଯେଉଁ ଅବିଚାର କରିଯାଇଥିଲେ, ତାହାର ପ୍ରତିକାର କରିବା ଲାଗି ଏସବୁ ଆବେଦନ, ନିବେଦନ ଓ ସ୍ମାରକଲିପିରେ ଅନୁରୋଧ କରାଯାଇଥିଲା । ଶେଷରେ ଏ ସବୁର ପ୍ରାପ୍ତି ସ୍ୱୀକାର କରି ଭାଇସ୍‍ରାୟଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଡବ୍ଲ୍ୟୁ. ଲରେନ୍ସ 1901 ମସିହା ସେପ୍ଟେମ୍ୱର ମାସ 12 ତାରିଖରେ ମଧୁସୂଦନଙ୍କୁ ଏକ ପତ୍ର ଲେଖି ଜଣାଇଥିଲେ ଯେ, ସମ୍ୱଲପୁରରେ ଓଡ଼ିଆ ଭାଷାର ପ୍ରଚଳନ ବିଷୟ ନେଇ ମି: ଫ୍ରେସରଙ୍କ ପାଖରେ ଏକ ସ୍ମାରକଲିପି ପହଞ୍ଚିଅଛି ଏବଂ ତାହା ମି: ଫ୍ରେସରଙ୍କ ବିଚାରଧୀନ ଅଛି । ଯାହାହେଉ ମି: ଫ୍ରେସରଙ୍କ ରିପୋର୍ଟ ଭାରତ ସରକାରଙ୍କ ଦପ୍ତରରେ ପହଞ୍ଚିବାପରେ, ବଡ଼ଲାଟ ସାହେବ ବ୍ୟକ୍ତିଗତ ଭାବରେ ସେଥି ପ୍ରତି ଦୃଷ୍ଟିଦେବେ । ଏହି ପତ୍ର ପାଇବାପରେ ମଧୁସୂଦନ ସିମଳା ଯାଇ ଲର୍ଡ଼ କର୍ଜ୍ଜନ୍‍ଙ୍କ ସହ ସାକ୍ଷାତ କରିବା ଅବକାଶରେ, ତାଙ୍କୁ ବିଖଣ୍ଡିତ ଓଡ଼ିଶାର ନାନା ସମସ୍ୟା ଓ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକଶାସନାଧୀନରେ ରଖାଯିବାର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ ।

 

ଏହା ଫଳରେ ଏକ ବିଶେଷ କୌତୂହଳଜନକ ପରିସ୍ଥିତିର ଉଦ୍ଭବ ହୋଇଥିଲା । ଅନେକ ଏକଥା ଜାଣି ବିସ୍ମିତ ହେବେ ଯେ, ଯେଉଁ ବଙ୍ଗଭଙ୍ଗ ବ୍ୟବସ୍ଥା ଫଳରେ ଚଳିତ ଶତାବ୍ଦୀର ପ୍ରଥମ ଦଶକରେ ଦେଶରେ ରାଜନୈତିକ ଆନ୍ଦୋଳନର ଦୁର୍ବାର ସ୍ରୋତ ଛୁଟିଥିଲା, ସମ୍ୱଲପୁରର ଭାଷା-ବିବାଦରୁ ତାହାର ଉଦ୍ଭବ ଘଟିଥିଲା । ‘India under Curzon and After’ ପୁସ୍ତକରେ ଲର୍ଡ଼ କର୍ଜ୍ଜନ୍‍ଙ୍କର ଆତ୍ମଚରିତ-ଲେଖକ ଲୋଭାଟ୍ ଫ୍ରେସର୍ ଲେଖିଛନ୍ତି—

 

ନିତାନ୍ତ ଆକସ୍ମିକ ପରିସ୍ଥିତିରୁ ବଙ୍ଗଭଙ୍ଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । 1901 ମସିହା ଫେବୃଆରୀ ମାସରେ ଫ୍ରେସର୍ ସାହେବ ଭାଷାପ୍ରଶ୍ନ ନେଇ ଯେଉଁ ପତ୍ରଟି ଲେଖିଥିଲେ, ତାହାର ପରିଣାମରେ ଯେ ଗୋଟିକ ପରେ ଗୋଟିଏ ହୋଇ ନାନା ସମସ୍ୟାର ସୃଷ୍ଟିହେବ ଏବଂ ତା ଫଳରେ ଶେଷକୁ ବଙ୍ଗଳାରେ ଏକ ବିରାଟ ବିଦ୍ରୋହର ସୂତ୍ରପାତ ଘଟିବ, ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ମଧ୍ୟପ୍ରଦେଶର ଚିଫ୍ କମିଶନର ସାର୍ ଆଣ୍ଡୃଙ୍କ ଅଧୀନରେ ସେତେବେଳକୁ ସମ୍ୱଲପୁରର ଶାସନ ପରିଚାଳିତ ହେଉଥାଏ । ଆଣ୍ଡୃ ସାହେବ ସମ୍ୱଲପୁରର କୋର୍ଟ-କଚେରିରେ ଓଡ଼ିଆଭାଷା ବଦଳରେ ହିନ୍ଦୀର ପ୍ରଚଳନ ବିଷୟରେ କେନ୍ଦ୍ରକୁ ଲେଖିଥିବା ଏକ ପତ୍ରରେ ମତ ଦେଇଥିଲେ ଯେ ସମ୍ୱଲପୁରର କୋର୍ଟ-କଚେରିରେ ଯଦି ଓଡ଼ିଆଭାଷା ପ୍ରଚଳନ କରାଯାଏ, ତେବେ ସମ୍ୱଲପୁର ଜିଲ୍ଲାକୁ ପୂରାପୂରି ଓଡ଼ିଶା ସହିତ ସାମିଲ କରିଦେବା ଭଲ ହେବ । ଏହା କାର୍ଯ୍ୟକାରୀ କରିବାକୁ ହେଲେ ସମ୍ୱଲପୁରକୁ ବଙ୍ଗଳା ଡିଭିଜନ ଅଧୀନରେ ଅବସ୍ଥାପିତ କରିବାକୁ ହେବ, ନତୁବା ପୂରାପୂରି ଓଡ଼ିଶାକୁ ବଙ୍ଗଳା ଡିଭିଜନରୁ କାଢ଼ିନେଇ ମଧ୍ୟପ୍ରଦେଶ ସହିତ ସାମିଲ କରିଦେବାକୁ ହେବ । ସାର୍ ଆଣ୍ଡୃଙ୍କ ଏହି ପରାମର୍ଶର ପରିଣାମରୁ ଶେଷକୁ ବିଷମୟ ପରିସ୍ଥିତି ଉପୁଜିଥିଲା....

 

ଦୀର୍ଘ 14 ମାସ କାଳ ସିମଳା ସେକ୍ରେଟେରୀଏଟର ଫାଇଲ ଭିତରେ ଏହି ପ୍ରସ୍ତାବ ଘେନି କେତେ ଯେ ଟୀକା, ଟିପ୍ପଣୀ, ମନ୍ତବ୍ୟ ଦିଆନିଆ ଚାଲିଲା ତାର ଇୟତ୍ତା ନାହିଁ । ଶେଷରେ ବିଭିନ୍ନ ପ୍ରଦେଶର ସୀମା ଭାରତର ମାନଚିତ୍ରରେ ଅଦଳବଦଳ କରିବା ଲାଗି ସିମଳା ସେକ୍ରେଟେରୀଏଟରେ ଯେଉଁ ନୂତନ ସିଦ୍ଧାନ୍ତ ଗ୍ରହଣ କରାଗଲା, ସେଥିପ୍ରତି ଭାଇସରାଙ୍କର ସ୍ୱୀକୃତିଲାଭ ପାଇଁ ଶେଷକୁ ତାଙ୍କ ପାଖରେ ଫାଇଲ୍ ଉପସ୍ଥାପିତ କରାଯିବା ପରେ ଲର୍ଡ଼ କର୍ଜ୍ଜନ୍ ଇଂ: 1902 ମସିହା ମେ ମାସରେ ସେ ପ୍ରସ୍ତାବ ପ୍ରତି ବିରକ୍ତି ପ୍ରକାଶ କରି ଫାଇଲରେ ନିମ୍ନମତେ ଟିପ୍ପଣୀ ଦେଇଥିଲେ—

 

‘‘ଶାସନକ୍ଷେତ୍ରରେ ଯେଉଁ ସବୁ ଭିନ୍ନ ଭିନ୍ନ ବିଭାଗ ଅଛି, ସେ ସବୁର ଉପଯୋଗିତା ବିଷୟରେ ଲୋକେ ନାନା ସମୟରେ ନାନା ପ୍ରଶ୍ନ ପଚାରିଥାନ୍ତି । ସେ ସମ୍ପର୍କରେ ମୁଁ ଉପସ୍ଥିତ ବିଷୟଟି ସମସ୍ତଙ୍କ ଦୃଷ୍ଟିକୁ ଆଣୁଛି । ଯେଉଁ ବିଷୟରେ ବା ଯେଉଁ ବ୍ୟାପାର ସମ୍ପର୍କରେ କୌଣସି ବିଚାର ଗ୍ରହଣ କରିବାକୁ ପଡ଼େ ବା ସେ ସମ୍ପର୍କରେ ସଂପୃକ୍ତ ସମସ୍ତ ବିଷୟକୁ ଆଲୋଚନା କରି କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବାର ପରିସ୍ଥିତି ଉପୁଜେ, ସେପରି କ୍ଷେତ୍ରରେ ସଂପୃକ୍ତ ବିଭାଗ ଦ୍ୱାରା ତାହା ସହଜରେ ସମାହିତ କରାଯାଇପାରେ । ତେଣୁ ସୂଚାରୁରୂପେ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ବିଭିନ୍ନ ବିଭାଗଗୁଡ଼ିକ ହେଉଛି ଏକ ବୌଦ୍ଧିକ ମାର୍ଗ । ଯେଉଁ ବିଭାଗର ଯେଉଁ ବିଷୟ ବିଚାର୍ଯ୍ୟ ବା ଆଲୋଚ୍ୟ ବ୍ୟାପାର, ଠିକ୍ ସେହି ନିର୍ଦ୍ଦିଷ୍ଟ ବିଷୟ ବ୍ୟତୀତ ଅନ୍ୟ କୌଣସି ବିଷୟରେ ସଂପୃକ୍ତ ବିଭାଗ ମୁଣ୍ଡ ଖେଳାଇବା ଉଚିତ ନୁହେଁ । ଏଇଟା ହେଲା ସାଧାରଣ କଥା; କିନ୍ତୁ ବିଚିତ୍ର କଥା, ଦୀର୍ଘ 14 ମାସ ଏହା ମଧ୍ୟରେ ଅତୀତ ହୋଇଯାଇଥିଲେ ମଧ୍ୟ, ଏହି ସେକ୍ରେଟେରୀଏଟର ବିଭିନ୍ନ ଡିପାର୍ଟମେଣ୍ଟରେ କାମ କରୁଥିବା କୌଣସି ଗୋଟିଏ ଲୋକର ମୁଣ୍ଡକୁ ଏଇ ସରଳକଥାଟା ଢୁକିଲା ନାହିଁ, କି କେହି ଜଣେ ବି ହେଲେ ଏ ବିଷୟରେ ପରାମର୍ଶ ଦେବାକୁ ସମର୍ଥ ହୋଇପାରିଲେ ନାହିଁ ! ନିଜ ମେରୁଦଣ୍ଡ ଚାରିପାଖେ ଘୂରି ଘୂରି ପୃଥିବୀ ତାର କକ୍ଷପଥରେ ସଂଚରଣ କରି ନିର୍ଦ୍ଦିଷ୍ଟ ସମୟରେ ବର୍ଷ ସମ୍ପୂର୍ଣ୍ଣ କରିବା ପରି ଏ ଫାଇଲଟି ଧୀର, ମନ୍ଥର, ନିର୍ଦ୍ଦିଷ୍ଟ ଗତିରେ ସେକ୍ରେଟେରୀଏର ବିଭିନ୍ନ ବିଭାଗ ବୁଲି ବୁଲି ନିର୍ଦ୍ଦିଷ୍ଟ ସମୟରେ ଆସି ମୋ ପାଖରେ ପହଞ୍ଚି ତାର କକ୍ଷ-ସଞ୍ଚରଣ ଶେଷ କରିଅଛି......ଏଥର ମୋ କାମ ଆରମ୍ଭ । ମୁଁ ଏଥିରେ ଖାଲି ମୋ ଶେଷ ମନ୍ତବ୍ୟଟା ଗାରେଇଦେଇ ଦସ୍ତଖତଟାଏ ମାରିଦେଲେ ବାସ୍ କାମ ଶେଷ; କିନ୍ତୁ ଏ ବିଷୟରେ ମୋ ସହିତ କେହିହେଲେ ଟିକିଏ ବି କେବେ ପରାମର୍ଶ କରିନାହାନ୍ତି, କି ସେ ବିଷୟରେ ମୋ ମତାମତ ଜାଣିବାକୁ କେହି ଚେଷ୍ଟା କରିନାହାନ୍ତି । ମୁଁ ଦେଖୁଛି ଦୀର୍ଘ ଚଉଦମାସ କଠିନ ପରିଶ୍ରମ କରି କରି ଆମ ସେକ୍ରେଟେରୀ ଓ ଅଣ୍ଡର ସେକ୍ରେଟେରୀମାନଙ୍କ ମୁଣ୍ଡରୁ ଯେଉଁ ସିଦ୍ଧାନ୍ତଟା ବାହାରିଛି ଏବଂ ସେମାନେ ଯାହାକୁ କି ଲିପିବଦ୍ଧ କରି ମୋର ସମ୍ମତି ପାଇବା ଉଦ୍ଦେଶ୍ୟରେ ମୋ ପାଖକୁ ପଠାଇଦେଇଛନ୍ତି, ତାର ସାରକଥା ହେଲା ସମ୍ୱଲପୁର ଜିଲ୍ଲା କାହିଁକି ଓଡ଼ିଶା ସହିତ ସାମିଲ ହେବ ବା ଓଡ଼ିଶା କାହିଁକି ବଙ୍ଗଳା ଡିଭିଜନରୁ ଅଲଗା ହେବ, ତାର ଯଥେଷ୍ଟ ବା ଯଥାଯଥ କାରଣ ଥିବାର ସେମାନେ ଦେଖିପାରୁନାହାନ୍ତି ।’’

 

ତାଙ୍କ ମନ୍ତବ୍ୟର ପରିଶିଷ୍ଟରେ ଲର୍ଡ଼ କର୍ଜ୍ଜନ୍ ସୂଚନା ଦେଇଥିଲେ ଯେ, ନିକଟ ଭବିଷ୍ୟତରେ ଯେତେବେଳେ ବ୍ରିଟିଶ-ଭାରତ ସହିତ ବେରାର ଷ୍ଟେଟ୍‍ର ମିଶ୍ରଣ ଘଟିବ, ସେତିକିବେଳେ ଭାରତର ବିଭିନ୍ନ ପ୍ରଦେଶଗୁଡ଼ିକର ସୀମା ବିଷୟରେ ଏବଂ ବିଶେଷରେ ବଙ୍ଗଳା ପ୍ରଦେଶ ବିଷୟରେ ଅଧିକ ପରୀକ୍ଷା କରି ଦେଖିବାର ଉପଯୁକ୍ତ ଅବକାଶ ଘଟିବ । ଲର୍ଡ଼ କର୍ଜ୍ଜନ୍‍ଙ୍କର ଏହି ସୂଚନାରୁ ହିଁ ବଙ୍ଗଭଙ୍ଗ ଆନ୍ଦୋଳନର ଉତ୍ପତ୍ତି ଘଟିଥିଲା ।

 

ଯଦିଓ ଏହା ଫଳରେ ଓଡ଼ିଶା ସହିତ ସମ୍ୱଲପୁର ଜିଲ୍ଲାର ମିଶ୍ରଣ ବିଷୟରେ ଶେଷ ସିଦ୍ଧାନ୍ତ ଗ୍ରହଣ କିଛିକାଳ ବିଳମ୍ୱିତ ହୋଇଗଲା, ତଥାପି ଲର୍ଡ଼ କର୍ଜ୍ଜନ୍‍ଙ୍କର ହସ୍ତକ୍ଷେପ ଫଳରେ ସମ୍ୱଲପୁର ଜିଲ୍ଲା ବିଲୋପ ମୁଖରୁ ରକ୍ଷାପାଇଗଲା । ସମ୍ୱଲପୁରର କୋର୍ଟ-କଚେରିରେ ପୁଣି ଓଡ଼ିଆଭାଷା ସରକାରୀ ଭାଷା ଭାବରେ ପୁନଃ ପ୍ରଚଳିତ ହେବାରେ ଲାଗିଲା । ପ୍ରତ୍ୟେକ ଦୁର୍ଯୋଗର ଗୋଟାଏ ଶୁଭଙ୍କର ଦିଗ ଥିବା ପରି ସମ୍ୱଲପୁରରୁ ଓଡ଼ିଆ ଭାଷାର ନିର୍ବାସନ ଓ ଏହାର ପୁନଃ ପ୍ରଚଳନ ନିମନ୍ତେ ଦୀର୍ଘ ସାତ ବର୍ଷର ସାଧ୍ୟସାଧନା ପରେ ସେଥିରେ ସଫଳତା ଲାଭ ହେବା ଫଳରେ, ଉତ୍କଳୀୟ ନେତୃବୃନ୍ଦଙ୍କ ହୃଦୟରେ ଦୃଢ଼-ଆତ୍ମବିଶ୍ୱାସର ସଞ୍ଚାର ଘଟିଥିଲା ଓ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକଶାସନାଧୀନ କରିବାର ପ୍ରଚେଷ୍ଟାରେ ଅଧିକ ଉତ୍ସାହ ଓ ଆଗ୍ରହରେ ଲାଗିପଡ଼ିବାକୁ ସେମାନେ ପ୍ରେରଣା ପାଇଲେ ।

 

ସମ୍ୱଲପୁର ଜିଲ୍ଲାରେ ଓଡ଼ିଆ ଭାଷା ସରକାରୀ କୋର୍ଟ-କଚେରିରେ ପୁନଃ ପ୍ରଚଳିତ ହେବାର ଅବ୍ୟବହିତ ପରେ ପରେ ଭାରତର ବିଭିନ୍ନ ପ୍ରଦେଶଗୁଡ଼ିକର ସୀମାନିର୍ଦ୍ଧାରଣ ସମ୍ପର୍କୀୟ ସରକାରୀ ନୀତି ଘୋଷିତ ହୋଇଥିଲା । ଏହି ଘୋଷଣାପତ୍ରରେ ଭାରତ ସରକାରଙ୍କର ସେକ୍ରେଟେରୀ ଏଚ୍. ଏଚ. ରିସଲେ ସ୍ୱାକ୍ଷର କରିଥିଲେ । ପୂର୍ବରୁ ଯେପରି ମନୋମୁଖୀ ଭାବରେ ଓ କୌଣସି ନିର୍ଦ୍ଦିଷ୍ଟ ନୀତି ଉପରେ ନିର୍ଭର ନ କରି ପ୍ରଦେଶଗୁଡ଼ିକର ସୀମାନିର୍ଦ୍ଧାରଣ କରାଯାଇଥିଲା, ତାହା ଦୂର କରି ଭାଷାଭିତ୍ତିରେ ବିଭିନ୍ନ ପ୍ରଦେଶଗୁଡ଼ିକର ସୀମାନିର୍ଦ୍ଧାରଣ କରିବା ନୀତି ଏହି ଘୋଷଣାପତ୍ରରେ ସ୍ୱୀକୃତ ହୋଇଥିବାରୁ ଐତିହାସିକତା ଦୃଷ୍ଟିରୁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ ଥିଲା । ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସେଗୁଡ଼ିକ ଏକଶାସନାଧୀନରେ ରଖିବା ସମ୍ପର୍କୀୟ ଦାବୀ ବିଷୟରେ ଆଲୋଚନା କରି ରିସଲେ ରିପୋର୍ଟ ଲେଖିଥିଲେ—

 

‘‘ଉପରିଲିଖିତ କାରଣଗୁଡ଼ିକ ଦୃଷ୍ଟିରୁ, ଓଡ଼ିଶାର ଉଭୟ ଗଡ଼ଜାତ ଓ ମୋଗଲବନ୍ଦି ଅଞ୍ଚଳରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରି ଗୋଟିଏ ସ୍ୱତନ୍ତ୍ର ପ୍ରାଦେଶିକ ଶାସନାଧୀନରେ ରଖିବାକୁ ଭାରତ ସରକାର ସ୍ଥିର କରିଛନ୍ତି ।’’

 

ଭାଷାଭିତ୍ତିରେ ଗଞ୍ଜାମ ଓ ସମ୍ୱଲପୁର ଜିଲ୍ଲା ସମେତ, ଭାଇଜାଗପଟମ୍ ଏଜେନ୍ସୀ ଏରିଆକୁ ଓଡ଼ିଶା ପ୍ରଦେଶ ସହିତ ସାମିଲ କରିବାକୁ ଏହି ସର୍କୁଲାରରେ କୁହାଯାଇଥିଲା । *

 

*The Oriya Movement, pp 317-318

Image

 

(୯)

Unknown

ଉତ୍କଳ ସମ୍ମିଳନୀ

 

ଓଡ଼ିଆମାନଙ୍କର ଆନ୍ଦୋଳନକୁ ଆଗେଇନେବାରେ ରିସଲେ ସର୍କୁଲାର ବହୁପରିମାଣରେ ସହାୟକ ହୋଇଥିଲା ସତ; କିନ୍ତୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳିଗୁଡ଼ିକୁ ଏକଶାସନାଧୀନ କରି ଓଡ଼ିଶାବାସୀଙ୍କ ଲାଗି ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନର ସମ୍ଭାବନାକୁ ବାସ୍ତବତାର ରୂପ ଦେବାଲାଗି ଅନେକ କିଛି ଉଦ୍ୟମର ତଥାପି ଆବଶ୍ୟକତା ରହିଥିଲା । ଇଂ 1887 ମସିହାରେ ବଙ୍ଗଳାର ସୁରେନ୍ଦ୍ର ନାଥ ବାନାର୍ଜୀ ବେଙ୍ଗଲ ନେସନାଲ କନ୍‍ଫରେନ୍ସ ନାମରେ ଗୋଟିଏ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ । ବଙ୍ଗ ପ୍ରଦେଶର ବିଭିନ୍ନ ସମସ୍ୟାଗୁଡ଼ିକର ପର୍ଯ୍ୟାଲୋଚନା କରି ସେସବୁର ଦୂରୀକରଣ କରିବା ଏହି ଅନୁଷ୍ଠାନର ଏକମାତ୍ର ଲକ୍ଷ୍ୟ ଥିଲା । ସେହି ସମୟଠାରୁ ମଧୁସୂଦନ ଓଡ଼ିଶାରେ ସେହିପରି ଗୋଟିଏ ଅନୁଷ୍ଠାନ ଗଠନ କରିବାକୁ ମନେ ମନେ ସ୍ଥିର କରିଥିଲେ । ଓଡ଼ିଶାର ବିଶେଷ ସମସ୍ୟାଗୁଡ଼ିକର ନିରାକରଣ ଦିଗରେ ଏହି ଅନୁଷ୍ଠାନ ମୁଖ୍ୟତଃ ଦୃଷ୍ଟିଦେବ ବୋଲି ସେ ସ୍ଥିର କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ସୁରେନ୍ଦ୍ରନାଥ ଯେ ସବୁବେଳେ ଲିପ୍ତ ରହୁଥିଲେ, କେବଳ ସେତିକି ନୁହେଁ, ସେ ମଧ୍ୟ କଂଗ୍ରେସ ଅନୁଷ୍ଠାନର ଦୁଇ-ଦୁଇଥର (ପୁନା—1895, ଅହମଦାବାଦ—1902) ପ୍ରେସିଡେଣ୍ଟ ରୂପେ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ । ଏତେ ପ୍ରକାର କର୍ମବ୍ୟସ୍ତତା ମଧ୍ୟରେ ରହି ମଧ୍ୟ ସୁରେନ୍ଦ୍ରନାଥ ବାନାର୍ଜୀ ଥିଲେ ବେଙ୍ଗଲ ନେସ୍‍ନାଲ କନ୍‍ଫରେନ୍ସର ପ୍ରାଣକେନ୍ଦ୍ର । ବିଭିନ୍ନ ଆଞ୍ଚଳିକ ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଦେବା ନିମନ୍ତେ ଦେଶର ବିଭିନ୍ନ ଅଂଶରେ ଏହିପରି ଅନୁଷ୍ଠାନ ସବୁ ଗଢ଼ିଉଠିବାର ଉପଯୋଗିତା ବିଷୟରେ ବୁଝାଇବାକୁ ଯାଇ ସୁରେନ୍ଦ୍ରନାଥ ବାନାର୍ଜୀ ଯଥାର୍ଥରେ କହିଥିଲେ ଯେ ‘‘ଜାତୀୟ କଂଗ୍ରେସ ଏକ ସର୍ବଭାରତୀୟ ଅନୁଷ୍ଠାନ ହୋଇଥିବା ଦୃଷ୍ଟିରୁ, ବିଭିନ୍ନ ପ୍ରଦେଶର ଆଞ୍ଚଳିକ ସମସ୍ୟାଗୁଡ଼ିକ ଏକ ଜାତୀୟ-ସମସ୍ୟାରେ ପର୍ଯ୍ୟବସିତ ନ ହେବା ପର୍ଯ୍ୟନ୍ତ ସେସବୁ ବିଷୟ ଜାତୀୟ କଂଗ୍ରେସର କାର୍ଯ୍ୟସୂଚୀରେ ସ୍ଥାନ ପାଇବା କିମ୍ୱା କଂଗ୍ରେସ ଅଧିବେଶନରେ ସେ ସବୁ ବିଷୟ ଆଲୋଚିତ ହେବା ସମ୍ଭବ ନୁହେଁ ।’’ ଏହି ଉଦ୍ଦେଶ୍ୟ ନେଇ ଦୀର୍ଘ ପନ୍ଦର ବର୍ଷ ତଳୁ ମଧୁସୂଦନ ଅବଶ୍ୟ ଓଡ଼ିଶାରେ ‘ଉତ୍କଳ ସଭା’ ବା ‘ଓଡ଼ିଶା ଆସୋସିଏସନ୍’ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ିସାରିଥିଲେ ସତ; କିନ୍ତୁ ଏହାର କାର୍ଯ୍ୟ-ପରିସର ନିତାନ୍ତ ସୀମିତ ଥିଲା ଓ କେବଳ ମାତ୍ର କଟକ ଜିଲ୍ଲାରେ ହିଁ ଏହି ଅନୁଷ୍ଠାନ ଯାହା କିଛି କାର୍ଯ୍ୟ କରୁଥିଲା । ସର୍ବସାଧାରଣ ଲୋକେ ଏହି ଅନୁଷ୍ଠାନରେ ଅଂଶ ଗ୍ରହଣ କରିବା ବିଷୟରେ ସେମାନଙ୍କ ମନରେ ସାମାନ୍ୟତମ ଧାରଣା ମଧ୍ୟ ନ ଥିଲା ।

 

କିନ୍ତୁ ଓଡ଼ିଶା ଡିଭିଜନ୍ ବାହାରର ତିନି-ତିନିଟା ଅଲଗା ଅଲଗା ଶାସନ ଅଧୀନରେ ଯେଉଁ ସବୁ ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରହିଥିଲା, ସେଗୁଡ଼ିକୁ ଏକତ୍ର କରି ଗୋଟିଏ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ଲାଗି ରିସଲେ ରିପୋର୍ଟରେ ଭାରତ ସରକାରଙ୍କର ଯେଉଁ ସିଦ୍ଧାନ୍ତ ନିଆଯାଇଥିଲା, ତାକୁ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶାରେ ବର୍ତ୍ତମାନ ଏକ ଯଥାର୍ଥ ବ୍ୟାପକ ଓ ପ୍ରତିନିଧିମୂଳକ ଅନୁଷ୍ଠାନର ଏକାନ୍ତ ଆବଶ୍ୟକତା ଦେଖାଦେଇଥିଲା । ତେଣୁ ସେହି ବର୍ଷ ପ୍ରଥମ ଭାଗରେ ଗଞ୍ଜାମର କେଇଜଣ ବିଶିଷ୍ଟ ଲୋକ ରମ୍ଭାଠାରେ ଗୋଟିଏ ସଭା ଡାକି ସେହି ସଭାରେ ଏହି ବିଷୟ ଆଲୋଚନା କରିଥିଲେ । ଏ ବିଷୟରେ ପରାମର୍ଶ ଦେବା ଲାଗି ଓ ଅନ୍ୟମାନଙ୍କୁ ପଥ ନିର୍ଦ୍ଦେଶ କରିବା ଲାଗି ମଧୁସୂଦନଙ୍କୁ ଏହି ସଭାକୁ ବିଶେଷ ଭାବରେ ନିମନ୍ତ୍ରଣ କରାଯାଇଥିଲା । ରମ୍ଭାଠାରେ ଅନୁଷ୍ଠିତ ହୋଇଥିବା ସେହି ସଭାରେ ବିଚାର ଆଲୋଚନା ହୋଇ ଯାହା ସ୍ଥିର ହୋଇଥିଲା, ତାହାରି ଫଳଶ୍ରୁତି ସ୍ୱରୂପ ଓଡ଼ିଶାରେ ‘ଉତ୍କଳ ୟୁନିଅନ କନ୍‍ଫରେନ୍ସ’ ବା ‘ଉତ୍କଳ ସମ୍ମିଳନୀ’ ଗଠିତ ହୋଇଥିଲା ।

 

ଇଂ 1903 ମସିହା ଡିସେମ୍ୱର ମାସ 30 ଓ 31 ତାରିଖ ଦୁଇଦିନ ଧରି କଟକଠାରେ ଉତ୍କଳ ସମ୍ମିଳନୀର ଯେଉଁ ପ୍ରଥମ ଅଧିବେଶନ ବସିଥିଲା, ସେଥିରେ ସାରା ଓଡ଼ିଶାର ରାଜାରାଜୁଡ଼ାଙ୍କଠାରୁ ଆରମ୍ଭ କରି ସାଧାରଣ ଚାଷୀ ମୂଲିଆ ପର୍ଯ୍ୟନ୍ତ ଅନେକେ, ଏପରିକି ଓଡ଼ିଶା ବାହାରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଲୋକମାନେ ମଧ୍ୟ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ । ଓଡ଼ିଶା ବାହାରୁ ମୋଟରେ 335 ଜଣ ପ୍ରତିନିଧି ଉତ୍କଳ ସମ୍ମିଳନୀର ଏହି ପ୍ରଥମ ଅଧିବେଶନରେ ଯୋଗଦେଇଥିଲେ । ଅଧିବେଶନର ଅଙ୍ଗ ସ୍ୱରୂପ ଗୋଟିଏ କୃଷି ଓ ଶିଳ୍ପ ପ୍ରଦର୍ଶନୀ ମଧ୍ୟ ସେଠାରେ ଖୋଲାଯାଇଥିଲା । ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳଗୁଡ଼ିକର ଏକତ୍ରୀକରଣ ନିମନ୍ତେ ନାନା ବିଚାର-ଆଲୋଚନା ଛଡ଼ା, ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ସମସ୍ୟା ନେଇ ନାନାକଥା ମଧ୍ୟ ସେଥର ଅଧିବେଶନ ମଣ୍ଡପରେ ଆଲୋଚିତ ହୋଇଥିଲା । 1920 ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନକ୍ରମେ ଅସହଯୋଗ ଆନ୍ଦୋଳନକୁ କର୍ମସୂତ୍ର ରୂପେ ଗ୍ରହଣ କରିନେଇ ‘ଉତ୍କଳ ସମ୍ମିଳନୀ’ ଭାରତୀୟ ଜାତୀୟ ଆନ୍ଦୋଳନ ସହିତ ଏକପ୍ରକାର ମିଳିତ ହୋଇଯାଇଥିଲା; କିନ୍ତୁ ସେ ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ ବରାବର ତା’ର ସ୍ୱତନ୍ତ୍ର ସତ୍ତା ବଜାୟ ରଖିଥିଲା । ଏହା ବସ୍ତୁତଃ ଜାତି, ବର୍ଣ୍ଣ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବାସକରୁଥିବା ଲୋକମାନଙ୍କର ଏକ ସାର୍ବଜନୀନ ମହାସଭା ଥିଲା । ବିଚ୍ଛିନ୍ନାଞ୍ଚଳଗୁଡ଼ିକ ସମେତ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକଶାସନାଧୀନ କରିବାକୁ କେବଳ ଯେ ଉତ୍କଳ ସମ୍ମିଳନୀ ଲାଗିପଡ଼ିଥିଲା ତାହା ନୁହେଁ; ଓଡ଼ିଶାରୁ ଅବଲୁପ୍ତ ହୋଇଯାଇଥିବା କୁଟୀର ଶିଳ୍ପର ପୁନରୁଦ୍ଧାର, ପ୍ରଦେଶର ଶୈଳ୍ପିକ ଅଭିବୃଦ୍ଧି, କୃଷି-ଅର୍ଥନୀତିର ପୁନର୍ଜାଗରଣ ସଙ୍ଗେ ସଙ୍ଗେ ଓଡ଼ିଶାରେ ବ୍ୟବସାୟଗତ ଶିକ୍ଷାର ପ୍ରସାର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ଓ ରାଜନୈତିକ ଜାଗୃତି ଆଦି ପ୍ରତ୍ୟେକ ବିଷୟରେ ଉତ୍କଳ ସମ୍ମିଳନୀ ବରାବର ସଚେଷ୍ଟ ରହିଥିଲା । ଭାରତୀୟ ଜାତୀୟ କଂଗ୍ରେସ ଅସ୍ପୃଶ୍ୟତା ନିବାରଣ ସମ୍ପର୍କରେ ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ଏବଂ ସାମାଜିକ ଓ ରାଜନୈତିକ ପରିସରରେ ସ୍ୱଦେଶୀର ପ୍ରୟୋଗ ପ୍ରବର୍ତ୍ତନ କରିବା ପୂର୍ବରୁ ଉତ୍କଳ ସମ୍ମିଳନୀ ଏ ଦିଗରେ ଉଦ୍ୟମର ସୂତ୍ରପାତ କରିସାରିଥିଲା ।

 

ସମ୍ମିଳନୀ ତାହାର ବିଭିନ୍ନ କର୍ମସୂଚୀ ମାଧ୍ୟମରେ ଓଡ଼ିଶାବାସୀଙ୍କ ହୃଦୟରେ ଏକ ଦୃଢ଼ ଆସନ ଅଧିକାର କରିବାରେ ସକ୍ଷମ ହୋଇପାରିଥିଲା । ଓଡ଼ିଶାର ଲୋକେ ଉତ୍କଳ ସମ୍ମିଳନୀର ସଭା ସମିତି ଓ କାର୍ଯ୍ୟକ୍ରମମାନଙ୍କରେ ଆଗ୍ରହର ସହିତ ଯୋଗଦାନ କରୁଥିଲେ । ଏହା ପରବର୍ଷ ସାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଓ ଓଡ଼ିଶା ବାହାରେ ଥିବା ବିଚ୍ଛିନ୍ନାଞ୍ଚଳମାନଙ୍କରେ ସମ୍ମିଳନୀର ମୋଟ 318ଟି ଶାଖା ଅନୁଷ୍ଠାନ ଗଢ଼ିଉଠିଥିଲା । ସର୍ବସାଧାରଣଙ୍କଠାରୁ ଦାନ ଓ ଚାନ୍ଦା ସୂତ୍ରରେ ଯାହା ମିଳୁଥିଲା, ତହିଁରେ ଉତ୍କଳ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ସମ୍ପନ୍ନ କରାଯାଉଥିଲା । କିନ୍ତୁ ଏ ଦିଗରେ ଯାହା ଖର୍ଚ୍ଚ ହେଉଥିଲା ତାର ମୁଖ୍ୟ ଅଂଶ ମଧୁସୂଦନ ନିଜେ ତାଙ୍କର ବ୍ୟକ୍ତିଗତ ଉପାର୍ଜନରୁ ତୁଲାଉଥିଲେ । ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ମଧୁସୂଦନଙ୍କୁ ସମୟେ ସମୟେ ବ୍ୟକ୍ତିଗତଭାବରେ ନାନା ସୂତ୍ରରୁ ଋଣ ଆଣିବାକୁ ପଡ଼ୁଥିଲା । ଏହିପରି ନାନାପ୍ରକାର ସର୍ବସାଧାରଣ କାର୍ଯ୍ୟରେ ବ୍ୟୟ ନିର୍ବାହ କରିବା ନିମନ୍ତେ ମଧୁସୂଦନ ଯେଉଁସବୁ ଋଣ କରିପକାଇଥିଲେ, ସେ ସବୁକୁ ପରିଶୋଧ କରି ନ ପାରି ଶେଷ ଜୀବନରେ ତାଙ୍କୁ ଯେପରିଭାବରେ ଦେବାଳିଆ ହେବାକୁ ପଡ଼ିଥିଲା, ତାହା ଓଡ଼ିଶାରେ ପ୍ରାୟ ସମସ୍ତଙ୍କୁ ଊଣା ଅଧିକେ ଜଣା ।

 

ଉତ୍କଳ-ୟୁନିଅନ-କନ୍‍ଫରେନ୍ସର ପ୍ରଥମ ଅଧିବେଶନରେ ଯେଉଁମାନେ ଯୋଗଦେଇଥିଲେ ସେମାନଙ୍କ ମଧ୍ୟରେ କଲିକତା ‘ଅମୃତ ବଜାର ପତ୍ରିକା’ର ସମ୍ପାଦକ ମୋତିଲାଲ ଘୋଷ ମଧ୍ୟ ଥିଲେ । ସେ ମହାଶୟ ଏ ସଭାକୁ ସାରା ଭାରତୀୟ ଅଧିବାସୀମାନଙ୍କର ଏକ ଗଣସ୍ରୋତ ବା ଗଣସଭା ନାମରେ ଅଭିହିତ କରିଥିଲେ । ଇଂ 1904 ମସିହା ଜାନୁୟାରୀ ମାସ 9 ତାରିଖ ଦିନ ଏହି ଅଧିବେଶନ ବିଷୟରେ ‘ଅମୃତ ବଜାର’ ପତ୍ରିକାର ଜଣେ ବିଶେଷ ପ୍ରତିନିଧି ତାଙ୍କ ପତ୍ରିକାକୁ ଲେଖିଥିବା ଏକ ବିବରଣୀରେ ଉଲ୍ଲେଖ କରିଥିଲେ—

 

‘‘ଏହିଠାରେ ହିଁ ଓଡ଼ିଶାର ରାଜା, ମହାରାଜା, ଜମିଦାର ଓ ସାଧାରଣ ଜନତା ସେମାନଙ୍କର ସାଧାରଣ ଅବସ୍ଥାରେ ଉନ୍ନତି ଆଣିବା ଲାଗି ଏକ ସାମୂହିକ ଉଦ୍ୟମରେ ଲାଗିପଡ଼ିଥିବାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଓଡ଼ିଶାର ରାଜା, ମହାରାଜା, ସମ୍ଭ୍ରାନ୍ତ ପରିବାର ଓ ଶିକ୍ଷିତ ସମାଜର ଲୋକମାନଙ୍କ ସହିତ ସାଧାରଣ ଦରିଦ୍ର ଜନତାର ଏହିଠାରେ ମହାମିଳନ ଘଟିଥିଲା । ଏସବୁର ଅନ୍ତରାଳରେ ଯେଉଁ ମୁଖ୍ୟ କାରଣଟି ବିଦ୍ୟମାନ ରହିଛି, ତାହା ହେଲା ଓଡ଼ିଶାର ବିଶେଷ ପରିସ୍ଥିତି । ଏହି ଓଡ଼ିଶାରେ ରାଜା ମହାରାଜାମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଯାଏ ସମସ୍ତେ ଗୋଟିଏ ଭାଷାରେ କଥାବାର୍ତ୍ତା କରନ୍ତି । ଏହାଛଡ଼ା ସେମାନଙ୍କର ଧର୍ମ, ଚଳଣି, ଆଚାରବ୍ୟବହାର, ସଂସ୍କାର, ସଂସ୍କୃତି ଆଦି ସବୁ ସମାନ । ଏହିପରି ଭାବରେ ସମସ୍ତ ଓଡ଼ିଆଭାଷୀ ଲୋକମାନଙ୍କୁ ଏକ ଜାତିରେ ପରିଣତ କରିବାର ମହତ ଜାତୀୟ ଲକ୍ଷ୍ୟ ରଖି ଏହି ଓଡ଼ିଶାରେ ଗୋଟିଏ ଗଣ-ଆନ୍ଦୋଳନର ସୂତ୍ରପାତ ଘଟିଥିବା କଥା ଏହି ଅଧିବେଶନରୁ ସ୍ପଷ୍ଟଭାବରେ ପ୍ରତୀୟମାନ ହେଉଥିଲା ।’’

 

ଏହି ବିବରଣୀରେ ପୁଣି ଲେଖାଥିଲା—

 

ବର୍ତ୍ତମାନ କଟକଠାରେ ଉତ୍କଳ ସମ୍ମିଳନୀରେ ଏହି ଯେଉଁ ଅଧିବେଶନ ବସିଅଛି, ସେହି ସମ୍ମିଳନୀର ପରିକଳ୍ପନା ଯେଉଁ ବ୍ୟକ୍ତିଙ୍କର ଉର୍ବର ମସ୍ତିଷ୍କରୁ ଜନ୍ମଲାଭ କରିଅଛି, ସେ ହେଉଛନ୍ତି ମିଷ୍ଟର ଏମ୍. ଏସ୍. ଦାସ, ଯେ କି ମଧୁବାବୁ ନାମରେ ସାରା ଓଡ଼ିଶାର ପୁରପଲ୍ଲୀରେ ପରିଚିତ । ସେ ଖ୍ରୀଷ୍ଟିଆନ୍ ହୋଇଥିଲେ ମଧ୍ୟ ପ୍ରକୃତରେ କିନ୍ତୁ ତାଙ୍କର ପିତାଙ୍କ ପରି ସେ ହେଉଛନ୍ତି ଅନ୍ତରରେ ଜଣେ ନୈଷ୍ଠିକ ହିନ୍ଦୁ ବ୍ୟକ୍ତି । ସେ ଖ୍ରୀଷ୍ଟଧର୍ମାବଲମ୍ୱୀ ହୋଇଥିଲେ ମଧ୍ୟ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଆଦି ବିଭିନ୍ନ ଧର୍ମମତର ଲୋକମାନଙ୍କଠାରୁ ଆରମ୍ଭ କରି ରାଜା, ଜମିଦାର ଏପରିକି ସାଧାରଣ ଲୋକେ ମଧ୍ୟ ସବୁବେଳେ ସବୁକଥାରେ ତାଙ୍କଠାରୁ ପରାମର୍ଶ ଗ୍ରହଣ କରିଥାନ୍ତି ।

 

କେବଳ ମାତ୍ର ଭାଷା ଆନ୍ଦୋଳନର ସୂତ୍ର ଧରି ଯେ ଉତ୍କଳ ୟୁନିଅନ୍ କନ୍‍ଫରେନ୍ସର ଜନ୍ମ ଘଟିଥିଲା ବା ସେହି ଏକମାତ୍ର ଲକ୍ଷ୍ୟରେ ହିଁ ଏହି ଅନୁଷ୍ଠାନ କାର୍ଯ୍ୟ କରୁଥିଲା ତାହା ନୁହେଁ; ଓଡ଼ିଶାର କୃଷିଜୀବୀ ଅଧିବାସୀମାନଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତି ପ୍ରତି ଏହି ଅନୁଷ୍ଠାନର ଗଭୀର ଧ୍ୟାନ ମଧ୍ୟ ରହିଥିଲା । ଉତ୍କଳ ୟୁନିଅନ୍ କନ୍‍ଫରେନ୍ସର ବିଭିନ୍ନ ଆଲୋଚନା ଓ କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟଭାବରେ ପ୍ରତୀୟମାନ ହେଉଥିଲା। ଏହି ଅନୁଷ୍ଠାନ ଗଠନର ଉଦ୍ଦେଶ୍ୟ ବିଷୟରେ ମଧୁସୂଦନ ‘ଦି ଓଡ଼ିଆ’ ନାମକ ପତ୍ରିକାର ସ୍ତମ୍ଭରେ ଉଲ୍ଲେଖ କରିଥିଲେ—‘‘ଓଡ଼ିଶାର ଅଧିକାଂଶ ଲୋକ ହେଲେ ନିତାନ୍ତ ଦରିଦ୍ର ଓ ସମ୍ୱଳହୀନ । ସେହି ଦରିଦ୍ର ଜନସାଧାରଣଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ଓଡ଼ିଆମାନଙ୍କର ଜାତୀୟ ଅଗ୍ରଗତି ବିଷୟରେ କିଛି କହିବା ନିତାନ୍ତ ମୂଲ୍ୟହୀନ ଅଟେ ।’’

 

ଉତ୍କଳ ସମ୍ମିଳନୀ ମଣ୍ଡପରୁ ମଧୁସୂଦନ ଯେତେ ଯେତେ ବକ୍ତୃତା ଦେଉଥିଲେ, ଯେତେ ଯେତେ ବାଣୀ ଜନତାକୁ ଶୁଣାଉଥିଲେ, ସେ ସବୁଥିରେ ସେ ସବୁବେଳେ ଲୋକମାନଙ୍କୁ ବୁଝାଉଥିଲେ ଯେ ଭାରତକୁ ବାଦ୍ ଦେଇ ଯେପରି ଓଡ଼ିଶା ବିଷୟ କଳ୍ପନା କରାଯାଇପାରେ ନାହିଁ, ସେହିପରି ଓଡ଼ିଶାକୁ ବାଦ୍ ଦେଇ ଭାରତ ବିଷୟ ମଧ୍ୟ ଚିନ୍ତା କରାଯାଇପାରେ ନାହିଁ । ସାମୂହିକ ଜାତୀୟ ପ୍ରଗତି ଲାଗି ଭାରତ ଓ ଓଡ଼ିଶା ଉଭୟ ହେଉଛି ଅପରିହାର୍ଯ୍ୟ ଓ ପରସ୍ପରର ଅନୁପୂରକ । କିନ୍ତୁ ଓଡ଼ିଶା ଯେତେବେଳେ ମଧ୍ୟସ୍ୱତ୍ୱାଧିକାରୀମାନଙ୍କର ଚରାଭୂଇଁରେ ପରିଣତ ହୋଇ ପଡ଼ିରହିଥିଲା ଓ ଏହାର ପ୍ରଗତି ସର୍ବତୋଭାବେ ପ୍ରତିହତ ହୋଇ ରହିଥିଲା, ସେ ସମୟରେ ମଧୁସୂଦନ ସର୍ବଭାରତୀୟ ଜାତୀୟ ପ୍ରଗତି ଅବା ରାଜନୈତିକ ସ୍ୱାଧୀନତାପ୍ରାପ୍ତି ଆଦି ବିଷୟରେ ମନ ନଦେଇ ସର୍ବପ୍ରଥମେ ଓଡ଼ିଶାର ଆଞ୍ଚଳିକ ସମସ୍ୟାଗୁଡ଼ିକର ଦୂରୀକରଣ ଦିଗରେ ଦୃଷ୍ଟି ଦେଇଥିଲେ ।

 

ଓଡ଼ିଶାର ଦରିଦ୍ର କୃଷିଜୀବୀ ଜନତାର ଅବସ୍ଥା ଓ ସେମାନଙ୍କର ବିକଟ ଦାରିଦ୍ର୍ୟର ବାସ୍ତବ ରୂପ ବିଷୟରେ ଜନସାଧାରଣଙ୍କ ମନରେ ଧାରଣା ଦେବାଲାଗି ଉତ୍କଳ ସମ୍ମିଳନୀ ମଣ୍ଡପରେ ମଧୁସୂଦନ ବରାବର ଖଣ୍ଡିଏ ଚିତ୍ରିତ କାନ୍‍ଭାସ୍ ଟଙ୍ଗାଇବାର ବ୍ୟବସ୍ଥା କରାଇଥିଲେ । ଏହି ଚିତ୍ରପଟଟିର ପରିକଳ୍ପନା ଯେପରି ବୁଦ୍ଧିଦୀପ୍ତ ଥିଲା, ତହିଁରେ ଅଙ୍କିତ ହୋଇଥିବା ଦୃଶ୍ୟ ମଧ୍ୟ ସେହିପରି ପ୍ରାଣବନ୍ତ ହୋଇଥିଲା । ଚିତ୍ରପଟର ନିମ୍ନରେ କୋଡ଼ିଟିଏ ହାତରେ ଧରି ମାଟି ହାଣୁଥିବା ଗୋଟିଏ ମଣିଷର ଚିତ୍ର ଅଙ୍କିତ ହୋଇଥିଲା । ଜୀର୍ଣ୍ଣଶୀର୍ଣ୍ଣ ଏହି ମନୁଷ୍ୟଟିର ହାଡ଼କଙ୍କାଳ ଦୂରରୁ ଗଣି ହୋଇ ପଡ଼ୁଥିଲା । ସେ ଲୋକଟି ମାଟିରେ ଯେଉଁ ଗାତ ଖୋଳୁଥିଲା, ସେ ଗାତରୁ ଝରଣାଟିଏ ବହିଯାଉଥିଲା । ଝରଣା ପାଣିରେ ଧାନକେଣ୍ଡା ସବୁ ଭାସିଯାଉଥିଲା । ଏହି ଝରଣାର ସ୍ରୋତ ଯାଇ ଯେଉଁ କୁଣ୍ଡରେ ଜମୁଥିଲା, ସେ କୁଣ୍ଡଟିକୁ ସତର୍କ ଦୃଷ୍ଟିରେ ଗୋଟିଏ ପ୍ରହରୀ ସବୁବେଳେ ଜଗି ରହିଥିଲା । ଏହି କୁଣ୍ଡ ପାଖରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା ‘କ୍ଷୁଦ୍ର ବ୍ୟବସାୟୀ ଓ ମହାଜନ’ । କୁଣ୍ଡର ଅନ୍ୟ ପାଖରୁ ସେଠାରେ ଜମିଥିବା ଜଳର ଯେଉଁ ସ୍ରୋତଟି ବହିଯାଉଥିଲା, ସେଥିରେ ଧାନକେଣ୍ଡା ଆଉ ଦେଖା ନଯାଇ, ଦେଖାଯାଉଥିଲା କେବଳ ପାଣିରେ ଭାସିଯାଉଥିବା ଅସୁମାରି ଟଙ୍କାର ଗୋଟିଏ ଅଖଣ୍ଡ ସ୍ରୋତ । ଏହି ସ୍ରୋତ ଯାଇ ପଡ଼ୁଥିଲା ଆଉ ଗୋଟିଏ କୁଣ୍ଡରେ । ଏହି ଦ୍ୱିତୀୟ କୁଣ୍ଡଟି ଥିଲା ‘ଜମିଦାରଙ୍କ କଚେରି’ । ଏହି କୁଣ୍ଡର ଅନ୍ୟ ପାଖରୁ ଯେଉଁ ସ୍ରୋତଟି ବାହାରି ଗୋଟିଏ ତୃତୀୟ ଜଳାଧାରକୁ ବହିଯାଉଥିଲା, ସେହି ସ୍ରୋତରେ ଭାସିଯାଉଥିଲା କେବଳ ନୋଟ୍ ପରେ ନୋଟ୍ । ଏହି ଶେଷୋକ୍ତ କୁଣ୍ଡ ଉପରେ ରଖାଯାଇଥିଲା ଗୋଟିଏ ରାଜମୁକୁଟ, ଯାହା ପାଖରେ କି ୟୁନିଅନ୍ ଜ୍ୟାକ୍ ଫରଫର ହୋଇ ଉଡ଼ୁଥିବାର ଦେଖାଯାଉଥିଲା । (1)

 

(1) The Oriya

 

ଓଡ଼ିଶାର ସାଧାରଣ ଦରିଦ୍ର କୃଷକକୁଳର ଜୀବନ ଓ ସେମାନେ ଯେଉଁପରି ଭାବରେ ନିର୍ଯାତିତ ଓ ଲୁଣ୍ଠିତ ହେଉଥିଲେ, ଉପରେ ବର୍ଣ୍ଣନା କରାଯାଇଥିବା ଚିତ୍ରପଟରେ ତାହା ଚିତ୍ରମାଧ୍ୟମରେ ଦେଖାଇ ଦିଆଯାଇଥିଲା । ‘ଉତ୍କଳ ସମ୍ମିଳନୀ’ କେବଳ ଯେ ଓଡ଼ିଆମାନଙ୍କ ବସବାସ ଲାଗି ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରି ଭାରତ ଡୋମିନିଅନରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଚିହ୍ନିତ କରାଇବାକୁ ଚାହୁଁଥିଲା ସେତିକି ନୁହେଁ; ସେମାନଙ୍କ ପ୍ରଦେଶଟିକୁ ମଧ୍ୟ ସବୁ ପ୍ରକାର ଅନ୍ୟାୟ ଲୁଣ୍ଠନରୁ ମୁକ୍ତ କରାଇ ତାହାର ଅଧିବାସୀମାନଙ୍କୁ ସ୍ୱାଧୀନଭାବରେ ଜୀବନ ଧାରଣ କରିବାରେ ଓ ନିଜ ନିଜର ରୁଚିମତେ ବିକାଶ କରିବାରେ ସାହାଯ୍ୟ କରିବାକୁ ଉଦ୍ୟମ କରୁଥିଲା । ମଧୁସୂଦନ ତାଙ୍କର ଏହି ଲକ୍ଷ୍ୟରେ ସଫଳ ହୋଇଥିଲେ କି ନାହିଁ, ତାହା ସ୍ୱତନ୍ତ୍ର କଥା; କିନ୍ତୁ ସେ ଯେଉଁ ମହତ୍ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିଲେ ସେଥିରୁ ତାଙ୍କ ଚରିତ୍ରର ମହନୀୟତା ପରିସ୍ଫୁଟ ହୁଏ । ଏତାଦୃଶ ମହତୀ ଉଚ୍ଚାକାଂକ୍ଷା ତାଙ୍କର ସମସାମୟିକ ଅନ୍ୟ କୌଣସି ଜନନେତାଙ୍କଠାରେ ପ୍ରାୟ ଦେଖିବାକୁ ମିଳୁନଥିଲା ।

 

ଇଂ 1903 ମସିହାରେ ଘୋର ମନାନ୍ତର ଓ ମତାନ୍ତର ମଧ୍ୟରେ ମଧୁସୂଦନ ଭାରତୀୟ ଜାତୀୟ କଂଗ୍ରେସରୁ ବିଦାୟ ନେଇଥିଲେ । ସେହି ବର୍ଷ ବଙ୍ଗଳାର ଲାଲମୋହନ ଘୋଷଙ୍କ ଅଧ୍ୟକ୍ଷତାରେ ମାଡ୍ରାସଠାରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜ୍ୟଗୁଡ଼ିକର ଯେଉଁ ସୀମା ବହୁ ପୂର୍ବରୁ ଚଳିଆସୁଥିଲା, ସେହି ସୀମାରେ ଅଦଳବଦଳ କରିବା ଲାଗି ଭାରତ ସରକାର ଯେଉଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ, ବିଶେଷତଃ ବଙ୍ଗଭଙ୍ଗ ନିଷ୍ପତ୍ତି ବିରୁଦ୍ଧରେ ସେହି ଅଧିବେଶନରେ ଦୃଢ଼ ବିରୋଧ କରାଯାଇ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ଗଞ୍ଜାମ ଜିଲ୍ଲା ଓ ତାହାର ଏଜେନ୍ସି ଏରିଆଗୁଡ଼ିକ ସହିତ ଭାଇଜାଗାପଟମ୍ ଏଜେନ୍ସିକୁ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା କରିନେଇ ଓଡ଼ିଶା ସହିତ ସେସବୁ ଅଞ୍ଚଳକୁ ମିଶାଇଦେବା ଲାଗି ଭାରତ ସରକାର ଯେଉଁ ନୀତିଗତ ସିଦ୍ଧାନ୍ତ କରିଥିଲେ, କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କର ଚକ୍ରାନ୍ତ ଫଳରେ ଉପରୋକ୍ତ ମାଡ୍ରାସ କଂଗ୍ରେସର ପ୍ରସ୍ତାବରେ ତାହାର ବିରୋଧ କରାଯାଇଥିଲା । ଏହି ଅଧିବେଶନରେ ଉପସ୍ଥିତ ଥିବା ମାଡ୍ରାସ ପେସିଡେନ୍ସି ତାମିଲ ଅଞ୍ଚଳର ଜଣେ ପ୍ରତିନିଧି ତାଙ୍କର ଭାଷଣରେ ବଙ୍ଗଭଙ୍ଗ ବିରୁଦ୍ଧରେ ଗୃହୀତ ପ୍ରସ୍ତାବକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ଗଞ୍ଜାମ ଓ ଭାଇଜାଗାପଟମ୍ ଏରିଆ ବିଷୟରେ ଯେଉଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା, ତାହାର ବିରୋଧ କରିଥିଲେ ଏବଂ ପ୍ରସ୍ତାବରୁ ସେ ବିଷୟ ବାଦ୍ ଦେବାକୁ ଦାବି କରିଥିଲେ । କିନ୍ତୁ ତାଙ୍କର ସେହି ଦାବିଟି ଶେଷକୁ ଭୋଟରେ କାଟ ଖାଇଯାଇଥିଲା ।

 

ଏକ ଦିଗରେ ଜାତିଗତ, ଭାଷାଗତ ଓ ସାଂସ୍କୃତିକ ଯୁକ୍ତିର ବିଚାରରେ ବଙ୍ଗଭଙ୍ଗ ପ୍ରସ୍ତାବକୁ କଂଗ୍ରେସ ବିରୋଧ କରୁଥିବା ସ୍ଥଳେ, ଠିକ୍ ସେହି ଏକା କାରଣରୁ ଗଞ୍ଜାମ ଓ ଭାଇନାଗାପଟମ୍ ଏଜେନ୍ସି ଓଡ଼ିଶା ସହିତ ମିଶାଇଦେବାକୁ ଭାରତ ସରକାର ଯାହା ସ୍ଥିର କରିଥିଲେ, ହେସହି ଯୁକ୍ତିଯୁକ୍ତ ନିଷ୍ପତ୍ତିକୁ କଂଗ୍ରେସ ଅନ୍ୟ ପକ୍ଷରେ ବିରୋଧ କରୁଥିଲା । କଂଗ୍ରେସ ଅନୁଷ୍ଠାନର ଏହି ବିଚାର-ବିଭ୍ରାଟ ଓ ଆପାତବିରୋଧୀ ସିଦ୍ଧାନ୍ତ ଗ୍ରହଣ କରିବା କଥା ଦେଖି ମଧୁସୂଦନ କଂଗ୍ରେସ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆମାନଙ୍କର ଅଭୀଷ୍ଟ ପୂରଣର ଆଶା ସୁଦୂର ପରାହତ ବୋଲି ଅନୁଭବ କରିଥିଲେ । ତେଣୁ ଯଦିଓ ମଧୁସୂଦନ ଭାରତୀୟ ଜାତୀୟ କଂଗ୍ରେସର ଆଦି-ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଏବଂ 1886 ମସିହାଠାରୁ ଏହାର ପ୍ରତି ଅଧିବେଶନରେ ବରାବର ଯୋଗଦେଇ ଆସୁଥିଲେ, ତଥାପି ଭାରତ ଡୋମିନିଅନ ମଧ୍ୟରେ ସବୁଠାରୁ ଅଧିକ ଦୁଃଖ-ଦୁର୍ଦ୍ଦଶାରେ ପଡ଼ିରହିଥିବା ଓଡ଼ିଶା ଓ ତାହାର ଅଧିବାସୀମାନଙ୍କର ସମସ୍ୟା ଦୂରୀକରଣ କରିବା ଦିଗରେ ତାଙ୍କର ସମସ୍ତ ଶକ୍ତି ଓ ସମୟ ବିନିଯୋଗ କରିବା ଅଭିପ୍ରାୟରେ କଂଗ୍ରେସ ଅନୁଷ୍ଠାନଠାରୁ ସେ ନିଜକୁ ଅଲଗା କରିନେଇଥିଲେ । ତାହାପରଠାରୁ କଂଗ୍ରେସ ଅନୁଷ୍ଠାନ ସହିତ ମଧୁସୂଦନଙ୍କର ସଂଶ୍ରବ କେବଳ ସମସାମୟିକଭାବରେ ମଧ୍ୟେ ମଧ୍ୟେ କେବେ କ୍ୱଚିତ୍ ଘଟୁଥିଲା । କିନ୍ତୁ ସେ ଯଦି ସେତେବେଳେ କଂଗ୍ରେସ ଅନୁଷ୍ଠାନରୁ ସେହିପରି ଭାବରେ ଦୂରେଇ ଯାଇ ନ ଥାନ୍ତେ, ତେବେ ଗାନ୍ଧୀ-ପୂର୍ବ-ଯୁଗର ତାଙ୍କର ଅନ୍ୟାନ୍ୟ ସହକର୍ମୀମାନଙ୍କ ମଧ୍ୟରୁ ସେ ନିଶ୍ଚିତଭାବରେ କଂଗ୍ରେସ ଅନୁଷ୍ଠାନର ସଭାପତି ପଦ ଆହରଣ କରିପାରିଥାନ୍ତେ ।

Image

 

(୧୦)

ଦ୍ୱିତୀୟବାର ଲଣ୍ଡନ ଯାତ୍ରା

 

ବଙ୍ଗଭଙ୍ଗ ଲାଗି ଲର୍ଡ଼ କର୍ଜ୍ଜନ ଯେଉଁ ପ୍ୟାକେଜ୍-ପ୍ଲାନ୍ ପ୍ରସ୍ତୁତ କରିଥିଲେ, ସେଥିରେ ବଙ୍ଗଳା ପ୍ରେସିଡ଼େନ୍ସିରୁ ଚିଟାଭଙ୍ଗ, ଢାକା ଓ ରାଜାସାହୀକୁ କାଢ଼ିନେଇ ନୂତନ ପୂର୍ବ-ବଙ୍ଗ ପ୍ରଦେଶ ସହିତ ମିଶାଇଦେବାର ବ୍ୟବସ୍ଥା ରହିଥିଲା । ପୁଣି ଏହାଦ୍ୱାରା ମୂଳ ବଙ୍ଗ ପ୍ରଦେଶର ଯେଉଁ କ୍ଷତି ଘଟିଲା, ତାକୁ ପୂରଣ କରିବା ନିମନ୍ତେ ସମ୍ୱଲପୁର ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ସମେତ ଏହାର ଏଜେନ୍ସି ଏରିଆଗୁଡ଼ିକୁ ବେଙ୍ଗଲ ପ୍ରେସିଡ଼େନ୍ସି ସହିତ ଯୋଗ କରିଦେବାର ବ୍ୟବସ୍ଥା ରହିଥିଲା । ଲର୍ଡ଼ କର୍ଜ୍ଜନଙ୍କ ପ୍ୟାକେଜ୍-ପ୍ଲାନ କାର୍ଯ୍ୟକାରୀ ହେବା ଫଳରେ 1905 ମସିହାରେ ବଙ୍ଗଳା ଦ୍ୱିଧା ବିଭକ୍ତ ହୋଇଗଲା ଏବଂ ସମ୍ୱଲପୁର ଜିଲ୍ଲା ସମେତ ସୋନପୁର, ବାମଣ୍ଡା, ପାଟଣା, କଳାହାଣ୍ଡି ଓ ଗୁଇରାଖୋଲ ଆଦି କରଦ ରାଜ୍ୟଗୁଡ଼ିକ ବଙ୍ଗଳା ପ୍ରେସିଡ଼େନ୍ସି ଅଧୀନରେ ଥିବା ଓଡ଼ିଶା ଡ଼ିଭିଜନ ସହିତ ମିଶିଗଲା; କିନ୍ତୁ ଗଞ୍ଜାମ ଜିଲ୍ଲା ଏବଂ ଗଞ୍ଜାମ ଓ ଭାଇଜାଗାପଟମ୍ ଏଜେନ୍ସି ଏରିଆଗୁଡ଼ିକୁ ଓଡ଼ିଶା ସହିତ ସାମିଲ କରିବା ବିଷୟ ନେଇ ଗୋଟିଏ ନୂତନ ପରିସ୍ଥିତି ଏହା ଫଳରେ ସୃଷ୍ଟିହେଲା-। ଗଞ୍ଜାମ ଜିଲ୍ଲାରେ ବସବାସ କରି ରହୁଥିବା ତେଲୁଗୁ ଭାଷାଭାଷୀ ଲୋକମାନେ ଓଡ଼ିଶା ଡିଭିଜନ ଭିତରେ ଭାଷା ଦୃଷ୍ଟିରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିବାସୀଭାବରେ ରହିବାକୁ ପସନ୍ଦ କଲେନାହିଁ-। ସେ ସମୟରେ ଗଞ୍ଜାମ ଜିଲ୍ଲାରେ ଖୁବ୍ ଅଳ୍ପ ସଂଖ୍ୟାରେ ତେଲୁଗୁ ଭାଷାଭାଷୀ ଲୋକେ ବାସ କରୁଥିଲେ । ସାରା ଗଞ୍ଜାମ ଜିଲ୍ଲାର ମୋଟ ଅଧିବାସୀଙ୍କ ମଧ୍ୟରେ ତେଲୁଗୁଭାଷୀଙ୍କ ସଂଖ୍ୟା ମାତ୍ର ଶତକଡ଼ା ଅଠେଇଶି ଥିଲା । ତଥାପି ମାଡ୍ରାସ ସରକାରଙ୍କ ଉପରେ ସେମାନଙ୍କର ଯଥେଷ୍ଟ ଅଧିକ ପ୍ରଭାବ ରହିଥିଲା । ଅଧିକାଂଶ ସରକାରୀ ଅଫିସମାନଙ୍କରେ କେବଳ ସେହି ତେଲୁଗୁଭାଷୀ କର୍ମଚାରୀମାନଙ୍କୁ ହିଁ ଦେଖିବାକୁ ମିଳୁଥିଲା । ୟୁନିୟନ ପଞ୍ଚାୟତ, ମ୍ୟୁନିସିପାଲିଟି ଆଦି ସମସ୍ତ ଆଞ୍ଚଳିକ ଅନୁଷ୍ଠାନମାନଙ୍କରେ ସେହିମାନେ ହିଁ ଅଧିକ ସଂଖ୍ୟାରେ ରହିଥିଲେ । ବଙ୍ଗ-ବିଚ୍ଛେଦ ଫଳରେ ବଙ୍ଗଳା ପ୍ରେସିଡ଼େନ୍ସିର ଯାହା କ୍ଷତି ହେଲା, ନିଜ ଆଡ଼ୁ ସେ କ୍ଷତି ଭରଣା କରିବା ଲାଗି ମାଡ୍ରାସ୍ ସରକାର ମଧ୍ୟ ରାଜି ନ ଥିଲେ । ଓଡ଼ିଶା ଡିଭିଜନ ସହିତ ମିଶିଯିବା ଲାଗି ଗଞ୍ଜାମ ଜିଲ୍ଲାର ତେଲୁଗୁଭାଷୀ ଅଧିବାସୀମାନଙ୍କର ବିରୋଧ, ମାଡ୍ରାସ ସରକାରଙ୍କ ହାତମୁଠାକୁ ଅଧିକ ଟାଣ କରିଦେଲା । ସେତେବେଳକୁ ମାଡ୍ରାସ ଡିଭିଜନର ଶାସକମୁଖ୍ୟ ଥାନ୍ତି ଲର୍ଡ଼ ଆମ୍ପଥିଲ । ଗଞ୍ଜାମ ଜିଲ୍ଲା ଓ ତାହାର ଏଜେନ୍ସି ଏରିଆକୁ ଓଡ଼ିଶା ଡିଭିଜନକୁ ହସ୍ତାନ୍ତରିତ କରିବାରେ ବିରୋଧ ଜଣାଇ ଆମ୍ପଥିଲ ସାହେବ ଏ ବିଷୟରେ ଯୁକ୍ତି ବାଢ଼ିଲେ, ‘‘ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ସବୁ ସମୟରେ ବିଭିନ୍ନ ଭାଷାଭାଷୀ ଲୋକମାନଙ୍କ ମଧ୍ୟରେ ମିଳାମିଶା ଘଟୁଅଛି । ତାହାଛଡ଼ା ନାନା ପ୍ରକାର ଆଞ୍ଚଳିକ ଓ ସାଂସ୍କୃତିକ ପରିବେଶରେ ଏକତ୍ର ମିଳାମିଶା ଓ ଚଳାଚଳ ଫଳରେ ବିଭିନ୍ନ ଭାଷାଭାଷୀ ଲୋକମାନଙ୍କ ମଧ୍ୟରେ ସବୁବେଳେ ମିଶ୍ରଣ ଘଟୁଅଛି । ଏପରି ସ୍ଥଳେ ନିରୋଳ ଗୋଟିଏ ସ୍ୱତନ୍ତ୍ର ଭାଷାଭାଷୀ ଲୋକଙ୍କୁ ନେଇ ଗୋଟିଏ ଲେଖାଏ ଆଞ୍ଚଳିକ ଶାସନ ଗଠନକରିବା ସମ୍ଭବପର ନୁହେଁ; କାରଣ କେବେହେଲେ ଏହି ନୀତିକୁ ସନ୍ତୋଷଜନକ ଭାବରେ କାର୍ଯ୍ୟକାରୀ କରିହେବ ନାହିଁ-।’’

 

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଓଡ଼ିଶାର ସାଂସ୍କୃତିକ ଇତିହାସରେ ଗଞ୍ଜାମ ବରାବର ଏକ ବିଶିଷ୍ଟ ସ୍ଥାନ ଅଧିକାର କରି ଆସିଅଛି । ଗଞ୍ଜାମରେ ଜନ୍ମଲାଭ କରିଥିବା ବହୁ କବି ମଧ୍ୟ-ଯୁଗୀୟ ଓଡ଼ିଆ କାବ୍ୟ-ସାହିତ୍ୟକୁ ସମୃଦ୍ଧ କରିଯାଇଅଛନ୍ତି । ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଦୃଷ୍ଟିରୁ ଗଞ୍ଜାମର ଅବଦାନ ମଧ୍ୟ ଅତୁଳନୀୟ । କଳିଙ୍ଗ ସାମ୍ରାଜ୍ୟର ଚରମ ଉନ୍ନତିର ଦିନରେ ମଧ୍ୟ ଗଞ୍ଜାମ ସାରା ଓଡ଼ିଶାକୁ ବହୁ ଦିଗରୁ ଉନ୍ନତ ଓ ସମୃଦ୍ଧ କରିପାରିଥିଲା । ସର୍ବୋପରି ଉତ୍କଳ ୟୁନିଅନ୍ କନ୍‍ଫରେନ୍ସ ବିଷୟରେ ପ୍ରଥମ ସିଦ୍ଧାନ୍ତ ମଧ୍ୟ ଜନ୍ମ ନେଇଥିଲା ଏଇ ଗଞ୍ଜାମରୁ । ଏପରି ସ୍ଥଳେ ଭାଷାଗତ ଓ ସାଂସ୍କୃତିକ ସାମ୍ୟ ଦିଗରୁ ବିଚାର କରି ଶାସନରେ ଶୃଙ୍ଖଳା ଓ ଉନ୍ନତି ଆଣିବା ଅଭିପ୍ରାୟରେ, ଗଞ୍ଜାମ ଜିଲ୍ଲାକୁ ଓଡ଼ିଶା ଡିଭିଜନରେ ସଂଯୁକ୍ତ କରିବାର ଯେଉଁ ସିଦ୍ଧାନ୍ତ ସରକାର ପୂର୍ବରୁ ଗ୍ରହଣ କରିଥିଲେ, ସେହି ସିଦ୍ଧାନ୍ତକୁ ପୁନର୍ବାର ଓଲଟପାଲଟ କରି ଗଞ୍ଜାମ ଜିଲ୍ଲାକୁ ପୂର୍ବପରି ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ରଖିବା ଅର୍ଥ ଥିଲା, ଉଦ୍ଦେଶ୍ୟ ସାଧନ ନିମନ୍ତେ ନିଆଁ ଗିଳିଦେବା ପରି ଗୋଟାଏ କାମ । ଇତିହାସର ଏହି ପରିହାସ ଓଡ଼ିଶା ଅଧିବାସୀମାନଙ୍କୁ ବିସ୍ମୟ-ବିମୂଢ଼ କରିପକାଇଲା । ଏହା ପରେ ପରେ ଯଥାରୀତି ଓଡ଼ିଶାରୁ ଭାରତ ସରକାରଙ୍କ ପାଖକୁ ପଠାହେବାରେ ଲାଗିଲା ଅନେକ ଅନେକ ଆପତ୍ତି ଦରଖାସ୍ତ ଆଉ ସ୍ମାରକପତ୍ର । ସେତେବେଳକୁ ଲର୍ଡ଼ କର୍ଜ୍ଜନ ଯଦି ଭାରତର ଭାଇସ୍‍ରାୟ ରହିଥାନ୍ତେ, ତେବେ ହୁଏତ ଏସବୁ ଓଜର ଆପତ୍ତିର କିଛି ସୁବିଚାର ମିଳିପାରିଥାନ୍ତା । କିନ୍ତୁ ଲର୍ଡ଼ କର୍ଜ୍ଜନ ସେତେବେଳକୁ ଛୁଟି ନେଇ ବିଲାତକୁ ଯାଇଥାଆନ୍ତି । ତେଣୁ ମାଡ୍ରାସର ଗଭର୍ଣ୍ଣର ଲର୍ଡ଼ ଆମ୍ପଥିଲ ଅସ୍ଥାୟୀଭାବରେ ସେତେବେଳେ ଭାରତର ଭାଇସ୍‍ରାୟ ଭାବରେ କାମ ତୁଲାଉଥାଆନ୍ତି ଏବଂ କଲିକତାଠାରେ ତାଙ୍କ ଅଫିସ କରୁଥାନ୍ତି । ତେଣୁ ଓଡ଼ିଶାବାସୀମାନେ ଯେଉଁ ବିଷୟର ପ୍ରତିକାର ଲୋଡ଼ି ଭାରତର ଭାଇସ୍‍ରାୟଙ୍କ ପାଖକୁ ଦରଖାସ୍ତ ସବୁ ପଠାଉଥିଲେ, ସେସବୁ ବିଚାର ପାଇଁ ଶେଷରେ ଯାଇ ପହଞ୍ଚୁଥିଲା ସେହି ଲର୍ଡ଼ ଆମ୍ପଥିଲ ସାହେବଙ୍କ ହାତରେ; ଯେ କି ନିଜେ ଥିଲେ ସେ ସମସ୍ୟାର ମୂଳ କାରଣ ଓ କର୍ତ୍ତା । ତେଣୁ ଏପରି ଅବସ୍ଥାରେ ଓଡ଼ିଶାବାସୀଙ୍କ ଆପତ୍ତିର ଯାହା ବିଚାର ମିଳିବା କଥା, ତାହା ବେଶ୍ ଜଣାଶୁଣା କଥା । ଲର୍ଡ଼ ଆମ୍ପଥିଲ୍ ଭାରତ ସରକାରଙ୍କର 1905 ମସିହା ଜୁଲାଇ ମାସ 19 ତାରିଖ, 2491 ନମ୍ୱର ରିଜୋଲ୍ୟୁସନ୍ ମାଧ୍ୟମରେ ଓଡ଼ିଆମାନଙ୍କ ଭାଗ୍ୟର ଶେଷ ମୀମାଂସା କରିଦେଲେ । ଏହି ସିଦ୍ଧାନ୍ତ ଅନୁଯାୟୀ ଭାରତ ସରକାର ତାଙ୍କର ପୂର୍ବ-ନିର୍ଦ୍ଧାରଣ ମୁତାବକ ସମ୍ୱଲପୁର ଜିଲ୍ଲା ଓଡ଼ିଶା ସହିତ ମିଶାଇଦେବା ସମ୍ପର୍କୀୟ ପ୍ରସ୍ତାବକୁ ସ୍ୱୀକାର କରିଗଲେ ମଧ୍ୟ ଗଞ୍ଜାମ ଜିଲ୍ଲା ଓ ଭାଇଜାଗାପଟମ୍ ଏଜେନ୍ସି ଓଡ଼ିଶା ସହିତ ସାମିଲ ହେବା ସମ୍ପର୍କୀୟ ପୂର୍ବ ନିଷ୍ପତ୍ତିକୁ ବାତିଲ କରିଦେଲେ ।

 

ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକ ଶାସନ ଅଧୀନକୁ ଆସିଯିବାର ଯେଉଁ ସ୍ୱପ୍ନ ଓଡ଼ିଶାର ଲୋକେ ଏଯାଏ ଦେଖୁଥିଲେ, ସେମାନଙ୍କର ସେ ସ୍ୱପ୍ନ ଭାରତ ସରକାରଙ୍କର ନୂତନ ସିଦ୍ଧାନ୍ତ ଫଳରେ ଧୂଳିସାତ୍ ହୋଇଗଲା । କେବଳ ସେତିକି ନୁହେଁ; ଗଞ୍ଜାମ ଜିଲ୍ଲାକୁ ଓଡ଼ିଶା ସହିତ ମିଶାଇବା ପାଇଁ ଓଡ଼ିଆଏ ଯେଉଁ ଦାବି ଉଠାଉଥିଲେ, ସେଥିରେ ମଧ୍ୟ ଜୋର୍ ଜବରଦସ୍ତି ଗୋଟାଏ ଯବନିକା ଟାଣିଦିଆଗଲା । ଉତ୍କଳ ୟୁନିଅନ୍ କନ୍‍ଫରେନ୍ସର ବାର୍ଷିକ ଅଧିବେଶନରେ ଅବଶ୍ୟ ସରକାରଙ୍କର ଏ ମନମୁଖି ନୀତି ବିରୁଦ୍ଧରେ ବହୁ ବିଷୋଦ୍ଗାର କରାଗଲା । ବହୁ ପ୍ରସ୍ତାବ ଗ୍ରହଣ କରାଗଲା; କିନ୍ତୁ ଭାରତ ସରକାର ଏସବୁ ପ୍ରତି ତିଳେମାତ୍ର ଦୃଷ୍ଟି ଦେଲେ ନାହିଁ ବା ଏସବୁକୁ ଭ୍ରୂକ୍ଷେପ କଲେ ନାହିଁ । ଏ କ୍ଷେତ୍ରରେ ଓଡ଼ିଶା ପ୍ରତି ଯେଉଁ ଘୋର ଅନ୍ୟାୟ କରାଗଲା, ଭାରତ ସରକାରଙ୍କଠାରୁ ତାହାର କୌଣସି ପ୍ରତିକାର ପାଇବାର ଆଶା ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଗଲା, ତାହାପରେ ଉପନିବେଶବାଦୀ ଇଂରେଜ ସରକାରର ଉପରିସ୍ଥ କର୍ମକର୍ତ୍ତାମାନଙ୍କ ସମକ୍ଷରେ ଏହି ଆପତ୍ତି ଉପସ୍ଥାପିତ କରି ଓଡ଼ିଶାର ଦାବି ହାସଲ ଲାଗି ଇଂଲଣ୍ଡରେ ଆନ୍ଦୋଳନ ଚଳାଇବା ଉଦ୍ଦେଶ୍ୟରେ ମଧୁସୂଦନଙ୍କୁ ପୁଣି ଥରେ ଲଣ୍ଡନ ଅଭିମୁଖରେ ଯାତ୍ରା କରିବାକୁ ପଡ଼ିଥିଲା ।

 

ଲଣ୍ଡନ ଅବସ୍ଥାନ କାଳରେ ମଧୁସୂଦନ ଭାରତ ଶାସନ ଦାୟିତ୍ୱରେ ଥିବା ତଦାନୀନ୍ତନ ସେକ୍ରେଟେରି ଅଫ୍ ଷ୍ଟେଟ୍ ମି: ମର୍ଲେଙ୍କ ସହ ସାକ୍ଷାତ କରି ଓଡ଼ିଆମାନଙ୍କ ଆପତ୍ତି-ଅଭିଯୋଗ ବିଷୟରେ ତାଙ୍କୁ ସବୁକଥା ଜଣାଇଥିଲେ । ଏହି ସାକ୍ଷାତକାର ସମୟରେ ଉଭୟଙ୍କ ମଧ୍ୟରେ ବ୍ରିଟିଶ ଶାସନ ଓ ଆଇନ ଶୃଙ୍ଖଳା ଯେପରି ଭାବରେ ସେ ସମୟରେ ଭାରତରେ ପରିଚାଳିତ ହେଉଥିଲା, ସେ ବିଷୟରେ ନାନାଦି ଆଲୋଚନା ହୋଇଥିଲା । ମଧୁସୂଦନ ଏହି ଆଲୋଚନା କାଳରେ ବ୍ରିଟିଶ୍ ଶାସନକୁ ବଡ଼ କଡ଼ା ସମାଲୋଚନା କରିଥିଲେ ଏବଂ ଏହା ଗୋଟାଏ ପୂରାପୂରି ହୁଙ୍କାପିଟା ଶାସନ ବୋଲି କହିଥିଲେ । ଏ ବିଷୟରେ ମଧୁସୂଦନ କହିଛନ୍ତି—

 

‘‘ମୁଁ ସିଧାସଳଖ ମି: ମର୍ଲେଙ୍କୁ ଶୁଣେଇଦେଲି ଯେ, ସେ ଯଦି ଭାରତରେ ହୁଙ୍କାପିଟା ଶାସନ ଚଳେଇ ରଖିବାକୁ ଚାହୁଁଥାନ୍ତି ତେବେ ସେ ଯୁବକ ଇଂରେଜ ସିଭିଲ୍ ସରଭାଣ୍ଟମାନଙ୍କୁ ଏପରି ଟ୍ରେନିଂ ଦେବା ଦରକାର, ଯାହାଦ୍ୱାରା କି ମନମୁଖୀ ହୁଙ୍କାପିଟା ଶାସନ କାର୍ଯ୍ୟରେ ସେମାନେ ବେଶ୍ ଦକ୍ଷତା ହାସଲ କରିପାରିବେ । ଇଂଲଣ୍ଡର ଯୁବକମାନେ ସେଠା ପବ୍ଲିକ୍ ସ୍କୁଲ ଓ ୟୁନିଭରସିଯିମାନଙ୍କରେ ଶିକ୍ଷା ପାଇଥାନ୍ତି ଏବଂ ସ୍ୱାଧୀନ ନାଗରିକ ଭାବରେ ବଢ଼ିଥାନ୍ତି । ସେମାନେ ସ୍ୱାଧୀନ ଦେଶର ଅଧିବାସୀମାନଙ୍କର ଶାସନ ପଦ୍ଧତି ସମ୍ପର୍କରେ ତାଲିମ ପାଇଥାନ୍ତି । ଶେଷରେ ସେହି ତାଲିମପ୍ରାପ୍ତ ବ୍ୟକ୍ତିମାନେ ଭାରତ ଆସିବାପରେ, ସେମାନେ କୌଣସି ଏକ ପ୍ରଦେଶରେ କୌଣସି ଏକ ଜିଲ୍ଲା କଲେକ୍ଟର ବା ମାଜିଷ୍ଟ୍ରେଟ୍‍ଙ୍କ ଅଧୀନରେ ପ୍ରଥମେ କାର୍ଯ୍ୟରେ ନିଯୁକ୍ତ ହୁଅନ୍ତି । ଭବିଷ୍ୟତରେ କିପରି ନୀତିରେ ଶାସନକାର୍ଯ୍ୟ ଚଳାଇବାକୁ ହେବ, ସେ ବିଷୟରେ ସେମାନେ ଏହି ସମୟରେ ଶିକ୍ଷା ପାଇଥାନ୍ତି । କିନ୍ତୁ ଏହି ପ୍ରାଥମିକ ତାଲିମ ପାଇବା ଅବସ୍ଥାରେ, ସେମାନେ ସେମାନଙ୍କର ଅଫିସିଆଲ ମୁଖ୍ୟଙ୍କ କାର୍ଯ୍ୟ-କରଣୀରୁ ଯାହା ଦେଖନ୍ତି ଆଉ ଶିଖନ୍ତି, ପୁଣି ସେମାନଙ୍କର ପଥପ୍ରଦର୍ଶକ ଶାସନକାର୍ଯ୍ୟ ସମ୍ୱନ୍ଧରେ ସେମାନଙ୍କୁ ଯେଉଁ ଶିକ୍ଷା ଦିଅନ୍ତି, ସେସବୁକୁ ଖୁବ୍ ଅଳ୍ପ କଥାରେ ପ୍ରକାଶ କରିବାକୁ ହେଲେ ମୁଁ କହିବି, ସେ ଶିଖାନ୍ତି—‘ଏ ଦେଶଟା ହେଲା ପରାଧୀନ ଦେଶ । ତେଣୁ ତୁମେମାନେ ଏଠି ଗଣତାନ୍ତ୍ରିକ ପଦ୍ଧତି ଭୁଲି ପୂରାପୂରି ହୁଙ୍କାପିଟା ମନମୁଖୀ ନୀତିରେ ଶାସନ ଚଳେଇବାକୁ ହେବ ।’ ଏହିପରି ଭାବରେ ପ୍ରତ୍ୟେକ ନବୀନ ଇଂରେଜ ଯୁବକ କର୍ମଚାରୀ ଭାରତରେ ଆସି ମନମୁଖୀ ଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଶିକ୍ଷା ପାଇଥାଏ ଏବଂ ସେ ସେହିପରି ଆଚରଣ କରିବାକୁ ଚେଷ୍ଟା କରିଥାଏ । କିନ୍ତୁ ସେଥିରେ ସେ ସଫଳ ହୋଇପାରେ ନାହିଁ । କାରଣ ଏପ୍ରକାର ଶାସନ ବିଷୟରେ ମୂଳରୁ ସେ ଶିକ୍ଷା ପାଇ ନ ଥାଏ......’’

 

ଏହି କଥାବାର୍ତ୍ତାବେଳେ ଭାରତୀୟ ବ୍ରିଟିଶ କର୍ମଚାରୀମାନଙ୍କୁ ଇଂଲଣ୍ଡରେ ତାଲିମ ନ ଦେଇ, ଆଫଗାନିସ୍ଥାନରେ ସେମାନଙ୍କୁ ତାଲିମ ଦେବାକୁ ମଧୁସୂଦନ ମି: ମର୍ଲେ ସାହେବଙ୍କୁ ପରାମର୍ଶ ଦେଇଥିଲେ । ତାହାହେଲେ ସେମାନେ ପୂରାପୂରି ଡିକ୍ଟେଟରୀ ରୀତିରେ ଭାରତଶାସନ ଚଳାଇପାରିବେ ବୋଲି ସେ ବୁଝାଇ ଦେଇଥିଲେ । ଏହିପରି ଭାବରେ ଶାଣିତ ବ୍ୟଙ୍ଗପୂର୍ଣ୍ଣ କଥୋପକଥନ ଛଳରେ ମଧୁସୂଦନ ଯାହାସବୁ କହିଥିଲେ ତା’ର ଯଥାର୍ଥ ଉଦ୍ଦେଶ୍ୟ ମର୍ଲେ ସାହେବ ବେଶ୍ ବୁଝିପାରିଥିଲେ । ତେବେ ସେ ଯାହାହେଉ, ଓଡ଼ିଆମାନଙ୍କ ଦାବି ପୂରଣ ପାଇଁ ବିଲାତରେ ଆନ୍ଦୋଳନ ଚଳେଇବା ଉଦ୍ଦେଶ୍ୟ ନେଇ ମଧୁସୂଦନଙ୍କ ଯାତ୍ରା ଯେ କେତେକାଂଶରେ ନିଶ୍ଚିତରୂପେ ସଫଳ ହୋଇଥିଲା, ତାହା 1907 ମସିହା ସେପ୍ଟେମ୍ୱର ମାସ 26 ତାରିଖ ସଂଖ୍ୟା ଲଣ୍ଡନ୍ ‘ଟ୍ରିବୁନ୍’ ପତ୍ରିକାରେ ପ୍ରକାଶ ପାଇଥିବା ନିମ୍ନ ବିବରଣୀରୁ ପରିସ୍ଫୁଟ ହେବ—

 

‘‘ଲଣ୍ଡନରୁ ଗତକାଲି ଯେଉଁ ବିଶିଷ୍ଟ ବ୍ୟକ୍ତିଜଣକ ବିଦାୟ ନେଇ ସ୍ୱଦେଶକୁ ଫେରିଗଲେ, ସେ ହେଉଛନ୍ତି ମି: ମଧୁସୂଦନ ଦାସ । ସେ ମହାଶୟ ସୁଦୂର ଭାରତ ବର୍ଷର ଓଡ଼ିଶା ପ୍ରଦେଶରୁ ଆସି ଏଠାରେ ଗତ ଏକ ମାସ ହେବ ଅବସ୍ଥାନ କରୁଥିଲେ । ମି: ଦାସ ନିଜେ ହେଉଛନ୍ତି ଜଣେ ବିରାଟ ବିଦ୍ୱାନ୍ ଓ ନିପୁଣ ରଜାନୀତିଜ୍ଞ ବ୍ୟକ୍ତି । ସେ ଯେଉଁ ଓଡ଼ିଶା ପ୍ରଦେଶରେ ଜନ୍ମ ହୋଇଥିଲେ, ସେହି ଓଡ଼ିଶାର ଏକ କୋଟି ଦଶଲକ୍ଷ ଅଧିବାସୀଙ୍କର ପ୍ରତିନିଧିରୂପେ, ସେ ଏଠାକୁ ଆସିଥିଲେ ମି: ମର୍ଲେଙ୍କୁ ଓଡ଼ିଶାର ଦୁଃଖ-ଦୁର୍ଦ୍ଦଶା ବିଷୟରେ ଅବଗତ କରାଇ, ସେ ସବୁର ପ୍ରତିକାର ଲୋଡ଼ିବା ଉଦ୍ଦେଶ୍ୟରେ । ଓଡ଼ିଶାର ବିରାଟ ଜନତା ନାନା ସଭା-ସମିତି, ବିଚାର-ଆଲୋଚନା ମାଧ୍ୟମରେ ତାହାଙ୍କୁ ହିଁ ଏ କାର୍ଯ୍ୟ ନିମନ୍ତେ ମନୋନୀତ କରିଥିଲେ ଏବଂ ସେ ଏଠାକୁ ଆସି ବ୍ରିଟିଶ ସରକାର ଓ ସେକ୍ରେଟେରୀ ଅଫ୍ ଷ୍ଟେଟ୍ ଫର୍ ଇଣ୍ଡିଆ ମି: ମର୍ଲେଙ୍କ ସହିତ ସାକ୍ଷାତ୍ କରି, ସେମାନଙ୍କୁ ସମସ୍ତ ଆପତ୍ତି ଅଭିଯୋଗ ଜଣାଇ ପ୍ରତିକାର ଲୋଡ଼ିବାରେ ସମର୍ଥ ହୋଇପାରିଛନ୍ତି...ଆନନ୍ଦର କଥା ଯେ ମି: ଦାସଙ୍କ ପ୍ରଚେଷ୍ଟା କେତେକାଂଶରେ ସଫଳ ହୋଇପାରିଛି । ତାଙ୍କର ପ୍ରଦେଶବାସୀମାନଙ୍କ ପ୍ରତି ସେ ମି: ମର୍ଲେଙ୍କର ସଦୟ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।’’

 

ବିଚ୍ଛିନ୍ନ ଭାବରେ ପଡ଼ିରହିଥିବା ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନରେ ରଖିବାଲାଗି ମଧୁସୂଦନ କେବଳ ଯେ ଦାବି କରିଥିଲେ ବା ତାହାର ଉପଯୋଗିତା ସମ୍ୱନ୍ଧରେ ମି: ମର୍ଲେଙ୍କ ସହ ଆଲୋଚନା କରିଥିଲେ ସେତିକି ନୁହେଁ; ସେ ମଧ୍ୟ ଇଂରେଜ ରାଜନୀତିଜ୍ଞ, ପାର୍ଲାମେଣ୍ଟରିଆନ ଓ ସାମ୍ୱାଦିକମାନଙ୍କ ସହିତ ଆଳାପ-ଆଲୋଚନା ମାଧ୍ୟମରେ, ଓଡ଼ିଶାର ଦରିଦ୍ର କୃଷକକୁଳର ଦାରୁଣ ଅବସ୍ଥା ଓ ସେମାନେ ଇଂରେଜ ଶାସନାଧୀନରେ ରହି ଯେପରି ଭାବରେ ନିର୍ଯାତିତ ହେଉଅଛନ୍ତି, ସେ ବିଷୟରେ ମଧ୍ୟ ସେମାନଙ୍କୁ ବୁଝାଇ ଦେଇଥିଲେ ।

 

ଓଡ଼ିଶାର ନିର୍ଯାତିତ କୃଷିଜୀବୀ ଜନତାକୁ ନ୍ୟାୟ ବ୍ୟବହାର ଓ ନିୟମାନୁମୋଦିତ ଶାସନ ଯେପରି ମିଳିପାରିବ, ସେଥିଲାଗି ଦୃଷ୍ଟି ଦେବାକୁ, ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ବ୍ରିଟିଶ ଅଫିସରମାନଙ୍କର ମନୋମୁଖୀ କାର୍ଯ୍ୟକଳାପ ଓ ଅନ୍ୟାୟ ଅତ୍ୟାଚାର ବିଷୟରେ ବର୍ଣ୍ଣନା କରିବା ସମୟରେ, ସେ ପରିଷ୍କାର ଭାବରେ ଓ ବେଶ୍ ଖୋଲାଖୋଲି ଭାବରେ ସେସବୁକୁ ପଦାରେ ପକାଇ ଦେଇଥିଲେ । ସ୍କାର୍‍ବରୋଠାରେ ଗୋଟିଏ ସାମ୍ୱାଦିକ ସମ୍ମିଳନୀରେ ମଧୁବାବୁ ଯେଉଁ ଭାଷଣ ଦେଇଥିଲେ, ସେ ବିଷୟରେ ଲଣ୍ଡନର ‘ଷ୍ଟ୍ରାଣ୍ଡ୍ ନିଉଜ୍’ ପତ୍ରିକାରେ 1907 ମସିହା ଅକ୍ଟୋବର ମାସ 11 ତାରିଖ ଦିନ ପ୍ରକାଶ ପାଇଥିବା ବିବରଣୀରୁ ତାହା ସହଜରେ ଅନୁମିତ ହୁଏ–

 

‘‘ମି: ଦାସ ଏକ ଦୃଢ଼ ଧାରଣା ପୋଷଣ କରୁଅଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ ଯେଉଁ ଅବସ୍ଥା ଚାଲିଅଛି; ସେସବୁ ବିଷୟରେ ଯଦି ବ୍ରିଟିଶ ସରକାରଙ୍କୁ ଯଥାର୍ଥଭାବରେ ଅବଗତ କରାଯାଇପାରେ, ତେବେ ସରକାରଙ୍କ ପକ୍ଷରୁ ସେସବୁର ପ୍ରତିକାର ଅବଶ୍ୟ କରାଯିବ । ତେଣୁ ଓଡ଼ିଶାରେ ଅବସ୍ଥାର ଅଧିକ ଅଧୋଗତି ନ ଘଟିବା ପୂର୍ବରୁ ମି: ଦାସ ଏ ଦିଗରେ ତାଙ୍କର ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ଅଧିବାସୀମାନେ ବ୍ରିଟିଶ ସମ୍ରାଟଙ୍କର ଅନୁଗତ ଥିଲେ ମଧ୍ୟ, ସେମାନେ ସ୍ଥାନୀୟ ଅତ୍ୟାଚାରୀ ବ୍ରିଟିଶ କର୍ମଚାରୀଗୋଷ୍ଠୀ ବିରୁଦ୍ଧରେ ଅତି ମାତ୍ରାରେ ଉତ୍ୟକ୍ତ ହୋଇପଡ଼ିଛନ୍ତି । ମି: ଦାସଙ୍କ ମତରେ ଏହିସବୁ ଅସାଧୁ କର୍ମଚାରୀଗୋଷ୍ଠୀ ହେଉଛନ୍ତି ସବୁପ୍ରକାର ଅଶାନ୍ତି ଓ ଗଣ୍ଡଗୋଳର ମୂଳ କାରଣ । ମି: ମର୍ଲେଙ୍କ ସଙ୍ଗେ ଏବେ ତାଙ୍କର ଯେଉଁ ସାକ୍ଷାତ୍‍କାର ଘଟିଲା, ତା’ର ଫଳରେ ଏ ଅବସ୍ଥାର ବର୍ତ୍ତମାନ ପରିବର୍ତ୍ତନ ଘଟିବ ବୋଲି ମି: ଦାସ ଆଶା କରୁଛନ୍ତି-।’’

 

ମଧୁସୂଦନ ତାଙ୍କର ଲକ୍ଷ୍ୟ ହାସଲ ପାଇଁ ହୁଏତ ଆଉରି କିଛିଦିନ ଲଣ୍ଡନରେ ଅବସ୍ଥାନ କରିଥାନ୍ତେ; ମାତ୍ର ବ୍ରାହ୍ମଣୀ ନଦୀରେ ଜନାର୍ଦ୍ଦନ ଘାଇ ଭାଙ୍ଗିଯାଇ ଓଡ଼ିଶାର ଗୋଟାଏ ବିରାଟ ଅଞ୍ଚଳ ଜଳମଗ୍ନ ହୋଇଯିବା ଫଳରେ ସେଠାରେ ଦୁର୍ଭିକ୍ଷ ଓ ଖାଦ୍ୟାଭାବ ପରିସ୍ଥିତି ଦେଖାଦେଇଥିବା ସମ୍ୱାଦ ପାଇ, ମଧୁସୂଦନ ଯଥାଶୀଘ୍ର ଲଣ୍ଡନରୁ ଓଡ଼ିଶାକୁ ଫେରି ଆସିଥିଲେ । ଓଡ଼ିଶାରେ ପହଞ୍ଚି ସେ ଦେଖିଲେ ଯେ, ବନ୍ୟାଗ୍ରସ୍ତ ଅଞ୍ଚଳରେ ଯେଉଁ ଦୂରବସ୍ଥା ଉପୁଜିଛି, ତାହା 1866 ମସିହାର ଦାରୁଣ ନ’ଅଙ୍କ ଦୁର୍ଭିକ୍ଷବେଳର ଅବସ୍ଥା ସହିତ ପ୍ରାୟ ସମାନ । ତଥାପି ସରକାର ଏ ପରିସ୍ଥିତିର ମୁକାବିଲା କରି ଲୋକମାନଙ୍କୁ ଥଇଥାନ କରିବାରେ ତିଳେମାତ୍ର ଦୃଷ୍ଟି ଦେଉନଥାନ୍ତି । ଖାଦ୍ୟାଭାବରେ ଲୋକମାନେ ପୋକମାଛି ପରି ମରି ଯାଉଥିଲେ ସୁଦ୍ଧା ସରକାରୀ ରିପୋର୍ଟରେ ସେସବୁ ମୃତ୍ୟୁ ପେଟ ଗଣ୍ଡଗୋଳ ଆଦି କାରଣରୁ ଘଟୁଥିବାର ଘୋଷଣା କରାଯାଉଥାଏ । ମଧୁସୂଦନଙ୍କର ହୃଦୟସ୍ପର୍ଶୀ ନିବେଦନ ଫଳରେ ମି: ହେନେରୀ ନାଭିନ୍‍ସନ୍ ବୋଲି ଜନୈକ ବୟୋଜ୍ୟେଷ୍ଠ ବ୍ରିଟିଶ ସାମ୍ୱାଦିକ ଓଡ଼ିଶାର ଦୁଃଖ-ଦୁର୍ଦ୍ଦଶା ନିଜେ ଆଖିରେ ଦେଖି ପତ୍ରପତ୍ରିକାମାନଙ୍କରେ ସେ ସବୁକୁ ବହୁଳ ଭାବରେ ପ୍ରସାରିତ କରିବା ଉଦ୍ଦେଶ୍ୟରେ ସେତେବେଳେ ଓଡ଼ିଶାରେ ଆସି ପହଞ୍ଚିଥାନ୍ତି । ମି: ନାଭିନ୍‍ସନ୍ ଓଡ଼ିଶାରେ ଦୁର୍ଭିକ୍ଷଜନିତ ଯେଉଁ ଦାରୁଣ ଦୂରବସ୍ଥା ଦେଖିଥିଲେ ଏବଂ ସେଥିର ପ୍ରତିକାର ପାଇଁ ନିଜେ ତାଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ଓ ବୃଦ୍ଧ ବୟସ ସତ୍ତ୍ୱେ ମଧୁସୂଦନ ଯେପରି ଲାଗିପଡ଼ିଥିବାର ଦେଖିଥିଲେ, ସେସବୁ ବିଷୟ “New spirit in India” ନାମକ ପୁସ୍ତକରେ ଲିପିବଦ୍ଧ କରିଯାଇଅଛନ୍ତି । ମଧୁସୂଦନଙ୍କର ବିଭିନ୍ନ କାର୍ଯ୍ୟାବଳୀ ସ୍ୱଚକ୍ଷୁରେ ଦେଖି ତାଙ୍କର ସେହି ମହନୀୟ କର୍ମ ପାଇଁ ତାଙ୍କୁ ଅଜସ୍ର ପ୍ରଶଂସା କରି ମି: ନାଭିନ୍‍ସନ୍ ସେହି ପୁସ୍ତକରେ ଲେଖିଛନ୍ତି...

 

‘‘ସେ ନିଜକୁ ଜଣେ ଖ୍ରୀଷ୍ଟଧର୍ମାବଲମ୍ୱୀ ବୋଲି କହୁଥିଲେ । ତାଙ୍କର କାର୍ଯ୍ୟାବଳୀ ଦେଖି କିନ୍ତୁ ମନେହେଉଥିଲା, ସତେ ଯେପରି ସେ ଜଣେ ସାଧାରଣ ରୋମାନ୍ କାଥଲିକ୍, ଆଙ୍ଗ୍ଲିକାନ୍ ବା ନନ୍-କନ୍‍ଫରମିଷ୍ଟ ମତାବଲମ୍ୱୀ ଖ୍ରୀଷ୍ଟିୟାନ ନଥିଲେ । ସେ ଥିଲେ ସ୍ୱୟଂ ଯିଶୁଖ୍ରୀଷ୍ଟଙ୍କ ପରି ସମୁଦାୟ ମାନବିକ ଗୁଣସମ୍ପନ୍ନ ଜଣେ ବ୍ୟକ୍ତି ଏବଂ ଯିଶୁଖ୍ରୀଷ୍ଟଙ୍କ ପରି ସେ ମଧ୍ୟ ଅନ୍ତରରେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ‘ହେ ପରମପିତା ! ସେମାନଙ୍କୁ କ୍ଷମାକର; କାରଣ ସେମାନେ ଯେ କଣ କରୁଛନ୍ତି ସେକଥା ସେମାନେ ନିଜେ ମଧ୍ୟ ବୁଝିପାରୁନାହାନ୍ତି ।’ ନିଜର ଦୁର୍ଦ୍ଦଶାଗ୍ରସ୍ତ ଦେଶବାସୀଙ୍କ ସେବାରେ ସେ ଯେଉଁ ଅତୁଳନୀୟ ମାନବିକତା ଓ ମହାନୁଭବତା ପ୍ରଦର୍ଶନ କରୁଥିଲେ, ତାହା ଫଳରେ ନିଜ ଜୀବଦ୍ଦଶା କାଳରେ ମଧ୍ୟ ସେ ଏକ ଐଶ୍ୱରିକ ବିଭୂତିସମ୍ପନ୍ନ ମହାପୁରୁଷର ମହିମାରେ ମହିମାନ୍ୱିତ ବ୍ୟକ୍ତି ଭାବରେ ଖ୍ୟାତିଲାଭ କରିପାରିଥିଲେ । ଦୁଃସାଧ୍ୟ ଗଳିତ କ୍ଷତି ପୀଡ଼ିତ ଜଣେ ବ୍ୟକ୍ତି ତାଙ୍କୁ ଥରେ ପାହୁଲାଟାଏ ମାଗୁଥିବାର ମୁଁ ଦେଖିଛି । ସେ ଲୋକଟାର ଧାରଣା ଥିଲା, ମଧୁସୂଦନ ନିଜ ହାତରେ ଛୁଇଁ ତାକୁ ଯେଉଁ ପାହୁଲାଟି ଦେବେ, ତାକୁ ତାର କ୍ଷତି ସ୍ଥାନରେ ଥରେ ଲଗାଇଦେଲେ, ତା ଦେହର ସଢ଼ପଚା ଘାଆ ଭଲ ହୋଇଯିବ । ଆଉ ଥରେ ଜଣେ ଲୋକ ଗୋଟାଏ କଂସାରେ କିଛି ପାଣି ଆଣି ତାଙ୍କ ପାଖରେ ଆସି ପହଞ୍ଚିଥିଲା ଓ କଂସା ପାଣିରେ ଥରେ ତାଙ୍କୁ ଆଙ୍ଗୁଠି ବୁଡ଼ାଇ ଦେବାକୁ ଅନୁରୋଧ କରୁଥିବାର ମୁଁ ଦେଖୁଛି । ଲୋକଟି ବାରମ୍ୱାର ମି: ଦାସଙ୍କୁ ବିକଳ ହୋଇ କହୁଥାଏ ଯେ, ସେ କଂସା ପାଣିରେ ଥରେ ଆଙ୍ଗୁଠି ବୁଡ଼ାଇଦେଲେ ତା ସ୍ତ୍ରୀ ମରଣାନ୍ତକ ପ୍ରସବ ଯନ୍ତ୍ରଣାରୁ ରକ୍ଷା ପାଇଯିବ । ସତକୁସତ ମଧୁସୂଦନ କଂସାରେ ଥିବା ପାଣିରେ ତାଙ୍କର ଆଙ୍ଗୁଠିଟାଏ ବୁଡ଼େଇଦେବା ମାତ୍ରେ, ଲୋକଟିର ସ୍ତ୍ରୀ ନିରାପଦରେ ଶିଶୁ ସନ୍ତାନଟିଏ ପ୍ରସବ କରିଥିଲା । ଏପରି ଏକ ମହାପୁରୁଷଙ୍କର ସଂଶ୍ରବରେ ଆସି ମୋର ମନେହେଉଥିଲା, ମୁଁ ସତେ ଅବା ସେହି ପବିତ୍ର ମଧ୍ୟଯୁଗକୁ ଫେରିଯାଇଛି, ଯେତେବେଳେ କି ପବିତ୍ର ଆତ୍ମା, ଶୁଦ୍ଧଚିତ୍ତ ମହାପୁରୁଷମାନଙ୍କର ଶୁଭଚିନ୍ତା ବଳରେ ପ୍ରକୃତିର ନାନା ବୈଚିତ୍ର୍ୟମୟ ଅଘଟଣ ମଧ୍ୟ ସମ୍ଭବପର ହୋଇପାରୁଥିଲା ।’’

 

ମଧୁସୂଦନଙ୍କ ଅଲୌକିକ କ୍ଷମତା ବିଷୟରେ ମି: ନାଭିନ୍‍ସନ୍ ଯେଉଁ ବିଷୟ ସବୁ ଉଲ୍ଲେଖ କରିଯାଇଅଛନ୍ତି, ତାହା ବାସ୍ତବିକ କେତେଦୂର ସତ୍ୟ କିମ୍ୱା ତୁଚ୍ଛ କଳ୍ପନାପ୍ରସୂତ ଏକ ବାହୁଲ୍ୟ ବର୍ଣ୍ଣନା; ତାହା କହି ନୋହିଲେ ବି, ଏକଥା ନିରାଟ ସତ୍ୟ ଯେ, ନିଜର ନିସ୍ୱାର୍ଥପର କାର୍ଯ୍ୟାବଳୀ ନିମନ୍ତେ ମଧୁସୂଦନ ଓଡ଼ିଶାର ସବୁ ଶ୍ରେଣୀର ଲୋକମାନଙ୍କ ଦୃଷ୍ଟିରେ ଏକ ବିଶେଷ ଶ୍ରଦ୍ଧା ଓ ସମ୍ମାନର ଆସନରେ ଅଧିଷ୍ଠିତ ହୋଇପାରିଥିଲେ । ଏହି ସିଦ୍ଧାନ୍ତରେ ବାହୁଲ୍ୟ ବା ବିରୋଧର ତିଳେମାତ୍ର ଅବକାଶ ନାହିଁ ।

 

ଚିନ୍ତାରେ ଓ ଧାରଣାରେ ମଧ୍ୟଯୁଗୀୟ ଭାବଧାରାଠାରୁ ମଧୁସୂଦନ ଥିଲେ ବହୁ ଦୂରରେ; କିନ୍ତୁ ଈଶ୍ୱରଙ୍କ ଅପାର କରୁଣା ଓ ଅନନ୍ତ ବିଭୂତିରେ ତାଙ୍କର ଆସ୍ଥା ଥିଲା ସମ୍ପୂର୍ଣ୍ଣ ଅଚଳ ଆଉ ଅଟଳ । ତାହାରି ଫଳରେ ବ୍ୟକ୍ତିଗତ ତଥା ସାମାଜିକ ପରିସରରେ ବହୁ ଦାରୁଣ ବିପର୍ଯ୍ୟୟ ଓ ଦୁଃଖ-ଦୁର୍ଦ୍ଦଶାକୁ ସେ ସାହସ ଓ ଆନନ୍ଦର ସହିତ ମୁକାବିଲା କରିବାରେ ସମର୍ଥ ହୋଇପାରିଥିଲେ । ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଓ ପ୍ରତିଟି ଉଦ୍ୟମରେ ସେ ନିଜକୁ ଈଶ୍ୱରଙ୍କର ଉଦ୍ଦେଶ୍ୟ ପରିପୂରଣ ଦିଗରେ ଗୋଟିଏ ସାମାନ୍ୟ ଅସ୍ତ୍ର ବୋଲି ବିବେଚନା କରୁଥିଲେ ।

Image

 

(୧୧)

ଓଡ଼ିଆ ଚାଷୀଙ୍କ ପାଇଁ ସଂଗ୍ରାମ

 

1909 ମସିହାରେ ମଧୁସୂଦନ ତୃତୀୟଥର ପାଇଁ ବଙ୍ଗଳା ଲେଜିସଲେଟିଭ କାଉନ୍ସିଲକୁ ସଭ୍ୟରୂପେ ନିର୍ବାଚିତ ହୋଇ 1912 ମସିହାରେ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହେବା ପର୍ଯ୍ୟନ୍ତ ସେହି କାଉନ୍ସିଲର ସଭ୍ୟ ଭାବରେ ରହିଥିଲେ । ଲେଜିସଲେଟିଭ କାଉନ୍ସିଲର ସଭ୍ୟଭାବରେ ମଧୁସୂଦନ ଏହି ତୃତୀୟବାର ନିର୍ବାଚିତ ହୋଇ ଆସିଥିବା ସମୟରେ କାଉନ୍ସିଲରେ ତାଙ୍କର କେତେକ ସ୍ମରଣୀୟ କାର୍ଯ୍ୟାବଳୀ ପାଇଁ ସେ କେବଳ ବଙ୍ଗ ଦେଶରେ ନୁହେଁ, ସାରା ଭାରତୀୟ ବୈଧାନିକ ମହଲରେ ଖ୍ୟାତିଲାଭ କରିପାରିଥିଲେ । ବଙ୍ଗଳା କାଉନ୍ସିଲରେ ସେ ସମୟରେ ଗୃହୀତ ହୋଇ ଯାଇଥିବା ଓଡ଼ିଶା ରୟତ ବିଲ୍‍କୁ କେନ୍ଦ୍ରକରି ଏ ଅବସ୍ଥାର ସୃଷ୍ଟି ହୋଇଥିଲା । ବିଲ୍‍ଟି କାଉନ୍ସିଲରେ ଅଧିକାଂଶ ସଭ୍ୟଙ୍କର ସମର୍ଥନ ଲାଭକରି ଗୃହୀତ ହୋଇଯାଇଥିଲେ ମଧ୍ୟ, ଗଭର୍ଣ୍ଣର ଜେନେରାଲ ଲର୍ଡ଼ ହାଡ଼ିଞ୍ଜଙ୍କର ସ୍ୱୀକୃତି ଲାଭ କରିବା କିନ୍ତୁ ଏହା ପକ୍ଷରେ ସମ୍ଭବପର ହୋଇନଥିଲା-। ମଧୁସୂଦନ ସେ ସମୟକୁ ଓଡ଼ିଶାର କୃଷି ଓ କୃଷକମାନଙ୍କ ସମ୍ପର୍କୀୟ ସମସ୍ୟାମାନଙ୍କରେ ଜଣେ ବିଶେଷଜ୍ଞ ରୂପେ ଖ୍ୟାତିଲାଭ କରି ପାରିଥିବା କାରଣରୁ, ଏକମାତ୍ର ତାଙ୍କରି ଶକ୍ତିଶାଳୀ ବିରୋଧ ଫଳରେ ଲର୍ଡ଼ ହାଡ଼ିଞ୍ଜ ଏହି ବିଲ୍‍କୁ ସ୍ୱୀକୃତି ଦେବାରେ ଶେଷକୁ ପରାଙ୍‍ମୁଖ ହୋଇଥିଲେ-

ମଧୁସୂଦନ ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ ଜନ୍ମ ହୋଇଥିଲେ । ପୁଣି ଜଣେ ବିଦ୍ୱାନ୍ ବ୍ୟକ୍ତି ହିସାବରେ କୃଷି ବା କୃଷକମାନଙ୍କ ସହିତ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ମଧ୍ୟ ନ ଥିଲା । ତଥାପି ଏସବୁ ସତ୍ତ୍ୱେ ସେ କୃଷକମାନଙ୍କର ଉନ୍ନତି ଓ ପ୍ରଗତି ବିଷୟରେ ଅତିମାତ୍ରାରେ ସଚେତନ ଓ ଆଗ୍ରହୀ ଥିଲେ । ଜଣେ ଆଇନଜୀବୀ ହିସାବରେ ଯେପରି, ଜଣେ ରାଜନୈତିକ ବ୍ୟକ୍ତି ହିସାବରେ ମଧ୍ୟ ସେହିପରି, ସେ ସବୁ ସମୟରେ ଓ ସବୁ କ୍ଷେତ୍ରରେ ଓଡ଼ିଶାର କୃଷକକୁଳର ମଙ୍ଗଳ କରିଯାଇଅଛନ୍ତି । ବିହାର-ଓଡ଼ିଶାର କାର୍ଯ୍ୟକାରୀ ଗଭର୍ଣ୍ଣର ସାର୍ ହଗ୍ ମାକ୍‍ଫରସନ ମଧୁସୂଦନଙ୍କର ଚରିତ୍ରର ଏହି ବିଶେଷ ଗୁଣକୁ ଲକ୍ଷ୍ୟକରି ଲେଖିଅଛନ୍ତି—‘‘ମି: ଏମ୍. ଏସ୍. ଦାସଙ୍କର ଅନ୍ତରରେ ଯେଉଁ ଦୁଇଟି ବିଷୟ ପ୍ରତି ବିଶେଷ ଆଗ୍ରହ ଥିଲା, ସେଥିରୁ ଗୋଟିଏ ହେଲା, କୃଷିକାରୀ ରୟତମାନଙ୍କର ଅବସ୍ଥାର ଉନ୍ନତି ସାଧନ ଓ ଅନ୍ୟଟି ହେଲା ସ୍ୱାଧୀନ (ସ୍ୱତନ୍ତ୍ର) ଓଡ଼ିଶା ପ୍ରଦେଶ ଗଠନ ।’’ ସାର୍ ମାକ୍‍ଫରସନ ଏ ବିଷୟରେ ପୁଣି ଲେଖିଛନ୍ତି—‘‘ଯଦିଓ ମି: ଦାସ ଓଡ଼ିଶାର ଅନେକ ରାଜାରାଜୁଡ଼ା ଓ ମୋଗଲବନ୍ଦିର ଅନେକ ଜମିଦାରଙ୍କର ଓକିଲ ଓ ଆଇନ-ପରାମର୍ଶଦାତା ଥିଲେ, ତଥାପି କୃଷକମାନଙ୍କୁ ସମର୍ଥନ କରିବାରେ ଓ ସେମାନଙ୍କ ସ୍ୱାର୍ଥରକ୍ଷା କରିବାରେ ସେ କେବେହେଲେ ତ୍ରୁଟି କରିବାର ଦେଖାଯାଇନାହିଁ । ଅନ୍ୟାନ୍ୟ ବାକ୍ୟବୀର ରାଜନୈତିକ ବ୍ୟକ୍ତିବିଶେଷମାନଙ୍କ ପରି ସେ କେବଳ ପ୍ରଗତିର ପହଳି ଦେବାରେ ବିଶ୍ୱାସ ନକରି ବାସ୍ତବବାଦୀ ଦୃଷ୍ଟିରୁ ଯେଉଁ ସବୁ ନୂତନ ଅର୍ଥନୈତିକ ଚିନ୍ତାଧାରାର ସୂତ୍ରପାତ କରିଥିଲେ, ଗୁଣର ଉତ୍କୃଷ୍ଟତା ଦୃଷ୍ଟିରୁ ତାଙ୍କର ସମସାମୟିକ ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତିମାନଙ୍କଠାରେ ସେସବୁ ଦେଖିବା ସମ୍ପୂର୍ଣ୍ଣ ବିରଳ ଥିଲା ।

ଜମିଦାରବଂଶରେ ଜନ୍ମ ହୋଇଥିଲେ ମଧ୍ୟ ମଧୁସୂଦନ ଥିଲେ ଜମିଦାରି ପ୍ରଥାର ସମ୍ପୂର୍ଣ୍ଣ ବିରୋଧୀ । ଦେଶରୁ ଜମିଦାରୀ ପ୍ରଥାକୁ ବିଲୋପ କରିବା ଲାଗି ସେ ପ୍ରଥମେ ଆହ୍ୱାନ ଦେଇଥିଲେ-। ତାଙ୍କ ମତରେ ଏହି ପ୍ରଥା ଭାରତୀୟ ପରମ୍ପରାର ସମ୍ପୂର୍ଣ୍ଣ ବିରୋଧୀ ଥିଲା ।

ବଙ୍ଗଳା କାଉନ୍ସିଲରେ ଏଣେ ଓଡ଼ିଶା ଟେନାସୀ ବିଲ୍ ଆଲୋଚିତ ହେଉଥିବା ସମୟରେ, ଓଡ଼ିଶାର କୃଷକମାନଙ୍କ ତରଫରୁ ବଙ୍ଗଳାର ଲେପ୍ଟନାଣ୍ଟ ଗଭର୍ଣ୍ଣର ସାର୍ ଉଇଲିଅମ ଡିଉକ୍‍ଙ୍କ ପାଖରେ ଏକ ସ୍ମାରକପତ୍ର ଦାଖଲ କରି ମଧୁସୂଦନ ତହିଁରେ ଓଡ଼ିଶାରେ ଜମିଦାରୀ ପ୍ରଥାର ଅଭ୍ୟୁଦୟ ସମ୍ୱନ୍ଧରେ ସବିଶେଷ ଆଲୋଚନା କରିଥିଲେ । ତହିଁରେ ସେ ନାନାଦି ପ୍ରମାଣ ଓ ଯୁକ୍ତି ଉପସ୍ଥାପିତ କରି ନିଃସନ୍ଦେହଭାବରେ ପ୍ରମାଣିତ କରିଦେଇଥିଲେ ଯେ, ମୋଗଲ ରାଜାମାନଙ୍କ ଶାସନ କାଳରେ ହିଁ ଓଡ଼ିଶାରେ ପ୍ରଥମେ ଏହି ପ୍ରଥାର ପ୍ରଚଳନ ହେଲା । ଏହା ମୂଳତଃ ମୋଗଲ ଶାସକମାନଙ୍କର ସୃଷ୍ଟି ଥିଲା ଏବଂ ସେମାନଙ୍କ ପୂର୍ବରୁ ସାରା ଭାରତବର୍ଷରେ ଏ ପ୍ରଥାର ପ୍ରଚଳନ ଆଦୌ ଦେଖିବାକୁ ମିଳୁ ନଥିଲା । ଏ ଦେଶରେ ଯୁଗେ ଯୁଗେ କୃଷି ଉପଯୋଗୀ ଭୂମି ଉପରେ କୃଷକର ପୂର୍ଣ୍ଣ ଦାବି ଓ ଅଧିକାର ଅବିସମ୍ୱାଦୀ ସତ୍ୟରୂପେ ଗୃହୀତ ହୋଇ ଆସିଅଛି ଏବଂ କୃଷକ ତାହାର ଏହି ଭୂମିଲାଗି ରାଜା ବା ଶାସକଙ୍କୁ ନିୟମିତଭାବରେ କର ଦେଉଥିବା ପର୍ଯ୍ୟନ୍ତ ତାହାର ଏହି ସ୍ୱାର୍ଥରେ କେବେହେଲେ ବାଧା ସୃଷ୍ଟି ହେଉନଥିଲା । ଏ ସମ୍ୱନ୍ଧରେ ମଧୁସୂଦନ ଆମ ଦେଶର ପ୍ରାଚୀନ ସ୍ମୃତିଶାସ୍ତ୍ରରୁ ଗୋଟିଏ ପଙ୍‍କ୍ତି ଉଦ୍ଧାର କରି ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ । ତାହା ହେଲା, ‘‘ସ୍ଥାଣୁଚ୍ଛେଦସ୍ୟ କେଦାରମାହୁ ଶଲ୍ୟବତୋ ମୃଗଃ’’...ଏହାର ଅର୍ଥ, ଶିକାର ଉପରେ ଶିକାରୀର ଅଧିକାର ଯେପରି ଅବିସମ୍ୱାଦିତ, ସେହିପରି କୃଷକ ଯେଉଁ କୃଷିକ୍ଷେତ୍ରକୁ କର୍ଷଣ କରି ଫସଲ ଉପୁଜାଇଥାଏ, ସେହି କ୍ଷେତ୍ର ଓ ସେଥିରେ ଉତ୍ପାଦିତ ହୋଇଥିବା ଶସ୍ୟ ଉପରେ ତାର ଅଧିକାର ମଧ୍ୟ ନିଶ୍ଚିତ ଓ ଅବିସମ୍ୱାଦିତ ।

ମୋଗଲ ରାଜାମାନଙ୍କ ରାଜୁତିକାଳରେ ମଧ୍ୟ ଜମିଦାରମାନେ ରାଜ୍ୟସରକାର ତରଫରୁ ମାମୁଲି ରାଜସ୍ୱ-ଆଦାୟକାରୀରୂପେ ମାତ୍ର ବିବେଚିତ ହେଉଥିଲେ ଏବଂ ସେହି କାମ ପାଇଁ ସେମାନେ ଆଦାୟ କରୁଥିବା ରାଜସ୍ୱର ଏକ ଅଂଶ ପାରିଶ୍ରମିକରୂପେ ପାଉଥିଲେ; କିନ୍ତୁ ରୟତ ବା କୃଷକମାନଙ୍କର ଜମିଭୂମି ଉପରେ ସେମାନଙ୍କର କୌଣସି ଅଧିକାର ନ ଥିଲା । ଜମି ଥିଲା ସବୁବେଳେ କୃଷକମାନଙ୍କର ନିଜସ୍ୱ ସମ୍ପତ୍ତି । ମାତ୍ର 1773 ମସିହାରେ ଇଂରେ ସରକାର ଏ ଦେଶରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନ କରିବା ଫଳରେ ଭାରତବର୍ଷରେ ମଧ୍ୟ-ସ୍ୱତ୍ୱାଧିକାରୀମାନଙ୍କର ସୃଷ୍ଟିହେଲା ଏବଂ ଏହି ମଧ୍ୟ-ସ୍ୱତ୍ୱାଧିକାରୀମାନେ ଏହାପରଠାରୁ ସ୍ଥାୟୀସୂତ୍ରରେ ଜମିଜମା ଉପରେ ନିଜ ନିଜର ଅଧିକାର ସାବ୍ୟସ୍ତ କରିବସିଲେ । ଏହିପରି ଭାବରେ ସ୍ଥାୟୀ ଜମିଦାରୀ ପ୍ରଥା ଏ ଦେଶରେ ପ୍ରଚଳିତ ହେଲା । ପ୍ରକୃତରେ 1803 ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ଏହି ଜମିଦାରୀ ପ୍ରଥାକୁ ଏଠାରେ ଆଂଶିକଭାବରେ ପ୍ରବର୍ତ୍ତନ କରିଥିଲେ ମଧ୍ୟ, ବାସ୍ତବତା ଦୃଷ୍ଟିରୁ ଏହା ସନ୍ତୋଷଜନକଭାବରେ କାର୍ଯ୍ୟକାରୀ ହୋଇପାରିବାରେ ବହୁ ଅସୁବିଧା ଦେଖାଦେଇଥିଲା । ସେହି ଅସୁବିଧା କାରଣରୁ ମାନ୍ଦ୍ରାଜ ସମେତ ଅନ୍ୟ କେତେକ ପ୍ରଦେଶରେ ଏହି ପ୍ରଥାର ପ୍ରଚଳନ କରା ନ ଯାଇ ସେଠାରେ ରୟତୱାରି ପ୍ରଥା ଚାଲୁ ରଖାଯାଇଥିଲା ।

ଜମି ଉପରେ କୃଷକ ବା ରୟତର ସ୍ୱତ୍ୱକୁ ସ୍ୱୀକାର କରିନେଲେ ପ୍ରତ୍ୟେକ କୃଷକ ନିଜର ଜମିଜମା ଉପରେ ପୂର୍ଣ୍ଣତଃ ଅଧିକାରୀ ହୋଇଥାଏ । ତେଣୁ ସେ ନିଜର ଜମିକୁ ନିଜର ସୁଖ ସୁବିଧା ମୁତାବକ ମନଇଚ୍ଛା ବ୍ୟବହାର କରିବାରେ ତେଣିକି ଆଉ କିଛି ଅସୁବିଧା ନଥାଏ । ନିଜର ଇଚ୍ଛା ଅନୁଯାୟୀ ଦରକାରବେଳେ ସେ ନିଜ ଜମି ଅନ୍ୟକୁ ବିକ୍ରିକରି ଦେଇପାରେ ବା ଅନ୍ୟ ସହ ଜମି ଅଦଳବଦଳ ମଧ୍ୟ କରିପାରେ । ଓଡ଼ିଶାରେ କୃଷକମାନଙ୍କର ଆର୍ଥିକ ଆୟର ଏକମାତ୍ର ସୂତ୍ର ଥିଲା କୃଷି । ତେଣୁ ଅଭାବ ଅସୁବିଧାରେ ପଡ଼ିବାବେଳେ ସେମାନେ ସେମାନଙ୍କର ଆୟର ଏକମାତ୍ର ସମ୍ୱଳ ସେହି ଜମିକୁ ବିକ୍ରି, ବନ୍ଧକ, ଦାନ ବା ଅଦଳବଦଳ କରି ସେମାନଙ୍କର ଗୁଜୁରାଣ ମେଣ୍ଟାଉଥିଲେ । ଏସବୁ କ୍ଷେତ୍ରରେ ଯଦି ନିଜର ଜମି ଖର୍ଦ୍ଦି ବିକ୍ରି କ୍ଷମତା ଉପରେ ସେମାନଙ୍କର ପୂର୍ଣ୍ଣ କ୍ଷମତା ନରହେ, ତେବେ ସେପରି କ୍ଷେତ୍ରରେ ସେମାନେ ଲାଭବାନ ହେବା ଦୂରେ ଥାଉ କ୍ଷତିରେ ପଡ଼ିଯିବାଟା ଅତି ନିଶ୍ଚିତ କଥା; ମାତ୍ର 1911 ମସିହାରେ ବିହାର-ଓଡ଼ିଶା କାଉନ୍‍ସିଲରେ ଯେଉଁ ଓଡ଼ିଶା ଟେନାସୀ ବିଲ୍ ପାସ୍‍ ହୋଇଗଲା, ତାହା ଫଳରେ ଓଡ଼ିଶାର ଦରିଦ୍ର କୃଷକକୁଳର ଜମି ଖର୍ଦ୍ଦିବିକ୍ରି କ୍ଷମତାକୁ ଖର୍ବ କରି ଦିଆଗଲା । ନିଜ ଜମି ଅନ୍ୟକୁ ବିକ୍ରି ବା ହସ୍ତାନ୍ତର କରିବା ଆଉ ଆଗଭଳି କୃଷକର ଆପଣା ଇଚ୍ଛା ବା ସୁବିଧା ଉପରେ ନିର୍ଭର ନକରି, ଏଥିଲାଗି ଏହି ବିଲ୍‍ର ବିଭିନ୍ନ ଧାରା, ଉପଧାରାରେ ନାନାଦି ଜଟିଳତା ଓ ବିଧିନିଷେଧର ସୃଷ୍ଟି କରାଗଲା । ଏହି ଆଇନର 13 ନମ୍ୱର ଧାରା ଅନୁଯାୟୀ ଜମିଦାରଙ୍କଠାରୁ ପୂର୍ବ ସ୍ୱୀକୃତି ନ ନେଇ କୌଣସି ଚାଷୀ ନିଜେ ଭୋଗ ଦଖଲ କରୁଥିବା କୌଣସି ଜମି ବା ତାହାର କୌଣସି ଅଂଶକୁ ମଧ୍ୟ ଅନ୍ୟକୁ ବିକ୍ରି କରିପାରିବନାହିଁ ବୋଲି ସ୍ଥିର କରିଦିଆଗଲା । ଯଦି ଏହା କରାଯାଏ, ତେବେ ତାହା ଆଇନାନୁମୋଦିତ ବୋଲି ଗ୍ରହଣ କରାଯିବ ବୋଲି ସ୍ଥିରହେଲା । ପୁଣି ଜମିଦାରଙ୍କଠାରୁ ଏ ଦିଗରେ ସମ୍ମତି ଲାଭ କରିବା ଯେ ଏକ ନିତାନ୍ତ ଦୂରୂହ ବ୍ୟାପାର ଥିଲା, ତାହା ବେଶ୍ ଜଣାଶୁଣା କଥା । କାରଣ ଏପରି ପରିସ୍ଥିତି ଯେଉଁଠାରେ ଉପୁଜୁଥିଲା, ସେ ସବୁ କ୍ଷେତ୍ରରେ ନୂତନ ଜମାବନ୍ଦୀ କରିବା ଲାଗି ଜମିଦାର ଅତି ମାତ୍ରାରେ ଜମାବନ୍ଦି ଖର୍ଚ୍ଚ ଧାର୍ଯ୍ୟ କରି ଦେଉଥିଲେ । ଦରିଦ୍ର କୃଷକ ନିଜର ରୟତି ଜମିକୁ ଉପଯୁକ୍ତ ଦରରେ ଅନ୍ୟକୁ ବିକ୍ରି କରିଦେଇ ନିଜର ସାମୟିକ ଦୁର୍ଦ୍ଦଶାରୁ ରକ୍ଷା ପାଇବାକୁ ଚେଷ୍ଟା ଚଳାଇବା ସମୟରେ ଜମିଦାରର ଜମାବନ୍ଦି ଦାବି ତାକୁ ସେ ଦିଗରେ ପ୍ରତିବନ୍ଧକ ହୋଇ ଠିଆ ହେଉଥିଲା । ଏହି କୌଶଳଦ୍ୱାରା କୃଷକ ଯେପରି ଜମିଦାରର ଗୋଡ଼ାଣିଆ ଲୋକମାନଙ୍କୁ ବା ତାର (ଜମିଦାରର) ସମ୍ପର୍କୀୟ ଲୋକମାନଙ୍କୁ ନାମ ମାତ୍ର ମୂଲ୍ୟରେ ଜମି ବିକ୍ରି କରିବାକୁ ବାଧ୍ୟ ହୁଏ, ତାହାର ଉପାୟ କରିଦିଆଯାଇଥିଲା ।

ରୟତମାନଙ୍କୁ ତଳିତଳାନ୍ତ କରିବା ଲାଗି ଏ ଯେଉଁ ଅନ୍ୟାୟ ଉପାୟ ସବୁ ଖଞ୍ଜାହେଲା, ତାହା ଉପରେ ଆଇନର ଛାପ ମାରିବା ଲାଗି 1911 ମସିହାରେ ଓଡ଼ିଶା କୃଷି ଆଇନ୍ ପ୍ରବର୍ତ୍ତନ କରାଯାଇଥିଲା । ଏହି ବିଲ୍‍ର 14 ନମ୍ୱର ଧାରାରେ ବ୍ୟବସ୍ଥା ରହିଥିଲା ଯେ ଜମି ଖର୍ଦ୍ଦି-ବିକ୍ରି କରାଯିବା ସମୟରେ ଜମିଦାରମାନେ ଦୁଇଟଙ୍କାରୁ ପଚିଶ ଟଙ୍କା ପର୍ଯ୍ୟନ୍ତ ଜମାବନ୍ଦି ଖର୍ଚ୍ଚ ନେଇ ନୂତନ କ୍ରେତାଙ୍କ ନାମରେ ଜମି ରେକର୍ଡ଼ କରିପାରିବେ । ରୟତମାନଙ୍କଠାରୁ ଏହି ଆର୍ଥିକ ଫାଇଦା ଉଠାଇବା ପରେ ମଧ୍ୟ ସେମାନଙ୍କ ଉପରେ ନାନାଦି ନୂତନ ଅସୁବିଧା ଚାପି ଦିଆଯାଇଥିଲା । ବର୍ତ୍ତମାନ ରୟତମାନେ ଯେଉଁ ଅସୁବିଧାରେ ପଡ଼ିଲେ, ସେପରି ଅସୁବିଧାଜନକ ପରିସ୍ଥିତିରେ ସେମାନେ ପୂର୍ବରୁ କେବେହେଲେ ପଡ଼ି ନଥିଲେ । ସେମାନଙ୍କୁ ଅସୁବିଧାରେ ପକାଇବାକୁ ଓଡ଼ିଶାରେ ଏ ଯେଉଁ ଆଇନ ସବୁ ଗଢ଼ାଯାଉଥିଲା, ସେ ସବୁ ବଙ୍ଗଳା ଦେଶର ରୟତି ଆଇନରୁ ଆସିଥିଲା; କିନ୍ତୁ ଓଡ଼ିଶାର ଆଞ୍ଚଳିକ ପରିସ୍ଥିତିରେ ବଙ୍ଗଳା ଦେଶର ଆଇନଗୁଡ଼ିକ ଠିକ୍‍ରୂପେ ଖାପ ଖାଇପାରୁ ନ ଥିଲା । ଏହି ବିଲ୍‍କୁ ବିରୋଧକରି ମଧୁସୂଦନ କଲିକତାର ‘ଷ୍ଟେଟ୍ସମାନ’ ସମ୍ୱାଦପତ୍ରକୁ ଖଣ୍ଡିଏ ପତ୍ର ଲେଖିଥିଲେ ଏବଂ ତାହା 1912 ମସିହା ନଭେମ୍ୱର ମାସ ତା 13 ରିଖ ସଂଖ୍ୟା ଷ୍ଟେଟ୍ସମାନ ପତ୍ରିକାର ‘ସମ୍ପାଦକଙ୍କୁ ପତ୍ର’ ସ୍ତମ୍ଭରେ ନିମ୍ନମତେ ପ୍ରକାଶ ପାଇଥିଲା:

ବଙ୍ଗଳା ଡିଭିଜନ୍‍ର ଅର୍ଥନୈତିକ ଓ କୃଷି ସମ୍ପର୍କୀୟ ଇତିହାସରେ ଓଡ଼ିଶାର ସ୍ଥାନ ହେଉଛି ସବୁଠାରୁ ସ୍ୱତନ୍ତ୍ର । ଏଠା ପରିସ୍ଥିତି ସାରା ବଙ୍ଗଳା ଡିଭିଜନର ପରିସ୍ଥିତିଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର-। ବଙ୍ଗଳାର ନିଜସ୍ୱ ରୟତି ଆଇନ ଖୋଦ୍ ବଙ୍ଗଦେଶରେ ପ୍ରଚଳିତ ହେବାରେ ଅନୁପଯୁକ୍ତ ବୋଲି ବିବେଚିତ ହୋଇଥିଲେ ମଧ୍ୟ, ଆଶ୍ଚର୍ଯ୍ୟର ବିଷୟ ସେହି ଆଇନର ଅନୁକରଣରେ ଓଡ଼ିଶାର ଭୂ-ରାଜସ୍ୱ ଆଇନ ଗଢ଼ାଯାଇଥିଲା । ତେଣୁ ଏହା ନିତାନ୍ତ ପରିଷ୍କାର କଥା ଯେ ଏପରି ଏକ ଦୋଷଦୁଷ୍ଟ ବାହାରିଆ ଆଇନ ଓଡ଼ିଶାରେ ପ୍ରୟୋଗ କରାଗଲେ, ତା ଫଳରେ କୃଷି ସମ୍ପର୍କୀୟ ବ୍ୟାପାରମାନଙ୍କରେ ପୂର୍ବରୁ ଯେଉଁ ସମସ୍ତ ଯୋଗ ସମ୍ପର୍କ ବା ରୀତିନୀତି ରହି ଆସିଅଛି, ସେ ସବୁ ବିଗିଡ଼ିଯିବ ଓ ଏକ ବିରାଟ ବିଶୃଙ୍ଖଳାର ସୃଷ୍ଟି ହେବ । ତେଣୁ ଗୋଟାଏ ବେନିୟମ କାମକୁ ନିୟମାନୁମୋଦିତ କରିବାକୁ ଚେଷ୍ଟାକରିବା ଯାହା, ଏ ବିଲ୍‍କୁ ଗ୍ରହଣକରିବା ତାହା ।

କାଉନ୍ସିଲ ଭିତରେ ତଥା ସମ୍ୱାଦପତ୍ରମାନଙ୍କ ମାଧ୍ୟମରେ ମଧୁସୂଦନ ଏହି ବିଲ୍‍ଟିକୁ ଯେତେ ବିରୋଧକଲେ ମଧ୍ୟ, ସିଲେକ୍ଟ କମିଟିରୁ ଫେରିବାପରେ ଦେଖାଗଲା ଯେ ମୂଳ ବିଲ୍‍ଟି ଠିକ୍ ଅପରିବର୍ତ୍ତିତ ଅବସ୍ଥାରେ ଫେରିଆସିଛି । ସିଲେକ୍ଟ କମିଟି ରିପୋର୍ଟ ପ୍ରତି ନିଜର ବିରୋଧ ଜଣାଇ ଏକ ପତ୍ର ମାଧ୍ୟମରେ ମଧୁସୂଦନ ଜଣାଇ ଦେଇଥିଲେ ଯେ, ଓଡ଼ିଶାର ସାମାଜିକ ପରିବେଶ ଓ ଏଠାର କୃଷିଜୀବୀ ରୟତମାନଙ୍କ ପ୍ରକୃତ ଅବସ୍ଥା ବିଷୟରେ ଅବଗତ ନ ହୋଇ, ପୁଣି ବଙ୍ଗଳା ରୟତି ଆଇନ୍ ଓଡ଼ିଶାର ପରିବେଶରେ ପ୍ରଯୁକ୍ତ ବେହାର ଅନୁପଯୋଗିତା ସମ୍ୱନ୍ଧରେ ବିଗତ ଶତାବ୍ଦୀର ଅଷ୍ଟମ ଦଶକରେ ସ୍ଥାନୀୟ ଅଧିବାସୀ ଓ ଆଞ୍ଚଳିକ ସରକାରୀ କର୍ମକର୍ତ୍ତାମାନେ ଯେଉଁ ନିର୍ଦ୍ଦିଷ୍ଟ ମତାମତ ଦେଇଥିଲେ, ସେ ସମସ୍ତକୁ ଉପେକ୍ଷା କରି ଏହି ଉପସ୍ଥିତ ଆଇନ ସମ୍ପର୍କୀୟ ବିଲ୍‍ଟି ଆଗତ କରାଯାଇଅଛି ।

ଓଡ଼ିଶାର କୃଷକମାନଙ୍କ ଭାଗ୍ୟ ବଙ୍ଗଳା ଲେଜିସଲେଟିଭ କାଉନ୍ସିଲରେ ଏହିପରି ସୂତା ଖଣ୍ଡିକରେ ଝୁଲୁଥିବାବେଳେ ତେଣେ ଭାରତ ସରକାରଙ୍କ ପକ୍ଷରୁ ବଙ୍ଗଭଙ୍ଗ ଆଇନକୁ ବାତିଲ କରି ଓ ବଙ୍ଗଳା ଡିଭିଜନ୍‍ରୁ ବିହାର-ଓଡ଼ିଶାକୁ ଅଲଗାକରି ଆଣି ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନକରିବା ସମ୍ପର୍କରେ ଭାରତ ସରକାରଙ୍କର ଘୋଷଣା ପ୍ରକାଶ ପାଇଲା । ତେଣୁ ନିକଟ ଭବିଷ୍ୟତରେ ବିହାର-ଓଡ଼ିଶା ପ୍ରଦେଶ ନିମନ୍ତେ ଗୋଟିଏ ଅଲଗା କାଉନ୍ସିଲ ଗଠିତହେବାକୁ ଯାଉଥିବା ଦୃଷ୍ଟିରୁ ଉପସ୍ଥିତ ‘ଓଡ଼ିଶା ରୟତି ଆଇନ’ ସମ୍ପର୍କୀୟ ବିଲ୍‍ଟିକୁ ତରବରିଆ ଭାବରେ ବଙ୍ଗଳା ଲେଜିସଲେଟିଭ କାଉନ୍ସିଲରେ ଗୃହୀତ କରାଇନେବାର କୌଣସି ଉପଯୋଗିତା ନାହିଁ ବୋଲି ମଧୁସୂଦନ ମତ ଦେଇଥିଲେ । ପୁଣି ଏହି ବିଲ୍‍ଟି ଆଇନରେ ପରିଣତ ହେବା ପରେ ଏହି ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ବିହାର-ଓଡ଼ିଶା ସରକାରଙ୍କ ହାତକୁ ଆସିବା ନିଶ୍ଚିତଥିବା ଦୃଷ୍ଟିରୁ ବିହାର ଓଡ଼ିଶା ପ୍ରଦେଶର କାଉନ୍ସିଲ୍ ଏହାର ମୀମାଂସା କରିବା ଅଧିକ ଯୁକ୍ତିଯୁକ୍ତି ହେବ ବୋଲି ମଧୁସୂଦନ ବଙ୍ଗଳା ଲେଜିସଲେଟିଭ୍ କାଉନ୍ସିଲରେ ଯୁକ୍ତି ବାଢ଼ିଥିଲେ ।

ଏହି ବିଲ୍‍ଟି କାଉନ୍ସିଲରେ ଉପସ୍ଥାପିତ ହେବା ଦିନଠାରୁ ଏପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ମଧୁସୂଦନ ଏହାକୁ ଦୃଢ଼ ବିରୋଧ କରି ଆସିଥିଲେ ମଧ୍ୟ ଶେଷରେ ବଡ଼ ବଡ଼ ଯେଉଁ ବଙ୍ଗୀୟ ଜମିଦାରମାନଙ୍କର ଓଡ଼ିଶାରେ ବହୁତ ଜମିଦାରୀ ଥିଲା, ସେହିମାନଙ୍କ ଉଦ୍ୟମରେ ଏହା 1912 ମସିହା ମାର୍ଚ୍ଚ ମାସ ତା 27 ରିଖ ଦିନ ଆଇନରେ ପରିଣତ ହୋଇଗଲା; କିନ୍ତୁ ଆଗାମୀ 1912 ମସିହା ଅପ୍ରେଲ ପହିଲା ତାରିଖରେ ନୂତନ ବିହାର ଓଡ଼ିଶା ପ୍ରଦେଶ ଜନ୍ମ ନେଉଥିବା ଦୃଷ୍ଟିରୁ ଗଭର୍ଣ୍ଣର ଜେନେରାଲ ଓଡ଼ିଶା ରୟତମାନଙ୍କ ବ୍ୟାପାର ସମ୍ପର୍କୀୟ ଏହି ବିଲ୍‍ଟିକୁ ସ୍ୱୀକୃତିଦେବା ସ୍ଥଗିତ ରଖିଦେଲେ ।

କାଉନ୍ସିଲରେ ଗୃହୀତ ହୋଇଥିବା ବିଲ୍ ଆଇନରେ ପରିଣତ ହେବାରେ ଏପରି ଅସ୍ୱାଭାବିକ ପରିସ୍ଥିତି ଏହା ପୂର୍ବରୁ କେବେ ଦେଖା ନଥିଲା । ଭାଇସ୍‍ରାୟ ଲର୍ଡ଼ ହାର୍ଡ଼ିଞ୍ଜ ତାଙ୍କର ସ୍ମୃତି-ଗ୍ରନ୍ଥରେ ଏ ବିଷୟରେ ନିମ୍ନମତେ ଉଲ୍ଲେଖ କରିଯାଇଅଛନ୍ତି ।

‘‘ମୁଁ କଲିକତା ଛାଡ଼ିବାର ଅବ୍ୟବହିତ ପୂର୍ବରୁ ଗୋଟାଏ ବଡ଼ ଅସୁନ୍ଦର—ଆଉ ଅସ୍ୱାଭାବିକ ପରିସ୍ଥିତିର ସୃଷ୍ଟି ହୋଇଗଲା । ମୋ ଗାଡ଼ି ଆସି ଦାଣ୍ଡରେ ଠିଆ ହୋଇଥାଏ, ସେଠାରେ ଉପସ୍ଥିତ ଥିବା ମୋ ବନ୍ଧୁମାନଙ୍କଠାରୁ ମୁଁ ବିଦାୟ ଗ୍ରହଣ କରୁଥାଏ । ଠିକ୍ ଏତିକିବେଳେ ବଙ୍ଗଳାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପୂର୍ବଦିନ ବଙ୍ଗ ଲେଜିସଲେଟିଭ କାଉନ୍ସିଲରେ ଗୃହୀତ ହୋଇଯାଇଥିବା ଓଡ଼ିଶା ଟେନାସି ଓ ମାଇନିଂ ବିଲ୍‍କୁ ଧରି ମୋର ସ୍ୱୀକୃତି ନେବାଲାଗି ମୋ ପାଖରେ ଆସି ପହଞ୍ଚିଥିଲେ । ସେତେବେଳକୁ ବଙ୍ଗଳା ଡିଭିଜନରୁ ଅଲଗା ହୋଇ ନୂତନ ଗଠିତ ହେବାକୁ ଯାଉଥିବା ବିହାର-ଓଡ଼ିଶା ପ୍ରଦେଶ ସହିତ ସାମିଲ ହେବାକୁ ଆଉ ଦିନ ଚାରିଟା ମାତ୍ର ବାକି ଥାଏ । ବଙ୍ଗୀୟ ଜମିଦାରମାନଙ୍କର ଓଡ଼ିଶାରେ ଥିବା ଜମିଦାରୀ ସ୍ୱାର୍ଥ ବିଷୟରେ ଆଗରୁ ମୁଁ ବେଶ୍ ଭଲଭାବରେ ଜାଣିଥାଏ । ସେହିମାନଙ୍କ ସ୍ୱାର୍ଥପୂରଣ ଦିଗରେ ସହାୟକ ଏହି ବିଲ୍‍ଟିକୁ ତେଣୁ ସେହିମାନଙ୍କ ଚେଷ୍ଟାରେ ଆଗାମୀ ପ୍ରାଦେଶିକ ସୀମା ଅଦଳବଦଳ ଘଟିବାର ଅବ୍ୟବହିତ ପୂର୍ବରୁ ତରବରିଆ ଭାବରେ ବଙ୍ଗଳା ଲେଜିସଲେଟିଭ କାଉନ୍ସିଲରେ ପାସ୍ କରାଇ ଦିଆଯାଇଅଛି ବୋଲି ମୁଁ ସହଜରେ ଧରିନେଇ ପାରିଥିଲି । ଯାହାହେଉ କୌଣସି ବିଷୟରେ ପୂର୍ବରୁ ଭଲଭାବରେ ନ ବୁଝି ନ ସୁଝି, ମୁଁ ସେ ବିଷୟରେ ମୋର ସ୍ୱୀକୃତି ଦେବାର ଘୋର ବିରୋଧୀ ଥିଲି । ତା’ ଛଡ଼ା ପୂର୍ବରୁ ଉଲ୍ଲେଖ କରାଯାଇଥିବା ଅସୁବିଧାଟା ବି ରହିଥିଲା । ତେଣୁ ମୋର ପରାମର୍ଶଦାତାମାନଙ୍କ ସହିତ ପରାମର୍ଶ କରି ମୁଁ ଏ ବିଲରେ ମୋ ସ୍ୱୀକୃତି ଦେବାକୁ ମନାକରି ଦେଇଥିଲି । ବିଗତ ବହୁବର୍ଷ ଧରି କୌଣସି ଭାଇସ୍‍ରାୟ କେବେହେଲେ ଏହିପରି କୌଣସି ବିଲ୍‍କୁ ସ୍ୱୀକୃତି ଦେବାକୁ ଅସ୍ୱୀକାର କରିଦେଇଥିବା ଘଟଣା କେବେ ଶୁଣା ନ ଥିଲା ।’’*

ଭାଇସ୍‍ରାୟଙ୍କଠାରୁ ସ୍ୱୀକୃତି ନ ପାଇବା ଫଳରେ ବିଲ୍‍ଟି ସେହିଠାରେ ଅଟକ ରହିଗଲା-। ବିହାର-ଓଡ଼ିଶା କାଉନ୍ସିଲରେ ଏହାର ଶେଷ ମୀମାଂସା ହେବା ଶେଷରେ ସ୍ଥିରହେଲା । ଓଡ଼ିଶାର ରୟତମାନଙ୍କ ପ୍ରତି ଏହାଦ୍ୱାରା ଯେପରି କ୍ଷତି ନ ଘଟେ ବା ଏହାଦ୍ୱାରା ସେମାନଙ୍କର ସ୍ୱାର୍ଥରେ ଯେପରି ବାଧା ନ ଆସେ, ସେଥିଲାଗି ମଧୁସୂଦନଙ୍କର ଦୀର୍ଘଦିନର ଉଦ୍ୟମ ଏହିପରି ଭାବରେ ସଫଳ ହୋଇଥିଲା ।

* My Indian Years by Hardinge of Penhurst, pp.68-69

Image

 

(୧୨)

ଓଡ଼ିଶା ପୁଣି ଥରେ ବଳି ପଡ଼ିଲା

 

ସମୟର ସୁଦୀର୍ଘ ବ୍ୟବଧାନ ଆଜି ଲର୍ଡ଼ ହାର୍ଡ଼ିଞ୍ଜ ଓ ଲର୍ଡ଼ କର୍ଜ୍ଜନ୍‍ଙ୍କ ସ୍ମୃତି ଭାରତବାସୀଙ୍କ ମନରୁ ଏକ ପ୍ରକାର ନିଶ୍ଚିହ୍ନ କରିଦେବାପରେ, ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ହୁଏତ ଶ୍ରଦ୍ଧା ବା ବିଦ୍ୱେଷଭାବ ଥିଲା ଏବଂ ଲର୍ଡ଼ କର୍ଜ୍ଜନ୍‍ଙ୍କ ପ୍ରତି ଲର୍ଡ଼ ହାର୍ଡ଼ିଞ୍ଜ ପ୍ରକୃତରେ ଏକ ଅସୂୟାପରବଶ ମନୋବୃତ୍ତି ପୋଷଣ କରୁଥିଲେ କି ନାହିଁ, ତାହାର ସତ୍ୟାସତ୍ୟ ଉପରେ ବିଚାର ଆଲୋଚନା କରିବା ନିତାନ୍ତ ନିରର୍ଥକ ମନେହୁଏ; କିନ୍ତୁ ପେନ୍‍ହର୍‍ଷ୍ଟର ଲର୍ଡ଼ ହାର୍ଡ଼ିଞ୍ଜ ତାଙ୍କର ସ୍ମୃତିଗ୍ରନ୍ଥରେ କେଡ଼ଲଷ୍ଟନ୍‍ର ଅର୍ଲ କର୍ଜ୍ଜନ୍‍ଙ୍କ ସମ୍ୱନ୍ଧରେ ଯାହା ଉଲ୍ଲେଖ କରିଅଛନ୍ତି, ତାହା ପାଠକଲେ ମନେହୁଏ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ଅନ୍ତରର ସଂଗୁପ୍ତ କ୍ରୋଧ ତାଙ୍କର ଲେଖନୀ ମୁନରେ ସେଥିରେ ପରିଷ୍କାର ଭାବରେ ପ୍ରକାଶ କରାଯାଇଅଛି । ସେ ଲେଖିଥିଲେ :

 

‘‘ସାଙ୍ଗ-ସୁଖ ମହଲରେ ଯେତେବେଳେ କର୍ଜ୍ଜନ୍‍ଙ୍କ କଥା ପଡ଼େ, ସେତେବେଳେ ମୁଁ ବରାବର କହେ ଯେ, କର୍ଜ୍ଜନ୍‍ଙ୍କ ଭିତରେ ଦୁଇଟା ପରସ୍ପରର ବିପରୀତ ଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ଲୁଚି ରହିଥିଲା । ବିଭିନ୍ନ ପାରିପାର୍ଶ୍ୱିକ ଓ ପରିସ୍ଥିତିରେ ସେ ଦୁଇଟା ଗୁଣ ବିଭିନ୍ନ ରୂପରେ ପରିପ୍ରକାଶ ଘଟୁଥିଲା । ସମୟେ ସମୟେ ତାଙ୍କୁ ଦେଖିଲେ, ତାଙ୍କ ସହିତ କଥାବାର୍ତ୍ତା କଲେ, କନେହେଉଥିଲା, ସେ ହେଉଛନ୍ତି ଜଣେ ଆମୋଦପ୍ରିୟ, ଚତୁର, ଆନନ୍ଦମନା, ମିଷ୍ଟାଳାପୀ ଭଦ୍ରଲୋକ; କିନ୍ତୁ ଅନ୍ୟ ସମୟରେ ସେ ଜଣେ ଅତି ନିଷ୍ଠୁର, କର୍କଶ ସ୍ୱଭାବ, କ୍ଷମାହୀନ ବ୍ୟକ୍ତି ବୋଲି ଜଣାପଡ଼ୁଥିଲେ । ତାଙ୍କର ଏହି କର୍କଶ ସ୍ୱଭାବ ଯେ ଦେଖିଥିବ, ତା’ ମନରେ ନିଶ୍ଚୟ ତାଙ୍କ ପ୍ରତି ଗୋଟାଏ ଘୃଣାଭାବ ଜାଗରିତ ହୋଇଥିବ ।’’*

 

*‘Old Diplomacy’ by Hardinge of Penhurst, pp, 244

 

ଲର୍ଡ଼ କର୍ଜ୍ଜନ୍‍ ଭାଇସ୍‍ରାୟ ଥିବା ସମୟରେ ଭାରତରେ ଯାହା ଯାହା ଉନ୍ନତିମୂଳକ କାର୍ଯ୍ୟ ସବୁ କରିଥିଲେ, ହୁଏତ ସେହି ବ୍ୟକ୍ତିଗତ ବିଦ୍ୱେଷ କାରଣରୁ ଲର୍ଡ଼ ହାର୍ଡ଼ିଞ୍ଜ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସବୁର ବିଲୋପ ସାଧନ କରିଥିଲେ ବୋଲି ମନରେ ସ୍ୱତଃ ସନ୍ଦେହ ଦେଖାଦିଏ । ଘଟଣାବଳୀର ବିଶ୍ଲେଷଣରୁ କିନ୍ତୁ ଶେଷରେ ମନରେ ଦୃଢ଼ଧାରଣା ଜନ୍ମେ ଯେ, ଏହି ବିଦ୍ୱେଷ କାରଣରୁ ହିଁ ପ୍ରକୃତରେ ଲର୍ଡ଼ ହାର୍ଡ଼ିଞ୍ଜ ଲର୍ଡ଼ କର୍ଜ୍ଜନ୍‍ଙ୍କର ପ୍ରତ୍ୟେକ ପ୍ରଗତିକାମୀ ଯୋଜନାର ବିରୋଧ କରିଥିଲେ । କଲିକତା ସହର କର୍ଜ୍ଜନ୍‍ଙ୍କର ଅତି ପ୍ରିୟ ସହର ଥିଲା । ସେଥିପାଇଁ ସେ ଏହି କଲିକତାକୁ ଭାରତର ରାଜଧାନୀ କରିଥିଲେ; କିନ୍ତୁ ହାର୍ଡ଼ିଞ୍ଜ ସେହି କଲିକତାରୁ ଭାରତର ରାଜଧାନୀକୁ ଉଠାଇନେଇଥିଲେ ମୋଗଲ ରାଜତ୍ୱର କବରଭୂମି ଦିଲ୍ଲୀ ନଗରୀକୁ । କେବଳ ସେତିକି ନୁହେଁ; ଲର୍ଡ଼ କର୍ଜ୍ଜନ୍ ଯେଉଁ ବଙ୍ଗଭଙ୍ଗ ଆଇନ ପ୍ରଣୟନ କରିଥିଲେ, ହାର୍ଡ଼ିଞ୍ଜ ମଧ୍ୟ ସେଇ ଆଇନକୁ ବାତିଲ କରି ଦେଇଥିଲେ । ବଙ୍ଗଭଙ୍ଗ ଆଇନକୁ ଉଠାଇନେବା କାରଣରୁ ବଙ୍ଗବାସୀମାନେ ହାର୍ଡ଼ିଞ୍ଜଙ୍କ କାର୍ଯ୍ୟକଳାପକୁ ବିଶେଷ ପସନ୍ଦ କରିଥିଲେ ମଧ୍ୟ, କଲିକତାର ଗୌରବକୁ କ୍ଷୂଣ୍ଣକରି ଦିଲ୍ଲୀକୁ ରାଜଧାନୀ ଉଠାଇନେଇଥିବା କାରଣରୁ ସେମାନେ ତାଙ୍କ ପ୍ରତି ବିଶେଷ ଅସନ୍ତୁଷ୍ଟ ହୋଇପଡ଼ିଥିଲେ । କଲିକତାରେ ଲର୍ଡ଼ କର୍ଜ୍ଜନ ‘ଭିକ୍ଟୋରିଆ ମେମୋରିଆଲ୍’ର ନିର୍ମାଣ କରାଇଥିଲେ । ତାହାକୁ ମଧ୍ୟ ହାର୍ଡ଼ିଞ୍ଜ ଶୁଭ ଦୃଷ୍ଟିରେ ଦେଖିପାରି ନଥିଲେ । ସେ କହୁଥିଲେ ଯେ କଲିକତାରେ ତିଆରି ହୋଇଥିବା ଭିକ୍ଟୋରିଆ ମେମୋରିଆଲ ରାଣୀ ଭିକ୍ଟୋରିଆଙ୍କ ସ୍ମୃତିରକ୍ଷା ଲାଗି ଯେତେ ଉଦ୍ଦିଷ୍ଟ ନଥିଲା, ଲର୍ଡ଼ କର୍ଜ୍ଜନ୍‍ଙ୍କ ସ୍ମୃତି ଜାଗରୁକ କରିବା ତାହାର ତତୋଽଧିକ ଉଦ୍ଦେଶ୍ୟ ଥିଲା । ପୁଣି କର୍ଜ୍ଜନ୍‍ ଓଡ଼ିଆଭାଷାଭାଷୀ ସମସ୍ତ ବିଚ୍ଛିନ୍ନ ଅଞ୍ଚଳକୁ ଏକଶାସନାଧୀନ କରିବାର ପକ୍ଷପାତୀ ଥିବା ଦୃଷ୍ଟିରୁ, ଲର୍ଡ଼ ହାର୍ଡ଼ିଞ୍ଜ ଓଡ଼ିଶାବାସୀଙ୍କର ଆଶା-ଆକାଂକ୍ଷାକୁ ଧୂଳିସାତ୍ କରିବାକୁ ବଦ୍ଧପରିକର ହୋଇପଡ଼ିଥିଲେ । ସେହି କାରଣରୁ ବୋଧହୁଏ କୌଣସି ଯଥାର୍ଥ ଯୁକ୍ତି ବା କାରଣ ନଥିଲେ ମଧ୍ୟ ହାର୍ଡ଼ିଞ୍ଜ ଓଡ଼ିଶାକୁ ବିହାର ପ୍ରଦେଶ ସହିତ ସଂଯୁକ୍ତ କରି ଗୋଟାଏ ନୂତନ ବିହାର-ଓଡ଼ିଶା ପ୍ରଦେଶ ଗଠନ କରିଦେଲେ । ଏହାଦ୍ୱାରା ସେ ଓଡ଼ିଶାବାସୀଙ୍କର ଘୋର କ୍ଷତି ସାଧନ କରିଥିଲେ ।

 

1911 ମସିହା ଅଗଷ୍ଟ ମାସ 25 ତାରିଖରେ ଲର୍ଡ଼ ହାର୍ଡ଼ିଞ୍ଜ ବିଲାତରେ ଥିବା ଭାରତ-ବିଭାଗ ସେକ୍ରେଟେରୀଙ୍କ ପାଖକୁ ଅଭିଷେକ-ଦରବାର ସମ୍ପର୍କରେ ଯେଉଁ ବାର୍ତ୍ତା ପଠାଇଥିଲେ, ସେଥିରେ ସେ ବଙ୍ଗଭଙ୍ଗ ଆଇନକୁ ବାତିଲ କରିଦେବାକୁ, ଛୋଟ ନାଗପୁରକୁ ମିଶାଇ ନୂତନ ବିହାର-ଓଡ଼ିଶା ପ୍ରଦେଶ ଗଠନ କରିବାକୁ ଓ ଆସାମକୁ ଚିଫ୍‍କମିଶନର ଶାସିତ ରାଜ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଲର୍ଡ଼ କର୍ଜ୍ଜନ୍‍ ଭାରତରେ ଭାଇସ୍‍ରାୟ ଥିବା ସମୟରେ ଯେଉଁ ରିସଲେ-ସର୍କୁଲାର ପ୍ରଣୀତ ହୋଇଥିଲା, ତହିଁରେ ନିର୍ଦ୍ଦିଷ୍ଟ କରି ଦିଆଯାଇଥିଲା ଯେ, ଭାରତର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କର ଜାତି ବା ଶ୍ରେଣୀ ବିଭାଗ ପ୍ରତି ଦୃଷ୍ଟି ନ ଦେଇ, ସେମାନେ ବ୍ୟବହାର କରୁଥିବା ଭାଷାଭିତ୍ତିରେ ଭାରତର ପ୍ରାଦେଶିକ ସୀମାଗୁଡ଼ିକୁ ପୁନନିର୍ଦ୍ଧାରଣ କରିବାକୁ ହେବ । ଭାଷାଭିତ୍ତିରେ ପ୍ରଦେଶ ଗଠନ ସମ୍ପର୍କୀୟ ସିଦ୍ଧାନ୍ତ ଲର୍ଡ଼ କର୍ଜ୍ଜନ୍‍ଙ୍କ ଦ୍ୱାରା ଗୃହୀତ ହୋଇଥିବାରୁ ସ୍ୱାଭାବିକ ରୀତିରେ ଲର୍ଡ଼ ହାର୍ଡ଼ିଞ୍ଜ ଏହାର ମଧ୍ୟ ଘୋର ବିରୋଧ କରିଥିଲେ । ତେଣୁ ଏ ସମ୍ପର୍କରେ ତାଙ୍କର ପରିବର୍ତ୍ତିତ ମତାମତ ଜଣାଇ ହାର୍ଡ଼ିଞ୍ଜ ଭାରତ-ବିଭାଗ ସେକ୍ରେଟେରୀଙକୁ ଲେଖି ଜଣାଇଦେଲେ କି (1) ଶାସନଗତ ସୁବିଧା (2) ସ୍ଥାନୀୟ ଅଧିବାସୀମାନଙ୍କର ଇଚ୍ଛା ଏବଂ ସର୍ବୋପରି (3) ରାଜନୈତିକ ଓ ଶାସନଗତ ନୀତି ବିଚାରରୁ ବିଭିନ୍ନ ପ୍ରଦେଶଗୁଡ଼ିକର ସୀମା ନିର୍ଦ୍ଧାରିତ ହେବା ଉଚିତ । ଯଦିଓ ଏହି ବାର୍ତ୍ତାରେ ଲର୍ଡ଼ ହାର୍ଡ଼ିଞ୍ଜ ଭାଷାଭିତ୍ତିରେ ପ୍ରଦେଶ ଗଠନ ପ୍ରସ୍ତାବକୁ ବିରୋଧ କରିଥିଲେ, ତଥାପି ଠିକ୍ ସେହି ବିଚାରରେ ସେ ସ୍ୱତନ୍ତ୍ର ବିହାର ପ୍ରଦେଶ ଗଠନ କରିଥିଲେ । ବଙ୍ଗଳା ପ୍ରେସିଡ଼େନ୍ସିର ହିନ୍ଦୀଭାଷୀ ଲୋକମାନଙ୍କର ଦାବି ପୂରଣ ଲାଗି ଯେ ବିହାର ପ୍ରଦେଶ ସେତେବେଳେ ଗଠିତ ହୋଇଥିଲା, ଏହା ଜଣାଶୁଣା କଥା । ପୂର୍ବ ଓ ପଶ୍ଚିମ ଉଭୟ ବଙ୍ଗଳାରେ ଏକ ବଙ୍ଗାଳୀ ଜାତିର ଲୋକେ ବାସ କରୁଥିଲେ । ସେମାନେ ସମସ୍ତେ ଏକ ଶ୍ରେଣୀର ଲୋକ ଥିଲେ ଓ ଏକ ଭାଷା ବ୍ୟବହାର କରୁଥିଲେ-। ସେ ଦୃଷ୍ଟିରୁ ହାର୍ଡ଼ିଞ୍ଜ ବଙ୍ଗଭଙ୍ଗ ପ୍ରସ୍ତାବକୁ ନାକଚ କରିଦେଇଥିଲେ । ଅଭିଷେକ-ଦରବାର ସମ୍ପର୍କୀୟ ଯେଉଁ ବିବରଣୀ ଭାରତ-ବିଭାଗ ସେକ୍ରେଟେରୀଙ୍କ ପାଖକୁ ପଠାଯାଇଥିବା କଥା ଉପରେ କୁହାଯାଇଛି, ସେହି ବିବରଣୀର 19ଶ ଅନୁଚ୍ଛେଦରେ ସ୍ୱତନ୍ତ୍ର ବିହାର ପ୍ରଦେଶ ଗଠନ ପ୍ରସ୍ତାବକୁ ସମର୍ଥନ କରି ଲର୍ଡ଼ ହାର୍ଡ଼ିଞ୍ଜ ଲେଖିଥିଲେ, ‘‘ବର୍ତ୍ତମାନ ବଙ୍ଗଳା ପ୍ରେସିଡ଼େନ୍ସି ଭିତରେ ରହିଥିବା ହିନ୍ଦୀ ଭାଷାଭାଷୀ ଲୋକମାନଙ୍କ ପାଇଁ ଗୋଟିଏ ପ୍ରଦେଶ ଗଠନ କରି ସେମାନଙ୍କୁ ଏକ ସ୍ୱତନ୍ତ୍ର ଶାସନାଧୀନରେ ରଖିବାର ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ଅଛି ବୋଲି ମୋର ମନେହେଉଛି-। ଦୀର୍ଘଦିନ ଧରି ଏହି ଲୋକମାନେ ବଙ୍ଗାଳୀମାନଙ୍କ ସହିତ ଅସମ ସୂତ୍ରରେ ଆବଦ୍ଧ ହୋଇ ଏକ ଶାସନାଧୀନ ରହିବା ଫଳରେ କୌଣସି ଦିଗରେ ଉନ୍ନତି ବା ଅଗ୍ରଗତି କରିବା ପରି ସୁବିଧା ପାଇବାରୁ ବଞ୍ଚିତହୋଇ ରହିଅଛନ୍ତି ।’’ ବିଭିନ୍ନ ପଡ଼ୋଶୀ ପ୍ରଦେଶ ସହିତ ମିଶି ରହିଥିବା ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ପ୍ରତି ମଧ୍ୟ ହାର୍ଡ଼ିଞ୍ଜଙ୍କର ଏହି ଯୁକ୍ତି ସଂପୂର୍ଣ୍ଣ ପ୍ରଯୁଜ୍ୟ ଥିଲା-। ବିହାରର ଅଧିବାସୀ ବା ହିନ୍ଦୀଭାଷା ସହିତ ଓଡ଼ିଶାର ସାମାନ୍ୟତମ ଯୋଗ ସମ୍ପର୍କ ନ ଥିବା ବିଚାରରୁ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକଶାସନାଧୀନରେ ରଖିବା ନିଶ୍ଚୟ ହାର୍ଡ଼ିଞ୍ଜଙ୍କ ନୀତି ଦୃଷ୍ଟିରୁ ଅଧିକ ନ୍ୟାୟୋଚିତ ଓ ଯଥାର୍ଥ ହୋଇଥାନ୍ତା । ସେ ନିଜେ ମଧ୍ୟ ଏ ବିଷୟ ଉପଲବ୍ଧି କରି ଉକ୍ତ ବିବରଣୀରେ ଉଲ୍ଲେଖ କରିଥିଲେ ଯେ, ବିହାରୀମାନଙ୍କ ପରି ଓଡ଼ିଆମାନଙ୍କର ମଧ୍ୟ ବଙ୍ଗାଳୀମାନଙ୍କ ସହିତ କୌଣସି ପ୍ରକାର ସାମଞ୍ଜସ୍ୟ ନାହିଁ । ଏସବୁ ସତ୍ତ୍ୱେ ଓଡ଼ିଆମାନଙ୍କ ପ୍ରତି ଲର୍ଡ଼ ହାର୍ଡ଼ିଞ୍ଜଙ୍କର ବିଚାର ଥିଲା ବିପରୀତ । ତେଣୁ ତାଙ୍କ ବିବରଣୀରେ ସେ ଉଲ୍ଲେଖ କରିଥିଲେ: ‘‘ତଥାପି ମୁଁ ଚାହେଁ ଯେ ଓଡ଼ିଆମାନେ ସ୍ୱତନ୍ତ୍ର ନ ହୋଇ ବିହାର ଓ ଛୋଟନାଗପୁର ସହିତ ମିଶି ରହିବା ଦରକାର ।’’ କଟାଘାଆରେ ଲୁଣ ମାଡ଼ିବା ନ୍ୟାୟରେ, ସେ ପୁଣି ସତେ ଅବା ଓଡ଼ିଶା ଅଧିବାସୀମାନଙ୍କର ମନ ଜାଣିଥିବା ପରି ଆଉରି ପାଦେ ବଢ଼ିଯାଇ ଭାରତ-ବିଭାଗ ସେକ୍ରେଟେରୀଙ୍କୁ ଲେଖି ଜଣାଇଥିଲେ କି ଓଡ଼ିଶା ବିଷୟରେ ତାଙ୍କର ଏହି ସିଦ୍ଧାନ୍ତକୁ ଓଡ଼ିଶାବାସୀଏ ନିଶ୍ଚୟ ସ୍ୱାରାତ କରିବେ ଏବଂ ବିହାର ସହିତ ଓଡ଼ିଶା ମିଶି ରହିବାଦ୍ୱାରା ବିହାରପ୍ରଦେଶ ମଧ୍ୟ ସାମୁଦ୍ରିକ ବନ୍ଦରର ସୁବିଧା ପାଉଥିବା ଦୃଷ୍ଟିରୁ ବିଶେଷ ଉପକୃତ ହୋଇପାରିବ । ଏହି ହେଲା ଲର୍ଡ଼ ହାର୍ଡ଼ିଞ୍ଜଙ୍କର ଶାସନ ସଂସ୍କାର ! ସଂସ୍କାର ଆଳରେ ସେ ଶେଷକୁ ବିହାରକୁ ବନ୍ଦର ସୁବିଧା ଦେବାଲାଗି ଓଡ଼ିଶାକୁ ଛନ୍ଦି ପକାଇଦେଲେ ବିହାର ସାଙ୍ଗରେ; କିନ୍ତୁ ସେତେବେଳର ପ୍ରକୃତ ଅବସ୍ଥା ଥିଲା ଏହା ସମ୍ପୂର୍ଣ୍ଣ ବିପରୀତ ! କାରଣ ଓଡ଼ିଶାର ସୁଦୀର୍ଘ 300 ମାଇଲବ୍ୟାପୀ ଉପକୂଳରେ ଗୋଟିଏ ମାତ୍ର ବନ୍ଦର ସେତେବେଳକୁ ଆଉ ନ ଥିଲା । ଓଡ଼ିଶାରେ ବ୍ରିଟିଶ ଶାସନର ସୂତ୍ରପାତ ହେବାପରେ, ଓଡ଼ିଶା ଉପକୂଳର ସମସ୍ତ ବନ୍ଦର ଗୋଟିକ ପରେ ଗୋଟିଏ ହୋଇ ଲୋପ ପାଇଯାଇଥିଲା ।

 

ଭାଷା ସୂତ୍ରରେ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ହିସାବରେ ବିହାର ପ୍ରଦେଶ ଗଠନ କରାଯାଇଥିଲେ ମଧ୍ୟ, ବିହାରକୁ ସମୁଦ୍ରପଥ ଦେବାର ମହାନ୍ ଲକ୍ଷ୍ୟ ରଖି ଓଡ଼ିଶାକୁ ବିହାର ସହିତ ଯୋଡ଼ିଦିଆଗଲା । ଓଡ଼ିଶାର ସ୍ୱାର୍ଥକୁ ବଳିଦେଇ ବିହାର ଉପରେ ସୁନା କଳସ ଢାଳିବା ମୂଳରେ ଲର୍ଡ଼ ହାର୍ଡ଼ିଞ୍ଜଙ୍କର ଯେଉଁ ପ୍ରକୃତ ଉଦ୍ଦେଶ୍ୟ ରହିଥିଲା, ତାହା ଜଣାପଡ଼ିବାକୁ କିନ୍ତୁ ଅଧିକ ବିଳମ୍ୱ ଘଟି ନ ଥିଲା । ଯେଉଁ ଅଭିଷେକ ବିବରଣୀ ବିଲାତକୁ ପଠାଯାଇଥିବା କଥା ଉପରେ କୁହାଯାଇଅଛି, ସେଥିରେ ଯେଉଁମାନେ ଦସ୍ତଖତ କରିଥିଲେ, ସେମାନଙ୍କ ଭିତରେ ଥିଲେ ବିହାରର ଜଣେ ସାର୍ ଅଲ୍ଲି ଇମାମ୍, ଯେ କି ଭାଇସ୍‍ରାୟଙ୍କ ଏକ୍ଜିକ୍ୟୁଟିଭ୍ କାଉନ୍ସିଲର ଜଣେ ସଭ୍ୟ ଥିଲେ । ହାର୍ଡ଼ିଞ୍ଜଙ୍କର ଏହି କାର୍ଯ୍ୟକଳାପ ପରବର୍ତ୍ତୀକାଳରେ ଭାରତର ବ୍ରିଟିଶ ଶାସନର ନ୍ୟାୟପରାୟଣତା ଉପରେ ଗଭୀର ଆଞ୍ଚ ଆଣିଥିଲା; କାରଣ ଏହି ଘଟଣାର ମାତ୍ର ଛଅବର୍ଷ ପରେ ‘ଭାରତ ଶାସନ ସଂସ୍କାର’ ସମ୍ୱନ୍ଧରେ ଯେଉଁ ମଣ୍ଟେଗୁ-ଚେମସ୍-ଫୋର୍ଡ଼ ରିପୋର୍ଟ ପ୍ରକାଶ ପାଇଥିଲା, ସେହି ରିପୋର୍ଟରେ ମଧ୍ୟ ବିହାର ସହିତ ଓଡ଼ିଶାକୁ ମିଶାଇ ଦିଆଯାଇଥିବା କଥାଟାକୁ ସମ୍ପୂର୍ଣ୍ଣ ବିରୋଧ କରାଯାଇ ଏହାକୁ ଏକ ଅବାସ୍ତବ ଓ ଅପ୍ରାକୃତ ମିଶ୍ରଣ ବୋଲି ସ୍ପଷ୍ଟଭାବରେ କୁହାଯାଇଥିଲା । ରିପୋର୍ଟରେ ପୁଣି ଉଲ୍ଲେଖ କରାଯାଇଥିଲା ଯେ, ବିହାର ଓଡ଼ିଶା ପ୍ରଦେଶରେ ଅନ୍ତର୍ଭୁକ୍ତ କରି ରଖାଯାଇଥିବା ଛୋଟନାଗପୁର, ଓଡ଼ିଶା ଓ ବିହାର ଆଦି ତିନୋଟି ବିଭାଗ ମଧ୍ୟରେ କାହାରି ସହିତ କାହାରି କୌଣସି ସମ୍ପର୍କ ନାହିଁ ।

 

ଓଡ଼ିଶା ପ୍ରତି ଏହି ଅନ୍ୟାୟ କରାଯାଇଥିବା ହେତୁ ମଧୁସୂଦନ ଇଂରେଜ ସରକାରର କାର୍ଯ୍ୟକଳାପରେ ବିଶେଷ ବିବ୍ରତ ହୋଇ ପଡ଼ିଥିଲେ । ଲର୍ଡ଼ ହାର୍ଡ଼ିଞ୍ଜଙ୍କ ପ୍ରସ୍ତାବବିଷୟ ଯଥେଷ୍ଟ ପୂର୍ବରୁ ତାଙ୍କର କର୍ଣ୍ଣଗୋଚର ହୋଇସାରିଥିଲା । ତେଣୁ ତାଙ୍କୁ ଯଥାରୀତି ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଅଭିଷେକଦରବାରରେ ଯୋଗ ଦେଇ ନ ଥିଲେ । ଇଂ 1912 ମସିହା ଫେବୃଆରୀ ମାସ 12 ତାରିଖରେ ଓଡ଼ିଶାର ଅବହେଳିତ ଓଡ଼ିଆମାନଙ୍କ ପକ୍ଷ ସମର୍ଥନ କରି କେଡ଼ଲ୍ ଷ୍ଟନ୍‍ର ଅର୍ଲ କର୍ଜ୍ଜନ୍‍ଙ୍କ କଣ୍ଠରୁ ଲଣ୍ଡନର ‘ଲର୍ଡ଼ସ୍ ସଭା’ରେ ପ୍ରଥମେ କିନ୍ତୁ ଶୁଣିବାକୁ ମିଳିଥିଲା ଇଂରେଜ ସରକାରର ଅନୀତି ବିରୁଦ୍ଧରେ ପ୍ରବଳ ପ୍ରତିବାଦ । ଏହି ଭାଷଣରେ ଅର୍ଲ କର୍ଜ୍ଜନ୍ ଭାରତରେ ଇଂରେଜ ସରକାରର କାର୍ଯ୍ୟକଳାପକୁ ପ୍ରଚଣ୍ଡଭାବରେ ସମାଲୋଚନା କରିଥିଲେ ଏବଂ କି ନୀତିରେ ଭାରତ ସରକାର କଲିକତାରୁ ଦିଲ୍ଲୀକୁ ଭାରତର ରାଜଧାନୀ ଉଠାଇ ନେଇଥିଲେ, ସେ ବିଷୟ ଓ ସେହିପରି ଅନ୍ୟାନ୍ୟ ଗୁରୁତର ପ୍ରଶ୍ନମାନ ଉତ୍ଥାପନ କରିଥିଲେ । କେବଳ ସେତିକି ନୁହେଁ, ଓଡ଼ିଆମାନଙ୍କ ପ୍ରତି ସେତେବେଳେ ଯେଉଁ ଅବିଚାର କରାଯାଇଥିଲା, ସେ ବିଷୟ ପ୍ରତି ‘ହାଉସ୍ ଅଫ୍ ଲର୍ଡ଼ସ’ର ଦୃଷ୍ଟି ଆକର୍ଷଣ କରି ସେ ଗୁରୁ-ଗମ୍ଭୀର କଣ୍ଠରେ କହିଚାଲିଥିଲେ :

 

‘‘ଭାରତବର୍ଷରେ ବିହାର-ଓଡ଼ିଶା ପ୍ରଦେଶ ଗଠନ ବ୍ୟାପାରରେ ଇଂରେଜ ସରକାର କି ନୀତି ଅବଲମ୍ୱନ କରୁଅଛନ୍ତି, ସେ ବିଷୟରେ ସରକାର ଏ ସଭାକୁ ଖୋଲାଖୋଲି ଭାବରେ ଜଣାଇଦେବା ଉଚିତ; କାରଣ ମୁଁ ଜାଣେ ଯେ, ଏ ଦୁଇ ପ୍ରଦେଶରେ ଯେଉଁ ଜାତିର ଲୋକେ ରହନ୍ତି, ସେମାନଙ୍କ ମଧ୍ୟରେ କାହାରି ସହିତ କାହାରି ମେଳ ନାହିଁ । ପୁଣି ସେମାନଙ୍କ ଭାଷା ମଧ୍ୟ ପରସ୍ପରଠାରୁ ପୃଥକ୍ । ପ୍ରକୃତି ମଧ୍ୟ ବିହାର ଓ ଓଡ଼ିଶା ମଧ୍ୟରେ ବହୁ ପର୍ବତ ଓ ନଦୀର ସୃଷ୍ଟି କରି ପ୍ରଦେଶ ଦୁଇଟିକୁ ପରସ୍ପରଠାରୁ ଅଲଗା କରିଦେଇଅଛି । ଏହି ନଦୀ, ପର୍ବତ ଅସୁବିଧା ହେତୁ ସରକାର ମଧ୍ୟ ପରସ୍ପରର ପଡ଼ୋଶୀ ସେହି ଦୁଇ ରାଜ୍ୟ ମଧ୍ୟରେ ରେଳ ଯୋଗାଯୋଗ ସ୍ଥାପନ କରିବାରେ ଏଯାଏ ସକ୍ଷମ ହୋଇପାରି ନାହାନ୍ତି । ଏସବୁ ବେଶ୍ ଜଣାଶୁଣା କଥା । ତେଣୁ ସରକାର ଓଡ଼ିଶାକୁ କେଉଁ ବିଚାରରେ ବିହାର ସହିତ ଯୋଡ଼ି ଦେଇଅଛନ୍ତି, ସେଇଟା ହେଉଚି ସବୁଠାରୁ ବିସ୍ମୟକର ବିଷୟ । ଯାହାହେଉ ଏ ବିଷୟରେ ମୁଁ ଏଠାରେ ଖୋଲାଖୋଲି ଭାବରେ କହି ରଖୁଛି ଯେ ସରକାରଙ୍କର ଏ ଅନ୍ୟାୟ ବେଶିଦିନ ତିଷ୍ଠି ରହିପାରିବନାହିଁ । ମୋର ଏହି ଭବିଷ୍ୟତ ବାଣୀ ଯେ ଅବଶ୍ୟ ସତ୍ୟରେ ପରିଣତ ହେବ, ସେଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ମୁଁ ଜାଣୁଛି, ଓଡ଼ିଆମାନେ ବିଦ୍ରୋହୀ ନୁହନ୍ତି । ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ ଚଳାଇ ରଖି ସେମାନେ କାମ ଆଦାୟ କରିବା ପନ୍ଥା ଜାଣନ୍ତିନାହିଁ । ସେମାନେ ଯଦି ସେତକ ଜାଣିଥାନ୍ତେ, ତେବେ ସେମାନଙ୍କ କପାଳକୁ ଆଜିଯାଏ ପଥର ଚାପା ଦେଇ ମାଡ଼ିମକଚି ରଖିବା ଏଯାଏ କେବେହେଲେ ସମ୍ଭବ ହୋଇପାରି ନଥାନ୍ତା । ସେମାନେ ମୂକ । ସେଇଥିଲାଗି ନିର୍ଦ୍ଦୟ ଭାବରେ ସେମାନଙ୍କୁ ବଳିମୁହଁକୁ ଠେଲି ଦିଆଯାଇଅଛି ।’’ *

 

*Parliamentary Debates—House of Lords, Vol., VI No. 4, Feb 21, 1912.

 

ସମସ୍ତ ପ୍ରକାର ବିରୋଧ ସତ୍ତ୍ୱେ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହୋଇଯିବା ପରେ ମଧୁସୂଦନ ଯଥାସମୟରେ ନୂତନ ଗଠିତ ବିହାର-ଓଡ଼ିଶା ପ୍ରଦେଶର ଲେଜିସଲେଟିଭ କାଉନ୍ସିଲକୁ ସଭ୍ୟରୂପେ ମନୋନୀତ ହୋଇପାରିଥିଲେ । ସେତେବେଳକୁ ଓଡ଼ିଶା ଡିଭିଜନର କମିଶନର ମି: ଡବଲ୍ୟୁ ଇଗରଟନ୍ ସହରଠାରୁ ଦୂରରେ ବୈଦ୍ୟେଶ୍ୱର ବୋଲି ଗୋଟିଏ ଗ୍ରାମରେ କ୍ୟାମ୍ପ୍ କରି ରହିଥାଆନ୍ତି । ମଧୁସୂଦନଙ୍କ ବିଜୟ ଖବର ପାଇ ମି. ଇଗରଟନ୍ ଖଣ୍ଡିଏ ବ୍ୟକ୍ତିଗତ ପତ୍ର ଲେଖି ତହିଁରେ ମି. ଦାସଙ୍କୁ ବଧେଇ ଜଣେଇଥିଲେ । ସେହି ପତ୍ରରେ ମଧୁସୂଦନଙ୍କୁ ଉତ୍କଳର କୁଳବୃଦ୍ଧ ବୋଲି ଅଭିହିତ କରି ଲେଖିଥିଲେ...‘‘ଆପଣ ହେଉଛନ୍ତି ଯଥାର୍ଥରେ ଓଡ଼ିଶାର କୁଳବୃଦ୍ଧ ପୁରୁଷ । ଶାସନକ୍ଷେତ୍ରରେ ଆପଣଙ୍କର ପୁନଃ ପ୍ରବେଶ ଯଥାର୍ଥରେ ସ୍ୱାଦ୍ୟ ଓ ଅଭିନନ୍ଦନୀୟ । ଆମ୍ଭେମାନେ ଆଶା କରୁଛୁ ଯେ ଉତ୍କଳର ଅଗ୍ରଗତି ଓ ମଙ୍ଗଳ କରିବାରେ ସରକାର ଆପଣଙ୍କର ମୂଲ୍ୟବାନ ସାହାଯ୍ୟପ୍ରାପ୍ତିରୁ କେବେହେଲେ ବଞ୍ଚିତ ହେବେନାହିଁ ।’’

 

ଇଂ 1913 ମସିହା ଜାନୁଆରୀ ମାସ 20 ତାରିଖ ଦିନ ବିହାର-ଓଡ଼ିଶା ଲେଜିସଲେଟିଭ କାଉନ୍ସିଲର ସଭ୍ୟ ଭାବରେ ଶପଥ ଗ୍ରହଣ କରିବା ଉତ୍ତାରେ କାଉନ୍ସିଲରେ ମଧୁସୂଦନ ଯେଉଁ ପ୍ରଥମ ଭାଷଣ ଦେଇଥିଲେ, ସେଥିରେ ଓଡ଼ିଶା ନିକଟ-ଭବିଷ୍ୟତରେ ଯେ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ରୂପେ ନିଶ୍ଚୟ ସ୍ୱୀକୃତି ପାଇବ, ତାଙ୍କ ଅନ୍ତରରେ ସେହି ଆଶା ଓ ବିଶ୍ୱାସକୁ ସେ ଦୃଢ଼ଭାବରେ ବ୍ୟକ୍ତକରି କହିଥିଲେ...

 

‘‘ଓଡ଼ିଶାର ଐତିହ୍ୟ ଗୌରବମୟ । ପ୍ରଦେଶର ଅନ୍ୟାନ୍ୟ ଅଂଶପରି, ଓଡ଼ିଶା ମଧ୍ୟ ଅତୀତର ସମସ୍ତ ଦୁର୍ଦ୍ଦିନକୁ ଅତିକ୍ରମ କରି ବର୍ତ୍ତମାନ ସୂର୍ଯ୍ୟାଲୋକଦୀପ୍ତ ଯେଉଁ ପର୍ବତ ଶିଖର ଦିଗରେ ସାରାଦେଶ ଧାବମାନ, ସେହି ଦିଗକୁ ଆଶା ଓ ବିଶ୍ୱାସପୂର୍ଣ୍ଣ ନୟନରେ ଚାହିଁ ରହିଅଛି ।’’*

 

*Proceedings of the Legislative Council of Bihar and Orissa, January 20, 1913.

 

ଏହାର ଅଳ୍ପକାଳ ଉତ୍ତାରେ ବିହାର-ଓଡ଼ିଶା ଲେଜିସଲେଟିଭ କାଉନ୍ସିଲରୁ ମଧୁସୂଦନ ଇମ୍ପେରିଆଲ କାଉନ୍ସିଲ ବା ଇଣ୍ଡିଆନ୍ ଲେଜିସଲେଟିଭ କାଉନ୍ସିଲର ସଭ୍ୟ ଭାବରେ ନିର୍ବାଚିତ ହୋଇ ଇଂ 1913 ମସିହା ଜାନୁଆରୀ ମାସ 27 ତାରିଖ ଦିନ ସେହି କାଉନ୍ସିଲର ସଭ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ । 1913 ମସିହାରୁ 1916 ମସିହା ପର୍ଯ୍ୟନ୍ତ ସେ ଭାରତର ସର୍ବୋଚ୍ଚ ସେହି ବିଧାନ ସଭାର ସଭ୍ୟ ରହିଥିଲେ । ତାଙ୍କ ପୂର୍ବରୁ ଓଡ଼ିଶାର ଅନ୍ୟ କେହି ବ୍ୟକ୍ତି ଇଣ୍ଡିଆନ୍ ଲେଜିସଲେଟିଭ କାଉନ୍ସିଲର ସଭ୍ୟରୂପେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିପାରି ନଥିଲେ-। ଅନ୍ୟ କ୍ଷେତ୍ରରେ ଯେପରି, ଏ କ୍ଷେତ୍ରର ମଧ୍ୟ ସେହିପରି ମଧୁସୂଦନ ନିଜର ସ୍ୱଭାବସୁଲଭ ଗୁଣବଳରେ ଜଣେ ସୁଦକ୍ଷ ବୈଧାନିକ ହିସାବରେ ଅନ୍ୟମାନଙ୍କର ପଥପ୍ରଦର୍ଶକ ଓ ଦିଗ୍‍ଦ୍ରଷ୍ଟା ରୂପେ ପରିଚିତ ହୋଇପାରିଥିଲେ ।

Image

 

(୧୩)

ବୈଧାନିକ ମଧୁସୂଦନ

 

‘‘ମାନ୍ୟବର ସଭ୍ୟ ମହୋଦୟ ନିଜର କାର୍ଯ୍ୟପଟୁତା ଗୁଣବଳରେ ନିଜକୁ ପ୍ରତିଷ୍ଠିତ କରି ଏହି ବଙ୍ଗଳା କାଉନ୍ସିଲର ‘କାଟୋ’ ରୂପେ ନିଜକୁ ପ୍ରତିଷ୍ଠିତ କରାଇବାରେ ସକ୍ଷମ ହୋଇପାରିଛନ୍ତି । ପ୍ରସିଦ୍ଧ ଦାର୍ଶନିକ ‘କାଟୋ’ଙ୍କ ବିଷୟରେ ଯାହା କୁହାଯାଇଥାଏ, ଆପଣମାନେ ନିଶ୍ଚୟ ସେ ବିଷୟ ଜାଣିଥିବେ । ଯେଉଁ ସବୁ ଉଦ୍ୟମର ପରିଣତି ସଫଳତାରେ ପର୍ଯ୍ୟବସିତ ହେବାର ସମ୍ଭାବନା ଥାଏ, ସେ ପ୍ରକାର ଉଦ୍ୟମ ଦେବତାମାନଙ୍କର ପ୍ରିୟତା ଅର୍ଜନ କରିଥାଏ; କିନ୍ତୁ ନିଶ୍ଚିତ ବିଫଳତା ଯେଉଁ ସମସ୍ତ ଉଦ୍ୟମର ଶେଷ ପରିଣତି, ସେପରି ଉଦ୍ୟମ ସବୁ ଦାର୍ଶନିକ କାଟୋଙ୍କର ସବୁଠାରୁ ଅଧିକ ପ୍ରିୟ ପ୍ରୟାସ ଥିଲା !’’ —ଏହି ଭାଷାରେ ବଙ୍ଗଳାର ଜନୈତ ଲେଫ୍ଟେନାଣ୍ଟ୍‍ ଗଭର୍ଣ୍ଣର ମି: ବଓରଡ଼ିଲନ୍ ବଙ୍ଗଳା କାଉନ୍ସିଲ୍ କକ୍ଷରେ ମଧୁସୂଦନଙ୍କୁ ଅଭିନନ୍ଦିତ କରିଥିଲେ ।*

 

*M.S. Das Election manifesto, 1906

 

ବହୁ ଉଦ୍ୟମରେ ମଧୁସୂଦନ ବିଫଳ ହୋଇଥିଲେ ସତ୍ୟ; କିନ୍ତୁ ତାଙ୍କର ସେହି ବିଫଳତାରୁହିଁ ଜନ୍ମ ନେଇଥିଲା ଭବିଷ୍ୟତର ସମସ୍ତ ସଫଳ ସମ୍ଭାବନା । ପ୍ରଗତିବାଦୀ ଓ ପୁରାତନପନ୍ଥୀଙ୍କ ବିଚାରରେ ତାଙ୍କର ମତାମତ ଓ ଭାବଧାରାଗୁଡ଼ିକ ସମୟେ ସମୟେ ସମ୍ପୂର୍ଣ୍ଣ ଅବାନ୍ତର ବୋଧ ହେଉଥିବା କାରଣରୁ ସମସ୍ତଙ୍କଦ୍ୱାରା ନିଗୃହୀତ ହେଉଥିଲା । ତଥାପି ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ସେ ଥିଲେ ପୁରାତନପନ୍ଥୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ସର୍ବପ୍ରଧାନ ପ୍ରଗତିବାଦୀ । ସାମ୍ୱିଧାନିକ ମାର୍ଗର ଅନୁସରଣ ତାଙ୍କର ମାନସିକତାରେ ଏକ ମୁଖ୍ୟସ୍ଥାନ ଅଧିକାର କରିଥିଲା । ସେହି ମାର୍ଗରେ ଗତିକରି ପ୍ରଦେଶର ଆତ୍ମନିୟନ୍ତ୍ରଣ ଅଧିକାର ଲାଭ ନିମନ୍ତେ ଉଦ୍ୟମ କରିବାପାଇଁ ସେ ସବୁବେଳେ ସମସ୍ତଙ୍କୁ କହୁଥିଲେ । ସମ୍ୱିଧାନର ନିର୍ଦ୍ଦେଶ ଓ ତାହାର ପ୍ରତିଫଳନ ନିମନ୍ତେ ତାଙ୍କର ଏପ୍ରକାର ଆଗ୍ରହସତ୍ତ୍ୱେ ସାମାଜିକ ଓ ଅର୍ଥନୈତିକ ବ୍ୟାପାରମାନଙ୍କରେ ତାଙ୍କର ଚିନ୍ତାଧାରା କିନ୍ତୁ ଥିଲା ଆଶ୍ଚର୍ଯ୍ୟଜନକଭାବରେ ପ୍ରଗତିଶୀଳ । ବସ୍ତୁତଃ ବହୁ ଦିଗରୁ ମଧୁସୂଦନ ଥିଲେ ତାଙ୍କର ସମସାମୟିକ ଭାବଧାରାଠାରୁ ଯଥେଷ୍ଟ ଅଗ୍ରଗାମୀ ।

 

ଯଦିଓ ମଧୁସୂଦନ ଓଡ଼ିଶାର ବିଶେଷ ସମସ୍ୟାଗୁଡ଼ିକ ବିଷୟରେ ଅତିମାତ୍ରାରେ ସଚେତନ ଥିଲେ ଏବଂ ଇମ୍ପେରିଆଲ କାଉନସିଲରେ ଓଡ଼ିଶାର ପ୍ରବକ୍ତା ଭାବରେ ସେ ସବୁର ଦୂରୀକରଣ ନିମନ୍ତେ ଲାଗିପଡ଼ିଥିଲେ, ତଥାପି ଦେଶର ବିଭିନ୍ନ ଗୁରୁତର ସମସ୍ୟାଗୁଡ଼ିକ ପ୍ରତି ସେ କେବେହେଲେ ଅବହେଳା ପ୍ରଦର୍ଶନ କରୁନଥିଲେ । ସାରା ଦେଶର ସ୍ୱାର୍ଥଜଡ଼ିତ ବିଭିନ୍ନ ମୁଖ୍ୟ ବିଷୟଗୁଡ଼ିକ କାଉନ୍ସିଲରେ ଆଲୋଚିତ ହେଉଥିବା ସମୟରେ ସେ ସେହି ଆଲୋଚନାରେ ଅଂଶ ଗ୍ରହଣ କରି ତାଙ୍କର ମୂଲ୍ୟବାନ ପରାମର୍ଶ ଦେଉଥିଲେ । ସାମ୍ୱିଧାନିକ ମାର୍ଗ ଅନୁସରଣ କରିବାରେ ଅତିମାତ୍ରାରେ ଆଗ୍ରହ ପ୍ରଦର୍ଶନ କରୁଥିବା ହେତୁ ତାଙ୍କୁ କେହି କେହି ରାଜାନୁରକ୍ତ ବୋଲି ତାଚ୍ଛଲ୍ୟ କରୁଥିଲେ ସତ୍ୟ, ତଥାପି ଆବଶ୍ୟକ ସ୍ଥଳରେ ସେ ସରକାରଙ୍କୁ କଠୋରଭାବରେ ସମାଲୋଚନା କରିବାରୁ କେବେହେଲେ ନିବୃତ୍ତ ହେଉ ନ ଥିଲେ ।

 

ଇମ୍ପେରିଆଲ କାଉନସିଲ୍‍ରେ ଥରେ ବଜେଟ୍ ଉପରେ ଆଲୋଚନା କରିବା ସମୟରେ ମଧୁସୂଦନ ଦେଶର ଶୈଳ୍ପିକ ଅଧୋଗତି ସମ୍ପର୍କରେ ଭାଷଣ ଦେଇ କହିଥିଲେ...

 

ଅତୀତରେ ଏ ଦେଶରେ ଯେଉଁ ସବୁ ଶିଳ୍ପ ପ୍ରଚଳିତ ଥିଲା, ସେସବୁ ବର୍ତ୍ତମାନ ଆଉ ଆଖିରେ ପଡ଼ୁନାହିଁ । ଅତୀତର ସେହି ଅବସ୍ଥାକୁ ବର୍ତ୍ତମାନର ଅବସ୍ଥା ସହିତ ମିଳାଇ ବିଚାରକଲେ ଯେ କୌଣସି ଭାରତୀୟର ମନେହୁଏ ଯେ ଶିଳ୍ପକ୍ଷେତ୍ରରେ ଭାରତର ଉପସ୍ଥିତ ଅଧୋଗତି ପାଇଁ ଇଂରେଜ ଶାସନର କ୍ଷୟିଷ୍ଣୁ ପ୍ରଭାବ ହିଁ ମୁଖ୍ୟତଃ ଦାୟୀ । ତନ୍ତକୁ ଛାଡ଼ି ଯେଉଁ ତନ୍ତୁବାୟ ବର୍ତ୍ତମାନ ହଳକରି ପେଟ ପୋଷୁଛି, ସେ ଯାହା ଭାବୁଛି, ହାତ ଅଚଳ କରି ଯେଉଁ ଶିଳ୍ପୀ ଆଜି ଘରେ ବସିରହିଛି, ସେ ବି ଠିକ୍ ସେହି କଥା ଭାବୁଛି । କାରିଗରର ଯେଉଁ ପିଲାଏ ପୈତୃକ ବ୍ୟବସାୟରୁ ବଞ୍ଚିତ ହୋଇ ଇଂରେଜୀ ପାଠ ପଢ଼ି ଅନ୍ତତଃ କିରାନିଟିଏ ହୋଇ ଜୀବିକାର୍ଜନ କରିବାକୁ ଭାବିଥିଲେ, ସେମାନେ ଶେଷରେ ଚାକିରୀ ଖଣ୍ଡିଏ ନପାଇ ଇଂରେଜ ସରକାର କିପରି ଏ ଦେଶରୁ ନିଷ୍ଠୁରଭାବରେ ସବୁ ଶିଳ୍ପ ନଷ୍ଟଭ୍ରଷ୍ଟ କରିଦେଲା, ସେଇଆ ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଉ ଏଇ ବୁଢ଼ା ଲୋକଟା (ନିଜକୁ ଲକ୍ଷ୍ୟ କରି), ଯେ କି ଗଲା ପଚିଶବର୍ଷ ଧରି ଏ ଦେଶର ଶିଳ୍ପୀ, କାରିଗରମାନଙ୍କ ସହିତ ଓତପ୍ରୋତଭାବରେ ଜଡ଼ିତ ରହି ସେମାନଙ୍କର ଜୀବନର ସବୁ ଭଲମନ୍ଦ ଅଙ୍ଗେ ଲିଭେଇଛି, ଆଉ ପେଟଚାଖଣ୍ଡଙ୍କ ଲାଗି ସେମାନେ କିପରି ହସ୍ତସନ୍ତ ହେଉଛନ୍ତି, ତାହା ନିଜ ଆଖିରେ ଦେଖିଛି, ସେ ବୁଢ଼ା ବି ଅନ୍ୟମାନଙ୍କ ପରି ଠିକ୍ ସେହି ଏକା କଥା ଭାବୁଛି...ଇଂରେଜ ଶାସନ ଯେ କିପରି ଓ କେତେବେଳେ, କି ପରିସ୍ଥିତିରେ ଏ ଦେଶର ଶିଳ୍ପକୁ ଏହିପରି ସମୂଳେ ନଷ୍ଟ କରିଦେଲା, ସେ ବିଷୟରେ ବିଶେଷ କିଛି ମୁଁ ଏଠାରେ କହିବାକୁ ଚାହୁନାହିଁ...କାରଣ ତାହା କରିବାକୁ ହେଲେ ନିଜର ସ୍ଥାନ, ଆସନ, କ୍ଷମତା, ଆସନ ଓ ପ୍ରତିପତ୍ତି ବିସ୍ତାର କରି ଯେଉଁ ସମସ୍ତ ସରକାରୀ କର୍ମକର୍ତ୍ତାଗଣ ଦେଶର ଏ ଅଧୋଗତି ଘଟାଇଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବର୍ତ୍ତମାନ ମତେ ବାଧ୍ୟ ହୋଇ କବରଗାତରୁ ଖୋଳି ପଦାରେ ପକାଇଦେବାକୁ ହେବ; କିନ୍ତୁ ଆପଣମାନେ ଏତିକି ଜାଣି ରଖିଲେ ଯଥେଷ୍ଟ ହେବ ଯେ, କବରଗାତର ସେସବୁ ମଲା ହାଡ଼ର ବି କରାମତି ବହୁତ ! ଜୀଅନ୍ତା ମଣିଷକୁ ସେମାନେ ଅକ୍ଲେଶରେ ମଲା ମଡ଼ାରେ ପରିଣତ କରିଦେଇପାରିବେ ।

 

ଏ ଦେଶରେ ଯେତେବେଳେ ପବ୍ଳିକ୍ ସେକ୍ଟର ବା ଜାତୀୟକରଣ ବିଷୟରେ ନାଁଗନ୍ଧ ସୁଦ୍ଧା ଶୁଣିବାକୁ ମିଳୁ ନଥିଲା, ସେତେବେଳେ ବି ମଧୁସୂଦନ ଦେଶର ରେଳପଥଗୁଡ଼ିକୁ ଜାତୀୟକରଣ କରିବାଲାଗି ପ୍ରସ୍ତାବ ଦେଇ ସେ ସମ୍ପର୍କରେ ଭାଷଣ ପ୍ରସଙ୍ଗରେ କାଉନ୍ସିଲରେ କହିଥିଲେ :

 

‘‘ମହାଶୟ, ମୁଁ ଆପଣଙ୍କୁ ପଚାରୁଛି, ଭାରତରେ ବର୍ତ୍ତମାନ ଯେଉଁ ରେଳଗାଡ଼ି ଚଳାଚଳ ବ୍ୟବସ୍ଥା ହୋଇଅଛି, କେବଳ କଣ ଲାଭକ୍ଷତି ହିସାବକୁ ଆଖିରେ ରଖି ସେ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି, କି ତାର ଅନ୍ୟ କୌଣସି ମହତ୍ତର ଆଭିମୁଖ୍ୟ ରହିଅଛି ? ଏହାକୁ କ’ଣ ସରକାର ଗୋଟାଏ ବ୍ୟବସାୟର ସୂତ୍ରରୂପେ ଗ୍ରହଣ କରିଅଛନ୍ତି ? ଆମ୍ଭମାନଙ୍କୁ ଏ ବିଷୟରେ ଧାରଣା ଦିଆଯାଇଛି ଯେ ବର୍ତ୍ତମାନ ଭାରତର ରେଳପଥଗୁଡ଼ିକ ଯେପରି ଭାବରେ ପରିଚାଳିତ ହେଉଅଛି, ସେ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେବାର ଅର୍ଥ ପ୍ରତିଯୋଗିତାର ଅଭୀପ୍ସାକୁ ଜୋର-ଜବରଦସ୍ତି ତଣ୍ଟିଚିପି ମାରିଦେବା ସଙ୍ଗେ ସମାନ । ତା’ହେଲେ ମୁଁ ଜାଣିବାକୁ ଚାହୁଁଛି, ଆମେ କଣ ତେବେ ଭାରତର ରେଳ ଚଳାଚଳ ବ୍ୟବସ୍ଥାକୁ ସାରା ଦୁନିଆର ପ୍ରତିଯୋଗିତା ପରିସରଭିତରକୁ ଠେଲିଦେବା ? ...ଆଚ୍ଛା, ଗୋଟାଏ ଜର୍ମାନ୍ କମ୍ପାନୀ ଆସି ଯଦି ଏ ଦେଶରେ ବର୍ତ୍ତମାନ ଅପେକ୍ଷା ଆହୁରି ଶସ୍ତାରେ ରେଳ ଚଳାଚଳ ବ୍ୟବସ୍ଥା କରେ, ତାହାହେଲେ କଅଣ ହେବ ? ମହାଶୟ, ଆପଣମାନେ ଭୁଲିଯିବା ଉଚିତ ନୁହେଁ ଯେ ଯେଉଁ ଉଦ୍ଦେଶ୍ୟରେ ସରକାର ଦେଶର ରେଳ ଚଳାଚଳର ବ୍ୟବସ୍ଥା କରାଇ ଅଛନ୍ତି, ଆର୍ଥିକ ଲାଭାଲାଭର ବିଚାର ସେହି ମୁଖ୍ୟ ଉଦ୍ଦେଶ୍ୟର ଅନ୍ତରାୟ ହେବା ଉଚିତ ନୁହେଁ । ବ୍ୟାବସାୟିକ ବୁଦ୍ଧିର ବିଚାର ଛାଡ଼ି ସରକାର ଦେଶର ମହତ୍ତର ଉପକାରକୁ ଲକ୍ଷ୍ୟରୂପେ ଗ୍ରହଣକରି ରେଳ ଚଳାଚଳର ବ୍ୟବସ୍ଥା କରିବା ଉଚିତ; କାରଣ ବ୍ୟବସାୟ-ବୁଦ୍ଧିରେ ପରିଚାଳିତ ହୋଇ ଓ ଦେଶର ବୃହତ୍ତର ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦେଇ, କାର୍ଯ୍ୟ କରିବା ପରିଣାମରେ ଇଷ୍ଟ-ଇଣ୍ଡିଆ କମ୍ପାନୀ ସରକାରର କାର୍ଯ୍ୟାବଳୀ, ଏ ଦେଶର କି କ୍ଷତି ସାଧନ କରିଅଛି, ସେ ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଅବଗତ ଅଟନ୍ତି ।*

 

*Imperial Council Debates, March 22, 1915.

 

ଜିଲ୍ଲାବୋର୍ଡ଼ ଓ ମ୍ୟୁନିସିପାଲିଟି ଆଦି ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକର କାର୍ଯ୍ୟ ପରିସରର ଅଭିବୃଦ୍ଧି ଘଟାଇବା ଏବଂ ଏଗୁଡ଼ିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତକରିବା ମଧୁସୂଦନଙ୍କ ହୃଦୟର ସବୁଠାରୁ ବଡ଼ ଅଭୀପ୍ସା ଥିଲା । ଜିଲ୍ଲାବୋର୍ଡ଼ଗୁଡ଼ିକ ନିମନ୍ତେ ଚେୟାରମ୍ୟାନ୍ ନିର୍ବାଚନର ଆବଶ୍ୟକତା ବିଷୟରେ ଭାଷଣ ପ୍ରସଙ୍ଗରେ ମଧୁସୂଦନ କହିଥିଲେ :

 

‘‘ଏହି ଜିଲ୍ଲାବୋର୍ଡ଼ଗୁଡ଼ିକରୁ ନିର୍ବାଚିତ ଲୋକପ୍ରତିନିଧିମାନେ କାଉନ୍ସିଲକୁ ପ୍ରେରିତ ହୋଇଥାନ୍ତି । ତେଣୁ ପ୍ରାଦେଶିକ କାଉନ୍ସିଲ ଓ ଲୋକାଲବୋର୍ଡ଼ର ମଧ୍ୟବର୍ତ୍ତୀ ସ୍ଥାନ ଅଧିକାର କରୁଥିବା ଏହି ଜିଲ୍ଲାବୋର୍ଡ଼ଗୁଡ଼ିକର ନିଜ ପାଇଁ ଚେୟାରମ୍ୟାନ୍ ନିର୍ବାଚନ କରିପାରିବାର କ୍ଷମତା ନଥିବା ବାସ୍ତବିକ ଏକ ବିଚିତ୍ର ବ୍ୟବସ୍ଥା । ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନେ ଜିଲ୍ଲାବୋର୍ଡ଼ର ଚେୟାରମ୍ୟାନ ଭାବରେ ପରିଚିତ ହେଉଅଛନ୍ତି । ତେଣୁ ଜିଲ୍ଲାବୋର୍ଡ଼ର ସମସ୍ତ କାର୍ଯ୍ୟ ଭାଇସ-ଚେୟାରମ୍ୟାନଙ୍କୁ ହିଁ ପ୍ରକୃତରେ ତୁଲାଇବାକୁ ପଡ଼ୁଅଛି ଏବଂ ନିଜ କାମ ଛଡ଼ା ଚେୟାରମ୍ୟାନଙ୍କ କାମ ମଧ୍ୟ କରିବାକୁ ପଡ଼ୁଅଛି । ପୁଣି ଯେଉଁ ଜିଲ୍ଲାବୋର୍ଡ଼ଗୁଡ଼ିକରେ ଭଲ କାମ ହେଉଛି, ସେଥିପାଇଁ ସଂପୃକ୍ତ ଜିଲ୍ଲାମାଜିଷ୍ଟ୍ରେଟ୍‍ମାନେ ସବୁଯାକ ସୁନାମ ମାରି ନେଉଛନ୍ତି । ଏହି ବ୍ୟବସ୍ଥାରୁ ବେଶ୍ ସ୍ପଷ୍ଟଭାବେ ବୁଝାପଡ଼ୁଛି ଯେ, ସରକାରୀ ଲୋକେ ଏହିପରିଭାବରେ ଜିଲ୍ଲାବୋର୍ଡ଼ର ଚେୟାରମ୍ୟାନ ହୋଇ ରହୁଥିବାଯାଏ, ସେମାନଙ୍କ ଅଧୀନରେ ବେସରକାରୀ ଲୋକମାନେ ଭାଇସ୍-ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିବାକୁ କେବେହେଲେ ଉତ୍ସାହିତ ହେବେନାହିଁ ।’’*

 

*Imperial Council Debates, March 19, 1914.

 

ବିହାର ସହିତ ଓଡ଼ିଶା ମିଶି ରହିଥିଲେ ମଧ୍ୟ ଓଡ଼ିଶା ବିଷୟରେ ସବୁ ଦୃଷ୍ଟିରୁ ସ୍ୱତନ୍ତ୍ରଭାବରେ ବିଚାର କରିବାର ଆବଶ୍ୟକତା ସେ ସବୁବେଳେ ଉପଲବ୍ଧି କରୁଥିଲେ । ସେଥିଲାଗି ଓଡ଼ିଶାର ନାନାଦି ସମସ୍ୟା ବିଷୟ ସେ କାଉନ୍ସିଲରେ ଉତ୍ଥାପନ କରି ସେ ସବୁର ପ୍ରତିକାର ଲୋଡ଼ୁଥିଲେ । ଓଡ଼ିଶା ଉପକୂଳରେ ଥିବା ପୁରୀ ଫଲ୍‍ସ୍‍ପଏଣ୍ଟ ଓ ଚାନ୍ଦବାଲି ଆଦି ବନ୍ଦର ସେତେବେଳକୁ ପୋତିହୋଇ ଆସିଥାଏ । ତେଣୁ ସେସବୁ ବନ୍ଦର ନୌଚଳାଚଳ ଓ ନୌ-ବାଣିଜ୍ୟ ଦୃଷ୍ଟିରୁ ପୂରାପୂରି ଅବ୍ୟବହାର୍ଯ୍ୟ ହୋଇ ପଡ଼ିଥାଏ । ସେହି କାରଣରୁ ଚାନ୍ଦବାଲି ଓ ସର୍ଟଆଇଲାଣ୍ଡ ମଝିରେ ଗୋଟିଏ ନୂତନ ବନ୍ଦର ସ୍ଥାପନ କରିବା ସମ୍ପର୍କରେ କାଉନ୍ସିଲରେ ମଧୁସୂଦନ ପ୍ରସ୍ତାବ ଆଣିଥିଲେ । ପୁରୀଠାରେ ଥିବା ବନ୍ଦର ବିଷୟରେ ମଧୁସୂଦନ ତାଙ୍କ ଭାଷଣରେ କହିଥିଲେ ‘‘ପୁରୀ ବର୍ତ୍ତମାନ ବାହାରୁ କେବଳ ନାନାଦି ରୋଗ ଆମଦାନି କରୁଅଛି ଓ ପୁରୀ-ସମୁଦ୍ରରେ ବୁଡ଼ ପକାଇ ତୀର୍ଥଯାତ୍ରୀମାନେ ସେଠାରେ ଯେଉଁ ପାପ-ତାପକୁ ଧୋଇଦେଇ ନିର୍ମଳ ହେଉଛନ୍ତି, ହିନ୍ଦୁମାନଙ୍କର ସେହି ପାପ-ତାପକୁ ପୁରୀ ବନ୍ଦର ବର୍ତ୍ତମାନ ଅନ୍ୟାନ୍ୟ ଦେଶକୁ ରପ୍ତାନି କରୁଅଛି ।’’ ବ୍ରିଟିଶ ଶାସନ ଫଳରେ ଓଡ଼ିଶା ଉପକୂଳରେ ଥିବା ସମୃଦ୍ଧ ବନ୍ଦରଗୁଡ଼ିକ ଧ୍ୱଂସ ପାଇଯାଇଥିବା ବିଷୟ ପ୍ରତି କାଉନ୍ସିଲରେ ମାନ୍ୟବର ସଭ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରି ସେ କହିଥିଲେ, ‘‘ଓଡ଼ିଶାର ଅତୀତ ଇତିହାସ ପ୍ରତି ଦୃଷ୍ଟିଦେଲେ ଯେ କେହି ଅକ୍ଲେଶରେ ଜାଣିପାରିବ ଯେ, ଓଡ଼ିଶା ବ୍ରିଟିଶମାନଙ୍କ ହସ୍ତଗତ ହେବାର ବହୁ ପୂର୍ବରୁ ଓଡ଼ିଶା ଉପକୂଳରେ ଅନେକ ବଡ଼ ବଡ଼ ବନ୍ଦର ରହିଥିଲା ଏବଂ ସେହି ସବୁ ବନ୍ଦର ସାହାଯ୍ୟରେ ଦୂର ଦେଶମାନଙ୍କ ସହିତ ବେପାର ବଣିଜ ଚାଲିଥିଲା ।’’ ଏହା ବ୍ୟତୀତ ଓଡ଼ିଶାରେ ରେଳପଥର ସମ୍ପ୍ରସାରଣ ଉପରେ ଜୋର୍ ଦେଇ ସେ କହିଥିଲେ, ‘‘ଯେ କୌଣସି ଦେଶର ଅଭ୍ୟନ୍ତରକୁ ଗମନାଗମନ ପଥର ବିକାଶ ନ କରିବା ଅର୍ଥ ସେ ଦେଶର ଅଧିବାସୀଙ୍କୁ ବନ୍ଦୀ କରି ରଖିବା ସହିତ ସମାନ...ସେମାନଙ୍କୁ ଆଲୋକର ପଥରୁ ଦୂରେଇ ରଖିବା ସହିତ ସମାନ । ଦେଶରେ ରେଳପଥର ବିକାଶ ଘଟିବାଦ୍ୱାରା କେବଳ ଯେ ବାଣିଜ୍ୟ-ବ୍ୟବସାୟର ଅଗ୍ରଗତି ଘଟିଥାଏ ତାହା ନୁହେଁ; ଏହାଦ୍ୱାରା ମଧ୍ୟ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳର ପ୍ରତ୍ୟେକ ଅଂଶ ସହିତ ଯୋଗାଯୋଗ ରକ୍ଷାକରିବା ସମ୍ଭବପର ହୋଇଥାଏ । ମନୁଷ୍ୟ ଶରୀରରେ ରକ୍ତ ଚଳାଚଳର ଅର୍ଥ ଯାହା, ଦେଶରେ ରେଳପଥର ପ୍ରସାର ହେବାର ଅର୍ଥ ମଧ୍ୟ ତାହା । ଶରୀରର ପ୍ରତ୍ୟେକ ଅଂଶରେ ରକ୍ତ ଚଳାଚଳଦ୍ୱାରା ଯେପରି ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ପୁଷ୍ଟିଲାଭ ହୋଇଥାଏ, ସେହିପରି ରେଳପଥର ବିକାଶଦ୍ୱାରା ଦେଶରେ ବାଣିଜ୍ୟବ୍ୟବସାୟର ଉନ୍ନତି ଓ ପ୍ରଗତି ମଧ୍ୟ ସାଧିତ ହୋଇଥାଏ । ଦେହର ଗୋଟିଏ ଅଂଶରେ ରକ୍ତ ଚଳାଚଳର ବ୍ୟାଘାତ ଘଟିଲେ, ସେ ଅଙ୍ଗଟି ଯେପରି ଶୀର୍ଣ୍ଣତା ପ୍ରାପ୍ତ ହୋଇଥାଏ, ଗୋଟିଏ ଦେଶର ଯେଉଁ ଅଂଶରେ ରେଳପଥର ବିକାଶ ଘଟି ନ ଥାଏ, ସେହି ଅଂଶର ଅବସ୍ଥା ମଧ୍ୟ ସେହି ଅବସ୍ଥା ପ୍ରାପ୍ତ ହୁଏ ।’’ ଭାରତବର୍ଷର ଅବିକଶିତ ଅଞ୍ଚଳଗୁଡ଼ିକ ପ୍ରତି ମଧୁସୂଦନଙ୍କ ସେଦିନର ଯୁକ୍ତି ଆଜି ମଧ୍ୟ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ରହିଅଛି !

 

ଅନ୍ୟମାନଙ୍କ ସହିତ ବ୍ୟବହାରରେ ମଧୁସୂଦନଙ୍କ ସ୍ୱଭାବ ବେଶ୍ ଶାନ୍ତ, କୋମଳ, ଭଦ୍ର ଥିଲେ ମଧ୍ୟ କ୍ଷମତାସୀନ ସରକାରୀ କର୍ତ୍ତାମାନେ ବଡ଼ପଣ ଜାହେର୍ କରି ଖାମଖିଆଲ ଢଙ୍ଗରେ ଯେତେବେଳେ ଓଡ଼ିଶା ପ୍ରତି ତାଚ୍ଛଲ୍ୟ ପ୍ରଦର୍ଶନ କରୁଥିଲେ, ସେତେବେଳେ ମଧୁସୂଦନ ନିତାନ୍ତ କଠୋର ଭାବରେ ସେହି ଅନ୍ୟାୟ ଓ ଅନୀତିର ଦୃଢ଼ ସମାଲୋଚନା କରୁଥିଲେ । ଇମ୍ପେରିଆଲ କାଉନ୍ସିଲରେ ପ୍ରବେଶ କରିବା ପରେ ସେଠାରେ ଓଡ଼ିଶା ପ୍ରତି ଯେ ପ୍ରକାର ବ୍ୟବହାର ପ୍ରଦର୍ଶନ କରାଯାଉଥିଲା, ତାହା ଦେଖି ସେ ମନରେ ବଡ଼ ଅଶାନ୍ତି ଅନୁଭବ କରିଥିଲେ । ଥରେ ଇମ୍ପେରିଆଲ୍ କାଉନ୍ସିଲ୍‍ର କମର୍ସ ମେମ୍ୱର ମି: କ୍ଲାର୍କ କାଉନ୍ସିଲରେ ‘ଭାରତୀୟ କମ୍ପାନୀ ବିଲ୍’ ଆଗତକରିବା ଅବକାଶରେ ମଧୁସୂଦନ ଲକ୍ଷ୍ୟକଲେ ଯେ, ବିଲରେ ଯେଉଁ ସବୁ ବିଧିବ୍ୟବସ୍ଥା ଖଞ୍ଜାଯାଇଅଛି, ତାହା ଓଡ଼ିଶାର ସ୍ୱାର୍ଥ ବିରୁଦ୍ଧରେ ଯାଉଅଛି । ପୂର୍ବରୁ ଏହି ବିଷୟରେ ବିଚାର ଆଲୋଚନା କରି ଓଡ଼ିଶା ଆସୋସିଏସନ୍ ଏପ୍ରକାର ବ୍ୟବସ୍ଥାକୁ ଓଡ଼ିଶାରେ ପ୍ରଚଳନ କରିବା ବିରୁଦ୍ଧରେ ମତ ପ୍ରକାଶ କରିସାରିଥିଲା, କାରଣ ଏହା ଦ୍ୱାରା ଓଡ଼ିଶାର ଆଞ୍ଚଳିକ ବ୍ୟବସାୟୀ କମ୍ପାନୀଗୁଡ଼ିକର ବିକାଶ ଓ ପ୍ରଗତି ସମ୍ପୂର୍ଣ୍ଣ ପ୍ରତିହତ ହେବାର ସମ୍ଭାବନା ଥିଲା । ଓଡ଼ିଶା ଆସୋସିଏସନ୍‍ର ବିରୁଦ୍ଧାତ୍ମକ ମତିଗତି ବିଷୟରେ ଉତ୍ତର ଦେଇ ମି: କ୍ଲାର୍କ କାଉନ୍ସିଲରେ କହିଥିଲେ :

 

‘‘ଓଡ଼ିଶାର ଆଭ୍ୟନ୍ତରୀଣ ଅବସ୍ଥା ଯାହା ଓ ସେଠାର ବସବାସ କରୁଥିବା ଲୋକମାନଙ୍କ ଅବସ୍ଥା ଯାହା, ସେପରି ପରିସ୍ଥିତିରେ ସେଠାର ଅଜ୍ଞ ଲୋକମାନଙ୍କୁ ଏସବୁ ବାଣିଜ୍ୟ ବ୍ୟବସାୟ କାରବାରରେ ସ୍ପଷ୍ଟ ଦିବାଲୋକରେ ଓ ବେଶ୍ ଆରାମରେ ପ୍ରତାରିତ କରିବା ପରି ଠକ, ବଦମାସମାନଙ୍କର ଅଭାବ ସେଠାରେ ନାହିଁ । ତେଣୁ ଓଡ଼ିଶାରେ ବାଣିଜ୍ୟ ବ୍ୟବସାୟର ପ୍ରଗତି ପଥରେ ଯଦି କିଛି ପ୍ରକୃତ ପ୍ରବଳ ପ୍ରତିବନ୍ଧକ ରହିଥାଏ, ତେବେ ତାହା ହେଲା ସେମାନଙ୍କ ମାନସିକ ବିକାଶର ନ୍ୟୂନତା ଓ ଆଞ୍ଚଳିକ ଅନୁନ୍ନତ ଅବସ୍ଥା । ଏହା ତୁଳନାରେ ଉପସ୍ଥିତ କମ୍ପାନୀ ବିଲ୍‍ର ସର୍ତ୍ତ ସବୁ ପୂରଣ କରିବା ଲାଗି ପ୍ରାଥମିକ ଯେଉଁ ସବୁ ଛୋଟ ଛୋଟ ଅସୁବିଧା ଦେଖାଦେବାର ବା ଆର୍ଥିକ ବ୍ୟୟର ସମ୍ଭାବନା ଅଛି, ତାହା ନିତାନ୍ତ ତୁଚ୍ଛ । ସେଥିଲାଗି ମୋର ମନେହୁଏ, ଓଡ଼ିଶା ଆସୋସିଏସନ୍ ପ୍ରକୃତ ପରିସ୍ଥିତିର ଦୂରୀକରଣ ଦିଗରେ ଧ୍ୟାନ ନ ଦେଇ ବର୍ତ୍ତମାନ ଆଗତ ହୋଇଥିବା କମ୍ପାନୀ ବିଲ୍‍କୁ କେବଳ ବିରୋଧ କରିବାଦ୍ୱାରା କୌଣସି ସୁଫଳ ଲାଭ କରିପାରିବେ ନାହିଁ ।’’ *

 

*Imperial Council Debates, January, 1913.

 

ଯେଉଁ ଦିନ ମି. କ୍ଳାର୍କ ଓଡ଼ିଶାର ଏହିପରି କୁତ୍ସାରଟନା କରି କାଉନ୍ସିଲରେ ଭାଷଣ ଦେଇଥିଲେ, ସେଦିନ ମଧୁସୂଦନଙ୍କୁ ଅବଶ୍ୟ ନିତାନ୍ତ ବିମର୍ଷ ମନରେ କାଉନ୍ସିଲ ବୈଠକରୁ ଫେରିବାକୁ ପଡ଼ିଥିଲା; କିନ୍ତୁ ମି. କ୍ଳାର୍କଙ୍କର ଓଡ଼ିଶା ବିଷୟରେ ସେହି ବ୍ୟଙ୍ଗ ବିଦ୍ରୂପ ଓ ନିନ୍ଦାଗାନ ତାଙ୍କ ମନରୁ ବହୁଦିନ ପର୍ଯ୍ୟନ୍ତ ଦୂର ହୋଇନଥିଲା । ଏହି ଘଟଣାର କିଛି ମାସ ପରେ ବିହାର-ଓଡ଼ିଶା ପ୍ରଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ପୌନଃପୁନିକ ଖର୍ଚ୍ଚଦାବି ସଂକ୍ରାନ୍ତୀୟ ଏକ ବିଲ୍ ମି. କ୍ଳାର୍କ କାଉନ୍ସିଲରେ ବିଚାର ପାଇଁ ଆଗତକରିବା ସମୟରେ ମଧୁସୂଦନ ପୂର୍ବ ଘଟଣା କତା ମନେପକାଇ ମି. କ୍ଳାର୍କଙ୍କୁ ଠିକଣା ଜବାବ ଦେଇ କହିଥିଲେ :

 

‘‘ମାନ୍ୟବର ସଭ୍ୟ ମହୋଦୟ ବୋଧହୁଏ ଇଣ୍ଡିଆନ୍ କମ୍ପାନୀ ଆଇନ୍ ଓଡ଼ିଶାରେ କିପରିଭାବରେ କାର୍ଯ୍ୟକାରୀ ହୋଇଅଛି, ସେ ବିଷୟ ଏହା ମଧ୍ୟରେ ଅବଗତ ହେବାକୁ ଚେଷ୍ଟା କରିନାହାନ୍ତି । ସେ ବିଲ୍ କିପରିଭାବରେ ଓ କେତେଦୂର ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରିଛି, ସେ ବିଷୟରେ ଯଦି ମାନ୍ୟବର ସଭ୍ୟ ତିଳେ ମାତ୍ର ଧାରଣା କରିପାରିଥାନ୍ତେ, ତେବେ ସେ ନିଶ୍ଚୟ ତାଙ୍କର ପୂର୍ବ ଧାରଣା ପରିବର୍ତ୍ତନ କରି ଅନ୍ୟପ୍ରକାର ସିଦ୍ଧାନ୍ତ ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତେ । ଓଡ଼ିଶାର ବଣ-ଜଙ୍ଗଲମାନଙ୍କରେ ଅବଶ୍ୟ ବହୁତ ବଦମାସ୍ ହାତୀ ଅଛନ୍ତି । ମାନ୍ୟବର ସଭ୍ୟ ଯଦି କେବେ ଓଡ଼ିଶା ଜଙ୍ଗଲକୁ ଶିକାର କରିବାପାଇଁ ଯାଆନ୍ତି, ତେବେ ସେଠାକାର ବଣ-ଜଙ୍ଗଲରେ ରହିଥିବା ବଦମାସ୍ ହାତୀଗୁଡ଼ା ତାଙ୍କ ଜୀବନକୁ ଯେ ବିପନ୍ନ କରିପକାଇବେ, ତାହା ଅବଶ୍ୟ ନିହାତି ସତକଥା; କିନ୍ତୁ ମାନ୍ୟବର ସଭ୍ୟ ଦେଖିପାରିବେ ଯେ ହାତୀଗୁଡ଼ାକ ତାଙ୍କ ପାଖରୁ ଟଙ୍କା ପଇସା ଠକେଇ ନେଇନାହାନ୍ତି; ବରଂ ‘ପିକାଡ଼େଲି ସର୍କସ’ ଅଞ୍ଚଳରେ ତାଙ୍କ ପକେଟରେ ଥିବା ଟଙ୍କା-ପଇସାର ଯେଉଁ ଦୁର୍ଗତି ଘଟିବାର ସମ୍ଭାବନା ବରାବର ରହିଅଛି, ଓଡ଼ିଶାର ଘୋର ଜଙ୍ଗଲ ଭିତରେ ବି ସେ ପ୍ରକାର ପରିସ୍ଥିତିରୁ ତାଙ୍କ ପକେଟ୍ ରକ୍ଷାପାଇ ଯାଇଥିବ ।*

 

*Imperial Council Debates, March 7, 1913.

 

ମଧୁସୂଦନଙ୍କ ଏହି ତିର୍ଯ୍ୟକ୍ ସମାଲୋଚନାର ଅର୍ଥ ନିତାନ୍ତ ସ୍ପଷ୍ଟ ଥିଲା । ମାସ କେଇଟା ତଳେ ଓଡ଼ିଶା ଆସୋସିଏସନ୍‍ର ପ୍ରତିନିଧିଙ୍କୁ ସେଦିନ ଭଗ୍ନମନ ନେଇ ବାଉନ୍ସିଲ କକ୍ଷରୁ ଫେରିବାକୁ ପଡ଼ିଥିଲା ଅବଶ୍ୟ; କିନ୍ତୁ ‘ପିକାଡ଼େଲି ସର୍କସ’ର ପ୍ରତିନିଧିଙ୍କୁ ଆଜି ନୀରବ କ୍ରୋଧର ଅନ୍ତର୍ଦାହ ସହ୍ୟ କରି ଏକାକୀ କାଉନ୍ସିଲ ଚାମ୍ୱରରୁ ବିଦାୟ ନେବାକୁ ହେଉଥିଲା ।

Image

 

(୧୪)

ରିଫର୍ମସ୍ ଅମଳରେ ମନ୍ତ୍ରିତ୍ୱ

 

ଇଂ 1921 ମସିହାରେ ବିହାର-ଓଡ଼ିଶା ପ୍ରଦେଶର ମନ୍ତ୍ରିତ୍ୱ ପଦଲାଭ ମଧୁସୂଦନଙ୍କ ଜୀବନର ପରବର୍ତ୍ତୀ ସ୍ମରଣୀୟ ଘଟଣା । ସେତେବେଳକୁ ତାଙ୍କର ବୟସ ହୋଇଥାଏ ତେସ୍ତରି । ଏହାର ମାତ୍ର ଦୁଇବର୍ଷ ପରେ ଇଂ 1923 ମସିହାରେ ଗୋଟିଏ ନୀତିଗତ ପ୍ରଶ୍ନ ଉପରେ ସେ ମନ୍ତ୍ରିତ୍ୱରୁ ବିଦାୟ ନେଇଥିଲେ । ସେତେବେଳକୁ ଭାରତର ଅବସ୍ଥା ମଣ୍ଟେଗୁ-ଚେମସଫୋର୍ଡ଼ ଶାସନ ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗୀ ଥିଲା । ତଥାପି ସେ ସମୟରେ ଭାରତରେ ଏହାର ପ୍ରୟୋଗ ହେବା ଫଳରେ ଦେଶର ବିଭିନ୍ନ ଅଂଶରେ ଦାୟିତ୍ୱସମ୍ପନ୍ନ ସରକାର ସବୁ ଗଢ଼ାହେବାରେ ଲାଗିଲା । ଏହି ଅବସରରରେ ବିହାର-ଓଡ଼ିଶା ପ୍ରଦେଶରେ ଯେଉଁ ସରକାର ଗଢ଼ାଗଲା, ସେଥିରେ ମଧୁସୂଦନ ଯୋଗଦେଇ ଗଣତାନ୍ତ୍ରିକ ସରକାରର ପ୍ରାଥମିକ ଅନୁଶୀଳନ ଦିଗରେ ବହୁ ମୂଲ୍ୟବାନ ଅବଦାନ ଦେଇଥିଲେ । ତାଙ୍କର ସଂକ୍ଷିପ୍ତ ମନ୍ତ୍ରିତ୍ୱକାଳ ମଧ୍ୟରେ ସେ ଏ ଦିଗରେ ଯେଉଁ ସବୁ ନୂତନ ଦିଗ୍‍ଦର୍ଶନ ଦେଇଥିଲେ, ସେଥିପାଇଁ ସେ ଗଣତାନ୍ତ୍ରିକ ଶାସନର ଇତିହାସରେ ବହୁକାଳ ସ୍ମରଣୀୟ ହୋଇ ରହିବେ ।

 

ମଣ୍ଟେଗୁ-ଚେମସଫୋର୍ଡ଼ ରିଫର୍ମ ପ୍ରୟୋଗ ଫଳରେ ମଧୁସୂଦନଙ୍କୁ ମନ୍ତ୍ରିତ୍ୱ ପଦ ବରଣ କରିବାକୁ ପଡ଼ିଥିଲା । ଲର୍ଡ଼ ହାର୍ଡ଼ିଞ୍ଜ ଏହା ପୂର୍ବରୁ ଓଡ଼ିଶା ପ୍ରତି ଯେଉଁ ଅନ୍ୟାୟ କରିଥିଲେ, ଏଥିରେ ତାହାର କେତେକ ପ୍ରତିବିଧାନ କରାଯାଇଥିଲା ।

 

ଭାରତୀୟ-ଶାସନ ବ୍ୟବସ୍ଥା ସମ୍ପର୍କରେ ଯେଉଁ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟ ପ୍ରକାଶ ପାଇଥିଲା, ସେଥିରେ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ବୋଲି ଗ୍ରହଣ କରାନଯାଇଥିଲେ ମଧ୍ୟ ତାହାକୁ ଗୋଟିଏ ସବ୍-ଷ୍ଟେଟ୍ ପାହିଆ ମିଳିପାରିଥିଲା । ଏହି ସବ୍-ଷ୍ଟେଟ୍ ପାହିଆ ମିଳିବାକୁ ଅର୍ଥ ଅବଶ୍ୟ କିଛି ନ ଥିଲା । ଏହାଦ୍ୱାରା ଓଡ଼ିଶାର ଅବସ୍ଥାରେ ଉନ୍ନତି ଘଟିବାର କୌଣସି ସମ୍ଭାବନା ନଥିଲା; କିନ୍ତୁ ନିକଟ ଭବିଷ୍ୟତରେ ଓଡ଼ିଶାକୁ ଗୋଟିଏ ପୂରାପୂରି ସ୍ୱତନ୍ତ୍ର ପ୍ରଦେଶ କରିବାର ପ୍ରତିଶ୍ରୁତି ଏହି ରିପୋର୍ଟରେ ଦିଆଯାଇଥିଲା । ଭାଷାଭିତ୍ତିରେ ନୂଆ ନୂଆ ପ୍ରଦେଶ ଗଠନ କରିବା ନୀତିକୁ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟରେ ଗ୍ରହଣ କରାଯାଇ ନଥିଲା; ବରଂ ସେ ପ୍ରକାର ନୀତି ଅନୁସରଣ କରିବା ବିରୋଧରେ ଏହି ରିପୋର୍ଟରେ କୁହାଯାଇଥିଲା । ତଥାପି ଓଡ଼ିଶା ସମ୍ୱନ୍ଧରେ ଭିନ୍ନ ମତ ପୋଷଣ କରି ରିପୋର୍ଟରେ କୁହାଯାଇଥିଲା, ‘‘କିନ୍ତୁ ଓଡ଼ିଶା ଓ ବେରାର ବିଷୟ ବିଚାରକରି ଆମ୍ଭେମାନେ ଏହି ମତ ଦେଉଅଛୁ ଯେ, ଖୁବ୍ ନିକଟରେ ଏହି ରାଜ୍ୟ ଦୁଇଟିକୁ ପ୍ରାଦେଶିକ ପାହିଆ ମିଳିବା ବିଷୟ ସ୍ଥିରକରିଦେବା ଉଚିତ ହେବ ।’’

 

ଭାରତରେ ସାମ୍ୱିଧାନିକ ଶାସନ ବ୍ୟବସ୍ଥାର ସଂସ୍କାର ନିମନ୍ତେ ଯେଉଁ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟ ପ୍ରକାଶିତ ହୋଇଥିଲା, ସେଥିରେ ‘ସବ୍-ପ୍ରୋଭିନ୍ସ’ ଶବ୍ଦ ବ୍ୟବହୃତ ହେବାର ଯଥେଷ୍ଟ ପୂର୍ବରୁ 1913 ମସିହାରେ ଇମ୍ପେରିଆଲ୍ କାଉନ୍ସିଲରେ ସେ ଓଡ଼ିଶା ବିଷୟରେ ଭାଷଣଦେବା ଅବକାଶରେ ଓଡ଼ିଶାକୁ ଗୋଟିଏ ‘ସବ୍-ପ୍ରୋଭିନ୍ସ’ ବୋଲି ଅଭିହିତ କରିଥିବେ । ତେଣୁ ବିହାର-ଓଡ଼ିଶା ପ୍ରଦେଶ ମଧ୍ୟରେ ଓଡ଼ିଶାକୁ ଗୋଟିଏ ‘ସବ୍-ପ୍ରୋଭିନ୍ସ’ ରୂପେ ସ୍ୱୀକୃତି ମିଳିବା ବିଷୟରେ ମଧୁସୂଦନଙ୍କ ପ୍ରଚେଷ୍ଟା ହିଁ ମଣ୍ଟେଗୁ-ଚେମସ୍ଫୋର୍ଡ଼ କମିଟିର ମତାମତକୁ ଯେ ଯଥେଷ୍ଟ ପରିମାଣରେ ପ୍ରଭାବିତ କରିଥିଲା, ତହିଁରେ ସନ୍ଦେହର ଅବକାଶ ନଥିଲା । ଇମ୍ପେରିଆଲ କାଉନସିଲରେ ମଧୁସୂଦନଙ୍କ ସବଳ ପ୍ରତିନିଧିତ୍ୱ ଫଳରେ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟରେ ଓଡ଼ିଶାକୁ ଗୋଟିଏ ‘ସବ୍-ପ୍ରୋଭିନ୍ସ’ ଭାବରେ ସ୍ୱୀକାର କରାଯାଇଥିବା ଦୃଷ୍ଟିରୁ, ବିହାର-ଓଡ଼ିଶା ପ୍ରଦେଶ ସର୍ବପ୍ରଥମ ଭାରତୀୟ ଗଭର୍ଣ୍ଣର ଲର୍ଡ଼ ସିହ୍ନା ବିହାର-ଓଡ଼ିଶା ପ୍ରଦେଶର ମନ୍ତ୍ରିମଣ୍ଡଳରେ ଯୋଗଦେବା ନିମନ୍ତେ ସ୍ୱତଃ ମଧୁସୂଦନଙ୍କୁ ନିମନ୍ତ୍ରଣ ଜଣାଇଥିଲେ ଏବଂ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା, ଜନସ୍ୱାସ୍ଥ୍ୟ ବିଭାଗ ଓ ନିର୍ମାଣ ବିଭାଗର ଦାୟିତ୍ୱ ଗ୍ରହଣକରିବାକୁ ତାଙ୍କୁ ଅନୁରୋଧ କରିଥିଲେ ।

 

ଭାରତର ସାମ୍ୱାଧାନିକ ଶାସନ ବ୍ୟବସ୍ଥାର ସଂସ୍କାର ନିମନ୍ତେ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟରେ ଯାହା ସବୁ ସୁପାରିସ୍ କରାଯାଇଥିଲା, ତାହାଦ୍ୱାରା ଭାରତୀୟମାନଙ୍କର ଆତ୍ମନିୟନ୍ତ୍ରଣ ଓ ସ୍ୱାୟତ୍ତ ଶାସନ ସମ୍ୱନ୍ଧୀୟ ଦାବିଗୁଡ଼ିକର ପରିପୂରଣ ଘଟି ନ ଥିବା କାରଣରୁ ତାହା ବିରୁଦ୍ଧରେ ସାରା ଦେଶରେ ପ୍ରବଳ ପ୍ରତିବାଦ ମୁଣ୍ଡଟେକି ଉଠିଥିଲା । ଏହି ରିପୋର୍ଟର ସୁପାରିସ୍ ଅନୁଯାୟୀ ଜନସ୍ୱାସ୍ଥ୍ୟ ବିଭାଗ, ନିର୍ମାଣ ବିଭାଗ ଓ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା ବ୍ୟତୀତ ଅନ୍ୟାନ୍ୟ ବିଷୟଗୁଡ଼ିକର ନିୟନ୍ତ୍ରଣ ଦାୟିତ୍ୱ ପୂରାପୂରି ପ୍ରାଦେଶିକ ଗଭର୍ଣ୍ଣରମାନଙ୍କ କର୍ତ୍ତୃତ୍ୱରେ ଅବସ୍ଥାପିତ ଥିଲା । ପୁଣି ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ହାତକୁ ଯେଉଁ ଦାୟିତ୍ୱଗୁଡ଼ିକ ହସ୍ତାନ୍ତର କରାଯାଇଥିଲା, ସେଗୁଡ଼ିକରେ ମଧ୍ୟ ଉକ୍ତ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରିବାର ସୁବିଧା ନଥିଲା; କାରଣ ଏ ବିଷୟମାନଙ୍କରେ ମଧ୍ୟ ସେମାନଙ୍କୁ ପ୍ରାଦେଶିକ ଗଭର୍ଣ୍ଣରମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ଅଧୀନରେ ରହି, ସେମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ୁଥିଲା, ମଣ୍ଟେଗୁ- ଚେମସଫୋର୍ଡ଼ କମିଟି ପ୍ରକୃତରେ ଭାରତୀୟ ରାଜନୈତିକ ଅନୁଷ୍ଠାନଗୁଡ଼ିକୁ ସୁଶୃଙ୍ଖଳା ଓ ବିଧିବଦ୍ଧଭାବରେ କାର୍ଯ୍ୟକାରୀ ହେବା ଦିଗରେ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଗଠିତ ହୋଇଥିଲା । ଏହି ଅନୁଷ୍ଠାନଗୁଡ଼ିକ ହାତରେ ଅଧିକ କ୍ଷମତା ସମର୍ପଣ କରି ସେମାନଙ୍କୁ ସ୍ୱାୟତ୍ତଶାସନ ଦିଗରେ ଅନୁପ୍ରାଣିତ କରିବା ବା ତାଲିମ କରିବା ଦିଗରେ ସହାୟକ ହେବା ମଣ୍ଟେଗୁ- ଚେମସଫୋର୍ଡ଼ କମିଟିର ଲକ୍ଷ୍ୟ ନ ଥିଲା । ତେଣୁ ଏହି କମିଟିର ରିପୋର୍ଟରେ ଭାରତୀୟ ସାମ୍ୱାଧାନିକ ଶାସନ ବ୍ୟବସ୍ଥାର ସଂସ୍କାର ନିମନ୍ତେ ଯାହା ଯେପରି ସୁପାରିସ୍ କରାଯାଇଥିଲା, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା । କମିଟି ଭାରତୀୟ ରାଜନୈତିକ ସଂସ୍ଥାଗୁଡ଼ିକୁ ବର୍ତ୍ତମାନ ସେପରି କୌଣସି ଉଲ୍ଲେଖଯୋଗ୍ୟ କ୍ଷମତା ଅର୍ପଣ ନ କରି ଭବିଷ୍ୟତରେ ସେମାନଙ୍କ ହାତରେ ସେହି କ୍ଷମତା ଅର୍ପଣ କରିବା ବିଷୟ ସୂଚନା ଦେଇଥିଲା । ଶ୍ରୀ ଦିନେଶ ଓ୍ୱାଚା, ସୁରେନ୍ଦ୍ରନାଥ ବାନାର୍ଜି, ଭୂପେନ୍ଦ୍ର ନାଥ ବସୁ ଓ ଅମ୍ୱିକାଚରଣ ମଜୁମଦାର ପ୍ରଭୃତି ପ୍ରସିଦ୍ଧ କଂଗ୍ରେସନେତାମାନେ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟକୁ ଗ୍ରହଣ କରି ନେଇଥିଲେ ମଧ୍ୟ, ନିଖିଳ ଭାରତ କଂଗ୍ରେସ କିନ୍ତୁ ଏହି କମିଟିର ରିପୋର୍ଟକୁ ଗ୍ରହଣ ନକରି ସ୍ୱାୟତ୍ତଶାସନ ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ କଂଗ୍ରେସ-ଲିଗ ଯେଉଁ ସବୁ ସୁପାରିସ୍ କରିଥିଲା, ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ତାହା ଉପରେ ଜୋର୍ ଦେଇ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ।

 

ସେତେବେଳେ ଇଂରେଜ ସରକାର ଭାରତର ନୂଆକରି ଯେଉଁ ରାଓଲଟ୍ ବିଲ୍ ପ୍ରବର୍ତ୍ତନ କରିଥାଏ, ତାହା ଫଳରେ ଦେଶର ଚାରିଆଡ଼େ ଅତ୍ୟାଚାରର ସୁଅ ଛୁଟିଥାଏ । ଏହି ଅତ୍ୟାଚାର ବିରୁଦ୍ଧରେ ଦେଶର ନାନାସ୍ଥାନରେ ପ୍ରବଳ ଜନବିକ୍ଷୋଭ ମୁଣ୍ଡଟେକି ଉଠିଥାଏ । ସରକାରୀ ଅତ୍ୟାଚାରର ଏହି ପ୍ରଚଣ୍ଡ ଦମନଲୀଳା ବିରୁଦ୍ଧରେ ସେତେବେଳକୁ ମହାତ୍ମା ଗାନ୍ଧୀ ଦେଶରେ ‘ଅସହଯୋଗ ଆନ୍ଦୋଳନ’ର ଡାକରା ଦେଇଥାନ୍ତି । ସେହି ‘ଅସହଯୋଗ ଆନ୍ଦୋଳନ’ର ଡାକରା ପାଇ ସାରା ଦେଶରେ ନିତିପ୍ରତି ନାନା ଘଟଣା ଘଟୁଥାଏ । ସେ ସମୟରେ ସାରା ଦେଶରେ ଏହିପରି ଗୋଟାଏ ଚାଞ୍ଚଲ୍ୟକର ପରିସ୍ଥିତି ଘଟି ନ ଥିଲେ ହୁଏତ ଅବା ନିଖିଳ ଭାରତ କଂଗ୍ରେସ ଅନୁଷ୍ଠାନ ଏହି ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟକୁ ଗ୍ରହଣ କରିନେଇଥାନ୍ତା; କିନ୍ତୁ ଦେଶରେ ଅସ୍ୱାଭାବିକ ପରିସ୍ଥିତି ଯୋଗୁ ତାହା ସମ୍ଭବପର ହୋଇପାରି ନ ଥିଲା । 1921 ମସିହା ଭାରତ ପକ୍ଷରେ ଥିଲା ବିଦ୍ରୋହ ଓ ନୂତନ ଶପଥ ଗ୍ରହଣର ସ୍ମରଣୀୟ କାଳ । ଏହିପରି ପରିସ୍ଥିତିରେ ମଣ୍ଟେଗୁ- ଚେମସଫୋର୍ଡ଼ ରିପୋର୍ଟର ସୁପାରିସ୍ ଅନୁଯାୟୀ ଭାରତରେ ଯେଉଁ ନୂତନ ଶାସନ ବ୍ୟବସ୍ଥାର ପ୍ରଚଳନ କରାଗଲା, ତାହା ଅନୁଯାୟୀ ମଧୁସୂଦନ ବିହାର-ଓଡ଼ିଶା ପ୍ରଦେଶର ମନ୍ତ୍ରିମଣ୍ଡଳରେ ଯୋଗଦେଇଥିବା ହେତୁ ନାନାଦି ବାଦବିସମ୍ୱାଦର ସୃଷ୍ଟି ହେଲା । ଓଡ଼ିଶାରେ କଂଗ୍ରେସ ଦଳର ଲୋକମାନେ ମଧୁସୂଦନଙ୍କ ବିରୁଦ୍ଧରେ ନାନା ସଭା-ସମିତି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି କଟକ ସହରରେ ମଧ୍ୟ ମଧୁସୂଦନଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ସୁରେନ୍ଦ୍ରନାଥ ବାନାର୍ଜି ଭାରତୀୟ ଜାତୀୟ କଂଗ୍ରେସର ଦୁଇ ଦୁଇଥର ପ୍ରେସିଡେଣ୍ଟ ହୋଇଥିଲେ ମଧ୍ୟ ମଣ୍ଟେଗୁ- ଚେମସଫୋର୍ଡ଼ ଶାସନ ସଂସ୍କାର ବ୍ୟବସ୍ଥା ଫଳରେ ସେ ବଙ୍ଗଳା ପ୍ରଦେଶର ମନ୍ତ୍ରିମଣ୍ଡଳରେ ଯୋଗଦେଇଥିଲେ । ସେଥିଲାଗି କିନ୍ତୁ ତାଙ୍କୁ ବଙ୍ଗଳାରେ କେହି ଭର୍ତ୍ସିତ କରି ନଥିଲେ; କିନ୍ତୁ ସେ ବିଷୟ ପ୍ରତି ଦୃଷ୍ଟି ନ ଦେଇ ଓଡ଼ିଶାର କଂଗ୍ରେସୀ ଲୋକେ ମଧୁସୂଦନଙ୍କୁ ନାନା ପ୍ରକାର ଉପାୟରେ ନିନ୍ଦିତ କରିବାରେ ଲାଗିଗଲେ ।

 

ସେ ସମୟର ସେହି ମନାନ୍ତର, ମତାନ୍ତର ଓ ବିବାଦର ଘୂର୍ଣ୍ଣିବାତ୍ୟା ଇତିହାସର ପୃଷ୍ଠାରେ ଦୀର୍ଘକାଳର ବ୍ୟବଧାନ ଫଳରେ ଆଜି ସମ୍ପୂର୍ଣ୍ଣ ପ୍ରଶମିତ ହୋଇଯିବାପରେ, ସେହି ଘଟଣାବଳୀକୁ ନିରପେକ୍ଷ ଦୃଷ୍ଟିରେ ବର୍ତ୍ତମାନ ଅବଲୋକନ କଲେ ନିଃସନ୍ଦେହରେ ମନରେ ଧାରଣା ଜନ୍ମେ ଯେ ମଣ୍ଟେଗୁ- ଚେମସଫୋର୍ଡ଼ ଶାସନ ବ୍ୟବସ୍ଥାରେ ଯେଉଁ ସବୁ ଗୁରୁଦାୟିତ୍ୱକୁ ସଫଳଭାବରେ କାର୍ଯ୍ୟକାରୀ କରିବା ଭାରତୀୟମାନଙ୍କଠାରୁ ଆଶା କରାଯାଉଥିଲା, ମଧୁସୂଦନଙ୍କ ପରି ବ୍ୟକ୍ତିମାନେ ଇଂରେଜ ସରକାରର ସେ ଆହ୍ୱାନକୁ ସଫଳଭାବରେ କାର୍ଯ୍ୟକାରୀ କରି ଭାରତୀୟମାନଙ୍କୁ ଯଥାଶୀଘ୍ର ସ୍ୱାୟତ୍ତଶାସନ ଅଧିକାର ମିଳିବା ଦିଗରେ ଯଥେଷ୍ଟ ସହାୟକ ହୋଇଅଛନ୍ତି; କିନ୍ତୁ ଭାରତୀୟମାନଙ୍କର ଆଶ ଆକାଂକ୍ଷା ପୂରଣ କରିବା ଦିଗରେ ଯେଉଁମାନେ ସେଦିନ କ୍ରୋଧ, ଘୃଣା ଆଉ ଈର୍ଷା ଜର୍ଜରିତ ହୋଇ ମଧୁସୂଦନଙ୍କ ବିରୁଦ୍ଧରେ କୁତ୍ସାରଟନା କରୁଥିଲେ ବା ତାଙ୍କର କୁଶପୁତ୍ତଳିକା ଦହନ କରୁଥିଲେ, ସେମାନେ ନିଶ୍ଚୟ ଭାତରୀୟମାନଙ୍କୁ ଆତ୍ମଶାସନ ଅଧିକାର ମିଳିବା ଦିଗରେ ତେତେ ପରିମାଣରେ ସହାୟକ ହୋଇପାରି ନ ଥିଲେ ।

 

‘ବିହାର-ଓଡ଼ିଶା’ ସରକାରରେ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗର ମନ୍ତ୍ରୀ ଥିବା ସମୟରେ ମଧୁସୂଦନ ସେହି ବ୍ୟବସ୍ଥାକୁ ଯଥାଯଥଭାବରେ କାର୍ଯ୍ୟକାରୀ କରିବାସମ୍ପର୍କରେ ଦୁଇଟି ନୂତନ ଆଇନ ପ୍ରଣୟନ କରିଥିଲେ । ଗୁଣର ଉତ୍କୃଷ୍ଟତା ଦୃଷ୍ଟିରୁ ସେହି ଦୁଇଟି ବ୍ୟବସ୍ଥା ବିଶେଷ ଉଲ୍ଲେଖଯୋଗ୍ୟ ଥିଲା । ମଧୁସୂଦନଙ୍କ ମନ୍ତ୍ରିତ୍ୱକାଳରେ ଏହା ସର୍ବଶ୍ରେଷ୍ଠ ଅବଦାନ ଥିଲା ବୋଲି କୁହାଯାଇପାରେ । ପ୍ରଥମ ଆଇନଟିଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ‘ରିକଲ’ ବା ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା । ଏହା ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା, ସେଥିରେ ଜନସାଧାରଣ ସେମାନଙ୍କ ମନ ମୁତାବକ କୌଣସି ଏକ ବ୍ୟକ୍ତିଙ୍କୁ ନିର୍ବାଚନରେ ଭୋଟ ଦେଇଦେବା ପରେ ତାଙ୍କର କାର୍ଯ୍ୟ ସରିଯାଉଥିଲା; ମାତ୍ର ବର୍ତ୍ତମାନର ବ୍ୟବସ୍ଥା ଫଳରେ ନିର୍ବାଚିତ ପ୍ରତିନିଧିମାନେ ଯଦି ଜନସାଧାରଣଙ୍କ ଆଶା ଆାକାଂକ୍ଷା ପୂରଣ କରିବାରେ ଅସମର୍ଥ ହୁଅନ୍ତି, ତେବେ ସେମାନଙ୍କୁ ପୁଣି ଜିଲ୍ଲାବୋର୍ଡ଼ ବା ଲୋକାଲବୋର୍ଡ଼ମାନଙ୍କରୁ ଫେରାଇ ନେବାର କ୍ଷମତା ଜନସାଧାରଣଙ୍କ ହାତରେ ନ୍ୟସ୍ତ କରାଗଲା । ତେଣୁ ଏହି ବ୍ୟବସ୍ଥା ଫଳରେ ଜନସାଧାରଣ ହିଁ ପ୍ରକୃତ କ୍ଷମତାର ଅଧିକାରୀ ହୋଇପାରିଥିଲେ । ଦ୍ୱିତୀୟ ଆଇନଟିରେ ଜିଲ୍ଲାବୋର୍ଡ଼ ଓ ଲୋକାଲଫୋର୍ଡ଼ ଆଦି ସ୍ୱାୟତ୍ତଶାସିତ ଅନୁଷ୍ଠାନମାନଙ୍କରେ ଅନୁନ୍ନତ ସମ୍ପ୍ରଦାୟର ଲୋକମାନଙ୍କର ପ୍ରତିନିଧିତ୍ୱର ବ୍ୟବସ୍ଥା କରାଯାଇଥିଲା-। 1922 ମସିହା ଅଗଷ୍ଟ ମାସ 25 ତାରିଖରେ ମଧୁସୂଦନ ସେଣ୍ଟ୍ରାଲ ଲେଜିସଲେଟିଭ କାଉନ୍ସିଲର ପ୍ରେସିଡ଼େଣ୍ଟ ସାର୍ ଫ୍ରେଡ଼େରିକ ହ୍ୱାଇଟ୍‍ଙ୍କୁ ଲେଖିଥିବା ଏକ ପତ୍ରରେ ଏହି ବିଷୟ ଲେଖି ଜଣାଇଥିଲେ । କହିବା ବାହୁଲ୍ୟ ଯେ ଆଜିଯାଏ ମଧ୍ୟ ଗୁଣର ଉତ୍କୃଷ୍ଟତା ଦୃଷ୍ଟିରୁ ଏହି ଆଇନ ଦୁଇଟି ତଥାପି ଆଦର୍ଶ ସ୍ଥାନୀୟ ଓ ଅନୁକରଣୀୟ ବ୍ୟବସ୍ଥାରୂପେ ବିବେଚିତ ହୋଇଆସୁଅଛି ।

Image

 

(୧୫)

Unknown

ମନ୍ତ୍ରିତ୍ୱରୁ ଇସ୍ତଫା

 

ପାଟନାର ଗୋଟିଏ କ୍ଲବରେ ଥରେ ଖୁବ୍ ଧୁମ୍‍ଧାମ୍ ମଉଜ ମଜଲିସ ଚାଲିଥାଏ । ତା’ରି ଭିତରେ ଜଣେ ଉଚ୍ଚପଦସ୍ଥ ବ୍ରିଟିଶ୍ କର୍ମଚାରୀ ମଧୁସୂଦନଙ୍କୁ ଲକ୍ଷ୍ୟକରି ବ୍ୟଙ୍ଗଭରା କଣ୍ଠରେ ପଚାରିଦେଲେ, ‘‘ଆପଣ ଜାଣନ୍ତି ମିଃ. ଦାସ ! ଇଂରେଜ ସାମ୍ରାଜ୍ୟରେ ସୂର୍ଯ୍ୟ କେତେବେଳେ ହେଲେ ଅସ୍ତ ହୁଏନାହିଁ ?’’ ମନ୍ତ୍ରୀ ହିସାବରେ ମଧୁସୂଦନ ତାଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗଗୁଡ଼ିକର ହେଡ଼୍ସ-ଅଫ୍ ଡିପାର୍ଟମେଣ୍ଟ ବା ମୁଖ୍ୟ କର୍ମକର୍ତ୍ତାମାନଙ୍କର କାର୍ଯ୍ୟବଳୀକୁ ବରାବର ତନଖି ଦେଖିବା ଫଳରେ ଅନେକ ଘଟଣାରେ, ଅନେକ ସମୟରେ ସେମାନେ ମଧୁସୂଦନଙ୍କ ପ୍ରତି ମନେ ମନେ ବିରକ୍ତି ପ୍ରକାଶ କରୁଥିଲେ । ତାହା ଫଳରେ ସେମାନେ ମଧ୍ୟ ସୁବିଧା ସୁଯୋଗ ଉଣ୍ଡି ମଧୁସୂଦନଙ୍କୁ ବାଟରେ ଘାଟରେ ଅପଦସ୍ଥ କରିବାକୁ ଛାଡ଼ୁ ନଥିଲେ । ମନ୍ତ୍ରୀ ହିସାବରେ ନିଜର ପଦମର୍ଯ୍ୟାଦା ବଳରେ ଏହିପରି ଭାବରେ ମଧୁସୂଦନ ଉଚ୍ଚପଦସ୍ଥ ଇଂରେଜ କର୍ମଚାରୀମାନଙ୍କୁ ବେଶ୍ ଦି’ପଦ ଶୁଣାଉଥିବାରୁ, ତାହାର ପ୍ରତିଶୋଧ ନେବାକୁ ଜନୈକ ବ୍ରିଟିଶ୍ ଅଫିସର ସେଦିନ କ୍ଳବରେ ମଧୁସୂଦନଙ୍କୁ ଏ ରକମ କଥାଟାଏ ପଚାରି ଦେଇଥିଲେ ।

 

କଥାଟା ମଧୁସୂଦନଙ୍କ କାନରେ ପଡ଼ିବା ମାତ୍ରେ, ସେ ସାଙ୍ଗେ ସାଙ୍ଗେ ସେହି ବ୍ରିଟିଶ୍ ଲୋକଟାକୁ ଜବାବ ଦେଇଥିଲେ: ‘‘ହଁ, ମୁଁ ଜାଣେ । ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେତେବେଳେ ହେଲେ ଅସ୍ତ ହୁଅନ୍ତିନାହିଁ; କାରଣ ବ୍ରିଟିଶ୍ ଲୋକମାନଙ୍କୁ ଅନ୍ଧାରରେ ଛାଡ଼ିଦେବାକୁ ସୂର୍ଯ୍ୟ ବିଶ୍ୱାସ କରିପାରନ୍ତି ନାହିଁ । ତେଣୁ ସେ ସବୁବେଳେ ସେମାନଙ୍କ ଉପରେ ନଜର ରଖିଥାନ୍ତି ।’’ ବାସ୍, ସେତିକିରେ ବିଚାରା ସେ ଇଂରେଜ ଅଫିସରଟି ବିଲ୍‍କୁଲ୍‍ ଚୁପ୍ ।

 

ମନ୍ତ୍ରିତ୍ୱ ଗ୍ରହଣ କରିବାର ଅଳ୍ପକାଳ ମଧ୍ୟରେ ତାଙ୍କୁ ଆଉ ଅଧିକ ଦିନ ସେ ପଦରେ ରହିବାକୁ ଭଲଲାଗିଲା ନାହିଁ । ଇଂରେଜ କର୍ମକର୍ତ୍ତାଙ୍କ ଅଧୀନରେ ମନ୍ତ୍ରୀ ହିସାବରେ ରହିବାରେ ସେ ନିଜର ପଦଲାଘବ ହେଉଥିବାର ଅନୁଭବ କରି ଅସ୍ଥିର ହୋଇ ଉଠୁଥିଲେ । ସେ ଅନୁଭବ କଲେ ଯେ ଏଥିରେ ଶାନ୍ତି ନାହିଁ ବା ସମ୍ମାନ ବି ନାହିଁ । ଯେଉଁ ଡିପାର୍ଟମେଣ୍ଟାଲ ମୁଖ୍ୟ ବା ବିଭାଗୀୟ ମୁଖ୍ୟକର୍ତ୍ତାମାନଙ୍କ ମାଧ୍ୟମରେ ସେ ମନ୍ତ୍ରୀ ହିସାବରେ କାର୍ଯ୍ୟ କରିବା କଥା, ମଧୁସୂଦନ ଦେଖିଲେ, ସେମାନେ ତାଙ୍କୁ ବିଶ୍ୱାସର ଚକ୍ଷୁରେ ଦେଖୁନାହାନ୍ତି । ଏଣେ ଇଂରେଜ ଗଭର୍ଣ୍ଣରଙ୍କ କର୍ତ୍ତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହିସାବରେ ରହିବାଦ୍ୱାରା ସେ ପ୍ରଦେଶବାସୀ ଜନସାଧାରଣଙ୍କର ମଧ୍ୟ ବିଶ୍ୱାସଭାଜନ ହୋଇପାରୁନାହାନ୍ତି । ପୁଣି ମନ୍ତ୍ରିମଣ୍ଡଳର ବିଭିନ୍ନ କାର୍ଯ୍ୟାବଳୀରେ ମଧ୍ୟ ତାଙ୍କର ମନଃପୁତ ହେଉନଥାଏ । ତେଣୁ ମନ୍ତ୍ରି-ଗାଦିରେ ବସି ସେ ଦିନକୁ ଦିନ ଅସ୍ଥିର ହୋଇ ଉଠିଲେ ଓ ତାଙ୍କ ମନରେ ନାନା ସନ୍ଦେହ ଦେଖାଦେବାକୁ ଲାଗିଲା । ତାଙ୍କର ଏହିପରି ମାନସିକ ଅସ୍ୱସ୍ତି ଲକ୍ଷ୍ୟକରି ଡ: ସଚ୍ଚିଦାନନ୍ଦ ସିନ୍ହା ଲେଖିଛନ୍ତି : ‘‘ଇଂରେଜମାନଙ୍କଦ୍ୱାରା ପୂର୍ଣ୍ଣଭାବରେ ପ୍ରଭାବିତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଭାବରେ ରହିବାଦ୍ୱାରା ତାଙ୍କ ମନରେ ଯେଉଁ ଅଶାନ୍ତି ଓ ଅସୂୟାଭାବ ସବୁବେଳେ ଖେଳିବୁଲୁଥିଲା, ସେ ବିଷୟ ମଧୁସୂଦନ ଖୋଲାଖୋଲି ପ୍ରକାଶ କରିଦେଉଥିଲେ । ଥରେ ବିହାର-ଓଡ଼ିଶା ଲେଜିସଲେଟିଭ କାଉନସିଲରେ ଗୋଟିଏ ଭାଷଣ ଦେଉଥିବା ସମୟରେ ସେ ଏକ ପର୍ସିଆନ୍ କବିତା ଆବୃତ୍ତ କରି ତାଙ୍କ ଭାଷଣ ଶେଷ କରିଥିଲେ । ଏହି କବିତାଟି ପ୍ରସିଦ୍ଧ କବି ସାଦିଙ୍କର ଗୁଲିସ୍ତାନ୍ କବିତାଗୁଚ୍ଛରୁ ସେ ସଂଗ୍ରହ କରିଥିଲେ । ଏହି କବିତାର ସାରକଥା ହେଲା : ସାରା ଦୁନିଆରୁ ମଣିଷ ସମାଜ ଲୋପପାଇଗଲେ ମଧ୍ୟ ପୃଥିବୀର କୌଣସି ଲୋକ କେବେହେଲେ ପେଚାର ଛାଇତଳେ ଆଶ୍ରୟ ନେବାକୁ ରାଜି ହେବନାହିଁ । ସେ ଯେଉଁ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ, ସେହି ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କୁ ସେ ଏଠାରେ ପେଚା ବୋଲି ବ୍ୟଙ୍ଗ କରିଥିଲେ । କିଛିଦିନ ପର୍ଯ୍ୟନ୍ତ ଏହା ସେମାନଙ୍କ ମଧ୍ୟରେ ବେଶ୍ ଗୋଟାଏ କୌତୂହଳ ସୃଷ୍ଟି କରିଥିଲା; କିନ୍ତୁ ଏ ପ୍ରକାର ମନ୍ତ୍ରିମଣ୍ଡଳର କର୍ତ୍ତୃତ୍ୱରେ ଥିବା କେତେକ ପ୍ରାଦେଶିକ ଗଭର୍ଣ୍ଣର ଏ ପ୍ରକାର ଥଟ୍ଟା-କୌତୁକକୁ କିନ୍ତୁ ପ୍ରଶ୍ରୟ ଦେଉନଥିଲେ । * ମଧୁସୂଦନ ଅନୁଭବ କଲେ ଯେ, ସେ ମନ୍ତ୍ରୀ ହେବା ଫଳରେ ଏମିତି ଗୋଟାଏ ଅବସ୍ଥାରେ ଆସି ପଡ଼ିଛନ୍ତି, ଯାହାଦ୍ୱାରା କି ସେ ଯେଉଁ ଲୋକମାନଙ୍କର ସେବା କରିବାକୁ ଚାହୁଛନ୍ତି, ସେମାନଙ୍କର ବିଶ୍ୱାସଭାଜନ ହୋଇପାରୁନାହାନ୍ତି, କି ଅନ୍ୟ ପକ୍ଷରେ ଯେଉଁ ଗଭର୍ଣ୍ଣରଙ୍କୁ ଶାସନ କାର୍ଯ୍ୟରେ ସେ ଯଥାର୍ଥଭାବରେ ସାହାଯ୍ୟ କରିବାକୁ ଇଚ୍ଛା କରୁଛନ୍ତି, ତାଙ୍କର ବି ବିଶ୍ୱାସଭାଜନ ହୋଇପାରୁନାହାନ୍ତି । ଏପରି ଭାବରେ ମନ୍ତ୍ରୀ ହେବା ଫଳରେ ସେ ଦୁଇକୂଳ ହରେଇଛନ୍ତି ବୋଲି ତାଙ୍କର ମନେହେଲା । ଏହିପରି ଅବସ୍ଥାରେ ଯାହା ହେବାର କଥା ତାହା ଖୁବ୍ ଶୀଘ୍ର ଘଟିଗଲା ।

 

*Life of Madhusudan as seen by Meny Eyes, P. 148.

 

ଇଂ 1923 ମସିହା ଫେବୃଆରୀ ମାସରେ ବିହାର-ଓଡ଼ିଶା କାଉନ୍ସିଲରେ ଲୋକାଲ-ସେଲ୍ଫ ଗଭର୍ଣ୍ଣମେଣ୍ଟ (ସଂଶୋଧନ) ବିଲ୍ ଆଲୋଚିତ ହେଉଥିବା ସମୟରେ ମଧୁସୂଦନ ତାଙ୍କର ମନର ଗ୍ଳାନି ପ୍ରକାଶକରି କହିଥିଲେ :

 

‘‘ବେଶ୍, ଆପଣମାନେ ଯଦି ଜାଣିବାକୁ ଇଚ୍ଛାକରୁଥାନ୍ତି; ତେବେ ମୋର ମଧ୍ୟ ଆପଣମାନଙ୍କୁ ଜଣେଇଦେବାରେ ଆପତ୍ତି ନାହିଁ ଯେ ଦେଶବାସୀ ଯଦି ସେମାନଙ୍କ ମନ୍ତ୍ରୀଙ୍କଠାରେ ଆସ୍ଥା ସ୍ଥାପନ ନ କରିପାରିବେ, ତାହାହେଲେ ଦେଶରେ କେବେହେଲେ ଦାୟିତ୍ୱପୂର୍ଣ୍ଣ ଶାସନ ଚଳିପାରିବ ନାହିଁ । ଯଦି ସେମାନେ ସେମାନଙ୍କର ମନ୍ତ୍ରୀଙ୍କୁ ବିଶ୍ୱାସ କରିପାରୁନଥାନ୍ତି, ତେବେ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ସଭ୍ୟ ତାଙ୍କୁ ଲେଖି ଜଣାଇ ଦେଇପାରନ୍ତି ଯେ, ‘ଆମର ତୁମଠାରେ ଆଉ ତିଳେମାତ୍ର ବିଶ୍ୱାସ ନାହିଁ ।’ ତାହେଲେ ସେମାନେ ଖୁବ୍ ବିଳମ୍ୱରେ ହେଲେ ମଧ୍ୟ ଛ’ଘଣ୍ଟା ସମୟ ମଧ୍ୟରେ ସଂପୃକ୍ତ ମନ୍ତ୍ରୀଙ୍କଠାରୁ ଇସ୍ତଫାପତ୍ର ପାଇଯିବେ ।’’ ....ଏଇ କାଉନ୍ସିଲ ଚେମ୍ୱରରେ ଯେଉଁ ମ୍ୟୁନିସିପାଲ୍ ବିଲ୍ ପାସ୍ କରାଯାଇଅଛି, ସେଥିରେ ବି ଠିକ୍ ଏହି ବ୍ୟବସ୍ଥା କରାଯାଇଅଛି । *

 

*’Bihar and Orissa Council Debates’ February 23, 1923.

 

ଉପରେ ଯେଉଁ ବିଲ୍ ବିଷୟରେ କୁହାଯାଇଛି, ସେହି ବିଲରେ ସରକାର ବ୍ୟବସ୍ଥା ରଖିଥିଲେ ଯେ ଡିଷ୍ଟ୍ରିକ୍ଟ ବୋର୍ଡ଼ରେ ଯାହାଙ୍କୁ ଚେୟାରମାନ୍ ଭାବରେ ରଖାଯିବ, ସେ ନିଶ୍ଚୟ କୌଣସି ସରକାରୀ କର୍ମକର୍ତ୍ତା ହୋଇଥିବା ଦରକାର; ମାତ୍ର କାଉନ୍ସିଲର ବେସରକାରୀ ସଭ୍ୟମାନେ ଏହି ବ୍ୟବସ୍ଥାରେ ଘୋର ଅଶାନ୍ତି ପ୍ରକାଶ କରୁଥିଲେ । ମଧୁସୂଦନ ସଂପୃକ୍ତ ବିଭାଗର ମନ୍ତ୍ରୀ ଥିଲେ । ତେଣୁ ଏ ବିଲରେ ଯେଉଁ ସବୁ ଆପତ୍ତିଜନକ ବ୍ୟବସ୍ଥା ଥିଲା, ସେଗୁଡ଼ିକୁ ମୂଳ ବିଲ୍‍କୁ ଉଠେଇ ନେବାକୁ ମଧୁସୂଦନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ସେଥିରେ ସେ ସଫଳ ହୋଇପାରି ନଥିଲେ । କାଉନ୍ସିଲରେ ଏହି ବିଲ୍ ଉପରେ ଯେତେବେଳେ ଡିଭିଜନ ଗ୍ରହଣ କରାଗଲା, ସେଥିରେ ଏହା ସପକ୍ଷରେ 19ଟି ଭୋଟ୍ ଓ ଏହା ବିପକ୍ଷରେ 27ଟି ଭୋଟ ମିଳିବାର ଦେଖାଯାଇଥିଲା । ନିଜେ ମଧୁସୂଦନ ସପକ୍ଷ ବା ବିପକ୍ଷରେ ଭୋଟ ନ ଦେଇ ସେଥିରୁ ନିବୃତ୍ତ ରହିଥିଲେ । ଏହି ବିଲ୍‍ଟି କାଉନ୍ସିଲରେ କାଟ୍ ଖାଇଯିବା ପରେ ମଧୁସୂଦନଙ୍କ ବିପକ୍ଷବାଦୀମାନେ ତାଙ୍କୁ କାଉନ୍ସିଲରୁ ବିାଦୟ ନେବାଲାଗି ଆହ୍ୱାନ ଦେଇଥିଲେ; କାରଣ ମନ୍ତ୍ରୀ ହିସାବରେ ସେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା କାଟ ଖାଇଯିବାଦ୍ୱାରା ସ୍ପଷ୍ଟଭାବରେ ପ୍ରମାଣିତ ହୋଇଯାଇଥିଲା ଯେ ତାଙ୍କ ପ୍ରତି କାଉନ୍ସିଲରେ ଅଧିକାଂଶ ସଭ୍ୟଙ୍କର ଆଉ ଆସ୍ଥା ନାହିଁ । ତେଣୁ ସେ ମନ୍ତ୍ରିପଦରୁ ଇସ୍ତଫା ଦେବା ନିତାନ୍ତ ପ୍ରୟୋଜନ ବୋଲି ସେମାନେ ପରାମର୍ଶ ଦେଇଥିଲେ ।

 

ଏପରି ପରିସ୍ଥିତିରେ ମନ୍ତ୍ରିମଣ୍ଡଳରୁ ସାଙ୍ଗେ ସାଙ୍ଗେ ଇସ୍ତଫା ଦେଇଦେବାରେ ମଧୁସୂଦନଙ୍କର ଅବଶ୍ୟ ତିଳେମାତ୍ର ଦୁଃଖ ବା ଅବଶୋଷ ନଥିଲା । ସେ ବରଂ ଆନନ୍ଦରେ ସେ ସମୟରେ ଇସ୍ତଫା ଦେଇପାରିଥାନ୍ତେ; କିନ୍ତୁ ସଭ୍ୟମାନଙ୍କର ତାଙ୍କ ଉପରେ ଆସ୍ଥାର ଅଭାବ ଥିବା ଓ ତାଙ୍କର ପରାଜୟର ଦ୍ୱାହି ଦେଇ ତାଙ୍କୁ ଯେପରି ଭାବରେ ଇସ୍ତଫାଦେବାକୁ ପ୍ରକାରାନ୍ତରେ ବାଧ୍ୟ କରାଯାଉଥିଲା, ସେଥିରେ ତାଙ୍କର ଜିଦ୍ ବଢ଼ିଗଲା । ତେଣୁ ସେ ଇସ୍ତଫାଦେବାକୁ ମନେ ମନେ ସ୍ଥିର କରିଥିଲେ ମଧ୍ୟ ଅନ୍ୟମାନଙ୍କ ବାଧ୍ୟବାଧକତାରେ ପଡ଼ି ସେତେବେଳେ ଇସ୍ତଫା ନ ଦେବାକୁ ସ୍ଥିର କରିନେଲେ ।

 

ଫେବୃଆରୀ ମାସ 26 ତାରିଖ ଦିନ ପ୍ରଶ୍ନୋତ୍ତର ସମୟର ଠିକ୍ ପରେ ପରେ ମଧୁସୂଦନ କାଉନ୍ସିଲରେ ଗୋଟିଏ ବକ୍ତୃତା ଦେଇ ପୂର୍ବଦିନର ଭୋଟ ଫଳାଫଳ ବିଷୟରେ ତାଙ୍କର ମନ୍ତବ୍ୟ ଦେଇ କହିଥିଲେ :

 

‘‘କାଉନ୍ସିଲରେ ଥିବା ବେସରକାରୀ ସଭ୍ୟମାନଙ୍କର ମୋ ଉପରେ ଆଉ ଆସ୍ଥା ନାହିଁ ବୋଲି ମୁଁ ଯଦି ଅନୁଭବ କରିପାରନ୍ତି, ତେବେ ମୋର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ମୁଁ ସଙ୍ଗେ ସଙ୍ଗେ ମନ୍ତ୍ରିତ୍ୱରୁ ବିଦାୟ ନେବାରେ ତିଳେମାତ୍ର କୁଣ୍ଠାବୋଧ କରନ୍ତି ନାହିଁ; କିନ୍ତୁ ଗତକାଲି ଯେଉଁ 27 ଜଣ ମେମ୍ୱର ମୁଁ ଆଗତ କରିଥିବା ସଂଶୋଧନ ବିଲ୍ ବିରୁଦ୍ଧରେ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ 16 ଜଣ ବେସରକାରୀ ସଭ୍ୟ ମତେ ପରିଷ୍କାରଭାବରେ ଜଣାଇ ଦେଇଛନ୍ତି ଯେ, ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେବାଦ୍ୱାରା ସେମାନେ ସେହି ନିର୍ଦ୍ଦିଷ୍ଟ ବିଷୟ ବିରୁଦ୍ଧରେ ସେମାନଙ୍କର ବ୍ୟକ୍ତିଗତ ମତାମତ ମାତ୍ର ଦେଇଛନ୍ତି ସିନା, ବିଭାଗୀୟ ମନ୍ତ୍ରୀ ହିସାବରେ ତାଙ୍କ ବିରୁଦ୍ଧରେ କିନ୍ତୁ ଅବିଶ୍ୱାସ ପ୍ରକାଶ କରିନାହାନ୍ତି । ଏ ବିଷୟରେ ମୁଁ ମହାମାନ୍ୟ ଗଭର୍ଣ୍ଣରଙ୍କ ସହିତ ମଧ୍ୟ ପରାମର୍ଶ କରିଥିଲି । ଗଭର୍ଣ୍ଣର ମହାଶୟ ମତେ ଜଣାଇଛନ୍ତି ଯେ ବେସରକାରୀ ସଭ୍ୟମାନେ ପ୍ରସ୍ତାବ ବିପକ୍ଷରେ ଯେଉଁ ଭୋଟ ଦେଇଛନ୍ତି, ତାହାର ଅର୍ଥ କେବେହେଁ ଏପରି ହୋଇ ନପାରେ ଯେ ସେମାନେ ବ୍ୟକ୍ତିଗତ ଭାବରେ ମୋ’ଠାରେ ବିଶ୍ୱାସ କରନ୍ତିନାହିଁ ବା ମନ୍ତ୍ରୀରୂପେ ମୁଁ ରହିବା କଥା ସେମାନେ ଚାହାନ୍ତିନାହିଁ । ତାଙ୍କର ଏ ମତାମତକୁ ସର୍ବସାଧାରଣରେ ପ୍ରକାଶ କରିବାରେ କୌଣସି ବାଧା ନାହିଁ ବୋଲି ଗଭର୍ଣ୍ଣର ମତେ ଖୋଲାଖୋଲି ଜଣେଇ ଦେଇଛନ୍ତି ।*

 

*‘Bihar and Orissa Council Debates’, February 26, 1923.

 

ମଧୁସୂଦନ ମନ୍ତ୍ରିପଦରୁ ବିଦାୟନେବାକୁ ମୂଳରୁ ମନସ୍ଥ କରିଥିଲେ ମଧ୍ୟ ସେଥିଲାଗି ଉପଯୁକ୍ତ ଅବକାଶର ଅପେକ୍ଷାରେ ମାତ୍ର ରହିଥିଲେ । ମନ୍ତ୍ରିମଣ୍ଡଳରେ ଯୋଗଦେବା ସମୟଠାରୁ ସେ ବରାବର ମତ ଦେଇଆସୁଥିଲେ ଯେ, ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗୀୟ ମନ୍ତ୍ରିପଦ ପୂରାପୂରି ଅବୈତନିକ ହେବା ଉଚିତ । ଠିକ୍ ଏକବର୍ଷ ପୂର୍ବେ 1922 ମସିହା ଫେବୃଆରୀ ମାସ 21 ତାରିଖ ଦିନ ସେ କାଉନ୍ସିଲରେ ଏକ ବକ୍ତୃତା ପ୍ରସଙ୍ଗରେ ତାଙ୍କ ଅନ୍ତରର ସେହି କାମନାକୁ ନିମ୍ନମତେ ପ୍ରକାଶ କରିଥିଲେ :

 

‘‘ମୋ ବିଚାରରେ ମନୁଷ୍ୟର ଏପରି ମନୋବୃତ୍ତି ହେବା ଦରକାର, ଯାହାଦ୍ୱାରା କି ସେ ମୁଠାଏ ସୁନାକୁ ମୁଠାଏ ଧୂଳିକରି ଜ୍ଞାନକରି ଅକ୍ଳେଶରେ ଫୋପାଡ଼ିଦେଇ ସାରିବାପରେ ମଧ୍ୟ ସେଥିପାଇଁ ନିଜକୁ ନ୍ୟୂନ ବା ଦରିଦ୍ର ବୋଲି ମନେ ନ କରି ପୂର୍ବପରି ଅନ୍ତରରେ ତାର ଐଶ୍ୱରିକ ସତ୍ତା ଅନୁଭବ କରିୁପାରୁଥିବ । ସେ (ସ୍ୱାୟତ୍ତଶାସନ ବିଭାଗୀୟ ମନ୍ତ୍ରୀ) ନିଜର କାର୍ଯ୍ୟକଳାପକୁ ଏପରିଭାବରେ ପରିଚାଳିତ କରିବା ଦରକାର, ଯାହାଦ୍ୱାରା କି ସେ ଜିଲଲାବୋର୍ଡ଼, ମ୍ୟୁନିସିପାଲିଟି ଆଦି ବିଭିନ୍ନ ଆଞ୍ଚଳିକ ସ୍ୱାୟତ୍ତଶାସନ ସଂକ୍ରାନ୍ତୀୟ ଅନୁଷ୍ଠାନର ସଭ୍ୟ ତଥା କର୍ମକର୍ତ୍ତାମାନଙ୍କୁ ନିଜର ମହତ୍ ଆଦର୍ଶଦ୍ୱାରା ଅନୁପ୍ରାଣିତ କରିପାରିବେ, ସେମାନଙ୍କ ଅନ୍ତରରେ ଦେଶଗଠନର ପ୍ରବୃତ୍ତି ଜାଗରିତ କରିପାରିବେ ଏବଂ ସେମାନଙ୍କର ସହଯୋଗରେ ସେ ଯେଉଁବିଭାଗର ମୁଖ୍ୟରୂପେ ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ଗ୍ରହଣ କରିଅଛନ୍ତି, ସେ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନକରି ପାରୁଥିବେ । ମ୍ୟୁନିସିପାଲିଟି, ଲୋକାଲ୍ ବୋର୍ଡ଼ ଓ ଜିଲ୍ଲାବୋର୍ଡ଼ ଆଦି ଯେଉଁ ସ୍ୱାୟତ୍ତଶାସନ ଅନୁଷ୍ଠାନ ସବୁ ରହିଅଛି, ସେଗୁଡ଼ିକର ସଭ୍ୟ ଓ କର୍ମକର୍ତ୍ତାଗଣ ଅବୈତନିକଭାବରେ ସମସ୍ତେ କାର୍ଯ୍ୟ କରିଥାନ୍ତି । ତେଣୁ ସେହି ବିଭାଗର ମନ୍ତ୍ରୀ ଯଦି ତାଙ୍କର କାର୍ଯ୍ୟ ପାଇଁ ମାସକୁ ମାସ ବେତନ ଗ୍ରହଣ କରନ୍ତି, ତାହାହେଲେ ସେ ବଳେ ବଳେ ସେହି ଶ୍ରେଣୀୟ ଅନୁଷ୍ଠାନମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ପଡ଼ନ୍ତି । ସେଥିଲାଗି ମୋର ମତ ହେଉଛି, ସ୍ୱାୟତ୍ତଶାସନ ବିଭାଗୀୟ ମନ୍ତ୍ରିପଦ ସମ୍ପୂର୍ଣ୍ଣ ଅବୈତନିକ ହେବା ନିତାନ୍ତ ଆବଶ୍ୟକ ।’’

 

ମଧୁସୂଦନଙ୍କର ଏହି ଯୁକ୍ତିରେ ଯଥେଷ୍ଟ ସତ୍ୟତା ନିହିତ ଥିଲା । ଯୁକ୍ତି ଦୃଷ୍ଟିରୁ ବିଚାରକଲେ ଏଥିରେ ସାମାନ୍ୟତମ ତ୍ରୁଟି ମଧ୍ୟ ଖୋଜି ପାଇବା ଅସମ୍ଭବ ଥିଲା । ତଥାପି ଏହି ଯୁକ୍ତିକୁ ଗ୍ରହଣ କରିବା ସରକାରଙ୍କ ପକ୍ଷରେ ଆଦୌ ସମ୍ଭବ ନଥିଲା । କେବଳ ସେତିକିରେ ଯେ ସେ ସମସ୍ୟାର ଶେଷ ହୋଇଗଲା, ତାହା ମଧ୍ୟ ନୁହେଁ । ମନ୍ତ୍ରୀ ହିସାବରେ ଅବୈତନିକ ଭାବରେ କାର୍ଯ୍ୟ କରିବାକୁ ଓ ଓକିଲାତି କରି ଜୀବିକା ନିର୍ବାହ କରବା ନିମନ୍ତେ ତାଙ୍କୁ ଅନୁମତି ମିଳିବାକୁ ସେ ଅନୁରୋଧ ଜଣାଇ 1923 ମସିହା ଫେବୃଆରୀ ମାସ 7-8 ତାରିଖରେ ମଧୁସୂଦନ ବିହାର-ଓଡ଼ିଶା ଗଭର୍ଣ୍ଣ ସାର୍ ଏଚ୍. ହୁଇଲର୍‍ଙ୍କୁ ଏକ ପତ୍ର ଲେଖିଥିଲେ; ତାଙ୍କର ସେହି ଅନୁରୋଧ ରକ୍ଷାକରିବା ଗଭର୍ଣ୍ଣରଙ୍କ ପକ୍ଷରେ କୌଣସିମତେ ସମ୍ଭବ ନ ହେବାରୁ ମଧୁସୂଦନ ଶେଷକୁ 1923 ମସିହା ମାର୍ଚ୍ଚ ମାସ 4 ତାରିଖ ଦିନ ବିହାର-ଓଡ଼ିଶା ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କରିଥିଲେ ।

 

ବିହାର-ଓଡ଼ିଶା ସରକାରରେ ମଧୁସୂଦନ ମନ୍ତ୍ରୀ ହିସାବରେ ଅଳ୍ପକାଳ ରହିଥିଲେ ମଧ୍ୟ ସେହି ସଂକ୍ଷିପ୍ତ କାର୍ଯ୍ୟକାଳ ନାନା ଦିଗରୁ ଅଦ୍ୟାବଧି ସ୍ମରଣୀୟ ଓ ଆଦର୍ଶ ସ୍ଥାନୀୟ ହୋଇ ରହିପାରିଅଛି । ସେ କାଳରେ ମନ୍ତ୍ରୀମାନେ ସରକାରୀ ଖର୍ଚ୍ଚରେ ରହିବା ଘରଠାରୁ ଆରମ୍ଭ କରି ଆସବାବପତ୍ର, ଗାଡ଼ି, ଡ୍ରାଇଭର ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ବିନାମୂଲ୍ୟରେ ପାଇବା ଛଡ଼ା, ମାସକୁ ମାସ ପାଞ୍ଚହଜାର ଟଙ୍କା ଦରମା ପାଉଥିଲେ । ଏହାଛଡ଼ା ନିଜର ସ୍ଥାନ-ଗୌରବ ହେତୁରୁ ସେମାନେ ଅନେକଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ମଧ୍ୟ ହୋଇପାରୁଥିଲେ; କିନ୍ତୁ ମଧୁସୂଦନ ମନ୍ତ୍ରିପଦକୁ ଅବୈତନିକ କରିବାକୁ ଦାବିକରିବା ଫଳରେ ସେହି ଲାଭଜନକ ଓ ନିରଙ୍କୁଶ ଆସନଟିକୁ ସେବା, ତ୍ୟାଗ ଓ ଆତ୍ମୋତ୍ସର୍ଗର ଏକ ସାଧନାପୀଠରେ ପରିଣତ କରିବାକୁ ଉଦ୍ୟମ କରିଥିଲେ । ମନ୍ତ୍ରୀ ମଧୁସୂଦନଙ୍କର କୁଶପୁତ୍ତଳିକାକୁ ଦାହ କରିବାକୁ ଯେଉଁମାନେ ସେଦିନ ଭିଡ଼ ବାନ୍ଧିଥିଲେ, ବିସ୍ମୃତିର ଅତଳ ଗର୍ଭରେ ସେମାନଙ୍କର ସ୍ମୃତି ବିଲୀନ ହୋଇଯିବାର ବହୁକାଳ ପରେ ମଧ୍ୟ ତାଙ୍କର ସେହି ଅସାମାନ୍ୟ ମହତ୍ତ୍ୱର ଗୁଣବଳରେ ମଧୁସୂଦନ ଅର୍ଥ ଓ କ୍ଷମତାଲାଳସାର ମସୀକୃଷ୍ଣ ସମୁଦ୍ରର ବହୁ ଊର୍ଦ୍ଧ୍ୱରେ ଆଜିଯାଏ ତଥାପି ଏକ ଦୀପ୍ତମନ୍ତ ତାରକାପରି ଶୋଭା ପାଉଅଛନ୍ତି ।

Image

 

(୧୬)

ଓକିଲାତି ବ୍ୟବସାୟରେ ମହିଳା

 

ଇଂ 1921 ମସିହା ଅକ୍ଟୋବର ମାସ ଅଣତିରିଶ ତାରିଖ ଦିନ ପାଟଣା ହାଇକୋର୍ଟର ବିଚାରକକ୍ଷ ଲୋକଗହଳିରେ ଭରପୂର ହୋଇଉଠିଥାଏ । ଏପରି କି ସେ ଲୋକାରଣ୍ୟ ମଧ୍ୟରେ ପର୍ଦ୍ଦାନସୀନ କେତେକ ମହିଳାଙ୍କୁ ମଧ୍ୟ ଦେଖିବାକୁ ମିଳୁଥିଲା । ସମସ୍ତଙ୍କ ମନରେ ଖେଳିବୁଲୁଥିଲା, ଗୋଟାଏ ଅପୂର୍ବ ଆବେଗ ଆଉ ଉତ୍ସାହ । ଏ ପ୍ରବଳ ଜନ ସମାବେଶର କାରଣ ବିହାର-ଓଡ଼ିଶା ସରକାରଙ୍କ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରୀ ମଧୁସୂଦନଙ୍କୁ ସେଦିନ ବିଚାରକକ୍ଷରେ ଦେଖିବାକୁ ମିଳୁ ଥିଲା । ସେଦିନ କଚେରିରେ ଯେଉଁ ମକଦ୍ଦମାର ବିଚାର ଚାଲିଥାଏ, ସେହି ମକଦ୍ଦମା ଚଳାଉଥିବା ଓକିଲ ଜଣକ ବିଚାରପତିଙ୍କ ସମକ୍ଷରେ ନିଜ ମହକିଲ ସପକ୍ଷରେ ତାଙ୍କର ଯୁକ୍ତି ଓ ବକ୍ତବ୍ୟକୁ ଉପସ୍ଥାପିତ କରୁଥିବା ସମୟରେ ତାଙ୍କ ପାଖ ଆସନରେ ବସିରହିଥାନ୍ତି ମଧୁସୂଦନ । ଏଠାରେ ଯେଉଁ ବିଷୟରେ ବିଚାର ଚାଲିଥାଏ, ତାର ମୂଳକଥା ହେଲା, ବି. ଏଲ୍. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ଜଣେ ମହିଳା ପାଟନା ହାଇକୋର୍ଟ ଅଧୀନରେ ଆଇନଜୀବୀରୂପେ ସ୍ୱୀକୃତି ପାଇବା ନିମନ୍ତେ ହାଇକୋର୍ଟକୁ ଯେଉଁ ଆବେଦନ କରିଥିଲେ, ଆଜି ହାଇକୋର୍ଟରେ ସେହି ଆବେଦନର ଫୁଲବେଞ୍ଚ ବିଚାର ଚାଲିଥିଲା; କିନ୍ତୁ ସେତେବେଳର ବ୍ୟବସ୍ଥା ଥାଏ ଅଲଗା । ସେତେବେଳକୁ ଭାରତରେ ଇଂ 1879 ମସିହାର ‘ଲିଗାଲ୍ ପ୍ରାକ୍ଟିସନର୍ସ ଆକ୍ଟ’ ପ୍ରଚଳିତ ହେଉଥାଏ-। ଏହି ଆକ୍ଟ ଅନୁଯାୟୀ ଭାରତର କୋର୍ଟ କଚେରିମାନଙ୍କରେ ମହିଳାମାନଙ୍କୁ ଆଇନଜୀବୀ ରୂପେ ବ୍ୟବସାୟ କରିବାକୁ ଅନୁମତି ମିଳିବା ନିଷେଧ କରି ଦିଆଯାଇଥିଲା ।

 

ମଧୁସୂଦନଙ୍କର ସନ୍ତାନ-ସନ୍ତତି ନ ଥିବାରୁ ସେ ଦୁଇଟି ଦଙ୍ଗୀୟା ବାଳିକାଙ୍କୁ ସେମାନଙ୍କର ଶୈଶବକାଳରୁ ପ୍ରତିପାଳନ କରିଆସୁଥିଲେ । ସେ ଦୁଇ ବାଳିକାଙ୍କ ମଧ୍ୟରେ ମିସ୍ ସୁଧାଂଶୁବାଳା ହାଜରା ଥିଲେ କନିଷ୍ଠା । ସେହି ସୁଧାଂଶୁବାଳା କଲିକତା ବିଶ୍ୱବିଦ୍ୟାଳରୁ ବି. ଏଲ୍. ପରୀକ୍ଷାରେ ପାସ୍ କରିବା ପରେ ଓକିଲ ହିସାବରେ ଏନରୋଲଡ଼ ହେବାକୁ ଦରଖାସ୍ତ କରିଥିଲେ; କିନ୍ତୁ ଦେଶରେ ପ୍ରଚଳିତ ହେଉଥିବା ଆଇନ ତାହାର ବିରୁଦ୍ଧାଚରଣ କରୁଥିଲା । କାରଣ କେଇବର୍ଷ ପୂର୍ବେ ବି: ଏଲ୍: ପାସ୍ କରିଥିବା ଆଉ ଜଣେ ମହିଳା ଓକିଲ ହିସାବରେ ଏନରୋଲଡ଼ ହେବାକୁ ଆବେଦନ କରିଥିଲେ ସୁଦ୍ଧା ତାହାଙ୍କର ଆବେଦନକୁ କଲିକତା ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ; କିନ୍ତୁ ଏହା ମଧ୍ୟରେ ତେଣେ ବିଲାତରେ 1919 ମସିହାରେ ‘ସେକ୍ସ ଡିସ୍‍କ୍ୱାଲିଫିକେସନ ରିମୁଭାଲ୍ ଆକ୍ଟ’ ଗୃହୀତ ହୋଇସାରିଥାଏ । ସେହି ଆଇନର ନଜିର ଦେଖାଇ ସୁଧାଂଶୁବାଳାଙ୍କର ଓକିଲ ପାଟନା ହାଇକୋର୍ଟର ବିଚାରପତିମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥାନ୍ତି ଯେ, କଲିକତା ହାଇକୋର୍ଟ ମହିଳାମାନଙ୍କୁ ଓକିଲାତି କରିବାକୁ ଅନୁମତି ନ ଦେବାଲାଗି ଯେଉଁ ସିଦ୍ଧାନ୍ତ ଗ୍ରହଣ କରିଅଛନ୍ତି, ତାହା ଗ୍ରହଣଯୋଗ୍ୟ ହୋଇ ନ ପାରେ; କାରଣ ଏହି ବ୍ୟାପାରରେ ସଂପୃକ୍ତ ଆଇନକୁ ବ୍ୟାପକ ଅର୍ଥରେ ଗ୍ରହଣ ନ କରି ଏହାକୁ ନିତାନ୍ତ ସଂକୀର୍ଣ୍ଣ ଅର୍ଥରେ ଗ୍ରହଣ କରାଯାଇଅଛି ।

 

କୌଣସି କୋର୍ଟରେ କୌଣସି ବିଷୟରେ ବିଚାର ଚାଲିଥିବା ସମୟରେ ଜଣେ ପ୍ରାଦେଶିକ ମନ୍ତ୍ରୀ ବିଚାରକକ୍ଷରେ ଏ ପ୍ରକାର ବସିରହିବା ଗୋଟାଏ ନିତାନ୍ତ ଅସ୍ୱାଭାବିକ ଘଟଣା ଥିଲା; କାରଣ ମନ୍ତ୍ରୀଙ୍କ ଉପସ୍ଥିତି ବିଚାରବିଭାଗୀୟ ନିଷ୍ପତ୍ତିକୁ ପ୍ରଭାବିତ କରିବା ସମ୍ଭବ ବୋଲି ଏହାଦ୍ୱାରା ସମସ୍ତଙ୍କ ମନରେ ସନ୍ଦେହ ଜାତହେବା ସ୍ୱାଭାବିକ; କିନ୍ତୁ ମଧୁସୂଦନଙ୍କ ଅନ୍ତରରେ ତିଳେମାତ୍ର ସେ ପ୍ରକାର ଧାରଣା ବା ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ବହୁଲୋକଙ୍କର ଏ ପ୍ରକାର ସନ୍ଦେହର ପାତ୍ର ହୋଇ ସେ ଜାଣିଶୁଣି ନିଜର ଆଗ୍ରହାତିଶଯ୍ୟ କାରଣରୁ କୋର୍ଟରେ ଯାଇ ବସିରହୁଥିଲେ । ଭାରତର ଶିକ୍ଷିତା ନାରୀସମାଜକୁ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବାଦ୍ୱାରା ସେମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଇଥିଲା, ତାହା ପ୍ରତିକାର କରିବାକୁ ତାଙ୍କ ମନରେ ଏକ ପ୍ରବଳ ଉଦ୍ଦୀପନା ମୁଣ୍ଡଟେକି ଉଠିଥିଲା । କୋର୍ଟ କାର୍ଯ୍ୟ ଶେଷହେବାର ଠିକ୍ ପୂର୍ବରୁ ପାଟନା ‘ଓକିଲ ସଂଘ’ର ଅଧିକାଂଶ ସଭ୍ୟ ସ୍ଥିର କରିସାରିଥିଲେ ଯେ, ମହିଳାମାନେ ଏହି ହାଇକୋର୍ଟ ଅଧୀନରେ ଆଇନ ବ୍ୟବସାୟ କରିବା ନିମନ୍ତେ ଅନୁମତି ଦିଆଯିବା ସଂକ୍ରାନ୍ତରେ ଏଠାରେ ଯେଉଁ ବିଚାର ଚାଲିଛି, ସେମାନେ ସେ ବିଷୟରେ ସେମାନଙ୍କର ବିରୋଧକୁ ବିଧିବଦ୍ଧଭାବରେ କୋର୍ଟକୁ ଜଣାଇଦେବେ । 1921 ମସିହା ନଭେମ୍ୱର ମାସ 28 ତାରିଖ ଦିନ ପାଟନା ହାଇକୋର୍ଟର ଫୁଲବେଞ୍ଚର ମାନ୍ୟବର ବିଚାରପତିଗଣ ଏ ସମ୍ୱନ୍ଧରେ ତିନୋଟି ଅଲଗା ଅଲଗା ରାୟ ଦେଇଥିଲେ । ଏହି ରାୟରେ କୁହାଯାଇଥିଲା ଯେ, 1868 ମସିହା ଓ 1897 ମସିହାରେ ପ୍ରଣୀତ ହୋଇଥିବା ‘ଜେନେରାଲ୍ କ୍ଳଜେସ୍ ଆକ୍ଟ’ର ନିର୍ଦ୍ଦେଶ ସତ୍ତ୍ୱେ ଜଣେ ମହିଳା ଓକିଲାତି ପଢ଼ି ସେ ବିଷୟରେ କୃତବିଦ୍ୟ ହୋଇଥିଲେ ମଧ୍ୟ ‘ଇଣ୍ଡିଆନ୍ ଲିଗାଲ୍ ପ୍ରାକ୍ଟିସନର୍ସ ଆକ୍ଟ’ ଅନୁଯାୟୀ ତାଙ୍କୁ ଓକିଲାତି କରିବାକୁ କେବେହେଲେ ଅନୁମତି ଦିଆଯାଇ ନ ପାରେ ।

 

କିନ୍ତୁ ମଧୁସୂଦନ ସେଥିରେ ହାରିଯିବାର ପାତ୍ର ନ ଥିଲେ । ପାଟନା ହାଇକୋର୍ଟର ରାୟ ବିରୁଦ୍ଧରେ ପ୍ରିଭିକାଉନ୍ସିଲରେ ଅପିଲ କରିବା ଲାଗି ସେ ହାଇକୋର୍ଟର ଅନୁମତି ମାଗି ସେଥିରେ ମଧ୍ୟ ବିଫଳ ହେଲେ । ଏହାପରେ ସେ ପ୍ରିଭିକାଉନସିଲର ଜୁଡ଼ିସିଆଲ କମିଟି ପାଖରେ ଏହି ଆପତ୍ତି ଉପସ୍ଥାପିତ କରି ବହୁ ଚେଷ୍ଟାରେ ଶେଷକୁ ପ୍ରିଭିକାଉନ୍ସିଲରେ ପାଟନା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଅପିଲ କରିବାର ଅନୁମତି ପାଇଥିଲେ । ଏହି ଅନୁମତି ମିଳିଯିବା ଉତ୍ତାରେ ନିଜର ଲକ୍ଷ୍ୟ ପୂରଣ ଦିଗରେ ମଧୁସୂଦନ ସବୁମତେ ଲାଗିପଡ଼ିଲେ । ଏପରି କି ‘ଇଣ୍ଡିଆ ହାଉସ୍’ର ସାର ଉଇଲିଅମ୍ ଡିଉକ୍‍ଙ୍କୁ ସୁଦ୍ଧା ସେ ଲେଖି ଜଣାଇ ଦେଇଥିଲେ ଯେ ଭାରତରେ ମହିଳାମାନଙ୍କୁ ଆଇନ ବ୍ୟବସାୟ କରିବା ନିମନ୍ତେ ନିଷେଧ କରିବା ବିଷୟ ନେଇ ପାଟନା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ବର୍ତ୍ତମାନ ପ୍ରିଭିକାଉନ୍ସିଲରେ ଯେଉଁ ଅପିଲ ଦାୟର କରାଯାଉଅଛି, ସେଥିରେ ଭାରତ ବିଭାଗ ସେକ୍ରେଟେରୀ ପକ୍ଷହେବା ବା ସେହି ଅପିଲର ବିରୋଧ କରିବା ଉଚିତ ହେବନାହିଁ ।

 

ଯାହାହେଉ ଅବଶେଷରେ ମଧୁସୂଦନ ତାଙ୍କ ସପକ୍ଷରେ ପ୍ରିଭିକାଉନ୍ସିଲର ରାୟ ପାଇଥିଲେ । ସେତିକିରେ ସେ ସନ୍ତୁଷ୍ଟ ନ ରହି ଏ ସଂକ୍ରାନ୍ତୀୟ ଆଇନକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଲାଗିପଡ଼ିଥିଲେ । ଡକ୍ଟର ଏଚ୍. ଏସ୍. ଗୋର୍ ନାମକ ସେଣ୍ଟ୍ରାଲ ଲେଜିସଲେଟିଭ ଆସେମ୍ବ୍ଲିର ଜଣେ ବିଶିଷ୍ଟ ମେମ୍ୱର ଏ ଦିଗରେ ତାଙ୍କର ଯଥେଷ୍ଟ ସହାୟକ ହୋଇଥିଲେ । ଲେଜିସଲେଟିଭ ଆସେମ୍ୱ୍ଲିକୁ ସଭ୍ୟ ନିର୍ବାଚନ କରିବା ନିମନ୍ତେ ଏହା ପୂର୍ବରୁ ମହିଳାମାନଙ୍କର ଅଧିକାର ନ ଥିଲା । ତେଣୁ ପ୍ରଚଳିତ ଆଇନକୁ ପରିବର୍ତ୍ତନ କରି ନିର୍ବାଚନମଣ୍ଡଳୀର ମେମ୍ୱର ତାଲିକା ପ୍ରସ୍ତୁତ କରିବା ସଂକ୍ରାନ୍ତୀୟ ବିଧିବ୍ୟବସ୍ଥା ନୂତନଭାବରେ ପ୍ରଣୟନ କରିବା ସଂକ୍ରାନ୍ତରେ 1922 ମସିହା ଫେବୃଆରୀ ପହିଲା ତାରିଖରେ ସେଣ୍ଟ୍ରାଲ୍ ଲେଜିସଲେଟିଭ ଆସେମ୍ବ୍ଲିରେ ଜଣେ ସଭ୍ୟ ଗୋଟିଏ ସଂଶୋଧନ ପ୍ରସ୍ତାବ ଆଣିଥିଲେ । ଡକ୍ଟର ଏଚ୍. ଏସ୍. ଗୋର୍ ସେହି ସଂଶୋଧନ ପ୍ରସ୍ତାବକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ମହିଳାମାନଙ୍କୁ ଆଇନଜୀବୀ ହିସାବରେ ପ୍ରାକ୍ଟିସ କରିବା ନିମନ୍ତେ ଭାରତୀୟ କୋର୍ଟ କଚେରିମାନଙ୍କରେ ସୁଯୋଗ ଦେବା ସଂକ୍ରାନ୍ତରେ ଅନ୍ୟ ଗୋଟିଏ ନୂତନ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ ।

 

ଏହି ସଂଶୋଧନ ପ୍ରସ୍ତାବର ଆଲୋଚନା କାଳରେ ଆସେମ୍ବ୍ଲିରେ ସବୁ ଶ୍ରେଣୀର ସଭ୍ୟମାନଙ୍କଠାରୁ ବିପୁଳ ସମର୍ଥନ ମିଳିଥିଲା । ଶେଷରେ ଆଲୋଚନାର ଉତ୍ତର ଦେଇ ଘରୋଇ ମନ୍ତ୍ରୀ ସାର୍ ଉଇଲିଅମ୍ ଭିନ୍ସେଣ୍ଟ ସଭ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏ ବିଷୟରେ ବିଭିନ୍ନ ହାଇକୋର୍ଟ ଓ ପ୍ରାଦେଶିକ ସରକାରମାନେ ସେମାନଙ୍କ ମତାମତ ସଂଗ୍ରହ କରିବାପରେ ସେ ଖୁବ୍ ନିକଟ ଭବିଷ୍ୟତରେ ଏ ସମ୍ୱନ୍ଧରେ ସରକାରଙ୍କ ପକ୍ଷରୁ ଗୋଟିଏ ବିଲ୍ ଆଗତ କରିବାକୁ ମନସ୍ଥ କରିଛନ୍ତି । ଘରୋଇ ମନ୍ତ୍ରୀଙ୍କଠାରୁ ଏହି ପ୍ରତିଶ୍ରୁତି ପାଇବା ଫଳରେ ଡକ୍ଟର ଗୋର୍ ତାଙ୍କ ସଂଶୋଧନ ପ୍ରସ୍ତାବଟି ପ୍ରତ୍ୟାହାର କରିନେଇଥିଲେ । ଯାହାହେଉ ଘରୋଇ ମନ୍ତ୍ରୀଙ୍କର ଏ ପ୍ରତିଶ୍ରୁତି ଉପରେ ନିର୍ଭର ନ କରି ମଧୁସୂଦନ ତତ୍କାଳୀନ ଭାଇସ୍‍ରାୟ ଅର୍ଲ ରିଡ଼ିଙ୍ଗ୍‍ଙ୍କୁ ଏ ବିଷୟରେ ସ୍ମାରକପତ୍ରମାନ ଲେଖି ତାଙ୍କୁ ଏ ବିଷୟରେ ଅବଗତ କରାଇବାରେ ଲାଗିପଡ଼ିଲେ । ଏ ସବୁ ପ୍ରଚେଷ୍ଟା ଫଳରେ 1879 ମସିହାର ‘ଲିଗାଲ୍ ପ୍ରାକ୍ଟିସନରସ ଆକ୍ଟ’ ଅବଶେଷରେ ପରିବର୍ତ୍ତିତ ହେଲା ଏବଂ ସୁଧାଂଶୁବାଳା ଭାରତର ସର୍ବପ୍ରଥମ ମହିଳା ବାରିଷ୍ଟରରୂପେ ପାଟନା ହାଇକୋର୍ଟ ଅଧୀନରେ ଆଇନ ବ୍ୟବସାୟ କରିବାକୁ ସୁଯୋଗ ପାଇଲେ ।

 

ଏ ଦେଶର ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବା ମଧୁସୂଦନଙ୍କ ସମାଜସଂସ୍କାରମୂଳକ କାର୍ଯ୍ୟାବଳୀ ମଧ୍ୟରେ ଗୋଟିଏ ପ୍ରଧାନ ଅଙ୍ଗ ଥିଲା । ସେତେବେଳକାର ସମାଜରେ ନାନାଦି କର୍ମପରିସରରେ ମହିଳାମାନଙ୍କର ଆଦୌ ସ୍ଥାନ ନ ଥିଲା । ସେମାନଙ୍କୁ ସାମାଜିକ ଏହି ବାଧା-ବନ୍ଧନରୁ ମୁକ୍ତିଦେଇ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ସେମାନଙ୍କୁ ସମାନ ଆସନରେ ପ୍ରତିଷ୍ଠିତ କରାଇବା ମଧୁସୂଦନଙ୍କ ସମାଜସେବାର ଏକ ମୁଖ୍ୟ ଆଭିମୁଖ୍ୟ ଥିଲା । ‘ଜେନାନା’ ମହଲରୁ ମୁକ୍ତକରି ସେମାନଙ୍କୁ ପୁରୁଷମାନଙ୍କ ପରି ସମାଜରେ ଚଳାଚଳ କରିବାର ସୁଯୋଗ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଅବସ୍ଥାର କୌଣସି ଅଗ୍ରଗତି ଘଟିବା ସମ୍ଭବ ନୁହେଁ ବୋଲି ସେ ଉପଲବ୍ଧି କରିଥିଲେ । ସେମାନଙ୍କୁ ଯଦି ବିଦ୍ୟାଲାଭର ସୁଯୋଗ ଦିଆଯାଇପାରେ, ତାହାହେଲେ ଏହି ଲକ୍ଷ୍ୟ ଅକ୍ଳେଶରେ ପୂରଣ କରାଯାଇ ପାରିବ ବୋଲି ସେ ସ୍ଥିର କରି ନେଇଥିଲେ । ତାଙ୍କରି ପ୍ରଚେଷ୍ଟାରେ 1908 ମସିହାରେ ନାରୀଶିକ୍ଷାରେ ସହାୟକ ହେବା ଉଦ୍ଦେଶ୍ୟରେ କଟକଠାରେ ଗୋଟିଏ ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟରେ ବାଳିକାମାନଙ୍କୁ ମାଟ୍ରିକ୍ ପର୍ଯ୍ୟନ୍ତ ଶିକ୍ଷାଦାନ କରିବାର ବନ୍ଦୋବସ୍ତ ଚଳାଇ ରଖିଥିଲେ । ସରକାରଙ୍କ ପକ୍ଷରୁ ଏହି ସ୍କୁଲକୁ ଯେଉଁ ଗ୍ରାଣ୍ଟ୍-ଇନ୍-ଏଡ଼୍ ମିଳିଥିଲା, ତାହା ସମୁଦ୍ରକୁ ଶଙ୍ଖେ ପଣାପରି ଥିଲା ।

 

ନାରୀସମାଜ ପ୍ରତି ମଧୁସୂଦନଙ୍କର ବରାବର ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ସେମାନେ ତଳେ ପଡ଼ିରହିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ବିହାର-ଓଡ଼ିଶା ଲେଜିସଲେଟିଭ କାଉନ୍ସିଲରେ 1921 ମସିହା ନଭେମ୍ୱର 23 ତାରିକ ଦିନ ସ୍ତ୍ରୀଲୋକମାନଙ୍କର ଭୋଟଦେବା ଅଧିକାର ସମ୍ପର୍କରେ ଏକ ପ୍ରସ୍ତାବ ଦେଇ ସେହି ସଂକ୍ରାନ୍ତରେ ଭାଷଣ ଦେଇ ସେ କହିଥିଲେ :

 

‘‘......ମହିଳାମାନଙ୍କୁ ଏ କ୍ଷେତ୍ରରେ ଯେପରି ଭୋଟଦାନ ଅଧିକାରରୁ ବଞ୍ଚିତ କରି ରଖାଯାଇଛି, ସେ ବ୍ୟବସ୍ଥାର ମୁଁ ଘୋର ବିରୋଧ କରୁଅଛି । ଭାରତୀୟ ନାରୀ ସମାଜ ଯଦି ଏ ଦିଗରେ ଅନୁପଯୁକ୍ତ ବୋଲି ଆପଣ ମନେକରୁଥାନ୍ତି, ତେବେ ମୁଁ କହିବି, ଆପଣମାନେ ପ୍ରଥମେ ରାମାୟଣ ଆଉ ମହାଭାରତ ଗ୍ରନ୍ଥକୁ ପୋଡ଼ି ନଷ୍ଟ କରିଦିଅନ୍ତୁ । ମୋର ଏପରି କହିବାର କାରଣ ହେଉଛି, ସୀତାଙ୍କ ବିନା ରାମାୟଣ ଗ୍ରନ୍ଥର ସୃଷ୍ଟି ଯେପରି ସମ୍ପୂର୍ଣ୍ଣ ଅସମ୍ଭବ, ଦୌପଦୀଙ୍କ ବିନା ମହାଭାରତ ଗ୍ରନ୍ଥର ରଚନା ସେହିପରି ସମ୍ପୂର୍ଣ୍ଣ ଅଳୀକ ।’’

Image

 

(୧୭)

ଦେବାଳିଆ

 

ବିହାର-ଓଡ଼ିଶା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ମଧୁସୂଦନ ପାଟନାରୁ କଟକ ଫେରି ଆସିବାପରେ ଦେଖିଲେ ଯେ ଜୀବନର ସମସ୍ତ ଉପାର୍ଜନକୁ ବିନିଯୋଗ କରି ସେ ଯେଉଁ ‘ଉତ୍କଳ ଟ୍ୟାନେରି’ ଏତେ ପରିଶ୍ରମ ଆଉ ଯତ୍ନରେ ପ୍ରତିଷ୍ଠା କରିଥିଲେ, ତାହା ଆସି ସଂପୂର୍ଣ୍ଣ ଧ୍ୱଂସହେବା ଉପରେ । ତତ୍କାଳୀନ ଓଡ଼ିଶାରେ ଏହି ‘ଉତ୍କଳ ଟ୍ୟାନେରି’ ଥିଲା ଶିଳ୍ପର ଅଭିବୃଦ୍ଧ ଦିଗରେ ଗୋଟିଏ ଅପୂର୍ବ ନୂତନ ଉଦ୍ୟମ । ମଧୁସୂଦନଙ୍କ ପ୍ରଚେଷ୍ଟାରେ ଏହି ଅନୁଷ୍ଠାନଟି 1905 ମସିହାରେ ସ୍ଥାପିତ ହୋଇଥିଲା; କିନ୍ତୁ ଦୀର୍ଘକାଳ ଧରି ନାନା ସାମାଜିକ ଓ ରାଜନୈତିକ ବ୍ୟାପାରରେ ଜଡ଼ିତ ରହିବା ଫଳରେ ସେ ଏହି ଅନୁଷ୍ଠାନ ପ୍ରତି ଦୃଷ୍ଟି ଦେଇପାରିନଥିଲେ । ତାଙ୍କର ବ୍ୟକ୍ତିଗତ ଦୃଷ୍ଟିର ଅଭାବ ଓ ପରିଚାଳକମାନଙ୍କର ଅପାରଗତା ଓ ଯଦୃଚ୍ଛା ପରିଚାଳନା ଫଳରେ ଟ୍ୟାନେରି ସେତେବେଳକୁ ଆସି ବନ୍ଦ ହେବା ଉପରେ । ଟ୍ୟାନେରିର ଏହି ଦୂରବସ୍ଥା ଦେଖି ମଧୁସୂଦନ ନିତାନ୍ତ ବ୍ୟଥିତ ହୋଇପଡ଼ିଥିଲେ । ଜୀବନର ଗୋଟାଏ ଏଡ଼େ ବଡ଼ ଉଦ୍ୟମ ନିଜ ଆଖିଆଗରେ ତିଳ ତିଳ ହୋଇ ନଷ୍ଟ ହୋଇଯାଉଥିବାର ଦେଖି ସେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ସେତେବେଳକୁ ତାଙ୍କର ବୟସ ଆସି ହୋଇଥାଏ ପଞ୍ଚସ୍ତରି । ପୁଣି ରୋଜଗାରର ସବୁ ବାଟ ବି ସେତେବେଳକୁ ଆସି ବନ୍ଦ । ତଥାପି ଟ୍ୟାନେରିକୁ ଧ୍ୱଂସମୁହଁରୁ ରକ୍ଷାକରି ଏହାକୁ ପୁନର୍ଜୀବିତ କରିବା ଲାଗି ସେ ପ୍ରବଳ ଉନ୍ମାଦନାରେ ମାତିଉଠିଥିଲେ ।

 

ଭାରତରେ ଶିଳ୍ପର ଅଭ୍ୟୁଦୟ ଘଟାଇବା ଲାଗି ପ୍ରଥମେ ଯେଉଁମାନେ ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରେ ମଧୁସୂଦନ ଥିଲେ ଅନ୍ୟତମ । ଭାରତରେ ସ୍ୱଦେଶୀ ଆନ୍ଦୋଳନର ବହୁ ପୂର୍ବରୁ ସେ ନିଜ ଉପାର୍ଜନର ଏକ ମୁଖ୍ୟ ଅଂଶ ବ୍ୟୟକରି ଓଡ଼ିଶାର ଅବଲୁପ୍ତ କୁଟୀର ଶିଳ୍ପକୁ ପୁନର୍ଜୀବିତ କରିବାର ଉଦ୍ୟମ କରିଥିଲେ । ବିଗତ ଶତାବ୍ଦୀର ନବମ ଦଶକରେ ସେ ଯେଉଁ ‘ଓଡ଼ିଶା ଆର୍ଟ ଓ୍ୱେୟାର୍ସ’ର ସ୍ଥାପନ କରିଥିଲେ, ତାହା ଓଡ଼ିଶାର ଶିଳ୍ପକ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟି ଓ ଦେଶବତ୍ସଳତାର ପ୍ରକୃଷ୍ଟ ନିଦର୍ଶନ ଅଟେ । କଟକଠାରେ ସେ ଯେଉଁ କୋଠାରେ ରହୁଥିଲେ, ତାଙ୍କରି ସେହି ହତାଭିତରେ ଏହି ଅନୁଷ୍ଠାନର କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ଏହିଠାରେ ଏକଶହରୁ ଊର୍ଦ୍ଧ୍ୱ ଓଡ଼ିଆ କାରିଗର କଟକର ପ୍ରସିଦ୍ଧ ସୁନାକାମ ଓ ତାରକାସି କାମରେ ଲାଗିପଡ଼ିଥିଲେ । ବହୁକାଳରୁ ଏହି କାମ ପାଇଁ କଟକ ସାରାଦେଶରେ ଖ୍ୟାତିଲାଭ କରିଥିଲେ ମଧ୍ୟ ଏଥିଲାଗି ଅନ୍ୟମାନଙ୍କର ସାହାଯ୍ୟ ସହଯୋଗ ଅଭାବରୁ ଏହା କ୍ରମେ ଦେଶରୁ ଲୋପ ପାଇଆସିଥିଲା । ବର୍ତ୍ତମାନ ମଧୁସୂଦନଙ୍କ ଉଦ୍ୟମ ଫଳରେ ଅଳ୍ପକାଳ ମଧ୍ୟରେ ‘ଓଡ଼ିଶା ଆର୍ଟ ଓ୍ୱେୟାର୍ସ’ର ସୂକ୍ଷ୍ମ ତାରକସି ଜିନିଷଗୁଡ଼ିକ ୟୁରୋପର ବିଭିନ୍ନ ସହରମାନଙ୍କରେ ଅଧିକରୁ ଅଧିକ ବିକ୍ରୟ ହେବାରେ ଲାଗିଲା । ‘ଓଡ଼ିଶା ଆର୍ଟ ଓ୍ୱେୟାର୍ସ’ରେ ତିଆରି ହେଉଥିବା ସୁନ୍ଦର ତାରକସି ଗହଣାଗୁଡ଼ିକ ବିଭିନ୍ନ ଭାଇସ୍‍ରାୟ, ଲେଫ୍ଟନାଣ୍ଟ ଗଭର୍ଣ୍ଣର, ବଡ଼ ବଡ଼ ସରକାରୀ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ଭାରତ ଓ ୟୁରୋପର ଅଗଣିତ ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଦ୍ୱାରା ଆଦୃତ ଓ ପ୍ରଶଂସିତ ହେବାରେ ଲାଗିଲା । ଏହି ଅନୁଷ୍ଠାନଟି ଗଢ଼ିବାଦ୍ୱାରା ମଧୁସୂଦନ ତାରକସି ଶିଳ୍ପକୁ ଅବଲୁପ୍ତ ପଥରୁ ରକ୍ଷାକରିବା ସଙ୍ଗେ ସଙ୍ଗେ ଓଡ଼ିଶାର ଏହି ପ୍ରାଚୀନ ଚାରୁଶିଳ୍ପର ପୁନର୍ଜାଗରଣ କରିବାରେ ସକ୍ଷମ ହୋଇପାରିଥିଲେ ।

 

ଓଡ଼ିଶାର ଚିରନ୍ତନ ଦାରିଦ୍ର୍ୟ ଦୂର କରିବାକୁ ହେଲେ, ଓଡ଼ିଶାର ଯେଉଁ ଅଗଣିତ ଜନତା କୃଷି ଉପରେ ମୁଖ୍ୟତଃ ନିର୍ଭରକରି ପରିବାର ପ୍ରତିପୋଷଣ କରିଥାନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଶିଳ୍ପରେ ନିୟୋଜିତ କରି ସେମାନଙ୍କ ପାଇଁ ଆୟର ଗୋଟାଏ ନୂତନ ମାର୍ଗ ଉନ୍ମୋଚିତ ନ କରିବା ପର୍ଯ୍ୟନ୍ତ ପ୍ରତିକାରର ଅନ୍ୟ ବାଟ ନାହିଁ ବୋଲି ମଧୁସୂଦନ ଉପଲବ୍ଧି କରିଥିଲେ । ଓଡ଼ିଶାର ଦାରିଦ୍ର୍ୟ ଦୂରକରିବା ଉଦ୍ଦେଶ୍ୟରେ ସର୍ବପ୍ରଥମେ ମଧୁସୂଦନ ହିଁ ଏ ପ୍ରକାର ଅର୍ଥନୈତିକ ପରିକଳ୍ପନାର ସୂତ୍ରପାତ କରିଥିଲେ । ଏଥିପାଇଁ ସେ ଓଡ଼ିଶାର ପୁରପଲ୍ଲୀମାନଙ୍କରେ ସୂତାକଟା ଓ ତନ୍ତରେ ଲୁଗାବୁଣା ଆଦି କୁଟୀରଶିଳ୍ପ ପ୍ରବର୍ତ୍ତନ କରିବା ଦିଗରେ ପ୍ରଯତ୍ନ କରିଥିଲେ ନିଖିଳ ଭାରତ କଂଗ୍ରେସ ଏହି ସବୁ ରଚନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବାର ବହୁପୂର୍ବରୁ ମଧୁସୂଦନ ଏଗୁଡ଼ିକୁ ଓଡ଼ିଶାରେ ପ୍ରଚଳନ କରାଇଥିଲେ । ମଧୁସୂଦନଙ୍କର ଏହି ପ୍ରଶଂସନୀୟ ଉଦ୍ୟମକୁ ଲକ୍ଷ୍ୟକରି ମହାତ୍ମାଗାନ୍ଧୀ 1925 ମସିହା ଅଗଷ୍ଟ ମାସ 12 ତାରିଖରେ ତାଙ୍କୁ ଏକ ପ୍ରତ ଲେଖି ଜଣାଇଥିଲେ...‘‘ଉତ୍କଳର ପୁରପଲ୍ଲୀରେ କିପରି ଚରଖାରେ ସୂତାକଟା ବାର୍ତ୍ତା ପହୁଞ୍ଚାଇବୁ ହେବ, ସେ ବିଷୟରେ ଆପଣ ମତେ ଯଥାର୍ଥ ମାର୍ଗ ପ୍ରଦର୍ଶନ କରିପାରିବେ ବୋଲି ମୁଁ ଆଶା କରୁଛି । କଂଗ୍ରେସ ଅନୁଷ୍ଠାନ ପକ୍ଷରୁ ଉତ୍କଳରେ ସେଦିଗରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏ ଦିଗରେ ବିଶେଷ କିଛି ଉନ୍ନତି କରାଯାଇପାରିନାହିଁ । ତଥାପି ମୁଁ ସେଥିରେ ଭାଙ୍ଗି ନ ପଡ଼ି, ଉତ୍କଳରେ ଚରଖାର ପ୍ରଚଳନକୁ ବହୁଳ ଭାବରେ ପ୍ରସାରିତ କରିବାକୁ ମନରେ ସ୍ଥିର କରିଛି ।’’

 

1905 ମସିହାରେ କଟକର ସହରତଳି ଅଞ୍ଚଳରେ ପ୍ରାୟ 40 ଏକର ପରିମିତ ଏକ ପ୍ରଶସ୍ତ କ୍ଷେତ୍ର ଉପରେ ‘ଉତ୍କଳ ଟ୍ୟାନେରି’ ମଧୁସୂଦନଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନଟିରେ ସମସ୍ତ ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଥିଲା । ଏହାର ନିର୍ମାଣ ଓ ପ୍ରତିଷ୍ଠା କାର୍ଯ୍ୟରେ ମଧୁସୂଦନ ତାଙ୍କର ବ୍ୟକ୍ତିଗତ ଉପାର୍ଜନର ଏକ ବିପୁଳାଂଶ ଯେ କେବଳ ବ୍ୟୟିତ କରିଥିଲେ ସେତିକି ନୁହେଁ, ଏହାର ବିଭିନ୍ନ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବ୍ୟକ୍ତିଗତଭାବରେ ବହୁ ଅର୍ଥ ଋଣରୂପେ ମଧ୍ୟ ସଂଗ୍ରହ କରିଥିଲେ ।

 

ବିହାର-ଓଡ଼ିଶା ଗଭର୍ଣ୍ଣମେଣ୍ଟର ଶିଳ୍ପ ବିଭାଗର ମୁଖ୍ୟ ପରିଦର୍ଶକ ଶ୍ରୀ ବି. ଏମ୍. ଦାସ 1921 ମସିହା ଡିସେମ୍ୱର ମାସରେ ‘ଉତ୍କଳ ଟ୍ୟାନେରି’ ପରିଦର୍ଶନକରି ତାଙ୍କ ରିପୋର୍ଟରେ ଯାହା ଉଲ୍ଲେଖ କରିଥିଲେ, ତାହା ଏ ବିଷୟରେ ପ୍ରଣିଧାନଯୋଗ୍ୟ ।

 

ଶ୍ରୀଦାସ ଲେଖିଥିଲେ :

 

‘‘ଅନରେବଲ୍ ମି: ଏମ୍. ଏସ୍. ଦାସ. ସି. ଆଇ. ଇ. ଯେ କି ବର୍ତ୍ତମାନ ବିହାର-ଓଡ଼ିଶା ସରକାରରେ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରୀ ଅଛନ୍ତି, ସେ କଟକର ଅଧିବାସୀ ଅଟନ୍ତି । ବଙ୍ଗଳା ଡିଭିଜନ୍‍ରୁ ବିହାର-ଓଡ଼ିଶା ପ୍ରଦେଶ ଯେତେବେଳେ ଅଲଗା ହୋଇ ନ ଥିଲା, ସେହି ସମୟରେ ଏହି ମହାଶୟ ଓଡ଼ିଶାରେ ପ୍ରଚୁର ପରିମାଣରେ ମିଳୁଥିବା ଗୋରୁଗାଈମାନଙ୍କ ଚମଡ଼ା ଓ ନାନାଦି ବନ୍ୟଜନ୍ତୁଙ୍କ ଚମଡ଼ାକୁ କାମରେ ଲଗାଇ ଆଧୁନିକ ଉନ୍ନତ ପ୍ରଣାଳୀରେ ଓଡ଼ିଶାରେ ଚମଡ଼ାଶିଳ୍ପର ପ୍ରତିଷ୍ଠା କରିବାକୁ ପ୍ରଯତ୍ନ କରିଥିଲେ । ଏ ଦିଗରେ ଉନ୍ନତ ମାର୍ଗ ପ୍ରଦର୍ଶନ କରିବାରେ ମି: ଦାସ ହେଉଛନ୍ତି ସାରା ବଙ୍ଗଳା ଡିଭିଜନ୍ ମଧ୍ୟରେ ସର୍ବପ୍ରଥମ ବ୍ୟକ୍ତି । ଦେଶରେ ଯେତେବେଳେ ସ୍ୱଦେଶୀ ଶିଳ୍ପର ନାମଗନ୍ଧ ସୁଦ୍ଧା ଶୁଣିବାକୁ ମିଳୁ ନ ଥିଲା, ଏପରିକି ବଙ୍ଗଳା ଦେଶରେ 1905 ମସିହାରେ ସ୍ୱଦେଶୀ ଆନ୍ଦୋଳନର ସୂତ୍ରପାତ ହେବାର ବହୁ ପୂର୍ବରୁ ମଧ୍ୟ ମିଃ ଦାସ ଏହି ପରିକଳ୍ପନାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇପାରିଥିଲେ । ଏ ବିଷୟରେ ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା ସାରା ବଙ୍ଗଳା ଡିଭିଜନ୍ ମଧ୍ୟରେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ସବୁଠାରୁ ପଛରେ ପଡ଼ିଥିଲେ ମଧ୍ୟ ଏହି ପ୍ରଶଂସନୀୟ ଯୋଜନାକୁ ଯେଉଁ ମିଃ ଦାସ ସର୍ବପ୍ରଥମେ କାର୍ଯ୍ୟକାରୀ କରିବାରେ ସମର୍ଥ ହୋଇପାରିଥିଲେ, ସେ ଥିଲେ ସେହି ଓଡ଼ିଶା ପ୍ରଦେଶର ଅଧିବାସୀ । ଆହୁରି ଆଶ୍ଚର୍ଯ୍ୟର କଥା ଯେ ମି: ଦାସ ନିଜେ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଓ ଅତିମାତ୍ରାରେ କର୍ମବ୍ୟସ୍ତ ଆଇନଜୀବୀ ଥିଲେ ମଧ୍ୟ ସେ ଏହି ପଚାସଢ଼ା ଗନ୍ଧରା ବ୍ୟବସାୟ ପ୍ରତି ଆକୃଷ୍ଟ ହୋଇପାରିଥିଲେ, ଯାହା କି ଅନାଦିକାଳରୁ ଭାରତରେ ଅନୁନ୍ନତ ସମ୍ପ୍ରଦାୟ (ମୋଚି) ଲୋକମାନଙ୍କର ବ୍ୟବସାୟରୂପେ ବରାବର ପରିଗଣିତ ହୋଇଆସୁଥିଲା ।

 

1907 ମସିହାରେ କଲିକତାଠାରେ ଯେଉଁ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ସେହି ପ୍ରଦର୍ଶନୀକୁ ଉତ୍କଳ ଟ୍ୟାନେରିରୁ ଚମଡ଼ା ତିଆରି ଜୋତା, ବୁଟ୍ ଓ ଅନ୍ୟାନ୍ୟ ନାନାପ୍ରକାର ଚମଡ଼ା ତିଆରି ଜିନିଷମାନ ପଠାଯାଇଥିଲା । ଏସବୁ ଜିନିଷ ପ୍ରଦର୍ଶନୀରେ ଉଚ୍ଚ ପ୍ରଶଂସିତ ହୋଇ ଗୋଟିଏ ସ୍ୱର୍ଣ୍ଣପଦକ ପାଇପାରିଥିଲା । ଯେଉଁ ମି: ଜେ. ଜି. କମିଙ୍ଗ୍ (ଆଇ. ସି. ଏସ୍) ପରବର୍ତ୍ତୀ କାଳରେ ବଙ୍ଗ ସରକାରର ଏକଜିକ୍ୟୁଟିଭ୍ କାଉନ୍ସିଲର ସଭ୍ୟ ହୋଇଥିଲେ, ସେହି ମହାଶୟ 1908 ମସିହାରେ କଲିକତା ଗେଜେଟରେ ବଙ୍ଗଳା ଡିଭିଜନ୍ ଭିତରେ ଶିଳ୍ପର ଅବସ୍ଥା ବିଷୟରେ ଗୋଟିଏ ବିବରଣୀ ପ୍ରକାଶ କରିଥିଲେ । ସେହି ବିବରଣୀରେ ମି: କମିଙ୍ଗ୍ ଉଲ୍ଲେଖ କରିଥିଲେ ସେ ବଙ୍ଗଳା, ବିହାର ଓ ଓଡ଼ିଶାରେ ସେ ତିନୋଟି ମାତ୍ର କାରଖାନା ଦେଖିବାକୁ ପାଇଥିଲେ । ଯେଉଁଥିରେ କି 50 ବା ତହିଁରୁ ଊର୍ଦ୍ଧ୍ୱ ଲୋକ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳନ୍ତି । ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସାରା ବଙ୍ଗଳା ଡିଭିଜନ ମଧ୍ୟରେ ଚମଡ଼ାଶିଳ୍ପ ସଂକ୍ରାନ୍ତୀୟ କରାଖାନା ହିସାବରେ ଏକମାତ୍ର ଓଡ଼ିଶାର ‘ଉତ୍କଳ ଟ୍ୟାନେରି’ ହିଁ ମି: କମିଙ୍ଗ୍‍ଙ୍କ ଦ୍ୱାରା ସ୍ୱୀକୃତି ପାଇବାରେ ସମର୍ଥ ହୋଇପାରିଥିଲା ।

 

ପୁଣି ବିହାର-ଓଡ଼ିଶା ସରକାରର ଶାସନ ସଂକ୍ରାନ୍ତରେ 1917-18 ମସିହାରେ ଯେଉଁ ବାର୍ଷିକ ରିପୋର୍ଟ ପ୍ରକାଶିତ ହୋଇଥିଲା, ସେଥିରେ ମଧ୍ୟ ‘ଉତ୍କଳ ଟ୍ୟାନେରି’ର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା ଯେ...‘‘ଏହି ଟ୍ୟାନେରି ବିଷୟରେ ଯେତେ ଯେତେ ରିପୋର୍ଟ ଏ ପର୍ଯ୍ୟନ୍ତ ବାହାରିଛି, ସବୁଥିରେ ଦେଖିବାକୁ ମିଳିଛି ଯେ, ଏହି କାରଖାନାରେ ଆରମ୍ଭରୁ ଯେଉଁ ଜିନିଷ ସବୁ ତିଆରି ହୋଇ ଆସୁଅଛି, ସେସବୁ ଦେଶ-ବିଦେଶରେ ବିଶେଷ ଆଦୃତ ହେଉଅଛି । ଉତ୍ପାଦନର ଉତ୍କୃଷ୍ଟତା ରକ୍ଷା ଦିଗରେ ‘ଉତ୍କଳ ଟ୍ୟାନେରି’ ବରାବର ବିଶେଷ ଦୃଷ୍ଟି ରଖିଅଛି । ଏହି ଟ୍ୟାନେରିର ଗୋଧି-ଚମଡ଼ାଜାତ ଶିଳ୍ପ ଇଂଲଣ୍ଡ ଓ ଆମେରିକା ପ୍ରଭୃତି ଦେଶମାନଙ୍କରେ ବିଶେଷଭାବରେ ଆଦୃତ ହୋଇପାରିଛି ।’’ ଦେଶ-ବିଦେଶର ବାଣିଜ୍ୟ କ୍ଷେତ୍ରରେ ଉତ୍କଳ ଟ୍ୟାନେରି ଏପରି ଭାବରେ ପ୍ରଶଂସା ଅର୍ଜନ କରିପାରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଆର୍ଥିକ ଦୁର୍ଗତି ଫଳରେ ଶେଷକୁ ବର୍ତ୍ତମାନ ଆସି ବନ୍ଦ ହୋଇଯିବା ଅବସ୍ଥାରେ ପହଞ୍ଚିଥିଲା । ମନ୍ତ୍ରିମଣ୍ଡଳରୁ ବିଦାୟ ନେବାପରେ ମଧୁସୂଦନ ଟ୍ୟାନେରିର ଅବସ୍ଥାରେ ଉନ୍ନତି କରିବା ଦିଗରେ ପୂରାପୂରି ଲାଗିପଡ଼ିଥିଲେ; ମାତ୍ର ସେତେବେଳକୁ ଏହି କାରଖାନାର ବିଭିନ୍ନ ବିଭାଗରେ ଯେଉଁ ଅବ୍ୟବସ୍ଥା ଓ ଅପଚୟ ଆସି ଦେଖା ଦେଇସାରିଥିଲା, ସେଥିରେ ଉତ୍କଳ ଟ୍ୟାନେରିର ଅବସ୍ଥାକୁ ପୁଣି ପରିବର୍ତ୍ତନ କରିବା ପାଇଁ ମଧୁସୂଦନଙ୍କ ପକ୍ଷରେ ଆଉ ସମ୍ଭବ ହୋଇପାରି ନ ଥିଲା ।

 

ଉତ୍କଳ ଟ୍ୟାନେରିର ଏ ପ୍ରକାର ଦୁର୍ଗତି ଘଟିଥିବା ସମ୍ୱାଦ ପାଇ ମହାତ୍ମା ଗାନ୍ଧୀ ନିଜେ ପ୍ରକୃତ ଅବସ୍ଥା ଦେଖି ଏହାର ଅବସ୍ଥାରେ ଉନ୍ନତି ଘଟାଇବା ଉଦ୍ଦେଶ୍ୟରେ କିଛି ସାହାଯ୍ୟ କରିବା ଲକ୍ଷ୍ୟରେ କିଛିଦିନ ପାଇଁ କଟକଠାରେ ଆସି ମଧୁସୂଦନଙ୍କ ସହିତ ଏକାଠି ରହିଥିଲେ । କଲିକତାରୁ ଏ ସମ୍ପର୍କରେ ମଧୁସୂଦନଙ୍କୁ ଏକ ପତ୍ରରେ ମହାତ୍ମାଜୀ ଲେଖିଥିଲେ :

 

‘148, ରସାରୋଡ଼, କଲିକତା ।

ତା 12-8-1925

 

ବାବୁ ମଧୁସୂଦନ ଦାସ,

 

ମୋ ଟେଲିଗ୍ରମା ଉତ୍ତରରେ ଆପଣ ସଙ୍ଗେ ସଙ୍ଗେ ଯେଉଁ ପତ୍ର ଖଣ୍ଡି ଦେଇଥିଲେ, ତାହା ମୋର ହସ୍ତଗତ ହୋଇଅଛି । ବରାବର ଆପଣଙ୍କ ବିଷୟ ଭାବୁଥିଲେ ମଧ୍ୟ ଜାମସେଦପୁରରେ ଥିବାଯାଏ କଟକ ଯାଇ ଆପଣଙ୍କ ଅନୁଷ୍ଠାନକୁ ଥରେ ଦେଖିଆସିବା ପାଇଁ ମୁଁ ମନ ସ୍ଥିର କରିପାରି ନଥିଲି; କିନ୍ତୁ ଜାମସେଦପୁରରୁ ଫେରିବାପରେ ମୋର ଭିତରେ ବିବେକ ଦଂଶନ ହେବାକୁ ଲାଗିଲା । ମୁଁ କୌଣସିମତେ କଟକ ଆସି ଯେ କୌଣସି ମତେ ଥରେ ଆପଣଙ୍କ ଉତ୍କଳ ଟ୍ୟାନେରି ଦେଖିଆସିବା ଉଚିତ ବୋଲି ମୋର ମନ ହେଲା । ତେଣୁ ମୁଁ ଆସନ୍ତା ଗୁରୁବାର ଦିନ ଏଠାରୁ ପୁରୀ ଏକ୍ସପ୍ରେସରେ କଟକ ଆସୁଛି । ଗାଡ଼ି ବୋଧହୁଏ ପାହାନ୍ତା 4 ଟାବେଳେ କଟକରେ ପହଞ୍ଚିବ । ମୁଁ ସେଠାରେ ମୋଟ ଦୁଇଦିନ ରହିବି । ମୁଁ ଜାଣୁଛି, ମୋ ଆସିବା କଥା ଆପଣ କେବେ ହେଲେ ଗୁପ୍ତ ରଖିପାରିବେ ନାହିଁ; କିନ୍ତୁ ଦେଖିବେ, ଯେମିତି ମତେ ବେଶିଗୁଡ଼ାଏ କାର୍ଯ୍ୟକ୍ରମରେ ଯୋଗଦେବା ପରି ପରିସ୍ଥିତି ସୃଷ୍ଟି ନ ହୁଏ । କାରଣ ମୁଁ କେବଳ ମାତ୍ର ଆପଣଙ୍କ ଟ୍ୟାନେରିକୁ ଭଲଭାବରେ ଦେଖାଦେଖି କରି ଆପଣଙ୍କ ଅନୁଷ୍ଠାନର ଅଭାବ ଅସୁବିଧା ବିଷୟରେ ବୁଝିବାକୁ ଓ ସେ ଦିଗରେ ଆପଣଙ୍କ ଅନୁଷ୍ଠାନକୁ କିଛି ସାହାଯ୍ୟ କରିବା ମୋ ପକ୍ଷରେ ସମ୍ଭବ ହୋଇପାରେ କି ନାହିଁ, ସେ ବିଷୟ ବୁଝିବାକୁ ମୁଁ ଏଥର କଟକ ଆସୁଛି । ଆପଣଙ୍କ ସହିତ ମୋର ରହିବାର ସୁବିଧା ଯଦି କରିପାରିବେ ତ ଭଲ ହେବ; କିନ୍ତୁ ମୋ ସାଙ୍ଗରେ ଏଥର ରଙ୍ଗଲାଲ ଆଉ ସତୀଶ ଚନ୍ଦ୍ର ଦାସଗୁପ୍ତ ମଧ୍ୟ ଆସୁଛନ୍ତି । ରଙ୍ଗଲାଲ ବୋଲି ଯେଉଁ ବନ୍ଧୁଙ୍କ କଥା ଲେଖୁଛି, ସେ ହେଉଛନ୍ତି ଜଣେ ମାରୁଆଡ଼ି ଭଦ୍ରଲୋକ । ମୁଁ ତାଙ୍କୁ ବର୍ତ୍ତମାନ ଚମଡ଼ା ଶିଳ୍ପ ଦିଗରେ ଅନୁପ୍ରାଣିତ ଓ ଉତ୍ସାହିତ କରିବାକୁ ଉଦ୍ୟମ କରୁଅଛି । ଦେଶରେ ଏହିପରି ଶିଳ୍ପର ପ୍ରଗତି ଘଟିପାରିଲେ, ତାହା ଗୋ-ଜାତିର ରକ୍ଷା ଦିଗରେ ଯଥେଷ୍ଟ ସହାୟକ ହୋଇପାରିବ । ଦ୍ୱିତୀୟ ଭଦ୍ରଲୋକଙ୍କୁ ତ ଆପଣ ଜାଣନ୍ତି । ଆଉ ଜଣେ ତୃତୀୟ ବନ୍ଧୁ ମଧ୍ୟ ମୋ ସାଙ୍ଗରେ ଆସିପାରନ୍ତି । ସେ ହେଉଛନ୍ତି ମହାଦେବ ଦେଶାଇ, ଯାହାଙ୍କୁ କି ଆପଣ ମଧ୍ୟ ଜାଣନ୍ତି । ମୋ ସାଙ୍ଗରେ ଆସୁଥିବା ଲୋକମାନଙ୍କ କଥା ତ ଆପଣଙ୍କୁ ଲେଖି ଜଣାଇଲି । ତେଣୁ ସେହି ଦୃଷ୍ଟିରୁ ଯେଉଁଠି ସୁବିଧା ବିଚାରିବେ ସେଠାରେ ଆମ ପାଇଁ ରହିବାର ବନ୍ଦୋବସ୍ତ କରିବେ । ହଁ, ଦେଶବନ୍ଧୁ ସ୍ମୃତିପାଣ୍ଠି ଲାଗି ମୁଁ ସେଠାର ବଙ୍ଗୀୟ ବନ୍ଧୁମାନଙ୍କଠାରୁ ମଧ୍ୟ ଚାନ୍ଦା ସଂଗ୍ରହ କରିବି । ତା’ ଛଡ଼ା ଉତ୍କଳରେ କିପରି ଚରଖାର ପ୍ରସାର କରିବାକୁ ହେବ ସେ ବିଷୟରେ ମଧ୍ୟ ସେଠାରେ ଅବସ୍ଥାନ କାଳରେ ମୁଁ ଆପଣଙ୍କ ସହିତ ପରାମର୍ଶ କରିବି । କାରଣ କଂଗ୍ରେସ ଅନୁଷ୍ଠାନ ପକ୍ଷରୁ ଯଦିଓ ସେଠାରେ ସେହି ଉଦ୍ଦେଶ୍ୟରେ ପାଣିସୁଅ ପରି ଅଜସ୍ର ଅର୍ଥବ୍ୟୟ କରାଗଲାଣି, ତଥାପି ଏ ଯାଏ ଉତ୍କଳରେ ସେ ଦିଗରେ ଉଲ୍ଲେଖଯୋଗ୍ୟ କିଛି କରାଯାଇ ପାରିନାହିଁ । ଯାହାହେଉ, ସେଥିଲାଗି ପୁଣି ଉଦ୍ୟମ କରିବାକୁ ମୁଁ ମନରେ ଦୃଢ଼ ଆଶା ରଖିଛି ।’’

 

ଉତ୍କଳ ଟ୍ୟାନେରିକୁ ରଙ୍ଗଲାଲ ମାରୁଆଡ଼ୀକୁ ବିକ୍ରି କରିଦେବା ପାଇଁ ଗାନ୍ଧିଜୀ ମଧୁସୂଦନଙ୍କୁ ପରାମର୍ଶ ଦେଇ ତାଙ୍କୁ ବୁଝେଇ ଦେଇଥିଲେ ଯେ ଟ୍ୟାନେରିକୁ କିଣି ନେଲେ ରଙ୍ଗଲାଲ କାରଖାନାକୁ ପୁଣି ଚଳେଇ ପାରିବ । ଏହାଦ୍ୱାରା ଟ୍ୟାନେରି ଧ୍ୱଂସମୁହଁରୁ ରକ୍ଷା ପାଇଯିବ-। ତା ସାଙ୍ଗକୁ ପୁଣି ଗୋ-ରକ୍ଷା ଯୋଜନା ମଧ୍ୟ ଉତ୍କଳରେ କାର୍ଯ୍ୟକାରୀ ହୋଇପାରିବ; ମାତ୍ର ମଧୁସୂଦନ ମହାତ୍ମାଙ୍କର ଏହି ପ୍ରସ୍ତାବରେ ସମ୍ମତ ହୋଇ ପାରି ନ ଥିଲେ । ଉତ୍କଳର ଏହି ଗୌରବମୟ ଅନୁଷ୍ଠାନକୁ ଅନ୍ୟପାଖରେ ବିକ୍ରି କରିଦେବା ତାଙ୍କ ବିଚାରରେ ଅସମ୍ମାନଜନକ ବୋଧହେଲା । ଓଡ଼ିଶାର ଅଧିବାସୀମାନେ ଏହାର ପରିଚାଳନା ଦାୟିତ୍ୱ ଗ୍ରହଣ କରିବା ଉଚିତ୍ ହେବ ବୋଲି ସେ ମନେ କରିଥିଲେ । ତେଣୁ ସେ ଉତ୍କଳ ଟ୍ୟାନେରିକୁ ଗୋଟିଏ ଲିମିଟେଡ଼୍ କମ୍ପାନୀରେ ପରିଣତ କରିଦେଲେ । ବଙ୍ଗଳା ଡିଭିଜନ୍ ଅଧୀନସ୍ଥ ବଙ୍ଗଳା, ବିହାର ଓ ଓଡ଼ିଶା ଆଦି ତିନୋଟି ପ୍ରଦେଶ ମଧ୍ୟରେ ଥିବା ଏହି ସର୍ବପ୍ରଥମ ଓ ସର୍ବପ୍ରାଚୀନ ଶିଳ୍ପ ପ୍ରତିଷ୍ଠାନକୁ ଲିମିଟେଡ଼୍ କମ୍ପାନୀରେ ପରିଣତ କରିଦେବା ମୂଳରେ ତାଙ୍କର ଲକ୍ଷ୍ୟ ଥିଲା ଯେ, ଏହାଦ୍ୱାରା ଉତ୍କଳ ଟ୍ୟାନେରିରର କାର୍ଯ୍ୟ ପରିସରକୁ ଯଥେଷ୍ଟ ଅଧିକ ପରିମାଣରେ ଅଭିବୃଦ୍ଧି କରାଇ ଏହି ଟ୍ୟାନେରି-ତିଆରି ଜିନିଷଗୁଡ଼ିକ ପାଇଁ ସାରା ଭାରତରେ ତଥା ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶମାନଙ୍କରେ ଯେଉଁ ପ୍ରବଳ ଚାହିଦା ହେଉଛି, ତାହାକୁ ପୂରଣ କରିବା ସମ୍ଭବପର ହୋଇପାରିବ ।

 

ମଧୁସୂଦନଙ୍କର ଆହ୍ୱାନରେ ବଙ୍ଗଳା, ବିହାର ଓ ଓଡ଼ିଶାରୁ ଅନେକ ବଦାନ୍ୟ ଓ ଦେଶପ୍ରେମୀ ବ୍ୟକ୍ତିବିଶେଷ ଏହି ଲିମିଟେଡ଼୍ କମ୍ପାନୀର ସେୟାର (ଅଂଶ) ସବୁ କିଣିବାକୁ ଲାଗିଲେ; କିନ୍ତୁ ତାହା ସତ୍ତ୍ୱେ ମଧୁସୂଦନ ଉତ୍କଳ ଟ୍ୟାନେରିକୁ ରକ୍ଷାକରିପାରିଲେ ନାହିଁ ବା ନିଜକୁ ମଧ୍ୟ ରକ୍ଷା କରିପାରିଲେ ନାହିଁ । ଶେଷକୁ କଲିକତାର ଗୋଟିଏ ବ୍ରିଟିଶ କମ୍ପାନୀ ମଧ୍ୟ ଟ୍ୟାନେରିର ସୁନାମ ଦୃଷ୍ଟିରୁ ଏହାକୁ କିଣିନେବାକୁ ମଧୁସୂଦନଙ୍କୁ ପ୍ରସ୍ତାବ ଦେଇଥିଲେ; ମାତ୍ର ଏଥିରେ ମଧ୍ୟ ସେ ରାଜିହୋଇ ପାରି ନ ଥିଲେ । ଟ୍ୟାନେରିକୁ ହସ୍ତଗତ କରିବା ଲକ୍ଷ୍ୟରେ ଏହା ପୂର୍ବରୁ ମଧୁସୂଦନଙ୍କୁ ଏଥିଲାଗି ପ୍ରଚୁର ଋଣ ଦେଇଥିବା ଜଣେ ପ୍ରତିପତ୍ତିଶାଳୀ ମହାଜନ ମଧ୍ୟ ଏତିକିବେଳେ ସୁବିଧା ସୁଯୋଗ ଉଣ୍ଡି ଋଣ ଆଦାୟ ନିମନ୍ତେ ମଧୁବାବୁଙ୍କ ନାମରେ କଚେରିରେ ମକଦ୍ଦମା ଦାୟର କରିଦେଲେ । ଏହା ପରେ ପରେ ଅନ୍ୟାନ୍ୟ ଋଣଦାତାମାନେ ମଧ୍ୟ ଗୋଟିକ ପରେ ଗୋଟିଏ ମକଦ୍ଦମା ଦାୟର କରିବାରେ ଲାଗିଗଲେ ।

 

ମଧୁସୂଦନ ନିତାନ୍ତ ସରଳ ଓ ନିରାଡ଼ମ୍ୱର ଜୀବନଯାପନ କରୁଥିଲେ ମଧ୍ୟ ସମାଜର ପ୍ରାୟ ସବୁଶ୍ରେଣୀର ଲୋକମାନଙ୍କୁ ଆତିଥେୟତା ପ୍ରଦାନ କରିବାରେ ତାଙ୍କର ବରାବର ପ୍ରଚୁର ଧନବ୍ୟୟ ହେଉଥିଲା । ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନଙ୍କଠାରୁ ଆରମ୍ଭ କରି ଛାତ୍ର ଓ ରାଜନୈତିକ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ପ୍ରାୟ ସବୁ ଶ୍ରେଣୀର ଲୋକେ ତାଙ୍କର ଆତିଥେୟତା ଗ୍ରହଣ କରୁଥିଲେ । ଓଡ଼ିଶା ବାହାରର ଯେ କୌଣସି ବିଶିଷ୍ଟ ବ୍ୟକ୍ତି ସେ ସମୟରେ କଟକ ଆସୁଥିଲେ ମଧୁସୂଦନଙ୍କ ଘରେ ଦିନେ ଅଧେ ନରହି ସେ ପ୍ରାୟ କଟକରୁ ବିଦାୟ ହେଉ ନ ଥିଲେ । ଏହା ଛଡ଼ା ଉତ୍କଳ ସମ୍ମିନଳୀ, ପ୍ରଜା ପ୍ରତିନିଧି ସଭା ଓ ଅନ୍ୟାନ୍ୟ ଯେତେଯେତେ ଅନୁଷ୍ଠାନ ସେ ଗଠନ କରିଥିଲେ, ସେସବୁ ପୂରାପୂରି ତାଙ୍କର ଅକୁଣ୍ଠ ଅର୍ଥ ସାହାଯ୍ୟ ବଳରେ ପରିଚାଳିତ ହେଉଥିଲା । ସର୍ବୋପରି ଉତ୍କଳ ଟ୍ୟାନେରି ଲାଗି ସେ ବହୁ ଋଣ କରିପକାଇଥିଲେ ଓ ସେଥିରେ ମଧ୍ୟ ବହୁ ପରିମାଣ କ୍ଷତିର ସମ୍ମୁଖୀନ ହୋଇପଡ଼ିଥିଲେ । ବିଭିନ୍ନ ରାଜନୈତିକ କ୍ରିୟାକଳାପରେ ମାତି ରହିବାସାଙ୍ଗକୁ ବିହାର-ଓଡ଼ିଶା ମନ୍ତ୍ରିମଣ୍ଡଳରେ ମନ୍ତ୍ରୀହୋଇ ରହିଯିବା ଫଳରେ ଓକିଲାତିରୁ ତାଙ୍କର ଯେଉଁ ପ୍ରଚୁର ଆୟ ହେଉଥିଲା, ତାହା ମଧ୍ୟ ଏହା ମଧ୍ୟରେ ସମ୍ପୂର୍ଣ୍ଣ କମିଯାଇଥିଲା । ଯଦି ସେ ମନ୍ତ୍ରୀ ହିସାବରେ ରହି ମାସକୁ ମାସ ଟ 5000 ଉପାର୍ଜନର ପନ୍ଥା ଜାଣିଶୁଣି ପରିତ୍ୟାଗ କରି ନଥାନ୍ତେ, ତେବେ ହୁଏତ ସେ ତାଙ୍କ ଆର୍ଥିକ ଅବସ୍ଥାର କିଛିଟା ଉନ୍ନତି କରିପାରିଥାନ୍ତେ ଓ ବିପଦକୁ ଏମିତି ବଳେ ବଳେ ଡାକିଆଣି ନ ଥାନ୍ତେ ! କିନ୍ତୁ ଅବୈତନିକ ଭାବରେ ମନ୍ତ୍ରିମଣ୍ଡରେ ରହି କାର୍ଯ୍ୟ କରିବାକୁ ଜିଦ୍ ଧରି ଶେଷରେ ସେ ସେଥିରୁ ମଧ୍ୟ ବଳେ ବଳେ ବିଦାୟ ନେଇଥିଲେ ।

 

ଋଣଦାତାମାନେ ଯେତେବେଳେ ଋଣ ଆଦାୟ ନିମନ୍ତେ ତାଙ୍କ ନାମରେ କୋର୍ଟ କଚେରିରେ ମକଦ୍ଦମା ଚଳାଇଲେ, ସେତେବେଳ ମଧୁସୂଦନ ଦେଖିଲେ ଯେ, ନିଜକୁ ଦେବାଳିଆ ବୋଲି ଘୋଷଣା କରିବା ଛଡ଼ା ତାଙ୍କର ଅନ୍ୟ କିଛି ଉପାୟନାହିଁ । ଏଥିଲାଗି ସେ ଯେଉଁ ଦରଖାସ୍ତ କରିଥିଲେ ତହିଁରେ ଉଲ୍ଲେଖ ରହିଥିଲା...‘‘ଦରଖାସ୍ତକାରୀ ବହୁ ପ୍ରକାର କ୍ଷତିଗ୍ରସ୍ତ ହେବା ଫଳରେ ଆନୁମାନିକ ଟ1,80,000 ଋଣକରି ତାହା ପରିଶୋଧ କରିପାରିନାହିଁ ।’’ ଶେଷରେ ଅଦାଲତ ମଧୁସୂଦନଙ୍କୁ ‘ଦେବାଳିଆ’ ଭାବରେ ସ୍ୱୀକୃତି ଦେଇଥିଲେ ଏବଂ ଫଳରେ ଉତ୍କଳ ଟ୍ୟାନେରି ସମେତ ତାଙ୍କ ବାସଗୃହ, ଲ-ଲାଇବ୍ରେରୀ ଓ ତାଙ୍କର ଆଉ ଯାହା ଯାହା ଥିଲା, ସେ ସବୁ ନିଲାମ ହୋଇଗଲା ।

 

ଶିଳ୍ପର ଅଭିବୃଦ୍ଧି କରିବାକୁ ଯାଇ ମଧୁସୂଦନ ଶେଷରେ ଯେପରି ଭାବରେ ସର୍ବସ୍ୱାନ୍ତ ହୋଇ ‘ଶହୀଦ’ରେ ପରିଣତ ହେଲେ ସେ ବିଷୟ ବର୍ଣ୍ଣନାକରି ଆଚାର୍ଯ୍ୟ ପି. ସି. ରାୟ ଲେଖିଛନ୍ତି :

 

କୃଷିକରି ତହିଁରୁ ଲାଭବାନ ହେବାର ସମ୍ଭାବନା ନିତାନ୍ତ ଅନିଶ୍ଚିତ ହେଲେ ହେଁ ଆମ ଦେଶରେ ଅଧିକାଂଶ ଲୋକେ କୃଷିକୁ ଜୀବିକା ନିର୍ବାହର ପ୍ରଧାନ ସମ୍ୱଳରୂପେ ଗ୍ରହଣ କରିଥାନ୍ତି । ଏପରି ଅବସ୍ଥାରେ ଦେଶରେ ଯଦି ନୂଆ ନୂଆ ଶିଳ୍ପର ଅଭିବୃଦ୍ଧି ନ ଘଟେ, ତାହାହେଲେ ଏ ଦେଶର ଅଧିବାସୀମାନଙ୍କର ଆର୍ଥିକ ଦୁର୍ଗତି ଘୁଞ୍ଚିବାର ତିଳେମାତ୍ର ସମ୍ଭାବନା ନାହିଁ । ଆମ ଦେଶରେ ଯେତେବେଳେ ଦେଶବାସୀଙ୍କର ଆର୍ଥିକ ପ୍ରଗତି ଘଟାଇବାର ଏ ପ୍ରକାର ବ୍ୟବସ୍ଥା ସମ୍ପର୍କରେ କେହି ଚିନ୍ତା ସୁଦ୍ଧା କରି ନଥିଲେ, ସେହି ସମୟରେ ମଧୁସୂଦନ ଏହାକୁ ଉପଲବ୍ଧି କରିପାରିଥିଲେ ଓ ଦେଶର ଶୈଳ୍ପିକ ଅଭିବୃଦ୍ଧି ଘଟାଇ ଦେଶବାସୀଙ୍କର ଅବସ୍ଥାରେ ଉନ୍ନତି ଆଣିବାକୁ ଯାଇ ନିଜେ ଶେଷରେ ‘ଦେବାଳିଆ’ ହୋଇଥିଲେ । *

 

*Life of Madhusudan Das as seen by many eyes. P.S.

Image

 

(୧୮)

Unknown

‘‘ପ୍ରେମର ଶକ୍ତି ଅସୀମ’’

 

ସର୍ବସ୍ୱାନ୍ତ ମଧୁସୂଦନଙ୍କର ବର୍ତ୍ତମାନ ଆଉ ନିଜର ବୋଲି କିଛି ରହିଲାନାହିଁ... ଯାହା ମାତ୍ର ଅବଶେଷ ରହିଲା, ତାହା ଥିଲା ତାଙ୍କର ବ୍ୟକ୍ତିଗତ ମାନ-ମର୍ଯ୍ୟାଦା ଆଉ ଆତ୍ମସମ୍ମାନ; କିନ୍ତୁ ସେତକ ବି ରକ୍ଷାକରିବା ବର୍ତ୍ତମାନ ତାଙ୍କ ପକ୍ଷରେ ବିଶେଷ ଆୟାସସାଧ୍ୟ ହୋଇପଡ଼ିଥିଲା । ସୁଦୀର୍ଘ ଘଟଣାବହୁଳ ଜୀବନର ଶେଷ ଶକ୍ତି ପ୍ରୟୋଗ କରି ସେ ବର୍ତ୍ତମାନ ତାଙ୍କ ମର୍ଯ୍ୟାଦା ରକ୍ଷାକରିବାରେ ଲାଗିପଡ଼ିଲେ । ଦୁର୍ଯ୍ୟୋଗର ପ୍ରଚଣ୍ଡ ବାତ୍ୟା ବୁଢ଼ା ଗଛଟାକୁ ନୁଆଇଁ ପକାଇଥିଲା ସିନା, ଭାଙ୍ଗି କିନ୍ତୁ ପାରି ନଥିଲା । ସମସ୍ତ ପ୍ରକାର ପରାଜୟ ଓ ଆଶାଭଙ୍ଗ ପରେ ମଧ୍ୟ ତାଙ୍କ ଅନ୍ତରର ପ୍ରାଣ-ପ୍ରାଚୁର୍ଯ୍ୟ, ଦମ୍ଭ ଓ ସାହସ ତଥାପି ଅବଦମିତ ରହିଥିଲା । ସେତେବେଳକୁ ତାଙ୍କ ବୟସ ପ୍ରାୟ 80 ବର୍ଷ ପାଖାପାଖି ହୋଇଯାଇଥିଲେ ମଧ୍ୟ ସେ ପୂର୍ବପରି ସର୍ବଦା କର୍ମ-ଚଞ୍ଚଳ ରହିଥିଲେ ଓ ଜୀବନର ସମସ୍ତ ଦୁଃଖ-ଦୁର୍ଦ୍ଦଶାକୁ ସାହସ ଓ ଆନନ୍ଦର ସହିତ ଆଦରି ନେଇଥିଲେ । ଆଇନ ବ୍ୟବସାୟରୁ ତାଙ୍କର ଯତ୍‍ସାମାନ୍ୟ ଆୟ ହେଉଥିଲା, ତହିଁରେ ସେ ନିଜର ବ୍ୟୟ ନିର୍ବାହ କରିବା ସଙ୍ଗେ ସଙ୍ଗେ ପୂର୍ବପରି ଜନସେବା ଓ ସର୍ବସାଧାରଣ କାର୍ଯ୍ୟ ମଧ୍ୟ ଚଳାଇ ରଖିଥିଲେ । ଏହି କାର୍ଯ୍ୟରେ ଅନ୍ୟମାନଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବା ସେତେବେଳକୁ ପ୍ରାୟ ଏକରକମ ବନ୍ଦ ହୋଇ ଆସିଥିଲେ ମଧ୍ୟ ସେଥିଲାଗି ତାଙ୍କର ତିଳେମାତ୍ର ଦୁଃଖ ବା ଅବଶୋଷ ନଥିଲା । ଲୋକକଥାର ସେହି ‘ଆଟଲାସ’ ପରି ସମସ୍ତ ଦାୟ ଓ ଦାୟିତ୍ୱ ସେ ଏକା ତାଙ୍କ କାନ୍ଧ ଉପରକୁ ଟେକିନେଇଥିଲେ-। ଶତ୍ରୁ ମିତ୍ର ନିର୍ବିଶେଷରେ ସମସ୍ତଙ୍କ ପ୍ରତି ତାଙ୍କ ହୃଦୟରେ ସ୍ନେହ ପ୍ରେମ ଭରିରହିଥିଲା-। ଏହାଦ୍ୱାରା ବ୍ୟକ୍ତିଗତ ଜୀବନର ନାନା ଦୁଃଖ-ଦୁର୍ଦ୍ଦଶାକୁ ସେ ସହ୍ୟ କରି ପାରିବାର ଏକ ଉପାୟ ଖୋଜି ନେଇଥିଲେ । ପ୍ରଖ୍ୟାତ ଦାର୍ଶନିକ ଭର୍ଜିଲ୍‍ଙ୍କର ସେହି ଅମର ବାଣୀ ‘Omnia Vincit Amor’କୁ ସେ ସମୟରେ ସେ ଜୀବନର ସର୍ବଶ୍ରେଷ୍ଠ ଅବଲମ୍ୱନ ରୂପେ ଗ୍ରହଣ କରିନେଇଥିଲେ । ଏହାର ଅର୍ଥ ହେଲା, ‘ପ୍ରେମର ଶକ୍ତି ହେଲା ଅସୀମ । ପ୍ରେମଦ୍ୱାରା ମନୁଷ୍ୟ ସବୁ କିଛି ଜୟ କରିପାରେ ।’ ସବୁ ପ୍ରକାର ପରାଜୟ ଓ ପରାଭବରୁ ରକ୍ଷା ପାଇବା ଲାଗି ଏହାହିଁ ଥିଲା ତାଙ୍କର ରକ୍ଷାକବଚ । ଅଟଳ ଈଶ୍ୱରବିଶ୍ୱାସ ଓ ଜନସାଧାରଣଙ୍କ ସେବାରେ ଏକାନ୍ତ ଆତ୍ମୋତ୍ସର୍ଗର ମାଧ୍ୟମରେ ହିଁ ସେ ତାଙ୍କର ତତ୍କାଳୀନ ଜୀବନର ସମସ୍ତ ଦୁଃଖ-ଦୁର୍ଦ୍ଦଶାକୁ ଅତିକ୍ରମ କରିବାରେ ସକ୍ଷମ ହୋଇ ପାରିଥିଲେ ।

 

ଜୀବନ ବୈଚିତ୍ର୍ୟମୟ ! ଦିନେ ସେ ନିଜର ଯେଉଁ ପ୍ରକାଣ୍ଡ କୋଠାରେ ରହୁଥିଲେ ସେ କୋଠାଟା ଏହା ଭିତରେ ତାଙ୍କର ଜଣେ ଦୂର-ସମ୍ପର୍କୀୟ ଆତ୍ମୀୟ ନିଲାମରେ କିଣି ନେଇଥିଲେ । ମଧୁସୂଦନ ଭଡ଼ାଦେଇ ସେହି କୋଠାର ଗୋଟିଏ ଅଂଶରେ ବର୍ତ୍ତମାନ ଭଡ଼ାଟିଆ ଭାବରେ ରହୁଥିଲେ । ବହୁତ ସମୟରେ ପୁଣି ନିୟମିତ ଭାବରେ ଭଡ଼ା ଦେବା ମଧ୍ୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । ଲାଗ ଲାଗ କେତେ ମାସର ଭଡ଼ା ଏକାଠି ବାକି ପଡ଼ିଯାଉଥିଲା; କିନ୍ତୁ ତାଙ୍କ ପାଖରେ ଟଙ୍କା ହେବାମାତ୍ରେ ସେ ଏହି ଭଡ଼ା ଛିଣ୍ଡାଇ ନ ଦେବାକୁ ନିତାନ୍ତ ଅସମ୍ମାନଜନକ ବୋଲି ମନେ କରୁଥିଲେ; କିନ୍ତୁ ସେହି ଘରେ ଭଡ଼ା ନ ଦେଇ ରହିଥିଲେ ମଧ୍ୟ ତାଙ୍କର ସମ୍ମାନହାନି ହେବାର କୌଣସି ପ୍ରଶ୍ନ ନଥିଲା । କାରଣ ସେତେବେଳେ ଏମିତି ଗୋଟାଏ ଗୁଜବ ଶୁଣିବାକୁ ମିଳୁଥିଲା ଯେ ଯେଉଁ ଲୋକ ସେହି ଘରଟା ନିଲାମରେ କିଣିଥିଲେ ସେଥିଲାଗି ସେ କିନ୍ତୁ ମଧୁବାବୁଙ୍କଠାରୁ ଟଙ୍କା ନେଇଥିଲେ । ‘ବେନାମି’ରେ କୋଠାଟା ନିଲାମରେ ଧରିନେବାକୁ ମଧୁବାବୁଙ୍କର ସେହି ଦୂରସମ୍ପର୍କୀୟ ଆତ୍ମୀୟ ଜଣକ ଯେଉଁ ଟଙ୍କା ଏହିପରି ଭାବରେ ନେଇଥିଲେ ସେ କିନ୍ତୁ ସେହି ଟଙ୍କାତକ ନିଜେ ଆତ୍ମସାତ୍ କରି ନିଜ ଆକାଉଣ୍ଟରେ ଜମା କରି ଦେଇଥିଲେ । ମଧୁସୂଦନ ଅବଶ୍ୟ ଏସବୁ କଥା ଭଲ ଭାବରେ ଜାଣିଥିଲେ । ନିଜ ଟଙ୍କାରେ କୋଠାଟା କିଣାଯାଇଥିଲେ ବି ସେ ନିଜେ କିନ୍ତୁ କୋଠାଟା ତାଙ୍କର ବୋଲି ଭାବୁ ନଥିଲେ । କୋଠାର ଯେଉଁ ଅଂଶରେ ସେ ରହୁଥିଲେ ସେଥିଲାଗି ମାସକୁ ମାସ ଘରଭଡ଼ା ନ ଦେଇ ପର ଛପର ତଳେ ମୁଣ୍ଡ ଗୁଞ୍ଜିବାକୁ ସେ ସମ୍ମାନହାନିକର ବୋଲି ବରାବର ମନେକରୁଥିଲେ । ଥରେ ମଧୁସୂଦନ କ୍ରମାଗତ ଭାବରେ କେଇମାସ ଘରଭଡ଼ା ଦେଇ ପାରି ନ ଥିଲେ । ଇଂ 1927 ମସିହା ଡିସେମ୍ୱର ମାସ 3 ତାରିଖ ଦିନ ସେ ଭଡ଼ାଘର ମାଲିକ ପାଖକୁ ଖଣ୍ଡେ ଚିଠିରେ ଲେଖିଥିଲେ :

 

‘‘ମୁଁ ଆପଣଙ୍କ ପାଖକୁ ମନିଅର୍ଡ଼ର କରି ଆଜି ଟ 200 ଙ୍କା ପଠାଇ ଦେଇଛି । ସେଥିରେ ଚଳିତ 1927 ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ଆପଣଙ୍କର ଘରଭଡ଼ା ଚୁକ୍ତି ହୋଇଯିବ । ଅବଶିଷ୍ଟ ଯାହା ମୋ’ ଠାରୁ ଆପଣଙ୍କର ପ୍ରାପ୍ୟ ରହିଲା, ତାହାକୁ ମଧ୍ୟ ଯଥାଶୀଘ୍ର ମୁଁ ଛିଣ୍ଡେଇ ଦେବାକୁ ଚେଷ୍ଟାକରୁଛି । ମତେ ବର୍ତ୍ତମାନ ଅବଶ୍ୟ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ୁଛି; କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯେ ରାତି 2ଟା ଯାଏ ବସି କାମ କରିବା ଲାଗି ସେ ମତେ ଏବେ ବି ଶକ୍ତି ଦେଇଛନ୍ତି । ଭଗବାନ୍ ମଙ୍ଗଳମୟ । ମୋର ସମସ୍ତ ପାପ, ସମସ୍ତ ଅପରାଧ ସତ୍ତ୍ୱେସେ ମତେ ତାଙ୍କର ଦୟାରୁ ବଞ୍ଚିତ କରିନାହାନ୍ତି ।’’

 

ଏହି ପତ୍ରଟି ପାଠ କଲେ ମଧୁସୂଦନଙ୍କ ଅନ୍ତରର ଦୃଢ଼ତା, ସହନଶୀଳତା ଓ ସୁଖଦୁଃଖ ପ୍ରତି ଅନାସକ୍ତିଭାବ ସହଜରେ ଅନୁମିତ ହୁଏ । ଏହି ଗୁଣବଳରେ ସେ ଜୀବନର ଚରମ ଦୁର୍ଦ୍ଦିନରେ ମଧ୍ୟ କାତର ନ ହୋଇ ଅଚଳ, ଅଟଳ ଭାବରେ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇ ପାରିଥିଲେ । ତାଙ୍କଠାରୁ ନ୍ୟୂନ ବ୍ୟକ୍ତିତ୍ୱସମ୍ପନ୍ନ ଅନ୍ୟ କୌଣସି ବ୍ୟକ୍ତି ଯଦି ଏ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତା, ତେବେ ସେ ସେହିଥିରେ ଅଳ୍ପକାଳ ମଧ୍ୟରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥାନ୍ତା ।

 

ଅଶୀବର୍ଷ ବୟସରେ ମଧ୍ୟ ତାଙ୍କର ସେ ଦୁର୍ବଳ, ରୋଗାକ୍ରାନ୍ତ ଶରୀରଟା ମଧ୍ୟରେ ବିଶୁଦ୍ଧ ଦେଶପ୍ରେମ ଓ ସାହସର ଯେଉଁ ଅନିର୍ବାଣ ଦୀପଶିଖା ତଥାପି ପ୍ରଜ୍ଜ୍ୱଳିତ ହୋଇ ରହିଥିଲା, ତାହାରି ବଳରେ ଭାରତ ଡୋମିନିଅନ୍ ମଧ୍ୟରେ ଓଡ଼ିଆମାନଙ୍କୁ ସେମାନଙ୍କର ଯଥାଯୋଗ୍ୟ ଆସନରେ ପ୍ରତିଷ୍ଠିତ କରିବାକୁ ସେ ଅବିଶ୍ରାନ୍ତ ଭାବରେ ଲାଗିପଡ଼ିଥିଲେ । ଜୀବନର ଆରମ୍ଭରୁ ଯେଉଁ ପ୍ରେରଣା ତାଙ୍କୁ ସଦାବେଳେ ସଞ୍ଜୀବିତ କରି ତାଙ୍କର ପ୍ରତ୍ୟେକ ଚିନ୍ତା ଓ କର୍ମକୁ ଅନୁପ୍ରାଣିତ କରି ଆସିଥିଲା, ଆଜି ଜୀବନରେ ସର୍ବମୟ ପରାଜୟର ଏ ଅନ୍ଧକାର ମୁହୂର୍ତ୍ତରେ ସେ ଉଜ୍ଜ୍ୱଳ ଦୀପଶିଖା ତଥାପି ତାଙ୍କ ଅନ୍ତରକୁ ଆଲୋକିତ କରି ରଖିଥିଲା ।

 

ତାଙ୍କ କଟକ ଘର ନିଲାମ ହୋଇଯିବାର ଠିକ୍ ଦୁଇଦିନ ପୂର୍ବରୁ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କର ହଠାତ୍ ମୃତ୍ୟୁ ହୋଇଯାଇଥିବାର ଖବର କଟକରେ ଆସି ପହଞ୍ଚିଲା । ସେଦିନ ସକାଳୁ ସକାଳୁ ମଧୁସୂଦନ ଏ ଖବର ପାଇଥିଲେ । ବିଗତ ଶତାବ୍ଦୀର ଅଷ୍ଟମ ଦଶକଠାରୁ ଏହି ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ସହିତ ତାଙ୍କର ଘନିଷ୍ଠତା ବରାବର ରହି ଆସିଥିଲା । ଦିଲ୍ଲୀର ଇମ୍ପେରିଆଲ କାଉନ୍ସିଲରେ ସଭ୍ୟ ଥିବା ସମୟରେ ଦୁହିଁଙ୍କ ମଧ୍ୟରେ ସେହି ପ୍ରିୟତା ବରାବର ବଜାୟ ରହିଥିଲା । ଦୁହେଁ ପୁଣି ‘ଡାୟାର୍କି’ ଅଧୀନରେ ମନ୍ତ୍ରିତ୍ୱ ଗ୍ରହଣ କରି ବହୁ କଟୁ ସମାଲୋଚନାର ଶିକାର ହୋଇଥିଲେ । ଏହି କାରଣରୁ ସୁରେନ୍ଦ୍ରନାଥଙ୍କ ସହିତ ମଧୁସୂଦନଙ୍କର ଘନିଷ୍ଠତା ଜୀବନର ଶେଷଦିନ ଯାଏ ଅତୁଟ ରହିଥିଲା । ତେଣୁ ସୁରେନ୍ଦ୍ରନାଥଙ୍କ ମୃତ୍ୟୁ ସମ୍ୱାଦ ପାଇବାମାତ୍ରେ ମଧୁସୂଦନ ତାଙ୍କର କେଇଜଣ ଅନୁଗାମୀଙ୍କୁ ସାଙ୍ଗେ ସାଙ୍ଗେ ଡକେଇ ପଠେଇ ସେହିଦିନ ସନ୍ଧ୍ୟାରେ ଟାଉନ ହଲରେ ଗୋଟିଏ ଶୋକସଭା କରି ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ବନ୍ଦୋବସ୍ତ କରିଦେଲେ । ସେଦିନ ସନ୍ଧ୍ୟାରେ ଟାଉନ ହଲ୍ ଶୋକସଭାରେ ଦେଶପ୍ରାଣ ସେହି ବିଖ୍ୟାତ ଜନନେତାଙ୍କ ବିଷୟରେ ଆଲୋଚନା କରାଯାଇ ଭାରତରେ ଜାତୀୟତାର ଜାଗରଣ ନିମନ୍ତେ ସେ ଯେଉଁ ଅମୂଲ୍ୟ ଅବଦାନ ଦେଇଛନ୍ତି, ସେଥିଲାଗି ସେହି ସ୍ୱର୍ଗୀୟ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମଧୁସୂଦନଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ସଭା ଶେଷହେବା ପରେ ଏହି ଶୋକସଭାର ଦୀର୍ଘ ପ୍ରସ୍ତାବାବଳୀକୁ ଟେଲିଗ୍ରାମ୍ ଯୋଗେ ସ୍ୱର୍ଗତ ନେତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଜଣାଇଦେବା ଲାଗି ମଧୁସୂଦନ ସଭାର ଉଦ୍ୟୋକ୍ତାମାନଙ୍କୁ ଅନୁରୋଧ କରିଥିଲେ; କିନ୍ତୁ ହାତରୁ ପଇସା ଖର୍ଚ୍ଚକରି ସେ ଟେଲିଗ୍ରାମ୍‍ଟି କଲିକତା ପଠାଇବାକୁ କେହି ପ୍ରସ୍ତୁତ ନଥିବା କାରଣରୁ ପରବର୍ତ୍ତୀ ଦିନ ସକାଳେ ବିଗତ ସନ୍ଧ୍ୟା ମିଟିଂରେ ଗୃହୀତ ହୋଇଥିବା ପ୍ରସ୍ତାବାବଳୀ ସମ୍ପର୍କୀୟ ବିବରଣୀଟି ମଧୁସୂଦନଙ୍କ ପାଖକୁ ଫେରିଆସିଥିଲା । ଉଦ୍ଦେଶ୍ୟ ହେଲା ଏହାକୁ କଲିକତା ପଠାଇବାକୁ ଇଚ୍ଛା ଥାଏ ତ ମଧୁସୂଦନ ବରଂ ନିଜେ ହାତରୁ ପଇସା ଖର୍ଚ୍ଚ କରି ପଠାନ୍ତୁ; କିନ୍ତୁ ଗଲା କାଲି ସନ୍ଧ୍ୟାରେ ଟାଉନ ହଲ ମିଟିଂରେ ଉଦ୍ୟୋକ୍ତା ସାଜି ଯେଉଁମାନେ ଆସର କମ୍ପାଉଥିଲେ, ସେହିମାନେ ଆଜି ସାମାନ୍ୟ ଟେଲିଗ୍ରାମ୍‍ଟି ନିଜ ଖର୍ଚ୍ଚରେ କରି ନ ପାରି ମଧୁସୂଦନଙ୍କ ପାଖକୁ ଫେରାଇଦେବା ସମୟରେ ବେଶ୍ ଭଲଭାବରେ ଜାଣିଥିଲେ ଯେ, ଠିକ୍ ତା’ପରଦିନ ମଧୁବାବୁଙ୍କ ଘର ନିଲାମରେ ବିକ୍ରି ହୋଇଯିବାକୁ କଚେରିରେ ପୂର୍ବରୁ ସ୍ଥିର ହୋଇସାରିଥିଲା ଓ ଘରଖଣ୍ଡିକ ନିଲାମ ଯିବାପରେ ଖାଲି ପିନ୍ଧା ଲୁଗାକୁ ଛାଡ଼ିଦେଲେ ତାଙ୍କ ପାଖରେ ନିଜର ବୋଲି କହିବାକୁ ଆଉ କିଛି ରହିବ ନାହିଁ । ଏ ଖବର ମଧୁସୂଦନଙ୍କ ପରିବାରର ଜଣେ ଲୋକର କାନରେ ପଡ଼ିବାମାତ୍ରେ ସେ ସିଧା ଆସି ତାଙ୍କ ପାଖରେ ହାଜର ହୋଇଗଲେ, ଆଉ ତାଙ୍କ ସହକର୍ମୀ ଓ ଅନୁଚରମାନଙ୍କ ଅବିବେକିତା ବିଷୟରେ ତାଙ୍କୁ ଚେତେଇ ଦେଲେ । ଏ ଆପତ୍ତି ଶୁଣି ମଧୁବାବୁ ଘଡ଼ିଏ ଗମ୍ଭୀରହୋଇ ବସିଗଲେ । ତା’ପରେ ଟିକିଏ ହସିଦେଇ ଆପତ୍ତି କରିବାକୁ ଆସିଥିବା ଲୋକଟିକୁ ସେ ବୁଝାଇଦେଲେ : ‘‘କିହୋ ! ତୁମେ ତ ଜାଣିଛ, ମୁଁ ହେଲି ଓଡ଼ିଶାର ପ୍ରଥମ ବ୍ୟକ୍ତି ଯେ କି ସର୍ବସାଧାରଣ କାର୍ଯ୍ୟ କରିବାକୁ ହାତରୁ ପଇସା ଖର୍ଚ୍ଚକରି ଘରୁ ବାହାରିଥିଲା । ଆଉ ମୁଁ ବି ଆଜି ବଞ୍ଚିଛି । ତେଣୁ ସେ ସମ୍ପର୍କୀୟ କାମପାଇଁ ଆଜି ଯେତେବେଳେ କିଛି ପଇସା ଖର୍ଚ୍ଚର ଆବଶ୍ୟକ ଆସି ଦେଖାଦେଇଛି, ସେତେବେଳେ ସେମାନେ ସାହାଯ୍ୟ ଲାଗି ମୋ ପାଖକୁ ନ ଆସି ବା ଆଉ କାହା ପାଖକୁ ଯିବେ ? ତେଣୁ ତୁମେ ଯେ କୌଣସିମତେ ପଇସା ଯୋଗାଡ଼ କରି ଯାଅ ଟେଲିଗ୍ରାମ୍‍ଟା ପଠାଇଦେବାର ଯୋଗାଡ଼ କର-।’’ ବ୍ୟକ୍ତିଗତ ଦୁର୍ଗତିର ବିଭ୍ରାନ୍ତ ମୁହୂର୍ତ୍ତରେ ମଧ୍ୟ ମଧୁସୂଦନଙ୍କ ଅନ୍ତରର ଯେଉଁ ଦୃଢ଼ତା ଓ ପ୍ରାଣପ୍ରାଚୁର୍ଯ୍ୟ ତାଙ୍କୁ ତଥାପି ଅଟଳ ଓ ଅବିଚଳିତ କରି ରଖିପାରିଥିଲା, ଏହି ଘଟଣାରୁ ତାହାର ପ୍ରକୃଷ୍ଟ ପରିଚୟ ମିଳେ ।

 

ତତ୍କାଳୀନ ଭାବଧାରା ତୁଳନାରେ ସେ ନିଜକୁ ବହୁତ ପୁରୁଣାକାଳିଆ ବୋଲି ବିଚାରୁଥିଲେ । ସେ ପଚାଶ ବର୍ଷ ତଳେ କଲିକତା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାଇଥିବା ବିଷୟ ଉଲ୍ଲେଖ କରି ଦିନେ କଟକ ଟାଉନହଲରେ ଗୋଟିଏ ସଭାରେ ଭାଷଣ ଦେଉଥିବା ସମୟରେ ତାଙ୍କର ମନର ଏହି ଧାରଣାଟା ପ୍ରକାଶ କରିଦେଇଥିଲେ । ମି: ଜଷ୍ଟିସ୍ ସଦାଶିବ ଆୟାର୍ ଏହି ସଭାରେ ସଭାପତିତ୍ୱ କରୁଥିଲେ । ସେ ତାଙ୍କର ସଭାପତି ଭାଷଣରେ ଗୀତାର 10ମ ଅଧ୍ୟାୟରୁ କେତୋଟି ଶ୍ଳୋକ ଆବୃତ୍ତି କରି ମଧୁସୂଦନଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ଓ ତାହା ଭ୍ରମାତ୍ମକ ବୋଲି କହିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ତାଙ୍କ ଜୀବନର ବିଭିନ୍ନ କର୍ମ-ପରିସରରେ ଅଦ୍ୟାବଧି ତାଙ୍କର ସେହି ପ୍ରଥମ ଆସନକୁ ବଜାୟ ରଖିଆସିଛନ୍ତି । ଏପରିସ୍ଥଳେ ସେ ନିଜକୁ ପୁରୁଣାକାଳିଆ ବୋଲି ବିଚାରିବା ଯୁକ୍ତି ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭ୍ରମାତ୍ମକ । ସବୁକଥାରୁ ନିଜକୁ ସେ ଯେତେ ଆଡ଼େି ରଖୁଥିଲେ ମଧ୍ୟ ଓଡ଼ିଶାର ନବୀନ ଓ ତରୁଣ ନେତାମାନେ ସବୁବେଳେ କିନ୍ତୁ ତାଙ୍କ ପାଖକୁ ଯିବା-ଆସିବା ଲଗେଇଥିଲେ । ସେ ଥିଲେ ସତେ ଯେପରି ସେମାନଙ୍କର ନେତା ଓ ମୁଖ୍ୟ ପରାମର୍ଶଦାତା । ସେତେବେଳେ ଓଡ଼ିଶାରେ ସଭାସମିତିଠାରୁ ଆରମ୍ଭ କରି ଯେତେ ଯାହା ହେଉଥିଲା, ସବୁଥିରେ ଓଡ଼ିଶାର ତତ୍କାଳୀନ ନେତୃବୃନ୍ଦ ମଧୁସୂଦନଙ୍କୁ ନ ପଚାରି, ତାଙ୍କଠାରୁ ବୁଦ୍ଧି ନନେଇ କେହି କୌଣସି କାମରେ ପାଦେହେଲେ ଆଗୋଉ ନଥିଲେ ।

 

ଚରମ ଦୁର୍ଗତିର ମୁହୂର୍ତ୍ତରେ ମଧ୍ୟ ମଧୁସୂଦନଙ୍କ ଅନ୍ତରର ଅଟଳ ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ତଥାପି ଅତୁଟ ରହିଥିଲା । ପ୍ରତିଦିନ କିଛି ନା କିଛି ଗୋଟାଏ ସଭାସମିତିକୁ ବାର୍ତ୍ତା ପଠାଇବାକୁ, ନ୍ୟୂନପକ୍ଷେ ଧାଡ଼ିଏ ମାତ୍ର ଲେଖାଦେବାକୁ ତାଙ୍କ ପାଖରେ କେତେ ଯେ ଅନୁରୋଧ ଆସି ପହଞ୍ଚୁଥିଲା, ତାହାର ଇୟତ୍ତା ନାହିଁ । 1927 ମସିହା ସେପ୍ଟେମ୍ୱର ମାସ 28 ତାରିକ ଦିନ ଉତ୍କଳ ଛାତ୍ରସଭାକୁ ସେ ନିମ୍ନଲିଖିତ ଯେଉଁ ବାର୍ତ୍ତାଟି ପଠାଇଥିଲେ ତହିଁରୁ ତାଙ୍କ ଅନ୍ତରର ଅପରାଜେୟ ଆତ୍ମସତ୍ତାର ପ୍ରକୃଷ୍ଟ ପରିଚୟ ମିଳେ ।

 

‘‘...ମୋର ବର୍ତ୍ତମାନ ବୟସ ହେଲା ଅଶୀ । ଅଦାଲତ ମୋ ଉପରେ ପୁଣି ଦେବାଳିଆ ନୋଟିସ ଟଙ୍ଗେଇ ଦେଇଛି । ଯଦିଓ ମୋର ବର୍ତ୍ତମାନ ବୟସ ଅଶୀ ହେଲାଣି, ତଥାପି ଆଜିକୁ ଅର୍ଦ୍ଧଶତାବ୍ଦୀ ତଳେ ମୋର ଲକ୍ଷ୍ୟ ଯାହା ଥିଲା, ଆଜି ମଧ୍ୟ ମୋର ସେହି ଲକ୍ଷ୍ୟ ତଥାପି ଅପରିବର୍ତ୍ତିତ ରହିଅଛି । ଉତ୍କଳ ପ୍ରତି ସାରା ପୃଥିବୀର ଦୃଷ୍ଟି ଆକର୍ଷଣକରିବା ହେଲା ମୋର ସେହି ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ମୁଁ ଯେଉଁ ଉତ୍କଳ ଟ୍ୟାନେରି ଗଢ଼ିଥିଲି, ସେହି ଟ୍ୟାନେରି ମତେ ଦେବାଳିଆ କଲା ସତ; କିନ୍ତୁ ତାହାରି ଫଳରେ ସାରା ପୃଥିବୀର ଦୃଷ୍ଟି ଉତ୍କଳ ପ୍ରତି ଆକୃଷ୍ଟ ହୋଇପାରିଥିଲା । ଉତ୍କଳୀୟ ଛାତ୍ରଜନତାର ସବୁବେଳେ ସେହି ମହତ୍ ଲକ୍ଷ୍ୟ ରହିବା ଉଚିତ । ସେମାନେ ନିଜକୁ ବ୍ୟକ୍ତିବିଶେଷ ବୋଲି ନ ଭାବି, ଆତ୍ମସତ୍ତା ଭୁଲି, ନିଜ ନିଜକୁ ଗୋଟିଏ ବିରାଟ ଜାତିର ଦାୟାଦ ବୋଲି ଭାବିବା ଦରକାର ।’’

 

ଇଂରେଜୀ 1927 ମସିହାରେ ଭାରତ ଶାସନରେ ଆଉ କ’ଣ ଅଧିକ ସଂସ୍କାର କରାଯାଇପାରେ, ତାର ସମ୍ଭାବନା ପରୀକ୍ଷା କରି ଦେଖିବାକୁ ଏବଂ ସେ ବିଷୟରେ ସୁପାରିସ୍‍ କରିବାକୁ ମହାମାନ୍ୟ ପଞ୍ଚମ ଜର୍ଜ ‘ଇଣ୍ଡିଆନ୍ ଷ୍ଟାଚ୍ୟୁଟେରି କମିସନ’ ନିଯୁକ୍ତ କରିଥିଲେ । ସାର୍ ଜନ୍ ଆଲଶିବ୍ରୁକ୍ ସାଇମନ ସେଥିରେ ଚେୟାରମ୍ୟାନ୍ ଥିଲେ । ଭାରତରେ ନୂତନ ପ୍ରଦେଶ ଗଠନ ସମ୍ପର୍କୀୟ ସମସ୍ୟାର ବିଚାର କରି ଦେଖିବା ଏହି କମିସନର ଏକ ପ୍ରଧାନ ଲକ୍ଷ୍ୟ ଥିଲା । ଓଡ଼ିଆ ଭାଷାଭାଷୀ ଲୋକମାନେ ଭାଷାଦୃଷ୍ଟିରୁ ସେ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିବାସୀ ପରି ବିଭିନ୍ନ ପ୍ରାଦେଶିକ ଶାସନ ଅଧୀନରେ ବାସ କରୁଥିଲେ । ତେଣୁ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକରି କମିସନ ପାଖକୁ ଅନେକ ସ୍ମାରକପତ୍ର ଓ ନିବେଦନପତ୍ର ସବୁ ପଠାହେବାକୁ ଲାଗିଲା । ତାହା ନ ହେଲେ ଏହି କମିସନ ଗଠନ ଓ ଏହାର ସୁପାରିସ ଇତ୍ୟାଦି ଓଡ଼ିଆମାନଙ୍କ ପକ୍ଷରେ ସମ୍ପୂର୍ଣ୍ଣ ମୂଲ୍ୟହୀନ ବୋଲି ଦାବିପତ୍ରମାନଙ୍କରେ ଚେତାଇ ଦିଆଗଲା ।

 

1928 ମସିହା ଡିସେମ୍ୱର ମାସରେ ପାଟନାରେ କମିସନର ବୈଠକ ବସିଲା । ଖରାପ ପାଗ ଓ ବୟସର ଆଧିକ୍ୟ ଦୃଷ୍ଟିରୁ ମଧୁସୂଦନ ଏହି କମିସନର ଅଧିବେଶନରେ ଯୋଗ ଦେଇନଥିଲେ; କିନ୍ତୁ ଓଡ଼ିଆମାନଙ୍କର ଯେଉଁ ପ୍ରତିନିଧିମାନେ ଏହି କମିସନ ଆଗରେ ସାନ୍ଧ୍ୟ ଦେଇଥିଲେ, ସେମାନେ ସମସ୍ତେ ଏକମନ, ଏକପ୍ରାଣରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାଲାଗି ଦାବି ଜଣାଇଥିଲେ ଏବଂ ଏହା ଯଦି କରାନଯାଏ ତେବେ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ପକ୍ଷରେ ଏହି କମିସନ ବା ତାହାର ଶାସନ ସଂସ୍କାର ସଂକ୍ରାନ୍ତୀୟ ସୁପାରିସ୍ ନିତାନ୍ତ ଅର୍ଥହୀନ ହୋଇଯିବ ବୋଲି କମିସନଙ୍କୁ ପରିଷ୍କାର ଭାବରେ ଜଣାଇ ଦେଇଥିଲେ ।

 

କିନ୍ତୁ ଏହି କମିସନ ଆଗରେ ମଧୁସୂଦନ ସାକ୍ଷ୍ୟ ନ ଦେବା ମୂଳରେ ହୁଏତ ଅନ୍ୟ କାରଣ ରହିଥିଲା । 1918 ମସିହାରେ ମଣ୍ଟେଗୁ-ଚେମସଫୋର୍ଡ଼ ଶାସନ-ସଂସ୍କାର ପ୍ରବର୍ତ୍ତିତ ହେବା ଦିନଠାରୁ ଓଡ଼ିଶାକୁ ଗୋଟିଏ ସବ୍-ପ୍ରୋଭିନ୍ସ ଭାବରେ ଗ୍ରହଣକରି ଏହାକୁ ଜଣେ ଡେପୁଟି ଗଭର୍ଣ୍ଣରଙ୍କ ଅଧୀନରେ ଅବସ୍ଥାପିତ କରିବା ବିଷୟ ବିହାର-ଓଡ଼ିଶା ପ୍ରଦେଶର ବିଭିନ୍ନ ମହଲରେ ଆଲୋଚିତ ହେଉଥିଲା । ମଧୁସୂଦନ ନିଜେ ଏହି ପ୍ରସ୍ତାବର ମୂଳକର୍ତ୍ତା ଥିଲେ; କିନ୍ତୁ ମଣ୍ଟେଗୁ- ଚେମସଫୋର୍ଡ଼ କମିଟି ଏହି ବ୍ୟବସ୍ଥାକୁ ଆଗ୍ରାହ୍ୟ କରିଥିଲେ ମଧ୍ୟ ସମଗ୍ର ପ୍ରଦେଶରେ; କିନ୍ତୁ କେତେକ ଲୋକ ଏହି ପ୍ରସ୍ତାବ ବିଷୟରେ ବରାବର ଆଗ୍ରହ ପ୍ରଦର୍ଶନ କରି ନାନା ସ୍ଥାନରେ ଆଲୋଚନା କରୁଥିଲେ । ତଥାପି ଓଡ଼ିଶାର ଅଧିକାଂଶ ଲୋକ ଏହି ବ୍ୟବସ୍ଥାଟିକୁ ପସନ୍ଦ କରୁ ନ ଥିଲେ । ପୁଣି ବର୍ତ୍ତମାନ ଯେଉଁ ସାଇମନ କମିସନ ବସିଥିଲା, ସେ କମିସନ ମଧ୍ୟ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରୂପେ ସ୍ୱୀକୃତିଦେବା ବିଷୟରେ ମଧୁସୂଦନଙ୍କ ମନରେ ଘୋର ସନ୍ଦେହ ଥିଲା । କାରଣ ଆର୍ଥିକ ଦୃଷ୍ଟିରୁ ଏ ପ୍ରକାର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା । ବିହାର-ଓଡ଼ିଶା ପ୍ରଦେଶର ମନ୍ତ୍ରୀ ଥିବାବେଳୁ ମଧୁସୂଦନ ଏହି ମିଳିତ ପ୍ରଦେଶର ଆର୍ଥିକ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ । ସେଇଥିରୁ ସେ ଭଲଭାବରେ ଜାଣିଥିଲେ ଯେ ଆର୍ଥିକ ବିଚାରଦୃଷ୍ଟିରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ସାଇମନ୍ କମିସନ ସ୍ୱୀକୃତି ଦେବା ସମ୍ପୂର୍ଣ୍ଣ ଅସମ୍ଭବ । ଏହି କାରଣରୁ ବିହାର-ଓଡ଼ିଶା ସରକାରରେ ଓଡ଼ିଶା ଲାଗି ଗୋଟିଏ ସ୍ୱତନ୍ତ୍ର ଓଡ଼ିଶା ବିଭାଗ ମନ୍ତ୍ରୀ ବ୍ୟବସ୍ଥା କରିବା ନିମନ୍ତେ ମଧୁସୂଦନ ପ୍ରସ୍ତାବ ଦେଇଥିଲେ; କିନ୍ତୁ ତାଙ୍କର ଏ ପ୍ରସ୍ତାବଟି ମଧ୍ୟ ଜନ-ସମର୍ଥନ ପାଇପାରି ନ ଥିଲା ଏବଂ ସର୍ବ-ଦଳୀୟ କମିଟି ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲା । ସେଥିଲାଗି ମଧୁସୂଦନ ସାଇମନ କମିସନ ପାଖରେ ନିଜର ମତାମତ ଉପସ୍ଥାପିତ କରିବା ଲାଗି ପାଟନା ଯିବାକୁ ଇଚ୍ଛା ପ୍ରକାଶ କରି ନଥିଲେ । ସେ ନିଜେ ନ ଯାଇଥିଲେ ମଧ୍ୟ, ବ୍ରଜସୁନ୍ଦର ଦାସଙ୍କ ନେତୃତ୍ୱରେ ତାଙ୍କର ବିଶ୍ୱସ୍ତ ସମର୍ଥକଗଣ କିନ୍ତୁ କମିସନ ସମକ୍ଷରେ ସେମାନଙ୍କର ସାକ୍ଷ୍ୟ ପ୍ରଦାନକରିବାକୁ ପାଟନା ଯାଇଥିଲେ ।

 

ସାଇମନ୍ କମିସନ କିନ୍ତୁ ମଣ୍ଟେଗୁ-ଚେମସଫୋର୍ଡ଼ କମିଟିର ବିଚାର ଦୃଷ୍ଟିରୁ ଭାରତରେ ନୂତନ ପ୍ରଦେଶ ଗଠନ ସଂକ୍ରାନ୍ତୀୟ ବିଷୟରେ ବିଚାର ନ କରି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିଷୟ ପ୍ରତି ସମର୍ଥନ ପ୍ରକାଶ କରିଥିଲେ । ଏ ସମ୍ୱନ୍ଧରେ କମିଟି ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ‘‘ବିହାର ଓ ଓଡ଼ିଶାକୁ ନେଇ ବର୍ତ୍ତମାନ ଯେଉଁ ମିଳିତ ପ୍ରଦେଶ ଗଠନ କରାଯାଇଅଛି, ତାହା ସମ୍ପୂର୍ଣ୍ଣ ଏକ କୃତ୍ରିମ ଓ ଅସ୍ୱାଭାବିକ ମିଳନ ଅଟେ । କାରଣ ଏହି ଦୁଇଟି ଅଞ୍ଚଳ ମଧ୍ୟରେ କୌଣସି ପ୍ରକାର ସାମଞ୍ଜସ୍ୟ ନାହିଁ ।’’ *

 

*’Report of the Indian Statutory Commission’; Vol. II P.25.

 

ଓଡ଼ିଶା ଦାବୀର ଯଥାର୍ଥତା ବିଷୟରେ ସାଇମନ୍ କମିସନ ବିଶେଷ ଗଭୀର ଭାବରେ ଅନୁପ୍ରାଣିତ ହେବା ଫଳରେ ମେଜର୍ ଅଟଲିଙ୍କ ଅଧିନାୟକତ୍ୱରେ ଏହି ବିଷୟଟିର ପୁଣିଥରେ ପୂର୍ଣ୍ଣାଙ୍ଗ ବିଚାର କରିବା ଉଦ୍ଦେଶ୍ୟରେ କମିସନଙ୍କ ସୁପାରିସ୍ ଅନୁଯାୟୀ ଗୋଟିଏ ସବ୍‍କମିଟି ଗଠନ କରାଗଲା । ଏହି ସବ୍‍କମିଟି ଶେଷରେ ବିଷୟଟିର ସର୍ବାଙ୍ଗୀନ ବିଚାରକରି ‘ସ୍ୱତନ୍ତ୍ର ଓଡ଼ିଶା’ ପ୍ରଦେଶ ଗଠନ ସୁପାରିସ କରି ତାଙ୍କର ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ଭାରତରେ ବର୍ତ୍ତମାନ ଯେଉଁସବୁ ପ୍ରାଦେଶିକ ବିଭାଗ ସବୁ ରହିଅଛି, ସେଗୁଡ଼ିକର ବିଭାଗୀକରଣ ବିଷୟ ବିଚାରକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସୀମା ନିର୍ଣ୍ଣୀତ ହେବା ଦରକାର ।*

 

*Report of the Indian Statutory commission’ Vol II PP.50,51.

 

ଏହି କମିଟିର ସୁପାରିସ୍ ଅନୁଯାୟୀ ଇଂ 1931 ମସିହାରେ ସାର୍ ସାମୁୟେଲ ଓଡନେଲଙ୍କ ସଭାପତିତ୍ୱରେ ଭାରତ ସରକାର ‘ଓଡ଼ିଶା କମିଟି’ର ଗଠନ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ମେଜର୍ ଅଟ୍‍ଲୀ କମିଟି ଯେଉଁ ପ୍ରସ୍ତାବ ଦେଇଥିଲେ, ସେହି ପ୍ରସ୍ତାବକୁ ବିଚାର କରି ଓଡ଼ିଶା ପ୍ରଦେଶର ସୀମା ନିର୍ଣ୍ଣୟ କରିବା ଓ ଯଦି ସେ ପ୍ରଦେଶ ଗଠିତ ହୁଏ, ତେବେ ତାହାର ଶାସନଗତ ଓ ଆର୍ଥିକ ବ୍ୟାପାର ଆଦି ସମସ୍ତ ବିଷୟ ବିଚାରକରି ରିପୋର୍ଟ ଦେବାଲାଗି ଏହି କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ଯେଉଁ ଐତିହାସିକ ଉତ୍କଳକୁ ଦୁନିଆ ଦୁଷ୍ଟିରେ ପରିଚିତ କରାଇବା ଲାଗି ଦୀର୍ଘ ଅର୍ଦ୍ଧ-ଶତାବ୍ଦୀ କାଳ ମଧୁସୂଦନ ସମ୍ପୂର୍ଣ୍ଣ ନିଃସଙ୍ଗ ଭାବରେ ସଂଗ୍ରାମ ଚଳାଇଆସିଥିଲେ, ତାଙ୍କର ସେହି ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ବର୍ତ୍ତମାନ ବିଶେଷ ଉଜ୍ଜ୍ୱଳ ହୋଇ ଉଠିଥିଲା । ମଧୁସୂଦନଙ୍କ ଜୀବନର ଚରମ ଅଭିଳାଷ ପୂରଣର ପରମ ମୁହୂର୍ତ୍ତ ବୋଧହେଉଥିଲା ଆସନ୍ନ ପ୍ରାୟ !

 

କିନ୍ତୁ ଦେଶରେ ସେତେବେଳେ ଯେଉଁ ସବୁ ଯୁଗାନ୍ତକାରୀ ଲକ୍ଷ୍ୟ ପୂରଣ ଦିଗରେ ସଂଗ୍ରାମ ଚାଲିଥିଲା, ସେ ସବୁର ତୁଳନାରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଦାବି ପୂରଣ ନିତାନ୍ତ ତୁଚ୍ଛ ଓ ନଗଣ୍ୟ ଥିଲା । ପୁଣି ଏତେ ସାଧ୍ୟସାଧନା ପରେ ଓଡ଼ିଆମାନଙ୍କୁ ଏବେ ଯେଉଁ ଖଣ୍ଡିତ ଓଡ଼ିଶା ପ୍ରଦେଶ ଖଣ୍ଡ ମିଳିଲା, ତାହା ଥିଲା ମଧୁସୂଦନଙ୍କ କଳ୍ପିତ ଓଡ଼ିଶାର ଏକ ବିକଟ ପ୍ରହସନ ମାତ୍ର; କିନ୍ତୁ ଏହା ଯେତେ ଅପୂର୍ଣ୍ଣ ହେଉପଛେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଲକ୍ଷ୍ୟ ପୂରଣ ମଧୁସୂଦନଙ୍କ ଦୃଷ୍ଟିରେ ଥିଲା ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ବାସସ୍ଥାନ ପ୍ରତି ଏକ ନିଶ୍ଚିତ ସ୍ୱୀକୃତିପ୍ରାପ୍ତିର ସଫଳ ରୂପାୟନ ।

ଏ ସମ୍ପର୍କରେ 1927 ମସିହାରେ ‘ହରିଜନ’ ପତ୍ରିକା ସ୍ତମ୍ଭରେ ମହାତ୍ମା ଗାନ୍ଧି ଉଲ୍ଲେଖ କରିଥିଲେ : ‘‘ଓଡ଼ିଶାର ଯେ କୌଣସି ପ୍ରକାର ଉନ୍ନତିର ଅର୍ଥ ହେଉଛି ସାରା ଭାରତବର୍ଷର ଉନ୍ନତି । ଓଡ଼ିଶା ଏପରି ଗୋଟିଏ ରାଜ୍ୟ ଯାହା କି ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଦରିଦ୍ର ରହିବା ସମ୍ପୂର୍ଣ୍ଣ ଅବାନ୍ତର ଓ ଅସ୍ୱାଭାବିକ ଅଟେ । ଓଡ଼ିଶାର ଅତୀତ ଇତିହାସ ଗୌରବମୟ ! ଦେବାଳୟମୟ ଏହି ରାଜ୍ୟରେ ମୁଣ୍ଡଟେକି ଠିଆହୋଇଛି ଜଗତର ନାଥ ‘ଜଗନ୍ନାଥ’ଙ୍କ ବଡ଼ଦେଉଳ, ଯେଉଁଠାରେ କି ମନୁଷ୍ୟ ମନୁଷ୍ୟ ମଧ୍ୟରେ ସବୁ ପ୍ରକାର ଭେଦଭାବ ଲୋପ ପାଇଯାଇଅଛି; କିନ୍ତୁ ବିଶେଷ ପରିତାପର ବିଷୟ ସେହି ମହାନ୍ ଦେବତାଙ୍କ ଦେଉଳ-ଛାଇତଳେ ହଜାର ହଜାର ଲୋକ କ୍ଷୁଧାର ତାଡ଼ନାରେ ପ୍ରାଣ ହରାଉଛନ୍ତି । ଓଡ଼ିଶା ହେଉଛି ସାରା ଭାରତ ମଧ୍ୟରେ ଚିରନ୍ତନ ରୋଗ, ଦାରିଦ୍ର୍ୟ ଓ ଦୁର୍ଭିକ୍ଷକ୍ଳିଷ୍ଟ ଏକ ରାଜ୍ୟ । ଓଡ଼ିଶାର ଲୋକଙ୍କ ଆଖିରେ ମୁଁ ଯେଉଁ ଶୂନ୍ୟତା, ହତାଶା ଓ ପ୍ରାଣଶୂନ୍ୟତା ଦେଖିଛି, ସେପରି ଦୃଶ୍ୟ ଅନ୍ୟ କୌଣସି ସ୍ଥାନରେ ମୋ ଆଖିରେ ପଡ଼ିନାହିଁ ।’’ *

*Mahatma’ by Tendulkar, Vol, II, P-241.

ବିଗତ ଊନବିଂଶ ଶତାବ୍ଦୀର ଅଷ୍ଟମ ଦଶକରେ ମଧୁସୂଦନ ଜନସାଧାରଣଙ୍କ ସେବା ବ୍ରତରେ ଲାଗିବା ଦିନଠାରୁ ଓଡ଼ିଶା ଓ ତାହାର ଅଧିବାସୀମାନେ ନାନା ପ୍ରକାର ବିରୁଦ୍ଧାତ୍ମକ ପରିସ୍ଥିତି ଓ ବିରୋଧର ବିଷଚକ୍ରରେ ପଡ଼ି ଯେପରି ଭାବରେ ଦିନୁଦିନ ତଳିତଳାନ୍ତ ହେଉଥିଲେ, ସେଥିରୁ ସେମାନଙ୍କୁ ଉଦ୍ଧାର କରିବା ଦିଗରେ ସେ ମନୋନିବେଶ କରିଥିଲେ । ଓଡ଼ିଶାର ସେହି ଦୁର୍ଗତ ଅବସ୍ଥାରେ ଓଡ଼ିଆମାନଙ୍କ ହତାଶ ଓ ଅବଶ-ପ୍ରାଣରେ ଆଶାର ଏକ କ୍ଷୀଣ ଆଲୋକରେଖା ଜାଳିବାକୁ ସେ ପ୍ରାଣପଣ ଚେଷ୍ଟା ଲଗାଇ ରଖିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଚେଷ୍ଟା ସେହି ଲକ୍ଷ୍ୟ ପୂରଣ ଦିଗରେ ଏକ ପ୍ରୟାସ ମାତ୍ର ଥିଲା ଏବଂ ସୁଦୀର୍ଘ କାଳର ସାଧନା ଫଳରେ ତାହା ସଫଳ ହେବାର ସମ୍ଭାବନା ବର୍ତ୍ତମାନ ଦେଖାଦେଇଥିଲା ।

ସେତେବେଳକୁ ବୟସ ଭାରାରେ ମଧୁସୂଦନ ଅବଶ ହୋଇ ଆସିଥିଲେ ମଧ୍ୟ ‘ଓଡ଼ିଶା କମିଟି’ ଗଠିତ ହେବା ପରେ ତାଙ୍କର କାର୍ଯ୍ୟ ଅତି ମାତ୍ରାରେ ବଢ଼ିଯାଇଥିଲା । ଭୂତାବିଷ୍ଟ ବ୍ୟକ୍ତି ପରି ସେ ସବୁବେଳେ ଏପରିକି ଗଭୀର ରାତି ପର୍ଯ୍ୟନ୍ତ ସୁଦ୍ଧା ସେହି କାମରେ ଲାଗିରହୁଥିଲେ । କମିଟି ଆଗରେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ କାଗଜପତ୍ର ପ୍ରସ୍ତୁତ କରିବା, ବିଭିନ୍ନ ସାକ୍ଷ୍ୟଗୁଡ଼ିକୁ ଲିପିବଦ୍ଧ କରିବା ଓ ସେ ସମ୍ପର୍କରେ ବିଭିନ୍ନ ପ୍ରକାର ଯୁକ୍ତିଗୁଡ଼ିକୁ ସଜେଇବାରେ ତାଙ୍କର ସମୟ କଟିବାରେ ଲାଗିଲା । କମିଟି ଆଗରେ ସାକ୍ଷ୍ୟଦେବାକୁ ଯାଉଥିବା ଲୋକମାନଙ୍କୁ ଏହିପରି ଭାବରେ ସେ ପ୍ରସ୍ତୁତ କରିବାରେ ଲାଗିପଡ଼ିଲେ । ଏ କାମରେ ସେ ସବୁବେଳେ ଏପରି ବୁଡ଼ିରହିଥାନ୍ତି ଯେ ତାଙ୍କୁ ଦଣ୍ଡେ ବି ସେଥିରୁ ଫୁରୁସତ୍ ମିଳୁ ନଥାଏ । ତାଙ୍କର ବାର୍ଦ୍ଧକ୍ୟଗ୍ରସ୍ତ ଶ୍ରୁଷ୍କ ଧମନୀରେ ବର୍ତ୍ତମାନ ସତେ ଯେପରି ନୂତନ ରକ୍ତର ପ୍ରବାହ ଛୁଟିଚାଲିଥିଲା—ସତେ ଯେପରି କି ଏକ ଐନ୍ଦ୍ରିଜାଲିକ ଶକ୍ତିର ପ୍ରବାହରେ ଅଶୀତିପର ବୟସ୍କ ମଧୁସୂଦନ ତାଙ୍କର ଯୌବନର ସେହି ସ୍ୱପ୍ନମୟ ଦିନକୁ ପୁଣି ଫେରିଯାଇଥିଲେ !

ସାଇମନ୍ କମିସନର ସୁପାରିସ୍ ଅନୁଯାୟୀ ଯେଉଁ ଓଡ଼ିଶା ସବ୍‍କମିଟି ଗଢ଼ାଯାଇଥିଲା, ସେ କମିଟି କିନ୍ତୁ ବିହାର ପ୍ରଦେଶ ଅଧୀନରେ ଥିବା ଓଡ଼ିଆ-ଭାଷାଭାଷୀ ସିଂହଭୂମି ଜିଲ୍ଲାକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ନିମନ୍ତେ ସୁପାରିଶ କରି ନ ଥିଲେ । ତେଣୁ ବର୍ତ୍ତମାନ ଯେଉଁ ‘ଓଡ଼ିଶା କମିଟି’ ଗଢ଼ାଯାଇଥିଲା, ସେହି କମିଟି ପାଖରେ ଗୋଟିଏ ଆପତ୍ତି ଦରଖାସ୍ତ ଦାଖଲ କରାଯାଇ ସାଂସ୍କୃତିକ, ଭାଷାଗତ ଓ ଶାସନଗତ ଦୃଷ୍ଟିରୁ ସିଂହଭୂମି ଜିଲ୍ଲାକୁ ଓଡ଼ିଶା ସହିତ ମିଶ୍ରଣ କରିଦେବା ନିମନ୍ତେ ଅନୁରୋଧ କରାଯାଇଥିଲା; କିନ୍ତୁ ତାହା ସତ୍ତ୍ୱେ ମଧୁସୂନଙ୍କର ମନେହେଲା ଯେ ଏ ସମ୍ପର୍କରେ ଯଦି ଲୋକମତ ଜାଗ୍ରତ କରା ନଯାଏ, ତେବେ କେବଳ ମାତ୍ର କାଜଜପତ୍ରରେ ଦାବି ପୂରଣ ନିମନ୍ତେ ଯେତେ ଦରଖାସ୍ତ କଲେ ମଧ୍ୟ ତାହାଦ୍ୱାରା କେବେହେଲେ ଦାବି ପୂରଣ ହୋଇ ପାରିବ ନାହିଁ । ତେଣୁ ବାର୍ଦ୍ଧକ୍ୟ ସତ୍ତ୍ୱେ ମଧୁସୂଦନ ଜାମସେଦପୁର ଓ ସିଂହଭୂମି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ‘ଓଡ଼ିଶା କମିଟି’ ସମକ୍ଷରେ ଓଡ଼ିଶା ସହିତ ସିଂହଭୂମିର ମିଶ୍ରଣ ସପକ୍ଷରେ ଜନମତ ସୃଷ୍ଟିକରିବା ନିମନ୍ତେ ଲାଗିଗଲେ । ଶେଷରେ କିନ୍ତୁ କେତେକ ଶକ୍ତିଶାଳୀ ବ୍ୟକ୍ତିବର୍ଗଙ୍କର ବିରୋଧ ଫଳରେ ତାଙ୍କର ଏଇ ପ୍ରଚେଷ୍ଟା ସଫଳ ହୋଇପାରି ନଥିଲା । ତାହାସତ୍ତ୍ୱେ ମଧୁସୂଦନ ସେଥିରେ ହତୋତ୍ସାହ ନ ହୋଇ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ସବୁ ପ୍ରକାର ଚେଷ୍ଟା ଚଳାଇରଖିଲେ-

ବର୍ତ୍ତମାନ ମଧୁସୂଦନଙ୍କୁ ପୁଣି ଥରେ ସର୍ବସାଧାରଣ କାର୍ଯ୍ୟରେ ଗଭୀର ଭାବରେ ଜଡ଼ିତ ହେବାକୁ ପଡ଼ିଥିଲା । ସାର୍ ଜେ. ଏ. ହବାକ୍ (ଯେ କି ପରେ ଓଡ଼ିଶାର ଗଭର୍ଣ୍ଣର ହୋଇଥିଲେ)ଙ୍କ ସଭାପତିତ୍ୱରେ ନୂତନ ଭାବରେ ଗଠିତ ହେବାକୁ ଯାଉଥିବା ଓଡ଼ିଶା ପ୍ରଦେଶର ଶାସନ ବ୍ୟବସ୍ଥା ବିଷୟରେ ସୁପାରିସ୍ କରିବାକୁ ଏହାପରେ ଯେଉଁ କମିଟି ଭାରତ ସରକାରଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିଲା, ସେଥିରେ ମଧୁସୂଦନଙ୍କୁ ସଭ୍ୟ ଭାବରେ ପୁଣି କିଛିକାଳ କାର୍ଯ୍ୟ କରିବାକୁ ପଡ଼ିଥିଲା । ମଧୁସୂଦନ ମନ ପ୍ରାଣ ଢାଳିଦେଇ ଏହି କାର୍ଯ୍ୟରେ ଲାଗିପଡ଼ିଲେ । କମିଟିର ସମସ୍ତ ବିଚାର ଆଲୋଚନା ଶେଷ ହେବା ପରେ ସାର୍ ଜନ୍ ମଧୁସୂଦନଙ୍କୁ ଖଣ୍ଡେ ବ୍ୟକ୍ତିଗତ ପତ୍ର ଲେଖି କମିଟିର କାର୍ଯ୍ୟରେ ସେ ଯେପରି ସାହାଯ୍ୟ ସହଯୋଗ କରିଥିଲେ ସେ ବିଷୟ ଉଲ୍ଲେଖକରି ତାଙ୍କୁ ଜଣାଇଥିଲେ, ‘‘ଆପଣ ନିଶ୍ଚୟ ଜାଣି ଖୁସି ହେବେ ଯେ ଆପଣ ଯେଉଁ କାମଲାଗି ଜୀବନସାରା ଲାଗିରହିଲେ, ଆପଣଙ୍କର ସେ ଉଦ୍ଦେଶ୍ୟ ବର୍ତ୍ତମାନ ପୂରଣ ହେବା ଖୁବ୍ ନିକଟ ହୋଇ ଆସିଲା ।’’

ମଧୁସୂଦନଙ୍କର ଯେତେବେଳେ ବୟସ ଥିଲା ଓ ରୋଜଗାର ଥିଲା, ସେତେବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନଙ୍କଠାରୁ ଆରମ୍ଭ କରି ଯେତେ ଯେତେ ବିଶିଷ୍ଟ ଓ ମାନ୍ୟଗଣ୍ୟ ଲୋକ ବା ସର୍ବଭାରତୀୟ ନେତୃବୃନ୍ଦ ଯେତେବେଳେ କଟକ ଆସୁଥିଲେ ସେମାନେ ସବୁବେଳେ ମଧୁବାବୁଙ୍କ କୋଠିରେ ସମ୍ୱର୍ଦ୍ଧିତ ହେବାପରେ କଟକରୁ ବିଦାୟ ନେଉଥିଲେ । ତେଣୁ ‘ଓଡ଼ିଶା ଆଡ଼ମିନିଷ୍ଟ୍ରେସନ୍ କମିଟି’ର ସଭ୍ୟମାନେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ସେ ସେମାନଙ୍କୁ ଥରେ ଅନ୍ତତଃ ସମ୍ୱର୍ଦ୍ଧନା ଜଣାଇ ବିଦାୟ ଦେବାକୁ ମନେ ମନେ ସ୍ଥିର କରିଥିଲେ; କିନ୍ତୁ ଏଥିଲାଗି ତାଙ୍କ ପାଖରେ ସେତେବେଳେ ଆର୍ଥିକ ସମ୍ୱଳ ନ ଥିଲା । ଏହିପରି ସମୟରେ ଦିନେ ଅପରାହ୍ନରେ କ୍ଷୀଣକାୟ, ଅବନତ ଶରୀର ମଧୁସୂଦନଙ୍କୁ ଓଡ଼ିଶା ବ୍ୟାଙ୍କର ଡାଇରେକ୍ଟର ତାଙ୍କ ଅଫିସରେ ଆସି ଉପସ୍ଥିତ ହେବାର ଦେଖି ବିସ୍ମିତ ହୋଇଗଲେ । ବ୍ୟାଙ୍କ୍ ଡାଇରେକ୍ଟର ମୁହଁଖୋଲି ମଧୁସୂଦନଙ୍କୁ ପଦୁଟିଏ ଅଭିବାଦନ ଜଣାଇବା ପୂର୍ବରୁ ମଧୁସୂଦନ ନୀରବରେ ତାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କୁ ପାଞ୍ଚଶହ ଟଙ୍କା ବ୍ୟାଙ୍କରୁ ଋଣ ଦେବା ସମ୍ଭବ ହୋଇପାରେ କି ବୋଲି କ୍ଷୀଣ କଣ୍ଠରେ ପଚାରିଥିଲେ-। ସେ ପୁଣି ଡାଇରେକ୍ଟରଙ୍କୁ ଜଣାଇ ଦେଇଥିଲେ ଯେ ଏହି ଋଣ ନିମନ୍ତେ ଜାମିନ ଦେବା ନିମନ୍ତେ କେବଳ ତାଙ୍କ ତୁଣ୍ଡର ପ୍ରତିଶ୍ରୁତି ଛଡ଼ା ତାଙ୍କ ପାଖରେ ଆଉ କିଛି ସମ୍ୱଳ ନ ଥିଲା-

ମଧୁସୂଦନଙ୍କ ତୁଣ୍ଡର କଥା ଶେଷ ନ ହେଉଣୁ ବିସ୍ମିତ ଡାଇରେକ୍ଟରଙ୍କ କଣ୍ଠରୁ ବାହାରି ପଡ଼ିଥିଲା, ‘‘କାହିଁକି ଆଜ୍ଞା, କି କାରଣରୁ ବ୍ୟାଙ୍କରୁ ଏ ଅଗ୍ରିମ ଋଣ ଆପଣଙ୍କର ଏମିତି ଦରକାର ପଡ଼ିଲା ?’’

 

ମଧୁସୂଦନ ବୁଝେଇ ଦେଲେ ଯେ, ଓଡ଼ିଶା ଆଡ଼ମିନିଷ୍ଟ୍ରେଟିଭ୍ କମିଟିର ବିଶିଷ୍ଟ ସଭ୍ୟଗଣଙ୍କୁ ଗୋଟିଏ ଡିନର୍ ପାର୍ଟିରେ ସମ୍ୱର୍ଦ୍ଧିତ ନ କରି ସେମାନଙ୍କୁ ଓଡ଼ିଶାରୁ ବିଦାୟଦେବା ନିତାନ୍ତ ଅଶୋଭନୀୟ ହେବ; କିନ୍ତୁ ସେଥିଲାଗି ତାଙ୍କ ପାଖରେ ସମ୍ୱଳ ନ ଥିଲା ।

 

ଉଲ୍ଲେଖ କରିବା ନିଷ୍ପ୍ରୟୋଜନ ଯେ, ମଧୁସୂଦନ ସଙ୍ଗେ ସଙ୍ଗେ ବ୍ୟାଙ୍କରୁ ପାଞ୍ଚଶହ ଟଙ୍କା ଅଗ୍ରିମ ଋଣନେଇ ଫେରିଥିଲେ । ଏହି ଘଟଣାର ଅଳ୍ପଦିନ ପୂର୍ବରୁ ସେ ଦେବାଳିଆ ଅବସ୍ଥାରୁ ମୁକ୍ତ ହୋଇ ସାରିଥିଲେ । ମଧୁସୂଦନ ତାଙ୍କର ପୂର୍ବରୀତି ଅନୁଯାୟୀ ଓଡ଼ିଶା ଆଡ଼ମିନିଷ୍ଟ୍ରେସନ କମିଟିର ସଭ୍ୟମାନଙ୍କୁ ସମ୍ୱର୍ଦ୍ଧନା ଜଣାଇବା ପରେ ସେମାନେ ଓଡ଼ିଶାରୁ ବିଦାୟ ନେଇଥିଲେ ।

 

ଏହି ଘଟଣାଟି ହେଲା ଭାଗ୍ୟ ସହିତ ମଧୁସୂଦନଙ୍କର ଶେଷ ସଂଗ୍ରାମ !

Image

 

(୧୯)

କୁଳବୃଦ୍ଧ

 

ଏହିପରି ଥିଲା ମଧୁସୂଦନଙ୍କ ଜୀବନ ଓ ସେହି ଜୀବନର ଅଫୁରନ୍ତ କର୍ମପ୍ରବାହ । କୁରୁପିତାମହ ଭୀଷ୍ମଦେବଙ୍କ ପରି ଶତ ଅଭାବ ଅନଟନର ଶରଶଯ୍ୟାରେ ପଡ଼ିରହି ମଧ୍ୟ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଯେପରି ଭାବରେ ଓଡ଼ିଶାର ଉନ୍ନତି ଲାଗି ଅବିଚ୍ଛିନ୍ନ ସାଧନା କରିଚାଲିଥିଲେ, ସେଥିଲାଗି ଯଥାର୍ଥରେ ତାଙ୍କୁ ସାରା ଉତ୍କଳ ପ୍ରାନ୍ତରେ ‘କୁଳବୃଦ୍ଧ’ ବୋଲି ଅଭିହିତ କରାଯାଇଥାଏ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ମଧୁସୂଦନଙ୍କ ଅବଦାନ ସମ୍ପୂର୍ଣ୍ଣ ଅତୁଳନୀୟ-। ସାରା ଓଡ଼ିଶାରେ ଏ ଦିଗରେ ତାଙ୍କର ସମକକ୍ଷ ରଥୀ ଆଉ କେହି ଆଖିରେ ପଡ଼ୁ ନ ଥିଲେ; ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ନିଜ ଆଖିରେ ଦେଖିବାବେଳକୁ ସେ ଆଉ ଏ ଇହଧାମରେ ନ ଥିଲେ । ଇଂରେଜମାନଙ୍କ ଶାସନକାଳରେ ଓଡ଼ିଶାବାସୀ ନାନା ବିଡ଼ମ୍ୱନାର ଶିକାରହେବା ଫଳରେ ଯେଉଁ ଶୋଚନୀୟ ଦୂରବସ୍ଥାର ସମ୍ମୁଖୀନ ହୋଇଥିଲେ, ସେଥିରୁ ସେମାନଙ୍କୁ ଉଦ୍ଧାର କରି ସେମାନଙ୍କର ଅବସ୍ଥାର ଉନ୍ନତି ଘଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା-। 1927 ମସିହାରେ ଗାନ୍ଧିଜୀ କହିଥିଲେ, ଓଡ଼ିଶାର ଉନ୍ନତିର ଅର୍ଥ ହେଉଛି ସାରା ଭାରତର ଯୁଗପତ୍ ଉନ୍ନତି-। ମଧୁସୂଦନଙ୍କର ଧାରଣା ମଧ୍ୟ ଠିକ୍ ତାହା ହିଁ ଥିଲା । ଏହି ଲକ୍ଷ୍ୟ ସାଧନ କରିବାରେ ମଧୁସୂଦନ ତାଙ୍କର ସମସ୍ତ ଶକ୍ତି ନିୟୋଜିତ କରି ଦେଇଥିଲେ ।

 

ତାହା ନ କରି ମଧୁସୂଦନ ଯଦି ଭାରତୀୟ ଜାତୀୟ କଂଗ୍ରେସରୁ ଅଲଗା ନ ହୋଇ ଆସିଥାନ୍ତେ, ତେବେ ସେ ନିଶ୍ଚିତରୂପେ ସେହି ଅନୁଷ୍ଠାନର ସଭାପତି ପଦ ଆହରଣ କରିପାରିଥାନ୍ତେ । କଂଗ୍ରେସରେ ଗାନ୍ଧିଜୀଙ୍କର ସକ୍ରିୟ ଯୋଗଦାନ ପୂର୍ବରୁ ଅନ୍ୟାନ୍ୟ ଯେଉଁ ନେତାମାନେ ସେତେବେଳକାର କଂଗ୍ରେସ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ, ସେମାନଙ୍କ ମଧ୍ୟରେ ମଧୁସୂଦନ ଥିଲେ ଅଗ୍ରହୀ; କିନ୍ତୁ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ନିମନ୍ତେ ସେତେବେଳେ ଯେଉଁ ସବୁ ପ୍ରଚେଷ୍ଟା ଚାଲିଥିଲା, କଂଗ୍ରେସ ତହିଁରେ ସହାୟକ ହେବା ପରିବର୍ତ୍ତେ ବରଂ ପ୍ରତିବନ୍ଧକ ହେଉଥିଲା । ସେହି କାରଣରୁ ମଧୁସୂଦନ ଜାଣିଶୁଣି କଂଗ୍ରେସ ଅନୁଷ୍ଠାନରୁ ବଳେ ବଳେ ସମ୍ପର୍କ ଛିନ୍ନ କରିଦେଇଥିଲେ । ଆଇନସଙ୍ଗତ ପନ୍ଥାରେ ଓ ସାମ୍ୱିଧାନିକ ମାର୍ଗରେ ଲକ୍ଷ୍ୟ ହାସଲ କରିବା ମଧୁସୂଦନଙ୍କର ଅଭିପ୍ରେତ ଥିଲା । ତେଣୁ 1921 ମସିହାର ପୂର୍ବବର୍ତ୍ତୀ କାଳରେ କଂଗ୍ରେସ ଅନୁଷ୍ଠାନ ପକ୍ଷରୁ ଯେଉଁ ସବୁ ସମ୍ୱିଧାନ ବହିର୍ଭୁତ ପନ୍ଥା ଅବଲମ୍ୱନ କରାଯାଉଥିଲା, ସେ ସବୁଥିରେ ସେ ଏକମତ ହୋଇପାରି ନ ଥିଲେ । ସାମ୍ୱିଧାନିକ ପରିସରକୁ କ୍ରମୋନ୍ନତ କରି ଓ ସେ ସଂକ୍ରାନ୍ତୀୟ ବ୍ୟବସ୍ଥାକୁ ବ୍ୟାପକ କରି ଲକ୍ଷ୍ୟରେ ଉପନୀତ ହେବାକୁ ସେ ସବୁବେଳେ ଅଧିକ ପସନ୍ଦ କରୁଥିଲେ; କାରଣ ତାହା ନ କରି ଦେଶର ଜନତାକୁ ଅସହଯୋଗ ଆନ୍ଦୋଳନରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବା ଲାଗି ଆହ୍ୱାନ ଦେଇ ମଧ୍ୟ କଂଗ୍ରେସ ଅନୁଷ୍ଠାନରେ ଅସହଯୋଗ ଆନ୍ଦୋଳନର ପ୍ରବର୍ତ୍ତକମାନେ ଶେଷରେ ସେହି ଲେଜିସଲେଟିଭ କାଉନ୍ସିଲ ଓ ଆସେମ୍ବ୍ଲି ଆଦି ସାମ୍ୱିଧାନିକ ବ୍ୟବସ୍ଥାଗୁଡ଼ିକର ଶରଶପନ୍ନ ହେବାକୁ ବାଧ୍ୟ ହେଉଥିବାର ସେ ଲକ୍ଷ୍ୟ କରିପାରିଥିଲେ-। ସେହି କାରଣରୁ ମଧୁସୂଦନ ଏସବୁ ବୃଥା ଆନ୍ଦୋଳନ ଦିଗରେ ମନୋନିବେଶ ନ କରି ସାମ୍ୱିଧାନିକ ବିଧିବ୍ୟବସ୍ଥାକୁ ଉନ୍ନତ ଓ ବ୍ୟାପ୍ତ କରିବା ଦିଗରେ ମୂଳରୁ ଲାଗିପଡ଼ିଥିଲେ । ଏହି ମୌଳିକ ବିଭେଦ ହେତୁ ମଧୁସୂଦନ ଶେଷରେ କଂଗ୍ରେସରୁ ଅଲଗା ହୋଇଯାଇଥିଲେ । ନତୁବା କଂଗ୍ରେସ ଅନୁଷ୍ଠାନର ଆରମ୍ଭକାଳରୁ ହିଁ ସେ ଏହାର ଏକ ପ୍ରଧାନ ସମର୍ଥକ ଥିଲେ ଏବଂ 1903 ମସିହାରେ ମାଡ୍ରାସ କଂଗ୍ରେସ ଅଧିବେଶନ ପର୍ଯ୍ୟନ୍ତ ଓଡ଼ିଶା ପ୍ରତିନିଧିଦଳର ନେତାଭାବରେ ବରାବର ନିଖିଳ ଭାରତ କଂଗ୍ରେସର ବାର୍ଷିକ ଅଧିବେଶନମାନଙ୍କରେ ଧାରାବାହିକରୂପେ ଯୋଗ ଦେଇଆସୁଥିଲେ ।

 

ମଧୁସୂଦନଙ୍କ ଜୀବଦ୍ଦଶା ମଧ୍ୟରେ ତାଙ୍କୁ କେତେକ ଲୋକ ବରାବର ଜଣେ ସଂକୀର୍ଣ୍ଣ ପ୍ରଦେଶବାଦୀ ବୋଲି ଅଭିହିତ କରି ତାଙ୍କର କୁତ୍ସାରଟନା କରିବାକୁ ଛାଡ଼ି ନ ଥିଲେ; କିନ୍ତୁ ଓଡ଼ିଶାର ଦାବି ପୂରଣ ପ୍ରଚେଷ୍ଟା ତାଙ୍କ ଦୃଷ୍ଟିରେ ଥିଲା ଆତ୍ମୋତ୍ସର୍ଗର ଏକ ଆହ୍ୱାନ । ଆଞ୍ଚଳିକ ଅଧିକାର, ସ୍ୱତନ୍ତ୍ର ସୁବିଧା ସୁଯୋଗ ଲାଭକରିବା ସହିତ ଏହାର ତିଳେମାତ୍ର ସମ୍ୱନ୍ଧ ନଥିଲା । ମଧୁସୂଦନ ‘ଦି ଓଡ଼ିଆ’ ନାମରେ ଗୋଟିଏ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ । ସେହି ପତ୍ରିକାରେ ସେ ଲେଖିଥିଲେ : ‘‘ଓଡ଼ିଶା କେବଳ ଓଡ଼ିଆମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ସାରା ପୃଥିବୀର ଦୃଷ୍ଟିରେ ଓଡ଼ିଶା ଯେପରି ସମ୍ମାନିତ ହୋଇପାରିବ ଓ ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କ ସହିତ ପାଦକୁ ପାଦ ମିଳାଇ ଚାଲିବାରେ ସମର୍ଥ ହୋଇପାରିବ, ସେଥିଲାଗି ଓଡ଼ିଶାର ସ୍ୱତନ୍ତ୍ର ଅସ୍ତିତ୍ୱ ସ୍ୱୀକୃତ ହେବା ଏକାନ୍ତ ଆବଶ୍ୟକ । ଏହି ଲକ୍ଷ୍ୟରେ ଉପନୀତ ହେବାଲାଗି ଯେଉଁ ପ୍ରଚେଷ୍ଟା ଲାଗିରହିଛି, ‘ଓଡ଼ିଆମାନଙ୍କ ଲାଗି ଓଡ଼ିଶା’ ହେଉଛି ସେହି ଦାବି ପୂରଣ ଦିଗରେ ଗୋଟାଏ ଆହ୍ୱାନ ।’’ ନିରପେକ୍ଷ ଦୃଷ୍ଟିରୁ ବିଚାର କଲେ, ଏହାକୁ କେବେହେଲେ ସଂକୀର୍ଣ୍ଣ ମନୋଭାବ ବୋଲି କୁହାଯାଇ ନ ପାରେ । ଏହା ହେଉଛି ବରଂ ଏକ ମହନୀୟ ଦେଶାତ୍ମବୋଧର ପରିଚୟ । ମଧୁସୂଦନ ତାଙ୍କର ଭାଷଣମାନଙ୍କରେ ଯେପରି, ତାଙ୍କ ଲେଖାଗୁଡ଼ିକରେ ମଧ୍ୟ ସେହିପରି ସମଗ୍ର ଦେଶବାସୀଙ୍କୁ ସବୁବେଳେ ଚେତାଇ ଦେଉଥିଲେ ଯେ ଭାରତକୁ ଛାଡ଼ି ଓଡ଼ିଶା ବିଷୟରେ ଯେପରି ଚିନ୍ତା କରାଯାଇ ପାରେନାହିଁ, ଓଡ଼ିଶାକୁ ବାଦ୍ ଦେଇ ସେହିପରି ଭାରତ ବିଷୟରେ ମଧ୍ୟ କଳ୍ପନା କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଉଭୟର ସ୍ୱାର୍ଥ ପରସ୍ପରର ବିରୋଧୀ ନୁହେଁ; ବରଂ ପରସ୍ପରର ପରିପୂରକ ଅଟେ-। ଭାରତ ଓ ଓଡ଼ିଶା ମଧ୍ୟରେ ଯେଉଁ ସମ୍ପର୍କ ବିଦ୍ୟମାନ, ତାହା ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଲାଗି ଦୁଇଟି ଈର୍ଷାପରାୟଣା ସ୍ତ୍ରୀଲୋକଙ୍କ ମଧ୍ୟରେ ରହିଥିବା ସମ୍ପର୍କ ପରି ତିକ୍ତ ନୁହେଁ; ତାହା ବରଂ ମାତା ଓ କନ୍ୟା ମଧ୍ୟରେ ରହିଥିବା ସମ୍ୱନ୍ଧ ପରି ମଧୁର ଓ ଘନିଷ୍ଠ ଅଟେ-। ଉତ୍କଳ ସମ୍ମିଳନୀ ମଞ୍ଚରୁ ଏହିପରି ହୃଦୟସ୍ପର୍ଶୀ ଭାଷାରେ ମଧୁସୂଦନ ସବୁବେଳେ ତାଙ୍କର ଶ୍ରୋତାମାନଙ୍କୁ ଉଦ୍‍ବୁଦ୍ଧ କରୁଥିଲେ ।

 

ଭାରତର ଇଂରେଜ ଶାସକଗଣଙ୍କ ଚିନ୍ତାଧାରାରେ ମଧୁସୂଦନଙ୍କ ପ୍ରଯତ୍ନ ଫଳରେ ଯେଉଁ ଚେତନାର ଉଦୟ ଘଟିଥିଲା, ତାହାର ପରିଣାମ ସ୍ୱରୂପ ଭାଷା ଓ ସଂସ୍କୃତିର ଭିତ୍ତିରେ ଭାରତର ବିଭିନ୍ନ ପ୍ରଦେଶଗୁଡ଼ିକ ପୁନର୍ଗଠିତ କରିବାର ସିଦ୍ଧାନ୍ତ ଗୃହୀତ ହୋଇଥିଲା । ଏ ସମ୍ପର୍କରେ 1918 ମସିହାରେ ମଧୁସୂଦନ ‘ଦି ଓଡ଼ିଆ’ ସାପ୍ତାହିକ ପତ୍ରିକାର ସ୍ତମ୍ଭରେ ଲେଖିଥିଲେ : ‘‘ବ୍ରିଟିଶ ଶାସନାଧୀନ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଇତିହାସ ଯଦି କୌଣସି ଆମେରିକାର ଐତିହାସିକ କେବେ ଲେଖନ୍ତି, ତେବେ ବ୍ରିଟିଶ ଶାସନରେ ରହିବା ଫଳରେ ଏହି ଅଞ୍ଚଳର ଯେଉଁ ଦୂରବସ୍ଥା ଘଟିଅଛି, ବ୍ରିଟିଶ ଶାସନ କର୍ତ୍ତୃପକ୍ଷ ଏକ ଭାଷାଭାଷୀ ଗୋଟିଏ ଜାତିର ଲୋକମାନଙ୍କୁ ପରସ୍ପରଠାରୁ ଦୂରେଇ ରଖି ଯେପରି ଅଲଗା ଅଲଗା କରିଦେଇଛି ଏବଂ ଏହା ଫଳରେ ସେମାନଙ୍କର ଜାତୀୟ ଚେତନାକୁ ଯେପରି ଉଦ୍ଦେଶ୍ୟମୂଳକ ଭାବରେ ପ୍ରତିହିତ କରାଯାଇଅଛି, ସେ ବିଷୟରେ ବହୁ ତଥ୍ୟ ପାଇପାରିବେ ଏବଂ ଗୋଟିଏ ବଳିଷ୍ଠ ଜାତିକୁ ଭାଗ ଭାଗ କରି ଦୁର୍ବଳ କରିଦେବା ପରେ ସେମାନଙ୍କ ଉପରେ ମନୋମୁଖୀ ଶାସନ ଚଳାଇବାର ବ୍ରିଟିଶ ଅଭିସନ୍ଧି ବିଷୟରେ ସମ୍ପୂର୍ଣ୍ଣ ଧାରଣା ମଧ୍ୟ କରିପାରିବେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବ୍ରିଟିଶ ସରକାର ଏହି ନୀତି ଅନୁସରଣ କରୁଥିବାବେଳେ ତେଣେ ଦେଖିବାକୁ ମିଳିଛି ଯେ ଓଡ଼ିଆମାନଙ୍କଠାରୁ ଯଥେଷ୍ଟ ନ୍ୟୂନ ଗୋଷ୍ଠୀର ଲୋକମାନଙ୍କୁ ସେମାନଙ୍କର ଭାଗ୍ୟ ଗଢ଼ିବାକୁ ସେହି ବ୍ରିଟିଶ ସରକାର ସୁବିଧା ଦେଉଅଛି । ଭାରତ ଶାସନ ସଂକ୍ରାନ୍ତରେ ଯେଉଁ ‘ଶାସନ ସଂସ୍କାର ରିପୋର୍ଟ’ ବ୍ରିଟିଶ ସରକାର ତରଫରୁ ପ୍ରକାଶ ପାଇଅଛି, ସେଇଥିରେ ମଧ୍ୟ ଭାଷାଗତ ଓ ଗୋଷ୍ଠୀଗତ ସାମ୍ୟତା ଦୃଷ୍ଟିରୁ ବିଭିନ୍ନ ଆଞ୍ଚଳିକ ପୁନର୍ଗଠନକୁ ସ୍ୱୀକାର କରାଯାଇ କୁହାଯାଇଅଛି ଯେ ଏହି ନୀତି ଗ୍ରହଣ କରିବା ଫଳରେ ଯଥାର୍ଥରେ ଶାସନ ସଂସ୍କାରର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ; କିନ୍ତୁ ବାସ୍ତବ କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କୁ ଏକଶାସନାଧୀନରେ ରଖିବା ନିମନ୍ତେ ଯେତେବେଳେ ସେହି ଲୋକଙ୍କ ପକ୍ଷରୁ ଦାବି ହେଉଛି, ସରକାର ସେହି ଦାବି ପୂରଣ ଦିଗରେ ବାରମ୍ୱାର ପ୍ରତିବନ୍ଧକ ସୃଷ୍ଟିକରି ସେମାନଙ୍କର ଜାତୀୟ ଚେତନାକୁ ପ୍ରତିହତ ଓ ବିଧ୍ୱସ୍ତ କରିବାକୁ ବାରମ୍ୱାର ଚେଷ୍ଟା କରୁଅଛନ୍ତି । ତେଣୁ ଯେଉଁ ବୈଦେଶିକ ଐତିହାସିକ ବ୍ରିଟିଶ ଶାସନର ଇତିହାସ ଲେଖିବାକୁ ଚେଷ୍ଟା କରିବେ, ସେ ବ୍ରିଟିଶ ଶାସକବର୍ଗଙ୍କର କଥା ଓ କାମ ଭିତରେ ରହୁଥିବା ଏହି ବିକଟ ବୈଷମ୍ୟ ବିଷୟରେ ସହଜରେ ଅବଗତ ହୋଇପାରିବେ ।

 

ବ୍ରିଟିଶ ସରକାରର ଏହି ଅନୀତି ବିରୁଦ୍ଧରେ ମଧୁସୂଦନ ଜୀବନ ତମାମ ସଂଗ୍ରାମ ଚଳାଇଥିଲେ । ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ସ୍ୱତନ୍ତ୍ର ପ୍ରାଦେଶିକ ସରକାର ଅଧୀନରେ ରଖିବା ଲାଗି ତାଙ୍କରି ଅକ୍ଳାନ୍ତ ଉଦ୍ୟମ ଫଳରେ ଶେଷକୁ ଲର୍ଡ଼ କର୍ଜ୍ଜନଙ୍କ ଅମଳରେ 1903 ମସିହାରେ ଯେଉଁ ରିସଲେ ସର୍କୁଲାର ପ୍ରକାଶିତ ହୋଇଥିଲା, ତହିଁରେ ଭାଷା ଓ ସଂସ୍କୃତି ବିଚାରରେ ପ୍ରଦେଶ ଗଠନ ନୀତିକୁ ଗ୍ରହଣ କରାଯାଇଥିଲା । କେବଳ ସେତିକି ନୁହେଁ, ଏହାର ପରବର୍ତ୍ତି କାଳରେ ଭାରତୀୟ ଶାସନ ସଂସ୍କାର ସମ୍ପର୍କରେ ମଣ୍ଟେଗୁ-ଚେମସଫୋର୍ଡ଼ ରିପୋର୍ଟ ଓ ସାର ଜନ୍ ଆଲେସିବ୍ରୁକ୍ ସାଇମନ୍ ରିପୋର୍ଟ ଆଦି ଯେତେ ଯେତେ ରିପୋର୍ଟ ପ୍ରକାଶିତ ହୋଇଥିଲା, ସେ ସବୁଥିରେ ଅନ୍ୟାନ୍ୟ ନାନା ଅନୁଷଙ୍ଗିକ ବିଷୟର ଉତ୍ଥାପନ କରାଯାଇଥିଲେ ସୁଦ୍ଧା ମୂଳତଃ ଭାଷା ଓ ସଂସ୍କୃତି ଦୃଷ୍ଟିରୁ ପ୍ରଦେଶ ଗଠନ ନୀତିକୁ ସ୍ୱୀକାର କରାଯାଇଥିଲା । ସ୍ୱାଧୀନତା ପରବର୍ତ୍ତୀ ଯୁଗରେ 1956 ମସିହାରେ ଭାରତ ସରକାର ଯେଉଁ ‘ଷ୍ଟେଟ୍ ରିଅରଗାନି ଜେସନ୍ କମିସନ’ ବସାଇଥିଲେ, ସେ କମିସନ ମଧ୍ୟ ଭାଷା ଓ ସଂସ୍କୃତି ବିଚାରରୁ ପ୍ରଦେଶ ଗଠନ ନୀତିକୁ ଏକ ଅବଶ୍ୟ ପାଳନୀୟ ନୀତିରୂପେ ଗ୍ରହଣ କରିନେଇଥିଲେ । ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଏହି ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ମଧୁସୂଦନ ବିଗତ ଊନବିଂଶ ଶତାବ୍ଦୀର ଅଷ୍ଟମ ଦଶକଠାରୁ ଅବିଚ୍ଛିନ୍ନ ଭାବରେ ସଂଗ୍ରାମ ଚଳାଇଥିଲେ ।

 

ଯେଉଁମାନନେ ପ୍ରଥମେ ଏ ଦେଶରେ ଯୋଜନାବଦ୍ଧ ଅର୍ଥନୈତିକ ପ୍ରଗତି ବିଷୟରେ ଚିନ୍ତା କରିଥିଲେ, ମଧୁସୂଦନ ସେମାନଙ୍କ ଭିତରୁ ଥିଲେ ଅନ୍ୟତମ । ଅଷ୍ଟାଦଶ ଶତାବ୍ଦୀରେ ଭାରତବର୍ଷ ଗ୍ରେଟ୍‍ବ୍ରିଟେନର ଅର୍ଥନୈତିକ ପରିସରର ଅନ୍ତର୍ଭୁକ୍ତ ହେବା ପରଠାରୁ ଏ ଦେଶରେ ବ୍ରିଟିଶ ଔପନିବେଶିକ ନୀତି ଅନୁସୃତ ହେବା ଫଳରେ ଏଠାରେ ନାନା ଧ୍ୱଂସକାରୀ ଶକ୍ତି ମୁଣ୍ଡ ଟେକି ଉଠିଥିଲା । ପରିଣାମରେ ଭାରତର କୃଷିଭିତ୍ତିକ ଶିଳ୍ପର ଭାରସାମ୍ୟ ଆଉ ରକ୍ଷା କରାଯାଇ ପାରିଲାନାହିଁ । ଇଂଲାଣ୍ଡରେ ସେତେବେଳକୁ ଶିଳ୍ପକ୍ଷେତ୍ରରେ କ୍ରମିକ ଅଭିବୃଦ୍ଧି ଲାଗିରହିଥାଏ । ସେହି ଶିଳ୍ପଜାତ ପଦାର୍ଥଗୁଡ଼ିକ ନିମନ୍ତେ ଭାରତରେ ବଜାର ସୃଷ୍ଟିକରିବା ଦିଗରେ ସେ ସମୟରେ ବ୍ରିଟିଶ ସରକାର ପୂରାପୂରି ଦୃଷ୍ଟି ରଖିଥାନ୍ତି । ଫଳରେ ଭାରତର ଦେଶୀୟ ଶିଳ୍ପ ଓ ହାତକାମଗୁଡ଼ିକ କ୍ରମେ କ୍ରମେ ପୂର୍ବର ପ୍ରଭାବ ହରାଇବାକୁ ଲାଗିଲା । ଭାରତର ଯେଉଁ ଲୋକମାନେ ବଂଶ-ପରମ୍ପରାକ୍ରମେ ନାନାଦି ଶିଳ୍ପ-ସାମଗ୍ରୀ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି, ସେ ସବୁର ବ୍ୟବସାୟ ବାଣିଜ୍ୟ ଆଦି କାର୍ଯ୍ୟରେ ବ୍ୟାପୃତ ରହି ନିଜ ନିଜର ଜୀବିକା ଅର୍ଜନ କରୁଥିଲେ, ସେମାନେ ସେଥିରୁ ବଞ୍ଚିତ ହୋଇ ସ୍ୱତଃ ପେଟ ପୋଷିବା ଲାଗି ଭୂମି ଉପରେନିସର୍ଭର କରିବାକୁ ଲାଗିଲେ । ଅଧିକ ସଂଖ୍ୟକ ବ୍ୟକ୍ତି ବର୍ତ୍ତମାନ କୃଷି ଉପରେ ନିର୍ଭରଶୀଳ ହେବା ଫଳରେ କୃଷିକ୍ଷେତ୍ରଗୁଡ଼ିକ ବେଳୁବେଳ ଖଣ୍ଡ ଖଣ୍ଡ ହୋଇ ଛୋଟ ଛୋଟ କ୍ଷେତ୍ରରେ ପରିଣତ ହୋଇଗଲା । ତେଣୁ କୃଷିକାର୍ଯ୍ୟ ମଧ୍ୟ ପୂର୍ବପରି ଆଉ ଲାଭଜନକ ହୋଇ ପାରିଲାନାହିଁ । ଭାରତୀୟମାନଙ୍କ ଦାରିଦ୍ର୍ୟର ଏହା ହେଲା ମୁଖ୍ୟ କାରଣ । ବିଶେଷତଃ ଲାଭଲେଶହୀନ ଏହି ଅନିଶ୍ଚିତ କୃଷି ଉପରେ ଏକାନ୍ତ ନିର୍ଭର କରିାବ ଫଳରେ ଓଡ଼ିଶାର ଲୋକମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ତେଣୁ ମୂଳରୁ ସେ ଧରିନେଇଥିଲେ ଯେ ଓଡ଼ିଆ ଲୋକଙ୍କର ଜୀବିକା ନିର୍ବାହର ପନ୍ଥା ପରିବର୍ତ୍ତନ କରିବାକୁ ହେବ-। ଓଡ଼ିଶାର ଅଧିବାସୀମାନଙ୍କୁ କୃଷିରୁ ନେଇ ସେମାନଙ୍କୁ ସାନ ବଡ଼ ନାନା ଶିଳ୍ପ ଯୋଜନାରେ ନିୟୋଜିତ କରିବାକୁ ପଡ଼ିବ । ପୁଣି କୃଷିକ୍ଷେତ୍ରରେ ବୈଜ୍ଞାନିକ ପ୍ରଣାଳୀ ଓ ଉନ୍ନତ ଜଳସେଚନର ସୁବିଧା ମଧ୍ୟ କରିବାକୁ ହେବ । ତାହା କରାନଯିବା ପର୍ଯ୍ୟନ୍ତ ଓଡ଼ିଶା ଅଧିବାସୀମାନଙ୍କର ଉତ୍କଟ ଦାରିଦ୍ର୍ୟ ଦୂର ହେବାର ସାମାନ୍ୟତମ ସମ୍ଭାବନା ମଧ୍ୟ ନ ଥିଲା । ମଧୁସୂଦନଙ୍କ ସାନଭାଇ ଗୋପାଳବଲ୍ଲଭ ଉଭିଦ ବିଜ୍ଞାନରେ ଏମ୍. ଏ. ପାସ୍ କରିଥିଲେ । ସେ ଓଡ଼ିଶାର ଜଣେ ଆଦର୍ଶ କୃଷକ ହୋଇ ନିଜେ ଉନ୍ନତ ଓ ବିଜ୍ଞାନସମ୍ମତ ପ୍ରଣାଳୀରେ କୃଷି କରିବା ସଙ୍ଗେ ସଙ୍ଗେ ସେ ଦିଗରେ ଅନ୍ୟମାନଙ୍କୁ ନୂତନ ମାର୍ଗ ପ୍ରଦର୍ଶନ କରିବା ଉଚିତ ହେବ ବୋଲି ମଧୁସୂଦନ ଆଶା କରୁଥିଲେ ଓ ତାଙ୍କୁ ପରାମର୍ଶ ଦେଇଥିଲେ; କିନ୍ତୁ ଗୋପାଳବଲ୍ଲଭ ଡେପୁଟି ମାଜିଷ୍ଟ୍ରେଟ୍ ହେବାକୁ ସ୍ଥିରକରିବା ଫଳରେ ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ ।

 

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଭାରତର ଗଣ୍ୟମାନ୍ୟ ଧନିକ ସମ୍ଭ୍ରାନ୍ତ ପରିବାରଗୁଡ଼ିକର ଯେଉଁ ଲୋକମାନେ ଇଂଲାଣ୍ଡ ଓ ୟୁରୋପର ଅନ୍ୟାନ୍ୟ ଦେଶମାନଙ୍କୁ ପରିଭ୍ରମଣରେ ଯାଉଥିଲେ, ସେମାନେ ସେସବୁ ଦେଶରୁ ଫେରିବା ସମୟରେ ସାଙ୍ଗରେ କଣ୍ଟା-ଚାମଚ, ନାନା ପ୍ରକାର ସୁନ୍ଦର ପାତ୍ର, ରଙ୍ଗ-ବେରଙ୍ଗର ଝାଡ଼ ଲଣ୍ଠନ ଓ ନଗ୍ନ ରୋମୀୟ ପ୍ରତିମୂର୍ତ୍ତି ଆଦି ସୌଖୀନ ଜିନିଷ ଧରି ଫେରୁଥିଲେ; କିନ୍ତୁ ଏହି ସବୁ ଶିଳ୍ପ ସାମଗ୍ରୀକୁ ନିର୍ମାଣ କରୁଥିବା ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ମଧ୍ୟରେ ସେତେବେଳେ ଯେଉଁ ଶିଳ୍ପ-ଜାଗରଣ ଦେଖାଦେଉଥିଲା ସେଥିପ୍ରତି କାହାରି ଦୃଷ୍ଟି ନ ଥିଲା; କିନ୍ତୁ ମଧୁସୂଦନ ଯେଉଁ ଦୁଇଥର ଇଂଲାଣ୍ଡ ଓ ଅନ୍ୟାନ୍ୟ ୟୁରୋପୀୟ ରାଜ୍ୟଗୁଡ଼ିକୁ ଯାଇଥିଲେ, ସେଠାରୁ ଫେରିବା ସମୟରେ ସେ ସେସବୁ ଦେଶର ଶିଳ୍ପ ଜାଗରଣ ବିଷୟରେ ପୂର୍ଣ୍ଣ ଧାରଣା ନେଇ ଫେରିଥିଲେ । ଇଂଲାଣ୍ଡକୁ ଯାଇ ସେଠାରୁ ପ୍ରଥମ ଥର ଫେରିବାପରେ ବିଗତ ଶତାବ୍ଦୀର ନବମ ଦଶକରେ ସେ ଓଡ଼ିଶାରେ ‘ଓଡ଼ିଆ ଆର୍ଟ ଓ୍ୱେୟାରର୍ସ’ ଅନୁଷ୍ଠାନର ପ୍ରତିଷ୍ଠା କରିଥିଲେ । ଦ୍ୱିତୀୟ ଥର ଇଂଲାଣ୍ଡ ଯାଇ ସେଠାରୁ ଫେରିବାପରେ ସେ ପାଶ୍ଚାତ୍ୟ ଉନ୍ନତ ପ୍ରଣାଳୀର ଅନୁସରଣରେ ‘ଉତ୍କଳ ଟ୍ୟାନେରି’ ଆରମ୍ଭ କରିଥିଲେ ।

 

ବଙ୍ଗଭଙ୍ଗ ଆନ୍ଦୋଳନର ଫଳ ସ୍ୱରୂପ ଭାରତରେ ଯେଉଁ ଜାତୀୟଭାବର ଜାଗରଣ ଘଟିଲା, ସେହି ଭାବଧାରାଦ୍ୱାରା ଉଦ୍‍ବୁଦ୍ଧ ହୋଇ ଆମ ଦେଶରେ ସ୍ୱଦେଶୀ ଶିଳ୍ପ ସବୁ ମୁଣ୍ଡଟେକି ଉଠିଥିଲା । ବିଂଶ ଶତାବ୍ଦୀର ଆରମ୍ଭରେ ଯଦି ଭାରତରେ ଏହି ବିଶେଷ ପରିସ୍ଥିତିର ସୃଷ୍ଟି ହୋଇନଥାନ୍ତା, ତାହାହେଲେ ହୁଏତ ଭାରତୀୟମାନଙ୍କ ମଧ୍ୟରେ ଶିଳ୍ପ-ଜାଗରଣର ପ୍ରଚେଷ୍ଟା ଯେ ଆହୁରି ବିଳମ୍ୱିତ ହୋଇନଥାନ୍ତା, ତାହା ମଧ୍ୟ କୁହାଯାଇପାରେ ନାହିଁ । ଏ ଦେଶରେ ସେ ସମୟରେ ଯେଉଁ ଶିଳ୍ପ-ଅଭିବୃଦ୍ଧିର ଚେତନା ଦେଖାଦେଇଥିଲା ବା ସ୍ୱଦେଶୀ ଶିଳ୍ପର ଜାଗରଣ ଦିଗରେ ଯାହା ସବୁ କରାଯାଉଥିଲା, ରାଜନୈତିକ ଲକ୍ଷ୍ୟ ପୂରଣ କିନ୍ତୁ ସେସବୁର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶିଳ୍ପ ଅପେକ୍ଷା ରାଜନୀତି ହିଁ ସେସବୁ ଉଦ୍ୟମର ମୂଳ ଲକ୍ଷ୍ୟ ଥିଲା । ତେଣୁ ରାଜନୈତିକ ପରିସ୍ଥିତିର ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ସ୍ୱଦେଶୀ ଶିଳ୍ପନୀତିର ବିଫଳ ପରିସମାପ୍ତି ଘଟିଲା । ଏହି ପ୍ରକାର ଦୁର୍ବଳ ଓ ଦୋଷଦୁଷ୍ଟ ନୀତି ଅବଲମ୍ୱନ କରିବାଦ୍ୱାରା ଦେଶରେ ଶିଳ୍ପ ଜାଗରଣ ଘଟିବା ପରିବର୍ତ୍ତେ ବରଂ ବିପରୀତ ପରିଣତି ଦେଖାଦେଲା । ‘ପରିଶ୍ରମର ମହତ୍ତ୍ୱ’ ଶୀର୍ଷକ ଗୋଟିଏ ବକ୍ତୃତା ପ୍ରସଙ୍ଗରେ ମଧୁସୂଦନ ସେ ସମୟରେ ଯେଉଁମାନେ ଏହିପରି ରାଜନୈତିକ ଆଭିମୁଖ୍ୟ ରଖି ଦେଶରେ ନାନା ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗ୍ରହ ପ୍ରଦର୍ଶନ କରୁଥିଲେ, ସେମାନଙ୍କୁ ଏ ପ୍ରକାର ଦୋଷଦୁଷ୍ଟ ଶୂନ୍ୟଗର୍ଭ ଉଦ୍ୟମର ପରିଣତି ବିଷୟରେ ସୂଚନା ଦେଇ କହିଥିଲେ :

 

‘‘ବର୍ତ୍ତମାନ ଆମ ଦେଶରେ ଶିଳ୍ପ-ଜାଗରଣ ଦିଗରେ ଲୋକମାନଙ୍କ ମନରେ ଯେଉଁ ଆଗ୍ରହ ଦେଖାଦେଇଛି, ତାହା ମୂଳରେ ପୂରାପୂରି ରାଜନୈତିକ ଉଦ୍ଦେଶ୍ୟ ନିହିତ ଅଛି...ଲୋକମାନଙ୍କ ମନରେ ଯେଉଁମାନେ ଏ ପ୍ରକାର ଧାରଣା ସୃଷ୍ଟି କରିବା ମୂଳରେ ଅଛନ୍ତି, ସେମାନେ କେହି ଏ ଦିଗରେ ଅର୍ଥ ବିନିଯୋଗ କରିନାହାନ୍ତି ବା ସେମାନଙ୍କର ମଧ୍ୟ ଏସବୁ ବିଷୟରେ କିଛି ଧାରଣା ନାହିଁ । କେବଳ ମାତ୍ର ରାଜନୈତିକ ମଞ୍ଚରେ ଲୋକମାନଙ୍କୁ ନିଜର ବକ୍ତୃତାପଟୁତା ଗୁଣବଳରେ ମୁଗ୍ଧ କରି ସେମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ହେଲା ସେମାନଙ୍କର ଏକମାତ୍ର ଅବଦାନ । ଦେଖିବାକୁ ମିଳୁଛି, ଦେଶର ନାନା ସ୍ଥାନରେ ଅନେକ ଧନିକ ଏହିପରି ଭାବରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଆଗଭର ହୋଇ ସେ ଦିଗରେ ବର୍ତ୍ତମାନ ଲାଗିପଡ଼ିଛନ୍ତି । ଦେଶର ସାମୂହିକ ଅଭିବୃଦ୍ଧି ଘଟାଇବାକୁ ହେଲେ ଯେଉଁ ସ୍ଥିରଚିନ୍ତା କରିବା ଆବଶ୍ୟକ, ସେ ଦିଗକୁ ଦୃଷ୍ଟି ନ ଦେଇ ଦେଶବସୀ କ୍ଷଣିକ ଉନ୍ମାଦନାରେ ସବୁ ବିଚାର ବୁଦ୍ଧି ପ୍ରତି ଜଳାଞ୍ଜଳି ଦେଇ ଏ ଦିଗରେ ଲାଗିପଡ଼ିଛନ୍ତି । ସମସ୍ତଙ୍କର ମନେରଖିବା ଦରକାର ଯେ, ଏ ଯେଉଁ ଶିଳ୍ପ-ଜାଗରଣର ପ୍ରଚେଷ୍ଟା ବର୍ତ୍ତମାନ ଚାଲିଛି, ଶିଳ୍ପର ବିକାଶ ଏହାର ପ୍ରକୃତ ଉଦ୍ଦେଶ୍ୟ ନୁହେଁ; କାରଣ ଏହା ପୂରାପୂରି ହେଉଛି ରାଜନୈତିକ ସଂଗ୍ରାମର ଏକ ଅଙ୍ଗ । ପରିସ୍ଥିତିର ଚାପରେ ପଡ଼ି ବ୍ରିଟିଶ ସରକାର ବଙ୍ଗବିଚ୍ଛେଦ ପ୍ରସ୍ତାବକୁ ପ୍ରତ୍ୟାହାର କରିନେବା ପରେ ଦେଶରେ ଯେଉଁ ରାଜନୈତିକ ଝଡ଼ଝଞ୍ଜା ମୁଣ୍ଡଟେକି ଉଠିଥିଲା, ତାହା ନୀରବ ହୋଇଯାଇଥିଲା । ତାହା ପରେ ପରେ ଦେଶର ସବୁ ସ୍ୱଦେଶୀ ଶିଳ୍ପ କାରବାର କ୍ରମେ କ୍ରମେ ପୂର୍ବର ଉତ୍ସାହ, ଉଦ୍ଦୀପନା ହରାଇ ମ୍ରିୟମାଣ ହୋଇ ଆସି ଶେଷରେ ସେ ସବୁ ବନ୍ଦ ହୋଇଯାଇଥିଲା । ଫଳତଃ ସେ ସବୁ କାରବାରରେ ଯେଉଁ ଲୋକମାନେ ଟଙ୍କା ଖଟେଇଥିଲେ, ସେମାନଙ୍କର ଟଙ୍କା ନଷ୍ଟ ହେଲା ଓ ସେମାନେ ଉଦ୍ୟମରେ ବିଫଳ ହୋଇ ଶେଷରେ ସେମାନଙ୍କର ବିଫଳତାର ଯଥାର୍ଥ କାରଣ ବୁଝିପାରିଥିଲେ ।’’

 

ଦେଶରେ ସେ ସମୟରେ ଯେଉଁ ଶିଳ୍ପ ବିକାଶର ଅଭ୍ୟୁଦୟ ଦେଖାଦେଇଥିଲା, ସେ ଦିଗରେ ଉତ୍ସାହ ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ବିଭିନ୍ନ ଶିଳ୍ପ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅଗ୍ରସର ହେଉଥିଲେ, ସେମାନଙ୍କୁ ମଧୁସୂଦନ ସମ୍ଭାବ୍ୟ ବିପଦ ବିଷୟରେ ପରିଷ୍କାରଭାବରେ ବୁଝାଇ ଦେଇଥିଲେ । ସେ ସବୁବେଳେ କହୁଥିଲେ ଯେ ସ୍ୱଦେଶୀ ଶିଳ୍ପର ଏ ଦେଶରେ ପ୍ରଭୁତ୍ୱ ପ୍ରଗତି ଘଟିବା ନିଶ୍ଚିତଭାବରେ ଆବଶ୍ୟକ; କିନ୍ତୁ ରାଜନୈତିକ ଦୁହା ବା ପହଳିଦ୍ୱାରା ପ୍ରଭାବିତ ହୋଇ କେବଳ ମାତ୍ର ବିଭିନ୍ନ ଲକ୍ଷ୍ୟ ହାସଲ ଦିଗରେ ଏହାକୁ ପରିଚାଳିତ କରିବା ଉଚିତ ନୁହେଁ; ବରଂ ଯଥାର୍ଥ ଗୁରୁତ୍ୱର ସହିତ ବିଭିନ୍ନ ଶିଳ୍ପଯୋଜନାଗୁଡ଼ିକ ଦେଶରେ ଏପରି ଭାବରେ ସଙ୍ଗଠିତ ଓ ପରିଚାଳିତ ହେବା ଆବଶ୍ୟକ, ଯାହାଫଳରେ କି ବ୍ରିଟିଶ ଉପନିବେଶବାଦ ମୂଳରେ ତାହା କୁଠାରାଘାତ କରିବାରେ ସମର୍ଥ ହୋଇପାରିବ । ବିଭିନ୍ନ ଶିଳ୍ପଯୋଜନାକୁ କାର୍ଯ୍ୟକାରୀ କରି ତଦ୍ଦ୍ୱାରା ନିଜେ ଲାଭବାନ୍ ହେବାର ଲକ୍ଷ୍ୟ ନ ରଖି ଦେଶାତ୍ମବୋଧ ଓ ଉଦାର ମନୋଭାବଦ୍ୱାରା ଅନୁପ୍ରାଣିତ ହେବାକୁ ଶିଳ୍ପୋଦ୍ୟୋଗକାରୀମାନଙ୍କୁ ସେ ନିବେଦନ କରୁଥିଲେ । ପ୍ରାଥମିକ ଉଦ୍ୟମରେ ଯେଉଁମାନେ ଏ ଦିଗରେ କ୍ଷତିଗ୍ରସ୍ତ ହୋଇଥିଲେ, ସେମାନଙ୍କୁ ସେ ସବୁବେଳେ ଉପଦେଶ ଦେଉଥିଲେ ଯେ ସେମାନଙ୍କର କ୍ଷତିଲାଗି ସେମାନେ ହତୋତ୍ସାହ ନ ହୋଇ ଶିଳ୍ପଯୋଜନାର ଅଗ୍ରଗତି ଦିଗରେ ତାହା ସେମାନଙ୍କର ବ୍ୟକ୍ତିଗତ ଦାନ ବୋଲି ମନେକରିବା ଆବଶ୍ୟକ । ସେ ଅନ୍ୟମାନଙ୍କୁ ଏହିପରିଭାବରେ ଯେଉଁ ଉପଦେଶ ଦେଉଥିଲେ, ତାହାକୁ ବ୍ୟକ୍ତିଗତ ଭାବରେ କାର୍ଯ୍ୟକାରୀ କରିବାକୁ ଯାଇ ଶେଷରେ ତାଙ୍କୁ କିପରି ସର୍ବସ୍ୱାନ୍ତ ହେବାକୁ ପଡ଼ିଥିଲା, ତାହା ପୂର୍ବରୁ ଆଲୋଚିତ ହୋଇଅଛି ।

 

ଊନବିଂଶ ଶତାବ୍ଦୀରେ ଯେଉଁ ଭାରତୀୟ ନେତୃବର୍ଗ ନିଜ ନିଜର ଆତ୍ମୋତ୍ସର୍ଗ ଓ ସ୍ୱାର୍ଥତ୍ୟାଗ ବଳରେ ଆଧୁନିକ ଭାରତ ନିର୍ମାଣର ପଥ ରଚନା କରିଥିଲେ, ମଧୁସୂଦନ ଥିଲେ ସେହି ପ୍ରଥିତଯଶା ବ୍ୟକ୍ତିବର୍ଗଙ୍କ ମଧ୍ୟରୁ ଅନ୍ୟତମ । କାୟମନୋବାକ୍ୟରେ ସେ ଥିଲେ ଜଣେ ଦେଶପ୍ରାଣ ବ୍ୟକ୍ତି । ସର୍ବଭାରତୀୟ କର୍ମଯୋଜନାରେ ଲିପ୍ତ ନ ରହି, କେବଳ ମାତ୍ର ଓଡ଼ିଶା ଓ ତାହାର ସ୍ୱାର୍ଥ ଦିଗରେ ସେ ସବୁବେଳେ ଲିପ୍ତ ରହିବା ମୂଳରେ ଏକ ବିଶେଷ କାରଣ ନିହିତ ଥିଲା । ଏ ସମ୍ପର୍କରେ ‘ବନ୍ଦେ ମାତରମ୍’ ପତ୍ରିକାର 1907 ମସିହା ଡିସେମ୍ୱର 17 ତାରିଖ ସଂଖ୍ୟାରେ ମଧୁସୂଦନଙ୍କୁ ଲକ୍ଷ୍ୟ କରି ଅରବିନ୍ଦ ଯଥାର୍ଥରେ ଲେଖିଥିଲେ :

 

‘‘ଗୋଟାଏ ଜାତିର ଅନ୍ତର୍ନିହିତ ସମସ୍ତ ଶକ୍ତିର ଜାଗରଣ ଓ ସଂଘଟନ ନ ଘଟିବା ପର୍ଯ୍ୟନ୍ତ ଦେଶରେ ଜାତୀୟଭାବ ବା ଜାତୀୟଚେତନାର ଯଥାର୍ଥ ଅଭ୍ୟୁଦୟ ଘଟିବା ସମ୍ପୂର୍ଣ୍ଣ ଅସମ୍ଭବ-। ତେଣୁ ଦେଶର ଯେଉଁ ଲୋକମାନେ ରାଜନୈତିକ କ୍ଷେତ୍ରରେ ପଛୁଆ ହୋଇ ପଡ଼ି ରହିଛନ୍ତି, ସେମାନଙ୍କ ହୃଦୟରେ ଜାତୀୟଭାବର ଜାଗରଣ ଘଟାଇ ସେମାନଙ୍କୁ ସାମ୍ପ୍ରତିକ ରାଜନୈତିକ ଚିନ୍ତାଧାରାଦ୍ୱାରା ଅନୁପ୍ରାଣିତ କରିବାଦ୍ୱାରା ହିଁ ଯଥାର୍ଥରେ ଏହି ଲକ୍ଷ୍ୟ ସାଧିତ ହୋଇପାରିବ......ପଛରେ ପଡ଼ିଥିବା ଲୋକମାନଙ୍କ ପରି ପଛରେ ପଡ଼ିରହିଥିବା ରାଜ୍ୟଗୁଡ଼ିକ ପ୍ରତି ମଧ୍ୟ ଏହି ନୀତି ପ୍ରଯୁକ୍ତ ହେବା ଆବଶ୍ୟକ । ଏହିପରି ଭାବରେ ଜାଗରଣ ସର୍ବମୟ ସର୍ବବ୍ୟାପୀ ହେବା ଆବଶ୍ୟକ...ଏବଂ ଯେଉଁଠାରେ ଏହି ନବ-ଚେତନାର ଉଦୟ ପରିଲକ୍ଷିତ ହେବ, ତାହା ସମସ୍ତଙ୍କଦ୍ୱାରା ଅଭିନନ୍ଦିତ ହେବା ମଧ୍ୟ ଆବଶ୍ୟକ । ଓଡ଼ିଶାରେ ବର୍ତ୍ତମାନ ଏହି ନବଜାଗରଣର ସୂତ୍ରପାତ ଘଟିଅଛି । ଓଡ଼ିଶା ତାହାର ସ୍ୱତନ୍ତ୍ର ଅସ୍ତିତ୍ୱ ଲାଗି ଏକ ସୁଦକ୍ଷ ଓ ଶକ୍ତିଶାଳୀ ନେତାଙ୍କ ଅଧିନାୟକତ୍ୱରେ ବର୍ତ୍ତମାନ ଲାଗିପଡ଼ିଥିବାର ଦେଖିବାକୁ ମିଳୁଅଛି । ଏହା ଅବଶ୍ୟ ବିଶେଷ ଆନନ୍ଦର ବିଷୟ ।’’ *

 

*’Aurobindo and New Thought’ by Hari Das and Uma Mukherjee, pp. 254, 255.

 

ରାଜନୈତିକ ଚିନ୍ତାଧାରାରେ ମଧୁସୂଦନ ଥିଲେ ଜଣେ ପୂରାପୂରି ସଂସ୍କାରବାଦୀ । ସେହି କାରଣରୁ 1920 ମସିହାର ପରବର୍ତ୍ତୀ କାଳରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ଯେଉଁ ଅସହଯୋଗ ଆନ୍ଦୋଳନ ଓ ଅନ୍ୟାନ୍ୟ ନାନା ଗଣବିକ୍ଷୋଭର ସ୍ରୋତ-ଛୁଟିଚାଲିଥିଲା, ସେ ସବୁ ସହିତ ମଧୁସୂଦନ ସଂଯୁକ୍ତ ହୋଇପାରୁନଥିଲେ । ଦେଶରେ ସେତେବେଳେ ଯେଉଁ ସନ୍ତ୍ରାସବାଦୀ କ୍ରିୟାକଳାପ ଘଟୁଥିଲା, ସେ ନିଜର ଜୀବନକୁ ବିପନ୍ନ କରି ମଧ୍ୟ ସେସବୁ କ୍ରିୟାକଳାପକୁ ଗଭୀର ସମାଲୋଚନା କରିବାକୁ ଛାଡ଼ୁ ନ ଥିଲେ । ଭାଇସରାୟ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ଜୀବନ ନାଶକରିବା ପାଇଁ ସନ୍ତ୍ରାସବାଦୀମାନେ ସେତେବେଳେ ଯେଉଁ ପ୍ରକାର ଉଦ୍ୟମ କରିଥିଲେ, ତାହାକୁ ନିନ୍ଦାକରି ବିହାର-ଓଡ଼ିଶା ଆସେମ୍ବ୍ଲିରେ ମଧୁସୂଦନ ଭାଷଣ ପ୍ରସଙ୍ଗରେ କହିଥିଲେ :

 

‘‘...ଏହା ପୂର୍ବରୁ ମୁଁ ବେଙ୍ଗଲ ଲେଜିସଲେଟିଭ କାଉନ୍ସିଲର ସଭ୍ୟ ଥିବା ସମୟରେ ସାର୍ କର୍ଜ୍ଜନ୍‍ଉଇଲିଙ୍କୁ ସନ୍ତ୍ରାସବାଦୀମାନେ ହତ୍ୟା କରିଥିଲେ । ସେହି ବିଷୟରେ କାଉନ୍ସିଲରେ ଆଲୋଚନା କରିବା ସମୟରେ ମୁଁ ସନ୍ତ୍ରାସବାଦୀମାନଙ୍କର ଏ ଜଘନ୍ୟ କାଣ୍ଡକୁ ନିନ୍ଦାକରି ତାହାର ଗଭୀର ସମାଲୋଚନା କରିଥିଲି । ତେଣୁ ଏହି ହତ୍ୟାକାଣ୍ଡ ପଛରେ ଯେଉଁ ହତ୍ୟାକାରୀ ଦଳର ଗୁପ୍ତହାତ ଥିଲା, ସେମାନେ ମୋ ଉପରେ ବିରକ୍ତ ହୋଇ ମତେ ଚିଠି ଲେଖି ଧମକ ଦେଇଥିଲେ । କାଉନ୍ସିଲରେ ମୁଁ ସେମାନଙ୍କୁ ନିନ୍ଦା କରି ଯାହା କହିଛି, ତାହାକୁ ଯଦି ମୁଁ ପ୍ରତ୍ୟାହାର କରି ନ ନିଏ, ତେବେ ସେମାନେ ମୋର ପ୍ରାଣନାଶ କରିଦେବେ ବୋଲି ଧମକଦେଇ ଚିଠିରେ ଲେଖିଥିଲେ; କିନ୍ତୁ ମୁଁ ଆନନ୍ଦର ସହିତ ଆପଣଙ୍କୁ ଜଣାଉଛି ଯେ ମୁଁ ମୋର ପ୍ରସ୍ତାବକୁ ପ୍ରତ୍ୟାହାର ନ କରି ମଧ୍ୟ ବର୍ତ୍ତମାନ ଜୀବିତ ଅଛି ଓ ପୁଣି ଏଠାରେ ମଧ୍ୟ ଦୃଢ଼ତାର ସହିତ ଏ ପ୍ରକାର ଜଘନ୍ୟ ହତ୍ୟାକାରୀମାନଙ୍କ କୁକର୍ମକୁ ନିନ୍ଦା କରୁଅଛି । ଏ ବିଷୟରେ ମୋର ମତାମତ ହେଲା ଯେ ପ୍ରତ୍ୟେକ ଲୋକ ଏ ପ୍ରକାର ଜଘନ୍ୟ ହତ୍ୟାକାଣ୍ଡକୁ ଖୋଲାଖୋଲି ଭାବରେ ନିନ୍ଦାକରିବା ଦରକାର-।’’

 

ରାଜନୀତି କରି ଦେଶସେବା ଆଳରେ ନିଜେ ଧନ ଓ କ୍ଷମତାର ଅଧିକାରୀ ହେବା ମଧୁସୂଦନଙ୍କର ଅଭିପ୍ରେତ ନ ଥିଲା । ଏ ପ୍ରକାର ଚିନ୍ତାଧାରାଠାରୁ ସେ ବହୁ ଦୂରରେ ଥିଲେ; ବରଂ ନିଜର ଉଚ୍ଚାଦର୍ଶ ଓ ମହତ୍ ଲକ୍ଷ୍ୟ ପରିପୂରଣ ନିମନ୍ତେ ଆତ୍ମୋତ୍ସର୍ଗ କରିବା ତାଙ୍କର ନୀତି ଥିଲା । ମଧୁସୂଦନ ତାଙ୍କ ଜୀବନରେ ବହୁତଗୁଡ଼ିଏ ଦେଶାତ୍ମବୋଧକ ସଙ୍ଗୀତ ରଚନା କରିଥିଲେ । ସେହି ସଙ୍ଗୀତଗୁଡ଼ିକର ମହତ୍ ପ୍ରେରଣା ଓ ଗୁଣବୈଶିଷ୍ଟ୍ୟ ଏପର୍ଯ୍ୟନ୍ତ ମଧ୍ୟ ମଳିନ ପଡ଼ିନାହିଁ । ତାଙ୍କର ଏହିପରି ଗୋଟିଏ ଦେଶାତ୍ମବୋଧକ ସଙ୍ଗୀତରେ ସେ ରାଜନୀତିକୁ ହୋମାନଳର ପବିତ୍ର ଅଗ୍ନିଶିଖା ସହିତ ତୁଳନାକରି ଜାତି-ଯଜ୍ଞକୁଣ୍ଡରେ ଆପଣାର ସମସ୍ତ ସ୍ୱାର୍ଥକୁ ନୈବେଦ୍ୟରୂପେ ସମର୍ପଣ କରିଦେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।

Image

 

ଉପସଂହାର

 

ଚାରିଆଡ଼େ ଖାଲି ପ୍ରବଳ ଶୀତ ଆଉ ଶୀତ । ଶୀତର ସେହି ଗ୍ଲାନି ଓ ଜାଡ଼ିମାର ଗୁରୁଗମ୍ଭୀର ସ୍ତବ୍ଧତା ମଧ୍ୟରେ ଆରମ୍ଭ ହୋଇଥିଲା ଇଂ 1934 ମସିହା । ଉତ୍ତର ଦିଗରୁ ସୁ-ସୁ ହୋଇ ଯେଉଁ ହେମାଳ ପବନ ବହୁଥିଲା, ସତେ ଯେପରି କି ସେଥିରେ ଥିଲା ଆସନ୍ନ ଦୁର୍ଯ୍ୟୋଗର ଅଶୁଭ ସଙ୍କେତ । ପ୍ରାୟ ପନ୍ଦରଦିନ ପୂର୍ବରୁ ଓଡ଼ିଶାରେ ଗୋଟାଏ କରାଳ ଭୂମିକମ୍ପ ଘଟିଯାଇଥିଲା-। ସେହି ଭୂମିକମ୍ପର କ୍ଷୟକ୍ଷତିରୁ ରକ୍ଷା ପାଉ ନ ପାଉଣୁ ସାରା ଓଡ଼ିଶା ଆଉ ଗୋଟାଏ ପ୍ରବଳ ସୁର୍ଯ୍ୟୋଗର ସମ୍ୱାଦରେ ଥରିଉଠିଲା । ଏ ସମ୍ୱାଦଟା ଥିଲା ଭୂମିକମ୍ପର ବିଭୀଷିକାଠାରୁ ଆହୁରି ଅଧିକ ମର୍ମନ୍ତୁଦ ଓ ଅସହନୀୟ । ଓଡ଼ିଶାର କୁଳଶ୍ରେଷ୍ଠ, କୁଳବୃଦ୍ଧ ମଧୁସୂଦନଙ୍କ ଆସିନ୍ନ ମୃତ୍ୟୁ ସମ୍ୱାଦରେ ସାରା ଓଡ଼ିଶାରେ ଯୁଗପତ୍ ଗୋଟାଏ ଉଦବେଗ ଓ ନିରାନନ୍ଦର ସ୍ରୋତ ଖେଳିଗଲା-। ବ୍ରିଟିଶ ପଦାନତ ଓଡ଼ିଶାର କୁଜ୍‍ଝଟୀକାମୟ ଅନ୍ଧକାର ମଧ୍ୟରେ ଗୋଟାଏ ପ୍ରକାଣ୍ଡ ବରଗଛ ପରି ଠିଆରହିଥିଲେ ମଧୁସୂଦନ । ସବୁ ଜଡ଼, ସବୁ ବତାସ ସେହି ବରଗଛ ପାଖରେ ହାର ମାନୁଥିଲା ସିନା; ଗଛଟାକୁ କିନ୍ତୁ ନୁଆଁଇ ପାରୁ ନ ଥିଲା । ଓଡ଼ିଶା ମୁଲକର ସେହି ପ୍ରକାଣ୍ଡ ବରଗଛଟା ବର୍ତ୍ତମାନ ଟଳିପଡ଼ିବା ଉପରକୁ ଆସିଯାଇଥିବା ସମ୍ୱାଦରେ ସାରା ଓଡ଼ିଶାର ପୁରପଲ୍ଲୀରେ ଗୋଟାଏ ଆତଙ୍କ ଖେଳିଗଲା । ଚାହୁଁ ଚାହୁଁ ଏ ସମ୍ୱାଦ କେବଳ କଟକ ସହର ନୁହେଁ, ଓଡ଼ିଶାର ପ୍ରତି କଣେ କଣେ ପ୍ରଚାରିତ ହୋଇଗଲା । ଦୈନିକ ‘ସମାଜ’ର ସ୍ତମ୍ଭରେ ମଧୁସୂଦନଙ୍କ ଦୈନିକ ଅବସ୍ଥା ବିଷୟରେ ଖବର ବାହାରୁଥାଏ । ସମାଜର ପ୍ରତି ଶ୍ରେଣୀର ଲୋକେ ପାରାଭାଡ଼ି ପରି ତାଙ୍କ କୋଠିକୁ ଛୁଟି ଚାଲିଥାନ୍ତି । ଯେଉଁ ଘରଟିରେ ମଧୁସୂଦନ ରୋଗଶଯ୍ୟାରେ ପଡ଼ିରହିଥାନ୍ତି, ସମସ୍ତଙ୍କ ଆଖି ଲାଖିରହିଥାଏ ସେହି ଘରର ବନ୍ଦ ଝରକା ଉପରେ ।

 

କିନ୍ତୁ ରୋଗାର୍ତ୍ତ ମଧୁସୂଦନଙ୍କ ଶୟନକକ୍ଷର ଅଭ୍ୟନ୍ତର ଦୃଶ୍ୟ ଥିଲା ଅନ୍ୟ ପ୍ରକାର । ଏହି କକ୍ଷର ବାହାରେ ଯେଉଁ ଗଭୀର ଦୁଃଖର ସ୍ରୋତ ଖେଳିବୁଲୁଥିଲା, ତାହାର ଚିହ୍ନବର୍ଣ୍ଣ ସେଠାରେ ଦେଖିବାକୁ ମିଳୁ ନ ଥିଲା । ନିଜର ସମସ୍ତ ଶାରୀରିକ ଯନ୍ତ୍ରଣାକୁ ସହ୍ୟ କିର ଏବଂ ସେଥିରେ ତିଳେମାତ୍ର ବିଚଳିତ ନ ହୋଇ ମଧୁସୂଦନ ରୋଗଶଯ୍ୟା ଉପରେ ନିର୍ଲିପ୍ତ ଭାବରେ ଶୋଇରହିଥାନ୍ତି-। ତାଙ୍କ ପେଟଭିତରେ ଅନ୍ତ୍ରରେ ଘାଆ ହୋଇଥିବାରୁ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିଲେ ମଧ୍ୟ ସେ ନିଜେ ସେଥିଲାଗି ଯନ୍ତ୍ରଣାରେ କାତର ହୋଇ ତାଙ୍କ ରୋଗଶଯ୍ୟା ଚାରିଆଡ଼େ ଘେରି ରହିଥିବା ଅନ୍ୟାନ୍ୟ ଲୋକମାନଙ୍କୁ ବିଚଳିତ କରୁ ନ ଥିଲେ ।

 

ତାଙ୍କର ଜଣେ ଆତ୍ମୀୟା ତାଙ୍କ ରୋଗଶଯ୍ୟା ପାଖରେ ବସି ବାଇବଲ୍‍ର ତ୍ରୟବିଂଶ ସ୍ତୋତ୍ରରୁ ଡେଭିଡ଼୍‍ର ଜଣାଣ ଆବୃତ୍ତି କରୁଥିଲେ । ମଧୁସୂଦନଙ୍କ କାନରେ ଏହି ସ୍ତୋତ୍ର ଆବୃତ୍ତି ପଡ଼ିବା ମାତ୍ରେ ସେ ମୁଣ୍ଡ ହଲାଇ ସେ ଆବୃତ୍ତି ସେତିକିରେ ବନ୍ଦ କରିବାକୁ ଜଣାଇ କ୍ଷୀଣକଣ୍ଠରେ ତାଙ୍କର ସେ ଆତ୍ମୀୟାଙ୍କୁ କହିଲେ, ‘‘ଯେଉଁ ଦୁଃଖରୁ ପରିତ୍ରାଣ ପାଇବା ଲାଗି ଡେଭିଡ଼୍ ପ୍ରାର୍ଥନା କରୁଥିଲା, ସେ ଦୁଃଖ ମତେ ବର୍ତ୍ତମାନ ଯନ୍ତ୍ରଣା ଦେଉନାହିଁ । ତୁମେ କାହିଁକି ବୃଥାରେ ସେ ପ୍ରାର୍ଥନା ସଙ୍ଗୀତଟି ଗାଉଅଛ ?’’

 

ତାହାପରେ ନିଜେ ମଧୁସୂଦନ କ୍ଷୀଣକଣ୍ଠରେ ତାଙ୍କର ପ୍ରିୟ ପ୍ରାର୍ଥନା ସଙ୍ଗୀତଟିକୁ ନିଜେ ଆବୃତ୍ତି କରିବାକୁ ଲାଗିଲେ ।

 

Abide with me, fast falls the even tide,

The darkness deepens

Lord with me abide

When other helpers fail and comforts flee

Help of the helpless abide with me.

 

ଅସହ୍ୟ ଯନ୍ତ୍ରଣାମଥିତ ତାଙ୍କର ସେହି ଅନ୍ତିମ ମୁହୂର୍ତ୍ତରେ ସୁଦ୍ଧା ସେ ସ୍ଥିର ଜଳରାଶିପରି ଶାନ୍ତ ଓ ସମାହିତ ରହିପାରିଥିଲେ । ଆରମ୍ଭରୁ ଶେଷଯାଏ ତାଙ୍କ ଜୀବନଟି ଥିଲା ନାନା ଘଟଣାବହୁଳ । ମଧୁସୂଦନଙ୍କ ମୃତ୍ୟୁ ଘଟିବାର ଦୁଇବର୍ଷ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ତାକୁ ଦେଖିବାକୁ ସେ ରହିପାରି ନ ଥିଲେ । ତଥାପି ମୃତ୍ୟୁପରେ ତାଙ୍କ ଜୀବନର ଲକ୍ଷ୍ୟ ପୂରଣ ହୋଇପାରିଥିଲା । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ସେ ନିର୍ଲିପ୍ତଭାବରେ ଜୀବନର ସବୁ କିଛି ଦାନକରି କାମ କରିଯାଇଥିଲେ । ‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ’—ଗୀତାର ଏହି ଅମର ବାଣୀ ସତେ ଯେପରିକି ତାଙ୍କ ଜୀବନର ଏକମାତ୍ର କର୍ମସୂତ୍ରରେ ପରିଣତ ହୋଇଯାଇଥିଲା । ଲାଭାଲାଭର ଦୃଷ୍ଟି ନ ରଖି ନିଜର ଲକ୍ଷ୍ୟ ଓ ଆଦର୍ଶର ପରିପୂରଣ ଦିଗରେ ସେ ନିଜକୁ ସମର୍ପଣ କରି ଦେଇଥିଲେ । ଈଶ୍ୱରଙ୍କ ଅସୀମ ଦୟା ଉପରେ ସେ ପୂର୍ଣ୍ଣତଃ ନିର୍ଭର କରୁଥିଲେ ଏବଂ ସମସ୍ତ ଉଦ୍ୟମରେ ସେ ଈଶ୍ୱରଙ୍କ ଅନନ୍ତ କରୁଣାକୁ ତାଙ୍କର ଏକମାତ୍ର ସମ୍ୱଳ ବୋଲି ମଣୁଥିଲେ । ତାଙ୍କର ରୋଗଶଯ୍ୟା ଚାରିକଡ଼େ ଯେଉଁ ଲୋକମାନେ ଘେରି ରହିଥିଲେ, ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଲାଗି ସେମାନଙ୍କୁ ସେ ସବୁବେଳେ ଅନୁରୋଧ କରୁଥିଲେ । ଯେଉଁ ଅଟଳ ଈଶ୍ୱରବିଶ୍ୱାସ ଆଜୀବନ ତାଙ୍କୁ କର୍ମଚଞ୍ଚଳ କରି ରଖିଥିଲା, ସେହି ବିଶ୍ୱାସ ହିଁ ଜୀବନର ଏହି ଯନ୍ତ୍ରଣାପୂର୍ଣ୍ଣ ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ତାଙ୍କୁ ଐଶୀ-ମହିମାରେ ବିମୁଗ୍ଧ କରି ରଖିପାରିଥିଲା ।

 

କିନ୍ତୁ ମଧ୍ୟେ ମଧ୍ୟେ ତାଙ୍କର ସେହି ମାନସିକ ପ୍ରଶାନ୍ତିରେ ବିରାମ ଘଟୁଥିବାର ଦେଖିବାକୁ ମିଳୁଥିଲା । ରୋଗରେ ପଡ଼ି ଶଯ୍ୟାଶାୟୀ ହୋଇପଡ଼ିବା ପୂର୍ବରୁ କଟକ ସହରର ଏକ ବସ୍ତି ଅଞ୍ଚଳରେ ଗୋଟିଏ ନଳକୂଅ ଖୋଳିଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରୋଗାକ୍ରାନ୍ତ ହୋଇପଡ଼ିବା ଫଳରେ ତାଙ୍କର ସେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ସମର୍ଥ ହୋଇପାରି ନଥିଲେ । ବସ୍ତିର ଲୋକମାନେ ପିଇବା ପାଣି ଅଭାବରୁ ବରାବର ବିଶେଷ ହଇରାଣ ହେଉଥିଲେ । ସେ ବସ୍ତିରେ ନଳକୂଅଟିଏ ଖୋଳିବା ଓ ତାହା ସହିତ ଏହାର ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ କାମ ନିମନ୍ତେ ମୋଟ ପାଞ୍ଚଶହ ବା ଛଅଶହ ଟଙ୍କା ଲାଗିବ ବୋଲି ଅଟକଳ କରାଯାଇଥିଲା; ମାତ୍ର ମଧୁସୂଦନଙ୍କ ପାଖରେ ସେତେବେଳକୁ ସେଥିଲାଗି ଅର୍ଥର ଘୋର ଅଭାବ । ତାଙ୍କର ସୁଦିନରେ ଯେଉଁ ଆତ୍ମୀୟ ସ୍ୱଜନମାନେ ତାଙ୍କର ପଇସାରେ ଆରାମରେ ଦିନ କାଟି ନିଜ ଅବସ୍ଥାରେ ଉନ୍ନତି ଆଣିଥିଲେ, ସେମାନେ କିନ୍ତୁ ବର୍ତ୍ତମାନ ହାତରୁ ପଇସାଟିଏ ବି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନ ଥିଲେ । ଯେଉଁ କାମ କରିବାକୁ ମଧୁସୂଦନ ଥରେ ଜବାବ ଦେଉଥିଲେ, ତାହା ତାଙ୍କ ପାଖରେ ଏକ ଅଲଙ୍ଘନୀୟ ଶପଥରେ ପରିଣତ ହୋଇଉଠୁଥିଲା । ତେଣୁ ମୃତ୍ୟୁଶଯ୍ୟାରେ ପଡ଼ିରହି ଶାରୀରିକ ଯନ୍ତ୍ରଣାରେ ସେ ଯେତେ କଷ୍ଟ ଭୋଗ କରୁନଥିଲେ, ତାହାଠାରୁ ଅଧିକ ଯନ୍ତ୍ରଣା ବୋଧକରୁଥିଲେ ନିଜର ଅପୂର୍ଣ୍ଣ ରହିଯାଇଥିବା ପ୍ରତିଶ୍ରୁତି କଥା ମନେପକାଇ ।

 

ମାନସିକ ଯନ୍ତ୍ରଣାର ମର୍ମାନ୍ତକ ପୀଡ଼ନରେ ମଧୁସୂଦନ ରୋଗଶଯ୍ୟାରେ ପଡ଼ିରହି ଏହିପରି କଷ୍ଟଭୋଗ କରୁଥିବା ସମୟରେ ହଠାତ୍ ଡାକରେ ଇନ୍ସିଓର୍ଡ଼ ହୋଇ ତାଙ୍କ ପାଖରେ ଆସି ପହଞ୍ଚିଲା ଏକ ହଜାର ଟଙ୍କା । ତାଙ୍କର ଜଣେ ମହକିଲଠାରେ ଏହି ବାକି ପାଉଣା ରହିଯାଇଥିଲା । ସେହି ମହକିଲ ଜଣକ ଏବେ ମଧୁସୂଦନଙ୍କ ପାଖକୁ ଟଙ୍କା ପଠାଇଦେଇଥିଲା । ହାତରେ ଟଙ୍କାତକ ପାଇଯିବା ମାତ୍ରେ ମଧୁସୂଦନ ଛୋଟପିଲାଙ୍କ ପରି ଆନନ୍ଦରେ ଉଛୁଳି ଉଠି ତାଙ୍କର ପାଳିତା କନ୍ୟା ଶୈଳବାଳାଙ୍କୁ ପାଖକୁ ଡାକି କହିଲେ, ‘‘ମୋର ଅପୂର୍ଣ୍ଣ ପ୍ରତିଶ୍ରୁତିକୁ ପୂରଣକରି ମୁଁ ଶାନ୍ତିରେ ମରିପାରିବି ବୋଲି ମୋର ଅନନ୍ତ କରୁଣାମୟ ପିତା ମୋ ପାଖକୁ ଆବଶ୍ୟକୀୟ ଅର୍ଥ ପଠାଇ ଦେଇଛନ୍ତି । ମୋର ପିତାଙ୍କୁ ତୁ ଆଉ ନିର୍ଦ୍ଦୟ ବୋଲି କହିପାରିବୁ କି ?’’ ସଙ୍ଗେ ସଙ୍ଗେ କଟକ ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କୁ ମଧୁସୂଦନଙ୍କ ରୋଗଶଯ୍ୟା ପାଖକୁ ଡକେଇ ଅଣାଗଲା ଏବଂ ଯେଉଁ ବସ୍ତିରେ ସେ ଟିଉବ୍ଓ୍ୱେଲଟିଏ ଖୋଳାଇଦେବାକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ସେଥିଲାଗି ଆବଶ୍ୟକୀୟ ଅର୍ଥ ତାଙ୍କୁ ଦେଇଦିଆଗଲା । ତାହାପରେ ଶାନ୍ତିର ଏକ ନିଃଶ୍ୱାସ ତ୍ୟାଗକରି ମଧୁସୂଦନଙ୍କୁ କହିବାର ଶୁଣାଗଲା, ‘‘ଏଥର ମୁଁ ଶାନ୍ତିରେ ବିଦାୟ ନେଇପାରିବି ।’’

 

ଜୀବନର ଅନ୍ତିମ ମୁହୂର୍ତ୍ତ ବର୍ତ୍ତମାନ ଆହୁରି ନିକଟ ହୋଇଆସିଲା । ସେ ସମୟରେ ମଧ୍ୟ ତାଙ୍କ ମନରେ ଓଡ଼ିଶା ବିଷୟରେ ନାନାଆଡ଼ୁ ନାନାପ୍ରକାର ଚିନ୍ତା ଖେଳି ବୁଲୁଥାଏ । ଓଡ଼ିଶା ବିଷୟ ବୁଝିବାକୁ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦାୟିତ୍ୱ ବହନକରିବାକୁ ସେ କାହା ଉପରେ ଦାୟିତ୍ୱ ଦେଇଯିବେ, ସେହି କଥା ବର୍ତ୍ତମାନ ସେ ଭାବୁଥାନ୍ତି । ପୂର୍ବରୁ ଓଡ଼ିଶାର କଂଗ୍ରେସ ନେତା ଗୋପବନ୍ଧୁଙ୍କୁ ତାଙ୍କର ଉତ୍ତରାଧିକାରୀ ରୂପେ ସେ ସ୍ଥିର କରିନେଇଥିଲେ । ଦୁହିଁଙ୍କ ମଧ୍ୟରେ ରାଜନୀତି କ୍ଷେତ୍ରରେ ଯଥେଷ୍ଟ ମତାନୈକ୍ୟ ରହିଥିଲେ ସୁଦ୍ଧା କେହି କାହାରି ଦେଶପ୍ରୀତିରେ କିନ୍ତୁ କେବେହେଲେ ସନ୍ଦେହ ପୋଷଣ କରୁ ନ ଥିଲେ । ଏହାଛଡ଼ା ଗୋପବନ୍ଧୁଙ୍କର ଦେଶସେବା ଓ ତାଙ୍କର କର୍ମଧାରାକୁ ମଧୁସୂଦନ ଏକପ୍ରକାର ନିଜ ହାତରେ ହିଁ ଗଢ଼ିଥିଲେ । ଗୋପବନ୍ଧୁଙ୍କଠାରୁ ମଧୁସୂଦନ ବୟୋଜ୍ୟେଷ୍ଠ ଥିଲେ ମଧ୍ୟ ସେ ଗୋପବନ୍ଧୁଙ୍କୁ ବରାବର ସହକର୍ମୀ ଦୃଷ୍ଟିରେ ଦେଖୁଥିଲେ ଓ ସମ୍ମାନ କରୁଥିଲେ । ଗୋପବନ୍ଧୁ ମଧ୍ୟ ମଧୁସୂଦନଙ୍କୁ ସବୁ କଥାରେ ନିଜ ଗୁରୁରୂପେ ମାନୁଥିଲେ । କିଛିବର୍ଷ ପୂର୍ବେ ମଧୁସୂଦନ ଏକ ପତ୍ରରେ ଗୋପବନ୍ଧୁଙ୍କୁ ଲେଖିଥିଲେ : ‘‘ମୁଁ ସମ୍ପୂର୍ଣ୍ଣ ଏକକଭାବରେ ଦେଶସେବା ଆରମ୍ଭ କରିଥିଲି । ତେଣୁ ମୁଁ ଯଦି କେଉଁଠି କିଛି ଭୁଲ କରିଥାଏ, ତେବେ ତାହା ନିତାନ୍ତ ସ୍ୱାଭାବିକ; କିନ୍ତୁ ଦେଶର ଉନ୍ନତି କାମନା ଯେ ମୋର ଏକାନ୍ତ ଉଦ୍ୟମ ଥିଲା, ତହିଁରେ ଆପଣଙ୍କର ତିଳେମାତ୍ର ସନ୍ଦେହ ନ ଥିବ ବୋଲି ମୁଁ ବିଶ୍ୱାସ କରୁଛି ।’’ ଦୁହିଁଙ୍କ ମଧ୍ୟରେ ଯେଉଁ ଗଭୀର ସମ୍ପର୍କ ରହିଥିଲା, ଏହି ପତ୍ରରୁ ସ୍ପଷ୍ଟ ଅନୁମିତ ହୁଏ; କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟକୁ ମଧୁସୂଦନଙ୍କ ମୃତ୍ୟୁର କିଛିବର୍ଷ ପୂର୍ବରୁ ଗୋପବନ୍ଧୁଙ୍କର ମୃତ୍ୟୁ ଘଟିସାରିଥିଲା । ତାହାପରେ ଓଡ଼ିଶାର ପ୍ରସିଦ୍ଧ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଉପରେ ଏହି ଦାୟିତ୍ୱ ସମର୍ପଣ କରିଦେବାକୁ ମଧୁସୂଦନ ଏହା ମଧ୍ୟରେ ସ୍ଥିର କରିସାରିଥିଲେ । ମଧୁସୂଦନ ନିଜେ ଯେଉଁ ସତ୍ୟବାଦୀଗୋଷ୍ଠୀ ଗଠନ କରିଥିଲେ, ପଣ୍ଡିତ ନୀଳକଣ୍ଠ ସେହି ଗୋଷ୍ଠୀର ଏକ ମୁଖ୍ୟ ବ୍ୟକ୍ତି ଥିଲେ । ଜୀବନଦୀପ ନିର୍ବାପିତ ହୋଇଯିବା ଆସନ୍ନ ଜାଣି ମଧୁସୂଦନ ସେହି ନୀଳକଣ୍ଠଙ୍କୁ ବର୍ତ୍ତମାନ ସତୃଷ୍ଣ ନୟନରେ ଚାହିଁରହିଥିଲେ ।

 

ପଣ୍ଡିତ ନୀଳକଣ୍ଠ ସେତେବେଳକୁ ଓଡ଼ିଶାର କୌଣସି ଏକ ଅଞ୍ଚଳକୁ ଗସ୍ତରେ ବାହାରିଯାଇଥାନ୍ତି । ମଧୁସୂଦନଙ୍କର ସଙ୍କଟାପନ୍ନ ଅବସ୍ଥା ବିଷୟ ଶୁଣିବା ମାତ୍ରେ ସେ ତାଙ୍କର ଶେଷଦର୍ଶନ ପ୍ରାପ୍ତି ଆଶାରେ ସାଙ୍ଗେ ସାଙ୍ଗେ ତେଣୁ କଟକ ଫେରିଆସିଲେ ।

 

ପ୍ରଥମ ସାକ୍ଷାତରେ ନୀଳକଣ୍ଠ ମଧୁସୂଦନଙ୍କୁ ପଚାରିଲେ, ‘‘ଜୟପୁର ଇଷ୍ଟେଟ୍ ଓ ଗଞ୍ଜାମ ଏଜେନ୍ସି ଏରିଆ ଆଦି ଅଞ୍ଚଳକୁ ‘ଓଡ଼ିଶା କମିଟି’ ଓଡ଼ିଶା ପ୍ରଦେଶରୁ ବାଦ୍ ଦେବା ଲାଗି ସୁପାରିସ୍ କରିଛି । ସେ ବିଷୟରେ କଣ କରାଯିବ ? ସେସବୁ ଅଞ୍ଚଳ କଣ ଓଡ଼ିଶା ସହିତ ମିଶିବ ?

 

କ୍ଷୀଣକଣ୍ଠରେ ମଧୁସୂଦନ ଜବାବ ଦେଲେ, ‘‘ନିଶ୍ଚୟ ମିଶିବ । ସେଥିରେ ଅନ୍ୟଥା ବିଚାରର ପ୍ରଶ୍ନ ନାହିଁ; କିନ୍ତୁ ନୀଳକଣ୍ଠ, ମୁଁ ଜାଣିବାକୁ ଚାହୁଁଛି, ଦେଶ ଓ ଦଶର ମୁଖ ଉଜ୍ଜ୍ୱଳକରିବାପରି ଦେଶପ୍ରାଣ ଓଡ଼ିଆ ଲୋକମାନଙ୍କର ଅଭାବ ଓଡ଼ିଶାରେ ଦେଖାଦେବ ନାହିଁ ତ-?’’

 

ଧୀରେ ଧୀରେ ମୃତ୍ୟୁର ଶୀତଳତା ମଧୁସୂଦନଙ୍କ ଅବଶ ଶରୀରର ଅଙ୍ଗପ୍ରତ୍ୟଙ୍ଗରେ ଖେଳିଆସିଲା । ଶେଷଦର୍ଶନାଭିଳାଷୀମାନଙକର ଭକ୍ତିନମ୍ର ପ୍ରଣାମ ଗ୍ରହଣକରି ସେ ବହୁକଷ୍ଟରେ କେବଳ ମାତ୍ର ନିଜ ଥରଥର ଦୁର୍ବଳ ହାତଟାକୁ କପାଳ ଉପରେ ଟିକିଏ ଟେକି ଧରୁଥିଲେ ଯାହା, ନତୁବା ତୁଣ୍ଡ ଫିଟାଇ ପଦେ କଥା କହିବାକୁ ତାଙ୍କର ଆଉ ଶକ୍ତି ନଥିଲା । ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କିଛି ବାର୍ତ୍ତା ଅଛି କି ନାହିଁ ବୋଲି ନୀଳକଣ୍ଠ ଏତିକିବେଳେ ପଚାରିଦବାରୁ, ପୁଣି ଟିକିଏ ଆଖି ଖୋଲି ମଧୁସୂଦନ ଉତ୍ତରଦେଲେ, ‘‘ଓଡ଼ିଶାର ନିର୍ମଳ ଲୋକମାନଙ୍କୁ କହିବ ଯେ ସେମାନେ ସବୁବେଳେ ସେମାନଙ୍କ ଅନ୍ତରକୁ ନିର୍ମଳ ରଖିବେ । ତାହାହେଲେ ସେମାନଙ୍କର ଅନ୍ତରାତ୍ମା ପବିତ୍ର ରହିବ ।’’

 

ଏହା ପରେ ପରେ ତାଙ୍କର ଚୈତନ୍ୟ ଧୀରେ ଧୀରେ ଲୋପ ପାଇଆସିଲା ଓ 1934 ମସିହା ଫେବୃଆରୀ 4 ତାରିଖ ରାତି 1 ଘଣ୍ଟା 20 ମିନିଟ୍ ସମୟରେ ତାଙ୍କର ଅମର ଆତ୍ମା ମରଶରୀର ତ୍ୟାଗରି ଦିବ୍ୟଲୋକକୁ ବାହୁଡ଼ି ଗଲା । ସୁଦୀର୍ଘ 85 ବର୍ଷ ବୟସ 9 ମାସ 8 ଦିନର ଘଟଣାବହୁଳ ଜୀବନର ଏହିଠାରେ ପରିସମାପ୍ତି ଘଟିଲା ।

 

ବଜ୍ରନିର୍ଘୋଷରେ ମଧୁସୂଦନଙ୍କର ମୃତ୍ୟୁ ସମ୍ୱାଦ ଓଡ଼ିଶାର ପୁରପଲ୍ଲୀରେ ବ୍ୟାପିଗଲା । କଟକ ସହରରୁ ପ୍ରକାଶ ପାଉଥିବା ସମ୍ୱାଦପତ୍ର ‘ସମାଜ’ ପୂରାପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଏହି ସମ୍ୱାଦଟି ପ୍ରକାଶକରି ଲେଖିଥିଲେ...‘‘ଓଡ଼ିଶାର ମୁକୁଟବିହୀନ ସମ୍ରାଟ ଆଉ ନାହାନ୍ତି ।’’

 

ଜୀବନରେ ଯେପରି ମରଣରେ ମଧ୍ୟ ସେହିପରି ମଧୁସୂଦନ ଯଥାର୍ଥରେ ଥିଲେ ଏକ ସମ୍ରାଟ !

 

ମଧୁସୂଦନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଓ ଦେଶର ସର୍ବବିଧ ମଙ୍ଗଳ ନିମନ୍ତେ ତାଙ୍କର ଅକ୍ଲାନ୍ତ ସାଧନା ବିଷୟରେ ବର୍ଣ୍ଣନାକରି, ଦେଶର ନାନାସ୍ଥାନରୁ ଅସଂଖ୍ୟ ଶୋକବାର୍ତ୍ତା ଆସିବାକୁ ଲାଗିଲା; କିନ୍ତୁ ଓଡ଼ିଶା ଡିଭିଜନର କମିଶନର ମି: ଇ. ଏସ୍. ହରନଲଙ୍କ ପାଖରୁ ଯେଉଁ ବାର୍ତ୍ତାଟି ଆସିଥିଲା, ସେଥିରେ ପରବର୍ତ୍ତୀ ବଂଶଧରମାନଙ୍କ ଅବଗତି ନିମନ୍ତେ ମଧୁସୂଦନଙ୍କ ଜୀବନର ଯଥାର୍ଥ ଆଲୋକପାତ କରାଯାଇଥିଲା । ମି: ହରନଲ୍ ଲେଖିଥିଲେ :

 

‘‘ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ଲାଗି ସେ ସାରା ଜୀବନ ଲାଗିପଡ଼ିଥିଲେ ଏବଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାହାହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟଥିଲା । ପିଘା ପର୍ବତର ଶିଖରଦେଶରେ ଠିଆ ହୋଇ ମସେସ୍ ଯେପରି ତାଙ୍କ ଶିଷ୍ୟବର୍ଗଙ୍କର ଭବିଷ୍ୟତର ବାସଭୂମି ସେହି ପର୍ବତର ପାଦଦେଶକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁ ଦେଖୁ ଏ ସଂସାରରୁ ବିଦାୟ ନେଇଥିଲେ, ମଧୁସୂଦନ ସେହିପରି ନୂତନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରାକ୍‍କାଳରେ ଏ ସଂସାରରୁ ବିଦାୟ ନେଇ ଚାଲିଗଲେ । ତେଣୁ ତାଙ୍କ ସମ୍ୱନ୍ଧରେ ଯଥାର୍ଥରେ କୁହାଯାଇପାରେ—

 

O grave, where is thy sting ?

O Death, where is thy victory ?

He is not dead, He layeth down

His sword and cross to take his crown ?

 

ସୂଚନା-ପଞ୍ଜି

(ଇଂରାଜୀ)

 

1.

କଟକ ଡିଷ୍ଟ୍ରିକ୍ଟ ଗେଜେଟିଅର—ଲେଖକ: ଓ: ଏସ୍: ମାଲି

2.

ଓଡ଼ିଶା ଇତିହାସ—ହଣ୍ଟର୍, ବୀମ୍ସ ଓ ଷ୍ଟର୍ଲିଂ ପ୍ରଣୀତ; ଡକ୍ଟର ଏନ୍. କେ. ସାହୁଙ୍କଦ୍ୱାରା ସଙ୍କଳିତ ।

3.

ଦି ଓରିଆ ମୁଭମେଣ୍ଟ—ଲେଖକ : ଟୁ. ବାଚେଲର୍ସ ।

4.

ଓରିଶା ଇନ୍ ଦି ମେକିଂ—ଲେଖକ: ବି. ସି. ମଜୁମଦାର୍ ।

5.

ମଧୁସୂଦନସ ଇମୋର୍ଟାଲ୍ ଓ୍ୱାର୍ଡ଼ସ୍—ସଙ୍କଳକ ଶ୍ରୀ ନବକିଶୋର ଦାସ (କଳାବିଜ୍ଞାନ ପରିଷଦ, କଟକ)

6.

ଲାଇଫ୍ ଅଫ୍ ମଧୁସୂଦନ ଆଜ୍ ସିନ୍ ବାଇ ମେନି ଆଇଜ୍—ଶୈଳବାଳା ଦାସଙ୍କ ଦ୍ୱାରା ସଙ୍କଳିତ ।

7.

ଆଶୁତୋଷ ମୁଖାର୍ଜି—ଏ ବାଇଓଗ୍ରାଫିକାଲ୍ ଷ୍ଟଡ଼ି । ଲେଖକ: ନରେନ୍ଦ୍ରକୃଷ୍ଣ ସିହ୍ନା ।

8.

ଇଣ୍ଡିଆନ୍ ଇନ୍‍ଷ୍ଟିଚ୍ୟୁସନଲ୍ ଡକୁମେଣ୍ଟସ (ଏ. ମୁଖାର୍ଜି—ଆଣ୍ଡ୍ କୋ, କଲିକତା), ଭଲ୍ୟୁମ୍ : 1, 2 ଓ 3 ।

9.

ମଡ଼ର୍ଣ୍ଣ ହିଷ୍ଟ୍ରି ଅଫ୍ ଦି ଇଣ୍ଡିଆନ୍ ଚିଫ୍ସ, ରାଜାଜ୍ ଆଣ୍ଡ୍ ଜମିଦାରସ୍—ଲେଖକ : ଲୋକନାଥ ଘୋଷ ।

10.

ଆଡ଼ମିନିଷ୍ଟ୍ରେସନ୍ ରିପୋର୍ଟ ଅଫ୍ ଦି ଓଡ଼ିଶା ଡିଭିଜନ, 1886 ।

11.

ଦି ହିଷ୍ଟ୍ରି ଅଫ୍ ଦି କଂଗ୍ରେସ—ଡଃ ବି. ପି. ସୀତାରାମାୟା ।

12.

ହିଷ୍ଟ୍ରି ଅଫ୍ ‘ଦି ଫ୍ରିଡ଼ମ୍ ମୁଭମେଣ୍ଟ ଇନ୍ ଓଡ଼ିଶା’— ଭଲ୍ୟୁମ୍ 1ରୁ ଭଲ୍ୟୁମ 4 ।

13.

ଇଣ୍ଡିଆ ଅଣ୍ଡର୍ କର୍ଜ୍ଜନ୍ ଆଣ୍ଡ୍ ଆଫ୍ଟର—ଲେଖକ : ଲୋଭାଟ, ଫ୍ରେସର୍ ।

14.

ମାଇଁ ଇଣ୍ଡିଆନ୍ ଇୟର୍ସ—ଲେଖକ : ହାର୍ଡ଼ିଞ୍ଜ ଅଫ୍ ପେନହର୍‍ଷଟ୍ ।

15.

ଓଲଡ଼୍ ଡିପ୍ଳୋମାସି—ଲେଖକ : ହାର୍ଡ଼ିଞ୍ଜ୍ ଅଫ୍ ପେନହର୍‍ଷଟ୍ ।

16.

ଅରବିନ୍ଦ ଆଣ୍ଡ ନିଉ ଥଟ—ଲେଖକ : ହରିଦାସ ଆଣ୍ଡ ଉମା ମୁଖାର୍ଜି ।

17.

ଏ ଉମାନ୍ ଆଟ୍‍ଲ—ଲେଖକ : ସୁଧାଂଶୁବାଳା ହାଜରା ।

18.

ଏ ଲୁକ୍ ବାକ୍ ଆଣ୍ଡ ଆଫ୍ଟର—ଲେଖକ : ଶୈଳବାଳା ଦାସ ।

19.

ନିଉ ସ୍ପିରିଟ ଇନ୍ ଇଣ୍ଡିଆ—ଲେଖକ : ଏଚ୍. ନାଭିନସନ୍ ।

20.

ମଣ୍ଟେଗୁ-ଚେମସଫୋର୍ଡ଼ ରିପୋର୍ଟ ଅନ୍ ଇଣ୍ଡିଆନ୍ କନ୍‍ଷ୍ଟିଚ୍ୟୁସନାଲ ରିଫର୍‍ମ୍ସ ।

21.

ରିପୋର୍ଟ ଅଫ୍ ଦି ଇଣ୍ଡିଆନ ଷ୍ଟାଚ୍ୟୁଟରୀ କମିଶନ ।

22.

ବେଙ୍ଗଲ ଲେଜିସଲେଟିଭ କାଉନସିଳ୍ ପ୍ରୋସିଡ଼ିଙ୍ଗ୍ସ (1896-1912) ।

23.

ପାର୍ଲିଆମେଣ୍ଟାରି ଡିବେଟ୍ସ; ହାଉସ ଅଫ୍ ଲର୍ଡ଼ସ—ଭଲ୍ୟୁମ (2) ନମ୍ୱର 4 ତାରିଖ 21 । 2 । 1912 ।

24.

ବିହାର-ଓଡ଼ିଶା ଲେଜିସଲେଟିଭ କାଉନସିଲର ପ୍ରୋସିଡ଼ିଙ୍ଗ ତା 20 । 1 । 1913

25.

ଏଜ୍ନ ତା 23 । 2 । 1923

26.

ଏଜ୍ନ ତା 26 । 1 । 1923

27.

ଏଜ୍ନ ତା 20 । 1 । 1913

28.

ଏଜ୍ନ ତା 21 । 2 । 1922

29.

ଏଜ୍ନ ତା 23 । 11 । 1921

30.

ଇମ୍ପେରିଆଲ କାଉନସିଲ୍ ଡିବେଟସ—1913, 1914 ଓ 1915

31.

ଇଲେକ୍ସନ ମାନିଫେଷ୍ଟୋ ଅଫ୍ ମଧୁସୂଦନ ଦାସ (1906)

32.

ଆଡ଼ମିନିଷ୍ଟ୍ରେସନ୍ ରିପୋର୍ଟ ଅଫ୍ ବିହାର ଆଣ୍ଡ୍ ଓଡ଼ିଶା, 1917-18

33.

ଅମୃତବଜାର ପତ୍ରିକା ସେଣ୍ଟେନାରି ନମ୍ୱର (1868-1968)

34.

ପ୍ରସ୍ପେକ୍ଟସ୍ ଅଫ୍ ଦି ଉତ୍କଳ ଟ୍ୟାନେରି ଲିମିଟେଡ଼୍ ।

35.

ରିପୋର୍ଟ ଅଫ୍ ଦି ଓଡ଼ିଶା କମିଟି ।

36.

ଦି ଓଡ଼ିଆ (ସାପ୍ତାହିକ ପତ୍ରିକା)—ସମ୍ପାଦକ ଶ୍ରୀ ଏମ. ଏସ୍. ଦାସ ।

37.

ମହାତ୍ମା—ଲେଖକ : ଟେଣ୍ଡୁଲକର ।

 

ଉପସଂହାର

(ଓଡ଼ିଆ)

 

1.

ଉତ୍କଳ ଦୀପିକା (1865—1934)

2.

ଆତ୍ମଚରିତ—ଫକୀରମୋହନ ସେନାପତି ।

3.

ମହାଯାତ୍ରୀ ମଧୁସୂଦନ—ଲେଖକ : ନବକିଶୋର ଦାସ ।

4.

ଉତ୍କଳ-ଗୌରବ ମଧୁସୂଦନ—ଲେଖକ : ନବକିଶୋର ଦାସ ।

5.

କୁଳବୃଦ୍ଧ ମଧୁସୂଦନ—ଲେଖକ : ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ।

6.

କର୍ମବୀର ଗୌରୀଶଙ୍କର—ଲେଖକ : ପଣ୍ଡିତ ମୃତ୍ୟୁଞ୍ଜୟ ରଥ ।

7.

ନୀଳଶୈଳ—ଲେଖକ : ଶ୍ରୀ ସୁରେନ୍ଦ୍ର ମହାନ୍ତି ।

8.

ଶତାବ୍ଦୀର ସୂର୍ଯ୍ୟ—ଲେଖକ : ସୁରେନ୍ଦ୍ର ମହାନ୍ତି ।

 

ପରିଶିଷ୍ଟ

 

ମଧୁସୂଦନଙ୍କ ଇସ୍ତଫାଦାନ ବିଷୟରେ ବିହାର-ଓଡ଼ିଶା ଗଭର୍ଣ୍ଣର ଏଚ. ହୁଇଲର ମଧୁସୂଦନ ଦାସଙ୍କ ମଧ୍ୟରେ ପତ୍ର ବିନିମୟ ।

 

ମି. ଏମ୍. ଏସ୍. ଦାସଙ୍କଠାରୁ ଏଚ୍. ହୁଇଲରଙ୍କ ପାଖକୁ ପତ୍ର

 

ପାଟନା, ମାର୍ଚ୍ଚ 8 ତାରିଖ, 1923 ମସିହା

 

ଇଓର୍ ଏକ୍ସଲେନ୍ସୀ,

 

ମୋର ବିଶ୍ୱାସ ବିହାର-ଓଡ଼ିଶା ଆସେମ୍ବ୍ଲିରେ ମନ୍ତ୍ରୀମାନଙ୍କ ଦରମା ବିଷୟରେ ଯେଉଁ ଆଲୋଚନା ଚାଲିଥିଲା, ତାହାର ଫଳାଫଳ ବିଷୟରେ ଆପଣ ସମ୍ପୂର୍ଣ୍ଣ ସମ୍ୱାଦ ପାଇସାରିବେଣି ଓ ସେ ସମ୍ପର୍କରେ ମୁଁ ଯେଉଁ ବକ୍ତୃତା ଦେଇଥିଲି ତାହାର ନକଲ ମଧ୍ୟ ଏହା ମଧ୍ୟରେ ଆପଣଙ୍କ ପାକରେ ଉପସ୍ଥାପିତ କରାଯାଇସାରିବଣି ।

 

ବର୍ତ୍ତମାନ ମନ୍ତ୍ରୀମାନେ ଯେଉଁ ହାରରେ ଦରମା ପାଉଛନ୍ତି, ତାହାଠାରୁ ଊଣା ଦରମା ଗ୍ରହଣ କରିବା ପ୍ରସ୍ତାବରେ ମୁଁ ବାଧ୍ୟହୋଇ ସମ୍ମତି ପ୍ରକାଶ କରିଥିଲି । କାରଣ ମୋର ସହକର୍ମୀ ମନ୍ତ୍ରୀ ମହୋଦୟ ମଧ୍ୟ ସେହି ପ୍ରସ୍ତାବଟିକୁ ଗ୍ରହଣ କରିନେବାକୁ ତାଙ୍କର ସମ୍ମତି ପ୍ରକାଶ କରିଥିଲେ ଏବଂ ମୁଁ ଯଦି ତାଙ୍କ ପ୍ରସ୍ତାବରେ ରାଜି ହୋଇନଥାନ୍ତି ତେବେ ମୁଁ ସେ ବିଷୟରେ ଜାଣିଶୁଣି ଅସୁବିଧା ସୃଷ୍ଟି କରୁଛି ବୋଲି ସେ ମନେକରିଥାନ୍ତେ । ତେଣୁ ତାଙ୍କ ପ୍ରସ୍ତାବଟି ଗୃହୀତ ହୋଇଯିବାରେ ସାହାଯ୍ୟ କରିବାଲାଗି ସେ ପ୍ରସ୍ତାବ ପ୍ରତି ମୁଁ ଜାଣିଶୁଣି ସମର୍ଥନ ଜ୍ଞାପନ କରିଥିଲି । ଯାହାହେଉ ମୋର ସହକର୍ମୀ ମନ୍ତ୍ରୀ ମହାଶୟଙ୍କ ଅବସ୍ଥା ବର୍ତ୍ତମାନ ପୂରାପୂରି ନିଶ୍ଚିତ ଓ ନିରାପଦ ହୋଇ ଯାଇଥିବା ଦୃଷ୍ଟିରୁ ମୁଁ ବିନୟର ସହିତ ସ୍ଥାନୀୟ ସ୍ୱାୟତ୍ତଶାସନ-ବିଭାଗ ମନ୍ତ୍ରିପଦରୁ ଇସ୍ତଫାଦେବାକୁ ଚାହୁଁଛି । ମୁଁ ଏହା ପୂର୍ବରୁ ଜଣାଇଥିଲି ଯେ ଏହି ମନ୍ତ୍ରିପଦଟି ସମ୍ପୂର୍ଣ୍ଣ ଅବୈତନିକ ହେବା ଉଚିତ । ବର୍ତ୍ତମାନ ମଧ୍ୟ ମୋର ସେହି ପୂର୍ବ ମତ ଅପରିବର୍ତ୍ତିତ ରହିଅଛି; ମାତ୍ର ମୋର ଏହି ପ୍ରସ୍ତାବଟିକୁ ଆପଣ ଅଗ୍ରାହ୍ୟ କରିଦେଇଥିବା ହେତୁ ମୁଁ ମୋର ଦାୟିତ୍ୱରୁ ଅବ୍ୟାହତି ନେବାକୁ ବାଧ୍ୟହେଉଛି ।

 

ଆପଣ ଏ ଦିଗରେ ଆବଶ୍ୟକୀୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାମାତ୍ରେ ଦୟାକରି ମତେ ମୋର ଦାୟିତ୍ୱରୁ ଅବ୍ୟାହତି ଦେବାକୁ ମୁଁ ଅନୁରୋଧ କରୁଅଛି; କିନ୍ତୁ ବିକଳ୍ପବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ମୁଁ ଅବଶ୍ୟ ବର୍ତ୍ତମାନ ପାଇଁ ମୋର ଦାୟିତ୍ୱରେ ରହି କାର୍ଯ୍ୟ କରିବା ନିମନ୍ତେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଅଛି ।

 

ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ସହିତ ଏ ବିଷୟରେ ଏକମତ ହୋଇ ନ ପାରିଥିଲେ ମଧ୍ୟ, ଆପଣ ଯେପରି ଧୈର୍ଯ୍ୟର ସହିତ ମୋର ମତାମତକୁ ଶୁଣିଲେ, ସେଥିପାଇଁ ମୁଁ ଆପଣଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି । ଈଶ୍ୱର ଆପଣଙ୍କୁ ଯେଉଁ ରାଜ୍ୟର ଶାସକ କରିଅଛନ୍ତି, ସେହି ରାଜ୍ୟର ଯେ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ମୋର ସେବା ଯେତେବେଳେ ଆପଣ ଦରକାର କରିବେ, ସେତେବେଳେ ତାହା ଆପଣ ଅକ୍ଳେଶରେ ପାଇପାରିବେ ।

 

ଆପଣଙ୍କର ଆଜ୍ଞାଧୀନ,

ସ୍ୱା ଏମ୍. ଏସ୍. ଦାସ

 

ଗଭର୍ଣ୍ଣର୍ ଏଚ୍. ହୁଇଲର୍‍ଙ୍କଠାରୁ ଏମ୍. ଏସ୍. ଦାସଙ୍କ ପାଖକୁ ପତ୍ର

 

ମାର୍ଚ୍ଚ, 9 ତାରିଖ 1923 ମସିହା ।

 

ପ୍ରିୟ ମି: ଦାସ,

 

ଆପଣ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦରୁ ଇସ୍ତଫା ଦେବା ବିଷୟ ଉଲ୍ଲେଖକରି ଗତକାଲି ମତେ ଯେଉଁ ପତ୍ରଖଣ୍ଡି ଲେଖିଥିଲେ, ଦୁଃଖର ସହିତ ମୁଁ ସେ ପତ୍ରଟିର ପ୍ରାପ୍ତି ସ୍ୱୀକାର କରୁଅଛି । ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କର ସେହି ଇସ୍ତଫା ପତ୍ରଟିକୁ ଗ୍ରହଣ କରିନେବା ଛଡ଼ା ମୋ ପକ୍ଷରେ ଅନ୍ୟ କୌଣସି ଉପାୟ ମୁଁ ଦେଖିପାରୁନାହିଁ ।

 

ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦଟି ଅବୈତନିକ ହେବା ଉଚିତ ବୋଲି ମତାମତ ପୋଷଣ କରୁଥିବା ବିଷୟ ଉଲ୍ଲେଖକରି ଆପଣ ଲେଖିଛନ୍ତି ଯେ, ଗଭର୍ଣ୍ଣର ହିସାବରେ ମୁଁ ଆପଣଙ୍କ ପ୍ରସ୍ତାବଟି ଅଗ୍ରାହ୍ୟ କରିଦେଇଥିବା କାରଣରୁ ଆପଣ ଆଉ ଅଧିକ କାଳ ସେ ଦାୟିତ୍ୱରେ ରହିବାକୁ ଇଚ୍ଛା କରୁନାହାନ୍ତି ।

 

କିନ୍ତୁ ଆପଣ ନିଶ୍ଚୟ ମୋ ସହିତ ଏକମତ ହେବେ ଯେ, ଚଳିତ ମାସ 7-8 ତାରିଖରେ ଆପଣ ମୋ ପାଖକୁ ଯେଉଁ ପତ୍ରଖଣ୍ଡି ଲେଖିଛନ୍ତି, ସେହିଖଣ୍ଡିକ ହେଉଛି ଏ ବିଷୟରେ ଆପଣଙ୍କର ମୋ ପାଖକୁ ଏକମାତ୍ର ପତ୍ର ଏବଂ ସେହି ପତ୍ରଖଣ୍ଡିକରେ ଆପଣ ପ୍ରକୃତରେ ଯାହା ଉଲ୍ଲେଖ କରିଥିଲେ, ତାହା ହେଲା ଯେ, ଆପଣଙ୍କୁ ଯଦି ଓକିଲାତି କରି ଜୀବିକାର୍ଜନ କରିବାକୁ ଅନୁମତି ଦିଆଯାଏ, ତାହାହେଲେ ଆପଣ ଅବୈତନିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ।

 

ଏ ବିଷୟରେ ଦେଶର ଜନସାଧାରଣଙ୍କୁ ସମସ୍ତ ବିଷୟ ପରିଷ୍କାର ଭାବରେ ଜଣାଇ ଦିଆଯିବା ଉଚିତ ବୋଲି ମୁଁ ଭାବୁଛି । ତେଣୁ ଆପଣଙ୍କ ଇସ୍ତଫାଦାନ ସମ୍ୱାଦଟି ମୁଁ ଲେଜିସଲେଟିଭ ଆସେମ୍ବ୍ଲିକୁ ଜଣାଇଦେବା ସଙ୍ଗେ ସଙ୍ଗେ, ସେହି ସଂକ୍ରାନ୍ତରେ ଆପଣଙ୍କର ପତ୍ରଟିକୁ ମଧ୍ୟ ମୁଁ ସେଠାକୁ ପଠାଇ ଦେଉଅଛି । ମୁଁ ଆଶା କରୁଛି, ଆପଣ ନିଶ୍ଚୟ ଏଥିରେ ଆପତ୍ତି କରିବେ ନାହିଁ ଏବଂ ମୁଁ ଯାହା କରିଛି, ତାକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରିବେ ।

 

ମନ୍ତ୍ରୀ ହିସାବରେ ଆପଣ ଯେପରି ଆପଣଙ୍କର ବହୁମୂଲ୍ୟ ସମୟ ଓ ଶକ୍ତି ଦେଇ କାର୍ଯ୍ୟ କରିଯାଇଅଛନ୍ତି ଓ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ବେସରକାରୀ ବ୍ୟକ୍ତି ହିସାବରେ ଆପଣଙ୍କର ପୂର୍ଣ୍ଣ ସହଯୋଗ ଆମ୍ଭମାନଙ୍କୁ ମିଳିପାରିବ ବୋଲି ଆପଣ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ସେଥିଲାଗି ମୋର ଆନ୍ତରିକ ଧନ୍ୟବାଦ ଗ୍ରହଣ କରିବେ ।

 

ଆପଣଙ୍କର ବିଶ୍ୱସ୍ତ,

ସ୍ୱା: ଏଚ୍. ହୁଇଲର୍

 

ଏ ସମ୍ପର୍କରେ ଗଭର୍ଣ୍ଣରଙ୍କ ବକ୍ତୃତା

 

କାଉନ୍ସିଲର ମାନ୍ୟବର ସଭ୍ୟ ମହୋଦୟଗଣଙ୍କ ମନରେ ଓ ଦେଶବାସୀଙ୍କ ମନରେ ଯେପରି କୌଣସି ପ୍ରକାର ସନ୍ଦେହ ନ ରହେ, ସେଥିପାଇଁ ଏ ସମ୍ପର୍କରେ ଅନରେବଲ୍ ମି: ଦାସଙ୍କର ମୋ ସହିତ ଯେଉଁ ପତ୍ରର ଆଦାନପ୍ରଦାନ ହୋଇଥିଲା, ତାହା କାଉନ୍ସିଲକୁ ପୂରାପୂରି ଜଣାଇଦେବା ଉଚିତ ହେବ ବୋଲି ମୁଁ ବିଚାରୁଛି । ଏଥିରେ ମି: ଦାସଙ୍କର ମଧ୍ୟ ଆପତ୍ତି ନାହିଁ ବୋଲି ସେ ମତେ ଜଣେଇ ଦେଇଛନ୍ତି । ପୁଣି ଗତକାଲି କାଉନସିଲରେ ବକ୍ତୃତା ପ୍ରସଙ୍ଗରେ ମି: ଦାସ ଯାହା ପ୍ରକାଶ କରିଛନ୍ତି, ସେ ଦୃଷ୍ଟିରୁ ସମ୍ପୃକ୍ତ ବିଷୟଟି ସମ୍ୱନ୍ଧରେ ସମସ୍ତଙ୍କୁ ଖୋଲାଖୋଲି ଜଣେଇଦେବା ଦରକାର । ଗତକାଲି ମି: ଦାସ ଭାଷଣ ପ୍ରସଙ୍ଗରେ କହିଥିଲେ :

 

‘‘ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦକୁ ଅବୈତନିକ କରିବା ଲାଗି ମାନ୍ୟବର ସଭ୍ୟ ମହାଶୟ କାଉନ୍ସିଲରେ ଯେଉଁ ପ୍ରସ୍ତାବଟି ଆଗତ କରିଥିଲେ, ସେ ବିଷୟରେ କଣ କେତେଦୂର ହେଲା ସେ ବିଷୟ ଜାଣିବାକୁ ସେ ଚାହିଁଥିଲେ । ମାତ୍ର ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ପ୍ରଥମେ ସ୍ୱାୟତ୍ତଶାସନ ମନ୍ତ୍ରିପଦକୁ ଅବୈତନିକ ପରିବର୍ତ୍ତେ ବୈତନିକ କରିବା ନିମନ୍ତେ ବ୍ୟବସ୍ଥା କରିବା ଦରକାର । କାଉନ୍ସିଲର ମାନ୍ୟବର ନେତା ମହାଶୟ ମନ୍ତ୍ରୀ ନିଯୁକ୍ତି ସମ୍ୱନ୍ଧୀୟ ନିୟମାବଳୀର 52 ନମ୍ୱର ଧାରାଟି କାଉନ୍ସିଲ ଗୃହରେ ପଢ଼ି ଶୁଣାଇ ଦେଇଥିଲେ । ଏହି ସଂପୃକ୍ତ ଧାରାରେ ମନ୍ତ୍ରୀନିଯୁକ୍ତି ବ୍ୟାପାରରେ ଗଭର୍ଣ୍ଣରଙ୍କୁ ପୂର୍ଣ୍ଣ କର୍ତ୍ତୃତ୍ୱ ଦିଆଯାଇଅଛି ଏବଂ ମନ୍ତ୍ରୀମାନଙ୍କର ଦରମା ମଧ୍ୟ ସେହି ଧାରାରେ ନିର୍ଦ୍ଦିଷ୍ଟ କରିଦିଆଯାଇଅଛି । ସେହି ଧାରାଟିକୁ ପାଠକଲେ, ଯେକୌଣସି ବ୍ୟକ୍ତି ଅକ୍ଳେଶରେ ଜାଣିପାରିବେ ଯେ ଅବୈତନିକ ମନ୍ତ୍ରୀ ଗ୍ରହଣ କରିବା, ନ କରିବା ପୂରାପୂରି ଗଭର୍ଣ୍ଣରଙ୍କ ଇଚ୍ଛା ଅନିଚ୍ଛା ଉପରେ ନିର୍ଭର କରେ । ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦକୁ ଅବୈତନିକ କରିବା ଲାଗି ମୁଁ ପୂର୍ବରୁ ଯେଉଁସବୁ କାରଣ ଉପସ୍ଥାପନ କରିଅଛି ଏବଂ ସେ ବିଷୟରେ ଅନ୍ୟାନ୍ୟ ଯାହା ଯାହା ପରାମର୍ଶ ଦେଇଅଛି, ତାହାକୁ ଯଦି ଗଭର୍ଣ୍ଣର ମହୋଦୟ ଗ୍ରହଣ ନ କରନ୍ତି ତେବେ ଏ ଦିଗରେ ମୁଁ ଆଉ ଆଗେଇବା ବା ଏ ବିଷୟରେ ଗୋଟିଏ ବିଧିବଦ୍ଧ ବିଲ୍ ଉପସ୍ଥାପିତ କରିବା ଆଦୌ ସମ୍ଭବପର ନୁହେଁ । କାରଣ ଗଭର୍ଣ୍ଣର ମହୋଦୟଙ୍କଠାରୁ ସମର୍ଥନ ଓ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଏ କାଉନ୍ସିଲରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଏଠାରେ କୌଣସି ବିଧିବଦ୍ଧ ବିଲ୍ ଉପସ୍ଥାପିତ କରିବା ସମ୍ଭବ ନୁହେଁ । ଏ ବିଷୟରେ ମୋ ପକ୍ଷରୁ ଯାହା ଯେତେଦୂର କରିବା ସମ୍ଭବ ମୁଁ ତାହା କରିଛି କି ନାହିଁ, ମୁଁ ପ୍ରକୃତରେ ଅବୈତନିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶକରି ସେଥିଲାଗି ସ୍ୱୀକୃତି ଦେଇଥିଲି କି ନାହିଁ, ସେ ବିଷୟରେ ଯେଉଁମାନଙ୍କ ମନରେ ତଥାପି ସନ୍ଦେହ ଅଛି ଓ ସେଥିଲାଗି ଯେଉଁମାନେ ମୋର କୁତ୍ସା ପ୍ରଚାର କରୁଅଛନ୍ତି, ସେମାନଙ୍କୁ ମୁଁ ଆହ୍ୱାନ କରୁଅଛି । ସେମାନେ ଏ ବିଷୟରେ ସିଧାସଳଖ ଗଭର୍ଣ୍ଣର ମହୋଦୟଙ୍କ ସହିତ ସାକ୍ଷାତକରି ସତ୍ୟାସତ୍ୟ ଅନୁସନ୍ଧାନ କରନ୍ତୁ; ନତୁବା ଖୋଦ୍ ବଡ଼ଲାଟ ମହୋଦୟଙ୍କଠାରୁ ଏ ବିଷୟ ବୁଝନ୍ତୁ । ଗଭର୍ଣ୍ଣର ମହୋଦୟଙ୍କ ସହିତ ମୋର ଏ ବିଷୟରେ ଯେଉଁ ସବୁ ପତ୍ରାଳାପ ହୋଇଅଛି, ସେ ସବୁ ମୁଁ ଗୁପ୍ତ ରଖିବାକୁ ବାଧ୍ୟ । କିନ୍ତୁ ମୋର କଥା ଆଉ କାମରେ ଯେଉଁ ମାନ୍ୟବର ସଭ୍ୟ ତିନିଜଣ ସନ୍ଦେହ ପ୍ରକାଶ କରି ମୋର ନିନ୍ଦା କରୁଅଛନ୍ତି, ସେମାନେ ସମସ୍ତେ ବିଶିଷ୍ଟ ଆଇନଜୀବୀ ହୋଇଥିବା ଦୃଷ୍ଟିରୁ ଇଚ୍ଛାକଲେ ସେମାନେ ମୋ’ଠାରୁ ଓକିଲାତିନାମା ଗ୍ରହଣ କରି ବରଂ ନିଜେ ଯାଇ ମୋର ଓକିଲ ହିସାବରେ ମୋ ପ୍ରସ୍ତାବର ଯଥାର୍ଥତା ବିଷୟରେ ମାନ୍ୟବର ଗଭର୍ଣ୍ଣର ମହୋଦୟଙ୍କ ସହିତ ଆଲୋଚନା କରିପାରନ୍ତି । ଏଥିରେ ବି ସେମାନଙ୍କୁ ଆହୁରି ଗୋଟାଏ ଉପୁରି ସୁବିଧା ମିଳିଯାଇ ପାରିବ । କାରଣ ମୁଁ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦରୁ ଯଥାଶୀଘ୍ର ବିଦାୟ ନେଇଯାଏ ବୋଲି ଯଦି ସେମାନେ ଇଚ୍ଛାକରୁଥାନ୍ତି, ତାହାହେଲେ ସେମାନେ ମୋ ସ୍ଥାନରେ ଅନ୍ୟ କାହାକୁ ମନ୍ତ୍ରିପଦରେ ଗ୍ରହଣ କରିବେ, ସେ ବିଷୟଟି ମଧ୍ୟ ଗଭର୍ଣ୍ଣର ମହୋଦୟଙ୍କ ସହିତ ଆଲୋଚନା କାଳରେ ସେମାନେ ସ୍ଥିର କରିନେଇ ପାରିବେ । ଏ ବିଷୟରେ ମୁଁ ସମସ୍ତଙ୍କୁ ଏବଂ ବିଶେଷତଃ ମୋର ନିନ୍ଦାରଟନାକାରୀମାନଙ୍କୁ ପରିଷ୍କାର ଭାବରେ ଜଣାଇଦେବାକୁ ଚାହେଁ ଯେ, ମୁଁ ଯଥାଶୀଘ୍ର ମୋର ଉପସ୍ଥିତ ଦାୟିତ୍ୱରୁ ରକ୍ଷାପାଇବାକୁ ଚାହୁଁଥିଲେ ମଧ୍ୟ, ମୁଁ ସେ ବିଷୟରେ ଆଇନ ଲଙ୍ଘନ କରିବାକୁ ଚାହୁଁନାହିଁ । କାରଣ ଆଇନର ନିର୍ଦ୍ଦେଶ ଅନୁଯାୟୀ ମୁଁ ମନ୍ତ୍ରୀ ହିସାବରେ ସବୁବେଳେ ଗଭର୍ଣ୍ଣର ମହୋଦୟଙ୍କ ପ୍ରତି ବିଶ୍ୱସ୍ତ ରହିବାକୁ ବାଧ୍ୟ ଏବଂ ସେ ଯେତେଦିନ ପର୍ଯ୍ୟନ୍ତ ମତେ ମନ୍ତ୍ରିମଣ୍ଡଳରୁ ବିଦାୟ ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ମୁଁ ମନ୍ତ୍ରୀ ହିସାବରେ ମୋର ଦାୟିତ୍ୱ ପାଳନ କରିବାକୁ ବାଧ୍ୟ । ଏହି ଆଇନଗତ ବିଧିନିଷେଧ ହେତୁ ମୋର ସମସ୍ତ ଆଗ୍ରହ ସତ୍ତ୍ୱେ ମୁଁ ମନ୍ତ୍ରିମଣ୍ଡଳରୁ ସ୍ୱଇଚ୍ଛାରେ ବିଦାୟ ନଇେ ଚାଲିଯାଇ ପାରୁନାହିଁ ।’’

 

ମାନ୍ୟବର ମି: ଦାସଙ୍କର ଏହି ବକ୍ତୃତାରୁ ମୁଁ ବୁଝୁଛି ଯେ, ତାଙ୍କର କହିବା କଥା ହେଲା, ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦକୁ ସେ ଅବୈନିକ କରିବାକୁ ପ୍ରସ୍ତାବ ଦେଇଥିଲେ ଓ ମୁଁ ତାଙ୍କର ସେ ପ୍ରସ୍ତାବକୁ ଗ୍ରହଣ କଲିନାହିଁ ।

 

ଏହା ପୂର୍ବରୁ ମି: ଦାସ 1922 ମସିହା ଫେବୃଆରୀ ମାସ 21 ତାରିଖରେ ଏହି କାଉନ୍ସିଲ କକ୍ଷରେ ଏ ବିଷୟରେ ଯେଉଁ ବକ୍ତୃତା ଦେଇଥିଲେ, ତାହା ଏ ଦିଗରେ ଯଥେଷ୍ଟ ଆଲୋକପାତ କରିବ ବୋଲି ମୋର ବିଶ୍ୱାସ । ସେହି ବକ୍ତୃତାରେ ସେ କହିଥିଲେ :

 

‘‘ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ଅଧୀନରେ ଡିଷ୍ଟ୍ରିକ୍ଟବୋର୍ଡ଼ଠାରୁ ଆରମ୍ଭ କରି ଲୋକାଲ୍ ବୋର୍ଡ଼ ପର୍ଯ୍ୟନ୍ତ ଯେତେ ଯେତେ ଅନୁଷ୍ଠାନ ଅଛି, ସେ ସବୁଗୁଡ଼ିକର କର୍ମକର୍ତ୍ତାଗଣ ଅବୈତନିକ ଭାବରେ କାର୍ଯ୍ୟ କରୁଥିବା ଦୃଷ୍ଟିରୁ, ସଂପୃକ୍ତ ବିଭାଗର ମନ୍ତ୍ରୀ ତାଙ୍କର କାର୍ଯ୍ୟ ଲାଗି ଦରମା ଗ୍ରହଣ କରିବା ନିତାନ୍ତ ଅସୁନ୍ଦର ଓ ଅସମୀଚୀନ ବୋଧ କରୁଛନ୍ତି । ଏହାଦ୍ୱାରା ବିଭାଗୀୟ ସୌସାଦୃଶ୍ୟ ଓ ସମତାରକ୍ଷା ସମ୍ଭବପର ହୋଇପାରୁନାହିଁ । ତେଣୁ ମୋର ମତ ହେଉଛି, ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରିପଦ ସମ୍ପୂର୍ଣ୍ଣ ଅବୈତନିକ ହେବା ଏକାନ୍ତ ପ୍ରୟୋଜନ.....। ମାତ୍ର ଏହି ପଦଟିକୁ ଆବୈତନିକ କରିବାକୁ ହେଲେ ବର୍ତ୍ତମାନର ପ୍ରଚଳିତ ଆଇନକାନୁନକୁ ବହୁତ ଅଦଳବଦଳ କରିବାକୁ ହେବ । ସେଥିଲାଗି ଆଇନକାନୁନ ବଦଳେଇବା ଲାଗି ଚେଷ୍ଟା ନ କରି, ମୁଁ ଭାବୁଛି ଯେ ମୋ ବିଭାଗରେ ଆଉ ଜଣେ ବା ଦୁଇଜଣ ଅଧିକା ଅଫିସରଙ୍କୁ ନିଯୁକ୍ତି ଦେବାଲାଗି ମୁଁ ମାନ୍ୟବର ଗଭର୍ଣ୍ଣର ମହୋଦୟଙ୍କର ଅନୁମତି ଲୋଡ଼ିବି ଏବଂ ଏହି ଅଧିକା ଯେଉଁ କର୍ମଚାରୀ ଜଣେ ବା ଦୁଇଜଣ ନିଯୁକ୍ତି ପାଇବେ, ସେମାନଙ୍କର ବେତନ ମଧ୍ୟ ମୁଁ ନିଜେ ବହନ କରିବି । ମୁଁ ଆଶା କରୁଛି, ଭଗବାନ ଯଦି ସହାୟ ହୁଅନ୍ତି, ତେବେ ଆସନ୍ତା ବର୍ଷ ବଜେଟ୍ ଉପସ୍ଥାପିତ ହେବା ସମୟରେ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗୀୟ ମନ୍ତ୍ରିପଦକୁ ଅବୈତନିକ କରିବା ସମ୍ପର୍କରେ ଗୋଟିଏ ବିଲ୍ ମୁଁ ଉପସ୍ଥାପିତ କରିପାରିବି ।’’

 

ଏ ବିଷୟରେ ମୋର କହିବାର କଥା, ମୁଁ ମାତ୍ର 1922 ମସିହା ଅପ୍ରେଲ 12 ତାରିଖଠାରୁ ଏହି ପ୍ରଦେଶର ଗଭର୍ଣ୍ଣର ହୋଇ ଆସିଅଛି । ମି: ଦାସ ତାଙ୍କ ବିଭାଗୀୟ ମନ୍ତ୍ରିପଦଟିକୁ ଅବୈତନିକ କରିବାକୁ ଚାହୁଥିବା ବିଷୟ ମୁଁ ପ୍ରଥମ ଥର ପାଇଁ କେବଳ ମାତ୍ର ତାଙ୍କର 1923 ମସିହା ଫେବୃଆରୀ 7-8 ତାରିଖ ପତ୍ରରୁ ହିଁ ଜାଣିବାକୁ ପାଇଥିଲି । ତାଙ୍କର ସେ ପତ୍ରଟି ହେଲା :

 

ପାଟନା, ତା 7-8 ଫେବୃଆରୀ, 1923

 

ଇଓର୍ ଏକ୍ସଲେନ୍ସୀ,

 

ଆପଣଙ୍କର ଅବଗତି ନିମନ୍ତେ ଓ ଆପଣଙ୍କଠାରୁ ସୁବିଚାର ପ୍ରାପ୍ତି ଆଶାରେ ମୁଁ ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛି ।

 

ବର୍ତ୍ତମାନ ଯେଉଁସବୁ ସ୍ଥାନୀୟ ସଂସ୍ଥା ଗଠିତ ହେବାକୁ ଯାଉଅଛି, ସେସବୁ ଅନୁଷ୍ଠାନର କାର୍ଯ୍ୟକାରିତା ଉପରେ ଶାସନ ସଂସ୍କାରର ସଫଳତା ପୂରାପୂରି ନିର୍ଭର କରୁଅଛି । ରାସ୍ତାଘାଟ ସଫେଇ, ଗ୍ରାମାଞ୍ଚଳ ଲୋକମାନଙ୍କର ଚିକିତ୍ସା, ଗମନାଗମନ ଓ ରାସ୍ତାଘାଟର ବ୍ୟବସ୍ଥା, ପ୍ରାଥମିକ ଶିକ୍ଷା ପରିଚାଳନା ଆଦି ଦାୟିତ୍ୱ ଏହି ନୂତନ ବ୍ୟବସ୍ଥାରେ, ଡିଷ୍ଟ୍ରିକ୍‍ବୋର୍ଡ଼ ଓ ଲୋକାଲବୋର୍ଡ଼ ଉପରେ ନ୍ୟସ୍ତ କରାଯାଇଅଛି । ବର୍ତ୍ତମାନ କାଉନ୍ସିଲରେ ଯେଉଁ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା ସମ୍ପର୍କୀୟ ବିଧାନ ଉପସ୍ଥାପିତ କରାଯାଇଅଛି, ସେହି ବିଧାନ ଅନୁଯାୟୀ ଗ୍ରାମାଞ୍ଚଳ ଗୁଡ଼ିକର ଶାସନ ଦାୟିତ୍ୱ ବର୍ତ୍ତମାନ ପୂରାପୂରି ଜିଲ୍ଲାବୋର୍ଡ଼ ହାତକୁ ଚାଲିଯିବ । ଜିଲ୍ଲାବୋର୍ଡ଼ ଓ ଲୋକାଲବୋର୍ଡ଼ ଆଦି ସାଧାରଣ ସଂସ୍ଥାଗୁଡ଼ିକୁ ସୁଚାରୁରୂପେ ପରିଚାଳିତ କରିବାଲାଗି ଲୋକମାନଙ୍କ ମଧ୍ୟରେ ଦାୟିତ୍ୱଜ୍ଞାନର ଆବଶ୍ୟକୀୟ ବିକାଶ ଘଟିନାହିଁ । ଏହିସବୁ ସଂସ୍ଥାରେ ଯେଉଁମାନେ ସଭ୍ୟ ଭାବରେ ଯୋଗଦେବେ, ସେମାନଙ୍କର କୌଣସି ପ୍ରକାର ଅର୍ଥ ପ୍ରାପ୍ତିର ବ୍ୟବସ୍ଥା ନ ଥିବା ଦୃଷ୍ଟିରୁ, ସେମାନଙ୍କର ସହଯୋଗ ଓ ସେବାକୁ କେବଳ ମାତ୍ର ମହାମାନ୍ୟ ଇଂରେଜ ସମ୍ରାଟ ଓ ନିଜ ମାତୃଭୂମି ପ୍ରତି ସେମାନଙ୍କର ସ୍ୱେଚ୍ଛାକୃତ କର୍ତ୍ତବ୍ୟ ବୋଲି ମନେକରିବାକୁ ହେବ । ନୂତନ ବିଧାନ ଅନୁଯାୟୀ ଏହି ସବୁ ସ୍ଥାନୀୟ ଶାସନ ସଂସ୍ଥାଗୁଡ଼ିକ ଯେତେବେଳେ ଗଠିତ ହେବ, ସେତେବେଳେ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରୀମାନଙ୍କୁ ବରାବର ଏହିସବୁ ସଂସ୍ଥାଗୁଡ଼ିକ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ ଓ ସେମାନଙ୍କୁ ବରାବର ସେମାନଙ୍କର କାର୍ଯ୍ୟଧାରା ବିଷୟରେ ବତେଇବାକୁ ପଡ଼ିବ ଓ ପରାମର୍ଶ ଦେବାକୁ ପଡ଼ିବ । ତେଣୁ ସାରା ପ୍ରଦେଶରେ ଗଠିତ ହେବାକୁ ଯାଉଥିବା ବିଭିନ୍ନ ଜିଲ୍ଲାବୋର୍ଡ଼ ଓ ଲୋକାଲବୋର୍ଡ଼ ଗୁଡ଼ିକର ଅବୈତନିକ କର୍ମଚାରୀଗଣଙ୍କୁ ସେମାନଙ୍କର କର୍ମୋଦ୍ୟମରେ ଯଥାର୍ଥ ଭାବରେ ଅନୁପ୍ରାଣିତ କରିବାକୁ ହେଲେ, ସ୍ୱାୟତ୍ତଶାସନ ବିଭାଗୀୟ ମନ୍ତ୍ରିପଦ ମଧ୍ୟ ସମ୍ପୂର୍ଣ୍ଣ ଅବୈତନିକ ହେବା ଉଚିତ । ହଜାର ହଜାର ଅବୈତନିକ କର୍ମୀଙ୍କ ଉପରେ ଜଣେ ବେତନଭୋଗୀ ମନ୍ତ୍ରୀ ରହବା ଗୋଟାଏ ବିସଦୃଶ ଘଟଣା । ଏପରିସ୍ଥଳେ ମନ୍ତ୍ରୀ କେବେହେଲେ ବିଭାଗୀୟ ଅବୈତନିକ କର୍ମୀମାନଙ୍କର ସମ୍ମାନର ପାତ୍ର ହୋଇପାରିବେ ନାହିଁ, କି ରାଜ୍ୟର ଅଧିବାସୀମାନଙ୍କର ପ୍ରାଣରେ ସେ କେବେହେଲେ ଦେଶାତ୍ମବୋଧ ଓ ଅନ୍ୟାନ୍ୟ ମହତ୍ତର ଭାବଧାରା ସୃଷ୍ଟି କରିପାରିବେ ନାହିଁ; ବରଂ ଏ ପ୍ରକାର ଚେଷ୍ଟାକଲେ ସେ ନିଜେ ଉପହାସର ପାତ୍ର ହେବେ ।

 

ଭାରତରେ ଲୋକମାନଙ୍କର ସାହାଯ୍ୟ ସମର୍ଥନ ପାଇବାକୁ ହେଲେ, ନିଜର ବ୍ୟକ୍ତିଗତ ପ୍ରଭାବ ପ୍ରତିପତ୍ତି ଓ ପ୍ରତିଷ୍ଠା ଥିବା ଦରକାର । ଯେଉଁମାନେ ନିଜେ କରୁଥିବା କାମ ଲାଗି କୌଣସି ଆର୍ଥିକ ପ୍ରତିଦାନ ଗ୍ରହଣ ନ କରନ୍ତି, ସେମାନେ ଅକ୍ଳେଶରେ ସମାଜରେ ପ୍ରତିଷ୍ଠାଲାଭ କରିଥାନ୍ତି । କୌଣସି ପ୍ରତିଦାନର ଆଶା ନରଖି ସର୍ବସାଧାରଣ କାର୍ଯ୍ୟରେ ଆତ୍ମୋତ୍ସର୍ଗ କରିବାଦ୍ୱାରା ମନୁଷ୍ୟ କିପରି ବିରାଟ ପ୍ରଭାବର ଅଧିକାରୀ ହୋଇପାରେ, ତାହା ଭାରତରେ ଗାନ୍ଧିଜୀଙ୍କର ଦୃଷ୍ଟାନ୍ତରୁ ପ୍ରମାଣିତ ହୋଇଯାଇଅଛି ।

 

ଦେଶରେ ବର୍ତ୍ତମାନ ଯେଉଁସବୁ ଅସହଯୋଗ ଆନ୍ଦୋଳନ ମୁଣ୍ଡ ଟେକୁଛି, ସେସବୁ ଫଳରେ ଶାସନତାନ୍ତ୍ରିକ ସଂସ୍କାରଗୁଡ଼ିକର ବେଗ ଓ ବିକାଶ ସ୍ୱତଃ ପ୍ରତିହତ ହେଉଅଛି । ଯେଉଁମାନେ ଅସହଯୋଗ ଆନ୍ଦୋଳନରେ ଭାଗ ନେଉଛନ୍ତି, ସେମାନେ ବର୍ତ୍ତମାନର ଶାସନ ବିରୁଦ୍ଧରେ ଏଣୁତେଣୁ ନାନାଦି ମିଥ୍ୟା ଗୁଜବ ଲୋକଙ୍କ ମୁଣ୍ଡରେ ପୂରାଇ ଅଛନ୍ତି । ଗାନ୍ଧି ଓ ଚିତ୍ତରଞ୍ଜନ ଦାସ ପ୍ରଭୃତି ମୁଷ୍ଟିମେୟ ବ୍ୟକ୍ତି ସେମାନଙ୍କର ସେବା ଓ ଆତ୍ମୋତ୍ସର୍ଗ ଫଳରେ ଲୋକଙ୍କ ମଧ୍ୟରେ ଯଥେଷ୍ଟ ବ୍ୟକ୍ତିଗତ ପ୍ରଭାବ ବିସ୍ତାର କରିପାରିଛନ୍ତି । ତେଣୁ ସରକାରଙ୍କ ବିରୁଦ୍ଧାଚରଣ କରୁଥିବା ଏହିସବୁ ଶକ୍ତିକୁ ଯଥାର୍ଥ ଭାବରେ ପ୍ରତିହତ କରିବା ଜଣେ ବେତନଭୋଗୀ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ମନ୍ତ୍ରୀଙ୍କ ପକ୍ଷରେ କେବେହେଲେ ସମ୍ଭବପର ହୋଇ ନପାରେ । ଦେଶାତ୍ମବୋଧସମ୍ପନ୍ନ ବ୍ୟକ୍ତିମାନେ ସରକାରଙ୍କୁ ଏ ସମୟରେ ବହୁତ ସାହାଯ୍ୟ କରିପାରିବେ । ଆମର ଜିଲ୍ଲାବୋର୍ଡ଼ ଓ ଲୋକାଲବୋର୍ଡ଼ ମାନଙ୍କରେ ବର୍ତ୍ତମାନ ଯେଉଁ ହଜାର ହଜାର ଅବୈତନିକ କର୍ମୀ ନିଯୁକ୍ତ ହେବାକୁ ଯାଉଛନ୍ତି, ସେମାନେ ନିଶ୍ଚିତରୂପେ ସରକାରୀ ବିଭିନ୍ନ ଶାସନ ସଂସ୍କାରଗୁଡ଼ିକ ସପକ୍ଷରେ ଜନମତ ସୃଷ୍ଟି କରିବାରେ ବହୁତ ସହାୟକ ହୋଇପାରିବେ; କିନ୍ତୁ ଅସଲ କଥା ହେଉଛି, ଏହି ବିଭାଗର ମନ୍ତ୍ରୀ ଯଦି ବେତନ ଗ୍ରହଣକରି କାର୍ଯ୍ୟ କରନ୍ତି, ତେବେ ଅସୁବିଧା ସୃଷ୍ଟିହେବ ଓ ସରକାରଙ୍କ ସପକ୍ଷରେ ଯାହା କରାଯାଇପାରନ୍ତା, ତାହା ହୋଇପାରିବ ନାହିଁ ।

 

ଏହାଛଡ଼ା ଲେଜିସଲେଟିଭ କାଉନ୍ସିଲରେ, ସମ୍ୱାଦପତ୍ରମାନଙ୍କରେ ଓ ଅନ୍ୟାନ୍ୟ ସ୍ଥାନରେ ମନ୍ତ୍ରୀମାନଙ୍କ ଦରମା ବିଷୟରେ ବର୍ତ୍ତମାନ ଯେଉଁ ପରି ବିଦ୍ରୂପ ଓ ସମାଲୋଚନା ପ୍ରକାଶ ପାଉଅଛି, ସେଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ, ଲୋକେ ଚାହାନ୍ତି, ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା ବିଭାଗୀୟ ମନ୍ତ୍ରିପଦକୁ ଅବୈତନିକ କରାଯାଉ ।

 

ମତେ ଯଦି ଓକିଲାତି କରି ଜୀବିକାର୍ଜନ କରିବାର ଅନୁମତି ମିଳିବ, ତାହାହେଲେ ମୁଁ ଅବୈତନିକ ମନ୍ତ୍ରୀଭାବରେ କାର୍ଯ୍ୟକରିବାକୁ ସମ୍ପୂର୍ଣ୍ଣ ସମ୍ମତ ଅଛି । ଅବଶ୍ୟ ଓକିଲାତି କରିବାଦ୍ୱାରା ମନ୍ତ୍ରୀ ହିସାବରେ ମୋର ଯଥାଯଥ କର୍ତ୍ତବ୍ୟ ପାଳନ କରିବାରୁ ମୁଁ ବିଚ୍ୟୁତ ହେବାର ବା ତହିଁରେ ଅବହେଳା କରିବାର ପ୍ରଶ୍ନ ଉଠୁନାହିଁ । ଅନ୍ୟ କୌଣସି ସୂତ୍ରରୁ ମୋର ଆୟର ଯଦି କିଛି ବାଟ ଥାଆନ୍ତା, ତାହାହେଲେ ମୁଁ କେବେହେଲେ ଓକିଲାତି କରିବାକୁ ଅନୁମତି ଲୋଡ଼ନ୍ତିନାହିଁ । ବିଗତ ଚାଳିଶ ବର୍ଷ ହେଲା ଓଡ଼ିଶାର ବିଭିନ୍ନ ସମସ୍ୟାମାନଙ୍କରେ ବରାବର ମୁଁ ମୁଖ୍ୟଭାଗ ନେଇଆସିଅଛି-। ଓଡ଼ିଶାର ସର୍ବପ୍ରଥମ ଗ୍ରାଜୁଏଟ୍ ହୋଇଥିବା ଦୃଷ୍ଟିରୁ, ଓଡ଼ିଶାର ସମସ୍ତ ପ୍ରକାର ସର୍ବସାଧାରଣ କାର୍ଯ୍ୟ ଲାଗି ମୋତେ ବରାବର ହାତରୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଅଛି । ସେଥିରେ ପୁଣି ଓକିଲାତି କରିବା ଲାଗି ଯଥେଷ୍ଟ ସମୟ ଦେବା ମଧ୍ୟ ମୋ ପକ୍ଷରେ ସମ୍ଭବପର ହୋଇପାରିନାହିଁ । କାରଣ ସର୍ବସାଧାରଣ କାମ କରିବାରେ ହିଁ ମୋର ଅଧିକାଂଶ ସମୟ ଯାଇଅଛି ।

 

ଜଣେ ଲୋକ ଓକିଲାତି କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀ ହେବାରେ ବି କିଛି ଅସୁବିଧା ବା ଅସ୍ୱାଭାବିକତା ନାହିଁ । କାରଣ ଏହା ପୂର୍ବରୁ ଜଣେ ଜମିଦାର ମଧ୍ୟ ଭାଇସରାୟଙ୍କ ଏକଜିକ୍ୟୁଟିଭ କାଉନ୍ସିଲର ସଭ୍ୟ ହୋଇ ପାରିଛନ୍ତି । ଦରଭଙ୍ଗାର ମହାରାଜାଧିରାଜ ହେଉଛନ୍ତି ପ୍ରଥମ ଭାରତୀୟ, ଯେ କି ଏକଜିକ୍ୟୁଟିଭ କାଉନ୍ସିଲରେ ସଭ୍ୟ ହୋଇଥିଲେ । ମୁଁ ଏଇ କେତେଦିନ ତଳେ ଖବରକାଗଜରେ ଦେଖିଥିବା ପରି ମୋର ମନେହେଉଛି ଯେ, ମହାମୁଦାବାଦର ରାଜା ଯୁକ୍ତ ପ୍ରଦେଶ କାଉନ୍ସିଲର ଜଣେ ଅବୈତନିକ ସଭ୍ୟ ଭାବରେ ଏବେ ନିଯୁକ୍ତି ପାଇଛନ୍ତି । ଜଣେ ଜମିଦାର ନିଜ ଜମିଦାରୀର ପରିଚାଳନା କରିବା ସଙ୍ଗେ ସଙ୍ଗେ, ତାଙ୍କୁ କଚେରିରେ ନାନା ମାଲିମକଦ୍ଦମାରେ ହାଜର ହେବାକୁ ପଡ଼ୁଛି । ପୁଣି ସାକ୍ଷୀଗୁହା ବି ଦେବାକୁ ପଡ଼ୁଛି । ଏସବୁ କାର୍ଯ୍ୟକାରିବା ସତ୍ତ୍ୱେ ଜଣେ ମାନ୍ୟବର କାଉନ୍ସିଲ ସଭ୍ୟଙ୍କର ଯଦି ସମ୍ମାନହାନି ନ ଘଟିଛି, ତେବେ କୌଣସି ମାଲିମକଦ୍ଦମାରେ କୌଣସି ପକ୍ଷରୁ ଓକିଲ ଭାବରେ କଚେରିରେ ମକଦ୍ଦମା ଚଳାଇବାଦ୍ୱାରା ଜଣେ ମନ୍ତ୍ରୀଙ୍କର ସମ୍ମାନହାନି ଘଟିବାର କୌଣସି ଯଥାର୍ଥ କାରଣ ଥାଇ ନ ପାରେ-

 

ଆମ ଦେଶରେ ଆଇନ ବ୍ୟବସାୟକୁ ବରାବର ଏକ ସମ୍ମାନିତ ଆସନ ଦିଆଯାଇଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଦେଶର ଆଇନଜୀବୀମାନଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ପ୍ରାଦେଶିକ ସରକାର ଓ ଭାରତ ସରକାର ଏକଜିକ୍ୟୁଟିଭ କାଉନ୍ସିଲର ସଭ୍ୟ ଭାବରେ ଗ୍ରହଣ କରିଅଛନ୍ତି । କେବଳ ସେତିକି ନୁହେଁ; ଏହିପରି ଭାବରେ ଅନେକ ଆଇନଜୀବୀ ଅନେକ ସମୟରେ ପ୍ରାଦେଶିକ ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଅଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକାଳ ଶେଷହେବା ଉତ୍ତାରେ, ପୁଣି ଆସି କୋର୍ଟକଚେରିମାନଙ୍କରେ ଓକିଲାତି କରିଅଛନ୍ତି । ଏହିସବୁ ଦୃଷ୍ଟିରୁ ମନ୍ତ୍ରୀ ହେବା ସଙ୍ଗେ ସଙ୍ଗେ, ଜଣେ ଓକିଲାତି କରିବାରେ ସମ୍ମାନହାନିର କୌଣସି ପ୍ରଶ୍ନ କେବେ ହେଲେ ଉଠିନପାରେ ।

 

ଯେଉଁ ବିଷୟଗୁଡ଼ିକୁ ‘ରିଜର୍ଭଡ଼୍ ବା ଟ୍ରାନ୍ସଫର୍ଡ଼’ ଶ୍ରେଣୀଭୁକ୍ତ କରି ରଖାଯାଇଅଛି, ସେଗୁଡ଼ିକର ସୁଶାସନର ଦାୟିତ୍ୱ ବର୍ତ୍ତମାନ ବ୍ୟବସ୍ଥାରେ ପୂରାପୂରି ଏକଜିକ୍ୟୁଟିଭ କାଉନ୍ସିଲର ସଭ୍ୟମାନଙ୍କ ଉପରେ ନ୍ୟସ୍ତ କରାଯାଇଅଛି । ଜଣେ ଜମିଦାର ଏଣେ ଏକଜିକ୍ୟୁଟିଭ କାଉନ୍ସିଲରେ ସଭ୍ୟ ଥିବା ଅବସ୍ଥାରେ ବା ମନ୍ତ୍ରୀଭାବରେ କାର୍ଯ୍ୟ କରୁଥିବା ଅବସ୍ଥାରେ ତେଣେ ତାଙ୍କ ଜମିଦାରୀର ପ୍ରଜାମାନଙ୍କ ମଧ୍ୟରେ ଜମିଦାରଙ୍କ ବିରୁଦ୍ଧରେ ଅଶାନ୍ତି, ଅସନ୍ତୋଷ ବା ବିଦ୍ରୋହ ଦେଖାଦେଇପାରେ-। ଏପରି ସମ୍ଭାବନାକୁ କେବେ ହେଲେ ଏଡ଼ାଇ ଦିଆଯାଇ ନ ପାରେ । ନିଜେ ସମ୍ପୃକ୍ତ ଜମିଦାର ସରକାରଙ୍କ ଏକଜିକ୍ୟୁଟିଭ କାଉନ୍ସିଲ ବା ମନ୍ତ୍ରିମଣ୍ଡଳ ସହିତ ସଂଯୁକ୍ତଥିବା ଦୃଷ୍ଟିରୁ ତାଙ୍କ ବିପକ୍ଷରେ ଯେଉଁ କ୍ଷେତ୍ରରେ ଜନ-ଅସନ୍ତୋଷ ଦେଖାଦେବ, ତାହା ନିଶ୍ଚୟ ପରିଣାମରେ ସିଧାସଳଖ ସରକାରଙ୍କୁ ହିଁ ଅଡ଼ୁଆରେ ପକାଇବ; କିନ୍ତୁ ସରକାରଙ୍କ ସହିତ ଜଡ଼ିତ ଥିବା ମନ୍ତ୍ରୀ ବା ମେମ୍ୱର ଯେ କେହି ହୁଅନ୍ତୁ ନା କାହିଁକି, ସେ ଯଦି ଜମିଦାର ନା ହୋଇ ସ୍ୱାଧୀନ ଭାବରେ ଓକିଲାତି କରି ନିଜର ଜୀବିକାର୍ଜନ କରୁଥାନ୍ତି, ତେବେ ସରକାର ଏପରି ଅସୁବିଧାରେ ପଡ଼ିବାର କୌଣସି ସମ୍ଭାବନା କେବେହେଲେ ଉଠି ନ ପାରେ ।

 

ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗ ହେଉଛି ଗୋଟିଏ ପୂରାପୂରି ‘ଟ୍ରାନ୍ସଫର୍ଡ଼ ସବଜେକ୍ଟ’ । ଏଥିରେ ଶାସନର ଦାୟିତ୍ୱ ପୂରାପୂରି ଜନସାଧାରଣଙ୍କ ହାତରେ ନ୍ୟସ୍ତ କରାଯାଇଥାଏ । ଏ ବିଭାଗର ଯେ ମନ୍ତ୍ରୀ ହେବ ସେ ହେଉଛନ୍ତି କାଉନ୍ସିଲର ଜଣେ ନିର୍ବାଚିତ ସଭ୍ୟ । ନିଜେ ନିର୍ବାଚିତ ସଭ୍ୟ ହୋଇଥିଲେ ମଧ୍ୟ ମନ୍ତ୍ରୀଭାବରେ ନିଯୁକ୍ତି ପାଇବା ସଙ୍ଗେ ସଙ୍ଗେ ପ୍ରାଦେଶିକ ଗଭର୍ଣ୍ଣରଙ୍କ ସହିତ ତାଙ୍କର ଏକ ନୂତନ ସମ୍ପର୍କ ସ୍ଥାପିତ ହୋଇଥାଏ । ପରିବର୍ତ୍ତିତ ପରିସ୍ଥିତିରେ ଗଭର୍ଣ୍ଣରଙ୍କ ସହ ଏହି ନୂତନ ସମ୍ୱନ୍ଧ ସତ୍ତ୍ୱେ ସେ କିନ୍ତୁ ଦେଶର ଜନସାଧାରଣ ଓ କାଉନ୍ସିଲ ପ୍ରତି ରହିଥିବା ତାଙ୍କର ଦାୟିତ୍ୱରୁ ମୁକ୍ତି ପାଇଯାଇ ନ ଥାନ୍ତି । ଏ ସମ୍ପର୍କରେ ଭାରତ ଶାସନ ଆଇନର 80 (ବି) ଧାରାରେ ଉଲ୍ଲେଖଅଛି ଯେ, ‘‘ମନ୍ତ୍ରୀମାନଙ୍କୁ ସରକାରୀ କର୍ମଚାରୀ ବୋଲି ବିବେଚନା କରାଯିବନାହିଁ ଏବଂ କୌଣସି ବ୍ୟକ୍ତି ମନ୍ତ୍ରୀ ହେବାଦ୍ୱାରା ସେ ସରକାରୀ ଚାକିରି କରିବା ବୁଝାଇବ ନାହିଁ ।’’

 

ଯେଉଁସବୁ କାର୍ଯ୍ୟ କରିବା ଫଳରେ ବ୍ରିଟିଶ ସମ୍ରାଟଙ୍କ ଅଧୀନରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି ଦଣ୍ଡନୀୟ ଅପରାଧ କରିଥିବା ସାବ୍ୟସ୍ତ ହେବେ, ତାହା ଭାରତ ଶାସନ ଆଇନର 124 ନମ୍ୱର ଧାରାରେ ଲିପିବଦ୍ଧ କରାଯାଇଅଛି । ଏହି ଧାରାର 5 ନମ୍ୱର ଉପଧାରାରେ ଉପରୋକ୍ତ ଶ୍ରେଣୀର କର୍ମଚାରୀମାନଙ୍କୁ କାହାରିଠାରୁ କୌଣସି ପ୍ରକାର ପାରିତୋଷିକ ବା ଉପହାର ଗ୍ରହଣ କରିବା ନିଷିଦ୍ଧ କରି ଦିଆଯାଇଅଛି; କିନ୍ତୁ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବାରିଷ୍ଟର ବା ଆଇନଜୀବୀମାନଙ୍କୁ ସେମାନଙ୍କ ପାରିଶ୍ରମିକ ଗ୍ରହଣ କରିବା ନିମନ୍ତେ ଏହି ଆଇନରେ ନିଷେଧ କରାଯାଇନାହିଁ । ହାଇକୋର୍ଟ ଅଧୀନରେ ଓକିଲାତି କରୁଥିବା ଯେକୌଣସି ଓକିଲଙ୍କୁ ବାରିଷ୍ଟର ବୋଲି ଧରାଯାଇଥାଏ ।

 

ମତେ ଯଦି ଓକିଲାତି କରି ଜୀବିକାର୍ଜନର ଅନୁମତି ମିଳେ, ତେବେ କାଉନ୍ସିଲ ବୈଠକମାନଙ୍କରୁ ମୁଁ ଉପସ୍ଥିତ ରହିବା ବା ମନ୍ତ୍ରୀ ହିସାବରେ ମୋର କର୍ତ୍ତବ୍ୟରେ ଅବହେଳା କରିବାର ପ୍ରଶ୍ନ ଉଠି ନ ପାରେ । ସେ ବିଷୟରେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଅଛି । ଜୀବିକାର୍ଜନ ନିମନ୍ତେ ଓକିଲାତି କରିବା ସାଙ୍ଗକୁ ମନ୍ତ୍ରୀ ହିସାବରେ ଯଥାଯଥ କର୍ତ୍ତବ୍ୟ ପାଳନକରିବା ଫଳରେ ମୋର ଦୈନନ୍ଦିନ ଜୀବନରେ ମତେ ବହୁ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ ଏହାଦ୍ୱାରା ମୁଁ ସରକାରଙ୍କ ସହିତ ଜନସାଧାରଣଙ୍କର ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହୋଇପାରିବି । ଫଳରେ ଲୋକଙ୍କ ମଧ୍ୟରେ ସରକାରଙ୍କ ସହିତ ଅସହଯୋଗ କରିବା ମନୋବୃତ୍ତି କ୍ରମେ ଦୂର ହୋଇଯିବ ଏବଂ ମ୍ୟୁନିସିପାଲିଟି ଓ ଡିଷ୍ଟ୍ରିକ୍ଟବୋର୍ଡ଼ ସାଙ୍ଗକୁ ଆଇନ ବ୍ୟବସାୟ କରୁଥିବା ଓକିଲମାନଙ୍କଠାରେ ମଧ୍ୟ ସରକାରଙ୍କ ସହିତ ସହଯୋଗ କରିବାର ମନୋବୃତ୍ତି କ୍ରମେ ଦୃଢ଼ୀଭୂତ ହୋଇପାରିବ । ତେଣୁ ମୋ ବିଚାରରେ ସ୍ଥାନୀୟ ସ୍ୱାୟତ୍ତଶାସନ ବିଭାଗକୁ ଯଦି ଆଇନ ବ୍ୟବସାୟ କରି ନିଜର ଜୀବିକାର୍ଜନ କରୁଥିବା ଜଣେ ମନ୍ତ୍ରୀଙ୍କ ଅଧୀନରେ ଅବସ୍ଥାପିତ କରାଯାଏ, ତେବେ ସବୁଆଡ଼ୁ ଭଲହେବ ।

 

ପୁଣି ଏ ବିଭାଗର ଯେ ମନ୍ତ୍ରୀ ହେବେ, ତାଙ୍କର ମଧ୍ୟ ଆଇନ ଓ ଚିକିତ୍ସା ଦିଗରେ ଜ୍ଞାନ ଥିବା ଦରକାର । ରାଜ୍ୟ ଭିତରେ ଯେଉଁ ଡିଷ୍ଟ୍ରିକ୍ଟବୋର୍ଡ଼ ଓ ଲୋକାଲବୋର୍ଡ଼ ଗୁଡ଼ିକ ଅଛି, ସେଗୁଡ଼ିକର କର୍ମକର୍ତ୍ତାମାନେ ସାଧାରଣତଃ ଆଇନଜୀବୀ ଅଟନ୍ତି । ଫଳତଃ ନୂତନ ମ୍ୟୁନିସିପାଲ୍ ଆକ୍ଟରେ ଯେଉଁସବୁ ବିଧିବ୍ୟବସ୍ଥା ରହିଅଛି, ଆବଶ୍ୟକ ସ୍ଥଳେ ସେ ସବୁର ବିଶ୍ଳେଷଣ ନିମନ୍ତେ ବିଷୟଟା ଶେଷରେ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ଆସିଥାଏ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ତାରିଖଠାରୁ ମ୍ୟୁନିସିପାଲ୍ ଆକ୍ଟ ଏ ଦେଶରେ ବଳବତ୍ତର ହେଲା । ଜାନୁଆରୀ ମାସ ପହିଲା ତାରିଖରେ ଏ ଆଇନ୍ କାର୍ଯ୍ୟକାରୀ ହେବାର ଦିନ ପନ୍ଦରଟା ପୂରୁଣୁ ନ ପୂରୁଣୁ ରାଜ୍ୟର ଗୋଟିଏ ମ୍ୟୁନିସିପାଲିଟି ଏମିତି ଗୋଟିଏ ପ୍ରସ୍ତାବ ଗ୍ରହଣ କରିଥିଲେ, ଯେଉଁ ବିଷୟରେ କି ସମ୍ପୃକ୍ତ ମ୍ୟୁନିସିପାଲିଟି ସଭ୍ୟମାନଙ୍କର ଧାରଣା ଥିଲା ଯେ ସେମାନଙ୍କ ପ୍ରସ୍ତାବଟି ମ୍ୟୁନିସିପାଲ୍ ଆଇନାନୁମୋଦିତ ହୋଇଅଛି । ଶେଷରେ ସେହି ବିଷୟଟିର ଶେଷ ମୀମାଂସା ନିମନ୍ତେ ମୋ ପାଖରେ କାଗଜପତ୍ର ଆସି ପହଞ୍ଚିଲା । ଏ ବିଷୟରେ ସଂପୃକ୍ତ ମ୍ୟୁନିସିପାଲିଟିର କେତେକ ସଭ୍ୟ ମୋ ପାଖକୁ ଯେଉଁସବୁ ପତ୍ର ଲେଖି ଅଛନ୍ତି, ସେଥିରେ ସେମାନେ ଇଂଲାଣ୍ଡର ‘ହାଲସବରି-ଲ’ର ନଜିର ଉପସ୍ଥାପିତ କରିଅଛନ୍ତି । ମୁଁ ଅନୁଭବ କରୁଛି, ଆଇନ ବିଷୟରେ ମୋର ଜ୍ଞାନ ଥିବାରୁ ଓ ଚିକିତ୍ସାବିଦ୍ୟାରେ ମୋର କିଛିଟା ଧାରଣା ରହିଥିବାରୁ, ମୁଁ ମୋର ବର୍ତ୍ତମାନର ଦାୟିତ୍ୱ ସ୍ୱଚାରୁରୂପେ ପାଳନ କରିପାରୁଛି ।

 

ମୋ ଡିପାର୍ଟମେଣ୍ଟରେ ଆଉ ଜଣେ ଅଧିକା ଲୋକ ରଖିବା ଆବଶ୍ୟକ ପଡ଼ୁଥିବାର ମୁଁ ଅନୁଭବ କରୁଅଛି; କିନ୍ତୁ ମୋର ପ୍ରସ୍ତାବ ଯଦି ଆପଣଙ୍କଦ୍ୱାରା ଗୃହୀତ ହୁଏ, ତାହା ହେଲେ ସେ ବିଷୟ ଯଥାସମୟରେ ଆପଣଙ୍କ ସହିତ ଆଲୋଚନା କରିବି । ଇତି ।

 

ଆପଣଙ୍କର ଆଜ୍ଞାଧୀନ,

ସ୍ୱା. ଏମ୍. ଏସ୍. ଦାସ

 

ଡବଲ୍ୟୁ ହ୍ୱିଲରଙ୍କଠାରୁ ଏମ୍. ଏସ୍. ଦାସଙ୍କୁ ପତ୍ର

 

ପାଟନା, ଫେବୃଆରୀ 11 ତାରିଖ

 

ପ୍ରିୟ ମି: ଦାସ,

 

ଆପଣଙ୍କୁ ଯଦି ଆଇନ ବ୍ୟବସାୟ କରି ଜୀବିକାର୍ଜନ କରିବାକୁ ଅନୁମତି ଦିଆଯାଏ, ତେବେ ଆପଣ ଅବୈତନିକ ମନ୍ତ୍ରୀଭାବରେ କାର୍ଯ୍ୟକରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଭିନ୍ନ ଯୁକ୍ତି ଉପସ୍ଥାପିତ କରି ଏହି ମାସ 7-8 ତାରିଖରେ ମୋ ପାଖକୁ ଆପଣ ଯେଉଁ ପତ୍ରଖଣ୍ଡି ଲେଖିଥିଲେ, ତାହା ମୋର ହସ୍ତଗତ ହୋଇଅଛି । ଏ ବିଷୟରେ ଆପଣ ଯେଉଁ ସବୁ କାରଣ ଉପସ୍ଥାପିତ କରିଅଛନ୍ତି, ସେଗୁଡ଼ିକର ଯଥାର୍ଥ୍ୟ ମୁଁ ଦେଖିପାରୁନାହିଁ । ପୁଣି ଏ ବିଷୟରେ ଆପଣଙ୍କ ନିବେଦନ ପୂରଣ କରିବା ଦିଗରେ ଅନେକ ଯୁକ୍ତିଯୁକ୍ତ ଆପତ୍ତି ଓ ଅସୁବିଧା ରହିଥିବାର ମୁଁ ଦେଖିପାରୁଛି । ପ୍ରଥମତଃ ଆପଣ ଏକ ଦିଗରେ ମନ୍ତ୍ରୀ ଓ ଅନ୍ୟ ଦିଗରେ ଆଇନଜୀବୀ ଭାବରେ କାର୍ଯ୍ୟକରି କିପରି ଭାବରେ ଯେ ଉଭୟ ଦାୟିତ୍ୱକୁ ସନ୍ତୋଷଜନକ ଭାବରେ ପାଳନ କରିବାରେ ସକ୍ଷମହେବେ, ତାହା ମୁଁ ବୁଝିପାରୁନାହିଁ । ପୁଣି କୋର୍ଟକଚେରିଗୁଡ଼ିକ ସରକାରଙ୍କ କର୍ତ୍ତୃତ୍ୱାଧୀନରେ ପରିଚାଳିତ ହେଉଥିବାବେଳେ, ଆପଣ ସେହି ସରକାରୀ କଳରେ ଜଣେ ପଦସ୍ଥ ମନ୍ତ୍ରୀ ହୋଇ ମଧ୍ୟ, କିପରି ଭାବରେ ଯେ ସେହି କୋର୍ଟକଚେରିକୁ ଯାଇ କୌଣସି ପକ୍ଷର ଓକିଲ ହୋଇ ମକଦ୍ଦମା ତଦବିର କରିବେ, ତାହା ମତେ ବଡ଼ ଅସମ୍ଭବ ଲାଗୁଛି । ପୂର୍ବରୁ କେହି କେବେ ଏହିପରି ଭାବରେ ଓକିଲାତି କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀ ହୋଇ ଥିବାର ନଜିର ବି ମତେ ଜଣାନାହିଁ । ଆପଣ ଯଦି ଇଚ୍ଛାକରନ୍ତି, ତେବେ ଆପଣଙ୍କ ସହିତ ଏ ବିଷୟରେ ବିଶଦ ଆଲୋଚନା କରିବାକୁ ମୁଁ ପ୍ରସ୍ତୁତ ଅଛି; ମାତ୍ର ଆପଣଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ମୋ ପକ୍ଷରେ ସମ୍ଭବପର ନୁହେଁ ବୋଲି ମୁଁ ଆପଣଙ୍କୁ ଦୁଃଖର ସହିତ ଜଣାଇବାକୁ ବାଧ୍ୟ ହେଉଛି ।

 

ଆପଣଙ୍କର ବିଶ୍ୱସ୍ତ,

ସ୍ୱା : ଏଚ୍. ହ୍ୱିଲରଙ୍କ

 

ସେ ଯଦି ଇଚ୍ଛା କରୁଥାନ୍ତି, ତାହାହେଲେ ଏ ବିଷୟରେ ମୁଁ ତାଙ୍କ ସଙ୍ଗେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜଣାଇ ଦେଇଥିଲେ ସୁଦ୍ଧା, ମାନ୍ୟବର ମି: ଦାସ ଏ ଦିଗରେ ନୀରବ ରହିବା କାରଣରୁ ବିଷୟଟି ସେହିଠାରେ ଅଟକି ରହିଥିଲା । ତା ପରେ ଗଲା 8 ତାରିଖର ପତ୍ର ହିଁ ତାଙ୍କର ସେ ବିଷୟରେ ମୋ ସହିତ ଶେଷ ପତ୍ରାଳାପ ।

 

ମୁଁ ଦୁଃଖର ସହିତ ସ୍ୱୀକାର କରୁଅଛି ଯେ, ମୁଁ ମି: ଦାସଙ୍କର ଇସ୍ତଫା ଗ୍ରହଣ କରିନେଇଅଛି; କିନ୍ତୁ ଏ ବିଷୟରେ ମୁଁ ସମସ୍ତଙ୍କୁ ଜଣାଇଦେବାକୁ ଚାହୁଛି ଯେ ମି. ଦାସ ମତେ ଯେଉଁ ପ୍ରସ୍ତାବ ଦେଇଥିଲେ, ସେଥିରେ ସେ ମନ୍ତ୍ରୀ ରହିବା ସଙ୍ଗେ ସଙ୍ଗେ ଆଇନ ବ୍ୟବସାୟ କରି ଜୀବିକାର୍ଜନର ସର୍ତ୍ତ ରଖିଥିବା କାରଣରୁ ତାଙ୍କର ସେହି ପ୍ରସ୍ତାବକୁ ଗ୍ରହଣ କରିବା ମୋ ପକ୍ଷରେ ସମ୍ଭବପର ହୋଇପାରିଲା ନାହିଁ ।

 

Image